Unknown

 

 

 

 

 

 

 

 

 

 

 

କଥା ଭାରତୀ ହିନ୍ଦୀ ଗଳ୍ପମାଳା

ଅନୁବାଦକ

ଗୋପୀନାଥ ମହାନ୍ତି

 

ସୂଚିପତ୍ର

 

୧.

ସେ କହିଥିଲା

ଚନ୍ଦ୍ରଧର ଶର୍ମା ଗୁଲେରୀ

୨.

କଫନ୍‍

ପ୍ରେମଚନ୍ଦ

୩.

ଗୁଣ୍ଡା

ଜୟଶଙ୍କର ପ୍ରସାଦ

୪.

ପାଉଁଜ

ଜୈନେନ୍ଦ୍ର କୁମାର

୫.

ଅନ୍ୟର ସୁଖ

ଯଶପାଲ

୬.

ଗଦଲ

ରାଙ୍ଗେୟ ରାଘବ

୭.

ତୃତୀୟ ରାଣ

ଫଣୀଶ୍ୱରନାଥ ‘ରେଣୁ’

୮.

ଲଣ୍ଡନରେ ଗୋଟିଏ ରାତି

ନିର୍ମଳ ବର୍ମା

୯.

ବାସ୍ନା

ରାଜେନ୍ଦ୍ର ଯାଦବ

୧୦.

ତା’ ରୁଟି

ମୋହନ ରାକେଶ୍‍

୧୧.

ଗରମଦିନ

କମଳେଶ୍ୱର

୧୨.

ଶବଯାତ୍ରା

ଶ୍ରୀକାନ୍ତ ବର୍ମା

୧୩.

ଦି’ପହରର ଭୋଜନ

ଅମରକାନ୍ତ

୧୪.

ବାଡ଼ର ଏପାଖ ସେପାଖ

ଜ୍ଞାନରଞ୍ଜନ

୧୫.

ସୁଖ

କାଶୀନାଥ ସିଂହ

୧୬.

ଲେଖକ ପରିଚୟ

 

Image

 

ଭୂମିକା

 

୧୯୧୫ ସାଲର ‘ସରସ୍ୱତୀ’ରେ ଚନ୍ଦ୍ରଧର ଶର୍ମା ଗୁଲେରୀଙ୍କ ‘ଉସ୍‍ନେ କହାଥା’ ଯେତେବେଳେ ପ୍ରକାଶିତ ହେଲା, ସେତେବେଳେ କେହି କଳ୍ପନା ସୁଦ୍ଧା କରି ନଥିଲେ ଯେ ପରବର୍ତ୍ତୀ କାଳରେ ହିନ୍ଦୀ ଗଳ୍ପ-ସାହିତ୍ୟରେ ସେ ପାଇବ ଗୋଗୋଲ୍‍ଙ୍କ ‘ଓଭର୍‍ କୋଟ୍‍’ର ପ୍ରସିଦ୍ଧି । ‘ଉସ୍‍ନେ କହାଥା’ ହିନ୍ଦୀର ପ୍ରଥମ ଗଳ୍ପ ନୁହେଁ । ହୁଏତ କିଶୋରୀଲାଲ ଗୋସ୍ୱାମୀଙ୍କ ‘ଇନ୍ଦୁମତୀ’ (୧୯୦୦) ବା ଉକ୍ତ ଲେଖକଙ୍କ ‘ପ୍ରଣୟିନୀ ପରିଣୟ’ (୧୮୮୭), କିମ୍ୱା ସେହି କାଳର ଅନ୍ୟ କୌଣସି ଏକ କାହାଣୀ ହିନ୍ଦୀର ପ୍ରଥମ ଗଳ୍ପ ହୋଇପାରେ । ଏ କଥା ସତ ଯେ ‘ଉସ୍‍ନେ’ କହାଥା’ ପୂର୍ବରୁ ହିନ୍ଦୀରେ ବଙ୍ଗ-ମହିଳାଙ୍କ ‘ଦୁଲାଇ ବାଲୀ’ (୧୯୦୭), ବୃନ୍ଦାବନଲାଲ ବର୍ମାଙ୍କ ‘ରାଖୀବନ୍ଦ ଭାଇ’ (୧୯୦୯), ଜୟଶଙ୍କର ପ୍ରସାଦଙ୍କ ‘ଗ୍ରାମ’ (୧୯୧୧), ରାଜା ରାଧିକାରମଣ ପ୍ରସାଦ ସିଂହଙ୍କ ‘କାନୋଁ ମେ କଙ୍ଗନା’ (୧୯୧୩), ବିଶ୍ୱମ୍ଭର ନାଥ ଶର୍ମା କୌଶିକଙ୍କ ‘ରକ୍ଷା ବନ୍ଧନ’ (୧୯୧୩) ଆଦି ଅନେକ ମୌଳିକ ଗଳ୍ପ ପ୍ରକାଶିତ ହୋଇସାରିଥିଲା । କିନ୍ତୁ ଏସବୁ ପ୍ରାରମ୍ଭିକ ଗଳ୍ପ ଇତିହାସର ସାମଗ୍ରୀ ହୋଇ ରହିଗଲେ । ‘ଉସ୍‍ନେ କହାଥା’ ହିନ୍ଦୀ-ଜଗତର ସ୍ମୃତିରେ ଆଜି ବି ଅମର; ତା’ ସହିତ ଅମର ତା’ର ଲେଖକ ଗୁଲେରୀ ଏବଂ ତା’ ମଧ୍ୟ ଗୋଟିଏ ମାତ୍ର କାହାଣୀ ଲେଖି; ଯାହାର ରଚନା ତାଙ୍କ ପାଇଁ ବି ଥିଲା ଏକ ଦୈବାତ୍‍ କଥା-କାରଣ ବସ୍ତୁତଃ ସେ ଥିଲେ ସଂସ୍କୃତ-ପଣ୍ଡିତ । ଭାଷାଶାସ୍ତ୍ର ଓ ପୁରାତତ୍ତ୍ୱରେ ଥିଲା ତାଙ୍କର ପ୍ରାଥମିକ ରୁଚି । ଆଉ ଦୁଇଟି ଗଳ୍ପ ଅବଶ୍ୟ ସେ ଲେଖିଥିଲେ-୧୯୧୧ରେ ‘ବୁଦ୍ଧୁକା କାଁଟା’ ଏବଂ ୧୯୧୧ରୁ ୧୯୧୫ ଭିତରେ ‘ସୁଖମୟ ଜୀବନ’; କିନ୍ତୁ ତାକୁ ପଢ଼ି ମନେହୁଏ ଗଳ୍ପଲେଖନ ତାଙ୍କ ପାଇଁ ଯେମିତି ଏକ ଅତି ଗୌଣ ବିଷୟ ଥିଲା । ମାତ୍ର ସଇଁତିରିଶ ବର୍ଷ ଅଳ୍ପାୟୁରେ ୧୯୨୦ ସାଲରେ ତାଙ୍କର ଦେହାବସାନ ମଧ୍ୟ ହେଲା । ଏସବୁ ଦୃଷ୍ଟିରୁ ‘ଉସ୍‍ନେ କହାଥା’ କୁ ହିନ୍ଦୀ ଗଳ୍ପର ଇତିହାସରେ ଏକ ସୁଖଦ ସଂଯୋଗ ବ୍ୟତୀତ ଆଉ କ’ଣ କୁହାଯାଇପାରେ !

 

ତଥାପି ‘ଉସ୍‍ନେ କହାଥା’ ନିତାନ୍ତ ଅପ୍ରତ୍ୟାଶିତ ନୁହେଁ । ଏହାର ବିଷୟବସ୍ତୁ ସେ ଯୁଗର ଚିରାଚରିତ ଧାରା ଅନୁଯାୟୀ ପ୍ରେମରେ ବଳିଦାନର ଆଦର୍ଶ । ଆରମ୍ଭରେ ପ୍ରାୟ ଏହି ଆଦର୍ଶବାଦ ପାଇଁ ତା’ର ପ୍ରଶଂସା କରାଯାଇଥିଲା; କିନ୍ତୁ ସେଥି ସହିତ କଳାଗତ ସଂଯମ ଏବଂ ଯଥାର୍ଥ କୁଶଳ ଚିତ୍ରଣ ଉପରେ ମଧ୍ୟ ଦୃଷ୍ଟି ଦିଆଯାଇଥିଲା । ଯୁଗ-ସମୀକ୍ଷକ ରାମଚନ୍ଦ୍ର ଶୁକ୍ଳଙ୍କ ନିମ୍ନୋକ୍ତ ଉଦ୍ଧୃତିରୁ ସେ କଥା ସ୍ପଷ୍ଟ ହୁଏ : ‘‘ଏଥିରେ ପକ୍‍କା ଯଥାର୍ଥବାଦ ମଧ୍ୟରେ, ସୁରୁଚିର ଚରମ ମର୍ଯ୍ୟାଦା ଭିତରେ, ଭାବୁକତା’ରଚରମ ଉତ୍କର୍ଷ ଅତ୍ୟନ୍ତ ନିପୁଣତା’ସହିତ ସମ୍ପୁଟିତ ହୋଇଛି । ଘଟନା ଏହାର ଚିରାଚରିତ , ତଥାପି ତା’ ଭିତରୁ ପ୍ରେମର ଏକ ସ୍ୱର୍ଗୀୟ ସ୍ୱରୂପ ଉଙ୍କି ମାରୁଛି-କେବଳ ଉଁକିମାରୁଛି, ନିର୍ଲଜ୍ଜ ଭାବରେ ଡାକୁନାହିଁ ବା କୁହାଟୁନାହିଁ । ଗଳ୍ପ ସାରା କେଉଁଠାରେ ହେଲେ ପ୍ରେମର ନିର୍ଲଜ୍ଜ ପ୍ରଗଳ୍‍ଭତା’ବା ବେଦନାର ବିଭତ୍ସ ନିବୃତ୍ତି ନାହିଁ । ସୁରୁଚିର ସୂକ୍ଷ୍ମତମ ସ୍ୱରୂପ ଉପରେ ବି କେଉଁଠି ହେଲେ ଆଞ୍ଚ ଲାଗିନାହିଁ । ଏହାର ଘଟନାମାନେ କଥା କହନ୍ତି, ଚରିତ୍ରମାନଙ୍କ କଥା କହିବାର ଅପେକ୍ଷା ରଖନ୍ତି ନାହିଁ ।’’ ଏ କଥା ସ୍ପଷ୍ଟ ଯେ, ଏ ଗଳ୍ପରେ ଆଦର୍ଶବାଦରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହେଉଛି ସେହି ଆଦର୍ଶର ବ୍ୟଞ୍ଜନା ପ୍ରତି ଗାଳ୍ପିକଙ୍କ କଳାସଂଯମ, ଯାହା ସେ ଯୁଗର ଅନ୍ୟ ଗଳ୍ପମାନଙ୍କରେ ବିରଳ; ତେଣୁ ଏହାକୁ ଅପ୍ରାତ୍ୟାଶିତ ହିଁ କୁହାଯିବ । ଏହି କଳାସଂଯମର ଆଧାର ହେଉଛି ପକ୍‍କା ଯଥାର୍ଥବାଦ, ଯାହା ବାସ୍ତବିକ ଜୀବନର ମାର୍ମିକ ସ୍ଥିତିମାନଙ୍କ ଚୟନ ଏବଂ ସେମାନଙ୍କ ଜୀବନଚିତ୍ରଣ ଭିତରେ ଜାଜ୍ୱଲ୍ୟମାନ ।

 

ସ୍ଥାନୀୟ ଆଞ୍ଚଳିକତା’ରଅନୁରଞ୍ଜନ, ଯାହା ପରବର୍ତ୍ତୀ କାଳରେ ହିନ୍ଦୀ ଗଳ୍ପର ଜାତୀୟ ବୈଶିଷ୍ଟ୍ୟରୂପେ ପର୍ଯ୍ୟବସିତ ହେଲା, ତା’ରଅୟମାରମ୍ଭ ହୋଇଥିଲା ‘ଉସ୍‍ନେ କହାଥା’ ଗଳ୍ପରେ । ସେ ଆଞ୍ଚଳିକତା’ରରଙ୍ଗ ପରିସ୍ଫୁଟ ହୋଇପାରେ ଅମୃତସର ବଜାରର ଧୁମ୍‍ଧାମ୍‍ରେ ବା ଜର୍ମାନୀ ସୀମାନ୍ତରେ ଶିଖ ସୈନ୍ୟମାନଙ୍କ ଲୋକଗୀତି ଗାୟନରେ, ବା ମରଣାସନ୍ନ ଲହନ୍‍ସିଂର ନିଜ ଘରର ସ୍ମୃତିଲିପ୍ତ ପ୍ରଳାପ ଭିତରେ । କେବଳ ଏତିକି ନୁହେଁ, ‘ଉସ୍‍ନେ କହାଥା’ ହିନ୍ଦୀ ଗଳ୍ପ-ସାହିତ୍ୟକୁ କୌତୁହଳପୂର୍ଣ୍ଣ ଘଟନାର କଥାବସ୍ତୁରୁ ସମ୍ପୂର୍ଣ୍ଣରୂପେ ମୁକ୍ତ କରି ଆଗେଇନେଲା ମାର୍ମିକ-ଜୀବନ-ସ୍ଥିତିଆଡ଼କୁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ କଲା ଗଳ୍ପର ଭାଷା-କ୍ଷେତ୍ରରେ । ଏହି କାହାଣୀ ଜରିଆରେ ହିନ୍ଦୀ ଗଳ୍ପ-ସାହିତ୍ୟ ପ୍ରଥମ ଥର ପାଇଁ ପାଇଲା ତା’ର ନିଜର ଜୀବନ୍ତ ଭାଷା, ଯାହାର ଅଭାବରେ ଏତେ ଦିନ ପର୍ଯ୍ୟନ୍ତ ତା’ରବିକାଶର ପଥ ଅବରୁଦ୍ଧ ଥିଲା । ଏହାଛଡ଼ା ଏ କାହାଣୀରେ ୨୫ ବର୍ଷର ଦୀର୍ଘ ସମୟା’ୟତନକୁ କଥାନକ-ବିପର୍ଯ୍ୟୟ ଓ ‘ଫ୍ଳେଶ୍‍ବ୍ୟାକ୍‍’ ପ୍ରୟୋଗ କରି ଯେଉଁ କୁଶଳତା’ରସହିତ ଆୟତ୍ତ କରାଯାଇଛି, ସେଥିରୁ ସ୍ପଷ୍ଟ ହୁଏ କଳା-ସାଧନରେ ଗାଳ୍ପିକଙ୍କ ପ୍ରଭୂତ ଦକ୍ଷତା’। ପ୍ରସଙ୍ଗବଶତଃ ଏହା ମଧ୍ୟ ଉଲ୍ଲେଖନୀୟ କି, ପ୍ରଥମ ମହାଯୁଦ୍ଧ ୧୯୧୪ରେ ଆରମ୍ଭ ହେଲା ଏବଂ ଏ ଗଳ୍ପ ଲେଖାଗଲା ୧୯୧୫ରେ; ତଥାପି କଥାବସ୍ତୁର ସ୍ଥିତିକୁ ଯୁଦ୍ଧଘାଟି ଉପରେ କେନ୍ଦ୍ରିତ କରି ଗୁଲେରୀ ଯେଉଁ ସମକାଳୀନତାବୋଧର ପରିଚୟ ଦେଇଛନ୍ତି ତା’ର ତୁଳନା ଭାରତୀୟ ଗଳ୍ପର ଇତିହାସରେ ମଧ୍ୟ କ୍ୱଚିତ୍‍ ମିଳେ । ଏହି ପ୍ରକାରର ଭବ୍ୟ ଅୟମାରମ୍ଭ ହିନ୍ଦୀ ଗଳ୍ପ-ସାହିତ୍ୟ ପକ୍ଷରେ ଏକ ସୌଭାଗ୍ୟର କଥା ।

 

ଏହାଠାରୁ ବି ବଡ଼ ସୌଭାଗ୍ୟର କଥା ଯେ ବିକାଶର ଏହି ସୂତ୍ରକୁ ନିୟନ୍ତ୍ରିତ କରିବାର ଦାୟିତ୍ୱ ନେବା ପାଇଁ ସେହି ସମୟରେ ପ୍ରେମଚନ୍ଦଙ୍କ (୧୮୮୦-୧୯୩୬) ପରି ସମର୍ଥ କଳାକାର ଆଗେଇଆସିଲେ । ୧୯୧୫ ସାଲର ‘ସରସ୍ୱତୀ’ରେ ‘ଉସ୍‍ନେ କହାଥା’ ପ୍ରକାଶିତ ହୋଇଥିଲା ଏବଂ ୧୯୧୬ ସାଲର ‘ସରସ୍ୱତୀ’ରେ ପ୍ରକାଶିତ ହେଲା ପ୍ରେମଚନ୍ଦଙ୍କ ଗଳ୍ପ ‘ପଞ୍ଚପରମେଶ୍ୱର’, ଯିଏ ‘ଉସ୍‍ନେ କହାଥା’ର ଆଞ୍ଚଳିକତାକୁ ଆଉ ଗୋଟିଏ ପାହାଚ ଆଗେଇନେଇ ସିଧା ଗାଉଁଲି-କଥା ସହିତ ଯୋଡ଼ିଦେଲେ । ପରମ୍ପରାଗତ ଲୋକ-କଥାର ଏହି ସାହିତ୍ୟିକ ରୂପାନ୍ତର ଏତେ ସହଜ ଓ ସଜୀବ ହେଲା ଯେ ୟୁରୋପର ‘ଶଟ୍‍ ଷ୍ଟୋରି’ ଓ ବଙ୍ଗଳାର ‘ଗଳ୍ପ’ ସହିତ ହିନ୍ଦୀ କାହାଣୀର ଘନିଷ୍ଠ ସମ୍ପର୍କ ଯୋଡ଼ୁଥିବା ଲୋକମାନଙ୍କର ଖିଆଲି ଦୌଡ଼ ଏକାଥରେ ଧ୍ୱସ୍ତ ହୋଇଗଲା । ଏହି ପରମ୍ପରାରେ ପ୍ରେମଚନ୍ଦ ଅନେକ କାହାଣୀ ଲେଖିଲେ, ଯହିଁରେ ଗ୍ରାମ୍ୟ ଲୋକ-କଥାମାନଙ୍କର ରସ ଓ ଶୈଳୀକୁ ସେ ନିଜସ୍ୱ କରିନେଇଥିଲେ । ତାଙ୍କର ଅନେକ କାହାଣୀ ସିଧାସଳଖ ଏହି ଢଙ୍ଗରେ ଆରମ୍ଭ ହୋଇଛି : ‘କୌଣସି ଏକ ଗାଆଁରେ ଶଙ୍କର୍‍ ନାଆଁରେ ଜଣେ କୁର୍‍ମୀ ଚାଷୀ ଥିଲା । ସେ ଥିଲା ସାଦାସିଧା ଗରିବ ଲୋକ, ନିଜ କାମ ଛଡ଼ା ଆଉ କିଛି ଜାଣେ ନାହିଁ । ସେ ଥାଏ ନା କାହାରି ଦିଆରେ ନା କାହାରି ନିଆରେ । ଦିନେ ସଞ୍ଜବେଳେ ତା’ ଦୁଆରେ ଆସି ଡେରା ଜମେଇଲେ ଜଣେ ମହାତ୍ମା ।’ (ସଓ୍ୱାସେର୍‍ ଗେହୁଁ) । କହିବା ନିଷ୍ପ୍ରୟୋଜନ ଯେ କାହାଣୀ କହିବାର ଏହି ନିରୋଳ ଢଙ୍ଗ ଭାରତର ପ୍ରତ୍ୟେକ ଗାଆଁର କାହାଣୀ ବୋଲିବା ଓ ଶୁଣିବା ଲୋକେ ଭଲଭାବରେ ଜାଣନ୍ତି । ଏହି ଶୈଳୀକୁ ନିଜସ୍ୱ କରି ପ୍ରେମଚନ୍ଦ କାହାଣୀକୁ ସୁପାଠ୍ୟ କରିବା ସଙ୍ଗେ ସଙ୍ଗେ ତାକୁ କହିବା-ଶୁଣିବା-ଉପାଦାନରେ ପରିଣତ କଲେ ।

 

କିନ୍ତୁ ପ୍ରେମଚନ୍ଦ ନିଜ କାହାଣୀର ଦୃଷ୍ଟି ଭଙ୍ଗୀକୁ ସବୁବେଳେ ଏହି ନିୟମରେ ବାନ୍ଧି ରଖି ନଥିଲେ । ସେ କହିଛନ୍ତି : ‘କାହାଣୀ ହୃଦୟର ବସ୍ତୁ, ନିୟମର ବସ୍ତୁ, ନିୟମର ବସ୍ତୁ ନୁହେଁ । ନିୟମ ହୋଇଛି ଉପଯୋଗୀ ହେବା ପାଇଁ, ହୃଦୟଗ୍ରାହୀ ହେବା ପାଇଁ । ଯଦି ସେ ଅନୁପଯୋଗୀ ହୁଏ ତେବେ ନିଃଶଂସୟରେ ତାହା ଉଲ୍ଲଙ୍ଘନୀୟ ।’’ ଏହି ପ୍ରକାରରେ ଆବଶ୍ୟକତା’ଅନୁସାରେ ସେ ଅନ୍ୟ ଶୈଳୀକୁ ମଧ୍ୟ ନିଜସ୍ୱ କରିଥିଲେ । ବିଷୟବସ୍ତୁ ପରି ଶୈଳୀ ଦୃଷ୍ଟିରୁ ମଧ୍ୟ ତାଙ୍କର କାହାଣୀମାନଙ୍କରେ ଏକ ମହାନ୍‍ କଳାକାରର ପ୍ରଚୁରତା’ଓ ବିବିଧତା’ଦେଖିବାକୁ ମିଳେ । ‘ଶତରଂଜକୀ ଖିଲାଡ଼ୀ’ର ମିର୍ଜା ଓ ମୀର୍‍ ଠାରୁ ଆରମ୍ଭ କରି ‘ଦୋ ବୈଲୋଁ କୀ କଥା’ ପର୍ଯ୍ୟନ୍ତ ବର୍ଣ୍ଣିତ ଚରିତ୍ରମାନଙ୍କ ଭିତରେ ଏତେ ବେଶୀ ବିବିଧତା’ଅଛି ଯେ ଜୀବନ ବିଷୟରେ ତାଙ୍କର ଅନୁଭୂତିର ବ୍ୟାପକତା’ଆମକୁ ବିସ୍ମିତ କରେ । ସବୁ ମିଶେଇ ପ୍ରେମଚନ୍ଦ ପ୍ରାୟ ଦୁଇଶ ପଚିଶଟି କାହାଣୀ ଲେଖିଛନ୍ତି ଏବଂ କୋଡ଼ିଏ ବର୍ଷ କାଳ ମଧ୍ୟରେ ଆଦର୍ଶୋନ୍ମୁଖ ଯଥାର୍ଥବାଦରୁ ଆଲୋଚନାତ୍ମକ ଯଥାର୍ଥବାଦ ପର୍ଯ୍ୟନ୍ତ ଦୀର୍ଘ ଯାତ୍ରା ପୂର୍ଣ୍ଣ କରିଛନ୍ତି; ଯହିଁରେ ସ୍ୱଭାବତଃ ଗଳ୍ପ-କଳା ମଧ୍ୟ ବିକାଶଲାଭ କରିଛି । ଗଳ୍ପ-କଳାରେ ପ୍ରୌଢ଼ତା’ଦୃଷ୍ଟିରୁ ତାଙ୍କର ଅନ୍ତିମ କାଳ ଆଡ଼କୁ ଲିଖିତ ‘ପୁଷ୍‍ କୀ ରାତ’ (୧୯୩୦) ‘କଫନ୍‍’ (୧୯୩୬) ପ୍ରଭୃତି କାହାଣୀମାନ ବିଶେଷରୂପେ ଉଲ୍ଲେଖଯୋଗ୍ୟ । ସେ ସମୟରେ ନିଜ ଟିପାଖାତା’ରଗୋଟେ ଜାଗାରେ ସେ ଲେଖିଥିଲେ : ‘ଟେଲ୍‍ସ୍‍ ଅଫ୍‍ ମିଜରୀ ଟୋଲ୍‍ଡ଼୍‍ ଇନ୍‍ ଜୟଫୁଲ୍‍ ଷ୍ଟାଇଲ୍‍’ ।

 

ଖୁସିରେ ଲହରେଇ ଲହରେଇ ବେଦନାର କାହାଣୀ-ଏ ଉକ୍ତି ସତେ ଯେମିତି ଏକ ଚାବି ‘ପୁଷ୍‍ କୀ ରାତ’ ଓ ‘କଫନ୍‍’ କାହାଣୀ ପାଇଁ; ଯହିଁରେ ଶେଖଫ୍‍ଙ୍କ କାହାଣୀର ରସାସ୍ୱାଦନ ମିଳେ । ଏହାପରି ଭାବରେ ହିନ୍ଦୀ ଗଳ୍ପ-ସାହିତ୍ୟକୁ ପ୍ରେମଚନ୍ଦ ଏକ ନିଶ୍ଚିତ ଜାତୀୟ ବୈଶିଷ୍ଟ୍ୟ ଦେବା ସଙ୍ଗେ ସଙ୍ଗେ ତାକୁ ଏକ ରୁଦ୍ଧିମନ୍ତ ପ୍ରୌଢ଼ାବସ୍ଥା ପର୍ଯ୍ୟନ୍ତ ପହଞ୍ଚାଇଦେଲେ ।

 

ଜୟଶଙ୍କର ପ୍ରସାଦ (୧୮୮୯-୧୯୩୭) ଗଳ୍ପ-ସାହିତ୍ୟ କ୍ଷେତ୍ରରେ ପ୍ରେମଚନ୍ଦଙ୍କର ପ୍ରାୟ ସମସାମୟିକ ଏବଂ ନିଜର କାବ୍ୟାତ୍ମକ ତଥା ନାଟକୀୟ ପ୍ରତିଭାଦ୍ୱାରା ହିନ୍ଦୀ କାହାଣୀକୁ ସେ ଏକ ବିଶେଷ ଢଙ୍ଗରେ ସମୃଦ୍ଧ କଲେ । ପ୍ରସାଦଙ୍କ ଜୀବନ-ଦୃଷ୍ଟି ରୋମାଣ୍ଟିକ୍‍ ଏବଂ କଳା-ରୁଚି ପ୍ରୟୋଗାତ୍ମକ । ସେଥିପାଇଁ ସେ କାହାଣୀମାନ ଗଢ଼ିଲେ ରୋମାଣ୍ଟିକ୍‍ ଛାଞ୍ଚରେ । ପ୍ରାୟତଃ ବିଷୟବସ୍ତୁ ହିସାବରେ ସେ ବାଛିଲେ ରୋମାଣ୍ଟିକ୍‍ ପ୍ରେମର କାହାଣୀ ଏବଂ ତହିଁରେ ରୋମାଣ୍ଟିକ୍‍ ବାତାବରଣ ସୃଷ୍ଟି କରିବା ଦିଗରେ ବିଶେଷ ଧ୍ୟାନ ଦେଲେ । ଏହି ଦୃଷ୍ଟିରୁ ତାଙ୍କ କାହାଣୀମାନଙ୍କରେ କେଉଁଠି ପ୍ରକୃତିର ସୁନ୍ଦର ଓ ରମ୍ୟ ଚିତ୍ରର କାବ୍ୟାତ୍ମକ ବର୍ଣ୍ଣନା ମିଳେ ତ କେଉଁଠି ଥାଏ ଅତୀତର ଚିତ୍ତାକର୍ଷକ ଚିତ୍ରର ରଙ୍ଗୀନ ଆଲେଖ୍ୟ । ତାଙ୍କର ଚରିତ୍ରମାନେ ମଧ୍ୟଯୁଗୀୟ ଶୌର୍ଯ୍ୟର ପ୍ରତୀକ; ଯାହାଙ୍କର ବ୍ୟକ୍ତିତ୍ୱ ରୋମାଞ୍ଚକ କାର୍ଯ୍ୟରେ ବିଭୂଷିତ । ସେମାନଙ୍କ କଥାବାର୍ତ୍ତା ବି ଅତ୍ୟନ୍ତ ନାଟକୀୟ, ସୁସଂସ୍କୃତ ଏବଂ କବ୍ୟୋଚିତ ଭାବୁକତାରେ ସମ୍ପନ୍ନ । ପ୍ରସାଦଙ୍କ ମତରେ କାହାଣୀ ବାସ୍ତବତାଠାରୁ ଅଧିକ ଭାବେ କଳ୍ପନାର ସୃଷ୍ଟି ଏବଂ ଏହି ପ୍ରକାରରେ ନିଜ କାହାଣୀମାନଙ୍କ ଦ୍ୱାରା ସେ ସୃଷ୍ଟି କଲେ ଏକ ଇନ୍ଦ୍ରଜାଲର ସଂସାର, ଯେଉଁଠି ରମ୍ୟାଦ୍‍ଭୂତହିଁ ସୌନ୍ଦର୍ଯ୍ୟ । ତାଙ୍କ କାହାଣୀ ସଂଗ୍ରହର ‘ଛାୟା’’, ‘ଇନ୍ଦ୍ରଜାଲ’, ‘ଆକାଶଦୀପ’ ଆଦି ସାଧାରଣତଃ ତାଙ୍କ କଥା-ଦୃଷ୍ଟିର ସୂଚନା ଦିଅନ୍ତି । ଏସବୁ ସତ୍ତ୍ୱେ ଆଞ୍ଚଳିକତା’ରରଙ୍ଗ ଏକ ଏମିତି ଭୂମି, ଯହିଁରେ ପ୍ରସାଦଙ୍କ ରୋମାଣ୍ଟିକ୍‍ କାହାଣୀମାନେ ମଧ୍ୟ ବେଳେ ବେଳେ ରଂଜିତ ଏବଂ ଏହି ଦୃଷ୍ଟିରୁ ‘ଗୁଣ୍ଡା’ ବନାରସୀ ପ୍ରସାଦଙ୍କ କାହାଣୀର ପ୍ରତିନିଧିତ୍ୱ କରେ ।

 

ପ୍ରସଙ୍ଗ୍‍ବଶତଃ ଏହା ଉଲ୍ଲେଖନୀୟ ଯେ ପ୍ରେମଚନ୍ଦ ଓ ପ୍ରସାଦ ଉଭୟେ ବନାରସ ସହରରେ ରହୁଥିଲେ; କିନ୍ତୁ ଏକ ଅପରଠାରୁ ଏତେ ଭିନ୍ନ ସଯେ ସମକାଳୀନ ଦୁଇ ଲେଖକଙ୍କ ମଧ୍ୟରେ ଏ ଭିନ୍ନତା’କ୍ୱଚିତ୍‍ ଦେଖାଯାଏ । ଏହି ଭିନ୍ନତାକୁ ଆଖିଆଗରେ ରଖି ଏକସମୟରେ ହିନ୍ଦୀ ଗଳ୍ପ-ସାହିତ୍ୟକୁ ଦୁଇଟି ସ୍କୁଲରେ ବିଭକ୍ତ କରାଯାଉଥିଲା : ପ୍ରେମଚନ୍ଦ-ସ୍କୁଲ ଏବଂ ପ୍ରସାଦ-ସ୍କୁଲ୍‍ । ଏହି ଦୁଇ ସ୍କୁଲ ଅନୁସାରେ ତତ୍କାଳୀନ ଗାଳ୍ପିକମାନଙ୍କୁ ମଧ୍ୟ ଦୁଇ ବର୍ଗରେ ବିଭକ୍ତ କରାଯାଇଥିଲା । ଆଜି ପର୍ଯ୍ୟନ୍ତ କେହି କେହି କହିବାର ଶୁଣାଯାଏ ଯେ ହିନ୍ଦୀ ଗଳ୍ପ-ସାହିତ୍ୟର ସାରା ବୁନିଆଦି ଗୋଟିଏ ଦୃଷ୍ଟିରୁ ପ୍ରେମଚନ୍ଦ ଓ ପ୍ରସାଦଙ୍କ ଦୁଇ ପରମ୍ପରାର ବିକାଶମାତ୍ର । କିନ୍ତୁ ଏ ପ୍ରକାର ଅତି ସରଳୀକୃତ ମାନ୍ୟତା’ରକୌଣସି ଖାସ୍‍ ବୈଜ୍ଞାନିକ ଆଧାର ନାହିଁ । ଅଧିକରୁ ଅଧିକ କେବଳ ଏହାହିଁ କୁହାଯାଇପାରେ ଯେ ହିନ୍ଦୀ ଗଳ୍ପ-ସାହିତ୍ୟର ଦ୍ୱିତୀୟ ଉତ୍‍ଥାନକାଳରେ ପ୍ରେମଚନ୍ଦ ଯଦି କାହାଣୀକୁ ବାସ୍ତବୋନ୍ମୁଖ କରିବାର ପ୍ରୟା’ସ କଲେତ ପ୍ରସାଦ ତାକୁ ଦେଲେ ଏବଂ ସଂବେଦନାତ୍ମକ ସଂସ୍କାର । ଦେଖିବାକୁ ଗଲେ ସେ କାଳରେ ସୁଦର୍ଶନ, ବିଶ୍ୱମ୍ଭରନାଥ ଶର୍ମା କୌଶିକ, ପାଣ୍ଡେୟ ବଚନ ଶର୍ମା ‘ଉଗ୍ର’, ଚତୁରସେନ ଶାସ୍ତ୍ରୀ, ଭଗବତୀ ପ୍ରସାଦ ବାଜପେୟୀ ଆଦି ଅନ୍ୟାନ୍ୟ ଉଲ୍ଲେଖନୀୟ ଗାଳ୍ପିକ ମଧ୍ୟ ଥିଲେ, ଯାହାଙ୍କଠାରେ ଗଳ୍ପ ରଚନାର ନିଜସ୍ୱ କଳା ଥିଲା ଓ ତା’ସହିତ ପ୍ରତିଭା ବି ଥିଲା ।

 

ପ୍ରେମଚନ୍ଦଙ୍କ ଛାଇରେ ଗଳ୍ପକ୍ଷେତ୍ରରେ ଅନ୍ୟ ଏକ ପ୍ରତିଭା ଜୈନେନ୍ଦ୍ର କୁମାରଙ୍କ (୧୯୦୫) ଉଦୟ ହେଲା, ଯିଏ ପ୍ରେମଚନ୍ଦଙ୍କ ଏତେ ନିକଟସ୍ଥ ହୋଇ ମଧ୍ୟ ତାଙ୍କଠାରୁ ଏତେ ଭିନ୍ନ ଯେ କଳ୍ପନା ସୁଦ୍ଧା କରିହୁଏନି । ଜୈନେନ୍ଦ୍ର, କାହାଣୀ କହିବାର ସାଦାସିଧା ଢଙ୍ଗ ପ୍ରେମଚନ୍ଦଙ୍କଠାରୁ ହିଁ ଗ୍ରହଣ କଲେ; କିନ୍ତୁ ସେହି ଲୋକସୁଲଭ ସାରଲ୍ୟକୁ ଘଷି-ମାଜି ତାକୁ ‘କଳା’ର ରୂପ ଦେଲେ ଏବଂ ଏତେ ସୁଚାରୁରୂପେ ଯେ, ସେ ପରିଚ୍ଛନ୍ନତାକୁ ଦେଖି କହିବାକୁ ପଡ଼େ ହିନ୍ଦୀ କାହାଣୀ ଜୈନେନ୍ଦ୍ର କୁମାରଙ୍କ ହାତରେ ହିଁ ପ୍ରଥମ ଥର ପାଇଁ କଳାସ୍ତରକୁ ଉନ୍ନୀତ ହେଲା । ଜୈନେନ୍ଦ୍ରଙ୍କ ଶୈଳୀରେ ନିହିତ ଅନାୟା’ସ ସୁଖଦ ନିଜସ୍ୱତା’ଅନ୍ୟତ୍ର ଦୁର୍ଲଭ । ଏମିତି ମନେହୁଏ ଯେ ଲେଖକଙ୍କ ହାତରେ ଯେକୌଣସି କଥା ବା ସ୍ଥିତି କାହାଣୀ ହୋଇଯାଇପାରେ । ଜୈନେନ୍ଦ୍ର କାହାଣୀକୁ ଜୀବନର ବଡ଼ ବଡ଼ ସମସ୍ୟାର ଗୋଲକଧନ୍ଦାରୁ ବାହାର କରି ଦୈନନ୍ଦିନ ଜୀବନର ଛୋଟ ଛୋଟ କଥାର ବିଶ୍ଳେଷଣ ପାଇଁ ନିୟୋଗ କଲେ ଏବଂ ଏହି ଭାବରେ ହିନ୍ଦୀର ଜଣେ ‘ମନୋବୈଜ୍ଞାନିକ’ ତଥା ‘ମନୋବିଶ୍ଳେଷଣବାଦୀ’ ଗାଳ୍ପିକରୂପେ ବିଖ୍ୟାତ ହୋଇଗଲେ, ଯାହାକି ସ୍ପଷ୍ଟ ଭାବରେ ଟିକିଏ ବାହୁଲ୍ୟ । ଏ କଥା ସତ ଯେ ଜୈନେନ୍ଦ୍ର କାହାଣୀକୁ ବାହ୍ୟ ଘଟନାରୁ ଏବଂ ଘଟନା-ବହୁଳ କଥନିକାରୁ ହଟେଇ ମାନବର ଅନ୍ତର୍ମନ ଆଡ଼କୁ ତାକୁ ମୋଡ଼ିଦେଲେ ଏବଂ ଏହିଭାବରେ ମନରେ ଉଠୁଥିବା ଛୋଟ ଛୋଟ ଲହରୀମାନଙ୍କୁ ଆଙ୍କିବାର ଚେଷ୍ଟା କଲେ; କିନ୍ତୁ ଏଥିରେ କୌଣସି ଗାଳ୍ପିକ ମନୋବିଶ୍ଳେଷଣବାଦୀ ହୋଇଯାଏ ନାହିଁ । ଜୈନେନ୍ଦ୍ରଙ୍କ ଅଧିକାଂଶ କାହାଣୀ ଏକପ୍ରକାରର ଅନ୍ତର୍ମୁଖୀ ଚିନ୍ତନରେ ସତ୍ୟାନ୍ୱେଷଣର ପ୍ରତିଲିପି, ଯାହାର ଶକ୍ତି ଗାନ୍ଧୀବାଦୀ ଗଦ୍ୟର ପାରଦର୍ଶୀ ସଚ୍ଚୋଟ୍‍ପଣିଆଁ, ସରଳତା’ଓ ସହଜତା’ଭିତରେ ନିହିତ । ପ୍ରେମଚନ୍ଦଙ୍କ ହାତରେ ଯେଉଁ କାହାଣୀ ସାମାଜିକ-ସଂଘର୍ଷର ହତିଆର ଥିଲା, ଜୈନେନ୍ଦ୍ରଙ୍କ ନିକଟରେ ତାହା ନୈତିକ ବାଦାନୁବାଦର ସୂକ୍ଷ୍ମ ମାଧ୍ୟମ ହୋଇଗଲା । ଜୈନେନ୍ଦ୍ର ପ୍ରାୟ ଶହେ ଖଣ୍ଡେ କାହାଣୀ ଲେଖିଥିବେ; ତହିଁରୁ ଅତି କମ୍‍ରେ ଦଶ ବାରଟି କାହାଣୀ ସେମାନଙ୍କର କଳାକୁଶଳତା’ପାଇଁ ଚିରଦିନ ଅମର ହୋଇ ରହିଯିବ ।

 

ଜୈନେନ୍ଦ୍ରଙ୍କ ପରେ ପରେ କାହାଣୀ କ୍ଷେତ୍ରକୁ ଆଉ ଦୁଇ ଜଣ ନୂଆ ଲେଖକ ଆସିଲେ-ଯଶପାଳ (୧୯୦୩) ଏବଂ ଅଜ୍ଞେୟ (୧୯୧୧), ଯାହାଙ୍କର ଯୋଡ଼ି ପୁଣି ଥରେ ପ୍ରେମଚନ୍ଦ୍ର-ପ୍ରସାଦଙ୍କ ଯୋଡ଼ିକୁ ସ୍ମରଣ କରାଏ । ଯଶପାଳ ଏବଂ ଅଜ୍ଞେୟ ଚତୁର୍ଥ ଦଶନ୍ଧିର ସେଇ କ୍ରାନ୍ତିକାରୀ କାଳରେ ଲେଖା ଆରମ୍ଭ କଲେ, ଯେତେବେଳେ ଭାରତୀୟ ମାନସ ଏକ ମୂଲ୍ୟ-ସଂକଟ ଭିତରେ ଗତିକରୁଥିଲା ଏବଂ ଗାନ୍ଧୀବାଦୀ ଆଦର୍ଶରେ ଅସନ୍ତୁଷ୍ଟ ହୋଇ ନୂତନ ଗୋଷ୍ଠୀ ମାର୍କସ୍‍ ଏବଂ ଫ୍ରୟେଡ୍‍ଙ୍କ ବିଚାର ଧାରାରେ ସତ୍ୟର ସନ୍ଧାନ କରୁଥିଲା । ବିଚାରଧାରାମାନଙ୍କ ମଧ୍ୟରେ ଏହି ସଂଘର୍ଷର ପ୍ରଭାବ ଗଳ୍ପ-ସାହିତ୍ୟ ଉପରେ ବି ପଡ଼ିଲା । ଜୀବନର ବିଷମତାରେ ଯଶପାଲ ଯଦି ଦେଖିଲେ ଆର୍ଥିକ କାରଣ ତ, ଅଜ୍ଞେୟ ଦେଖିଲେ ମାନବ-ମନର ଅବଦମିତ ବାସନା ଓ ଗ୍ରନ୍ଥିରେ ସେଇ ବିଷମତା’ରସ୍ରୋତ । ରାସ୍ତା ଦୁଇଟି ଭିନ୍ନ; କିନ୍ତୁ ଉଭୟ ଲେଖକ ପୂର୍ବବର୍ତ୍ତୀ ଯୁଗର ଆଦର୍ଶବାଦିତା’ଓ ରୋମାଣ୍ଟିକ୍‍ତାରୁ ମୁକ୍ତ ହେବାର ପ୍ରୟା’ସ କରୁଥିଲେ ଏବଂ ଉଭୟଙ୍କ ଦୃଷ୍ଟି ଥିଲା ଆଲୋଚନାତ୍ମକ ବାସ୍ତବବାଦ ଆଡ଼କୁ । ଯଶପାଲଙ୍କ ପ୍ରଥମ କାହାଣୀ-ସଂଗ୍ରହ ‘ପିଂଜରେ କୀ ଉଡ଼ାନ୍‍’ (୧୯୩୮) ତଥା ଅଜ୍ଞେୟଙ୍କ ପ୍ରଥମ କାହାଣୀ-ସଂଗ୍ରହ ‘ତ୍ରି ପଥଗା’ (୧୯୩୭) ଅଳ୍ପ ବ୍ୟବଧାନରେ ପ୍ରାୟ ଏକା ସମୟରେହିଁ ପ୍ରକାଶିତ ହେଲା ଏବଂ ଏହି ସଂଗ୍ରହମାନଙ୍କରୁ ଉଭୟ ଗାଳ୍ପିକଙ୍କ ଦୃଷ୍ଟି ଭଙ୍ଗୀରେ ଭିନ୍ନତା’ସ୍ପଷ୍ଟ ହୋଇଯାଏ । ଆରମ୍ଭରେ ଅଜ୍ଞେୟଙ୍କ ଭିତରେ ଭାବୁକତା’ଅଧିକ ଥିଲା, କାବ୍ୟାତ୍ମକ ପ୍ରୟୋଗରେ ଭାଷା ମଧ୍ୟ ଓଜନିଆ ଲାଗୁଥିଲା; କିନ୍ତୁ ଧୀରେ ଧୀରେ ଏସବୁ ବାହ୍ୟିକତା’ଯେତେବେଳେ ଦୂର ହୋଇଗଲା, ସେତେବେଳେ ସେ ଲେଖିଲେ ‘ରୋଜ୍‍’ ଭଳି କାହାଣୀ । ପରେ ‘ଗେଂଗ୍ରିନ୍‍’ ଭାବେ ନାମିତ ହୋଇ ‘ରୋଜ୍‍’ ପୁନଃ ପ୍ରକାଶିତ ହେଲା-। ସେ କାହାଣୀର ପ୍ରଥମ ବାକ୍ୟ ଏହି ପ୍ରକାରର : ‘‘ଦି’ ପହରେ ସେ ଶୂନ୍‍ଶାନ୍‍ ଅଗଣାରେ ପାଦ ଦେବାମାତ୍ରେ ମୋର ମନେହେଲା ସତେ ଯେମିତି କୌଣସି ଏକ ଅଭିଶାପର ଛାଇ ସେଠି ଘୂରିବୁଲୁଛି ଏବଂ ତା’ର ବାତାବରଣରେ କେମିତି ଗୋଟେ ଅସହ୍ୟ, ଅସ୍ପୃଶ୍ୟ ତଥାପି ଓଜନିଆ, ପ୍ରକମ୍ପମୟ ଓ ଘନୀଭୂତ ଅନୁଭୂତି ବ୍ୟାପ୍ତ ହୋଇ ରହିଛି... ।’’ ହିନ୍ଦୀ କାହାଣୀରେ ବାତାବରଣର ଚିତ୍ରଣରେ ଏ ପ୍ରକାର ଭାଷାର ପ୍ରୟୋଗ ଯେ କେବଳ ନୂଆ ଥିଲା ତାହା ନୁହେଁ, ସେ ଭାଷାଦ୍ୱାରା ପ୍ରସ୍ତୁତ ହୋଇଥିବା ବାତାବରଣ ମଧ୍ୟ ନୂଆ ଥିଲା । ଏହି ଭାବରେ ଅଜ୍ଞେୟ ଆଣିଲେ ହିନ୍ଦୀ କାହାଣୀରେ ଏକ ନୂତନ ସଂବେଦନଶୀଳତା’।

 

ଅନ୍ୟ ଦିଗରେ ଯଦି ଯଶପାଳଙ୍କ ‘ଦୁଃଖ୍‍ କା ଅଧିକାର’ କାହାଣୀକୁ ବିଚାର କରାଯାଏ, ତାହାହେଲେ ସେଥିରେ ଥିବା ଶାଣିତ ବ୍ୟଙ୍ଗ ହିନ୍ଦୀ କାହାଣୀରେ ନୂଆ ଏକ ସାମାଜିକ ଚେତନା ଉଦିତ ହେବାର ସୂଚନା ଦିଏ । ଗୋଟିଏ ଦିଗରେ ଅଛି ଜଣେ ଗରିବ ଖଟିଖିଆ ସ୍ତ୍ରୀ ଲୋକ, ଯିଏ ତା’ର ଯୁଆନ୍‍ ପୁଅର ମୃତ୍ୟୁରେ ବି କାନ୍ଦିବାର ଅଧିକାର ପାଉନାହିଁ; ଏଣେ ଅନ୍ୟ ଦିଗରେ ଅଛି ଜଣେ ଧନାଢ଼୍ୟ ମହିଳା ଯାହାର ସଉକ୍‍ ଓ ଫେସନ୍‍ ଉପରେ ଚର୍ଚ୍ଚା କରିବାରେ ସାରା ସହର ମୁଖର ହୋଇଉଠିଛି । ଯଶପାଲ ଅତ୍ୟନ୍ତ ସୂକ୍ଷ୍ମଭାବରେ ଏହି ସତ୍ୟର ଉଦ୍‍ଘାଟନ କରିଛନ୍ତି ଯେ ଅଧିକାର କେବଳ ସୁଖର ନୁହେଁ ଦୁଃଖର ମଧ୍ୟ ଅଛି ଏବଂ ଯେଉଁମାନେ ଗରିବ ସେମାନେ ଦୁଃଖର ଅଧିକାରରୁ ମଧ୍ୟ ବଂଚିତ । ପ୍ରାୟ ଏମିତି ଛୋଟ ଛୋଟ ଦୃଷ୍ଟାନ୍ତ ଜରିଆରେ ଯଶପାଲ କାହାଣୀମାନ ଲେଖିଛନ୍ତି, ଯାହା ଭିତରେ ନିହିତ ଏକପ୍ରକାରର ବ୍ୟଙ୍ଗାତ୍ମକ ଆଘାତ । ପ୍ରଥମେ ଗୋଟିଏ ବିଚାର, ତା’ପରେ ଗୋଟିଏ ସ୍ପଷ୍ଟ ଲକ୍ଷ୍ୟ ଏବଂ ସେହି ଅନୁସାରେ ଗଠିତ ଏକ କଥାବସ୍ତୁ, ଯାହା କିଛି ସମୟ ପର୍ଯ୍ୟନ୍ତ ନାନାଦି ଅନୁସଙ୍ଗ ଭିତରେ ପାଠକମାନଙ୍କୁ ବହଲେଇ ନେଇ ଶେଷରେ ସହସା ଏକ ଆଘାତ ଦିଏ । ଏହି ଭାବରେ ପ୍ରେମଚନ୍ଦଙ୍କ ପରି ଯଶପାଲ ଜଣେ ସୌଦ୍ଦେଶ୍ୟ ଗାଳ୍ପିକ ଯାହାଙ୍କର ପ୍ରତ୍ୟେକ କାହାଣୀ ଶେଷରେ ଯାଇ ଗୋଟିଏ ବିନ୍ଦୁ ଉପରେ ଆଘାତ କରନ୍ତି-ସେ ବିନ୍ଦୁ ହେଲା ବର୍ଗ-ବିଷମତା’। ବର୍ଗ-ସମାଜର ଆଡ଼ମ୍ୱରୀ ମୁଖା ଉତାରି-ଦେବାପାଇଁ ଯଶପାଲ କାହାଣୀକୁ ଅସ୍ତ୍ର ଭାବରେ ବ୍ୟବହାର କଲେ ଏବଂ ‘ଫୁଲୋଁ କା କୁର୍ତା’ ତା’ର ପ୍ରତିନିଧି ଉଦାହରଣ । ଅଜ୍ଞେୟଙ୍କ ହାତରେ ହିନ୍ଦୀ କାହାଣୀ ସଂଶ୍ଳିଷ୍ଟ ସଂବେଦନାର ଚିତ୍ରଶାଳା ହେଲା ତ, ଯଶପାଲଙ୍କ ଦ୍ୱାରା ସିଏ ପାଇଲା ବାସ୍ତବତାକୁ ଅଧିକରୁ ଅଧିକ ଉଦ୍‍ଘାଟନ କରିବାର କ୍ଷମତା’।

 

ଏହି ଧାରାରେ ଭଗବତୀଚରଣ ବର୍ମା ଏବଂ ଉପେନ୍ଦ୍ର ନାଥ ଅସ୍କ ମଧ୍ୟ କାହାଣୀମାନ ରଚନା କଲେ । ଅସ୍କ ପ୍ରେମଚନ୍ଦଙ୍କ ବାସ୍ତବବାଦୀ ପରମ୍ପରାର ବାହକ ଭାବେ ପରିଗଣିତ ହୁଅନ୍ତି ଏବଂ ଭଗବତୀଚରଣ ବର୍ମାଙ୍କ ଲଘୁ ଢଙ୍ଗର ରଚନା ‘ଫସାନ୍‍-ଏ-ଆଜାଦ୍‍’ର ଲେଖକ ସରଶାର୍‍ଙ୍କୁ ମନେପକାଇଦିଏ ଏବଂ ତାଙ୍କର ପ୍ରସିଦ୍ଧ କାହାଣୀ ‘ଦୋ ବାଁକେ’ରେ ଏହା ସ୍ପଷ୍ଟ ହୋଇଯାଏ । ଏହି ପ୍ରସଙ୍ଗରେ ଛୋଟ ଏବଂ କଉତୁକିଆ କାହାଣୀ-ଲେଖକ ରାଧାକୃଷ୍ଣ ମଧ୍ୟ ଉଲ୍ଲେଖନୀୟ ଏବଂ ନିଶ୍ଚିତ ଭାବେ ନିରାଲା, ଯାହାଙ୍କର ଅନନ୍ୟପ୍ରତିଭା କାହାଣୀ କ୍ଷେତ୍ରରେ ନିଜର ବିଶିଷ୍ଟ ସ୍ଥାନ ଅଧିକାର କରେ ।

 

କିଛି ବର୍ଷ ପରେ ହିନ୍ଦୀ କାହାଣୀର ଇତିହାସରେ ଏକ ନୂତନ ଉନ୍ମେଷ ସ୍ୱାଧୀନତା’ପ୍ରାପ୍ତି ପରେ ଷଷ୍ଠ ଦଶନ୍ଧିର ଆରମ୍ଭରେ ଦେଖାଯାଏ; ଯହିଁରେ ସ୍ୱଚେତନ ଭାବରେ ‘ନୂଆ କବିତା’ ଅନୁରୂପ ‘ନୂଆ କାହାଣୀ’ ନିଜର ଘୋଷଣା ଜାରି କଲା । ସ୍ୱାଧୀନତା’ସହିତ ଏକ ନୂତନ ସର୍ଜନାତ୍ମକ ଉନ୍ମେଷ ସ୍ୱାଭାବିକ । ଏହାର ଅନିବାର୍ଯ୍ୟ ପରିଣତି ‘ନୂଆ କାହାଣୀ’ ପରି କୌଣସି ଏକ ନିତାନ୍ତ ନୂତନ ଅଭିବ୍ୟକ୍ତି ଭିତରେ ନହୋଇପାରେ; କିନ୍ତୁ ଏ କଥା ସତ ଯେ ଏହି ଧାରାରେ ଗାଳ୍ପିକମାନଙ୍କର ଏକ ପୂରାପୂରି ନୂଆ ଗୋଷ୍ଠୀ ବହୁସଂଖ୍ୟାରେ ଗଳ୍ପ-ରଚନା ଦିଗରେ ସକ୍ରିୟ ହୋଇଉଠିଲେ । ଏମାନଙ୍କ ମଧ୍ୟରେ ରାଙ୍ଗେୟ ରାଘବ, ଫଣୀଶ୍ୱର ନାଥ ‘ରେଣୁ’, ଦ୍ୱିଜେନ୍ଦ୍ର ନାଥ ମିତ୍ର ‘ନିର୍ଗୁଣ’, ଲକ୍ଷ୍ମୀନାରାୟଣ ଲାଲ, ହରିଶଙ୍କର ପରସାଇ, ଭୀଷ୍ମ ସାହାନୀ, କୃଷ୍ଣା ସୋବତୀ, କୃଷ୍ଣ ବଳଦେବ ବୈଦ, ରାମକୁମାର, କମଲ ଜୋଶୀ, ମୋହନ ରାକେଶ୍‍, ଅମରକାନ୍ତ, ଉଷା ପ୍ରିୟମ୍ୱଦା, ମନ୍ମୁ ଭଣ୍ଡାରୀ, ନିର୍ମଲ୍‍ ବର୍ମା, ମାର୍କଣ୍ଡେୟ, ରାଜେନ୍ଦ୍ର ଯାଦବ, କମଲେଶ୍ୱର, ଶେଖର ଜୋଶୀ, ଶିବ ପ୍ରସାଦ ସିଂହ, ଧର୍ମବୀର ଭାରତୀ, ରଘୁବୀର ସହାୟ, ମନୋହରଂଶ୍ୟାମ ଜୋଶୀ, ଶୈଳେଶ ଭଟିୟା’ନୀ ପ୍ରଭୃତିଙ୍କ ନାମ ଉଲ୍ଲେଖନୀୟ । ଏତେ ସଂଖ୍ୟକ ରଚନାତ୍ମକ ପ୍ରତିଭା ଏକାସାଙ୍ଗରେ ଗଳ୍ପ-ସାହିତ୍ୟ ଆଡ଼କୁ ଆସିବା ହିନ୍ଦୀର ଏକ ମହତ୍ତ୍ୱପୂର୍ଣ୍ଣ ଘଟନା । ଭୈରବ ପ୍ରସାଦ ଗୁପ୍ତଙ୍କ ସମ୍ପାଦକତାରେ ପ୍ରକାଶିତ ମାସିକ ପତ୍ରିକା ‘କାହାନୀ’ ଏବଂ ପୁଣି ‘ନୟୀ କହାନୀୟାଁ’ ରେ ଏହି ପ୍ରତିଭାମାନଙ୍କ ପାଇଁ ବ୍ୟାପକ ମଞ୍ଚ ପ୍ରସ୍ତୁତ ହେଲା । ଏହି ଗୋଷ୍ଠୀର କିଛି ଲେଖକ ଆଞ୍ଚଳିକ ଜୀବନର ଦୁର୍ଲଭ ଚିତ୍ର ଏବଂ ଚରିତ୍ରରେ ହିନ୍ଦୀ କାହାଣୀ ଜଗତକୁ ସମୃଦ୍ଧ କଲେ ତି କିଛି ନଗରର ମଧ୍ୟବର୍ଗୀୟ ଜୀବନର ଦ୍ୱନ୍ଦ୍ୱମୟ ମାର୍ମିକ ଚିତ୍ର ପ୍ରସ୍ତୁତ କରି କାହାଣୀ-କଳାକୁ ଆହୁରି ରସୋର୍ତ୍ତୀର୍ଣ୍ଣ କରିବାର ଚେଷ୍ଟା କଲେ । ଏହି ଦଶକର କାହାଣୀ ସମ୍ୱନ୍ଧୀୟ ସୃଜନଶୀଳତାକୁ ଏକ ସଂଗଠିତ ଆନ୍ଦୋଳନ ମଧ୍ୟରେ ସୀମାବଦ୍ଧ କରିବାର ପ୍ରୟା’ସ ବ୍ୟତୀତ ବିବିଧତା’ଏବଂ ପ୍ରଚୁରତାହିଁ ଏ ନୂତନ କଥା- ଉନ୍ମେଷର ସବୁଠାରୁ ବଡ଼ ବିଶେଷତା’। ଭୀଷ୍ମ ସାହାନୀଙ୍କ ସ୍ୱଚ୍ଛତା’ଓ ସରଳତା, ରାମକୁମାରଙ୍କ ଗଭୀର ମାନବିକତା, ନିର୍ମଲ୍‍ ବର୍ମାଙ୍କ ଭାଷିକ ସଂବେଦନ-ଶୀଳତା, ଅମରକାନ୍ତଙ୍କ ମର୍ମସ୍ପର୍ଶୀ ବ୍ୟଙ୍ଗଶୀଳତା, ରଘୁବୀର ସହାୟଙ୍କ ସ୍ୱଚେତନା, ରାଜେନ୍ଦ୍ର ଯାଦବଙ୍କ ଶିଳ୍ପ-ସଂକୁଳତା, ରେଣୁଙ୍କ ଠୁମ୍‍ରୀ-ଧର୍ମୀ ଆଞ୍ଚଳିକତା, ମାର୍କଣ୍ଡେୟଙ୍କ ଗ୍ରାମୀଣ ସହଜତା, ତଥା ପରସାଇଙ୍କ ପ୍ରଖର ସାମାଜିକ ଚେତନାରେ ଏହି ଧାରାର କାହାଣୀ-ଜଗତ ବର୍ଣ୍ଣାଢ଼୍ୟ । ନିଶ୍ଚିତଭାବେ ଏହି ଧାରାର ଅଧିକାଂଶ ଗାଳ୍ପିକ କାହାଣୀକୁ ଏକ ଗମ୍ଭୀର କଳା-ମାଧ୍ୟମରୂପେ ଗ୍ରହଣ କଲେ ଏବଂ କାହାଣୀ-କଳାର ପୁରାତନ ରୂଢ଼ିର ଅନୁସରଣ ନକରି ସେମାନେ ଜୀବନ ସହିତ ସିଧାସଳଖ ସାକ୍ଷାତ କରିବାର ସଂକଳ୍ପ କଲେ । ପୋଥିଗତ ଜୀବନ-ଦୃଷ୍ଟିରୁ ହଟିଯାଇ ‘ପ୍ରାମାଣିକ ଅନୁଭୂତି’ ଏବଂ ଅଙ୍ଗେ ନିଭେଇଥିବା ବାସ୍ତବତା’ପ୍ରତି ସେମାନେ ବେଶି ଜୋର୍‍ ଦେଲେ, ଯାହା ସାମାନ୍ୟ ଦୃଷ୍ଟିରୁ ନୂଆ ନହେଲେ ମଧ୍ୟ ଏହି ବିଶେଷ ଐତିହାସିକ ସ୍ଥିତିରେ ଯଥେଷ୍ଟ କ୍ରାନ୍ତିକାରୀ ଏବଂ ସର୍ଜନାତ୍ମକ ପ୍ରମାଣିତ ହେଲା । ସବୁ ମିଶେଇ ଏହି ଧାରାରେ ଅନ୍ୟୂନପକ୍ଷେ କୋଡ଼ିଏ ପଚିଶଟି ଏମିତି କାହାଣୀ ପ୍ରକାଶିତ ହୋଇଛି, ଯାହାକୁ ଯେକୌଣସି ମାନଦଣ୍ଡରେ ମାପିଲେ ମଧ୍ୟ ପ୍ରଥମ ଶ୍ରେଣୀରେ ସ୍ଥାନ ଦିଆଯାଇପାରିବ ।

 

ସପ୍ତମ ଦଶନ୍ଧିରେ ଆଉ ଏକ ନୂଆ ଗୋଷ୍ଠୀ ହିନ୍ଦୀ ଗଳ୍ପ-ସାହିତ୍ୟ କ୍ଷେତ୍ରକୁ ଆସିଲେ, ଯାହାଙ୍କର ପ୍ରଖର ବାସ୍ତବ-ଦୃଷ୍ଟିରେ ଷଷ୍ଠ ଦଶକର ଅଧିକାଂଶ ଗାଳ୍ପିକଙ୍କ ‘ଅଙ୍ଗେ ଲିଭେଇଥିବା ବାସ୍ତବତା’ ଛଦ୍ମ ପ୍ରତୀତ ହେଲା ଏବଂ ସେମାନଙ୍କ ଦୃଷ୍ଟି ନିହାତି ବିଦେଶୀ ଭଳି ଲାଗିଲା । ସଂଯୋଗବଶତଃ ଷଷ୍ଠ ଦଶକରେ ଖ୍ୟାତିଲାଭ କରିଥିବା ଗାଳ୍ପିକମାନେ ବଦଳୁଥିବା ପରିସ୍ଥିତି ସହିତ ତାଳ ନଦେଇପାରି ହୁଏତ ନୀରବ ହୋଇଗଲେ କିମ୍ୱା ରଚନାତ୍ମକ ସମ୍ଭାବନାର ଅନ୍ୟ କୌଣସି ମାର୍ଗ ଖୋଜିବା ପରିବର୍ତ୍ତେ ନିଜ ପୂର୍ବ-ପରିଚିତ ଦୁନିଆଁରେ ମୁହଁ ଲୁଚାଇବାର ପ୍ରୟା’ସ କଲେ । ସପ୍ତମ ଦଶକର ଗାଳ୍ପିକମାନେ ଗଳ୍ପ-ପରଂପରାରୁ ପ୍ରାପ୍ତ ବାସ୍ତବତା’ରଧାରଣାକୁ ପରିତ୍ୟାଗ କରି ସାଧାରଣ ଲୋକର ଦୈନନ୍ଦିନ ଜୀବନରେ ବ୍ୟାପ୍ତ ଅବୋଧ୍ୟତା, ଆତ୍ମନିର୍ବାସନ, ଅମାନୁଷିକତା’ଓ ସଂତ୍ରାସର ଅତଳ ଗଭୀରତାକୁ ଦେଖିବାର ପ୍ରୟା’ସ କଲେ, ଯାହା ଆଡ଼ରୁ ଏପର୍ଯ୍ୟନ୍ତ ସମସ୍ତେ ମୁହଁ ବୁଲେଇ ନେଉଥିଲେ । ଏହି ଗୋଷ୍ଠୀର ଗାଳ୍ପିକଙ୍କ ମୁକ୍ତିବୋଧ ‘କ୍ଳାଡ୍‍ ଇଥରଲୀ’ ଏବଂ ‘ବିପାତ୍ର’ ପରି କାହାଣୀମାନଙ୍କରେ ଅଧିକ ନିକଟ ପ୍ରତୀତ ହେଲା ଏବଂ ଏହି ପ୍ରତ୍ୟାଭିଜ୍ଞାନ ସାଥୀରେ ସେମାନେ ସମକାଳୀନ ସଂସାରର ଭୟା’ବହତା’ରଫାଟକୁ ଉଦ୍‍ଘାଟିତ କରିବାର ପ୍ରୟା’ସ କଲେ । ଏହି ଦୃଷ୍ଟିରୁ ସପ୍ତମ ଦଶକର ଗାଳ୍ପିକମାନଙ୍କ ମଧ୍ୟରେ ଶ୍ରୀକାନ୍ତ ବର୍ମା, ମଦ୍ଧେନ୍ଦ୍ର ଭଲ୍ଲା, ଜ୍ଞାନରଞ୍ଜନ, କାଶୀନାଥ ସିଂହ, ଦୂଧନାଥ ସିଂହ, ରବୀନ୍ଦ୍ର କାଲିୟା’, କାମତାନାଥ, ସୁଧା ଅରୋଡ଼ା, ରମେଶ୍‍ ବକ୍‍ସୀ, ପ୍ରବୋଧ କୁମାର, ବିଜୟ ଚୌହାନ ପ୍ରଭୃତିଙ୍କ ନାମ ଉଲ୍ଲେଖନୀୟ । ଏ ଭିତରୁ ଅଧିକାଂଶ କାହାଣୀ-ଲେଖକଙ୍କ ଗୋଟିଏ ଗୋଟିଏ କାହାଣୀ-ସଂଗ୍ରହ ମାତ୍ର ଏପର୍ଯ୍ୟନ୍ତ ପ୍ରକାଶିତ ହୋଇଛି । ଏଥି ସହିତ ଏହା ମଧ୍ୟ ସତ ଯେ ଅନେକ ତରୁଣ ଗାଳ୍ପିକ ନିଜେ ନିଜକୁ ଦୋହରାଇବାର ଚେଷ୍ଟା କରୁଛନ୍ତି; କିନ୍ତୁ ନିଃସନ୍ଦେହ ଭାବରେ କୁହାଯାଇପାରେ ଯେ ଏ ପରିବର୍ତ୍ତନରେ ହିନ୍ଦୀ ଗଳ୍ପ-ସାହିତ୍ୟରେ ନୂତନ ସର୍ଜନାତ୍ମକ ସମ୍ଭାବନାର ଦ୍ୱାର ଏବେ ବି ଉନ୍ମୁକ୍ତ ଅଛି ।

 

ଏହି ଭାବରେ ଗତ ସତୁରି ବର୍ଷ ମଧ୍ୟରେ ହିନ୍ଦୀ କାହାଣୀ ବିକାଶର ସେଇ ସବୁ ପାହାଚ ଶୀଘ୍ରତା’ସହିତ ଅତିକ୍ରମ କରିଛି, ଯାହାକୁ ପାରିହେବା ପାଇଁ ଅନ୍ୟ ଭାଷାର ଗଳ୍ପ-ସାହିତ୍ୟକୁ ଦେଢ଼ା ବା ଦୁଇଗୁଣ ସମୟ ଲାଗିଥିଲା । ହିନ୍ଦୀରେ କାହାଣୀର ଉଦୟ ନିଃସନ୍ଦେହ ଭାବେ କିଛି ବିଳମ୍ୱରେ ହେଲା ଏବଂ ସମ୍ଭବତଃ ହିନ୍ଦୀ ମନୀଷାର ଧ୍ୟାନ କାହାଣୀଠାରୁ ଅଧିକ ଥିଲା କବିତା’ତଥା ଉପନ୍ୟାସ କ୍ଷେତ୍ରରେ । ତଥାପି ଏହି ଅଳ୍ପ ସମୟ ମଧ୍ୟରେ ହିନ୍ଦୀ କାହାଣୀ ନିଜ ପାଇଁ ଏକ ନିଶ୍ଚିତ ବ୍ୟକ୍ତିତ୍ୱ ସୃଷ୍ଟି କରିବାରେ ସଫଳ ହୋଇଛି, ଯାହାଦ୍ୱାରା କେବଳ ଭାରତୀୟ ସାହିତ୍ୟରେ ନୁହେଁ ବିଶ୍ୱର ଗଳ୍ପ-ସାହିତ୍ୟରେ ନିଜର ବିଶିଷ୍ଟ ଅସ୍ମିତା’ (ଆଇଡେଣ୍ଟିଟି) ଦାବି କରିପାରେ । ଏ ସଂକଳନ ହିନ୍ଦୀ କାହାଣୀର ସେଇ ଅସ୍ମିତା’ରକିଛି ହେଲେ ଆଭାସ ଦେଇ ପାରିବ ବୋଲି ଆଶା ।

 

ଶେଷରେ ଏ ସଂକଳନ ବିଷୟରେ ଦି’ପଦ କଥା-ଏହା ସଂପୂର୍ଣ୍ଣ ହିନ୍ଦୀ କାହାଣୀର ପ୍ରତିନିଧି ସଂକଳନ ନୁହେଁ । ଏଥିରେ କେତେକ ପ୍ରସିଦ୍ଧ ଗାଳ୍ପିକ ସମାବିଷ୍ଟ ହୋଇ ପାରିନାହାନ୍ତି; ଶିଳ୍ପଗତ ପ୍ରୟୋଗର ବିବିଧତା’ମଧ୍ୟ ଦର୍ଶାଇ ଦିଆଯାଇନାହିଁ ଏବଂ କେତେକ ଗଳ୍ପ-ପ୍ରବୃତ୍ତି ମଧ୍ୟ ସମ୍ଭବତଃ ବାଦ୍‍ ପଡ଼ିଯାଇଛି । ଏହାର ଗୋଟିଏ କାରଣ ତ ସଂକଳନର ଆକାର-ନିର୍ଦ୍ଧାରଣର ସୀମା ଏବଂ ଅନ୍ୟଟି ସଂପାଦକର ନିଜ ଚୟନ-ଦୃଷ୍ଟି । ସାମାନ୍ୟତଃ ସେ ଦୃଷ୍ଟିକୁ ସାମାଜିକ ଯଥାର୍ଥର ସଂଜ୍ଞା ଦିଆଯାଇପାରେ; କିନ୍ତୁ ବସ୍ତୁତଃ ତା’ର ସଠିକତା’ସଂକଳିତ କାହାଣୀମାନଙ୍କର ଅବଲୋକନରେହିଁ ମିଳିପାରିବ । ନିଜର ବୁଝାମଣା ଅନୁଯାୟୀ ଏ ସଂକଳନଦ୍ୱାରା ହିନ୍ଦୀ କାହାଣୀର ମୁଖ୍ୟ ପରଂପରାକୁ ମୁଁ ଛାଣି ଛାଣି ପ୍ରସ୍ତୁତ କରିବାର ଚେଷ୍ଟା କରିଛି; କିନ୍ତୁ ଏ କଥା ସ୍ୱୀକାର କରିବାରେ ମୋର ଆଦୌ ସଂକୋଚ ନାହିଁ କି ପ୍ରତ୍ୟେକ ସଂକଳନ ପରି ଏହା ମଧ୍ୟ କେତେକାଂଶରେ ବୈୟକ୍ତିକ । ମୁଁ ଦୁଃଖିତ ଯେ ଲେଖକଙ୍କ ଅନୁମତି ନ ମିଳିବାରୁ ଅଜ୍ଞେୟଙ୍କ ‘ଗ୍ରେଂଗ୍ରୀନ୍‍’ କାହାଣୀଟି ଏଥିରେ ସମାବିଷ୍ଟ ହୋଇପାରିଲାନି । ମୋଟ-ଉପରେ ଏ ସଂକଳନ ଯାହା ହୋଇଥାଉ ନା କାହିଁକି, ଏହାର ଶ୍ରେୟଃ ସେଇ ଗାଳ୍ପିକମାନଙ୍କର, ଯାହାଙ୍କ ସହଯୋଗରେ ଏ ଯୋଜନା ସଫଳ ହୋଇପାରିଲା ।

 

ନାମ୍‍ ବର ସିଂହ

Image

 

ସେ କହିଥିଲା

(ଚନ୍ଦ୍ରଧର ଶର୍ମା ଗୁଲେରୀ)

 

ବଡ଼ ବଡ଼ ସହରର ଏକ୍‍କାଗାଡ଼ିବାଲାଙ୍କ ବୋଲିର ଚାବୁକମାଡ଼ରେ ଯେଉଁମାନଙ୍କ ପିଠିରୁ ଛାଲ ଉତୁରିଯାଇଛି, କାନ ପାଚିଯାଇଛି, ସେମାନଙ୍କ ପାଖରେ ଏତିକି ମୋର ପ୍ରାର୍ଥନା ଯେ ସେମାନେ ଅମୃତସର ଟାଙ୍ଗାବାଲାଙ୍କ ବୋଲିର ମଲମ ଲଗାନ୍ତୁ । ଯେତେବେଳେ ବଡ଼ ବଡ଼ ସହରମାନଙ୍କର ଚଉଡ଼ା ସଡ଼କମାନଙ୍କ ଉପରେ ଘୋଡ଼ାଙ୍କ ପିଠିରେ ଚାବୁକ ବାଡ଼େଇ ବାଡ଼େଇ ଏକ୍‍କାଗାଡ଼ିବାଲାମାନେ କେତେବେଳେ ଘୋଡ଼ାର ଆଈ ସାଙ୍ଗରେ ନିଜ ନିଜର ନିକଟ ସମ୍ୱନ୍ଧ ସ୍ଥିର କରନ୍ତି, ଅଥବା ରାସ୍ତାରେ ପାଦରେ ଚାଲି ଚାଲି ଯାଉଥିବା ଲୋକମାନଙ୍କର ଆଖି ନାହିଁ ବୋଲି ‘ଦୟା’ ଦେଖାନ୍ତି’ କିମ୍ୱା କେତେବେଳେ ପଥିକମାନଙ୍କର ପାଦ ଉପରେ ଗାଡ଼ି ଚକ ମଡ଼ାଇଦେଇ ନିରୀହ ଭାବରେ ନିଜନିଜର ଭାଗ୍ୟକୁ ଧିକ୍‍କାର କରନ୍ତି, ଆଉ ଦୁନିଆଁ ଯାକର ଗ୍ଳାନି, ନିରାଶା, କ୍ଷୋଭର ଅବତା’ର ହୋଇଯାଇ ନାକସଳଖା ଚାଲିଯାଆନ୍ତି, ସେତେବେଳେ ଅମୃତସର ସହରରେ ତାଙ୍କରି ଭାଇବିରାଦରମାନେ ଟାଙ୍ଗା ଚଳାଇ ଅଙ୍କାବଙ୍କା ସଂକୀର୍ଣ୍ଣ ଗଳିରେ ପ୍ରତି ବାଟୋଇକୁ ବାଟ ଛାଡ଼ିବାକୁ ଶବ୍ଦ ଦେଇ ଅଟକି ଅଟକି ଧୈର୍ଯ୍ୟର ସମୁଦ୍ର ଉଛୁଳାଇ କହନ୍ତି, ‘ପାଖେଇଯାନ୍ତୁ ଖାଲ୍‍ସା ଜୀ’, ‘ଭାଇ, ହଟିଯାଅ’, ‘ଅଟକିଯାନ୍ତୁ ଭାଇ’, ‘ବାଟ ଛାଡିଦିଅନ୍ତୁ ଲାଲା ଜୀ’, ‘ଉଠବାବୁ’ ଇତ୍ୟାଦି ଏବଂ ଧଳା ଧଳା ପଗଡ଼ି, ଖଚର ଓ ବତକ, ଆଖୁ ଓ ନାନା ପଦାର୍ଥର ବୋଝ ବୋହିଥିବା ଲୋକଙ୍କ ଜଙ୍ଗଲ ଭିତର ଦେଇ ବାଟ କାଟନ୍ତି । କ’ଣ ମଜା ଲାଗିଛି ଯେ, ‘ଆଜ୍ଞା’, ‘ମହାଶୟ’ ନଶୁଣି କେହି ବାଟରୁ ଘୁଞ୍ଚିବ ? ଏ କଥା ନୁହେଁ ଯେ ସେମାନଙ୍କ ଜିଭ ଚାଲେ ନାହିଁ; ଚାଲେ, କିନ୍ତୁ ମିଠାବୋଳା ଧାରୁଆ ଛୁରି ପରି ସରୁ ଚୋଟ ହାଣିଯାଏ । ଯଦି କୌଣସି ବୁଢ଼ୀକୁ ବାରମ୍ୱାର ଚେତେଇ ଦେଲେ ସୁଦ୍ଧା ସେ ଗାଡ଼ି ଆଗରୁ ଘୁଞ୍ଚେ ନାହିଁ ତେବେ ଗାଡ଼ିବାଲାଙ୍କ ବଚନାବଳୀର ନମୁନା ଏମିତିଆ ହୁଏ–‘ହଟିଯା ଜୀଇବାଯୋଗ୍ୟା, ହଟିଯା ଭାଗ୍ୟବତୀ, ହଟିଯା ପୁଅ-ସୁଆଗୀ, ପାଖେଇ ଯା ଆୟୁଷବାଲୀ’, ଅର୍ଥାତ୍‍ ପୁଅଙ୍କୁ ତୁ ଶରଧା କରୁ, ଦୀର୍ଘ ଆୟୁଷ ତୋ ସାମନାରେ ଅଛି, ତୁ କାହିଁକି ମୋ ଗାଡ଼ିଚକ ତଳକୁ ଆସିବାକୁ ଚାହୁଁଛୁ ? ଯା, ପାଖେଇ ଯା ।

 

ଏମିତି ଟାଙ୍ଗାବାଲାଙ୍କ ମଝିରେ ପଡ଼ି ଗୋଟାଏ ପୁଅ ଆଉ ଗୋଟିଏ ଝିଅ ଏକ ଦୋକାନରେ ପହଞ୍ଚି ଭେଟାଭେଟି ହେଲେ । ସେମାନଙ୍କ ମୁଣ୍ଡବାଳ ଆଉ ଢିଲା ପାଇଜାମାରୁ ଜଣାପଡ଼ୁଥାଏ ଯେ ଦିହେଁ ଶିଖପିଲା । ତା’ ମାମୁ ମୁଣ୍ଡବାଳ ଧୋଇବ ବୋଲି ପୁଅଟି ଦହି କିଣିବାକୁ ଆସିଥିଲା ଆଉ ଝିଅ ଆସିଥିଲା ରୋଷେଇ ପାଇଁ ବଡ଼ି କିଣି । ଦୋକାନୀ ଜଣେ ବିଦେଶୀ ସଙ୍ଗରେ ଲାଗିଥିଲା, ଲୋକଟି ସେରେ ଓଦା ପାମ୍ପଡ଼କୁ ଗୋଟ ଗୋଟ କରି ନଗଣି ସେଠୁ ଯାଉନଥିଲା ।

 

‘‘ତୋ ଘର କୋଉଟି ?’’

 

‘‘ମଗରେ;–ଆଉ ତୋର ?’’

 

‘‘ମାଁଝେ...ତୁ ଏଠି କୋଉଠି ଅଛୁ ?’’

 

‘‘ଅତରସିଂହଙ୍କ ଘରେ; ସେ ମୋ ମାମୁ ।’’

 

‘‘ମୁଁ ବି ମାମୁଘରେ ଅଛି; ତାଙ୍କ ଘର ଗୁରୁବଜାରରେ ।’’

 

ଏତିକିବେଳେ ଦୋକାନୀ ନିଘା ପକାଇଲା ଓ ସେମାନଙ୍କୁ ସଉଦା ଦେଲା । ସଉଦା କିଣିସାରି ନୁହେଁ ଏକା ସଙ୍ଗରେ ଗଲେ । ଥୋଡ଼ାଏ ବାଟ ଯାଇ ପୁଅଟି ହସି ଦେଇ ପଚାରିଲା, ‘‘ତୋ ବାହାଘର ହେଲାଣି ?’’ ଏତିକିରେ ଝିଅଟି ଟିକିଏ ଆଖି-ତରାଟି କହିଲା ‘‘ଧ୍ୟାତ୍‍’’, ଆଉ ଦୌଡ଼ି ପଳେଇଲା; ପୁଅ ଠିଆ ହୋଇ ଅନାଇଁ ଥାଏ ତା’ଆଡ଼କୁ ।

 

ଦୁଇ ତିନିଦିନ ଅନ୍ତରରେ ପରିବା ଦୋକାନରେ, ନହେଲେ ଦୁଧ ଦୋକାନରେ ଅକସ୍ମାତ୍‍ ଦୁହିଁଙ୍କର ପ୍ରାୟ ସାକ୍ଷାତ ହେଉଥିଲା । ମାସେଯାଏଁ ଏଇଆ ଚାଲିଲା । ଦି’ତିନିଥର ପୁଅଟି ପୁଣି ପଚାରିଲା, ‘‘ତୋର ବାହାଘର ହେଲାଣି ?’’ ଆଉ ଉତ୍ତରରେ ‘‘ଧ୍ୟାତ୍‍’ ଶୁଣିଲା । ଦିନେ ପୁଣି ଯେତେବେଳେ ପୁଅଟି ତାକୁ ହସି ଦେଇ ଚିଡ଼ାଇବାକୁ ସେଇଆ ପଚାରିଲା, ଝିଅ ଅପ୍ରତ୍ୟାଶିତ ଭାବେ କହିଲା ‘‘ହଁ, ହୋଇଗଲାଣି ।’’

 

‘‘କେବେ ?’’

 

‘‘କାଲି । ଦେଖୁନାହୁଁ ୟେ ରେଶମରେ ଛୁଞ୍ଚିକାମ ହୋଇ ଫୁଲ ପଡ଼ିଥିବା ଶାଲ୍‍ ?’’

 

ଝିଅଟି ପଳାଇଗଲା । ପୁଅଟି ଘରବାଟ ଧରିଲା । ରାସ୍ତାରେ ଗୋଟାଏ ଟୋକାକୁ ଧକ୍‍କାମାରି ନୟନଜୋଡ଼ିରେ ପକାଇଦେଲା, ଗୋଟିଏ ବୁଲାବିକାଳିର ଦିନଯାକର ରୋଜଗାର ନଷ୍ଟ କଲା, ଗୋଟାଏ କୁକୁରକୁ ଟେକା ଫୋପାଡ଼ିଲା, ଆଉ ଜଣେ ଗଉଡ଼ର ଠେଲାଗାଡ଼ିରୁ ଦୁଧ ଢାଳିଦେଲା । ଗାଧୋଇ ସାରି ତା’ରଆଗପଟୁ ଆସୁଥିବା ଜଣେ ବୈଷ୍ଣବଙ୍କ ସଙ୍ଗରେ ଧକ୍‍କା ଲଗାଇ ଅନ୍ଧ ବୋଲି ଉପାଧି ପାଇଲା । ସେଇଠୁ ଯାଇ ଘରେ ପହଞ୍ଚିଲା ।

 

‘‘ରାମ୍‍ ରାମ୍‍, ୟେ ବି ଗୋଟାଏ ଲଢ଼େଇ ? ଦିନରାତି ଟ୍ରେଞ୍ଚ ଭିତରେ ବସି ବସି ହାଡ଼ଗୁଡ଼ାକ କେମ୍ପା ହୋଇଗଲାଣି । ଲୁଧିଆନା ଅପେକ୍ଷା ଏଠି ଦଶଗୁଣ ଶୀତ; ପୁଣି ଉପରୁ ପଡ଼ୁଛି ବର୍ଷା ଆଉ ବରଫ । ଭଣ୍ଡାଯାଏ ଗୋଡ଼ କାଦୁଅରେ ପୋତି-ହୋଇପଡ଼ିଲାଣି । ଶତ୍ରୁ କେଉଁଠି ହେଲେ ଦିଶୁନାହିଁ । ଘଣ୍ଟାକେ ଦିଘଣ୍ଟାକେ କାନ ପର୍ଦ୍ଦା ଫଟାଇଦେଲା ଭଳି ଗର୍ଜନ ସଙ୍ଗେ ସଙ୍ଗେ ଟ୍ରେଞ୍ଚଯାକ ଥରିଯାଉଛି, ଆଉ ଶହ ଶହ ଗଜଯାଏ ମାଟି ଉପରକୁ ଛାଟି ହୋଇ ପଡ଼ୁଛି । ୟେ ମାରାତ୍ମକ ଗୁଳିମୁହଁରୁ କିଏ ବଞ୍ଚିଲେ ସିନା ଲଢ଼ିବ ! ନଗର୍‍ କୋଟ୍‍ ଭୂମିକମ୍ପ କଥା ଶୁଣିଥିଲି, ଏଠି ତ ଦିନକୁ ପଚିଶଟା ଭୂମିକମ୍ପ ହେଉଛି ! ଯଦି କେଉଁଠି ଟ୍ରେଞ୍ଚ ଉପରକୁ ପଗଡ଼ି କି କହୁଣି ବାହାରିପଡ଼ିଲା ତେବେ ଚଟାକ୍‍ କରି ଗୁଳି ବାଜିଯିବ । ବେଇମାନ୍‍ଗୁଡ଼ାକ ମାଟିରେ ଲେପ୍‍ଟି ହୋଇ ପଡ଼ିରହିଛନ୍ତି କି ଘାସ ଭିତରେ ଲୁଚି ରହିଛନ୍ତି କେଜାଣି ?’’

 

‘‘ଲହନାସିଂହ, ଆହୁରି ତିନିଦିନ ଅଛି । ଚାରିଦିନ ତ ଟ୍ରେଞ୍ଚ ଭିତରେ ବିତେଇ ଦେଲେଣି-। ପଅରଦିନ ‘ରିଲିଫ୍‍ସେନା’ ଆସିଗଲେ ଆମର ସାତଦିନଯାଏ ଛୁଟି । ତା’ପରେ ନିଜ ହାତରେ ‘ଝଟ୍‍କା’ (୧) କରିବା ଆଉ ପେଟପୂରା ଖାଇଦେଇ ପୁଣି ଶୋଇରହିବା । ସେ ଫିରିଙ୍ଗୀ ମେମ୍‍ର ବଗିଚାରେ ମଖମଲ ଭଳି ଶାଗୁଆ ଘାସ ଅଛି । ଫଳ ଆଉ ଦୁଧ ଆଣି ବର୍ଷା ପରି ସେ ଅଜାଡ଼ି ଦିଏ-। ଲକ୍ଷେ ଥର ଯାଚୁଥିଲେ ବି ସେ ଦାମ୍‍ ନିଏ ନାହିଁ । କହେ-ତମେ ରଜା, ଆମ ମୁଲକକୁ ବଞ୍ଚାଇବାକୁ ଆସିଛ ।’’

 

‘‘ଚାରିଦିନ ହେଲା ଆଖିରେ ପଲକ ପଡ଼ିନାହିଁ । ନ ଦୌଡ଼ିଲେ ଘୋଡ଼ା ବିଗିଡ଼ିଯାଏ; ନ ଲଢ଼ିଲେ ସୈନିକ ବିଗିଡ଼ିଯାଏ । ବନ୍ଧୁକରେ ସଙ୍ଗୀନ୍‍ ଖଞ୍ଜି ଦେଇ ମାର୍ଚ୍ଚିଂ କର ବୋଲି ମତେ ଭଲା ହୁକୁମ୍‍ ମିଳନ୍ତା । ମୁଁ ଯଦି ସାତ-ସାତଟା ଜର୍ମାନଙ୍କୁ ନମାରି ଫେରିଆସନ୍ତି ତେବେ ‘ଦରବାର ସାହବ’ (୨)ଙ୍କ ଦୁଆରମୁହଁରେ ମୁଣ୍ଡିଆ ମାରିବାର ସୌଭାଗ୍ୟ ମତେ କେବେ ନମିଳୁ । ହ୍ୟାପ୍‍ ପାଜି କାହାଁକା; ମଣିଷ ନୁହଁନ୍ତି, ଖାଲି କଳଘୋଡ଼ାଗୁଡ଼ାଏ । ସଙ୍ଗୀନ୍‍ ଦେଖିପକାଇଲେ ଆଁ କରି ଦିଅନ୍ତି, ମଣିଷର ଗୋଡ଼ ଧରନ୍ତି । ଖାଲି ଏମିତିଆ ଅନ୍ଧାରେ ଅନ୍ଧାରେ ତିରିଶମହଣିଆ ଗୁଳି ଫୋପାଡ଼ନ୍ତି । ସେଦିନ ଆକ୍ରମଣ କରିଥିଲି ପରା,-ଚାରି ମାଇଲଯାକେ ଗୋଟାଏ ହେଲେ ଜର୍ମାନ୍‍କୁ ମୁଁ ଛାଡ଼ିନାହିଁ-। ପଛରୁ ଖାଲି ଜେନେରାଲ୍‍ ସାହାବ ‘ହଟିଯା’ ବୋଲି ହୁକୁମଟା ଦେଲେ ବୋଲି ସିନା, ତା’ନହୋଇଥିଲେ...’’

 

(୧)

ଝଟ୍‍କା-ଏକାଚୋଟରେ ହାଣିଦେବା । ବୋଦା ପ୍ରଭୃତିଙ୍କୁ ଅଧିକ ଯନ୍ତ୍ରଣା ନଦେଇ ମାରିବା ଲାଗି ଏହି ଉପାୟ ଶିଖମାନଙ୍କ ମଧ୍ୟରେ ବହୁପ୍ରଚଳିତ ।

 

 

(୨)

ଅମୃତସରର ସ୍ୱର୍ଣ୍ଣମନ୍ଦିର । ସମ୍ମାନପୂର୍ବକ ଏହାକୁ ‘ଦରବାର ସାହବ’ କହନ୍ତି ।

 

‘‘ତା’ ନହୋଇଥିଲେ ସିଧା ଯାଇ ବର୍ଲିନ ପହଞ୍ଚି ଯାଇଥାନ୍ତୁ ତ, ନୁହେଁ ?’’ ସୁବେଦାର୍‍ ହଜାରାସିଂହ ହସି ଦେଇ କହିଲା । ‘‘ଆରେ ବାବୁ, ଯୁଦ୍ଧକାମଟା ଜମାଦାର୍‍ କି ନାଏବ୍‍ ଚଳାଇଦେଲେ ଚଳେନାହିଁ, ବଡ଼ ଅଫିସର ଯେ ସେ ଦୂରକୁ ଭାବନ୍ତି । ତିନିଶ ମାଇଲବ୍ୟାପୀ ତ ଲଢ଼େଇ ହେଉଛି ଯେ ଖାଲି ଗୋଟାଏ ପାଖରେ ଆଗକୁ ମାଡ଼ିଗଲେ ଫଳ କ’ଣ ?’’

 

‘‘ସତକଥା ଯେ ସୁବେଦାର୍‍ ବାବୁ,’’-ଲହନାସିଂହ କହିଲା, ‘‘କିନ୍ତୁ କରିବା କ’ଣ ହୋ ? ହାଡ଼ ଭିତରେ ତ ଶୀତ ପଶିଗଲାଣି । ସୂର୍ଯ୍ୟ ତ ଉଦେ ହେଉନାହିଁ । ଏଣେ ଟ୍ରେଞ୍ଚରେ ଦି ପାଖ ଅତଡ଼ାରୁ ଚମ୍ୱା ଉପତ୍ୟକାର ଖାଈ ପରି ଖାଲି ଝରଣା ବହିଯାଉଛି । ଭଲା ଗୋଟାଏ ଆକ୍ରମଣ ହୋଇଯାଆନ୍ତା, ତେବେ ଗରମ ଆସିଯାଆନ୍ତା ।’’

 

‘‘ଉଦ୍‍ମୀ, ତୁ ଉଠିପଡ଼୍‍, ଉହ୍ମେଇଁରେ କୋଇଲା ଭର୍ତ୍ତିକର । ବଜୀରା, ତୁମେ ଚାରିଜଣ ବାଲ୍‍ଟି ନେଇ ଖାଈରୁ ପାଣିଗୁଡ଼ାକ କାଢ଼ି ପଦାରେ ଢାଳିଦିଅ । ଆଉ ଲହନାସିଂହ, ସଞ୍ଜ ହେଲାଣି, ଏଥର ଖାଈମୁହଁରେ ପହରା ବଦଳାଇ ଦିଅ ।’’ ଏତିକି କହି ସୁବେଦାର୍‍ ଯାଇ ଟ୍ରେଞ୍ଚ ଗୋଟାକଯାକ ବୁଲିଲା ।

 

ବଜୀରା ସିଂ ପଲଟଣର ବିଦୂଷକ । ବାଲ୍‍ଟିରେ ଅସନା ପାଣି ପୂରାଇନେଇ ଖାଈ ବାହାରେ ଫୋପାଡ଼ି ଦେଇ ଆସିଲାବେଳେ କହୁଥାଏ, ‘‘ମୁଁ ପୁରୋହିତ ବନିଗଲିଣି, ଏଥରକ ଜର୍ମାନୀର ବାଦ୍‍ଶାହଙ୍କ ତର୍ପଣ କର ।’’ ଏତିକିରେ ସମସ୍ତେ କିରି କିରି ହୋଇ ହସିଲେ ଆଉ ଉଦାସଭାବର ମେଘ କଟିଗଲା ।

 

ଲହନାସିଂ ଆର ବାଲ୍‍ଟି ଭତ୍ତି କରି ତା’ହାତକୁ ବଢ଼ାଇଦେଇ କହିଲା, ‘‘ତୋ ବଗିଚାରେ ତରଭୁଜରେ ପାଣି ମଡ଼ା । ଏମିତି ଖାଈର ପାଣି ପଞ୍ଚାବ୍‍ ଦେଶଯାକରେ ମିଳିବ ନାହିଁ ।’’

 

‘‘ହଁ, ଦେଶ କ’ଣ, ଏ ତ ସ୍ୱର୍ଗ ! ଲଢ଼େଇ ସଇଲେ ମୁଁ ତ ସରକାରଠୁଁ ଏଠି ଦଶମାଣ ଜମି ମାଗିନେବି ଆଉ ଫଳ ଗଛର ତୋଟା ଲଗାଇବି ।’’

 

‘‘ଆଉ ତୁମ ଆଦରର ହୋରା ଦେବୀଙ୍କୁ ବି ଏଠିକି ଡକାଇ ଆଣିବଟି, ନହେଲେ ସେ ଯେଉଁ ଦୁଧପେଇଲାବାଲୀ ଫିରିଙ୍ଗୀ ମେମ୍‍-’’

 

‘‘ଚୁପ୍‍ କର ! ଆରେ ବାବୁ, ଏଠା ଲୋକଙ୍କର ଲାଜ-ସରମ ନାହିଁ ।’’

 

‘‘ଲାଜ କ’ଣ ! ଦେଶକେ ଫାଙ୍କ, ନଈକେ ବାଙ୍କ । ଜାଗାରୁ ଜାଗା ତ ଫରକ । ଏପର୍ଯ୍ୟନ୍ତ ମୁଁ ସେ ମେମ୍‍ଟିକୁ ବୁଝେଇ ପାରିଲି ନାହିଁ ଯେ ଶିଖମାନେ କାହିଁକି ଧୂଆଁ ପତ୍ର ଧୂଆଁ ପିଅନ୍ତି ନାହିଁ । ଥକିଲି । ସେ ମତେ ସିଗାରେଟ୍‍ ଟଣାଇବାକୁ ଜିଦି ଲଗାଏ, ଓଠରେ ଗେଞ୍ଜି ଦେବାକୁ ବସେ, ଆଉ ମୁଁ ପଛେଇ-ପଛେଇକା ଘୁଞ୍ଚି ଘୁଞ୍ଚି ଯାଉଥାଏଁ । ସେଉଠୁ ତା’ରଧାରଣା ହୁଏ ଯେ ରାଜା ଖରାପ ଭାବିଲାଣି, ୟେ ରାଜା ଆଉ ତା’ଦେଶ ପାଇଁ ଲଢ଼ିବ ନାହିଁ ।’’

 

‘‘ଆଚ୍ଛା, ଏବେ ବୋଧାସିଂହ ଦେହ କେମିତି ଅଛି ?’’

 

‘‘ଭଲ ଅଛି ।’’

 

‘‘ଆଃ, ସତେ ଯେମିତି ମୁଁ ଜାଣିନାହିଁ ! ରାତିଯାକ ପରା ତୁମେ ତୁମର ଯୋଡ଼ିକଯାକ କମ୍ୱଳ ତାକୁ ଘୋଡ଼େଇ ଦେଇ ଆପେ ଖାଲି ଉହ୍ମେଇଁ-ନିଆଁ ପୁଇଁ ପୁଇଁ କଟାଇଦେଉଛ ! ତା’ପହରା ପାଳିରେ ନିଜେ ଯାଇ ପହରା ଦେଉଛ ! ଯେଉଁ ଶୁଖିଲା କାଠପଟା ଉପରେ ତୁମେ ଶୋଇଥାନ୍ତ ସେଥିରେ ତାକୁ ଶୁଆଇ ଆପେ କାଦୁଅରେ ପଡ଼ିରହୁଛ ! ବୁଝିଲ, ତୁମେ ବେମାର ପଡ଼ିଯିବଟି ! ୟେ ଶୀତ କେମିତିଆ ! ଏ ସାକ୍ଷାତ୍‍ ମୃତ୍ୟୁ । ଆଉ ନିମୋନିଆରେ ମରିବା ଲୋକଙ୍କୁ ମୁରୁବା ଖାଇବାକୁ ଦିଆଯାଏ ନାହିଁ ।’’

 

‘‘ମୋ ପାଇଁ ଡର ନାହିଁ । ମୁଁ ତ ବୁଲେଲ୍‍ ନଈ କୂଳରେ ମରିବି । ମୋ ଭାଇ କୀରତ୍‍ସିଂହ କୋଡ଼ରେ ମୁଣ୍ଡ ରଖି, ମୋ ଅଗଣାରେ ଆପଣା ହାତରେ ଲଗାଇଥିବା ଆମ୍ୱଗଛର ଛାଇ ତଳେ ମୁଁ ମରିବି ।’’

 

ବଜୀରାସିଂହ ଆଖି ତରାଟି କହିଲା, ‘‘କ’ଣ ମ ମରିବା-ମରେଇବା କଥା ପକେଇଚ ? ମରିବେ ତ ଜର୍ମାନୀ; ନହେଲେ ତୁର୍କୀ !’’ ହଁ ଭାଇମାନେ, କିପରି–

 

ଦିଲ୍ଲୀ ସହର ତୈ ପିଶୌର ନୁଁ ଜାଁଦିଏ

କର ଲେଣା ଲୈଗାଁ ଦା ବୟା’ର ମଡ଼ିଏ

କର ଲେଣା ନାଡ଼େ ଦା ସୌଦା ଅଡ଼ିଏ

ଓୟ ଲାଣା ଚଟାଁକା କଦୁଏ ନୁଁ ।

କଦୁ ବଣାୟା’ ଓ୍ୱେ ମଜେଦାର୍‍ ଗୋରିଏ

ହୁଣା ଲାଣା ଚଟାଁକା କଦୁଏ ନୁଁ ।।

 

(ଦିଲ୍ଲୀରୁ ପେଶଓ୍ୱାର ଯିବା ବାଟରେ ଲବଙ୍ଗ ବିକୁଥିବା ଟୋକୀଙ୍କ ସାଙ୍ଗରେ ପ୍ରୀତି କରିବା । ସେହି ଗୋରୀମାନଙ୍କର ପୃଷ୍ଠଭାଗ ଅତ୍ୟନ୍ତ ସୁନ୍ଦର ।)

 

କିଏ ଜାଣିଥିଲା ଯେ ପୁଅଝିଅଥିବା ଦାଢ଼ିଆ ଶିଖମାନେ ଏମିତିଆ ଅଶ୍ଳୀଳ ଗୀତ ଗାଇବେ ! କିନ୍ତୁ ଖାଈଯାକ ଗୀତରେ ଗୁଞ୍ଜରି ଉଠିଲା ଓ ସୈନିକମାନେ ପୁଣି ସତେଜ ହୋଇଗଲେ, ସତେ ଯେମିତି ସେମାନେ ଚାରିଦିନ ହେଲା ଖାଲି ଶୋଉଛନ୍ତି ଆଉ ମଉଜ କରୁଛନ୍ତି-!

 

ରାତି ଦି’ପହର ଗଡ଼ିଯାଇଥାଏ, ଖୁବ୍‍ ଅନ୍ଧାର । ଚାରିଆଡ଼ ଶୂନ୍‍ଶାନ୍‍ । ବୋଧାସିଂହ ତିନିଟା ଖାଲି ବିସ୍କୁଟ୍‍ ଟିଣ ଉପରେ ନିଜର ଦିଖଣ୍ଡି କମ୍ୱଳ ପାରିଦେଇ ଲହ୍‍ନାସିଂହର ଯୋଡ଼ିଏ କମ୍ୱଳ ଓ ଯୋଡ଼ିଏ ଓଭର୍‍ କୋଟ୍‍ ଘୋଡ଼ି ହୋଇ ଉପରେ ଶୋଇଥାଏ । ଲହନାସିଂହର ଦୁର୍ବଳ ଶରୀର । ବୋଧାସିଂହ ଚିର୍ଚ୍ଚିରେଇ ଉଠିଲା ।

 

‘‘କ’ଣ ବୋଧାଭାଇ, କ’ଣ ହେଲା ?’’

 

‘‘ପାଣି ଟୋପେ ଦେ ।’’

 

ଲହନାସିଂହ ତାଟିଆକୁ ତା’ପାଟିରେ ଲଗାଇଦେଇ ପଚାରିଲା, ‘‘କହ, କେମିତି ଲାଗୁଛି-?’’

 

ପାଣି ପିଇ ବୋଧା କହିଲା, ‘‘ବାନ୍ତି ମାଡ଼ୁଛି । ଦେହଯାକ ଛୁଞ୍ଚିପରି ଫୋଡ଼ି ହେଉଛି । ଦାନ୍ତରେ ଦାନ୍ତ ବାଜୁଛି ।’’

 

‘‘ହଉ, ମୋ ସ୍ୱେଟର ପିନ୍ଧିପକା ।’’

 

‘‘ଆଉ ତୁ ?’’

 

‘‘ମୋ ପାଖରେ ଉହ୍ମେଇଁ ଅଛି, ମତେ ଗରମ ଲାଗୁଛି, ଝାଳ ବୋହୁଛି ।’’

 

‘‘ନା, ମୁଁ ପିନ୍ଧିବି ନାହିଁ । ଚାରି ଦିନ ହେଲା ତୁମେ ମୋ ପାଇଁ...’’

 

‘‘ହଁ, ମନେପଡ଼ିଲା । ମୋ ପାଖରେ ଆଉ ଗୋଟିଏ ଗରମ ଜର୍ସି ଅଛି । ଆଜି ସକାଳେ ଆସିଛି । ବିଲାତରୁ ମେମ୍‍ମାନେ ବୁଣି ପଠାଉଛନ୍ତି । ଶ୍ରୀଗୁରୁ ତାଙ୍କର ମଙ୍ଗଳ କରନ୍ତୁ ।’’ କହିଦେଇ ଲହନାସିଂହ କୋଟ୍‍ ଓହ୍ଲେଇ ପକାଇ ନିଜର ଜର୍ସିବି ଓହ୍ଲେଇ ପକାଇବାକୁ ଲାଗିଲା ।

 

‘‘ସତ କହୁଛ ?’’

 

‘‘ଆଉ କ’ଣ ମିଛ ?’’ ଏତିକି କହି ବୋଧାସିଂହ ନାହିଁ-ନାହିଁ କରୁ କରୁ ସେ ତାକୁ ଜବରଦସ୍ତି ଜର୍ସି ପିନ୍ଧାଇଦେଲା ଆଉ ନିଜେ ଖାକି କୋଟ୍‍ ଆଉ ଜୀନ୍‍ କୁର୍ତ୍ତା ପିନ୍ଧି ପହରା କାମରେ ଯାଇ ଠିଆହୋଇପଡ଼ିଲା । ମେମମାନେ ଜର୍ସି ପଠାଇବା କଥା ଖାଲି ତୁଚ୍ଛା ମିଛ ।

 

ଅଧଘଣ୍ଟାଏ ଗଲା । ସେଇଠୁ ଖାଈର ମୁହଁ ଆଡ଼ୁ ପାଟି ଶୁଭିଲା-‘‘ସୁବେଦାର ହଜାରାସିଂହ !’’

 

‘‘କିଏ ? ଲପ୍‍ଟନ୍‍ (ଲେଫଟ୍‍ ନେଣ୍ଟ୍‍) ସାହେବ୍‍ ? ହୁକୁମ୍‍ ହଜୁର !’’ କହିଦେଇ ସୁବେଦାର ଶୀଘ୍ର ଯାଇ ସଲାମ୍‍ କରି ସାମନାରେ ଠିଆହେଲା ।

 

‘‘ଦେଖ, ବର୍ତ୍ତମାନ ଆକ୍ରମଣ କରିବାକୁ ପଡ଼ିବ । ମାଇଲିଏ ଦୂରରେ ପୂର୍ବ କୋଣରେ ଗୋଟାଏ ଜର୍ମାନ୍‍ ଖାଈ ଅଛି । ସେଥିରେ ପଚାଶ ଜଣରୁ ବେଶି ଜର୍ମାନ୍‍ ନାହାନ୍ତି । ହେଇ, ସେ ଗଛ ତଳେ ତଳେ ଯୋଡ଼ାଏ ଖେତ ମଝିରେ ବାଟ ପଡ଼ିଛି, ତିନି ଚାରିଟା ମୋଡ଼ ଅଛି । ଯୋଉଠି ମୋଡ଼ ଅଛି ସେଠି ପନ୍ଦରଜଣ ସୈନିକଙ୍କୁ ମୁଁ ଠିଆକରେଇ ଆସିଛି । ତୁମେ ଏଠି ଦଶ ଜଣଙ୍କୁ ଛାଡ଼ିଦେଇ ବାକି ସମସ୍ତଙ୍କୁ ନେଇ ତାଙ୍କ ସଙ୍ଗରେ ଯାଇ ମିଶ । ଖାଈ ଛଡ଼େଇ ନେଇ ଅନ୍ୟ ଆଦେଶ ନପାଇବାଯାକେ ସେଇଠି ଦମ୍ଭ ହୋଇ ରହିଥିବ । ମୁଁ ଏଠି ଥିବି ।’’

 

‘‘ଜୋ ହୁକୁମ୍‍ ।’’

 

ଚୁପ୍‍ଚାପ ସମସ୍ତେ ପ୍ରସ୍ତୁତ ହୋଇଗଲେ । ବୋଧାସିଂହ ବି କମ୍ୱଳ ଓହ୍ଲେଇ ପକାଇ ଚାଲିଲା । ଲହନାସିଂହ ତାକୁ ଅଟକାଇଲା । ଲହନାସିଂହ ଆଗକୁ ଗଲା ତ ବୋଧାର ବାପା ସୁବେଦାର ଆଙ୍ଗୁଠିରେ ବୋଧାକୁ ଠାରିଲା । ଲହନାସିଂହ ବୁଝିପାରି ତୁନି ହେଲା । କେଉଁ ଦଶଜଣ ରହିବେ ସେହି ବିଷୟରେ ଖୁବ୍‍ ବିତର୍କ ଲାଗିଲା । କେହି ରହିବାକୁ ମଙ୍ଗୁ ନାହାନ୍ତି । ବୁଝେଇ ସୁଝେଇ ସୁବେଦାର ମାର୍ଚ୍ଚିଂ ଆଦେଶ ଦେଲା । ଲେଫଟ୍‍ନେଣ୍ଟ୍ ସାହେବ, ଲହନାର ଉହ୍ମେଇଁ ପାଖେ ମୁହଁ ବୁଲାଇ ଠିଆହୋଇଗଲା ଆଉ ପକେଟରୁ ସିଗାରେଟ୍‍ କାଢ଼ି ଲଗାଇବାକୁ ଲାଗିଲା । ଦଶ ମିନିଟ ପରେ ଲହନା ଆଡ଼କୁ ହାତ ବଢ଼ାଇଦେଇ ସେ କହିଲା–

 

‘‘ନିଅ, ତୁମେ ବି ଖଣ୍ଡେ ଟାଣ ।’’

 

ଆଖି ମିଟିମିଟି କରି ଲହନାସିଂହ ସବୁ ବୁଝିଗଲା । ମୁହଁର ଭଙ୍ଗୀ ଲୁଚାଇ ରଖି ସେ କହିଲା, ‘‘ଦିଅ ସାହେବ୍‍ !’’ ହାତ ବଢ଼ାଇଲାକ୍ଷଣି ଉହ୍ମେଇଁ-ନିଆଁର ଧାସରେ ସାହେବର ମୁହଁକୁ ସେ ଦେଖିଲା, ତା’ମୁଣ୍ଡବାଳକୁ ଦେଖିଲା । ସେଉଠୁ ତା’ମୁଣ୍ଡ ଭିତରେ ସତେ ଯେମିତି ଢୋଲ ବାଜିଉଠିଲା-ଆରେ, ଲପ୍‍ଟନ୍‍ ସାହେବର ଥାକ ଥାକ ପଟି ପଟି ଘଞ୍ଚ ବାଳ ଏକାଦିନକେ କୁଆଡ଼େ ଉଡ଼ିଗଲା; ଆଉ ତା’ଜାଗାରେ ଜେଲଖାନା କଇଦିଙ୍କ ବାଳ କଟାହେଲା ଭଳିଆ ବାଳ କୁଆଡ଼ୁ ଚାଲି ଆସିଲା ?

 

ବୋଧହୁଏ ସାହେବ ମଦ ପିଇଛି ଆଉ ତାକୁ ବାଳ କଟେଇବାକୁ ସୁବିଧା ମିଳିଯାଇଛି । ଲହନାସିଂହ ପରୀକ୍ଷା କରିବାକୁ ମନକଲା । ଲପ୍‍ଟନ୍‍ ପାଞ୍ଚବର୍ଷ ହେଲା ତା’ରେଜିମେଣ୍ଟ୍ ରେ ଥିଲା-

 

‘‘ଆଚ୍ଛା ସାହେବ୍‍, ଆମେ ସବୁ ହିନ୍ଦୁସ୍ତାନ୍‍ କେବେ ଯିବା ?’’

 

‘‘ଲଢ଼େଇ ସରିଲେ । କାହିଁକି ? ୟେ ଦେଶ କ’ଣ ଭଲ ଲାଗୁନାହିଁ ?’’

 

‘‘ନାହିଁ ସାହେବ, ଶିକାର୍‍ କରିବାର ସେ ମଜା ଏଠି କାହିଁ ? ମନେଅଛିଟି–ଗଲା ସନ ନକଲି ଲଢ଼େଇ ସରିବା ପରେ ପରେ ଆମେସବୁ ଆଉ ଆପଣ ଏକାଠି ମିଶି ଜଗାଧାରି ଜିଲ୍ଲାରେ ଶିକାର କରିବାକୁ ଯାଇଥିଲେ । ହଁ, ହଁ, ସେଇଠି ଯେତେବେଳେ ଆପଣ ଗଧ ଉପରେ ବସିଥିଲେ ଆଉ ଆପଣଙ୍କ ଖାନ୍‍ସାମା ଅବ୍‍ଦୁଲ୍ଲା ରାସ୍ତାରେ ଗୋଟିଏ ମନ୍ଦିରରେ ଦିଅଁଙ୍କ ଉପରେ ପାଣି ଅଜାଡ଼ିବାକୁ ରହିଗଲା– ମନେନାହିଁ ?’’

 

‘‘ହଁ, ଭାରି ପାଜିଟାଏ ସେ ଖାନ୍‍ସାମା ।’’

 

‘‘ଆଉ ସାମନାପଟୁ ସେ ନୀଳଗାଈଟା ବାହାରିଲା ଯେ ଏଡ଼େଟାଏ ମୁଁ କେବେ ଦେଖିନଥିଲି । ଆଉ ଆପଣଙ୍କର ଗୋଟାଏ ଗୁଳି ତା’କାନ୍ଧରେ ବାଜି ପିଚାବାଟେ ଫୁଟି ବାହାରିପଡ଼ିଲା । ଏମିତିଆ ଅଫିସରଙ୍କ ସଙ୍ଗରେ ଶିକାର କରିବା ସିନା ମଜା । ଆଚ୍ଛା ସାହେବ, ସେ ନୀଳଗାଈର ମୁଣ୍ଡଟା ପରା ସିମ୍‍ଳାରେ ତିଆରି ହୋଇ ଚାଲି-ଆସିଥିଲା–ଆପଣ କହିଥିଲେ ନା ତାକୁ ରେଜିମେଣ୍ଟ ମେସ୍‍କୁ ପଠାଇଦେବେ ?’’

 

‘‘ହଁ, କିନ୍ତୁ ମୁଁ ସେଇଟାକୁ ବିଲାତ ପଠାଇଦେଲି ।’’

 

‘‘ତା’ରଏଡ଼େ ଏଡ଼େ ଶିଙ୍ଘ ଥିଲା, ଦି’ଫୁଟ୍ ଲେଖାଁଏ ତ ହୋଇଥିବ ?’’

 

‘‘ହଁ ଲହନାସିଂହ, ଦି ଫୁଟ୍‍ ଚାରି ଇଞ୍ଚ୍ ହୋଇଥିଲା । ତୁମେ ସିଗାରେଟ୍‍ ଟାଣିଲ ନାହିଁ ତ-?’’

 

‘‘ଟାଣିବି, ଟାଣିବି ସାହେବ୍‍, ଦିଆସିଲିଟା ଆଣେଁ ।’’ କହିଦେଇ ଲହନାସିଂହ ଟ୍ରେଞ୍ଚ ଭିତରେ ପଶିଗଲା । ଏଣିକି ତା’ରଆଉ ସନ୍ଦେହ ରହିଲା ନାହିଁ ଆଉ ସେ ଚଟ୍‍ପଟ୍‍ ଠିକଣା କରିନେଲା ତା’ର କ’ଣ କରିବା ଦରକାର । ଜଣେ କିଏ ଶୋଇ ଥିଲା । ଅନ୍ଧାରରେ ସେ ଝୁଣ୍ଟିଲା ।

 

‘‘କିଏ ? ବଜୀରା ସିଂହ ?’’

 

‘‘ହଁ, କ’ଣ କି ଲହନା ? ଶତ୍ରୁ ଆସିଗଲା ନା କ’ଣ ? ଟିକିଏ ହେଲେ ଆଖିଟା ତ ବୁଜି ହୋଇଥାନ୍ତା ?’’

 

‘‘ଶତ୍ରୁ ଆସିଛି, ପୁଣି ସେ ଲପ୍‍ଟନ୍‍ ସାହେବର ପୋଷାକ ପିନ୍ଧି ଆସିଛି ।’’

 

‘‘ଏଁ !’’

 

‘‘ଲପ୍‍ଟନ୍‍ ସାହେବଙ୍କୁ ହୁଏତ ମାରିଦିଆଯାହୋଇଛି ନହେଲେ ତାଙ୍କୁ ବନ୍ଦୀ କରାଯାଇଛି; ଆଉ ତାଙ୍କ ପୋଷାକ ପିନ୍ଧି ଏଇଟା କୁଆଡ଼ର ଜର୍ମାନ୍‍ଟାଏ ଆସିଛି । ସୁବେଦାର ତା’ମୁହଁକୁ ଦେଖିନାହିଁ, ମୁଁ ଦେଖିଲି, ତା’ସାଙ୍ଗରେ କଥାଭାଷା ବି ହେଲି । ଶଳାଟା ସଫା ଉର୍ଦ୍ଦୂ କହୁଚିବା ! ହେଲେ, ବହିରେ ଯେମିତିଆ ଲେଖା ହୋଇଥାଏ ସେମିତିଆ ଉର୍ଦ୍ଦୂ ସେ ! ଆଉ, ମତେ ଶଳା ସିଗାରେଟ୍‍ ଦେଇଛି ଟାଣିବି ବୋଲି ।’’

 

‘‘କ’ଣ କହୁଚୁ !’’

 

ଏଥର ଆମେ ମଲୁଁ । ଏସବୁ ଫାଙ୍କି । ସୁବେଦାର କାଦୁଅରେ ବୁଲି-ବୁଲିକା ଲେଉଟି ଆସିବ, ଆଉ ଏଣେ ଯେ, ଖାଈ ଉପରେ ଆକ୍ରମଣ ହେବ । ତେଣେ ସେମାନଙ୍କ ଉପରେ ଖୋଲା ଜାଗାରେ ଆକ୍ରମଣ ହେବ । ଉଠ୍‍ । ଗୋଟାଏ କାମ କର । ପଲଟଣ୍‍ର ପାଦଚିହ୍ନ ଦେଖି ଦେଖି ଦୌଡ଼ି ଦୌଡ଼ି ଯିବୁ । -ଅଇଛା ବେଶୀ ଦୂରରେ ହୋଇ ନଥିବେ ଯେ । ସୁବେଦାର୍‍କୁ କହିବୁ ସଙ୍ଗେ ସଙ୍ଗେ ଲେଉଟି ଆସିବ । ସେ ଖାଈକଥା ମିଛ । ଚାଲିଆ, ଟ୍ରେଞ୍ଚ ପଛବାଟେ ବାହରିଯା । ହୁସିଆର୍‍, ଟିକିଏ ଯେମିତି ଜଣା ନ ପଡ଼ିବଟି; ଡେରି କର ନାଇଁ ।

 

‘‘ହୁକୁମ୍‍ ତ ଏଇଆ ମିଳିଛି ଯେ ଏଇଠି...’’

 

‘‘ଆରେ ଯା’ମ-ଭାରି ହୁକୁମ୍‍ ! ମୋ ହୁକୁମ୍‍-ଜମାଦାର ଲହନାସିଂହର ହୁକୁମ୍‍-ଯେ ଏଇ ସମୟରେ ଏଠି ସବୁବଠୁ ବଡ଼ ଅଫିସର୍‍ ତାରି ହୁକୁମ୍‍ । ମୁଁ ଲପ୍‍ଟନ୍‍ ସାହେବର ଖବର ବୁଝୁଛି ।’’

 

‘‘କିନ୍ତୁ ଏଠି ତ ତୁମେ ମୋଟେ ଆଠଜଣ ଅଛ ?’’

 

‘‘ଆଠ ଜଣ ନୋହୁଁ, ଦଶ ଲକ୍ଷ । ଜଣେ ଜଣେ ଅକାଳୀ ଶିଖ ସଉଆଲକ୍ଷେଙ୍କୁ ସରି । ଚାଲିଯା ।’’

 

ଲେଉଟି ଆସି ଟ୍ରେଞ୍ଚ ମୁହଁପାଖେ ଲହନାସିଂହ କାନ୍ଥରେ ଲେପ୍‍ଟି ରହିଲା । ସେ ଦେଖିଲା ଯେ ଲେଫଟ୍‍ନେଣ୍ଟ୍ ସାହେବ୍‍ ତା’ପକେଟ୍‍ରୁ ବରକୋଳି ଭଳି ତିନିଟା ଗୁଳି ବାହାରକଲା । ଖାଈ ଦୁଆରମୁହଁରେ ଜାଗା ଜାଗାକେ କଣା କରି ତିନିଟାଯାକକୁ କଣାରେ ଗଳେଇଦେଲା ଆଉ ତିନିଟାଯାକରେ ତା’ରଭଳି ଗୋଟାଏ କ’ଣ ବାନ୍ଧିଦେଲା । ତାରି ଆଗରେ ସୂତା ମେଞ୍ଚାଏ ଥିଲା, ତାକୁ ଉହ୍ମେଇ ପାଖେ ଥୋଇଲା । ବାହାରପଟେ ଗୋଟାଏ ଦିଆସିଲି ସୂତାମେଞ୍ଚା ଉପରେ ରଖିବାକୁ ଯାଉଛି....

 

ବିଜୁଳି ପରି ବନ୍ଧୁକଟାକୁ ଓଲଟା ବାଗେ ଟେକି ଲହନାସିଂହ ସାହେବର କହୁଣି ଉପରେ ଜୋର୍‍ରେ ପିଟିଦେଲା । ଠାଇ କରି ଶବ୍ଦ ହେବା ସଙ୍ଗେ ସଙ୍ଗେ ସାହେବର ହାତରୁ ଦିଆସିଲିଟା ଖସିପଡ଼ିଲା । ଲହନାସିଂହ ସାହେବର ବେକରେ ବନ୍ଧୁକର କାଠପଟେ ପାହାରେ ଦେଲା ଯେ ସେ ‘ଆଃ, ମାଇଁ ଗଡ଼୍‍’ ବୋଲି କହୁ କହୁ ଚିତ୍‍ ହୋଇ ପଡ଼ିଗଲା । ଲହନାସିଂହ ତିନିଟାଯାକ ଗୁଳା କାଢ଼ି ପକାଇ ଖାଈ ବାହାରକୁ ଫୋପାଡ଼ିଦେଲା ଆଉ ସାହେବକୁ ଓଟାରି ଓଟାରି ନେଇ ଉହ୍ମେଇଁ ପାଖେ ଶୁଆଇଦେଲା । ତା’ପକେଟ୍‍କୁ ତଲାସିଲା । ତିନି ଚାରିଟା ଲଫାପା ଆଉ ଗୋଟାଏ ଡାଇରି କାଢ଼ି ଆଣି ତାକୁ ନିଜ ପକେଟ୍‍ ଭିତରେ ପୂରାଇଲା ।

 

ସାହେବର ମୂର୍ଚ୍ଛା ଭାଙ୍ଗିଲା । ଲହନାସିଂହ ହସିଦେଇ କହିଲା, ‘‘କଣ୍‍ ଲପ୍‍ଟନ ସାହେବ-? ମିଞ୍ଜାସ୍‍ କେମିତି ଅଛି ? ଆଜି ମୁଁ ବହୁତ କଥା ଶିଖିଲି । ଶିଖିଲି ଯେ ଶିଖ ସିଗାରେଟ୍‍ ଟାଣନ୍ତି । ଶିଖିଲି ଯେ ଜଗାଧାରୀ ଜିଲ୍ଲାରେ ନୀଳଗାଈ ଅଛନ୍ତି, ଆଉ ତାଙ୍କର ଦିଫୁଟ୍‍ ଚାରି ଇଞ୍ଚ ଲେଖାଏଁ ଶିଙ୍ଗ ହୁଏ । ଆଉ ଶିଖିଲି ଯେ ମୁସଲ୍‍ମାନ୍‍ ଖାନ୍‍ସମା ମୂର୍ତ୍ତିମାନଙ୍କ ଉପରେ ପାଣି ଢାଳନ୍ତି, ଆଉ ଲପ୍‍ଟନ୍‍ ସାହେବ୍‍ ଗଧ ଉପରେ ଚଢ଼ନ୍ତି । ତେବେ, ଏ କଥା କହ, ଏଡ଼େ ପରିଷ୍କାର ଉର୍ଦ୍ଦୁ କେଉଁଠୁ ଶିଖିଆସିଲ ? ଆମ ଲପ୍‍ଟନ୍‍ ସାହେବ ତ ‘ଡେମ୍‍’ ନକହି ପାଞ୍ଚପଦ କଥା କହି ପାରୁନଥିଲେ ।’’

 

ଲହନାସିଂହ ସାହେବ୍‍ର ପତ୍‍ଲୋନ୍‍ ତଲାସି ନଥିଲା । ସାହେବ ସତେ ଅବା ଶୀତରୁ ରକ୍ଷା ପାଇବାପାଇଁ ଦି ହାତଯାକ ପକେଟ ଭିତରେ ପୂରାଇଦେଲା ।

 

ଲହନାସିଂହ କହିଗଲା–‘‘ଚଲାଖି ତ ଭାରି, କିନ୍ତୁ ମଝିରେ ଲହନା ଏତେ ବର୍ଷ ଲପ୍‍ଟନ୍‍ ସାହେବ ସାଙ୍ଗରେ ରହିଛି ଯେ ତାକୁ ଠକିବାକୁ ଚାରିଟା ଆଖି ଦରକାର । ତିନି ମାସ ହେଲାଣି, ଥରେ ଜଣେ ତୁର୍କି ମୌଲବି ଆମ ଗାଁକୁ ଆସିଥିଲା । ମାଇକିନିଆର ଛୁଆପିଲା ହେବା ପାଇଁ ଡେଉଁରିଆ ବାଣ୍ଟୁ ଥିଲା ଆଉ ପିଲାଙ୍କୁ ଔଷଧ ଦେଉଥିଲା । ଚୌଧୁରି ଘର ବରଗଛ ତଳେ ସଫାସୁତୁରା କରି ସତରଞ୍ଜି ପାରି ବସି ବସି ହୁକା ଟାଣୁଥିଲା ଆଉ କହୁଥିଲା ଯେ ଜର୍ମାନ୍‍ ଲୋକେ ଖୁବ୍‍ ପଣ୍ଡିତ, ସେମାନେ ବେଦ ପଢ଼ି ସେଇଥିରୁ ଆକାଶରେ ବିମାନ ଚଳେଇବା ଜାଣିଗଲେ । ସେମାନେ ଗୋରୁଙ୍କୁ ମାରନ୍ତି ନାହିଁ, ହିନ୍ଦୁସ୍ତାନକୁ ଆସିବେ ତ ଗୋହତ୍ୟା ବନ୍ଦ କରିଦେବେ । ସେ ବଜାରର ବେପାରିମାନଙ୍କୁ ଟିହାଉଥିଲା–କହୁଥିଲା, ଡାକଘରେ ଯାହା ଟଙ୍କା ରଖିଚ ତାକୁ ଉଠାଇଆଣ, ସରକାର ରାଜ୍ୟ ତ ଚାଲିଯିବ । ଡାକବାବୁ ପୋଲ୍‍ହୁ ରାମ୍‍ବି ଡରିଯାଇଥିଲା । ମୁଁ ସେ ମୁଲ୍ଲା ମହାଶୟଙ୍କ ଦାଢ଼ୀକି ଖିଅର କରିପକାଇଲି । ସେ ଲୋକଟାକୁ ଗାଁରୁ ବାହାରକୁ ନିକାଲି ଦେଇ କହିଲି-ଯଦି ଫେର୍‍ ଆମ ଗାଁରେ ତୁ ପାଦ ଦେଇଛୁ କି ତେବେ... ।’’

 

ସାହେବର ପକେଟ୍‍ ଭିତରୁ ପିସ୍ତଲ୍‍ ଫୁଟିଲା ଆଉ ଲହନାର ଜଙ୍ଗରେ ଆସି ଗୁଳି ବାଜିଲା । ଏଣେ ଲହନାର ହେନ୍‍ରିମାର୍ଟିନ୍‍ ରାଇଫଲରୁ ଯୋଡ଼ାଏ ଗୁଳିଯାଇ ସାହେବର ଜୀବନ ଶେଷ କରିଦେଲା । ଢୁ-ଢା ସମସ୍ତେ ଦୌଡ଼ିଆସିଲେ ।

 

ବୋଧା ପାଟିକଲା–‘‘କ’ଣ ହେଲା ହୋ ?’’

 

‘‘ଗୋଟାଏ ବାୟା’ କୁକୁର ପଶିଆସିଥିଲା, ତାକୁ ମାରିପକାଇଲି’’-ଏତିକି କହି ଲହନାସିଂହ ତାକୁ ଶୁଆଇପକାଇଲା; ଅନ୍ୟମାନଙ୍କ ଆଗରେ ସବୁ ଘଟଣା କହିଦେଲା । ବନ୍ଧୁକ ଧରି ସମସ୍ତେ ପ୍ରସ୍ତୁତ ହୋଇଗଲେ । ଲହନା ତା’ପଗଡ଼ି ଚିରି କ୍ଷତସ୍ଥାନର ଦିପଟେ କସିକରି ପଟି ବାନ୍ଧିଦେଲା । କ୍ଷତ ଖାଲି ମାଉଁସରେ ହୋଇଥିଲା; ପଟି ଭିଡ଼ିଦେବାରୁ ରକ୍ତ ବୋହିବା ବନ୍ଦହୋଇଗଲା ।

 

ସେଉଠୁ ସତୁରି ଜଣ ଜର୍ମାନ୍‍ ଚିତ୍କାର କରି କରି ଖାଈ ଭିତରକୁ ପଶିଆସିଲେ । ଶିଖମାନଙ୍କ ବନ୍ଧୁକ ଗୁଳିମାଡ଼ ନଈବଢ଼ି ପରି ତାଙ୍କର ପ୍ରଥମ ଆକ୍ରମଣକୁ ଅଟକାଇଦେଲା; ଦ୍ୱିତୀୟ ଆକ୍ରମଣକୁ ଅଟକାଇଦେଲା । କିନ୍ତୁ ଏଠି ତ ଅଛନ୍ତି ମୋଟେ ଆଠ ଜଣ । ଲହନାସିଂ ଲାଖ କରି କରି ଅନାଇଁ ଅନାଇଁ ଗୁଳି ମାରୁଥାଏ । ସେ ଠିଆହୋଇଥାଏ; ଅନ୍ୟମାନେ ଶୋଇ ଶୋଇ ଗୁଳି ମାରୁଥାନ୍ତି । ଆଉ ସେପଟେ ସତୁରିଜଣ । ଆପଣାର ମୃତ ଭାଇମାନଙ୍କ ଶରୀର ଉପରେ ଚଢ଼ି ଜର୍ମାନ୍‍ ସୈନ୍ୟ ଆଗକୁ ଆଗକୁ ମାଡ଼ି ମାଡ଼ି ଭିତରକୁ ପଶି ପଶି ଆସୁଥାନ୍ତି । ଆଉ ଅଳ୍ପ କେତେ ମିନିଟ୍‍ ରେ ସେମାନେ... ।

 

ହଠାତ୍‍ ଆବାଜ ଶୁଭିଲା–

 

‘‘ଓ୍ୱାହ୍‍ ଗୁରୁଜୀ ଦୀ ଫତହ୍‍ ?

ଓ୍ୱାହ୍‍ ଗୁରୁଜୀ ଦା ଖାଲ୍‍ସା’’ (୧)

 

(୧)

ଶିଖମାନଙ୍କର ଏକ ପ୍ରାର୍ଥନା ।

 

ଆଉ ଧଡ଼ାଧଡ଼ି ବନ୍ଧୁକମାନଙ୍କରୁ ଫାୟା’ର୍‍ ଜର୍ମାନ୍‍ମାନଙ୍କ ପିଠି ଉପରେ ପଡ଼ିବାକୁ ଲାଗିଲା । ଏହି ଅବସ୍ଥାରେ ପଡ଼ିଯାଇ ଜର୍ମାନ୍‍ମାନେ ସତେ ଯେମିତି ଚକିର ଦି’ଫାଳ ମଝିରେ ପଡ଼ିଗଲେ । ପଛଆଡ଼ୁ ସେମାନଙ୍କ ଉପରେ ସୁବେଦାର ହଜାରା-ସିଂହଙ୍କ ଜଓ୍ୱାନ୍‍ମାନେ ନିଆଁ ବୃଷ୍ଟି କରୁଥାନ୍ତି; ଆଉ ଆଗ ଆଡ଼କୁ ଲହନାସିଂହର ସାଥୀମାନଙ୍କର ସଙ୍ଗୀନ୍‍-ଭୁଷା ଚାଲିଥାଏ । ପାଖକୁ ଆସିଯିବାରୁ ପଛଆଡ଼ର ଲୋକେ ବି ସଙ୍ଗୀନ୍‍ରେ ଭୁଷିବା ଆରମ୍ଭ କରିଦେଲେ । ଆହୁରି ଗୋଟାଏ ରଡ଼ି–

 

‘‘ଅକାଲ୍‍ ସିକ୍‍ଖାଁ ଦୀ ଫୌଜ୍‍ ଆଈ

ଓ୍ୱାହ୍‍ ଗୁରୁଜୀ ଦୀ ଫତହ୍‍ ।

ଓ୍ୱାହ୍‍ ଗୁରୁଜୀ ଦା ଖାଲ୍‍ସା ।

ସତ ଶ୍ରୀ ଅକାଲ ପୁରୁଖ– !!’’

 

ସେଉଠୁ ଯୁଦ୍ଧ ଶେଷ ହେଲା । ତେଷଠି ଜଣ ଜର୍ମାନ୍‍ ହୁଏତ ମରିଥିଲେ ନହେଲେ ମରଣ-ଚିତ୍କାର କରୁଥିଲେ । ଶିଖମାନଙ୍କ ଭିତରୁ ପନ୍ଦର ଜଣଙ୍କ ଜୀବନ ଗଲା । ସୁବେଦାରର କାନ୍ଧରେ ଗୁଳି ବାଜି ଆରପଟେ ଫୁଟି ବାହାରିଯାଇଥିଲା । ଲହନାସିଂହର ପଞ୍ଜରାହାଡ଼ରେ ଗୋଟାଏ ଗୁଳି ବାଜିଥିଲା । ସେ ସେଇ ଖଣ୍ଡିଆରେ ଖାଈର ଓଦାମାଟି ପୂରେଇଦେଲା; ଆଉ ଆରଟା ଉପରେ ତା’ପଗଡ଼ିକୁ କମରପଟି ବାନ୍ଧିଲା ପରି ଗୁରେଇଦେଲା । କେହି ଜାଣିପାରିଲେ ନାହିଁ ଯେ ଲହନାସିଂହ ଦେହରେ ଅନ୍ୟ ଗୋଟାଏ ଭାରି ଗୁରୁତର କ୍ଷତ ହୋଇଛି ।

 

ଲଢ଼େଇବେଳକୁ ଜହ୍ନ ଉଇଁସାରିଥିଲା । ସେଦିନ ଶେଷ ଜହ୍ନ ଥିଲା, ଯାହାକୁ ଦେଖି ସଂସ୍କୃତ କବିମାନେ ‘କ୍ଷୟୀ’ ବୋଲି ନାମ ଦେଇଥିଲେ; ଆଉ ପବନ ଏମିତି ଚାଲିଥାଏ, ବାଣଭଟ୍ଟଙ୍କ ଭାଷାରେ ଯାହାକୁ ‘ଦନ୍ତବୀଣୋପଦେଶାଚାର୍ଯ୍ୟ’ ବୋଲି କୁହାଯାଆନ୍ତା । ବଜୀରାସିଂ କହୁଥିଲା-ମହଣ ମହଣ ଫ୍ରାନ୍‍ସର ମାଟି ତା’ବୁଟ୍‍ ଜୋତାରେ ଲାଖିରହୁଥାଏ, ଯେତେବେଳେ ସେ ଦୌଡ଼ି ଦୌଡ଼ି ସୁବେଦାର ପାଖକୁ ଯାଉଥିଲା । ସୁବେଦାର ଲହନାସିଂହଠାରୁ ସବୁ କଥା ଶୁଣି ଆଉ କାଗଜପତ୍ର ଦେଖି ତା’ରବୁଦ୍ଧିକୁ ପ୍ରଶଂସା କରୁଥାଏ, ଆଉ କହୁଥାଏ, ଆଜି ତୁମେ ନଥିଲେ ସମସ୍ତେ ମରିଥାନ୍ତେ ।

 

ସେ ଲଢ଼େଇର ଶବ୍ଦ ତିନି ମାଇଲ ଦୂରରେ ଅନ୍ୟ ଟ୍ରେଞ୍ଚରେ ଥିବା ଲୋକେ ବି ଶୁଣିଥିଲେ । ସେମାନେ ପଛ ଘାଟିକୁ ଟେଲିଫୋନ୍‍ କରିଦେଇଥିଲେ । ସେଠୁ ଚଞ୍ଚଳ ଡାକ୍ତର ଓ ଦୁଇଟା ଆମ୍ୱୁଲାନ୍‍ସ ଗାଡ଼ି ଆସି ପହଞ୍ଚିଗଲା । ଫିଲ୍‍ଡ଼ ହସ୍‍ପାତାଳ ସେଠୁ ପାଖ, ସକାଳ ହେଉ ହେଉ ସେଠି ପହଞ୍ଚିଯିବେ; ତେଣୁ ମାମୁଲି ପଟି ବାନ୍ଧିଦେଇ ଗୋଟିଏ ଗାଡ଼ିରେ ଆହତ ସୈନିକମାନଙ୍କୁ ଶୁଆଇଦିଆଗଲା ଓ ଆରଟାରେ ମୁର୍ଦ୍ଦାରଗୁଡ଼ିକୁ ରଖାଗଲା । ସୁବେଦାର୍‍ ଚାହିଁଲା ଲହନାସିଂହର ଜଙ୍ଘରେ ପଟି ବନ୍ଧାହେଉ; କିନ୍ତୁ ଲହନାସିଂହ ଏଇଆ କହି ସେ ପ୍ରସ୍ତାବକୁ ଟାଳି ଦେଲା-ସାନ କ୍ଷତଟାଏ ତ ହୋଇଛି, ସକାଳୁ ଦେଖାଯିବ । ବୋଧାସିଂହ ଜରରେ ପଡ଼ିଥାଏ, ତାକୁ ଗାଡ଼ିରେ ଶୁଆଇଦିଆଗଲା । ଲହନାକୁ ଛାଡ଼ି ସୁବେଦାର ଯିବାକୁ ଚାହୁଁ ନାହିଁ ।

 

ତାହା ଦେଖି ଲହନା କହିଲା, ‘‘ତମୁକୁ ବୋଧାସିଂହ ରାଣ ଆଉ ତୁମ ଭାରିଯା ରାଣ, ୟେ ଗାଡ଼ିରେ ତୁମେ ଚାଲିଯାଅ ।’’

 

‘‘ଆଉ ତୁମେ ?’’

 

‘‘ତୁମେ ସେଠି ପହଞ୍ଚିଗଲେ ମୋ ପାଇଁ ଗାଡ଼ି ପଠାଇଦେବ । ଆଉ ଜର୍ମାନ୍‍ ମୃର୍ଦ୍ଦାରଙ୍କ ପାଇଁ ବି ତ ଗାଡ଼ିସବୁ ଆସୁଥିବ । ମୋ ଅବସ୍ଥା ଖରାପ ନାହିଁ; ଦେଖୁନା, ମୁଁ ଠିଆହୋଇଛି, ବଜୀରାସିଂହ ବି ମୋ ପାଖରେ ଅଛି ।’’

 

‘‘ଆଚ୍ଛା, କିନ୍ତୁ...’’

 

‘‘ବୋଧା ଗାଡ଼ିରେ ଶୋଇଲାଣି ତ ? ଆଚ୍ଛା, ଏଥର ତୁମେ ବି ଚଢ଼ିଯାଅ । ଶୁଣ, ସୁବେଦାରନୀ ହୋରାଙ୍କୁ ଯଦି ଚିଠି ଦେବ ତେବେ ମୋ ନମସ୍କାର ଜଣାଇବ । ଆଉ, ଯେତେବେଳେ ତୁମେ ଘରକୁ ଯିବ ସେତେବେଳେ ତାଙ୍କୁ କହିଦେବ ଯେ ସେ ମତେ ଯାହା କହିଥିଲେ ମୁଁ ତା’କରିଦେଲି ।’’

 

ଗାଡ଼ିସବୁ ଯିବାକୁ ବସିଲାଣି । ସୁବେଦାର ଗାଡ଼ିରେ ଚଢ଼ୁ ଚଢ଼ୁ ଲହନାର ହାତ ଧରିପକାଇ କହିଲା, ‘‘ତୁମେ ମୋର ଆଉ ବୋଧାର ପ୍ରାଣ ରକ୍ଷାକଲ । ମୁଁ ଲେଖିବି କ’ଣ–ଏକାସଙ୍ଗରେ ତ ଘରକୁ ଫେରିବା ! ତୁମେ ତୁମ ସୁବେଦାରନୀକୁ ନିଜେ କହିବ ସେ କ’ଣ କହିଥିଲେ ।’’

 

‘‘ଏଥର ତୁମେ ଗାଡ଼ିରେ ଚଢ଼ିଯାଅ । ମୁଁ ଯାହା କହିଲ ସେଇଆ ଲେଖିଦେବ ଆଉ କହି ବି ଦେବ ।’’

 

ଗାଡ଼ି ଚାଲିଯିବା ସଙ୍ଗେ ସଙ୍ଗେ ଲହନା ଶୋଇପଡ଼ିଲା ।

 

‘‘ବଜୀରା ! ପାଣି ପିଆଇ ଦେ ଆଉ ମୋ କମରପଟି ଖୋଲି ଦେ । ଓଦା ହୋଇ ଗଲାଣି ।’’

 

ମୃତ୍ୟୁର କିଛି ସମୟ ଆଗରୁ ସ୍ମୃତି ଖୁବ୍‍ ପରିଷ୍କାର ହୋଇଯାଏ । ଜନ୍ମଯାକର ଘଟନା ଗୋଟି-ଗୋଟିକରି ସାମନାକୁ ଚାଲିଆସେ । ସାରା ଦୁନିଆର ରଙ୍ଗ ପରିଷ୍କାର ହୋଇ ଦିଶେ । ସମୟର କୁହୁଡ଼ି ବିଲ୍‍କୁଲ୍‍ ତହିଁରୁ ଛାଡ଼ିଯାଏ ।

 

ଲହନାସିଂହ ବାରବର୍ଷର ହୋଇଥିଲା । ଅମୃତସରରେ ମାମୁଘରକୁ ଆସିଥାଏ । ଦହି ଦୋକାନରେ, ପରିବା ଦୋକାନରେ ପ୍ରତି ଜାଗାରେ ତା’ରଗୋଟିଏ ଆଠ ବର୍ଷର ଝିଅର ଝିଅ ସଙ୍ଗେ ଭେଟ ହେଉଥାଏ । ସେ ଯେତେବେଳେ ପଚାରେ-‘ତୋ ବାହାଘର ହେଲାଣି ?’ ସେତେବେଳେ ଧ୍ୟାତ୍‍’ ବୋଲି କହି ସେ ପଳାଇଯାଏ । ଦିନେ ସେ ଯେମିତି ପଚାରିଛି ସେମିତି ଝିଅଟି କହିଲା-‘ହଁ ହେଲାଣି, ଦେଖୁନା ୟେ ରେଶମ ଫୁଲବାଲା ଶାଲ ?’ ଶୁଣିଲାକ୍ଷଣି ଲହନାସିଂହ ମନରେ ଦୁଃଖ ହେଲା, ରାଗ ହେଲା । କାହିଁକି ହେଲା ?

 

‘‘ବଜୀରା ସିଂ, ପାଣି ପିଆଇ ଦେ ।’’

 

ପଚିଶ ବର୍ଷ ବିତିଗଲା । ସେତେବେଳକୁ ଲହନାସିଂହ ନଂ ୭୭ ରାଇଫ୍ଳ୍ ସ୍‍ ରେ ଜମାଦାର ହେଲାଣି । ସେ ଆଠ ବର୍ଷର କନ୍ୟା କଥା ଆଉ ମନେନଥିଲା; ଜଣାନାହିଁ କେବେ ଦେଖା ହୋଇଥିଲା କି ନାହିଁ । ସାତଦିନ ଛୁଟି ନେଇ ଜମି ମକଦ୍ଦମା ବୁଝାବୁଝି କରିବାଲାଗି ସେ ତା’ଘରକୁ ଗଲା । ସେଠି ତା’ରେଜିମେଣ୍ଟ୍ ଅଫିସରଠୁଁ ଚିଠି ପାଇଲା ‘ଫଉଜ ଯୁଦ୍ଧକୁ ଯାଉଛି, ଶୀଘ୍ର ଚାଲିଆସ-।’ ସଙ୍ଗେ ସଙ୍ଗେ ସୁବେଦାର ହଜାରାସିଂହର ଚିଠି ମିଳିଲା, ‘ମୁଁ ଆଉ ବୋଧାସିଂହ ବି ଯୁଦ୍ଧକୁ ଯାଉଛୁଁ-। ଆସିଲାବେଳେ ଆମ ଘରବାଟେ ଆସିବ, ଏକା ସଙ୍ଗରେ ଯିବା ।’ ସୁବେଦାରର ଗାଁ ବାଟରେ ପଡ଼େ ଓ ସୁବେଦାର ତାକୁ ଖୁବ୍‍ ଭଲପାଏ । ଲହନାସିଂହ ସୁବେଦାରର ଘରେ ପହଞ୍ଚିଲା । ସେ ଆସିଲାବେଳେ ସୁବେଦାର ତା’ହତା’ଭିତରୁ ବାହାରି ତା’ପାଖକୁ ଆସିଲା, କହିଲା-‘‘ଲହନା, ସୁବେଦାର୍‍ନୀ ତମୁକୁ ଚିହ୍ନିଛି, ଡାକୁଛି, ଯାଇ ଦେଖା କରି ଆସ ।’’ ଲହନାସିଂହ ଭିତରକୁ ଗଲା । ସୁବେଦାର ଭାରିଯା ମତେ ଚିହ୍ନିଛି ? କେବଠୁଁ ? ରେଜିମେଣ୍ଟ୍ ର କ୍ୱାର୍ଟରମାନଙ୍କରେ ତ କେବେ ସୁବେଦାରର ଘରମଣିଷ ରହିନାହାନ୍ତି ?

 

ଦୁଆରମୁହଁକୁ ଯାଇ ‘ଦଣ୍ଡବତ’ କହିଲା । ଆଶୀର୍ବାଦ ଶୁଣିଲା । ଲହନାସିଂହ ତୁନି ହେଲା-

 

‘ମତେ ଚିହ୍ନିଲ ?’

 

‘ନାଁ ।’

 

‘ତୋ ବାହାଘର ହେଲାଣି ? ଧ୍ୟାତ୍‍...କାଲି ହେଲା...ଦେଖୁନ ରେଶମି ସୂତାରେ ଫୁଲ ପଡ଼ିଛି ଏ ଶାଲରେ....ଅମୃତସରରେ...’ ପାଦ ଶବ୍ଦରେ ତା’ରଆଖି ଖୋଲିଲା । ସେ କର ଲେଉଟାଇଲା । ପଞ୍ଜରାହାଡ଼ର କ୍ଷତରୁ ରକ୍ତଧାର ଛୁଟିଲା ।

 

‘‘ବଜୀରା, ପାଣି ପିଆ...ସେ କହିଥିଲା ।’’

 

ସ୍ୱପ୍ନ ଚାଲିଛି । ସୁବେଦାରର ଭାରିଯା କହୁଛି ...

 

‘ତୁମେ ଆସୁ ଆସୁ ମୁଁ ଚିହ୍ନି ପକାଇଲି । ଗୋଟିଏ କାମ କରିବ ବୋଲି ତୁମକୁ କହୁଛି । ମୋର ତ କପାଳ ଫାଟିଗଲା । ସରକାର ‘ବାହାଦୁର୍‍’ ବୋଲି ଉପାଧି ଦେଇଛନ୍ତି, ଲୟା’ଲ୍‍ପୁର୍‍ ରେ ଜମି ଦେଇଛନ୍ତି, ନିମକ୍‍ସଚ୍ଚା ବୋଲି ଦେଖେଇ ହେବା ଲାଗି ସୁଯୋଗ ଆଜି ଆସିଛି । କିନ୍ତୁ ସରକାର ଆମର ଘଘରିୟା’ ପଲଟଣକୁ କାହିଁକି ଯିବାକୁ ନକହିଲେ ! ତେବେ ତ ମୁଁ ବି ସୁବେଦାର ସଙ୍ଗରେ ଯାଇଥାନ୍ତି ? ଗୋଟିଏ ପୁଅ । ଫଉଜ୍‍ରେ ବର୍ଷେ ହେଲା ଭର୍ତ୍ତି ହୋଇଛି; ତା’ତଳେ ଆଉ ଚାରିଟା ଜନ୍ମ ହେଲେ ଯେ ଗୋଟାଏ ବୋଲି ବଞ୍ଚିଲେ ନାହିଁ ।’ ସୁବେଦାର ଭାରିଯା କାନ୍ଦିଲା- ‘ଅଇଛା ବାପ ପୁଅ ଦିହେଁ ଯାଉଛନ୍ତି । ମୋର କ’ଣ ମାଗୁଣି ତୁମକୁ ? ତମର ମନେଅଛିଟି ? ଦିନେ ଟାଂଗାବାଲାର ଘୋଡ଼ାଟା ଦହିବାଲାର ଦୋକାନ ପାଖରେ ବିଗିଡ଼ିଗଲା । ସେଦିନ ତୁମେ ମୋ ଜୀବନ ବଞ୍ଚାଇଥିଲ । ନିଜେ ଘୋଡ଼ାର ନାତ ଖାଇଲ ଆଉ ମତେ ଟେକି ନେଇ ଦୋକାନରେ ଖଟ ଉପରେ ଠିଆକରାଇଦେଲ । ସେମିତି ଏ ଦିହିଁକି ତମେ ବଞ୍ଚାଇବ । ତମୁକୁ ଲାଗିଲେ-ଏତିକି ମୋ ଭିକ୍ଷା । ତୁମ ଆଗରେ ମୁଁ କାନିପାରି ଭିକ ମାଗୁଛି ।’

କାନ୍ଦି କାନ୍ଦି ଅଥୟ ହୋଇ ସୁବେଦାର ଭାରିଯା ଚାଲିଗଲା । ଲହନା ବି ଆଖି ପୋଛି ପୋଛି ପଦାକୁ ଆସିଲା ।

‘‘ବଜୀରାସିଂ, ପାଣି ପିଆଇ ଦେ...ସେ କହିଥିଲା ।’’

ଲହନାର ମୁଣ୍ଡକୁ ନିଜ କୋଡ଼ରେ ଧରି ବଜୀରାସିଂହ ବସିଥାଏ । ଯେତେବେଳେ ମାଗୁଛି ସେ ସେତେବେଳେ ପାଣି ପିଆଇଦେଉଛି । ଅଧଘଣ୍ଟାଯାକେ ଲହନା ତୁନି ହୋଇ ରହିଲା । ପୁଣି କହିଲା–

‘‘କିଏ–କୀରତ୍‍ସିଂହ ?’’

ବଜୀରା କ’ଣ ବୁଝିପାରି କହିଲା, ‘‘ହଁ ।’’

‘‘ଭାଇ, ମତେ ଟିକିଏ ଟେକିଦେ, ତୋ ଜଂଘ ଉପରେ ମୋ ମୁଣ୍ଡ ଥୋଇଦେ ।’’ ବଜୀରା ସେହିପରି କଲା ।

‘‘ହଁ, ଅଇଛା ଠିକ୍‍ ହେଲା । ପାଣି ପିଆଇ ଦେ । ଏଥରକ ହାଡ଼ ପାଇ ସେ ଆମ୍ୱ ଖୁବ୍‍ ଫଳିବ । ଦାଦି ପୁତୁରା ଏଇଠି ବସି ଆମ୍ୱ ଖାଇବ । ତୋ ପୁତୁରା ଯେଡ଼ିକି, ୟେ ଆମ୍ୱଗଛ ବି ସେଡ଼ିକି । ଯେଉଁ ମାସରେ ତା’ଜନ୍ମ ମୁଁ ସେହି ମାସରେ ଏ ଗଛ ଲଗାଇଥିଲି ।’’

ବଜୀରାର ଆଖିରୁ ଟପ-ଟପ ହୋଇ ଲୁହ ଗଡି ଚାଲିଥାଏ ।

କେତେ ଦିନ ପରେ ଲୋକେ ଖବରକାଗଜରେ ପଢ଼ିଲେ–ଫ୍ରାନ୍‍ସ ଆଉ ବେଲଜିଅମ୍‍-ମୃତଲୋକଙ୍କ ୬୮ତମ ତାଲିକା-ଯୁଦ୍ଧକ୍ଷେତ୍ରରେ ଆହତ ହୋଇ ମଲେ ନଂ ଶିଖ୍‍ ରାଇଫଲ୍‍ ଜମାଦାର ଲହନାସିଂହ ।

Image

 

କଫନ୍‍

(ପ୍ରେମଚନ୍ଦ)

 

କୁଡ଼ିଆ ଦୁଆରମୁହଁରେ ବାପ-ପୁଅ ଦିହେଁ ଗୋଟାଏ ନିଭିଲା ଉହ୍ମେଇ ଆଗରେ ତୁନିତାନି ହୋଇ ବସିଥାନ୍ତି ଆଉ ଭିତରେ ଯୁବତୀ ବୁଧିଆ ପ୍ରସବ-ବେଦନାରେ ବାଡ଼େଇ କଚାଡ଼ି ହେଉଥାଏ । ରହିରହିକା ତା’ତୁଣ୍ଡରୁ ଏମିତି ପ୍ରାଣଥରା ବୋବାଳି ବାହାରୁଥାଏ ଯେ ଦିହିଁଙ୍କ ଛାତିର ଦୁକ୍‍ଦୁକି ବନ୍ଦ ହୋଇଯାଉଥାଏ । ଶୀତଦିନ ରାତି, ପ୍ରକୃତି ନିସ୍ତବ୍‍ଧତାରେ ବୁଡ଼ିଥାଏ । ଗାଁ ଗୋଟାକଯାକ ଅନ୍ଧାରରେ ମିଶି-ଯାଇଥାଏ ।

 

ଘିସୁ କହିଲା-‘‘ଲାଗୁଛି, ଆଉ ବଞ୍ଚିବ ନାହିଁ । ଦିନ ଗୋଟାକଯାକ ତ ଦୌଡ଼ି ଦୌଡ଼ି ଗଲା । ଗଲୁରେ ବାବୁ, ଦେଖିବୁ !’’

 

ମାଧବ ଚିଡ଼ିଉଠି କହିଲା-‘‘ମରିବା କଥା ତ ଝଅଟ ନମରୁଛି କାହିଁକି ? ମୁଁ ଯାଇ ଦେଖିଲେ ଆଉ କଣ୍‍ଟା କରିପକେଇବି ?’’

 

‘‘ଭାରି ନିଷ୍ଠୁର ରେ ତୁ । ସାତ ସାତ ବର୍ଷ ଯାହା ସାଙ୍ଗରେ ସୁଖ କଲୁ, ତା’ପାଇଁ ଟିକିଏ ବୋଲି ସୋଗ ନାହିଁ, ହଇରେ ?’’

 

‘‘ତା’ଛଟପଟ କଲବଲ, ତା’ହାତଗୋଡ଼ ବାଡ଼ିଆ କଚଡ଼ା ମୁଁ ଆଖିରେ ଦେଖି ପାରିବି ନାହିଁ ।’’

 

ଚମାରକୁଳ, ତାଙ୍କର ପୁଣି ଗାଁଯାକରେ ବଦ୍‍ ନାମ । ଘିସୁ ଦିନେ କାମ କଲେ ତିନିଦିନ ଆରାମରେ ବସେ । ମାଧବ କାମକୁ ଏଡ଼ିକି ଚୋର ଯେ ଅଧଘଣ୍ଟାଏ କାମ କଲେ ଘଣ୍ଟାଏ ଚିଲମ ଟାଣେ । ଏହି କାରଣରୁ ସେମାନଙ୍କୁ କେଉଁଠି କାମଦାମ ମିଳେ ନାହିଁ । ଘରେ ଯଦି ଖାଇବାକୁ ମୁଠାଏ ବି ଥାଏ, ତେବେ ସତେ ଯେମିତି ସେମାନେ କାମ ନକରନ୍ତୁ ବୋଲି କିଏ ରାଣ ପକାଇଛି । ଯଦି ଦି’ଚାରିଦିନ ମାହାଳିଆ ଯାଏ ତେବେ ଘିସୁ ଗଛରେ ଚଢ଼ି କାଠ ଭାଙ୍ଗି ଆଣେ ଆଉ ମାଧବ ନେଇ ତାକୁ ବଜାରରେ ବିକେ । ଆଉ ଯେତେବେଳଯାଏ ସେ ପଇସାତକ ଥାଏ ସେତେବେଳଯାଏ ଦିହେଁ ତୁଚ୍ଛାଟାରେ ଏଣେତେଣେ ବୁଲୁଥାନ୍ତି । ଯେତେବେଳେ ପୁଣି ଉପାସ ରହିବା ବେଳ ଆସେ ସେତେବେଳେ ପୁଣି କାଠ କାଟନ୍ତି; ନହେଲ କାମ ଖୋଜନ୍ତି । ଗାଁରେ କାମଦାମ କମ୍‍ ନଥାଏ । ଚାଷୀମାନଙ୍କ ଗାଁ, କାମିକା ଲୋକ ପାଇଁ ପଚାଶ ପ୍ରକାର କାମ; କିନ୍ତୁ ସେ ଦିହିଙ୍କି ଲୋକେ ସେତିକିବେଳେ ଡାକନ୍ତି ଯେତେବେଳେ ଦିଜଣ ଲୋକଙ୍କୁ କାମରେ ଲଗାଇ ଜଣେ ଲୋକର କାମ ପାଇଲେ ବି ମନ ସନ୍ତୋଷ କରିବା ଛଡ଼ା ଅନ୍ୟ ଚାରା ନଥାଏ । କିନ୍ତୁ ଏ ଦିହେଁ ଯଦି ବାବାଜୀ ହୋଇଥାନ୍ତେ ତେବେ ତ ତାଙ୍କର ସନ୍ତୋଷ କି ଧୈର୍ଯ୍ୟ ଲାଗି ସଂଯମ କି ନିୟମ ମାନିବା ଆଦୌ ଦରକାର ପଡ଼ିନଥାନ୍ତା । ତାଙ୍କର ନୀତିହିଁ ତ ଏଇଆ ଥିଲା ।

ବିଚିତ୍ର ଜୀବନ ଥିଲା ତାଙ୍କର । ଘରେ ଦି’ଚାରିଟା ମାଟି ହାଣ୍ଡି ଛଡ଼ା ଅନ୍ୟ କୌଣସି ସମ୍ପତ୍ତି ନଥିଲା । ଛିଣ୍ଡା ଲେଙ୍ଗୁଟିରେ ଆପଣା ଆପଣା ନଗ୍ନତାକୁ ଘୋଡ଼େଇ ସେମାନେ ଦିନ ବଞ୍ଚୁ ଥିଲେ । ସଂସାର-ଚିନ୍ତାରୁ ସେମାନେ ମୁକ୍ତ । କରଜରେ ବୁଡ଼ିଯାଇ ସେମାନେ ଗାଳି ଖାଆନ୍ତି, ମାଡ଼ ବି ଖାଆନ୍ତି; କିନ୍ତୁ ତହିଁରେ ସେମାନଙ୍କର ମନରେ ଦୁଃଖ ନଥାଏ । ତାଙ୍କଠୁଁ କୌଣସି ପାଉଣା ଅସୁଲ ହେବାର ଆଶା ନଥାଇ ସୁଦ୍ଧା ଲୋକେ ତାଙ୍କୁ କିଛି ହେଲେ ଋଣ ଦିଅନ୍ତି । କ୍ଷେତରେ ମଟରଛୁଇଁ ଆଉ ଆଳୁ ଫସଲ ହେଲେ ଏମାନେ ପର ଜମିରୁ ମଟର କି ଆଳୁ ଚୋରେଇ ଆଣୁଥିଲେ ଓ ତାକୁ ପୋଡ଼ି ଦେଇ ଖାଇଦେଉଥିଲେ । ନହେଲେ ପାଞ୍ଚ ଦଶ ଗଛ ଆଳୁ ଉପାଡ଼ିଆଣୁଥିଲେ ଆଉ ରାତିରେ ତାକୁ ଚୋବେଇ ଚୋବେଇ ରସ ଶୋଷୁଥିଲେ । ଘିସୁ ଏହି ଆକାଶ-ବୃତ୍ତି କରି କରି ଷାଠିଏ ବର୍ଷ ବୟସ କଟାଇ ସାରିଥିଲା, ଆଉ ମାଧବ ବି ଯୋଗ୍ୟପୁତ୍ର ପରି ବାପର ପାଦଚିହ୍ନ ଅନୁସରଣ କରି କରି ଚାଲୁଥିଲା; କିନ୍ତୁ ତା’ନାଁରେ ଆହୁରି ବେଶି ହୁରି ପଡ଼ିଥିଲା । ସେତେବେଳେ ବି ସେମାନେ ଉହ୍ମେଇଁ ନିଆଁ ପାଖେ ବସି ଆଳୁ ପୋଡ଼ୁଥିଲେ । ସେସବୁ କାହା କ୍ଷେତରୁ ଖୋଳି-ଆଣିଥିଲେ ।

ଘିସୁ ଭାରିଯା ତ କେଉଁଦିନୁଁ ମଲାଣି । ସେ ମରିବାର ବର୍ଷେ ପୂର୍ବରୁ ମାଧବର ବିଭାଘର ହୋଇଥିଲା । ସେ ଭୁଆଷୁଣୀଟି ଆସିଲାଦିନଠୁଁ ଖାନ୍‍ଦାନ୍‍ ଲୋକଙ୍କ ଘରେ କିଛି ବ୍ୟବସ୍ଥାର ମୂଳଦୁଆ ପକାଇ ଦେଇଥିଲା । କାହାର ଗହମ ପେଷି କି ଘାସ କାଟି ସେ ସେରେ ପାଏ ଅଟା ଯୋଗାଡ଼ କରିପକାଏ; ଆଉ ଦିଜଣ ଅଭ୍ୟାଗତଙ୍କୁ ଦିଓଳି ଭୋଜନ ଦିଏ । ଯେଉଁଦିନୁ ସେ ଆସିଲାଣି ଏ ଦୁହେଁ ଆହୁରି ଅଳସୁଆ ଆଉ ମଉଜ କରିବା ମଣିଷ ହୋଇଗଲେଣି; ବରଂ ସେମାନେ ଆଗଠୁଁ ଆହୁରି ଗୋଡ଼ ଲମ୍ୱାନ୍ତି । କିଏ ଯଦି କାମ କରିବାକୁ ଡାକିଲା ତ ମଗରା ହୋଇ ଦିଗୁଣ ମଜୁରି ହାଙ୍କନ୍ତି ।

ସେହି ମାଇପିଟି ଆଜି ପ୍ରସବ-ବେଦନାରେ ମରୁଥିବାବେଳେ, ଏ ଦିହେଁ ବୋଧହୁଏ ଏଇଆ ମନାସୁଥାଆନ୍ତି ଯେ, ସେ ମରିଗଲେ ସେମାନେ ଟିକିଏ ଆରାମରେ ଶୁଅନ୍ତେ ।

ଘିସୁ ଆଳୁକୁ କାଢ଼ି ଆଣି ଚୋପା ଛଡ଼ାଉ ଛଡ଼ାଉ କହିଲା, ‘‘ଆରେ ଯାଇ ଦେଖ୍‍ ରେ ଟିକିଏ, ତା’ଅବସ୍ଥା କେମିତି ହେଲାଣି । ପେତିନି-ଫେତିନି ଗ୍ରାସିଥିବମ, ନଇଲେ ଆଉ କ’ଣ ? ଏଠି ତ ଗୁଣିଆଁ ଟଙ୍କାଟାଏ ହାଙ୍କିବ ।’’

ମାଧବର ଡର ଯେ କାଳେ ସେ ବଖୁରି ଭିତରେ ପଶିଲେ ଘିସୁ ସେ ଆଳୁରୁ ବଡ଼ ଭାଗକ ପାଟିରେ ପକାଇଦେବ । କହିଲା, ‘‘ମତେ ସେଠିକି ଯିବାକୁ ଡର ମାଡ଼ୁଛି ।’’

 

‘‘କି ଡରରେ ? ମୁଁ ପରା ଏଠି ଅଛି ।’’

 

‘‘ହଉ, ହେଲେ ତୁ ହେଲେ ଯାଇ ଦେଖୁନୁ !’’

 

‘‘ମୋ ଭାରିଯା ଯେତେବେଳେ ମଲା ସେତେବେଳେ ମୁଁ ତିନିଦିନଯାକେ ତା’କତିରୁ ଟିକିଏ ହେଲେ ଘୁଞ୍ଚିନାହିଁ । ହଇରେ, ମତେ ଲାଜ ମାଡ଼ିବ ନାଇଁ ? ଯାହା ମୁହଁ ମୁଁ କେବେ ଦେଖିନାହିଁ ଆଜି ତା’ମୁକୁଳା ଦେହଟା ଦେଖିବି ? ତା’ଦେହରେ ତ ପିନ୍ଧାଲୁଗା ବି ନଥିବ । ମତେ ଦେଖି ପକାଇବ ତ ମନଇଚ୍ଛା ହାତଗୋଡ଼ ଛାଟି ପାରିବ ନାହିଁ ।’’

 

‘‘ମୁଁ ଭାବୁଛି, ଯଦି ଛୁଆପିଲା ଜନ୍ମ ହୋଇପଡ଼ିବ, କ’ଣ ହେବ ? ଶୁଣ୍ଠି, ଗୁଡ଼, ତେଲ, କିଛି ହେଲେ ତ ଘରେ ନାହିଁ ।’’

 

‘‘ଆରେ ସବୁ ଚାଲିଆସିବ । ଭଗବାନ ଦେବେ । ଯେଉଁ ଲୋକେ ଏପର୍ଯ୍ୟନ୍ତ ପଇସାଟିଏ ଦେଇନାହାନ୍ତି ସେ ବି କାଲି ନିଜ ମନକୁ ଡାକିକରି ଟଙ୍କାଟାଏ ଦେବେ । ମୋର ବି ପୁଅ ଜନ୍ମ ହେଲାବେଳେ ଘରେ କେବେ କିଛି ନଥାଏ; କିନ୍ତୁ ଭଗବାନ କୌଣସିମତେ ସବୁ ଅସୁବିଧାରୁ ପାରିକରିଦିଅନ୍ତି ।’’

 

ଯେଉଁ ସମାଜରେ ଦିନରାତି ପରିଶ୍ରମ କରୁଥିବା ଲୋକଙ୍କ ଅବସ୍ଥା ଏମାନଙ୍କ ଅବସ୍ଥାଠୁଁ କିଛି ହେଲେ ବେଶି ଭଲ ନଥିଲା, ଅଥଚ ଯେଉଁ ଲୋକେ ଚାଷୀମାନଙ୍କ ଦୁର୍ବଳପଣିଆରୁ ଲାଭ ଉଠାଇ ଜାଣୁଥିଲେ, ଚାଷୀମାନଙ୍କ ତୁଳନାରେ ଓଲଟି ତାଙ୍କରି ଅବସ୍ଥା ବେଶି ସ୍ୱଚ୍ଛଳ ଥିଲା, ସେ ସମାଜରେ ଏଭଳି ମନୋବୃତ୍ତି ଜନ୍ମ ହେବା କିଛି ଆଶ୍ଚର୍ଯ୍ୟ ନଥିଲା ।

 

ମୁଁ ତ କହିବି ଯେ ଚାଷୀମାନଙ୍କଠୁଁ ଘିସୁ ବେଶି ବିଚାରବନ୍ତ ଥିଲା । ତେଣୁ ଚାଷୀମାନଙ୍କ ବିଚାରଶୂନ୍ୟ ଦଳରେ ସେ ସାମିଲ୍‍ ନହୋଇ ବସିଖାଇବା ଲୋକଙ୍କ କୁତ୍ସିତ ଶ୍ରେଣୀରେ ଯାଇ ମିଶିଥିଲା । ତେବେ ତାଠିଁ ଏଭଳି ଶକ୍ତି ନଥିଲା ଯେ ବସିଖାଇବା ଲୋକଙ୍କ ନିୟମ ଆଉ ନୀତି ସେ ପାଳନ କରନ୍ତା । ତେଣୁ ଯେଉଁ ସ୍ଥାନରେ ସେ ଶ୍ରେଣୀର ଲୋକେ ଗାଁର ବଡ଼ମଣିଷ ଆଉ ମୁଖିଆ ହୋଇ ରହିଥିଲେ ସେମାନଙ୍କ ଆଡ଼କୁ ଗାଁଯାକର ଲୋକେ ଆଙ୍ଗୁଠି ଦେଖାଉଥିଲେ । ଅଥଚ ଘିସୁର ସରଳତା’ଓ ନିରୀହତାରୁ ଅନ୍ୟ ଲୋକେ ଯେ ଅନୁଚିତ ଲାଭ ଉଠାଉ ନଥିଲେ ତା’ନୁହେଁ ।

 

ଦିହେଁ ଆଳୁ କାଢ଼ି କାଢ଼ି ତାକୁ ସେମିତି ତତଲା-ତତଲା ଖାଇ ଦେଉଥାନ୍ତି । ଆଗରୁ କିଛି ଖାଇ ନଥିଲେ । ଆଳୁଗୁଡ଼ାକ ଥଣ୍ଡା ହେଉ ଖାଇବା ବୋଲି ତାଙ୍କର ତର ସହୁ ନଥିଲା । କେତେଥର ଦିହିଙ୍କ ପାଟି ପୋଡ଼ିଯାଇଥିଲା । ଚୋପା ଛଡ଼େଇଲେ ଆଳୁର ବାହାର ପାଖ ସିନା ବେଶି ଗରମ ଜଣାପଡ଼ୁନଥାଏ; କିନ୍ତୁ ଦାନ୍ତ ପକାଇଦେଲେ ଆଳୁର ଭିତର ପଟ ଜିଭ, ଗାଲ, ଆଉ ତାଳୁକୁ ପୋଡ଼ି ପକାଉଥାଏ । ସେ ରଡ଼ ଅଙ୍ଗାରକୁ ପାଟି ଭିତରେ ରଖିବାଠୁଁ ବେଶି ହିତକର କେମିତି ସେ ଚଞ୍ଚଳ ଚଞ୍ଚଳ ପେଟ ଭିତରେ ପହଞ୍ଚିଯାଉ । ସେଠି ତାକୁ ଥଣ୍ଡା କରିବାକୁ ପ୍ରଚୁର ପଦାର୍ଥ ଅଛି । ତେଣୁ ଦିହେଁ ଜଲଦି ଜଲଦି ଗିଳିପକାଉଥିଲେ । ଏମିତି ତରତର ହୋଇ ଖାଉ ଖାଉ ସେମାନଙ୍କ ଆଖିରୁ ପାଣି ନିଗିଡ଼ି ପଡ଼ୁଥାଏ ।

 

ଏତିକିବେଳେ ଘିସୁର ମନେପଡ଼ିଗଲା ଜମିଦାର ଘର ବାହାଘର-ଯେଉଁଠିକି ପଚିଶ ବର୍ଷ ତଳେ ସେ ଯାଇଥିଲା । ସେତେବେଳେ ତାକୁ ଯେଉଁ ତୃପ୍ତି ମିଳିଥିଲା ସେଇଟା ତା’ଜୀବନଯାକ ମନେ ରହିଲାଭଳି; ଆଉ ଆଜି ବି ତା’ସ୍ମୃତି ଥିଲା ସତେଜ । କହିଲା, ‘‘ସେ ଭୋଜି ଆଉ ଭୁଲିହେବ-? ଆଉ ସେମିତିଆ ପେଟପୂରା ଖାନା କେବେ ମିଳିନାହିଁ । ଝିଅବାଲା ସମସ୍ତିଙ୍କୁ ପେଟପୂରା ଖୁଆଇଲା, ଶୁଦ୍ଧ ଘିଅରେ ତିଆରି ପୁରି ଯାହାକୁ ଯେତେ । ଚଟଣି, ରାଇ, ତିନି ପ୍ରକାର ଶାଗ, ଗୋଟାଏ ମସଲାଦିଆ ତରକାରି, ଦହି, ମିଠେଇ । କ’ଣ କହିବି ସେ ଭୋଜିରେ କେଡ଼େ ସୁଖ ! ଏତିକି ସେତିକି ବୋଲି ମପାଚୁପା କଣ୍ଟାକଣ୍ଟି ନୁହେଁ । ଯେଉଁଟା ମନ ହେଉଛି ମାଗ, ଯେତେ ଇଚ୍ଛା ମାଗ, ଖାଅ । ଲୋକେ ଏମିତି ଖାଇଗଲେ । ଏତେ ଖାଇଲେ ଯେ କେହି କେହି ପାଣି ପିଇନାହାନ୍ତି । ପରଶୁଣିମାନେ ଆହୁରି ପୁଣି ପ୍ରତି ପତରରେ ଗରମ ଗରମ ଗୋଲ ଗୋଲ ବାସ୍ନା କଚୁଡ଼ି ଅଜାଡ଼ି ଦେଇଗଲେ । ଯେତେ ମନା କରୁଥା ନାହିଁ ନାହିଁ ଦରକାର ନାହିଁ ବୋଲି-ପତର ଉପରେ ହାତ ବଢ଼ାଇ ଯେତେ ଅଟକାଅ, ତଥାପି ସେମାନେ ଅଜାଡ଼ି ଦେଇଯାଉଥାନ୍ତି । ସେଉଠୁ ଖାଇସାରି ଯେମିତି ମୁହଁ ଧୋଇଲି ସେମିତି ପାନ ଅଳେଇଚ ମିଳିଗଲା, କିନ୍ତୁ ସେତେବେଳେ ଆଉ ମୋର ପାନ ଖାଇବା ଅବସ୍ଥା କେଉଁଠୁ ଥିଲା ? ଠିଆ-ହୋଇ ପାରୁନଥିଲି । ମୁଁ ଝଅଟ୍‍ ଚାଲିଯାଇ ମୋ କମ୍ୱଳ ଉପରେ ଗଡ଼ିପଡ଼ିଲି । ଏଡ଼େ ଦିଲ୍‍ ଦାରିଆ ଥିଲା ସେ ଜମିଦାର ।’’

 

ମାଧବ ମନେ ମନେ ସେସବୁ ପଦାର୍ଥ ଉପଭୋଗ କରୁ କରୁ କହିଲା-‘‘ଆଜିକାଲି ଆମୁକୁ ଆଉ କେହି ସେମିତିଆ ଭୋଜି ଦଉନାହାନ୍ତି ।’’

 

‘‘ଏବେ ଆଉ କିଏ କ’ଣ ଖାଇବାକୁ ଦବ ? ଏବେ ତ ସମସ୍ତଙ୍କ ଆଖିକୁ ଖାଲି ଲାଭଟା ଦିଶୁଛି । କ’ଣ ନା, ବାହାଘରେ ଖର୍ଚ୍ଚ କରନା, କ୍ରିୟା’କର୍ମରେ ଖର୍ଚ୍ଚ କରନା । ଭଲା ପଚାରିଲ ତାଙ୍କୁ, ଗରିବଙ୍କ ଜିନିଷ ଠୁଳ କରି କରି କୋଉଠି ରଖିବେ ? ଠୁଳ କରିବାର ତ ଊଣା ନାହିଁ; ଖର୍ଚ୍ଚ କଲାବେଳକୁ ଲାଭଟା ଆଖିକି ଦିଶୁଛି ।’’

 

‘‘ତୁ କୋଡ଼ିଏଟାଯାକେ ପୁରି ଖାଇଥିବୁ ପରା ।’’

 

‘‘କୋଡ଼ିଏ ପଟରୁ ବେଶି ଖାଇଥିବି ।’’

 

‘‘ମୁଁ ହେଇଥିଲେ ପଚାଶ ପଟ ଖାଇଦେଇଥାନ୍ତି ।’’

 

‘‘ପଚାଶରୁ କମ୍‍ ମୁଁ ବି ଖାଇ ନଥିବି ରେ । ଭାରି ତାଗଡ଼ା ଥିଲି-ତୁ ତ ମୋର ଅଧା ବି ନୋହୁଁ ।’’

 

ଦିହେଁ ଆଳୁ ଖାଇସାରି ପାଣି ପିଇଲେ । ଆଉ ସେଇଠି ଉହ୍ମେଇ ଆଗରେ ଆପଣା ଲୁଗା ଘୋରି ହୋଇ ଗୋଡ଼କୁ ପେଟରେ ଯାକି ଦେଇ ଶୋଇରହିଲେ, ଯେମିତି ଦିଟା ବଡ଼ ବଡ଼ ଅଜଗର ଗୁରେଇ ହୋଇ ପଡ଼ିରହିଛନ୍ତି ।

 

ଆଉ ବୁଧିଆ ସେତେବେଳଯାକେ ଚିତ୍କାର କରୁଥିଲା ।

 

 

ସକାଳେ ମାଧବ ଘର ଭିତରକୁ ଯାଇ ଦେଖିଲା ଯେ ତା’ସ୍ତ୍ରୀର ଦେହ କାକର ହୋଇଗଲାଣି । ତା’ମୁହଁରେ ମାଛି ବେଢ଼ିଥାନ୍ତି । ତା’ରପଥର ପାଲଟିଥିବା ଆଖି ଦୋଟି ଉପରକୁ ଖୋଷିହୋଇଥାଏ । ଦେହଯାକ ଧୂଳି-ସରସର ହୋଇଥାଏ; ତା’ପେଟ ଭିତରେ ଛୁଆଟା ମରିଯାଇଥାଏ ।

 

ମାଧବ ଦୌଡ଼ି ଦୌଡ଼ି ଘିସୁ ପାଖରେ ପହଞ୍ଚିଲା । ସେଉଠୁ ଦିହେଁ ବଡ଼ପାଟିରେ ହାୟ ହାୟ କଲେ ଆଉ ନିଜ ନିଜର ଛାତି କୋଡ଼ିହେଲେ । ପଡ଼ିଶାମାନେ ୟେ କାନ୍ଦବୋବାଳି ଶୁଣି ଦୌଡ଼ିଆସିଲେ ଓ ପୁରୁଣା ରୀତି ଅନୁସାରେ ସେ ହତଭାଗାଦୁହିଁଙ୍କୁ ବୁଝେଇବାକୁ ଲାଗିଲେ ।

 

କିନ୍ତୁ ବେଶି କନ୍ଦାବୋବା କରିବାକୁ ବେଳ ନଥିଲା । ମୁର୍ଦ୍ଦାର ଢାଙ୍କିବାକୁ ଲୁଗା ଆଉ ସତ୍କାର ପାଇଁ କାଠ ଯୋଗାଡ଼ କରିବା ଦରକାର । ଘରେ ପଇସା ତ ସ୍ୱପ୍ନ; ଚିଲବସାରେ ମାଉଁସ ଖୋଜିଲେ କି ମିଳେ !

 

ବାପପୁଅ କାନ୍ଦି କାନ୍ଦି ଗାଁ ଜମିଦାର ପାଖକୁ ଗଲେ । ସେ ଦିହିଁଙ୍କ ଛାଇ ଦେଖିଲେ ତ ଜମିଦାରଙ୍କ ନାହି ଡିଏଁ । କେତେ ଥର ସେ ନିଜ ହାତରେ ସେ ଦିହିଁଙ୍କି ବାଡ଼େଇଛନ୍ତି; କେବେ ଚୋରି ପାଇଁ, କେବେ କୋଉ ଅଭିଯୋଗରେ, ଆଉ କେବେ କାମ କରିବାକୁ ନ ଆସିବାରୁ । ଏବେ ଦୁହିଁଙ୍କୁ ଦେଖି ପଚାରିଲେ-

 

‘‘କି ବେ ଘିସୁଆ, କାହିଁକି ଅଇଲୁ ? ଆଜିକାଲି ତ ତୁ କୋଉଠି ହେଲେ ଦିଶୁନାହୁଁ । ଲାଗୁଚି ୟେ ଗାଁରେ ରହିବାକୁ ଆଉ ତୋ ମନ ନାହିଁ ।’’

 

ଘିସୁ ଭୂଇଁରେ ଲମ୍ୱହୋଇ ଶୋଇଗଲା ଓ ଲୁହ-ଟଳଟଳ ଆଖିରେ କହିଲା-‘‘ହଜୁର, ଭାରି ବିପତ୍ତିରେ ପଡ଼ିଛି । ମାଧବର ଭାରିଯା ରାତିରେ ସେ’ ପୁରକୁ ଚାଲିଗଲା ଆଜ୍ଞା ! ରାତିଯାକ ଛଟପଟ ହେଲା । ଆମେ ଦିହେଁଯାକ ତା’ମୁଣ୍ଡ କତିରେ ଜଗି ବସିଥାଉଁ । ଓଷଦ-ମଷୁଦି ଯାହା ହେଇପାରିଲା ସବୁ କଲୁଁ; ମରିବା ଲୋକଟା, ଆମକୁ ଦଗା ଦେଇ ଚାଲିଗଲା । ଏବେ ଆଉ ଆମକୁ ରୁଟି ଖଣ୍ଡେ ଦବାକୁ କେହି ରହିଲେ ନାହିଁ ହଜୁର, ଘର ଉଜୁଡ଼ିଗଲା । ହଜୁରଙ୍କର ଆମେ ଗୋଲାମ-। ଅଇଚ୍ଛା ମଣିମା ନକଲେ କିଏ ଆଉ ତାକୁ ସତ୍କାର କରେଇବ ? ଆମ ହାତରେ ତ ଯେତେ ଯାହା ଥିଲା ସବୁ ଓଷଦ-ମଷୁଦିରେ ଗଲା । ହଜୁର ଯଦି ଦୟା’ କରିବେ ତେବେ ଯାଇ ତା’ସତ୍କାର ହେବ; ନହେଲେ ନାହିଁ । ହଜୁରଙ୍କ ଛଡ଼ା ଆଉ କାହା ଦୁଆରକୁ ଯିବୁ ?’’

 

ଜମିଦାର ସାହେବ ଦୟା’ଳୁ ଲୋକ । କିନ୍ତୁ ଘିସୁକୁ ଦୟା’ କରିବା ଯାହା କଳା କମ୍ୱଳରେ ରଙ୍ଗ ଲଗେଇବା ସେଇଆ । ମନହେଉଥାଏ କହିଦିଅନ୍ତେ-ଯାବେ, ହଟ୍‍, ପଳା ଏଠୁ । ୟା’କୁ ତ ଡକାଇପଠାଇଲେ ବି ଆସିବ ନାହିଁ, ଅଇଚ୍ଛା ଗରଜ ପଡ଼ିଛି ବୋଲି ଆସି ଖୁସାମତ କରୁଛି । ବେଇମାନ୍‍ କାହିଁକା, ବଦ୍‍ମାସ୍‍ । କିନ୍ତୁ ସେତେବେଳେ ରାଗରୋଷ କରିବା କି ଦଣ୍ଡ ଦେବା ବେଳ ନୁହେଁ । ମନେ ମନେ ତାକୁ ଗାଳି ଦେଉ ଦେଉ ଟଙ୍କା କାଢ଼ି ତା’ଆଡ଼କୁ ଫୋପାଡ଼ିଦେଲେ । କିନ୍ତୁ ସାନ୍ତ୍ୱନା ଦେଇ ପଦେ କଥା ବି ତାଙ୍କ ତୁଣ୍ଡରୁ ବାହାରିଲା ନାହିଁ; ତା’ଆଡ଼କୁ ଅନାଇଁଲେ ବି ନାହିଁ । ତାଙ୍କୁ ଲାଗୁଥାଏ ଯେମିତି ମୁଣ୍ଡରୁ ବୋଝଟାଏ ଓହ୍ଲେଇ ଗଲା ।

 

ଯେମିତି ଜମିଦାର ସାହେବ ଦିଟଙ୍କା ଦେଲେ, ସେମିତି ଗାଁର ସାହୁକାର ମହାଜନମାନେ ଦେବାକୁ ମନା କରନ୍ତେ କେଉଁ ସାହସରେ ? କିଏ ଦିଅଣା, କିଏ ଚାରିଅଣା ଯେ ଯାହା ହେଲେ ଦେଲେ । ଘଣ୍ଟାକରେ ଘିସୁ ହାତକୁ ପାଞ୍ଚଟଙ୍କାରୁ ବେଶି ଆସିଗଲା । କେଉଁଠୁ କିଛି ଅଟା ମିଳିଗଲା ତ କେଉଁଠୁ କାଠ । ସେଇଠୁ ଦିପହର-ବେଳେ ଘିସୁ ଆଉ ମାଧବ ବଜାରକୁ ବାହାରିଲେ ଶବକୁ ଘୋରେଇବାକୁ ଥାନ ଆଣିବା ପାଇଁ ।

 

ଗାଁର ଦୟା’ଳୁ ସ୍ତ୍ରୀଲୋକମାନେ ଯିବା-ଆସିବା କରି ଶବକୁ ଦେଖୁଥାନ୍ତି ଓ ତା’ରସେ ଦୂରବସ୍ଥା ସକାଶେ ଦୁଇ ବୁନ୍ଦା ଲୁହ ଗଡ଼ାଇ ଚାଲିଯାଉଥାଆନ୍ତି ।

 

 

ବଜାରରେ ପହଞ୍ଚି ଘିସୁ କହିଲା, ‘‘ତାକୁ ପୋଡ଼ିଲାଭଳି କାଠ ତ ମିଳିଗଲାଣି ରେ, କ’ଣ କହୁଛୁ ମାଧବ ?’’

 

ମାଧବ କହିଲା, ‘‘ହଁ, କାଠ ତ ବହୁତ ଅଛି । ଅଇଛା ଦରକାର ମୁର୍ଦ୍ଦାର ଢାଙ୍କିବାକୁ ଥାନ-।’’

 

‘‘ହେଲେ ଚାଲ୍‍ ଯିବା, ହାଲୁକା କରି ଖଣ୍ଡେ କିଣିଆଣିବା ।’’

 

‘‘ହଁ, ଆଉ କ’ଣ ? ମୁର୍ଦ୍ଦାର ଉଠୁ ଉଠୁ ତ ରାତି ହେଇଯିବ । ରାତିରେ ଆଉ ମୁର୍ଦ୍ଦାରର ଥାନକୁ କିଏ ଦେଖୁଚି ?’’

 

‘‘କେଡ଼େ ଖରାପ ପ୍ରଥା ଏଇଟା ଦେଖ୍‍ । ଯେ ଜୀଇଥିଲାବେଳେ ଦେହ ଢାଙ୍କିବାକୁ ଚିରା-ଫଟା ବି ମିଳୁନଥିଲା, ସେ ମଲା ଉତ୍ତାରୁ ନୂଆ ଥାନ ଦରକାର ।’’

 

‘‘ଘୋରିହେଲା ଥାନ ମୁର୍ଦ୍ଦାର ସାଙ୍ଗରେ ତ ଜଳିଥାଏ !’’

 

‘‘ଆଉ କ’ଣ ସାଇତା’ହୁଏ ? ଏଇ ପାଞ୍ଚଟା ଟଙ୍କା ଆଗରୁ ମିଳିଥିଲେ ହେଲେ କିଛି ଓଷଦ-ମଷୁଦି କରିଥାନ୍ତେ ।’’

 

ଦିହେଁ ଜଣେ ଆର ଜଣକର ମନକଥା ଖୋଳିତାଡ଼ି ବାହାର କରୁଥାନ୍ତି । ବଜାରରେ ଏଣେତେଣେ ବୁଲୁଥାନ୍ତି–କେତେବେଳେ ସେ ଲୁଗାଦୋକାନୀ ଦୋକାନରେ, କେତେବେଳେ ୟେ ଦୋକାନୀ ଦୋକାନରେ । ଜାତି-ଜାତିକା ଲୁଗା ଦେଖିଲେ-ରେଶମର, ସୂତାର; କିନ୍ତୁ କିଛି ମୂଲେଇଲେ ନାହିଁ । ଏଇଆ କରୁକରୁ ବେଳ ବୁଡ଼ିଗଲା । ତାପରେ ଦିହେଁ କେଉଁ ଅଜ୍ଞାତ ଦୈବୀ-ପ୍ରେରଣାରେ ଗୋଟାଏ ମଦ ଦୋକାନ ଆଗରେ ଆସି ପହଞ୍ଚିଗଲେ; ଆଉ ସତେ କେଉଁ ପୂର୍ବ-ନିର୍ଦ୍ଧାରିତ ଯୋଜନା ଅନୁସାରେ ଭିତରେ ପଶିଗଲେ । ସେଠି କେତେବେଳଯାଏ ଦିହେଁ ଅନିଶ୍ଚିତ ଭାବରେ ଠିଆହୋଇ ରହିଲେ । ସେଇଠୁ ଘିସୁ ଦୋକାନୀର ଗଦି ପାଖକୁ ଚାଲିଯାଇ କହିଲା-‘‘ସାହୁଏ, ଆମକୁ ବି ବୋତଲେ ଦେଲ ।’’

 

ତାପରେ କିଛି ‘ଚାଟ୍‍’ ଆସିଲା, ମାଛଭଜା ଆସିଲା, ଆଉ ଦିହେଁ ଦୋକାନ ପିଣ୍ଡା ଉପରେ ବସିପଡ଼ି ଶାନ୍ତିରେ ମଦ ପିଇଲେ । କେତେ ଘଡ଼ା ମଦ ତା’ଉପରେ ତା’ଉପରେ ପିଇସାରିବା ପରେ ଦିହିଁକି ସାମାନ୍ୟ ନିଶା ଧରିଲା ।

 

ଘିସୁ କହିଲା, ‘‘ଘୋରିହେଲାଟାଏ ଘୋରେଇଦେଲେ କ’ଣଟାଏ ମିଳନ୍ତା ? ଶେଷରେ ସେଇଟା ବି ତ ପୋଡ଼ାହୁଅନ୍ତା ! ବୋହୂ ସଙ୍ଗରେ ତ ଆଉ ଯାଇନଥାନ୍ତା ?’’

 

ମାଧବ ଆକାଶ ଆଡ଼କୁ ଅନାଇଁ କଥା କହୁଥାଏ, ସତେ ଯେମିତି ଆପଣା ନିଷ୍ପାପତା’ଲାଗି ଦେବତାମାନଙ୍କୁ ସାକ୍ଷୀ ରଖୁଛି । କହିଲା, ‘‘ଦୁନିଆଁର ଖୋଇ ପରା ! ନଇଲେ ଲୋକେ ହଜାର ହଜାର ଟଙ୍କା ବାହ୍ମଣଙ୍କୁ କାହିଁକି ଦିଅନ୍ତେ ? ପରଲୋକରେ ମିଳେ କି ନମିଳେ, ସେକଥା କିଏ ଦେଖୁଛି ?’’

 

‘‘ବଡ଼ଲୋକଙ୍କ ପାଖରେ ଅଜସ୍ର ଧନ ଅଛି; ଯେତେ ଇଚ୍ଛା ବାହାରିବ । ଆମ ପାଖରେ ଦବାକୁ କ’ଣ ଅଛି ?’’

 

‘‘କିନ୍ତୁ ଲୋକଙ୍କୁ କି ଉତ୍ତର ଦେବୁ ? ଲୋକେ ପଚାରିବେ ନାହିଁ-ମୁର୍ଦ୍ଦାର ଘୋରିହେବା କନା କାଇଁ ?’’

 

ଘିସୁ କହିଲା-‘‘ପଚାରିଲେ ତାଙ୍କୁ କହିଦେବା ଟଙ୍କା ଅଣ୍ଟାରୁ ଖସିପଡ଼ିଲା । ବହୁତ ଖୋଜିଲୁଁ, ମିଳିଲା ନାହିଁ । ଲୋକେ ତ ବିଶ୍ୱାସ କରିବେ ନାହିଁ, କିନ୍ତୁ ପୁଣି ସେଇମାନେ ଆଣି ଟଙ୍କା ଦେବେ ।’’

 

ମାଧବ ବି ସେହି ଆସନ୍ନ-ସୌଭାଗ୍ୟ କଥା ଭାବି ହସିଲା । କହିଲା, ‘‘ଭାରି ଭଲ ମଣିଷ ଥିଲା ବିଚରା । ମଲା ତ ଖୁବ୍‍ ଖୁଆଇ-ପିଆଇ ମଲା ।’’

 

ଅଧ-ବୋତଲରୁ ବେଶି ସରିଯାଇଥାଏ, ଘିସୁ ଦି’ସେର ପୁଣି ମଗାଇଲା । ତା’ସଙ୍ଗରେ ଚଟଣି, ଆଚାର, କଲିଜା । ହୋଟେଲ ତ ମଦ-ଦୋକାନ ଆଗରେ ଥିଲା । ମାଧବ ଧାଇଁଯାଇ ଯୋଡ଼ାଏ ଖଲିପତ୍ରରେ ଜିନିଷ ଘେନି ଆସିଲା । ଆହୁରି ପୂରା ଦେଢ଼ଟଙ୍କା ଖର୍ଚ୍ଚ ହୋଇଗଲା; ମାତ୍ର ଅଳ୍ପ କିଛି ପଇସା ରହିଲା ।

 

ଦିହେଁ ସେତେବେଳେ ଖୁବ୍‍ ଉଲ୍ଲାସ ଆଡ଼ମ୍ୱରରେ ବସି ପୁରି ଖାଉଥିଲେ; ଯେମିତି ଜଙ୍ଗଲରେ କେଉଁ ବାଘ ତା’ଶିକାରକୁ ଖାଇଲାଗିଛି । କାହାରିକି କୈଫିୟତ୍‍ ଦେବାର ଗରଜ ନଥିଲା କି ବଦ୍‍ନାମ ରଟିବ ବୋଲି ଖାତିରି ନଥିଲା । ସେସବୁ ଭାବନାକୁ ସେମାନେ ଆଗରୁ ଜୟ କରିସାରିଥିଲେ ।

 

ଘିସୁ ଦାର୍ଶନିକ ଭାବରେ କହିଲା-‘‘ଆମ ଆତ୍ମା ପ୍ରସନ୍ନ ହୋଇଯାଉଛି ତ; କ’ଣ ସେଇଥିରେ ତା’ରପୁଣ୍ୟ ହେବ ନାହିଁ ?’’

 

ମାଧବ ତୃପ୍ତିରେ ମୁଣ୍ଡ ନୁଆଇଁ ଉତ୍ତର ଦେଲା, ‘‘ନିଶ୍ଚୟ, ନିଶ୍ଚୟ ହେବ । ଭଗବାନ୍‍ ତୁମେ ଅନ୍ତର୍ଯାମୀ; ତାକୁ ବୈକୁଣ୍ଠକୁ ନେଇଯିବ । ଆମେ ଦିହେଁ ସର୍ବାନ୍ତଃକରଣରେ ଆଶୀର୍ବାଦ କରୁଛୁଁ । ଆଜିର ଏ ଯେଉଁ ଭୋଜନ, ଜୀବନଯାକ କେବେ ମିଳିନଥିଲା ।’’

 

ମୁହୂର୍ତ୍ତକ ପାଇଁ ମାଧବର ମନରେ ଗୋଟାଏ ଶଙ୍କା ଆସିଲା । କହିଲା, ‘‘ଆମେ ସବୁ ତ ଦିନେ ନା ଦିନେ ସେଠିକି ଯିବା, ନୁହେଁ ବାପା ?’’

 

ଘିସୁ ଏପରି ଭୟା’ତୁର ପ୍ରଶ୍ନର କୌଣସି ଉତ୍ତର ଦେଲାନାହିଁ । ପରଲୋକର କଥା ମନେପକାଇ ସେହି ଆନନ୍ଦରେ ସେ ବାଧା ଦେବାକୁ ଚାହୁଁ ନଥିଲା ।

 

‘‘ଯଦି ସେଠି ସେ ଆମୁକୁ ପଚାରିବ ଯେ ତୁମେ ମୋ ପାଇଁ କାହିଁକି ଘୋରିହେଲା ଦେଲ ନାହିଁ, ତେବେ ଆମେ ତାକୁ କ’ଣ କହିବା ?’’

 

‘‘କହିବା ତୋ ମୁଣ୍ଡଗଣ୍ଡି ।’’

 

‘‘ପଚାରିବ ତ ପୁଣି ?’’

 

‘‘ତୁ କେମିତି ଜାଣିଲୁ ଯେ ତାକୁ ଘୋରିଥିଲା ମିଳିବ ନାଇଁ, ଏଁ ? ତୁ ମତେ ଏମିତି ଓଲୁ ବୋଲି ଭାବିଲୁ ? ଷାଠିଏ ବର୍ଷ ଦୁନିଆଁରେ ରହିଲିଣି, କ’ଣ ଖାଲି ଘାସ ଉପାଡ଼ୁଛି ? ତାକୁ ଘୋରିହେଲା ମିଳିବ ରେ, ୟା’ଠୁ ଆହୁରି ଭଲ ଘୋରିହେଲା ।’’

 

ମାଧବର ବିଶ୍ୱାସ ହେଲା ନାହିଁ, କହିଲା, ‘‘କିଏ ଦବ ? ପଇସା ତ ତୁ ଖରଚ କରି ଦେଲୁ । ସେ ତ ମତେ ପଚାରିବ । ତା’ମୁଣ୍ଡରେ ମୁଁ ତ ସିନ୍ଦୂର ପିନ୍ଧାଇଥିଲି ।’’

 

ଘିସୁ ଗରମ ହୋଇଯାଇ କହିଲା, ‘‘ଆରେ ମୁଁ କହୁଚି ତାକୁ ଘୋରିହେଲା ମିଳିବ । ତୁ କାହିଁକି ମୋ କଥା ବିଶ୍ୱାସ କରୁନାହୁଁ ?’’

 

‘‘କିଏ ଦବ ? କହୁନାହୁଁ କାହିଁକି ?’’

 

‘‘ସେଇମାନେ ଦେବେ, ଯେ ଅଇଛା ଦେଲେ । ହଁ, ଅଇଛା ଟଙ୍କା ଆମ ହାତକୁ ଆସିବ ନାହିଁ ସିନା ।’’

 

ଯହୁଁ ଯହୁଁ ଅନ୍ଧାର ବଢ଼ୁଥାଏ ଆଉ ତାରାମାନେ ବେଶି ବେଶି ଉଜ୍ଜ୍ୱଳ ଦିଶୁଥାନ୍ତି, ମଦଖଟିରେ ଆସର ଆହୁରି ବଢ଼ି ବଢ଼ି ଯାଉଥାଏ । କିଏ ଗୀତ ଗାଉଛି ତ କିଏ ଗୁଡ଼ାଏ ଫୁଟାଣି ଗପୁଛି । କିଏ ନିଜ ସାଥୀର ଗଳାରେ ଲୋଟିଯାଉଛି ତ ଆଉ କିଏ ମଦସରା ନେଇ ଅନ୍ୟର ଓଠରେ ଲଗାଇ ଦେଉଛି । ମଦଠୁଁ ବେଶି ସେଠିକା ପବନ ତାଙ୍କର ନିଶା ବଢ଼ାଉଥାଏ । ଜୀବନର ଯନ୍ତ୍ରଣା ସେଠି ଯେମିତି ଓଟାରି ହୋଇ ଚାଲିଯାଉଥାଏ; ଆଉ କିଛି ବେଳଯାକେ ସେମାନେ ଭୁଲିଯାଉଥାନ୍ତି ଯେ ସେମାନେ ବଞ୍ଚିଛନ୍ତି କି ମଲେଣି । ଭଲା ଜୀଇନାହାନ୍ତି କି ମରିନାହାନ୍ତି ।

 

ଆଉ ସେ ବାପ-ପୁଅ ଦିହିଁକାଦିହେଁ ଏବେ ବି ମଜାରେ ମଦ ଚୁମୁକୁଥାନ୍ତି । ସମସ୍ତିଙ୍କ ନିଘା ତାଙ୍କରି ଉପରେ ପଡ଼ିଥାଏ । ଦିହେଁ କେଡ଼େ ଭାଗ୍ୟବନ୍ତ । ଦିହିଙ୍କ ପାଖରେ ପୂରା ବୋତଲ ଥୁଆହୋଇଛି ।

 

ପେଟପୂରା ଖାଇସାରି ମାଧବ ବଳିପଡ଼ିଥିବା ପୁରିତକ ଉଠେଇ ଗୋଟାଏ ଭିକାରିକୁ ଦେଇଦେଲା । ଭିକାରିଟି ସେଠି ଠିଆହୋଇ ଭୋକିଲା ଆଖିରେ ତାଙ୍କ ଆଡକୁ ଅନେଇଥାଏ । ଆଉ ଦିହେଁ ଦାନ କରିବାର ଗୌରବ-ଉଲ୍ଲାସକୁ ନିଜ ଜୀବନରେ ପହିଲି ଥର ଅନୁଭବ କଲେ ।

 

ଘିସୁ କହିଲା, ‘‘ନେଇ ଯା, ସବୁ ଖା ଆଉ ଆଶୀର୍ବାଦ କର୍‍ । ଯାହା କମେଇ ୟେ, ସେ’ ତ ମରିଗଲା । କିନ୍ତୁ ତୋ ଆଶୀର୍ବାଦ ତା’କତିରେ ନିଶ୍ଚେ ପହଞ୍ଚୁ । କାନ୍ଦି କାନ୍ଦି ଆଶୀର୍ବାଦ କର । ବଡ଼ କଷ୍ଟରେ ଅର୍ଜିତ ପଇସା ୟେ ।’’

 

ମାଧବ ପୁଣି ଆକାଶ ଆଡ଼କୁ ଅନାଇଁ କହିଲା, ‘‘ସେ ବୈକୁଣ୍ଠକୁ ଯିବ ବାପା, ସେ ବୈକୁଣ୍ଠରେ ରାଣୀ ହେବ ।’’

 

‘‘ହଁ ପୁଅ । ବୈକୁଣ୍ଠକୁ ଯିବ । କାହାରିକୁ କଷ୍ଟ ଦେଇ ନାହିଁ, କାହାରି କିଛି ହାନି କରିନାହିଁ-। ମରୁ ମରୁ ଆମ ଜୀବନର ସବୁଠୁଁ ବଡ଼ ଲାଳସାକୁ ପୂର୍ଣ୍ଣ କରିଦେଇ ଗଲା । ସେ ବୈକୁଣ୍ଠକୁ ଯିବ ନାହିଁ ତ, ଆଉ କ’ଣ ଯେତେ ମୋଟା ମୋଟା ମଣିଷ, ଯେ ଗରିବମାନଙ୍କୁ ଦିହାତରେ ଲୁଟନ୍ତି, ନିଜ ପାପ ଧୋଇବାକୁ ଗଙ୍ଗାରେ ସ୍ନାନ କରନ୍ତି ଆଉ ମନ୍ଦିରରେ ପାଣିଲାଗି କରନ୍ତି, ସେମାନେ ବୈକୁଣ୍ଠକୁ ଯିବେ ?’’

 

ଶ୍ରଦ୍ଧାଳୁତା’ରସେ ରଙ୍ଗ ଅତିଶୀଘ୍ର ବଦଳିଗଲା । ଅସ୍ଥିରତା’ହିଁ ନିଶାର ବିକାର । ଦୁଃଖ ଆଉ ନିରାଶା ଫେରିଆସିଲା । ମାଧବ କହିଲା, ‘‘କିନ୍ତୁ ବାପା, ବିଚରା ତା’ଜୀବନରେ ବଡ଼ ଦୁଃଖ ପାଇଲା । କେତେ ଦୁଃଖ ଭୋଗି ଭୋଗି ମଲା !’’

 

ସେ ଆଖିରେ ପାପୁଲି ମାଡ଼ି ଚିତ୍କାର କରି କାନ୍ଦିଲା । ଘିସୁ ବୁଝେଇଲା, ‘‘କାହିଁକି କାନ୍ଦୁଛୁରେ ପୁଅ ? ବରଂ ଖୁସି ଲାଗୁଛି ଯେ ସେ ମାୟା’ଜାଲରୁ ଉଦ୍ଧାର ପାଇଗଲା । ଜଞ୍ଜାଳରୁ ମୁକ୍ତ ହେଲା । ବଡ଼ ଭାଗ୍ୟବତୀ ଥିଲା ବୋଲି ଏଡ଼େ ଚଞ୍ଚଳ ମାୟା’ମୋହ ବନ୍ଧନ ଛିଣ୍ଡେଇ ଦେଇଗଲା ।’’

 

ସେଇଠୁ ଦିହେଁ ଠିଆହୋଇ ଗୀତ ଗାଇଲେ–

 

‘‘ପ୍ରତାରିଣୀ, କାହିଁକି ତୋ ଆଖି ମିଟିମିଟି, ଲୋ ପ୍ରତାରିଣୀ !’’

 

ମଦ ପିଉଥିବା ଲୋକଙ୍କ ଆଖି ବି ତାଙ୍କଠି ଲାଖିରହିଥିଲା ଆଉ ଦିହେଁ ଗାଇଯାଉଥିଲେ-। ସେଇଠୁ ଦିହେଁ ନାଚିଲେ, ଡେଇଁଲେ, କୁଦିଲେ, ପୁଣି ପଡ଼ିଲେ, ଗଡ଼ିଲେ, ଭାବ-ଭଙ୍ଗୀ ଦେଖାଇଲେ, ଅଭିନୟ ବି କଲେ । ଶେଷରେ ନିଶାରେ ଚୁର ହୋଇ ସେଇଠି ପଡ଼ିଗଲେ ।

Image

 

ଗୁଣ୍ଡା

(ଜୟଶଙ୍କର ପ୍ରସାଦ)

 

ତା’ବୟସ ପଚାଶ ଟପିଥିଲା, ତଥାପି ସେ ଯୁବକମାନଙ୍କଠୁଁ ଅଧିକ ବଳିଷ୍ଠ ଓ ଟାଣୁଆ ଥିଲା । ଦେହର ଚମରେ ନୋଚାକୋଚା ଦାଗ ନଥିଲା । ବର୍ଷା-ଝଡ଼ରେ, ପୁଷ ରାତିର ଛାଇ ଅନ୍ଧାରରେ, ଜ୍ୟେଷ୍ଠର ଜଳନ୍ତା ଖରାରେ, ଫୁଙ୍ଗା ଦେହରେ ବୁଲିବାକୁ ତାକୁ ସୁଖ ଲାଗୁଥାଏ । ତା’ରଶ୍ୟାମଳ ବର୍ଣ୍ଣ ସାପର ବର୍ଣ୍ଣ ପରି ଚିକ୍‍କଣ ଚିକ୍‍ଚିକ୍‍ । ତା’ନାଗପୁରି ଧୋତିର ନାଲି ରେଶମି ଧଡ଼ି ଦୃଷ୍ଟି ଆକର୍ଷଣ କରୁଥାଏ । ତା’ଅଣ୍ଟାରେ ବନାରସୀ ସିଲହେର ଫେଟା (୧) ସେଥିରୁ ଝୁଲୁଥାଏ ସିପରେ ତିଆରି ଅଙ୍ଗୁଳିର ନେନ୍ଥା । ତା’ରକୁଞ୍ଚିକୁଞ୍ଚିଆ ବାଳ ଉପରେ ପଗଡ଼ିର ସୁନେଲି କାନି ତା’ରଚଉଡ଼ା ପିଠି ଉପରେ ବିଛେଇ ହୋଇ ରହିଥିଲା । ଉଚ୍ଚ କାନ୍ଧ ଉପରେ-ଥୁଆହୋଇଥାଏ ଓସାର ଦାଢ଼ୁଆ ଫାର୍ସା । ଏଇ ହେଲା ତା’ରଚେହେରା । ଟିପେଇ ଟିପେଇ ପାହୁଲ ପକାଇ ସେ ଯେତେବେଳେ ଚାଲୁଥିଲା ସେତେବେଳେ ତା’ସ୍ନାୟୁଗୁଡ଼ାକ ଚଟ୍‍ପଟ୍‍ କଥା କହୁଥିଲେ । ସେ ଥିଲା ଗୁଣ୍ଡା ।

 

(୧)

ବନାରସରେ ତିଆରି କପଡ଼ାବିଶେଷ ।

 

ଅଷ୍ଟାଦଶ ଶତାବ୍ଦୀର ଅନ୍ତିମ ଭାଗର କାଶୀ ନଗରୀ ଆଉ ସେଭଳି ନଥିଲା, ଯେଉଁଠାକୁ ଉପନିଷଦ୍‍ବର୍ଣ୍ଣିତ ଅଜାତଶତ୍ରୁଙ୍କ ପରିଷଦମାନଙ୍କ ପାଖରେ-ବ୍ରହ୍ମବିଦ୍ୟା ଶିଖିବାଲାଗି ବିଦ୍ୱାନ୍‍ ବ୍ରହ୍ମଚାରୀମାନେ ଆସୁଥିଲେ । କେତେ ଶତାବ୍ଦୀରୁ ନିରବଚ୍ଛିନ୍ନ ଭାବେ ମନ୍ଦିର ଓ ମଠମାନଙ୍କର ଧ୍ୱଂସସାଧନ ଓ ତପସ୍ୱୀନିଧନ ଘଟିଥିବା ଯୋଗୁ ଗୌତମବୁଦ୍ଧ ଓ ଶଙ୍କରାଚାର୍ଯ୍ୟଙ୍କ ଧର୍ମଦର୍ଶନ ମଧ୍ୟରେ ବାଦବିବାଦ ପ୍ରାୟ ବନ୍ଦ ହୋଇଯାଇଥିଲା । ଅବସ୍ଥା ଏତେ ଦୂରକୁ ଯାଇଥିଲା ଯେ ପବିତ୍ରତା’ଓ ଛୁଆଁ ଛୁତି ବିଷୟରେ ଖୁବ୍‍ କଠୋର ବୈଷ୍ଣବଧର୍ମ ମଧ୍ୟ ସେହି ନବାଗତ ଧର୍ମୋନ୍ମାଦନା ଓ ବିଶୃଙ୍ଖଳ ପରିବେଶ ମଧ୍ୟରେ ନିଜର ଉପଯୁକ୍ତ ସ୍ଥାନ ଖୋଜି ପାଉନଥିଲା । ସେହି ସମୟରେ ସମସ୍ତ ନ୍ୟାୟ ଓ ବୁଦ୍ଧି ବାଦକୁ ଶସ୍ତ୍ରବଳ ଆଗରେ ନଇଁପଡ଼ିବା ଦେଖି କାଶୀର ବିଚ୍ଛିନ୍ନ ଓ ନିରାଶ ନାଗରିକ-ଜୀବନ ଗୋଟିଏ ନୂତନ ସଂପ୍ରଦାୟ ସୃଷ୍ଟି କରିଥିଲା । ତା’ଧର୍ମ ଥିଲା ବୀରତ୍ୱ । ନିଜ କଥାରୁ ନ ଘୁଞ୍ଚିବା, ସିଂହବୃତ୍ତିରେ ଜୀବିକା–

 

ନିର୍ବାହ କରିବା, ପ୍ରାଣଭିକ୍ଷା ମାଗୁଥିବା କାପୁରୁଷ, ବା ଆଘାତ ପାଇ ପଡ଼ିଯାଇଥିବା ପ୍ରତିଦ୍ୱନ୍ଦୀ ଉପରକୁ ଶସ୍ତ୍ର ନ ଉଠେଇବା, ନିର୍ଯାତନା ଭୋଗୁଥିବା ଅତ୍ୟାଚାରିତ ଦୁର୍ବଳମାନଙ୍କୁ ସହାୟତା’ଦେବା ଓ ପ୍ରତି ମୁହୂର୍ତ୍ତରେ ନିଜ ଜୀବନକୁ ହାତ-ମୁଠାରେ ଧରି ବୁଲିବା-ସେଇଆ ଥିଲା ସେମାନଙ୍କ ବାନା । ତାଙ୍କୁ ଲୋକେ କାଶୀର ଗୁଣ୍ଡା ବୋଲି କହୁଥିଲେ ।

 

ଜୀବନରେ କୌଣସି ଅଲଭ୍ୟ ଅଭିଳାଷ ପରଣରୁ ବଞ୍ଚିତ ହୋଇ ଯେମିତି ସାଧାରଣତଃ ଲୋକେ ବିରକ୍ତ ହୋଇପଡ଼ନ୍ତି, ଠିକ୍‍ ସେମିତିଆ ମାନସିକ ଆଘାତରେ ଆହତ ହୋଇ ଜଣେ ପ୍ରତିଷ୍ଠିତ ଜମିଦାରଙ୍କ ପୁଅ ହୋଇ ସୁଦ୍ଧା ନନ୍‍ହକୂ ସିଂହ ଗୁଣ୍ଡା ହୋଇଯାଇଥିଲା । ଦି ହାତରେ ନିଜର ସମ୍ପତ୍ତି ଉଜାଡ଼ିଦେଲା । ନନ୍‍ହକୂ ସିଂହ ବହୁତଗୁଡ଼ାଏ ପଇସା ଯେମିତି ଉଡ଼ାଇଦେଇଥିଲା, ତାକୁ କାଶୀର ଲୋକେ ବହୁତ ଦିନଯାକେ ଭୁଲିପାରି ନଥିଲେ । ବସନ୍ତ ଋତୁରେ ପ୍ରହସନପୂର୍ଣ୍ଣ ଅଭିନୟ ଖେଳିବା ସକାଶେ ସେତେବେଳେ ତା’ରପ୍ରଚୁର ଧନ, ନିର୍ଭୀକତା’ଓ ଉଚ୍ଛୃଙ୍ଖଳତା’ ଆବଶ୍ୟକ ପଡ଼ୁଥିଲା । ଥରେ ନନ୍‍ହକୂସିଂହ ଗୋଟାଏ ପାଦରେ ଘୁଙ୍ଗୁର, ଗୋଟାଏ ଆଖିରେ କଜଳ, ଗୋଟାଏ କାନରେ ମୋତି ଓ ଆର କାନରେ ଫଟା ଜୋତା’ରତଳି ଝୁଲେଇ, ଗୋଟାଏ ହାତରେ ନବରତ୍ନଖଚିତ ମୁଠି ଲାଗିଥିବା ଖଣ୍ଡା ଧରି ଓ ଆର ହାତଟି ଅଭିନୟରତା’ସୁନ୍ଦରୀ ପ୍ରେମିକାର କାନ୍ଧ ଉପରେ ଥୋଇ ଗାଇଥିଲା :

 

‘‘ବାଇଗଣବାଲୀ ମିଳିବ ତ ତାକୁ ଡାକିଦେବ ।’’

 

ସାଧାରଣତଃ ବନାରସ ବାହାରେ ବିସ୍ତୃତ ସବୁଜ କ୍ଷେତ ଭିତରେ ଭଲ ପାଣି ଥିବା କୂଅ ପାଖରେ ବା ଗଙ୍ଗାର ତରଙ୍ଗରେ ଦୋହଲୁଥିବା ଡଙ୍ଗା ଉପରେ ତା’ରଦର୍ଶନ ମିଳେ । କେବେ କେବେ ଜୁଆଖେଳର ଆଡ଼୍‍ଡ଼ାରୁ ବାହାରି ସେ ଯେତେବେଳେ ବଜାର ଛକକୁ ଆସିଯାଏ ତ କାଶୀର ଛଇଳୀ ବେଶ୍ୟାମାନେ ମୃଦୁ ମୃଦୁ ହସି ତାକୁ ସ୍ୱାଗତ କରନ୍ତି; ଆଉ ତା’ରଦୃଢ଼ ଶରୀରକୁ ସଶ୍ରଦ୍ଧ ଦେଖୁଥାନ୍ତି । ସେ ପାନରା ଦୋକାନରେ ବସିପଡ଼ି ତାଙ୍କ ଗୀତ ଶୁଣେ, ତାଙ୍କ ଘରକୁ କେବେ ଯାଏ ନାହିଁ । ଜୁଆଖେଳରେ ଜିତିଥିବା ଟଙ୍କା ଧରି ମୁଠାଏ ସେ ତାଙ୍କ ଝରକାବାଟେ ଏମିତି ଛାଟି ଫୋପାଡ଼ିଦିଏ ଯେ ଆଖପାଖରେ ବସିଥିବା ଲୋକେ ଏହା ଦେଖି ନିଜ ମୁଣ୍ଡ ସାଉଁଳୁଥାନ୍ତି । ସେତେବେଳେ ସେ ହୋ-ହୋ ହୋଇ ହସିଦିଏ । ଲୋକେ ତାକୁ କୋଠା ଉପରକୁ ଯିବାକୁ କହିଲେ ସେ ହଠାତ ଉଦାସ ହୋଇଯାଏ ଓ ଦୀର୍ଘଶ୍ୱାସ ପକାଇ ଚୁପ୍‍ ହୋଇଯାଏ ।

 

ଏବେ ସେ ବଂଶୀର ଜୁଆ ଆଡ଼୍‍ଡ଼ାରୁ ବାହାରୁଥିଲା । ଆଜି ଆଉ ତା’ସଙ୍ଗେ ସଙ୍ଗେ ପଇସା ଗୋଡ଼େଇ ଆସିନାହିଁ । ଷୋଳଜଣ ପରୀଙ୍କ ନାଚରେ ତା’ମନ ଲାଗିଲା ନାହିଁ । ମୁନ୍ମୁ ପାନରା ଦୋକାନରେ ବସି ବସି ସେ କହିଲା :

 

‘‘ଆଜି ବୋଧହୁଏ ଭଲ ନାହିଁ ରେ ମୁନ୍ମୁ ।’’

 

‘‘କାହିଁକି ମାଲିକେ ? କେଉଁ କଥାକୁ ଚିନ୍ତା କି ? ଆମେ ସବୁ ଆଉ ବଞ୍ଚିଛୁ କାହିଁକି ? ସବୁ ତ ଆପଣଙ୍କର ।’’

 

‘‘ଆରେ ମୂର୍ଖଟାଏ ତୁ । ନନ୍‍ହକୂ ସିଂହ ଯେଉଁ ଦିନ କାହାଠୁଁ ଉଧାର କରି ଜୁଆ ଖେଳିବସିଲା ତ ଜାଣିବୁ ସେ ମରିଗଲା । ତୁ ଜାଣିନାହୁଁ ଯେ ମୁଁ କେତେବେଳେ ଜୁଆ ଖେଳିବାକୁ ଯାଏ । ମୋ ପାଖରେ ଯେତେବେଳେ ଗୋଟାଏ ବି ପଇସା ନଥାଏ ସେ ଦିନ ମୁଁ ଆଡ୍‍ଡା ରେ ଯାଇ ପହଞ୍ଚେ ଓ ସବୁଠାରୁ ବଡ଼ ପଇସାଗଦା ଦେଖି ତାରି ଉପରେ ବାଜି ଲଗାଏ; ଆଉ ସେତକ ବି ମୋ’ ପାଖକୁ ଆସିଯାଏ । ବାବା କିନାରାମ୍‍ଙ୍କର ଏ ହେଉଛି ବରଦାନ ।’’

 

‘‘ତେବେ ଆଜି ନିରାଶ କାହିଁକି ମାଲିକେ ?’’

 

‘‘ପହିଲା ବାଜି ତ ଆସିଥିଲା; ପୁଣି ଦୁଇ-ଚାରି ଦାନରେ ସବୁ ଚାଲିଗଲା । ତଥାପି ତ ୟେ ପାଞ୍ଚଟଙ୍କା ରହିଯାଇଛି । ଗୋଟାଏ ଟଙ୍କା ତୁ ପାନ ବାବଦକୁ ରଖିନେ । ଏଥିରୁ ଚାରିଟଙ୍କା ମଲୂକୀ କଥକକୁ ଦେଇଦେ; ଆଉ ତାକୁ କହ ସେ ଦୁଲାରୀକୁ ଗୀତ ଗାଇବାକୁ କହିବ । ହଁ, ସେଇ ଗୀତଟା ଗାଇବ-‘‘ପ୍ରିୟ ରହିଲେ ପରବାସରେ ।’’

 

ମଲୂକୀ ସେତେବେଳେ ଗଞ୍ଜେଇ ଚିଲମ ଭରିବାକୁ ଅଙ୍ଗାର ଚୂନାକରୁଥାଏ । ନନ୍‍ହକୂ ସିଂହର କଥା ଶୁଣି ସେ ଘାବରେଇ ଯାଇ ଠିଆହୋଇପଡ଼ିଲା । ସେ ସିଡ଼ି ଉପରେ ଦୌଡ଼ି ଦୌଡ଼ି ଚଢ଼ିଗଲା । ଚିଲମ ଆଣିବାକୁ ହିଁ ଉପରକୁ ଚଢ଼ିଲା, ସେଥିପାଇଁ ତା’ଦେହରେ ଆଘାତ ବି ଲାଗିଲା; କିନ୍ତୁ ନନ୍‍ହକୂ ସିଂହର ଭୃକୁଟୀ ଦେଖିଲାଭଳି ଶକ୍ତି ତାଠିଁ କେଉଁଠି ଥିଲା ? ସେ ନନ୍‍ହକୂ ସିଂହର ସେହି ପୁରୁଣା ମୂର୍ତ୍ତି ଭୁଲିନଥିଲା ଯେତେବେଳେ ଜୁଆ ଆଡ୍‍ଡାରୁ ଜିତିଥିବା ଟଙ୍କା-ତୋଡ଼ା ଧରି ସେ ପାନଦୋକାନରେ ବସିଥିଲା ଆଉ ପଚାରିଥିଲା, ‘‘ୟେ ବାହାଘର ପଟୁଆର କାହାର ?’’

 

‘‘ଠାକୁର ବୋଧୀସିଂହଙ୍କ ପୁଅର ।’’ -ମନ୍ମୁ ଏତିକି କହୁ କହୁ ନନ୍‍ହକୂ ଓଠ ନେଫେଡ଼ି ଦେଲା, କହିଲା, ‘‘ମନ୍ମୁ ! ୟା’ କେବେ ହୋଇ ନପାରେ । ଆଜି ସେଆଡ଼ୁ ପଟୁଆର ଆସିପାରିବ ନାହିଁ । ବୋଧୀସିଂହ ପହିଲେ ମୋ’ ସାଙ୍ଗରେ ଫଇସଲା କରୁ, ତା’ପରେ ଦେଖାଯିବ ।’’

 

ମନ୍ମୁ କହିଲା, ‘‘ତେବେ ମାଲିକେ ମୁଁ କ’ଣ କରିବି ?’’

 

ନନ୍‍ହକୂ ଫାର୍ସାଟାକୁ କାନ୍ଧ ଉପରେ ଆହୁରି ଟେକି ଦେଇ ମଲୂକୀକୁ କହିଲା, ‘‘ମଲୁକିଆ ଦେଖୁଚୁ ଅଇଛା ! ଯା ଠାକୁର୍‍ଙ୍କୁ କହିଦେ ଯେ ବାବୁ ନନ୍‍ହକୂ ସିଂହ ଆଜି ଏଇଠି ଲଢ଼େଇ କରିବାକୁ ଠିଆହୋଇଛନ୍ତି, ବୁଝି-ଶୁଝି ଆସନ୍ତୁ; ପୁଅ ବାହାଘର ପରା ।’’

 

ମଲୁକିଆ ଥରିଥରିକା ଠାକୁର ବୋଧୀସିଂହଙ୍କ ପାଖକୁ ଗଲା । ବୋଧୀସିଂହ ଆଉ ନନ୍‍ହକୂଙ୍କର ପାଞ୍ଚବର୍ଷ ହେଲା ମୁହାଁମୁହିଁ ହୋଇନଥିଲା । କେଉଁ ଦିନ କେଉଁ ନାଳଠିଁ କେଉଁ କଥା ଉପରେ ବିତଣ୍ଡା ହୋଇ ମଝିରେ ଛିଣ୍ଡାଛିଣ୍ଡି ହୋଇଯାଇଥିଲା । ଆଜି ନନ୍‍ହକୂ ଜୀବନ ସହିତ ଖେଳ ଖେଳିବାକୁ ଏକୁଟିଆ ଠିଆହୋଇଥିଲା । ବୋଧୀସିଂହ ତା’ରବି ଉଦ୍ଦେଶ୍ୟ ବୁଝିପାରିଥିଲେ । ସେ ମଲୂକୀକୁ କହିଲା, ‘‘ଯାବେ, କହିଦେ କି ମତେ କି ଜଣା ବାବୁ ସାହେବ ସେଠି ଠିଆହୋଇଛନ୍ତି-। ଯେବେ ସେ ନିଜେ ଅଛନ୍ତି ତ ଦିଜଣ ସମୁଦି ଯିବାର କି ଦରକାର ?’’

 

ବୋଧୀସିଂହ ଲେଉଟିଗଲା ଆଉ ମଲୂକୀର କାନ୍ଧ ଉପରେ ଟଙ୍କା-ତୋଡ଼ା ଲଦା ହେଲାପରେ ନନ୍‍ହକୂସିଂହ ବର ପଟୁଆର ଘେନି ଗଲା, ବିବାହରେ ଯାହା କିଛି ଦରକାର ସବୁ ଖର୍ଚ୍ଚ କଲା, ବାହାଘର ସାରି ତହିଁଆରଦିନ ସେହି ଦୋକାନଯାକେ ଆସି ଅଟକିଗଲା । ପୁଅକୁ ଆଉ ପୁଅର ପଟୁଆରକୁ ତା’ଘରକୁ ପଠାଇଦେଲା ।

 

ମଲୂକୀକୁ ବି ଦଶଟଙ୍କା ସେହି ଦିନ ମିଳିଗଲା । ପୁଣି ନନ୍‍ହକୂସିଂହର କଥା ଶୁଣି ବସିରହିବା ଆଉ ଯମକୁ ନିମନ୍ତ୍ରଣ କରିବା ଏକା କଥା ତ । ସେ ଯାଇ ଦୁଲାରୀକି କହିଲା–‘‘ମୁଁ ତାଳ ଦେଉଛି, ତୁ ଗୀତ ଗାଆ, ୟା’ ଭିତରେ ସାରଙ୍ଗୀବାଲା ବଲ୍ଲୂ ପାଣି ପିଇଦେଇ ଆସୁଛି ।’’

 

‘‘ବାପ୍‍ ରେ । କ’ଣ ବିପଦ ପଡ଼ିଛି କି ବାବୁ ସାହେବ ? ସଲାମ୍‍ ।’’ କହି ଦୁଲାରୀ ଝରକାବାଟେ ହସିଦେଇ ଚାହିଁରହିଥିଲା; ନନ୍‍ହକୂସିଂହ ତା’ସଲାମ୍‍ର ଜବାବ ଦେଇ ଆଉ ଜଣେ ଆଗନ୍ତୁକକୁ ଦେଖିବାକୁ ଲାଗିଲା ।

 

ହାତରେ ହରୋତିର ସରୁ ବାଡ଼ି, ଆଖିରେ ସୁରମା, ପାଟିରେ ପାନ, ମଞ୍ଜୁ ଆତିରେ ପଚା ହୋଇଥିବା ନାଲି ଦାଢ଼ି ଯାହାର ଭିତରୁ ଧଳା ଅଂଶ ବି ଦେଖାଯାଉଥିଲା, କୁବେଦାର ଟୋପି, (୧) ଛକଲି ଅଙ୍ଗରଖା ଆଉ ସଙ୍ଗରେ କମରପଟିଭିଡ଼ା ଲାଲ ପଗଡ଼ିଆ ଦୁଇଜଣ ସିପାହୀ । କୌଣସି ମୌଲବୀ ସାହେବ ସେ । ନନ୍‍ହକୂ ହସି ପକାଇଲା । ନନ୍‍ହକୂ ଆଡ଼କୁ ନ ଅନାଇଁ ମୌଲବୀ ଜଣେ ସିପାହୀକୁ କହିଲେ–

 

(୧)

ସେ ସମୟରେ ପ୍ରଚଳିତ ବନାରସର ଟୋପିବିଶେଷ ।

 

‘‘ଯା, ଦୁଲରୀକି କହିଦେ ଯେ ଆଜି ରେସିଡେଣ୍ଟ ସାହେବଙ୍କ କୋଠିରେ ନାଚ କରିବାକୁ ପଡ଼ିବ, ଅଇଚ୍ଛା ଯାଉ । ୟା’ ଭିତରେ ମୁଁ ଜାନ୍ ଅଲୀଠୁଁ ଥୋଡ଼ାଏ ଅତର କିଣି ନିଏଁ ।’’

 

ସିପାହୀ ଉପରକୁ ଚଢ଼ୁଥିଲା ଆଉ ମୌଲବୀ ଅନ୍ୟଆଡ଼େ ଯାଉଥିଲେ, ଏତିକିବେଳେ ନନ୍‍ହକୂ ପାଟିକରି କହିଲା–‘‘ଦୁଲାରୀ, କ’ଣ ମୁଁ ଏମିତି ଏଠି ବସିଥିବି, ସାରଂଗୀବାଲା କ’ଣ ଆସିନାହିଁ ?’’

 

ଦୁଲାରୀ କହିଲା, ‘‘ଆହା ବାବୁ ସାହେବ ? ଆପଣଙ୍କ ପାଇଁ ମୁଁ ଆସି ଏଇଠି ବସିଚି । ଶୁଣନ୍ତୁ ତ । ଆପଣ ତ ଉପରକୁ...’’

 

ମୌଲବୀ ରାଗିଗଲେ । ସେ ଚଢ଼ାଗଳାରେ କହିଲେ, ‘‘ଚୋବ୍‍ଦାର୍‍ ! ଏପର୍ଯ୍ୟନ୍ତ ସେ ଶୁଅରକୀ ବଚ୍ଚୀ ଓହ୍ଲେଇଲା ନାହିଁ ? ଯା ଦଫାଦାର ପାଖକୁ, ମୋ ନାଁ ନେଇ କହି ଯେ ମୌଲବୀ ଆଲାଉଦ୍ଦୀନ କୁବରା ଡାକୁଛନ୍ତି । ଆସି ୟା’ କଥା ବୁଝନ୍ତୁ । ଦେଖିଚି, ଯେଉଁ ଦିନୁଁ ନବାବଙ୍କ ରାଜତ୍ୱ ଗଲାଣି ସେଦିନୁଁ ୟେ କାଫେରମାନଙ୍କ (୧) ଗର୍ବ ବଢ଼ି ଗଲାଣି ।

 

(୧)

ମୁସଲମାନମାନେ ନିଜ ଧର୍ମରେ ବିଶ୍ୱାସ କରୁନଥିବା ଲୋକଙ୍କୁ କାଫେର ବା ପାପୀ କହନ୍ତି ।

 

‘କୁଜା ମୌଲବୀ ! ବାପ୍‍ ରେ’-ପାନରା ନିଜ ଦୋକାନ ସଜାଡ଼ିଲା । ପାଖରେ ଆଉ ଗୋଟାଏ ଦୋକାନରେ ବସି ଢୁଳୋଉଥିବା ଗୋଟାଏ ଲୁଗାଦୋକାନୀ ଚମକି ପଡ଼ିଲା । ଏଇ ମୌଲବୀ ତ ମହାରାଜ ଚୈତ୍‍ସିଂହଙ୍କଠୁଁ ସାଢ଼େ ତିନିସେର ପିମ୍ପୁଡ଼ି ମୁଣ୍ଡର ତେଲ ମାଗିଥିଲା । ମୌଲବୀ ଆଲାଉଦ୍ଦୀନ କୁବ୍‍ରା । ବଜାରରେ ଚହଳ ପଡ଼ିଗଲା ।

 

ନନ୍‍ହକୂସିଂହ ମନ୍ମୁ ସିଂହକୁ କହିଲା, ‘‘କାହିଁକି ତୁନି ହୋଇ ବସିପାରୁନାହୁଁ ?’’ ଦୁଲାରୀକୁ କହିଲା-‘‘ତୁ ସେଇଠି ରହ । ଏପଟ ସେପଟ ହେବା ବି ଦରକାର ନାହିଁ । ତୁ ଆରାମରେ ଗୀତ ବୋଲ । ଏଇପରି ମାଖୁନା ମୁଁ ବହୁତ ଦେଖିଛି । କାଲି ସକାଳେ ୟେ ଅଧଲା ଅଧଲା ଭିକ ମାଗୁଥିଲା, ଆଜି ତା’ଫୁଟାଣି ଦେଖ !’’

 

ଏଥର କୁବ୍‍ରା ବୁଲିପଡ଼ି ତା’ଆଡ଼କୁ ଅନାଇଁ କହିଲା, ‘‘କିଏ ରେ ୟେ ପାଜିଟା ?’’

 

‘‘ତୋ କକାବାବୁ ନନ୍‍ହକୂସିଂହ ।’’ ଏତକ କହି ଦେଇ ଗୋଟାଏ ବନାରସୀ ଥାପଡ଼ କସିଦେଲା । କୁବ୍‍ରାର ମୁଣ୍ଡ ଘୁରିଗଲା । ନାଲି ପଗଡ଼ିଆ ସିପାହୀ ପଛକୁ ମୁହଁ କରି ଦୌଡ଼ି ପଳାଇଲା, ଆଉ ମୌଲବୀ ସାହେବ ବୁଲିପଡ଼ି ଥରିଥରି ପଡ଼ିଉଠି ଜାନ୍‍ଅଲି ଦୋକାନରେ କୌଣସିମତେ ପହଞ୍ଚିଗଲେ ।

 

ଜାନ୍‍ଅଲୀ ମୌଲବୀକୁ କହିଲା, ‘‘ମୌଲବୀ ସାହେବ ! ଆଚ୍ଛା ଆପଣ ବି ସେ ଗୁଣ୍ଡା ସଙ୍ଗରେ ମୁହାଁମୁହିଁ ହେଲେ ନା ! ଭାଗ୍ୟ ଭଲ ଯେ ସେ ଫାର୍ସା ଚଳେଇନାହିଁ !’’

 

କୁବରା ମୁହଁରୁ କଥା ବାହାରିଲା ନାହିଁ ।

 

‘‘ପ୍ରିୟ ରହିଲେ ପରବାସରେ.....’’ ଗୀତ ସଂପୂର୍ଣ୍ଣ ହେଲା; କେହି ଅଇଲେ ନାହିଁ କି ଗଲେ ନାହିଁ ।

 

ସେଉଠୁ ନନ୍‍ହକୂସିଂହ ଧୀରେ ଧୀରେ ଟହଲି ଟହଲି ଅନ୍ୟଆଡ଼େ ଚାଲିଗଲା । ଅଳ୍ପ ସମୟପରେ ଗୋଟିଏ ଡୋଲି ରେଶମୀ ଲୁଗା ଢଙ୍କାହୋଇ ସେଠିକି ଆସିଲା । ସଙ୍ଗରେ ଜଣେ ଚୋବ୍‍ଦାର ଥାଏ । ସେ ଦୁଲାରୀକୁ ରାଜମାତାଙ୍କ ଆଜ୍ଞା ଶୁଣାଇଲା ।

 

 

ଶ୍ରାବଣ ମାସର ଶେଷ ସୋମବାର । ରାଜମାତା’ପନ୍ନା ଶିବାଳୟରେ ବସି ପୂଜା କରୁଥାନ୍ତି । ଦୁଲାରୀ ବାହାରେ ବସିଥାଏ; ଅନ୍ୟ ଗାୟିକାମାନଙ୍କ ସଙ୍ଗରେ ଗୀତ ଗାଉଥାଏ । ଆଳତି ହେଲାପରେ ଆଞ୍ଜୁଳାରେ ଫୁଲଗୁଡ଼ିଏ ଧରି ପନ୍ନା ଦିଅଁଙ୍କ ଶ୍ରୀଚରଣରେ ଦେଇ ପ୍ରଣାମ କଲେ । ସେଉଠୁ ପ୍ରସାଦ ଘେନି ବାହାରକୁ ଆସି ଦୁଲାରୀକୁ ଦେଖିଲେ । ଦୁଲାରୀ ଠିଆହୋଇପଡ଼ି ହାତଯୋଡ଼ି କହିଲା, ‘‘ମୁଁ ତ ଆଗରୁ ଆସି ପହଞ୍ଚିଥାନ୍ତି । କ’ଣ କରେଁ । ସେ ଦୁଷ୍ଟ କୁବ୍‍ରା ମୌଲବୀଟା ଆସି ମତେ ରେସିଡେଣ୍ଟର କୋଠିକୁ ନେଇଯାଉଥିଲା, ଏଇ ଗୋଳମାଳରେ ଘଣ୍ଟାଏ ବିତିଲା ମଣିମା !’’

 

‘‘କୁବରା ମୌଲବୀ ! ଯେଉଁଠି ଶୁଣୁଛି ଖାଲି ତାଆରି ନାଁ ! ସେଠିକି ଯାଇ କ’ଣ କିଛି...’’ ପୁଣି କେଜାଣି କ’ଣ ମନେ ପକାଇ ପନ୍ନା କଥା ବଦଳାଇ କହିଲେ, ‘‘ହଁ, ସେଉଠୁ କ’ଣ ହେଲା ? ଏଠିକି ତୁ ଆସିପାରିଲୁ କେମିତି ?’’

 

‘‘ବାବୁ ନନ୍‍କୂସିଂହ ସେପାଖରୁ ଆସି ପହଞ୍ଚିଗଲେ । ମୁଁ କହିଲି-ମଣିମାଙ୍କ ପୂଜାରେ ଗୀତ ଗାଇବାପାଇଁ ମତେ ଯିବାକୁ ପଡ଼ିବ ଆଉ ୟେ ମତେ ଯିବାକୁ ଛାଡ଼ୁ ନାହିଁ । ସେ ମୌଲବୀକୁ ଏମିତିଆ ଥାପଡ଼ ବଜେଇଲେ ଯେ ତା’ମୁଣ୍ଡ ଘୂରିଗଲା । ସେଇଠୁଯାଇ ମତେ କୌଣସିମତେ ଏଠିକି ଆସିବାକୁ ଛୁଟି ମିଳିଗଲା ।’’

 

‘‘କୋଉ ବାବୁ ନନ୍‍ହକୂସିଂହ ?’’

 

ଦୁଲାରୀ ମୁଣ୍ଡ ନୁଆଁଇ କହିଲା, ‘‘ଆରେ, ମଣିମା କ’ଣ ଜାଣିନାହାନ୍ତି ?’’ ବାବୁ ନିରଞ୍ଜନସିଂହଙ୍କ ପୁଅ ପରା । ଯେତେବେଳେ ମୁଁ ଖୁବ୍‍ ସାନ ଥିଲି ଆପଣଙ୍କ ବାରିରେ ଦୋଳି ଝୁଲୁଥିଲା । ଦିନେ ନବାବଙ୍କ ହାତୀ ପାଗଳ ହୋଇ ଆସି ପହଞ୍ଚିଗଲା । ସେତେବଳେ ବାବୁ ନିରଞ୍ଜନ ସିଂହଙ୍କ ପୁଅ ତ ଆମକୁ ସବୁ ରକ୍ଷା କରିଥିଲେ ।’’

ସେହି ପୁରୁଣା କଥା ମନେପଡ଼ିଯିବାରୁ କେଜାଣି କାହିଁକି ରାଜମାତାଙ୍କ ମୁହଁ ବିବର୍ଣ୍ଣ ହୋଇଗଲା । ପୁଣି ନିଜକୁ ସମ୍ଭାଳି ନେଇ ସେ ପଚାରିଲେ, ‘‘ତେବେ ବାବୁ ନନ୍‍ହକୂସିଂହ ସିଆଡ଼େ କୁଆଡ଼େ ଆସିଥିଲେ ?’’

 

ଦୁଲାରୀ ହସିଦେଇ ମୁହଁ ପୋତିଦେଲା । ଦୁଲାରୀ ରାଜମାତା’ପନ୍ନାଙ୍କ ପିତାଙ୍କ ଜମିଦାରୀର ବାସିନ୍ଦା ଗୋଟିଏ ବେଶ୍ୟାର ଝିଅ । ତା’ସଙ୍ଗେ କେତେ ଥର ଝୁଲାରେ ଦୋଳିରେ ବସି ରାଜମାତା’ପନ୍ନା ଦୋଳି ଖେଳିଥିଲେ । ଗୀତ ବୋଲିବାବେଳେ ପିଲାଦିନୁଁ ତା’ସ୍ୱରଟି ଅତି ମଧୁର । ସେ ସୁନ୍ଦରୀ, ଆଉ ସେ ଚଞ୍ଚଳା । ଯେତେବେଳେ ପନ୍ନା କାଶୀର ରାଜାଙ୍କ ମା, ସେତେବେଳେ ଦୁଲାରୀ କାଶୀର ପ୍ରଧାନ ଗାୟିକା, ରାଜ-ପ୍ରାସାଦରେ ତା୍‍ର ଗାଇବା ବଜେଇବା ପ୍ରାୟହିଁ ହେଉଥିଲା । ମହାରାଜ ବଳବନ୍ତ-ସିଂହଙ୍କ ସମୟରୁହିଁ ସଙ୍ଗୀତ ପନ୍ନାଙ୍କ ଜୀବନର ପ୍ରଧାନ ଅଂଶ ହୋଇଥିଲା । ସେତେବେଳେ ତ ପ୍ରେମ, ଦୁଃଖ ଆଉ କରୁଣତାପୂର୍ଣ୍ଣ ବିରହ କଳ୍ପନାର ଗୀତ ପ୍ରତି ପନ୍ନାଙ୍କର ଅଧିକ ରୁଚି ଥିଲା । ଏବେ ସାତ୍ତ୍ୱିକଭାବପୂର୍ଣ୍ଣ ଭଜନ ହେଉଥିଲା । ରାଜମାତା’ପନ୍ନାଙ୍କ ବୈଧବ୍ୟରେ ପବିତ୍ର ଶାନ୍ତ ମୁଖମଣ୍ଡଳ ଟିକିଏ ମଳିନ ପଡ଼ିଗଲା ।

 

ବଡ଼ ରାଣୀଙ୍କ ସାପତ୍ନ୍ୟର ଜ୍ୱାଳା ବଳବନ୍ତସିଂହ ମଲାପରେ ବି ସରିଲା ନାହିଁ । ଅନ୍ତଃପୁର କଳହର ରଙ୍ଗମଞ୍ଚ ହୋଇ ରହୁଥିଲା । ତେଣୁ ପନ୍ନା ପ୍ରାୟଶଃ କାଶୀର ରାଜମନ୍ଦିରକୁ ଆସି ପୂଜାପାଠରେ ନିଜ ମନ ଲଗାଉଥିଲେ । ରାମନଗରରେ ତାଙ୍କୁ ଟିକିଏ ବି ସୁଖ ମିଳୁନଥାଏ । ନୂଆ ରାଣୀ ହେବା କାରଣରୁ ବଳବନ୍ତସିଂଙ୍କ ପ୍ରେୟସୀ ହେବାର ଗୌରବ ତ ତାଙ୍କର ଥିଲା । ତହିଁରେ ପୁଣି ପୁତ୍ରବତୀ ହେବା ସୌଭାଗ୍ୟ ବି ମିଳିଲା । ତଥାପି ଅସବର୍ଣ୍ଣତା’ରସାମାଜିକ ଦୋଷ ତାଙ୍କ ହୃଦୟକୁ ବ୍ୟଥିତ କରୁଥିଲା । ତାଙ୍କର ନିଜର ବିବାହର ପ୍ରାରମ୍ଭ-ପର୍ବ ମନେପଡ଼ିଗଲା ।

 

ଛୋଟିଆ ମଞ୍ଚ ଉପରେ ବସି ଗଙ୍ଗାର ଉଛୁଳା ଧାରକୁ ପନ୍ନା ଅନ୍ୟମନସ୍କା ହୋଇ ଚାହିଁଥାନ୍ତି । ଅତୀତରେ ଗୋଟିଏ ଥର ହାତରୁ ଅଜଣାରେ ଖସିପଡ଼ି ସବୁଦିନ ଲାଗି ବିଲୀନ ହୋଇଯାଇଥିବା ବସ୍ତୁ ଭଳି ସେହି କଥାକୁ ଭାବିବାର କୌଣସି କାରଣ ନଥିଲା । ସେଥିରେ ଲାଭ-କ୍ଷତି ବି ନଥିଲା । କିନ୍ତୁ ମାନବ-ସ୍ୱଭାବ ହିସାବ ରଖିବା ପ୍ରଥା ଅନୁସାରେ କେବେ କେବେ କହି ବି ପକାଏ, ‘ଯଦି ସେକଥା ଘଟିଯାଇଥାନ୍ତା ତେବେ-?’ ଠିକ୍‍ ସେହିପରି ରାଣୀ ପନ୍ନା ବଳପୂର୍ବକ ରାଜା ବଳବନ୍ତ ସିଂହଙ୍କ ଦ୍ୱାରା ରାଣୀ କରାହେବା ଆଗରୁ ଗୋଟିଏ ସମ୍ଭାବନା କଥା ଭାବୁଥିଲେ,-ସେ ଭାବନା ଆସିଥିଲା ବାବୁ ନନ୍‍ହକୂ ସିଂହର ନାଁ ଶୁଣିବାରୁ ।

 

ପନ୍ନା ବଳବନ୍ତ ସିଂହଙ୍କର ପ୍ରେୟସୀ ହେବାଠୁ ଗେଂଦା ପନ୍ନାଙ୍କ ପାଖରେ ଦାସୀ ଥିଲା । ରାଜ୍ୟଯାକର ଖବର ତାହାରିଦ୍ୱାରା ମିଳୁଥାଏ । ତା’ରକେଜାଣି କେତେ ଜଣାଶୁଣା ଲୋକ ଥିଲେ ! ଦୁଲାରୀକୁ ବିରକ୍ତ କରିବାକୁ ସେ କିଛି କହିବା ଆବଶ୍ୟକ ମନେ କଲା । କହିଲା-

 

‘‘ମହାରାଣୀ, ନନ୍‍ହକୂସିଂହ ଆଜିକାଲି ତାଙ୍କର ସବୁ ଜମିଦାରିଯାକ ସୁଆଙ୍ଗ, ମେଣ୍ଢା ଲଢ଼େଇ, ଘୋଡ଼ାଦୌଡ଼, ଗାନ-ବାଜଣାରେ ଉଡ଼ାଇଦେଇ ଏବେ ଡକାୟତ ହୋଇଗଲେଣି । ଯେତେ ଖୁନ୍‍ ହୁଏ ସବୁଥିରେ ତାଙ୍କରି ହାତଥାଏ । ଯେତେକ...’’ ତା’କଥାରେ ବାଧାଦେଇ ଦୁଲାରୀ କହିଲା, ‘‘ୟେ ସବୁ ମିଛକଥା । ସେ ବାବୁ ସାହେବଙ୍କ ପରି ଏଭଳି ଧର୍ମାତ୍ମା ତ ଆଉ କେହି ନାହାନ୍ତି-। କେଜାଣି କେତେ ବିଧବା ସେ ଦେଇଥିବା ଲୁଗାରେ ଆପଣା ଶରୀର ଢାଙ୍କନ୍ତି । କେତେ କେତେ ଝିଅଙ୍କ ବାହା-ସାହା ତାଙ୍କରି ଦୟା’ରୁ ହୁଏ । କେତେ ଅତ୍ୟାଚାର ଭୋଗୁଥିବା ଲୋକେ ତାଙ୍କରି ଦ୍ୱାରା ରକ୍ଷା ପାଆନ୍ତି ।’’

 

ରାଣୀ ପନ୍ନାଙ୍କ ହୃଦୟରେ ଗୋଟିଏ ତରଙ୍ଗ ଉଦ୍‍ ବେଳିତ ହେଲା । ସେ ହସି-ପକାଇ କହିଲେ, ‘‘ଦୁଲାରୀ, ସେ ତୋର ସେଠିକି ଯାଆନ୍ତି ପରା ? ସେଥିପାଇଁ ତୁ ତାଙ୍କର ବଡ଼ାଇ...’’

 

‘‘ନାଇଁ ମଣିମା ! ନିୟମ କରି କହୁଚି । ବାବୁ ନନ୍‍ହକୂ ସିଂହ ଆଜି ପର୍ଯ୍ୟନ୍ତ କେବେ ମୋ ଘରେ ପାଦ ବି ପକାଇ ନାହାନ୍ତି ।’’

 

ରାଜମାତା’କେଜାଣି କାହିଁକି ୟେ ଅଦ୍ଭୁତ ବ୍ୟକ୍ତିକୁ ବୁଝିବାକୁ ଚଞ୍ଚଳ ହୋଇ ପଡ଼ିଥିଲେ । ତଥାପି ସେ ଦୁଲାରୀକୁ ଆଉ କିଛି ନ କହିବାକୁ ତୀକ୍ଷ୍ ଣ ଦୃଷ୍ଟିରେ ଅନାଇଁଲେ । ସେ ତୁନି ହୋଇଗଲେ । ପ୍ରଥମ ପ୍ରହରର ମହୁରି ବାଜିଲା । ଦୁଲାରୀ ଛୁଟି ମାଗି ଡୋଲିରେ ବସିପଡ଼ିଲା ।

 

ସେଉଠୁ ଗେଂଦା କହିଲା, ‘‘ମଣିମା, ଆଜିକାଲି ସହରର ଅବସ୍ଥା ବଡ଼ ଖରାପ । ଦିନ ଦି’ପହରେ ଲୋକେ ଲୁଟ୍‍ପାଟ୍‍ କରିନେଉଛନ୍ତି । ଅନେକ ଜାଗାରେ ନାଳ ପାଖେ ଲୋକେ ଜୁଆଖେଳରେ ସର୍ବସ୍ୱ ହରାଉଛନ୍ତି । ଗଳି-ଗଳିକେ ଲାଠି ଆଉ ଛୁରା ଚାଲିଛି । ତେଣେ ରେସିଡ଼େଣ୍ଟ ସାହେବଙ୍କ ସଙ୍ଗରେ ମହାରାଜଙ୍କର ବିବାଦ ଚାଲିଛି ।’’ ରାଜମାତା’ଚୁପ୍‍ ରହିଥିଲେ ।

 

ତହିଁ ଆରଦିନ ରାଜା ଚୈତ୍‍ସିଂହଙ୍କ ପାଖକୁ ରେସିଡେଣ୍ଟ ମାର୍କହେମ୍‍ ସାହେବଙ୍କ ଚିଠି ଆସିଲା । ସେଥିରେ ସହରର ଦୁର୍ବ୍ୟବସ୍ଥାର କଡ଼ା ଆଲୋଚନା ହୋଇଥିଲା । ଡକାଏତ ଆଉ ଗୁଣ୍ଡାଙ୍କୁ ଧରିବା ସକାଶେ ସେଥିରେ କଡ଼ା ନିୟନ୍ତ୍ରଣ ନିର୍ଦ୍ଦେଶ ବି ଥିଲା । କୁବ୍‍ରା ମୌଲବୀ ସଂକ୍ରାନ୍ତରେ ଘଟିଥିବା ଘଟନାର ଉଲ୍ଲେଖ ବି ଥିଲା । ଏପଟକୁ ହେଷ୍ଟିଂସ୍‍ ଆସିବେ ବୋଲି ସୂଚନା ବି ଥିଲା ।

 

ଶିବାଳୟ ଘାଟ ଓ ରାମନଗରରେ ଚହଳ ପଡ଼ିଗଲା । ଦାରୋଗା ହିମ୍ମତ୍‍ ସିଂହ ପାଗଳ ପରି ଯାହା ହାତରେ ଲାଠି, ଲୁହାଛଡ଼, ଫାର୍ସା, ଛୁରା ଆଉ ତେଣ୍ଟା ଆଦି ଦେଖୁଥିଲା ତାକୁ ଧରୁଥିଲା-

 

ଦିନେ ନନ୍‍ହକୂ ସିଂହ ସୁମ୍ଭାର ନାଳ ପାଖେ ଥିବା ଘନ ସବୁଜ କ୍ଷେତରେ ଏକ ମଞ୍ଚା ଉପରେ ବସି ନିଜର ବଛା ବଛା ସାଥୀଙ୍କ ସଙ୍ଗରେ ଦୁଧ-ଗଞ୍ଜେଇ, ଭାଙ୍ଗ ବଟା ମିଶାଇ ପିଉଥିଲା । ତା’ରଛୋଟ ଡଙ୍ଗାଟି ଗଙ୍ଗାନଦୀର କୂଳରେ ଥିବା ଗୋଟାଏ ବରଗଛର ଓହଳଦେହରେ ବନ୍ଧା ହୋଇଥାଏ । କଥକର ଗୀତ ଚାଲିଥାଏ । ଚାରିଟା ଏକ୍‍କାଗାଡ଼ି ଯୋଚା ହୋଇ ଠିଆ ହୋଇଥାନ୍ତି ।

 

ନନ୍‍ହକୂ ସିଂହ ଫର୍ମାସି ଦେଲା, ‘‘ମଲୂକୀ, ଗୀତ ଜମୁନାହିଁ । ଏକ୍‍କା ଗାଡ଼ି ନେଇ ଯା, ଦୁଲାରୀକି ଡାକି ଆଣ ।’’ ମଲୂକୀ ସେଠି ମଜୀରା ବଜାଉଥାଏ । ଦୌଡ଼ିଯାଇ ଏକ୍‍କାରେ ଚଢ଼ିଲା । ନନ୍‍ହକୂ ସିଂହର ମନ ଖରାପ ଥାଏ । ଭାଙ୍ଗ ପିଇଲେ ବି ନିଶା ଧରୁନାହିଁ ।

 

ଘଣ୍ଟାକେ ଦୁଲାରୀ ଆସି ପହଞ୍ଚିଗଲା । ହସି ଦେଇ କହିଲା, ‘‘କ’ଣ ହେଲା ବାବୁ ସାହେବ୍‍ ?’’

 

‘‘ଦୁଲାରୀ, ଆଜି ଗୀତ ଶୁଣିବାକୁ ମନ ଡାକୁଚି ।’’

 

‘‘ୟେ ବଣରେ କାହିଁକି ?’’ ସେ ଶଙ୍କିତ ହୋଇ ହସି ହସି କୌଣସି ଉତ୍ତର ଅଭିପ୍ରାୟରେ ପଚାରିଲା ।

 

‘‘ତୁ କୌଣସି ପ୍ରକାର ଆଶଙ୍କା କର ନାହିଁ ।’’ ନନ୍‍ହକୂ ସିଂହ ହସିଦେଇ କହିଲା ।

 

‘‘ସେକଥା ତ ମୁଁ ସେଦିନ ମହାରାଣୀଙ୍କ ଆଗରେ ବି କହିଆସିଲି ।’’

 

‘‘କ’ଣ ? କାହାକୁ ?’’

 

‘‘ରାଜମାତା’ପନ୍ନା ଦେବୀଙ୍କ ଆଗରେ ।’’

 

ଆଉ ସେଦିନ ଗୀତ ଜମିଲା ନାହିଁ । ଦୁଲାରୀ ଆଶ୍ଚର୍ଯ୍ୟ ହୋଇ ଦେଖିଲା ଯେ କଥା-କଥାରେ ନନ୍‍ହକୂ ସିଂହର ଆଖି ଓଦା ହୋଇଯାଇଛି । ଗାନ-ବାଜଣା ସରିଗଲା । ବର୍ଷା ରାତିରେ ଝିଙ୍କାରିସ୍ୱର ଗଛ ଉପରୁ ଝିଇଁ-ଝିଇଁ ଶୁଭୁଛି । ମନ୍ଦିର ପାଖ ଛୋଟିଆ ବଖରା ଭିତରେ ନନ୍‍ହକୂ ସିଂହ ଚିନ୍ତାରେ ବୁଡ଼ିରହିଥିଲା; ଆଖିରେ ନିଦ ନାହିଁ । ଆଉ ସମସ୍ତେ ତ ଶୋଇପଡ଼ିଲେଣି । ଦୁଲାରୀ ଚେଇଁ ଥାଏ । ସେ ବି କ’ଣ ଭାବୁଥାଏ । ଆଜି ନିଜକୁ ରୋକିବାକୁ ତାକୁ କଠିନ ପ୍ରୟା’ସ କରିବାକୁ ପଡ଼ୁଥାଏ । କିନ୍ତୁ ଅସଫଳ ହୋଇ ସେ ଉଠିପଡ଼ିଲା ଆଉ ଧୀରେ ଧୀରେ ନନ୍‍ହକୂ ସିଂହ ପାଖକୁ ଚାଲିଗଲା । କିନ୍ତୁ ଶବ୍ଦ ଶୁଣିଲାମାତ୍ରେ ନନ୍‍ହକୂ ସିଂହ ଚମକି ପଡ଼ି ପାଖରେ ପଡ଼ିଥିବା ଖଣ୍ଡାକୁ ଉଠେଇନେଲା । ସେଉଠୁ ହସି ପକାଇ ଦୁଲାରୀ କହିଲା, ‘‘ବାବୁ ସାହେବ ! ୟେ କି କଥା ? ସ୍ତ୍ରୀଲୋକଙ୍କ ଉପରକୁ ବି ତଲ୍‍ଓ୍ୱାର ଉଠାଯାଏ ?’’

 

ଛୋଟିଆ ଦୀପର ଆଲୁଅରେ ବାସନାପୂର୍ଣ୍ଣ ରମଣୀର ମୁହଁକୁ ଦେଖି ନନ୍‍ହକୂ ସିଂହ ହସିପକାଇଲା । କହିଲା, ‘‘କ’ଣ ହେଲା ବାଇଜୀ ? କ’ଣ ଏତେ ବେଳଟାରେ ଯିବାକୁ ପଡ଼ିବ ? ମୌଲବୀ ଫେର୍‍ ଡକେଇଚି କି ?’’

 

ଦୁଲାରୀ ନନ୍‍ହକୂ ପାଖରେ ବସିପଡ଼ିଲା । ନନ୍‍ହକୂ କହିଲା, ‘‘ତତେ କ’ଣ ଡର ମାଡ଼ୁଚି-?’’

 

‘‘ନାଇଁ, ମୁଁ କିଛି ପଚାରିବାକୁ ଚାହୁଁଛି ।’’

 

‘‘କ’ଣ ?’’

 

‘‘କ’ଣ...କ’ଣ କି...କେବେ କ’ଣ ତୁମ ହୃଦୟରେ... ।’’

 

‘‘ସେସବୁ ପଚାରନା ଦୁଲାରୀ ! ହୃଦୟକୁ ବୁଝିବା ତ ଅକାରଣ; ସେଥିପାଇଁ ତାକୁ ମୁଁ ହାତରେ ଧରି ବୁଲିଛି । ମନଇଚ୍ଛା ଯିଏ ଯାହା କରିଦେଉଛି । କିଏ ମକଚି ଦେଉଛି ତ କିଏ ଚିରିଦେଉଛି, ଆଉ କିଏ ବହକେଇ ଦଉଛି । ମରିଯିବା ପାଇଁ ସବୁକିଛି ତ ମୁଁ କରୁଛି; ତଥାପି ମରିପାରୁନାହିଁ ।’’

‘‘ମରିବା ପାଇଁ ବି କୁଆଡ଼େ ଖୋଜିବାକୁ ଯିବା ଦରକାର ପଡ଼େ ? ଆପଣଙ୍କୁ କାଶୀର କଥା ବା କ’ଣ ଜଣା ? ଜଣାନାହିଁ ଘଡ଼ିକେ କ’ଣ ହୋଇଯିବ, ଓଲଟ-ପାଲଟ ହେବାର ଅଛି କି କ’ଣ, ବନାରସର ଗଳିଗୁଡ଼ାକ ସତେ ଯେମିତି ହାଣିବାକୁ ଧାଇଁଛନ୍ତି ।’’

‘‘କିଛି ନୂଆ କଥା ହୋଇଛି ନା କ’ଣ ?’’

‘‘କେଉଁ ହେଷ୍ଟିଂସ୍‍ ସାହବ ଆସୁଚି । ଶୁଣାଯାଉଛି ସେ କୁଆଡ଼େ ଶିବାଳୟ ଘାଟରେ ଫିରିଙ୍ଗୀ ପହରା ଲଗେଇ ଦେଇଚି । ରାଜା ଚୈତସିଂହ ଆଉ ରାଜାମାତା’ପନ୍ନା ସେଇଠି ଅଛନ୍ତି । କେହି କେହି କହୁଛନ୍ତି ଯେ ତାଙ୍କୁ ଧରି କଲିକତା’ପଠାଇବା ପାଇଁ.....’’

‘‘କ’ଣ ପନ୍ନା ବି........କ’ଣ ଅନ୍ତଃପୁର ସେଇଠି ହୋଇଛି ?’’

ନନ୍‍ହକୂ ଅଧୀର ହୋଇ ଉଠିପଡ଼ିଲା ।

‘‘କି ବାବୁ ସାହେବ ? ଆଜି ରାଣୀ ପନ୍ନାଙ୍କ ନାଁ ଶୁଣି ଆପଣଙ୍କ ଆଖିରୁ ଲୁହ ବହିଲା କାହିଁକି ?’’

ହଠାତ୍‍ ନନ୍‍ହକୂର ମୁହଁ ଭୟଙ୍କର ହୋଇଗଲା । ସେ କହିଲା, ‘‘ଚୁପ୍‍ ରୁହ, ତୁ ସେ କଥା ଜାଣି କ’ଣ କରିବୁ ?’’ ସେ ଉଠି ଠିଆହୋଇ ପଡ଼ିଲା । ଉଦ୍‍ବିଗ୍ନ ହୋଇ କେଜାଣି କ’ଣ ଖୋଜିଲା । ପୁଣି ସ୍ଥିର ହୋଇଯାଇ ସେ କହିଲା, ‘‘ଦୁଲାରୀ, ମୋ ଜୀବନରେ ଆଜି ଏ ପ୍ରଥମ ଦିନ ଯେତେବେଳେ ରାତିଟାରେ ଏକୁଟିଆ ଜଣେ ସ୍ତ୍ରୀଲୋକ ମୋ ପଲଙ୍କ ଉପରେ ଆସି ବସିପଡ଼ିଛି । ମୁଁ ଚିରକୁମାର । ମୋର ଗୋଟିଏ ପ୍ରତିଜ୍ଞାକୁ ପୂରଣ କରିବି ବୋଲି ମୁଁ ନାନା ଅସତ୍ୟ, ନାନା ଅପରାଧ କରି ବୁଲୁଛି । କାହିଁକି ? ତୁ ଜାଣିଛୁ କାହିଁକି ? ମୁଁ ସ୍ତ୍ରୀମାନଙ୍କ ପ୍ରତି ଘୋର ବିଦ୍ରୋହୀ । ଆଉ ପନ୍ନା... ! କିନ୍ତୁ ତା’ରକି ଅପରାଧ ? ତାକୁ ଧରିନେଇ ଗୋରାଲୋକେ କଲିକତା ପଠାଇଦେବେ...ଆଉ ସେଠାରେ..... ’’

ନନ୍‍ହକୂସିଂହ ଉନ୍ମତ୍ତ ହୋଇଗଲା । ଦୁଲାରୀ ଦେଖିଲା, ନନ୍‍ହକୂ ଅନ୍ଧାରରେ ହିଁ ବରଗଛତଳେ ପହଞ୍ଚିଗଲା ଆଉ ଗଙ୍ଗାର ଉଛୁଳୁଥିବା ସୁଅରେ ଡଙ୍ଗା ମେଲିଦେଲା । ସେହି ଘନ ଅନ୍ଧାରରେ ଦୁଲାରୀର ହୃଦୟ ଥରିଉଠିଲା ।

 

 

୧୬ ଅଗଷ୍ଟ, ସନ ୧୭୮୧ । ସେଦିନ କାଶୀ ଉଠୁଥାଏ ପଡ଼ୁଥାଏ । ଶିବାଳୟ ଘାଟରେ ରାଜା ଚୈତ୍‍ସିଂହଙ୍କୁ ଲେଫଟ୍‍ନେଣ୍ଟ ଇଷ୍ଟାକର ପହରା ଲଗାଇ ଅଟକ କରି ରଖିଥାଏ । ସହରରେ ଆତଙ୍କ ପଡ଼ିଯାଇଥାଏ । ଦୋକାନ ବନ୍ଦ । ଘରେ ଘରେ ପିଲାଏ ମା’ମାନଙ୍କୁ ପଚାରୁଥାନ୍ତି, ‘‘ମା’ ଆଜି ହାଲୁଆବିକାଳି ଆସିବ ନାଇଁ ?’’ ମା କହେ, ‘‘ତୁନି ହ’ ପୁଅ !’’ -ସଡ଼କ ଶୂନ୍ୟ ପଡ଼ିଛି । ଫିରିଙ୍ଗୀ ଫଉଜ ଦଳର ଆଗେ ଆଗେ କୁବ୍‍ରା ମୌଲବୀ କେତେ କେତେ ବେଳେ ଯା’ଆସ କରିବାର ଦେଖାଯାଉଥାଏ । ସେତେବେଳେ ମେଲା ହୋଇଥିବା ଝରକା ବି ବନ୍ଦ ହୋଇଯାଉଥାଏ । ସହରଟା ଭୟ ଓ ନିସ୍ତବ୍‍ଧତା’ରରାଜ୍ୟ ହୋଇଯାଇଥାଏ । ଛକ ଉପରେ ଚିଥ୍‍ରୁସିଂହଙ୍କ କୋଠାଟା ନିଜ ଭିତରେ କାଶୀର ବୀରତ୍ୱକୁ ବନ୍ଦୀ କରି ଥାନାର ଅଭିନୟ କରୁଥାଏ-। ସେହି ସମୟରେ କିଏ ଜଣେ ଡାକପକାଇଲା- ‘ହିମ୍ମତ୍‍ସିଂହ ।’

 

ଝରକାବାଟେ ମୁହଁ କାଢ଼ି ହିମ୍ମତ୍‍ସିଂହ ପଚାରିଲା ‘‘କିଏ ?’’

 

‘‘ବାବୁ ନନ୍‍ହକୂସିଂହ ।’’

 

‘‘ଆରେ, ତୁମେ ଏଯାକେ ପଦାରେ ଅଛନା ?’’

 

‘‘ପାଗଳ ହୋଇଗଲ ? ରାଜା ପରା କଇଦୀ ହେଲେଣି ଆମ ବାହାଦୁରମାନଙ୍କୁ ଛାଡ଼ିଦିଅ ତ, ମୁଁ ଥରେ ସେମାନଙ୍କୁ ସଙ୍ଗରେ ଘେନି ଶିବାଳୟ ଘାଟ ଆଡ଼େ ବୁଲିଆସେ ।’’

 

‘‘ରହ’’ କହି ହିମ୍ମତ୍‍ସିଂହ କ’ଣ ହୁକୁମ ଦେଲା । ସିପାହୀମାନେ ପଦାକୁ ବାହାରି ପଡ଼ିଲେ-। ନନ୍‍ହକୂ କହିଲା, ‘‘ନିମକ୍‍ହାରାମ୍‍, ହାତରେ ଚୁଡ଼ି ନାଆ ମ ।’’ ଲୋକେ ଦେଖୁ ଦେଖୁ ନନ୍‍ହକୂସିଂହ ଚାଲିଗଲା । ଥାନା ଆଗଟା ପୁଣି ଶୂନ୍‍ଶାନ୍‍ ପଡ଼ିଗଲା ।

 

ନନ୍‍ହକୂ ଉନ୍ମତ୍ତ ହୋଇଥିଲା । ତା’ରଅଳ୍ପ କେତେଜଣ ସାଥୀ ତା’ହୁକୁମ୍‍ ମାନି ଜୀବନ ଦେବାକୁ ପ୍ରସ୍ତୁତ ଥିଲେ । ତାକୁ ଜଣା ନଥିଲା ଯେ ରାଜା ଚୈତ୍‍ସିଂହଙ୍କ ବିରୁଦ୍ଧରେ ରାନୈତିକ ଅପରାଧ ଗଢ଼ି ଠିଆକରାଇବା ଲାଗି ରୁକ୍‍କା ପଠାଯାଇଥିଲା ।

 

ଏଣେ ନନ୍‍ହକୂସିଂହ ନିଜ ଡଙ୍ଗାଖଣ୍ଡ ଘେନି ଶିବାଳୟର ଝରକାତଳେ ସୁଅ କାଟି କାଟି ଯାଇ ପହଞ୍ଚିଗଲା । କୌଣସି ପ୍ରକାରେ ଗୋଟାଏ ପଦାକୁ ବାହାରିଥିବା ପଥରଦେହରେ ଦଉଡ଼ା ବାନ୍ଧି ଦେଇ ସେ ଅସ୍ଥିର ଡଙ୍ଗାଟାକୁ ସ୍ଥିର କରିଦେଲା, ଆଉ ମାଙ୍କଡ଼ ପରି କୁଦାମାରି ଝରକା ଭିତରବାଟେ ପଶିଗଲା ।

 

ସେତେବେଳେ ସେଠି ରାଜାମାତା’ପନ୍ନା ଓ ଯୁବକ ରାଜା ଚୈତ୍‍ସିଂହଙ୍କୁ ବାବୁ ମନିୟା’ର ସିଂହ କହୁଥାନ୍ତି-‘‘ଆପଣ ଏଠି ରହିଲେ ଆମେସବୁ କ’ଣ କରିବୁ ? କ’ଣ ଘଟଣା ଜଣାପଡ଼ୁନାହିଁ ? ପୂଜାପାଠ ସାରିଦେଇ ଆପଣମାନେ ଯଦି ରାମନଗର ଚାଲିଯାଇଥାନ୍ତେ ତେବେ....’’

 

ତେଜସ୍ୱିନୀ ପନ୍ନା କହିଲେ, ‘‘ଏବେ ମୁଁ ରାମନଗର କେମିତି ଯିବି ?’’

 

ମନିୟା’ରସିଂହ ଦୁଃଖିତ ହୋଇ କହିଲେ, ‘‘ଆଉ ଉପାୟ କ’ଣ ? ମୋ ସିପାହୀମାନେ ତ ବନ୍ଦୀ ହୋଇଛନ୍ତି ।’’

 

ଏତିକିବେଳେ ଫାଟକପାଖେ କୋଳାହଳ ଶୁଭିଲା । ରାଜପରିବାର ନିଜ ମନ୍ତ୍ରଣାରେ ବୁଡ଼ିଥିଲେ, ତେଣୁ ନନ୍‍ହକୂସିଂହର ଆସିବା ସେ ଜାଣିନଥିଲେ ।

 

ସାମନା କବାଟ ବନ୍ଦ ଥିଲା । ନନ୍‍ହକୂସିଂହ ଥରେ ଗଙ୍ଗାର ସୁଅକୁ ଦେଖିଲା, ତହିଁରେ ଗୋଟାଏ ନାହା ଘାଟରେ ଲାଗିବାପାଇଁ ସୁଅ ସଙ୍ଗରେ ଲଢ଼ୁଛି । ସେ ଖୁସି ହୋଇଗଲା । ତାରି ଅପେକ୍ଷାରେ ହିଁ ସେ ଅଟକିଥିଲା । ସତେ ଅବା ସମସ୍ତିଙ୍କୁ ସଚେତ କଲାପରି ସେ କହିଲା–

 

‘‘ମହାରାଣୀ କାହାନ୍ତି ?’’

 

ସମସ୍ତେ ବୁଲିପଡ଼ି ଦେଖିଲେ, ଏକ ଅପରିଚିତ ବୀରମୂର୍ତ୍ତି । ଶସ୍ତ୍ରରେ ଲଦି ହୋଇଥିବା ଗୋଟାଏ ଶରୀର ।

 

ଚୈତ୍‍ସିଂହ ପଚାରିଲେ, ‘‘ତୁମେ କିଏ. ?’’

 

‘‘ରାଜପରିବାରର ଜଣେ ମାହାଳିଆ ସେବାକାରୀ ଯେ ପାରିଶ୍ରମିକ ନିଏ ନାହିଁ ।’’

 

ପନ୍ନାଙ୍କ ମୁହଁରୁ ଗୋଟାଏ ହାଲୁକା ନିଶ୍ୱାସ ବାହାରିଗଲା । ସେ ଚିହ୍ନି ନେଲେ । ଏତେ ବର୍ଷ ପରେ । ଏଇ ନନ୍‍ହକୂସିଂହ ।

 

ମନିୟା’ରସିଂହ ପଚାରିଲା, ‘‘ତୁମେ କ’ଣ କରିପାରିବ ?’’

 

‘‘ମୁଁ ମରିପାରିବି । ଆଗ ମହାରାଣୀଙ୍କୁ ଡଙ୍ଗାରେ ବସାଇ ଦିଅନ୍ତୁ । ତଳେ ଅନ୍ୟ ଡଙ୍ଗାରେ ଭଲ ନାଉରୀ ଅଛନ୍ତି । ତା’ରେ କଥାବାର୍ତ୍ତା ହେଉନ୍ତୁ ।’’

 

ମନିୟା’ରସିଂହ ଦେଖିଲା, ମାଇପେ ବସିବା ଡଙ୍ଗାର ଦାରୋଗା ରଜାଘର ଗୋଟାଏ ଡଙ୍ଗାରେ ଚାରିଜଣ ନାଉରିଙ୍କ ସଙ୍ଗରେ ନାହା ଭିଡ଼ି ପ୍ରତୀକ୍ଷାରେ ରହିଛି ।

 

ସେ ପନ୍ନାଙ୍କୁ କହିଲା, ‘‘ଚାଲନ୍ତୁ ମୁଁ ସଙ୍ଗରେ ଯିବି ।’’

 

‘‘କିନ୍ତୁ...’’ ଚୈତ୍‍ସିଂହକୁ ଦେଖି ପୁତ୍ରବତ୍ସଳା ସଙ୍କେତରେ ଗୋଟାଏ ପ୍ରଶ୍ନ ପଚାରିଲେ । ତା’ରଉତ୍ତର କାହାରି ପାଖରେ ନଥିଲା । ମନିୟା’ରସିଂହ କହିଲା ‘‘ତେବେ ମୁଁ ଏଇଠି- ?’’

 

ନନ୍‍ହକୂସିଂହ ହସିଦେଇ କହିଲା, ‘‘ମୋ ମାଲିକ, ଆସନ୍ତୁ ନାହାରେ ବସନ୍ତୁ । ଯେତେବେଳଯାଏ ରଜା ବି ନାହାରେ ନ ବସିଛନ୍ତି ସେତେବେଳ ପର୍ଯ୍ୟନ୍ତ ସତରଟା ଗୁଳି ଖାଇ ବି ନନ୍‍ହକୂସିଂହ ଜୀବିତ ରହିବ ବୋଲି ପ୍ରତିଜ୍ଞା କରୁଛି ।’’

 

ପନ୍ନା ନନ୍‍ହକୂକୁ ଦେଖିଲେ । କ୍ଷଣକ ପାଇଁ ଚାରିଚକ୍ଷୁ ଏକାଠି ହେଲା, ସେଥିରେ ଜନ୍ମ-ଜନ୍ମର ବିଶ୍ୱାସର ଜ୍ୟୋତି ଜଳୁଥିଲା ।

 

ଫାଟକକୁ ଜବରଦସ୍ତି ଖୋଲାଯାଉଥିଲା । ନନ୍‍ହକୂକୁ ଉନ୍ମତ୍ତ ହୋଇ କହିଲା, ‘‘ଆଜ୍ଞା ଜଲଦି କରନ୍ତୁ ।’’

 

ପର ମୁହୂର୍ତ୍ତରେ ପନ୍ନା ଡଙ୍ଗାକୁ ଯାଇସାରିଥିଲେ ଓ ନନ୍‍ହକୂସିଂ ଥିଲା ଫାଟକ ପାଖେ ଇଷ୍ଟକାର୍‍ ସାହେବ ପାଖରେ । ଚେତ୍‍ରାମ୍‍ ଆସି ଗୋଟିଏ ଚିଠି ମନିୟା’ର୍‍ ସିଂହ ହାତରେ ଦେଇଗଲା ।

 

ଲେଫଟ୍‍ନେଣ୍ଟ କହିଲା, ‘‘ଆପଣଙ୍କ ଲୋକେ ଗୋଳମାଳ କରୁଛନ୍ତି । ତାଙ୍କ ଉପରେ ଗୁଳି ଚଳାଇବା କାର୍ଯ୍ୟରୁ ମୁଁ ମୋ ସିପାହୀଙ୍କି ରୋକି ପାରିବି ନାହିଁ ।’’

 

ମନିୟା’ର୍‍ ସିଂହ ହସି ଦେଇ କହିଲା, ‘‘ମୋ ସିପାହୀ ଏଠାରେ କାହାନ୍ତି ସାହେବ ?’’

 

ବାହାରେ କୋଳାହଳ ବଢ଼ୁଥାଏ ।

 

ଚେତ୍‍ରାମ୍‍ କହିଲା, ‘‘ଆଗେ ଚୈତ୍‍ସିଂହକୁ ବନ୍ଦୀ କରନ୍ତୁ ।’’

 

‘‘କାହାର ଏଡ଼େ ହିମ୍ମତ ହୋଇଛି ?’’ ଜୋରରେ ଏତକ କହି ବାବୁ ମନିୟର୍‍ ସିଂହ ତରୁଆଲ୍‍ ଓଟାରି ଦେଲେ । ତାଙ୍କ କଥା ସରିନଥାଏ, କୁବ୍‍ରା ମୌଲବୀ ସେଠି ଆସି ପହଞ୍ଚିଗଲେ । ଏଠି ମୌଲବୀ ସାହେବଙ୍କ କଲମ ଚଳିପାରୁ ନଥିଲା କି ସେ ପଦାକୁ ବି ଯାଇପାରୁନଥିଲେ । ସେ ଦୃଢ଼ ସ୍ୱରରେ କହିଲେ, ‘‘କ’ଣ ଦେଖୁଚ ଚେତ୍‍ରାମ୍‍ ?’’

 

ଚେତ୍‍ରାମ୍‍ ରଜାଙ୍କ ଦେହରେ ହାତ ଦେଇଛି କି ନାହିଁ ନନ୍‍ହକୂର ମୁଥ ତା’ମୁହଁ ଉଡ଼େଇଦେଲା । ଇଷ୍ଟାକର୍‍ ଆଗକୁ ମାଡ଼ିଲା, ମୌଲବୀ ସାହେବ ପାଟି କରୁଥାନ୍ତି । ନନ୍‍ହକୂସିଂହ ଦେଖୁ ଦେଖୁ ଇଷ୍ଟାକର୍‍ ଓ ତା’ରକେତେଜଣ ସିପାହୀଙ୍କୁ ଧରାଶାୟୀ କଲା । ଆଉ ମୌଲବୀ ସାହେବ ବି ବଞ୍ଚନ୍ତେ କାହୁଁ ?

 

ନନ୍‍ହକୂସିଂହ କହିଲା–‘‘କ’ଣ ? ସେଦିନ ଥାପଡ଼ ଖାଇ ତୁ ବୁଝିପାରିଲୁ ନାହିଁ ? ନେ ପାଜି ।’’ କହି ଏମିତି ମୁଥାଟିଏ ମାରିଲା ଯେ କୁବୁରା ମେଞ୍ଚାଟିଏ ହୋଇ ତଳେ ପଡ଼ିଗଲା । ଅଳ୍ପ ସମୟ ଭିତରେ ଏ ଭୀଷଣ ଘଟଣା ଘଟିଗଲା ଯେଉଁଥିପାଇଁ କେହି ପ୍ରସ୍ତୁତ ନଥିଲେ ।

 

ନନ୍‍ହକୂସିଂହ ଚୈତ୍‍ସିଂହକୁ ଡାକ ଦେଇ କହିଲା-‘‘ଆପଣ ଦେଖୁଛନ୍ତି କ’ଣ ? ଓହ୍ଲାନ୍ତୁ ଡଙ୍ଗାକୁ ।’’ ତା’ରକ୍ଷତରୁ ରକ୍ତର ଜୁଆର ଛୁଟୁଥାଏ । ସେପାଖରୁ ଫାଟକବାଟେ ଫିରିଙ୍ଗୀମାନେ ଭିତରକୁ ପଶୁଥାନ୍ତି । ଚୈତ୍‍ସିଂହ ଝରକାବାଟେ ଓହ୍ଲାଇଲାବେଳେ ଦେଖିଲେ ଯେ କୋଡ଼ିଏଜଣ ଫିରିଙ୍ଗୀଙ୍କ ସଙ୍ଗୀନ୍‍ ଆଗରେ ସେ ଏକୁଟିଆ ଠିଆହୋଇ ତଲ୍‍ଓ୍ୱାର ଚଳାଉଛି । ନନ୍‍ହକୂର ପଥର ପରି ଶରୀରରୁ ଗୈରିକ ବସନ ପରି ରକ୍ତଧାରା ବହିଯାଉଛି । ଗୁଣ୍ଡାର ଗୋଟିଏ ଗୋଟିଏ ଅଙ୍ଗ କଟି କଟି ସେଇଠି ପଡ଼ୁଥିଲା ।

 

ସେ ଥିଲା କାଶୀର ଗୁଣ୍ଡା ।

Image

 

ପାଉଁଜ

(ଜୈନେନ୍ଦ୍ର କୁମାର)

 

ବଜାରରେ ଗୋଟିଏ ନୂଆ ପ୍ରକାର ପାଉଁଜ ଆଜିକାଲି ବେଶି ଚଳୁଛି । ପାଦରେ ନାଇଲେ ଭାରି ଭଲ ଦିଶେ । ତା’ଶିକୁଳିଗୁଡ଼ିକ ଏମିତି ଗୋଟିକା ଗୋଟି ଛନ୍ଦା ହୋଇଛି ଯେ ଟାଣିଲେ ଲମ୍ୱେ, ଛାଡ଼ିଦେଲେ ଜାକି ହୋଇଯାଏ, ସତେ ଯେମିତି ପାଉଁଜର ନିଜର କୌଣସି ଆକାର ନାହିଁ, ଯେଉଁ ପାଦରେ ପିନ୍ଧାହେବ କଣ୍ଟିଲା ପରି ସେଡ଼ିକି ହୋଇ ଖାପିଯାଏ । ଆଖପାଖରେ ଯାହା ଘରକୁ ଆପଣ ଯିବେ, ସାନଠୁଁ ବଡ଼ଯାକେ ସମସ୍ତିଙ୍କ ପାଦରେ ତ ତାକୁହିଁ ଦେଖିବେ; ଆଉ ଭିନେ ପ୍ରକାର ପାଇବେ ନାହିଁ । ଦେଖାଦେଖିରେ ସେଭଳି ପାଉଁଜ ନପିନ୍ଧି ଅଲଗା ପ୍ରକାର ପିନ୍ଧିବା ତ ସେମାନଙ୍କ ପକ୍ଷରେ କଷ୍ଟ ହୋଇପଡ଼ିଲାଣି ।

 

ଆମ ମୁନ୍ନୀ ବି କହିଲା, ‘‘ବାପା, ମୁଁ ନିଶ୍ଚେ ପାଉଁଜ ପିନ୍ଧିବି ।’’ କହନ୍ତୁ ତ ବୟସ ତ ଅତି ବେଶିରେ ତାକୁ ମୋଟେ ଚାରି, ତହଁରେ ପୁଣି କହୁଛି, ପାଉଁଜ ପିନ୍ଧିବ ।

 

ମୁଁ ପଚାରିଲି, ‘‘କେମିତିଆ ପାଉଁଜ ?’’

 

କହିଲା, ‘‘ଯେମିତିଆ ରୁକ୍ମିଣୀ ପିନ୍ଧୁଛି, ଶୀଲା ପିନ୍ଧୁଛି ।’’

 

ମୁଁ କହିଲି, ‘‘ହଉ ହଉ ।’’

 

କହିଲା, ‘‘ମୋ ପେଇଁ ଆଜି କିଣାହେବ ।’’ ସେତେବେଳେ ତ ଯାହାହେଉ ମୁନ୍ନୀ ଆଉ କେଉଁ କାମରେ ମାତି ଗଲା, କିନ୍ତୁ ଯେତେବେଳେ ଦିପହର ବେଳେ ମୁନ୍ନୀର ପିଉସୀ ଆସିଗଲେ, ସେତେବେଳେ ଆଉ ସହଜରେ ମୁନ୍ନୀକୁ ବୋଧକରି ହେଲାନାହିଁ ।

 

ପିଉସୀ ମୁନ୍ନୀକି ମିଠେଇ ଖୁଆଇଲେ, ତାକୁ କୋଡ଼ରେ ବସେଇଲେ ଆଉ କହିଲେ, ‘‘ହଉ ତୋ ପେଇଁ ପାଉଁଜ ଆସନ୍ତା ରବିବାର ଦିନ ମୁଁ ଆସିଲାବେଳେ ନେଇ ଆସିଥିବି । ହେଲା ?’’

 

ରବିବାର ଦିନ ପିଉସୀ ଅଇଲେ ଆଉ ପାଉଁଜ ଘେନି ଆସିଥିଲେ । ମୁନ୍ନୀ ପାଉଁଜ ପିନ୍ଧି ଖୁସିଲେ ହେଣ୍ଡିମାରି ଏପଟୁ ସେପଟ ଗୋଡ଼ କଚାଡ଼ି କଚାଡ଼ି କୁରୁଳୁଥାଏ । ରୁକ୍ମିଣୀ ପାଖକୁ ଗଲା ଆଉ କହିଲା, ‘‘ହେଇ ଦେଖ୍‍ ରୁକ୍ମିଣୀ, ହେଇ ଦେଖ୍‍ ମୋ ପାଇଁଜ ।’’ ଶୀଲାକୁ ବି ତା’ପାଉଁଜ ଦେଖାଇଲା । ସେ ପାଉଁଜ ନାଇଛି ଦେଖି ସମସ୍ତେ ତାକୁ ଗେଲ କଲେ ଓ ପ୍ରଶଂସା କଲେ । ପ୍ରକୃତରେ, ଚାନ୍ଦିର ଯୋଡ଼ିଏ ତିନୋଟି ଧଳା ଧଳା ଦାନା ମୁକ୍ତା ପରି ବଳାଗଣ୍ଠିରେ ଲାଖିଯାଇ ନିଶ୍ଚଳ ହୋଇ ବିଛେଇ ହୋଇପଡ଼ି ବଡ଼ ସୁନ୍ଦର ଦିଶୁଥାଏ, ଆଉ ଛୁଆଙ୍କର ଖୁସିର ସୀମା ନଥାଏ ।

 

ଆଉ, ଆମର ଯେଉଁ ମହାଶୟ ଆଶୁତୋଷ, ସେ ମୁନ୍ନୀର ବଡ଼ଭାଇ । ଆଗ ମୁନ୍ନୀକି ସାଜ ହୋଇଥିବା ଦେଖି ତ ଭାରି ଖୁସିଟାଏ ହୋଇଗଲେ, ସେଉଠୁ ମୁନ୍ନୀର ହାତ ଧରା ତା’ରପାଉଁଜପିନ୍ଧା ସମସ୍ତିଙ୍କୁ ଦେଖାଇବାକୁ ଆଖପାଖକୁ ଘେନିଗଲେ । ମୁନ୍ନୀର ପାଉଁଜପିନ୍ଧା ଦେଖି ସେ ବଡ଼ ଗୌରବ ଅନୁଭବ କରୁଥାନ୍ତି । ଆଶୁତୋଷ ଖୁବ୍‍ ହସିଲେ ଆଉ ତାଳି ମାରିଲେ, କିନ୍ତୁ କେତେ ସମୟ ପରେ ତାଙ୍କ କଇଁଉଠିଲା, ତାକୁ ପାଉଁଜ ଦେଲ, ମତେ ସାଇକଲ ଆଣିଦିଅ ।

 

ତା’ପିଉସୀ କହିଲେ, ‘‘ହଉ ରେ ପୁଅ, ତୋ ଜନ୍ମଦିନ ଆସୁଛି, ସେଦିନ ତୋ ପାଇଁ ସାଇକେଲ ଅଣେଇଦେବି ।’’

 

ଆଶୁ ବାବୁ କହିଲେ, ‘‘ମୋର ତ ଅଇଛା ଦରକାର ।’’

 

ପିଉସୀ କହିଲେ, ‘‘ଛି, ଛି, ତୁ କ’ଣ ଝିଅଟାଏ ହେଉଚୁ କି ରେ ? ଜିଦି ସିନା ଝିଅମାନେ କରନ୍ତି, ଝିଅମାନେ ସିନା କାନ୍ଦନ୍ତି, ପୁଅମାନେ କୋଉଠି କାନ୍ଦନ୍ତି ନା ?’’

 

ଆଶୁତୋଷ ବାବୁ ସେଉଠୁ କହିଲେ, ‘‘ହଉ ଜନ୍ମଦିନ ହେଲେ ନିଶ୍ଚୟ ମୁଁ ସାଇକଲ ନେବି ।’’

 

ପିଉସୀ କହିଲେ, ‘‘ହଁ, ଏ ଜବାବ୍‍ ପକ୍‍କା ହେଲା, ଜନ୍ମଦିନ ଦିନ ତତେ ନିଶ୍ଚୟ ସାଇକେଲ ଦିଆଯିବ ।’’

 

ଏମିତି ସେ ରବିବାର ଦିନଟି ହସଖୁସିରେ ବିତିଗଲା । ଛାଇ ଲେଉଟିବାରୁ ପିଉସୀ ଚାଲିଗଲେ । ପାଉଁଜ ସଉକ ଘଡ଼ିକ ପାଇଁ ରହିଥିଲା, ସେଉଠୁ ତାକୁ ଓହ୍ଲେଇ ପକାଇ ରଖିଦିଆଗଲା, କାଳେ ହଜିଯିବ ବୋଲି । ପାଉଁଜ ଭାରି କାରିଗରି ଆଉ ହାଲୁକା କାମରେ ତିଆରି ହୋଇଥିଲା; ସେଥିପାଇଁ ତାକୁ କିଣିବାକୁ ବେଶ୍‍ ପଇସା ପଡ଼ିଥିଲା ।

 

ଆମ ଶ୍ରୀମତୀ କହିଲେ, ‘‘ଶୁଣୁଚ, ୟେ ତ ଭଲ ଜଣାପଡ଼ୁଛି । ମୁଁ ବି ହଳେ ଗଢ଼େଇନିଏଁ-?’’

 

ମୁଁ କହିଲି, ‘‘କାହିଁକି ନଗଢ଼େଇବ ? ତେମେ କୋଉ ଚାରିବର୍ଷର ଝିଅଟିଏ ନୁହଁ କି ?’’

 

ଛାଡ଼, ୟେ ତ ଗଲା । କିନ୍ତୁ ରାତିରେ ମୁଁ ଟେବୁଲ୍‍ ପାଖେ କାମ କରୁଥାଏଁ; ଶ୍ରୀମତୀ ମୋ କତିକି ଆସି କହିଲେ, ‘‘ହଇଓ, ତମେ ଆଉ ପାଉଁଜଟା ଦେଖିନା ତ ?’’

 

ମୁଁ କାବା ହୋଇ କହିଲି, ‘‘ୟା’ ମାନେ ?’’

 

ସେ କହିଲେ, ‘‘ଦେଖିଲ, ଏଠି ଟେବୁଲ୍‍-ଫେବୁଲ୍‍ ରେ କେଉଁଠି ନାହିଁ ତ ? ପଟେ ତ ସେଥିରୁ ଅଛି, କିନ୍ତୁ ଆର ପାଦର ପାଉଁଜ ମିଳୁନାହିଁ ଯେ ! କୁଆଡ଼େ ଗଲା ?’’

 

ମୁଁ କହିଲି, ‘‘ଯିବ ଆଉ କୁଆଡ଼େ ? ଏଇଠି କୋଉଠି ଥିବ ମ, ଦେଖ, ମିଳିଯିବ ।’’

 

ସେ ମୋ ଟେବୁଲ୍‍ ଉପରୁ କାଗଜ ଖେଳାଖେଳି କରିବା ଆରମ୍ଭ କରିଦେଲେ । ଆଉ ଆଲମାରିର ବହିତକ ଅଲରା-ବଲରା କରିବାକୁ ଉପକ୍ରମ ବି କଲେ ।

 

ମୁଁ କହିଲି, ‘‘କିହୋ, ୟେ ସବୁ କ’ଣ କରୁଚ ? ଏଠିକି ସେ କୁଆଡ଼ୁ ଆସିବ ?’’

 

କହିଲେ, ‘‘ଦିପହର ଉତ୍ତାରୁ ମୁଁ ଦୁଇଟାବେଳେ ପାଉଁଜକୁ ଓହ୍ଲାଇ ଦେଇ ଭଲକରି ସାଇତି ସେ ତଳ ବାକ୍‍ସରେ ଥୋଇଦେଇଥିଲି, ଅଇଛା ଦେଖୁଛି ପଟେ ଅଛି, ପଟେ କୁଆଡ଼େ ଛୁ’-।’’

 

ମୁଁ କହିଲି, ‘‘କିନ୍ତୁ ଚାଲି-ଚାଲିକା ପାଉଁଜଟା ଏ ବଖରା ଭିତରକୁ କେମିତି ଆସିବ ? କେଉଁଠି ଭୁଲ୍‍ ରେ ରହିଯାଇଥିବ ମ । ପଟେ ଥୋଇ ଦେଲ, ବୋଧହୁଏ ଆଉ ପଟେ ଛାଡ଼ିଗଲ । ଦେଖମିଳିଯିବ, କୁଆଡ଼େ ଯାଇନଥିବ ।’’

 

ତାପରେ ସେ ପଦକୁ ଦିପଦ ବତେଇବାକୁ ଲାଗିଲେ । କହିଲେ, ‘‘ତେମେ ତ ସେମିତିଆ ମଣିଷ, ନିଜେ ତ ସବୁଥିରେ ଅଣହୁସିଆର, ଓଲଟି ମତେ ଦୋଷ ଦେଉଚ । ତମୁକୁ ତ କହିଲି, ମୁଁ ଦିପଟ ଯାକ ସାଇତି ରଖିଦେଇଥିଲି ।’’

 

ମୁଁ କହିଲି, ‘‘ସାଇତି ରଖିଥିଲ ତ ପୁଣି ଏଠି-ସେଠି ଖୋଜୁଛ କାହିଁକି ? ଯେଉଁଠି ରଖିଥିଲ ସେଉଠୁ ନେଇଆସୁନା ? ସେଠି ଯଦି ନାହିଁ ତେବେ କିଏ ସେଠୁ କାଢ଼ି ନେଇଥିବ ।’’

 

ଶ୍ରୀମତୀ କହିଲେ, ‘‘ମୋର ବି ସେଇଆ ଧାରଣା ହେଉଛି, ଯାହା କହ ପଛେ, ବଇଁଶିଆ ଚାକର ତାକୁ କାଢ଼ିନେଇଛି; ମୁଁ ରଖିବାବେଳେ ସେଇ ଏକା ସେଠି ଥିଲା ।’’

 

ମୁଁ କହିଲି, ‘‘ତାକୁ ପଚାରୁନା ?’’

 

ସେ କହିଲେ, ‘‘ସେ ପରା ସଫା ମନା କରିଦେଲା ହୋ ।’’

 

ମୁଁ କହିଲି, ‘‘ସେଉଠୁ ?’’

 

ଶ୍ରୀମତୀ ଟାଣ କରି କହିଲେ, ‘‘ସେଉଠୁ ମୁଁ ଆଉ କ’ଣ କରିବି ? ତମର ତ ବାବୁ କୌଣସି କଥାକୁ ଚିନ୍ତା ନାହିଁ । ସେ ବଇଁଶିଆକୁ ଡକାଇ ଟାଣ କରି ଦିପଦ କହୁନା ? ପାଉଁଜ ନିଶ୍ଚୟ ସେ ନେଇଛି ।’’

 

ମୁଁ କହିଲି, ‘‘ହଉ, ତେବେ ତାକୁ କ’ଣ କହିବାକୁ ପଡ଼ିବ ? ଏଇଆ କହିବି, ‘ଦେରେ ବାବୁ ପାଉଁଜ ଦେଇଦେ’, ଏଇଆ ତ ?’’

Unknown

 

ଶ୍ରୀମତୀ ଚିହିଁକି ଉଠି କହିଲେ, ‘‘ତୁମଦ୍ୱାରା ଶାଗ ଶିଝିବ ନା ? ତମେ ତ ସେ ଚାକରବାକରଙ୍କୁ ମୁହଁ ଦେଇ ମଗରା କରିଦେଇଛ ? କେବେ ଟାଣ କରି ପଦେ କଥା କହ ନାହିଁ, ଗାଳି ଦିଅ ନାହିଁ; ଚାକର ମୁଣ୍ଡ ଉପରେ ଚଢ଼ିବେ ନାହିଁ ତ କ’ଣ ଆଉ ହେବେ ?’’

 

ପୁଣି କହିଲେ, ‘‘କହିଲି ପରା, କେହି ହେଲେ ତାକୁ ସେ ବାକ୍‍ସ ଭିତରୁ କାଢ଼ି ନେଇଛି, ଆଉ ଷୋଳଣାରୁ ପନ୍ଦରଣା ଏଇ ବଇଁଶିଆ ନେଇଥିବ ବୋଲି ବିଶ୍ୱାସ, ଶୁଣୁଚ କି ନାଇଁ ମ ? ସେଇ ନେଇଛି ।’’

 

ମୁଁ କହିଲି, ‘‘ମୁଁ ବଇଁଶିଆକୁ ପଚାରିଥିଲି, ମତେ ଲାଗୁଛି ସେ ନେଇନାହିଁ ।’’

 

ସେଉଠୁ ଶ୍ରୀମତୀ କହିଲେ, ‘‘ତେମେ ଚାକରବାକରଙ୍କ କଥା ଜାଣିନା, ସେମାନେ ଭାରି ଚୁପ୍‍ ସଇତାନ୍‍ । ନିଶ୍ଚୟ ବଇଁଶିଆଇ ଚୋର । ନଇଲେ କ’ଣ ଭୂତ ନେଉଥିଲା ?’’

 

–‘‘ତମେ ଆଶୁତୋଷକୁ ପଚାରିଛ ?’’

 

କହିଲେ, ‘‘ପଚାରିଥିଲି । ସେ ତ ନିଜେ ଟ୍ରଙ୍କ ବାକ୍‍ସ ତଳେ ତଳେ ପଶି ପଶି ଖୋଜି ଖୋଜି ମତେ ସାହାଯ୍ୟ କରିବାରେ ଲାଗିଛି । ସେ କେବେ ନେଇ ନଥିବ ।’’

 

ମୁଁ କହିଲି, ‘‘ତା’ରଘୁଡ଼ିପାଇଁ ଭାରି ସଉକ୍‍ ।’’

 

ସେ କହିଲେ, ‘‘ତୁମେ ତ ଟିକିଏ ବୋଲି ତାକୁ କିଛି ହେଲେ ବତାବତି କରି ଦଉନ । ବୟସ ବଢ଼ି ବଢ଼ି ଚାଲିଛି । ସେ ଯେତିକିରେ ସେତିକିରେ ରହିଯିବ । ଘୁଡ଼ି-ଘୁଡ଼ି ବୋଲି ତାକୁ ମତେଇବା ମଣିଷ ତ ତୁମେ ।’’

 

ମୁଁ କହିଲି, ‘‘କାଳେ ପାଉଁଜଟା କେଉଁଠି ପଡ଼ିଥିବ, ସେ ପାଇଥିବ ?

 

‘‘ନାହିଁ, ନାହିଁ, ନାହିଁ, ମିଳିଥିଲେ ସେ କହନ୍ତା ନାହିଁ ?’’

 

ଯାହାହେଉ, କଥା କଥାକେ ଜଣାପଡ଼ିଗଲା ଯେ ଉପରଓଳି ଆଶୁତୋଷ ଗୋଟାଏ ନୂଆ ଘୁଡ଼ି ଆଉ ଗୋଟାଏ ଡୋରି ଲାଗି ଲଟେଇ ଆଣିଛି ।

 

ଶ୍ରୀମତୀ କହିଲେ, ‘‘ଘୁଡ଼ିର ମଜା ତ ତମେ ତାକୁ ଶିଖେଇଲ, ଦିନଯାକ ଖାଲି ଘୁଡ଼ି ଘୁଡ଼ି-। କେବେହେଲେ ତାକୁ ବସେଇ ପାଠ ପଢ଼େଇବା କି କୌଣସି କଥା ପଚାରିବା-ୟା’’ ନାହିଁ । ଏମିତି ମନ ହେଉଛି ଦିନେ ତା’ଘୁଡ଼ି-ଲଟେଇ ସବୁ ଛିଣ୍ଡେଇ ଛେଚିଦିଅନ୍ତି । ସବୁବେଳେ ପରା ଖାଲି ସେଇ କଥା ।’’

 

କହିଲି, ‘‘ଯାଉ, ଛାଡ଼, କାଲି ସକାଳେ ପଚରା ଉଚରା କରିବି ।’’

 

ସକାଳୁ ତାକୁ ଡକେଇ ମୁଁ ଗମ୍ଭୀର ହୋଇ ପଚାରିଲି, ‘‘ଆରେ ବାବୁ, ପଟେ ପାଉଁଜ ମିଳୁନାହିଁ, ତୁ ନେଇନାହୁଁ ତ ?’’

 

ସେ ଗୁମ୍‍ ହୋଇଗଲା । ସତେ ଯେମିତି ସେ ରାଗିଛି । ମୁଣ୍ଡ ହଲେଇ ବୁଝେଇ-ଦେଲା ଯେ ସେ ନେଇ ନାହିଁ, କିନ୍ତୁ ତୁଣ୍ଡରେ କିଛି କହିଲା ନାହିଁ ।

 

ମୁଁ କହିଲି, ‘‘ସୁନାଟା ପରା, ନେଇଥିଲେ କିଛି କଥା ନାହିଁ, ସତ କଥା କହିଦେବା ଦରକାର ।

 

ସେ ଆହୁରି ମୁହଁ ଫୁଲେଇଲା । ଆଉ ଗୁମ୍‍-ସୁମ୍‍ ହୋଇ ବସିରହିଲା ।

 

ମୋ ମନରେ ସେତେବେଳେ ପ୍ରକାର-ପ୍ରକାରର ସିଦ୍ଧାନ୍ତ ଆସୁଥାଏ । ମୁଁ ସ୍ଥିର କଲି ଅପରାଧୀ ପ୍ରତି କରୁଣା ଦେଖାଇବା ଦରକାର ସିନା, ରାଗିବାର ଅଧିକାର ନାହିଁ । ପ୍ରେମଦ୍ୱାରା ହିଁ ତ ଅପରାଧବୃତ୍ତିକୁ ଜିଣିହେବ । ଆତଙ୍କ ଲଗାଇ ଦେଇ ତାକୁ ଦବେଇଦେବା ଠିକ୍‍ ନୁହେଁ । ବାଳକର ସ୍ୱଭାବ କୋମଳ ହୁଏ, ସବୁବେଳେ ତା’ପ୍ରତି ସ୍ନେହ ବ୍ୟବହାର କରିବା ଦରକାର, ଇତ୍ୟାଦି-

 

ମୁଁ କହିଲି ‘‘ବାବୁ ଆଶୁତୋଷ, ତୁ ଅପରାଧୀ ନୋହୁଁ । ସତ କହିଦେଲେ ଡରିବା ଦରକାର ନାହିଁ । ନେଇଚୁ ତ ସଫା ସଫା କହି ଦେ । ସତ କହିଲେ ତ ପୁରସ୍କାର ମିଳେ ।

 

ଆଶୁତୋଷ ସବୁ ଶୁଣୁଥାଏ, କିନ୍ତୁ ଗୁମ୍‍ ମାରି ବସିଥାଏ; ମୁହାଁ ମୁହିଁ ମୋ ଆଖିକି ଅନାଉଁ ନ ଥାଏ ।

 

‘‘କ’ଣ କହୁଛୁ ? ତୁ ନେଇନାହୁଁ ତ ?’’

 

ସେ ମୁଣ୍ଡ ହଲେଇ ରାଗରେ ଟାଉ ଟାଉ କରି କଡ଼ା ପାଟିରେ କହିଲା, ‘‘ମୁଁ ନେଇ ନାହିଁ, ନେଇ ନାହିଁ, ନେଇ ନାହିଁ ।’’ ଏତିକି କହି କାନ୍ଦିଲା ଭଳି ହେଲା; କିନ୍ତୁ କାନ୍ଦିଲା ନାହିଁ । ତା’ଆଖିରେ ଲୁହ ଅଟକିଗଲା ।

 

ସେତେବେଳେ ମୋର ବିଶ୍ୱାସ ହେଲା, ଉଗ୍ରତା’ଦୋଷର ଲକ୍ଷଣ ।

 

ମୁଁ କହିଲି, ‘‘ଦେଖ ବାବା, ଡରନା, ଯା ଟିକେ ଖୋଜିବୁ, କାଳେ କେଉଁଠି ପଡ଼ିଥିବ ସେ ପାଉଁଜ ମିଳିଯିବ । ମିଳିଗଲେ ମୁଁ ତତେ ପୁରସ୍କାର ଦେବି ।’’

 

ସେ ଚାଲିଗଲା । ଅନ୍ୟ ବଖରାକୁ ଯାଇ ଆଗ ଗୋଟିଏ କ’ଣରେ ଠିଆହୋଇ ପଡ଼ିଲା, ସେଉଠୁ ଫେର୍‍ ଥରି ହୋଇ ଉଠିପଡ଼ି ଏଠି-ସେଠି ପାଉଁଜି ଖୋଜିବାରେ ଲାଗିଗଲା ।

 

ଶ୍ରୀମତୀ ଆସି ପଚାରିଲେ, ‘‘ଆଶୁକୁ ତେମେ ପଚରା-ଉଚୁରା କଲଟି ? କ’ଣ ହେଲା-?’’

 

ମୁଁ କହିଲି, ‘‘ସନ୍ଦେହ ତ ମୋର ହଉଚି, ଚାକରଙ୍କ କାମ ୟେ ନୁହେଁ ।’’

 

ଶ୍ରୀମତୀ କହିଲେ, ‘‘ନା ନା, ଆଶୁତୋଷ ଭଲା କାହିଁକି ନିଅନ୍ତା ?’’

 

ମୁଁ କିଛି କହିଲି ନାହିଁ । ମୋ ମନ କେଜାଣି କେଉଁ ଗଭୀର ପ୍ରେମ ଭାବରେ ଆଶୁ ପ୍ରତି ଉଛୁଳି ଉଠୁଥାଏ । ମତେ ଏଭଳି ଲାଗୁଥାଏ ଯେ ଠିକ୍‍ ଏତିକିବେଳେ ମୁଁ ଆଶୁତୋଷକୁ ସହାନୁଭୂତିରୁ ବଞ୍ଚିତ କରିବା ଉଚିତ ହେବ ନାହିଁ ; ବରଂ ଏତିକିବେଳେ ପିଲାଟିକୁ କିଛି ବଳକା ସ୍ନେହ ମିଳିବା ଦରକାର । ମତେ ଏଇଟା ଗୋଟାଏ ଭାରି ଦୁର୍ଘଟଣା ଭଳି ଲାଗୁଥାଏ । ଲାଗୁଥାଏ, ପ୍ରକୃତରେ ଯଦି ଆଶୁତୋଷ ଚୋରି କଲା ତେବେ ତା’ରସେପରି କିଛି ଦୋଷଟାଏ ହୋଇଯାଇନାହିଁ ; ବରଂ ସେଇଟାର କଳଙ୍କ ପୂରାପୂରି ମୋରି ଉପରେ । ପିଲାଙ୍କଠି ଚୋରି ଅଭ୍ୟାସଟା ଭୟା’ବହ ହୋଇଯାଇପାରେ । କିନ୍ତୁ ଚୋରିକରିବା ଭଳି ନିରାଶ୍ରୟ ଅବସ୍ଥା ପିଲାଙ୍କୁ ଘୋଟିବ, ସେଇଟା ତ ଆହୁରି ଭୟା’ବହ । ଏଇଆ ମୁଁ ବିଚାରୁଥିଲି । ଏ ଚୋରି ଅପରାଧରୁ ଆମେ ମଧ୍ୟ ମୁକ୍ତ ହୋଇପାରିବୁ ନାହିଁ ।

 

ମୁଁ ତା’କୁ ଡକେଇ ପଠେଇଲି । କହିଲି, ‘‘ଶୁଣ୍‍ । ଅନା, ମୋ ଆଡ଼କୁ ଚାହାଁ । କହିଲୁ, ପାଉଁଜକୁ ତୁ ନେଇ ଛୁନ୍ନକୁ ଦେଇନୁ ?’’

 

କେତେବେଳଯାଏ ସେ କିଛି କହିଲା ନାହିଁ । ତା’ମୁହଁ କିଛି ସମୟ ପାଇଁ ରଙ୍ଗା ପଡ଼ିଗଲା । ମୁଁ ଗୋଟି ଗୋଟି କରି ସବୁ କଥା ବାହାର କରିବାକୁ ଚାହୁଁ ଥିଲି ।

 

ମୁଁ ତାକୁ ଆଶ୍ୱାସନା ଦେଇ କହିଲି, ‘‘କ’ଣ ହେଇଗଲା ? କିଛି ହବନାଇଁ । ହଁ, କହିଦେ, ଡର ନାହିଁ । ସତ ସତ କହି ଦେ, ସୁନାପୁଅ, ଦେଖିବା, ୟା’ ନାଁ ଯେ ମୋ ପୁଅ ।’’

 

ସତେ କି ବଡ଼ କଷ୍ଟରେ ସେ ତା’ମୁଣ୍ଡ ହଲେଇ ଦେଲା । ଅତି ସାନ୍ତ୍ୱନାପୂର୍ଣ୍ଣ ସ୍ୱରରେ ମୁଁ କହିଲି, ‘‘ତୁଣ୍ଡ ଖୋଲି କହିଦେ । ହୁଁ, ଛୁନ୍ନୁକୁ ଦେଇଛୁ ?’’

 

କହିଲା, ‘‘ହଁ-ଅଁ ।’’

 

ମୁଁ ଭାରି ଖୁସିରେ ଦି ହାତରେ ତାକୁ କୁଣ୍ଡେଇ ପକେଇ ଟେକିନେଲି । କହିଲି, ‘‘ଭଲ ପିଲାମାନେ ଯେ ଏମିତି କହିଦିଅନ୍ତି । ଆଶୁ ମୋର ରଜାପୁଅ ।’’

 

ଗର୍ବରେ ତାକୁ କୋଡ଼ରେ ବସାଇଲି । ତା’ ମା ପାଖକୁ ନେଇ କରି ଗଲି । ଉଲ୍ଲାସରେ ତାଙ୍କୁ କହିଲି, ‘‘ଦେଖ, ମୋ ପୁଅ ସତ କଥା କେମିତି ମାନିଗଲା । ପାଉଁଜ ସେ ନେଇ ଛୁନ୍ନୁକୁ ଦେଇଛି ।’’

 

ଶୁଣି ତା’ ମା ଖୁସି ହୋଇଗଲେ । ସେ ତା’କୁ ଗେଲ କଲେ, ବହୁତ ଆଶ୍ୱାସନା ଦେଲେ ଓ ଆଦର କଲେ ।

 

ଆଶୁ ବି ମୁରୁକି ମୁରୁକି ହସିଲା; ଯଦିଚ ତା’ ଭଙ୍ଗୀରେ ଗୋଟାଏ ଉଦାସପଣ ତଥାପି ରହିଥାଏ–ଯାଇ ନ ଥାଏ ।

 

ସେଇଠୁ ତା’କୁ ଏକାନ୍ତକୁ ନେଇ ବହୁତ ନରମ ହୋଇ ପଚାରିଲି, ‘‘ପାଉଁଜ ଛୁନ୍ନୁ ପାଖରେ ଅଛି ନା ? ମାଗି ଆଣିପାରିବୁ ନାହିଁ ତା’ଠୁଁ ?’’

 

ଆଶୁତୋଷ ମୋ ଆଡ଼କୁ ଅନେଇ ଅନେଇ ବସିରହିଲା । ମୁଁ କହିଲି ‘ଯା ପୁଅ, ନେଇ ଆ ।’’

 

ମୋ ପ୍ରଶ୍ନର ଉତ୍ତରରେ ସେ ମୁହଁ ଖୋଲିଲା ନାହିଁ । ମୁଁ ବଳେଇବାରୁ ସେ କହିଲା, ‘‘ଛୁନ୍ନୁ ପାଖରେ ନ ଥିଲେ ସେ କେଉଁଠୁ ଦେବ ?’’

 

ମୁଁ କହିଲି, ‘‘ତେବେ ସେ ଯାହାକୁ ଦେଇଚି ତା’ ନାଁ କହିଦଉ ।’’

 

ଶୁଣି ସେ ତୁନି ହେଲା । ମୁଁ ବାରମ୍ୱାର କହିବା ସତ୍ତ୍ୱେ ସେ ଖାଲି ଏଇଆ କହୁଥାଏ କି, ‘‘ପାଉଁଜ ଛୁନ୍ନୁ ପାଖରେ ନାହିଁ ତ ସେ କୋଉଠୁ ଆଣିଦବ ?’’

 

ଶେଷରେ ହାରିଯାଇ ମୁଁ କହିଲି, ‘‘ହଉ, ପାଉଁଜ ଯେଉଁଠି ହେଲେ ତ ଥିବ । ଆଚ୍ଛା, ତୁ କୋଉଠୁ ନେଲୁ କହିଲୁ ?’’

 

‘‘ପଡ଼ିଥିଲା, ମିଳିଲା ।’’

 

‘‘ସେଉଠୁ ତଳକୁ ଓହ୍ଲାଇ ଯାଇ ତୁ ତାକୁ ଛୁନ୍ନୁକୁ ଦେଖାଇଲୁ, ନୁହେଁ ?’’

 

‘‘ହଁ ।’’

 

‘‘ସେଉଠୁ ସେଇ କହିଲା ୟା’କୁ ବିକିବା ?’’

 

‘‘ହଁ ।’’

 

‘‘କୋଉଠି ବିକିବା ବୋଲି କହିଲା ?’’

 

‘‘କହିଲ, ମିଠେଇ କିଣିବା ।’’

 

‘‘ନାଇଁ, କହିଲା ଘୁଡ଼ି କିଣିବା ।’’

 

‘‘ହଉ, ଘୁଡି କିଣିବାକୁ କହିଲା ?’’

 

‘‘ହଁ ।’’

 

‘‘ସେଉଠୁ ପାଉଁଜ ଛୁନ୍ନୁ ପାଖରେ ରହିଲାଟି ?’’

 

‘‘ହଁ ।’’

 

‘‘ତେବେ ତ ତା’ପାଖରେ ଥିବା କଥା । ନଇଲେ ଘୁଡ଼ିବାଲା ପାଖରେ ଥିବ । ଯା ପୁଅ, ତା’ପାଖରୁ ନେଇ ଆ । କହିବୁ ମୋ ବାପା ତତେ ପୁରସ୍କାର ଦେବେ ।

 

ଯେ ଯିବାକୁ ମଙ୍ଗୁ ନଥାଏ । ସେ ପୁଣି କହିଲା, ‘‘ଝୁନୁ ପାଖରେ ତ ନାହିଁ, ସେ କୋଉଠୁ ଦବ ?’’ ତା’ ଜିଦ୍‍ ଦେଖି ମତେ ଖରାପ ଲାଗିଲା । ମୁଁ କହିଲି ‘‘ତା’ହେଲେ ତୁ ତାକୁ କୋଉଠି ପୋତିଦେଇଚୁ ? କହୁନୁ କାହିଁକି ରେ ?’’ ସେ ମୋ ଆଡ଼କୁ ଅନାଇଁଥାଏ, କିଛି କହୁନଥାଏ ।

 

ମୁଁ କହିଲି, ‘‘କିଛି କହୁନୋଉଁ କାହିଁକି ?’’

 

ସେ ତୁନିପଡ଼ି ରହିଗଲା, କିଛି କହିଲା ନାହିଁ ।

 

ମୁଁ ରାଗିଯାଇ କହିଲି, ‘‘ଯା, ଯୋଉଠି ଥିବ ପାଉଁଜ ଘେନିକରି ଆ ।’’ ତଥାପି ସେ ତା’ଖୁମାଣ ଭାଙ୍ଗିଲା ନାହିଁ କି ଉଠିଲା ନାହିଁ କି ଗଲା ନାହିଁ । ସେଇଠୁ ମୁଁ ତା’କାନ ଧରି ଠିଆକଲି, କହିଲି ‘‘ଶୁଣୁଚୁ, ଭଲ ଦଶା ଅଛି ତ ଯାଇ ପାଉଁଜ ନେଇଆ, ନଇଲେ ଏ ଘରେ ତୋର ଆଉ କିଛି ସମ୍ପର୍କ ନାହିଁ ଜାଣିଥା ।’’

 

ସେମିତି ଉଠେଇବାରୁ ସେ ଉଠିଗଲା ଆଉ କୋଠରି ବାହାରକୁ ଚାଲିଗଲା । ପଦାକୁ ଯାଇ ପିଣ୍ଡାରେ ଗୋଟିଏ କ’ଣରେ ଚୁପ୍‍ଚାପ୍‍ ଠିଆହୋଇ ରହିଲା ।

 

ମୋ ମନରେ ଭାରି କ୍ଷୋଭ ହେଉଥାଏ । ୟେ ପିଲା ସତ କହିସାରି ଅଇଛା କେଉଁ କଥାକୁ ଘାବରା ହେଉଛି ? ମୁଁ କିଛି ବୁଝିପାରୁନଥାଏ । ମୁଁ ପଦାକୁ ଆସି ଟିକିଏ କଅଁଳେଇ କହିଲି, ‘‘ଯା ବାପା ସୁନାଟି ପରା, ଯାଇ ଛୁନ୍ନୁକୁ କହୁନୁ କାହିଁକି ରେ ?’’

 

ଆଗ ଆଗ ତ ସେ କିଛି ଉତ୍ତର ଦେଲା ନାହିଁ, କେବଳ ଉତ୍ତରରେ ବାରମ୍ୱାର କହିଲା, ‘‘ଛୁନ୍ନୁଠି ତ ନାହିଁ, ସେ କୋଉଠୁ ଆଣିଦେବ ?’’ ମୁଁ କହିଲି ‘‘ସେ ଯେତେ ପଇସାକୁ ତାକୁ ବିକିଥିବ ମୁଁ ସେ ଦାମ୍‍ ଦେଇଦେବି । ବୁଝିଲୁ, ଯା, ତାକୁ କହ ତ ।’’

 

ଛୁନ୍ନୁର ମା’ କହୁଥିଲେ ତାଙ୍କ ପୁଅ ଏମିତିଆ କାମ କେବେ କରିନପାରେ, ସେ ପାଉଁଜ ଦେଖିନାହିଁ । ସେ କଥା ଶୁଣି ଆଶୁତୋଷର ମା କହିଲେ, ‘‘ନାହିଁ ତମ ଛୁନ୍ନୁ ମିଛ କହୁଚି । କ’ଣ କହୁଚୁ ଆଶୁତୋଷ ତୁ ତାକୁ ଦେଇଥିଲୁ କି ନାହିଁ ?’’

 

ଆଶୁତୋଷ ଥିରି ଥିରି କହିଦେଲା ‘‘ହଁ ଦେଇଥିଲି ।’’ ଆରପାଖୁ ଛୁନ୍ନୁ ଝଟ୍‍ ଚାଲି ଆସିଲା ଆଉ ହାତ ଛିଞ୍ଚାଡ଼ି କହିଲା, ‘‘ନାଇଁ ପାଇଁ ମତେ ଦେଇନାହିଁ । କିରେ, ମତେ କେତେବେଳେ ଦେଲୁ ?’’

 

ଆଶୁତୋଷ ଜିଦ୍‍ ଧରି କହିଲା ‘‘ଦେଇ ତ ଥିଲି । କହୁଚୁ, ଦେଇନାହିଁ ?’’

 

ଫଳ ଏଇଆ ହେଲା ଯେ ଛୁନ୍ନୁର ମା ଛୁନ୍ନୁକୁ ଖୁବ୍‍ ଛେଚିଲେ ଆଉ ନିଜେ କାନ୍ଦିଲେ । କହୁଥାନ୍ତି, ‘‘ହା’ ରେ କପାଳ, ଏଥର ତ ଆମେ ଚୋରତଳେ ରହିଲୁ । ୟେ ଘରବୁଡ଼ା କଳଙ୍କ କେବେ ମେଣ୍ଟିବ କେଜାଣି ?’’

 

କଥା ଦୂରକୁ ଚହଟିଗଲା । ପଡ଼ିଶାଘର ମାଇପେ ଆଲୋଚନା କଲେ । ଆଉ ଶ୍ରୀମତୀ ଘରକୁ ଲେଉଟି ଆସି କହିଲେ–

 

‘‘ଛୁନ୍ନୁ ଆଉ ତା’ ମା’ ଦିହେଁ ଏକାପ୍ରକାରର ।’’

 

ମୁଁ କହିଲି, ‘‘ତେମେ ଟାଣ ଟାଣ କହି କାହିଁକି କଥା ବଢ଼େଇଦେଲ ? କୌଣସି କଥା କେବେ ଏମିତି ତୁଟିଲାଣି ?’’

 

ସେ କହିଲେ, ‘‘ହଁ ମୁଁ ଟାଣ ଟାଣ କହେ । ଏଥର ଯାଉନା, ତୁମେ ସେମାନଙ୍କ ପାଖରୁ ପାଉଁଜ ବାହାର କରି ଆଣୁନା କାହିଁକି ? ପାଉଁଜ ବାହାର କରି ଆଣିଲେ ସିନା ଜାଣିବା !’’

 

ମୁଁ କହିଲି, ‘‘ପାଉଁଜଠୁ ବଳି ଶାନ୍ତି । ଆଉ ଅଶାନ୍ତିରେ ତ ପାଉଁଜ ମିଳିବ ନାହିଁ ।’’

 

ଶ୍ରୀମତୀ ଗରଗର ହୋଇ ମୋ ଉପରେ ବିଗିଡ଼ିଯାଇ ମୋ ଆଗରୁ ଚାଲିଗଲେ ।

 

ଟିକିଏ ପରେ ଛୁନ୍ନୁ’ମା ଆମ ଘରକୁ ଆସିଲେ । ଶ୍ରୀମତୀ ତାଙ୍କୁ ଡାକିଆଣିଥିଲେ । ଅଇଛା ତାଙ୍କ ଭିତରେ ରାଗ-ରୋଷ ନଥିଲା । କହିଲେ, ‘‘ଛୁନ୍ନୁ ତ ପାଉଁଜ ନେଇ ନାହିଁ ବୋଲି ମନାକରୁଛି । ସେ ପାଉଁଜ ଦାମ୍‍ କେତେ କହିଲେ ମୁଁ ଦେଇଦେବି ।’’

 

ମୁଁ କହିଲି, ‘‘ଆପଣ ଏ କଥା କ’ଣ କହୁଛନ୍ତି ? ପିଲା ପିଲା । ଆପଣ ଛୁନ୍ନୁକୁ ପାକଳାପାକଳି କରି ପଚାରିଥିଲେ ?’’ ସେ ସେତିକିବେଳେ ଛୁନ୍ନୁକୁ ଡାକି ମୋ ଆଗରେ ଠିଆକଲେ-। କହିଲେ ‘‘କିରେ, ତୁ ପାଉଁଜ ଦେଖିଛୁ ଯଦି କହୁନୁ କାହିଁକି ?’’

 

ଛୁନ୍ନୁ ଜୋର୍‍ ରେ ମୁଣ୍ଡ ହଲେଇ ମନାକଲା । କହିଲା ‘‘ପାଉଁଜ ତ ଆଶୁତୋଷର ହାତରେ ମୁଁ ଦେଖିଥିଲି । ସେ ନେଇ ଘୁଡ଼ି-ଦୋକାନୀକୁ ଦେଇ ଆସିଲା । ମୁଁ ନିଜେ ଦେଖିଚି, ଚାନ୍ଦିର ପାଉଁଜ ।’’

 

‘‘ତତେ ଠିକ୍‍ ଜଣାଅଛି ?’’

 

‘‘ହଁ, ସେ ପରା ମତେ ଡାକୁଥିଲା ! କହିଲା-ଚାଲ ଯିବା, ଘୁଡ଼ି କିଣିବା ।’’

 

‘‘ଆଚ୍ଛା, କହିଲୁ ଭଲା, ପାଉଁଜ କେଡ଼େଟାଏ ?’’

 

ଛୁନ୍ନୁ ତା’ ଆକାର ବର୍ଣ୍ଣନା କଲା, ଅବିକଳ । ମୁଁ ତା’ମା ଆଡ଼କୁ ଅନାଇଁ କହିଲି ‘‘ଦେଖିଲେ, ଆଗ ୟେ କହୁଥିଲା ମୁଁ ପାଉଁଜ ଆଦୌ ଦେଖିନାହିଁ । ଅଇଛେ କହୁଚି ଦେଖିଚି ।’’

 

ମା’ ମୋରି ଆଗରେ ଛୁନ୍ନୁକୁ ଓଟାରି ନେଇ ଠାଇ-ଠାଇ ବାଡ଼େଇବା ଆରମ୍ଭ କରିଦେଲେ । କହିଲେ, ‘‘ହଇରେ ! ମିଛ କହୁଚୁ ? ତୋ ଛାଲ ଉତାରି ନଦେଇଚି ତ ମୁଁ ତୋ ମା ନୁହେଁ ।’’

 

ମୁଁ ମଝିରେ ପଡ଼ି ଛୁନ୍ନୁକୁ ବଞ୍ଚେଇଲି । ସେ ଶହୀଦ୍‍ଟିଏ ପରି ମାଡ଼ ଖାଉଥାଏ, ଠିଆ ହୋଇଥାଏ; ଆଉ ଗୋଟାଏ କୋଣରେ ଠିଆହୋଇଥିବା ଆଶୁତୋଷକୁ କେଜାଣି କେଉଁ ଠାଣିରେ ଅନାଇଁ ରହିଥାଏ ।

 

ଯାହାହେଉ, ମୁଁ ସମସ୍ତଙ୍କୁ ବିଦାକରିଦେଲି । କହିଲି, ‘‘ଯା ବାପା ଛୁନ୍ନୁ, ଖେଳ ।’’ ତା’ ମା’କୁ କହିଲି, ‘‘ଆପଣ ତାକୁ ପିଟନ୍ତୁ ନାହିଁ । ଆଉ ପାଉଁଜଟା ବି ସେଡ଼େ ବଡ଼ କଥା ନୁହେଁ ।’’

 

ଛୁନ୍ନୁ ଚାଲିଗଲା । ସେଉଠୁ ତା’ମା ମତେ ପଚାରିଲେ, ‘‘ତା’ହେଲେ ଆପଣ କ’ଣ କହୁଛନ୍ତି ସେ ଦୋଷୀ ?’’

 

କହିଲି, ‘‘ଲାଗୁଛି ତ ଯେ ସେ କିଛି ଜାଣିଛି; ଆଉ ଏ କାମରେ ସେ ସଂପୃକ୍ତ ଅଛି ।’’

 

ସେଉଠୁ ଛୁନ୍ନୁର ମା ପାଖରେ ବସିଥିବା ମୋ ସ୍ତ୍ରୀକୁ କହିଲେ, ‘‘ଚାଲ ଭଉଣୀ, ମୁଁ ତମକୁ ମୋ ସାରବାର ଦେଖାଇଦେବି । ଗୋଟି ଗୋଟି କରି ସବୁ ଜିନିଷ ଦେଖି-ନିଅ । ପାଉଁଜଟା ଥିବ ତ ଯିବ କୁଆଡ଼େ ?’’

 

ମୁଁ କହିଲି, ‘‘ଛାଡ଼ନ୍ତୁ ନା, ଅକଥାରେ କଥା ବଢ଼େଇଲେ ଲାଭ କ’ଣ ?’’ ଏମିତି ଏଣୁତେଣୁ କହି ମୁଁ ତାଙ୍କ ମନକୁ ଭୁଲାଇ ସାହସ ଦେଲି; ନହେଲେ ସେ ଛୁନ୍ନୁକୁ ପିଟି ପିଟି ବେହାଲ୍‍ କରିବାକୁ ଦୃଢ଼ସଙ୍କଳ୍ପ କରି ସାରିଥିଲେ । କହୁଥିଲେ, ‘‘କୁଳାଙ୍ଗାର, ଆଜି ତାକୁ ମାରି ମାଟିରେ ନ ପୋତିଛି ତ ମୋ ନାଁ ଧରିବ ନାଇଁ ।’’

 

ଯାହାହେଉ, ଯେକୌଣସି ପ୍ରକାରେ ଅଡ଼ୁଆ ସମ୍ଭାଳିଲି । ୟେ ଝଂଝଟ୍‍ ରେ ପଡ଼ି ମୁଁ ଠିକଣା ସମୟରେ ଅଫିସ୍‍ ରେ ପହଞ୍ଚି ପାରିଲି ନାହିଁ । ଗଲାବେଳେ ଶ୍ରୀମତୀଙ୍କୁ କହିଦେଇ ଗଲି, ‘‘ଦେଖ, ଆଶୁତୋଷକୁ ଧମକାଧମକି କରିବ ନାହିଁଟି ! ଗେହ୍ଲା ଆଦର କରି ସବୁ କଥା ପଚାର । ଧମକାଇଲେ ପିଲାଏ ବଗିଡ଼ିଯାଆନ୍ତି । ହାତକୁ ବି କିଛି ଆସେ ନାହିଁ ।’’

 

ଉପରଓଳି ଅଫିସରୁ ଯେମିତି ଫେରିଲି ଶ୍ରୀମତୀ ସୂଚନା ଦେଲେ ଯେ ଆଶୁତୋଷ ସବୁ କଥା କହିଦେଇଚି । ଏଗାରଣା ପଇସାକୁ ସେ ପାଉଁଜକୁ କୁଆଡ଼େ ଘୁଡ଼ିଦୋକାନୀକୁ ଦେଇଦେଇଛି-। ସେ କୁଆଡ଼େ ଅଳ୍ପ ଅଳ୍ପ କରି ଦେବ ବୋଲି କହିଛି । ପାଞ୍ଚଅଣା ଦେଲା ଯେ ସେ ପଇସା ଛୁନ୍ନୁ ପାଖରେ ଅଛି । ଏମିତି ଟିକିନିଖି କରି ସବୁ କଥା ସେ କହିଦେଲା ।

 

ସେ କହିଲେ, ‘‘ମୁଁ ଖୁବ୍‍ ସ୍ନେହରେ ପଚାରି ପଚାରି ସବୁ କଥା ତା’ପେଟଭିତରୁ ବାହାର କଲି । ଦି ତିନି ଘଣ୍ଟା ଯାକେ ବୁଦ୍ଧି ଖେଳେଇ ବାହାର କରୁଥାଏ । ଓହୋ, ପିଲାଙ୍କର ବି କି ଦଶା ନହୁଏ !’’

ମୁଁ ଶୁଣି ଖୁସିହେଲି । କହିଲି, ‘‘ଭଲ ହେଲା, ଅଇଛା ପାଞ୍ଚଣା ପଇସା ପଠେଇ ଦେଇ ପାଉଁଜ ମଗେଇ ଆଣିବା । କିନ୍ତୁ ୟେ ଘୁଡ଼ିଦୋକାନୀ ବି କେଡ଼େ ବଦ୍‍ମାସ୍‍; ପିଲାଙ୍କ ହାତରୁ ଏଭଳି ଜିନିଷ ନେଉଛି । ତା’କୁ ପୁଲିସ୍‍ ରେ ଦେବା ଦରକାର । ଠକ ବଦମାସ୍‍ କାହିଁକା ।’’

ପୁଣି ପଚାରିଲି ‘‘ଆଶୁତୋଷ କୁଆଡ଼େ ଗଲା ?’’

ସେ କହିଲେ, ‘‘ପଦାରେ କୋଉଠି ଖେଳୁଥିବ ।’’

କହିଲି, ‘‘ବଂଶୀ, ଗଲୁ ତାକୁ ଡାକିଆଣିବୁ ।’’

ବଂଶୀ ଗଲା, ଲେଉଟି ଆସି କହିଲା, ‘‘ସେ ଅଇଛା ଆସୁଛି ।’’

‘‘କ’ଣ ସେ କରୁଛି ?’’

‘‘ଛୁନ୍ନୁ ସଙ୍ଗରେ ଗୁଲି ଡଂଡ଼ା ଖେଳୁଛି ।’’

ଟିକିଏ ପରେ ଆଶୁତୋଷ ଆସିଲା । ସେଉଠୁ ମୁଁ ତାକୁ କୋଡ଼ରେ ବସାଇ ଗେଲକଲି । ଆସୁ ଆସୁ ତା’ମୁହଁ ଉଦାସ ହୋଇଗଲା; ଆଉ କୋଡ଼ରେ ବସିଲେ ବି ସେ ବିଶେଷ ପ୍ରସନ୍ନ ହେଲାନାହିଁ ।

ତା’ମା’ ଖୁସି ହୋଇ କହିଲେ, ‘‘ମୋ ଆଶୁତୋଷ ନିଜେ ସବୁ କଥାଯାକ କହିଦେଲା । ମୋ ଆଶୁତୋଷ ଭାରି ଭଲ ପିଲା ।’’

 

ଆଶୁତୋଷ ମୋ କୋଡ଼ରେ ଥାଏ; କିନ୍ତୁ ନିଜ ପ୍ରଶଂସା ଶୁଣି ବି ସେ ଆଦୌ ଖୁସି ହେଉନାହିଁ ବୋଲି ଜଣାପଡ଼ୁଥାଏ ।

 

ମୁଁ କହିଲି, ‘‘ଯା, ଆଉ କ’ଣ ଅଛି ? କିରେ ବାବୁ, ତତେ ପାଞ୍ଚ ଅଣା ମିଳିଲା ତ ? ପାଞ୍ଚଣା ମତେ ମାଗିଥିଲେ କ’ଣ ମୁଁ ଦେଇନଥାନ୍ତି ? ଶୁଣିଲୁ, ଆଉ ଏଣିକି ସେମିତି କରିବୁନାଇଁ, ବୁଝିଲୁ ?’’

 

କୋଠରିକୁ ନେଇ ମୁଁ ପୁଣି ତାକୁ ପଚରା-ଉଚରା କଲି ।

 

‘‘କିରେ ପୁଅ, ଘୁଡ଼ିଦୋକାନୀ ତତେ ପାଞ୍ଚଣା ଦେଲା ତ ?’’

 

‘‘ହଁ ।’’

 

‘‘ଆଉ ସେ ପଇସା ଛୁନ୍ନୁ ପାଖରେ ଅଛି ?

 

‘‘ହଁ ।’’

 

‘‘ଅଇଛା ତ ତା’ରି ପାଖେ ଥିବ ? ନୁହେଁ ?’’

 

‘‘ନାଇଁ ।’’

 

‘‘ଖର୍ଚ୍ଚ କରିଦେଲ ?’’

 

‘‘ନାଇଁ ।’’

 

‘‘ଖର୍ଚ୍ଚ କରିନା ?’’

 

‘‘ହଁ ।’’

 

‘‘ଖର୍ଚ୍ଚ କଲ କି ଖର୍ଚ୍ଚ କରିନା ?’’

 

ଏମିତିଆ ପ୍ରଶ୍ନ ପଚାରନ୍ତେ ସେ ମୋ ଆଡ଼କୁ ଚାହିଁରହିଲା ସିନା; ଉତ୍ତର ଦେଲା ନାହିଁ ।

 

‘‘କହ, ଖର୍ଚ୍ଚ କରିଦେଲ କି ଅଇଛା ଅଛି ?’’ ଉତ୍ତରରେ ସେ ଥରେ ‘ହଁ’ କହିଲା ତ ଥରେ ‘ନାହିଁ’ କହିଲା ।

 

ମୁଁ କହିଲି, ‘ତେବେ କହୁନୁ କାହିଁକି ଯେ ତତେ ଜଣାନାହିଁ ?’’

 

‘‘ହଁ ।’’

 

‘‘ପୁଅ, ଜାଣିଛୁ କି ନାଇଁ ?’’

 

‘‘ହଁ ।’’

 

‘‘ଘୁଡ଼ିଦୋକାନୀଠୁଁ ପଇସା ଛୁନ୍ନୁ ନେଇଛି କି ନାହିଁ ?’’

 

‘‘ହଁ ।’’

 

‘‘ତୁ କାହିଁକି ନେଲୁ ନାହିଁ ?’’

 

ସେ ଚୁପ୍‍ ।

 

‘‘କହୁନୁ କାହିଁକି ?’’

 

ଚୁପ୍‍ ।

 

‘‘ଅଣା କେଇଟା ଦେଲା, କହ ?’’

 

‘‘ଦୁଇଟା ।’’

 

‘‘ବାକି ସବୁ ପଇସା ତ ?’’

 

‘‘ହଁ ।’’

 

‘‘ଦିଅଣି ନଥିଲା ?’’

 

‘‘ହଁ ।’’

 

‘‘ଦିଅଣି ଥିଲା ?’’

 

‘‘ହଁ ।’’

 

ମୋର ରାଗ ଆସିଲା । ରାଗିକରି କହିଲି, ‘‘ସତ କଥା କାହିଁକି କହୁନୁ ? ସତ କହ, କେତେଟା ଅଣା ଆଉ କେତେଟା କ’ଣ ?’’

 

ସେ ଚୁପ୍‍ହୋଇ ଠିଆହୋଇଥାଏ । କିଛି କହିଲା ନାହିଁ ।

 

‘‘କହୁନୁ ?’’

 

ସେ କିଛି କହିଲା ନାହିଁ ।

 

‘‘ଶୁଣୁଛୁ ? କହ । ନଇଲେ-ନଇଲେ-’’

 

ଆଶୁତୋଷ ଡରିଗଲା, ଆଉ କିଛି କହିଲା ନାହିଁ ।

 

‘‘ମୁଁ କ’ଣ କହୁଚି ଶୁଭୁଚି କି ନା ?’’

 

ଏଥର ବି ସେ କିଛି କହିଲା ନାହିଁ । ସେଉଠୁ ମୁଁ ତାକୁ ଧରି ତା’କାନ ମୋଡ଼ିଲି । ତା’ଆଖିରୁ ଲୁହ ବୋହିଲା ନାହିଁ, ସେ ତୁନିହୋଇ ଠିଆହୋଇଥାଏ ।

 

‘‘ଏବେ ବି କହିବୁ ନାଇଁ ?’’

 

ଡରରେ ସେ ହଳଦିଆ ପଡ଼ିଗଲା; ତଥାପି କିଛି କହିପାରିଲା ନାହିଁ । ମୁଁ ପାଟିକରି ଡାକପକେଇଲି, ‘‘ବଂଶୀ, ଅଇଲୁ । ୟା’କୁ ଟେକିନେଇ ଘରେ ପୂରେଇ କବାଟ କିଳିଦେ ତ ।’’

 

ଚାକର ବଂଶୀ ତା’କୁ ଟେକିନେଇ ଘରେ ପୂରେଇ କବାଟ କିଳିଦେଲା ।

 

ଦଶମିନିଟ୍‍ ଗଲାରୁ ମୁଁ ତା’କୁ ପୁଣି କତିକି ଡକାଇଲି । ତା’ମୁହଁ ବନ୍ଦ ହୋଇ ଯାଇଥିଲା । କିଛି ନକୁହୁଣୁ ତା’ଓଠ ଥରୁଥାଏ । ଘର ଭିତରେ ବନ୍ଦ ହୋଇ ବି ସେ କାନ୍ଦି ନାହିଁ ।

 

ମୁଁ କହିଲି, ‘‘କିରେ, ଏଥର ଅକଲ ପଶିଲା ନା ?’’ ସେ ଶୁଣି ଶୁଣି ଗୁମ୍‍ ହୋଇ ଠିଆହୋଇ ରହିଲା ।

 

‘‘ହଉ, ସେ ଘୁଡ଼ି-ଦୋକାନୀ କୋଉଟାରେ ? ଡାହାଣପଟର ସେଇ ଛକ ପାଖଟା ?’’

 

ସେ ଓଠ ଥରେଇ କ’ଣ ଭୁଟୁରୁ-ଭୁଟୁରୁ ହେଲା ଯେ କିଛି ବୁଝିହେଲା ନାହିଁ ।

 

‘‘ସେଇ ଛକ ପାଖଟା ?’’

 

‘‘ହଁ ।’’

 

‘‘ଦେଖ୍‍, ଦାଦିକି ସଙ୍ଗରେ ନେଇଯିବୁ, କହିଦବୁ ସେ କେଉଁ ଜଣକ । ସେଉଠୁ ମୁଁ ନିଜେ ତା’ଠୁ ବୁଝିବି । ବୁଝିଲୁ ଟି ?’’ କହିଦେଇ ମୁଁ ମୋ ଭାଇକି ଡାକିଲି । ସବୁକଥା ବୁଝେଇ କହିଦେଲି । କହିଲି, ‘‘ହେଇଟି ଦେଖ୍‍, ପାଞ୍ଚଣା ପଇସା ନେଇ ତୁ ଯା । ଆଗ ତ ଦୂରରେ ରହିବୁ, ଆଶୁତୋଷ ପଇସା ନେଇ ତାକୁ ଯାଚିବ ଆଉ ତା’ ପାଉଁଜି ମାଗିବ । ସେ ପାଉଁଜ ଫେରେଇଦେଲା ତ ଭଲ କଥା; ନଇଲେ ତୁ ତା’କୁ ଟାଣ ଟାଣ କରି କହିବୁ । କହିବୁ ଯେ ପୁଲିସ୍‍ ରେ ଦେଇଦେବି-ପିଲାଙ୍କଠୁଁ ଜିନିଷ ଧପୋଉଚି-ବୁଝିଲୁ ନା ? ନରମ ହେବା ଦରକାର ନାହିଁ ।’’

 

‘‘ଆଉ ଆଶୁତୋଷ, ଅଇଛା ଯା, ତୋ ଦାଦି ସଙ୍ଗରେ ଯା !’’ ସେ ଯେଉଁଠି ଥିଲା ସେଇଠି ଠିଆହୋଇଥାଏ । ଶୁଣିକରି ବି ଟିକିଏ ଚଂକିଲା ବି ନାହିଁ ।

 

‘‘ଯିବୁନାଇଁ ?’’

 

ସେ ମୁଣ୍ଡ ହଲେଇଦେଇ ବୁଝେଇଲା ଯେ ସେ ଯିବ ନାହିଁ । ସେଉଠୁ ମୁଁ ତା’କୁ ବୁଝେଇ ଶୁଝେଇ କହିଲି, ‘‘ବାବୁରେ, ଘରର ଜିନିଷ, ଦାମୀ ଜିନିଷ, ମିଛରେ ପାଞ୍ଚଣା ପଇସାକୁ କେତେ କେତେ ଟଙ୍କାର ଜିନିଷ କାହା ହାତକୁ ଚାଲିଯିବ । ତୁ କିଛି କହିବା ଦରକାର ନାହିଁ ରେ । ତୁ ପଇସା ଦେଇଦେବୁ ଆଉ ନିଜ ଜିନିଷ ଫେରସ୍ତ ମାଗିବୁ ! ଦେଲା ତ ଦେଲା, ନଦେଲେ ନାହିଁ, ତୋର ସେଥିରେ କିଛି କହିବାକୁ ପଡ଼ିବ ନାହିଁ, ବୁଝିଲୁ ? ଏଥର ଯା ।’’

 

କିନ୍ତୁ ସେ ତ ଯିବାକୁ ପ୍ରସ୍ତୁତ ହେଲାଭଳି ଦିଶିଲା ନାହିଁ । ସେ ପିଲାର ଏ ଡିଙ୍ଗରପଣ ମତେ ଭାରି ଖରାପ ଲାଗିଲା ।

 

‘‘କହ ଏଥିରେ ଆଉ କ’ଣ ଅଡ଼ୁଆ ? ଏଥିରେ ଆପତ୍ତି କ’ଣ ?’’ ଯେତେ ବୁଝେଇ କହିଲେ ବି ବୁଝୁନାହୁଁ, କାନ ଦେଉନାହୁଁ ।

 

ମୁଁ କହିଲି, ‘‘କିରେ, ଯିବୁ ନାହିଁ ?’’

 

ସେ ଫେର୍‍ ମୁଣ୍ଡ ହଲେଇ ମନାକଲା ଯେ ସେ ଯିବ ନାହିଁ । ମୁଁ ମୋ ସାନଭାଇ ପ୍ରକାଶକୁ ପାଖକୁ ଡାକିଲି ।

 

କହିଲି, ‘‘ପ୍ରକାଶ, ତା’କୁ ଧରିନେଇ ଯା ।’’

 

ପ୍ରକାଶ ତା’କୁ ଧରିପକାଇଲା ଆଉ ଆଶୁତୋଷ ତା’ ହାତପାଦଦ୍ୱାରା ତା’ର ପ୍ରତିବାଦ କରିବାକୁ ଲାଗିଲା । ସେ ତା’ସଙ୍ଗରେ ଯିବାକୁ ମଙ୍ଗୁ ନଥାଏ ।

 

ମୁଁ ନିଜ ଉପରେ ଖୁବ୍‍ ସଂଯମ ରଖି ପୁଣି ଆଶୁତୋଷକୁ ଫୁସୁଲେଇଲି; କହିଲି, ‘‘ଯା, ସୁନାଟି ପରା । ନିଜ ଜିନିଷ ନିଜ ଘରକୁ ଆସିବ । ଏତିକି ଟିକିଏ କଥା ତୁ ବୁଝିପାରୁନାହୁଁ–ହଇରେ-? ପ୍ରକାଶ, ତାକୁ କାଖକରି ନେଇଯା ଆଉ ଯୋଉ ଜିନିଷ ବଜାରରେ ଦେଖି ସେ ମାଗିବ, ସେଇଟା ତାକୁ ଦବୁ । ଯା ବାପା ଆଶୁତୋଷ !’’

 

କିନ୍ତୁ ସେ ମୁହଁ ଫୁଲେଇଥାଏ । ନାନାପ୍ରକାର ବୁଝାଇବା ପରେ ସେ ପ୍ରକାଶ ସଙ୍ଗରେ ଗଲା । ଏମିତି ଚାଲୁଥାଏ ସତେ ଯେମିତି ଗୋଡ଼ ଟେକିବାକୁ ତା’କୁ ଭାରି କଷ୍ଟ ଲାଗୁଛି । ଟୋକାଟାକୁ ଆଠ ବର୍ଷ ହେବା ଉପରେ; ତଥାପି ଦେଖ ତ, କିଛି କଥା ସେ ବୁଝିପାରୁନାହିଁ । ମତେ ଏମିତି ରାଗ ଲାଗୁଥାଏ ଯେ କ’ଣ କହିବି । କିନ୍ତୁ ରାଗିଲେ ପିଲାଏ ଶୁଧୁରିବା ପରିବର୍ତ୍ତେ ବିଗିଡ଼ନ୍ତି, ଏଇଆ ଭାବି ମୁଁ ନିଜକୁ ଦବାଉଥାଏଁ । ଯାହାହେଉ ସେ ଯିବାରୁ ମୁଁ ସ୍ୱସ୍ତିରେ ନିଶ୍ୱାସ ମାରିଲି; କିନ୍ତୁ ଦେଖିଲି ଅଳ୍ପ ସମୟ ପରେ ପ୍ରକାଶ ଲେଉଟି ଆସିଲା । ପଚାରିଲି, ‘‘କାହିଁକି ? କ’ଣ ହେଲା ?’’

 

କହିଲା, ‘‘ଆଶୁତୋଷ ପଳେଇଆସିଲା ।’’

 

ପଚାରିଲି, ‘‘ଅଇଛା ସେ କୋଉଠି ?’’

 

‘‘ସେ ଅଡ଼ିକରି ଠିଆହୋଇଛି । ଘର ଭିତରେ ପଶୁନାହିଁ ।’’

 

‘‘ଯା ତା’କୁ ଧରିଆଣ ।’’

 

ସେ ଧରାହୋଇ ଅଣାହେଲା ।

 

ମୁଁ କହିଲି, ‘‘କିରେ, ତୁ ଭଲରେ ଭଲରେ ବାଗକୁ ଆସିବୁ ନାହିଁ । କହ, ଯିବୁ କି ନାହିଁ-?’’

 

ସେ ଯେଉଁଠୁ କିଛି ନକହିଲା ମୁଁ କଷିକରି ତା’କୁ ଦି ଚଟକଣା ପକାଇଲି । ଚାପୁଡ଼ା ପଡ଼ିବାରୁ ସେ ସଙ୍ଗେ ସଙ୍ଗେ ଚିତ୍କାର କଲା; କିନ୍ତୁ ସଙ୍ଗେ ସଙ୍ଗେ ପୁଣି ଚୁପ୍‍ ହୋଇଗଲା । ସେ ଯେମିତି ମୋ ଆଗରେ ଠିଆହୋଇଥାଏ ।

 

ମୁଁ ତା’କୁ ଦେଖି ରାଗରେ ଗରଗର ହୋଇ କହିଲି, ‘‘ନେଇଯା ଏଇଟାକୁ ମୋ ଆଗରୁ, ନେଇ ଘର ଭିତରେ ପୂରାଇ ବନ୍ଦ କରିଦିଅ; ଦୁଷ୍ଟ !’’

 

ଏଥର ତା‘କୁ ଘଣ୍ଟାଏ ଖଣ୍ଡେ ବନ୍ଦକରି ରଖାଗଲା । ମୋର ଧାରଣା ହେଲା ଯେ ମୁଁ ଠିକ୍‍ କରୁନାହିଁ; କିନ୍ତୁ କ’ଣ କରେ, ଅନ୍ୟ ବାଟ ତ ଦିଶୁନଥାଏ । ମାରିପିଟି ମନକୁ ଠିକଣା କରିବା ଅଭ୍ୟାସ ଗଡ଼ିଯାଇଥାଏ ତ, ଅନ୍ୟ କିଛି ଅଭ୍ୟାସ ନଥାଏ ।

 

ଯାହାହେଉ, ଇତ୍ୟବସରେ ପ୍ରକାଶକୁ କହିଲି ‘ତୁ ଦି’ଟାଯାକ ଘୁଡ଼ି-ଦୋକାନୀ ପାଖକୁ ଯା, ସାବଧାନ ହୋଇ ଅନୁସନ୍ଧାନ କରିବୁ । ଜଣାପଡ଼ିଲେ ତେଣିକି ଚେଷ୍ଟା କରିବୁ । ବୁଝିଲୁ ?’’

 

ପ୍ରକାଶ ଗଲା କିନ୍ତୁ ଫେରିଆସି କହିଲା, ‘‘କାହାରି ପାଖେ ପାଉଁଜ ନାହିଁ ।’’

 

ଶୁଣି ମତେ ଚିଡ଼ିମାଡ଼ିଲା । କହିଲି, ‘‘ତୋ’ ଦେଇ କିଛି କାମ ହେବ ନାହିଁ । ଟିକିଏ ବି କିଛି ହେଲା ନାହିଁ, ତୋ’ ଉପରେ ମଣିଷ କ’ଣ ଆଉ ନିର୍ଭର କରିବ ରେ ?’’

 

ସେ ନିଜ ସଫେଇ ଦେବାକୁ ଲାଗିଲା । ମୁଁ କହିଲି, ‘‘ହଉ, ତୁ ଯା ।’’

 

ପ୍ରକାଶ ମତେ ବହୁତ ମାନ୍ୟ କରୁଥିଲା । ସେ ମୁହଁପୋତି ଚାଲିଗଲା । କୋଠରି ଖୋଲିବାରୁ ଦେଖାଗଲା ଆଶୁତୋଷ ତଳେ ଗାଲିଚା ଉପରେ ଶୋଇଛି । ତା’ଆଖିରେ ତଥାପି ଲୁହ ନାହିଁ । ସତ କଥା କହ ବୋଲି ମତେ କହିଲେ କହିବି, ସେତେବେଳେ ପିଲାଟି ଉପରେ ମୋର ଭାରି କରୁଣା ହେଲା । କିନ୍ତୁ ମଣିଷ ଭିତରେ ଏକାସଙ୍ଗରେ କେଜାଣି କାହିଁକି ପରସ୍ପରବିରୋଧୀ ଭାବସବୁ ଉଠେ ।

 

ମୁଁ ତା’କୁ ନିଦରୁ ଉଠେଇଲି । ସେ ଧଡ଼ପଡ଼ ହୋଇ ଉଠିପଡ଼ିଲା । ପଚାରିଲି, ‘‘କହ, କ’ଣ କଥା ?’’

 

କେତେବେଳଯାକେ ସେ କିଛି ବୁଝିପାରିଲା ନାହିଁ ।

 

ପୁଣି ବୋଧହୁଏ ପଛକଥାସବୁ ତା’ରମନେପଡ଼ିଗଲା । ହଠାତ୍‍ ତା’ଠାଣିରେ ସେହି ଜିଦି, ସେହି ଅତଡ଼ା, ସେହି ପ୍ରତିରୋଧ କରିବା ଭାବ ଫୁଟିଉଠିଲା ।

 

ମୁଁ କହିଲି, ‘‘ହୁଏତ ଭଲପିଲା ପରି ତୋ’ ନିଜ ମନକୁ ମନ ଯା; ନଇଲେ ପୁଣି ଏ ଘର ଭିତରେ ତତେ ବନ୍ଦ କରି ରଖିଦଉଚି ।’’

 

ଆଶୁତୋଷ ଉପରେ ଏ କଥାର ବିଶେଷ ପ୍ରଭାବ ପଡ଼ିଲା ଭଳି ତ କାହିଁ ଜଣାପଡ଼ିଲା ନାହିଁ !

 

ଯାହାହେଉ, ତା’କୁ ଧରିନେଇ ଆସିଲି ଓ ପୁଣି ବୁଝେଇବାରେ ଲାଗିଲି । ମୁଁ ଟଙ୍କାଟିଏ ବାହାର କରି ତା’ହାତରେ ଦେଲି, କହିଲି, ‘‘ପୁଅ, ୟା’କୁ ସେ ଘୁଡ଼ି-ଦୋକାନୀକୁ ଦବୁ ଆଉ ପାଉଁଜ ମାଗିଆଣିବୁ । ତୁ ତ ବୁଜିଲା-ଶୁଝିଲା ପିଲାଟିଏ ରେ-’’

 

ସେ କହିଲା, ‘‘ପାଉଁଜ ତ ତା’ପାଖରେ ନାହିଁ । ତା’କୁ ସେ କୋଉଠୁ ଦବ ?’’

 

‘‘ୟା’ ମାନେ ? ତୁ ପରା କହିଲୁ ଯେ ପାଞ୍ଚଣାକୁ ପାଉଁଜ ଦେଲୁ ! ହଉ, ନଇଲେ ଛୁନ୍ନୁକୁ ବି ସଙ୍ଗରେ ନେଇଯା, ବୁଝିଲୁ ?’’

 

ସେ ତୁନି ହୋଇଗଲା । ଶେଷରେ ବୁଝାବୁଝି କରିବାରୁ ଯିବାକୁ ପ୍ରସ୍ତୁତ ହେଲା । ମୁଁ ଅତି ସ୍ନେହରେ ତାକୁ ପ୍ରକାଶ ସଙ୍ଗରେ ଯିବାକୁ କହିଲି; ତଥାପି ସେ ମୁହଁ ଫୁଲେଇଚି ଦେଖି ତାକୁ ଗାଳିଦେବାକୁ ବସିଛି ସେତିକିବେଳେ ତା’ପିଇସୀ ଦେଖାପଡ଼ିଗଲେ ।

 

ପିଇସୀ ଆଶୁତୋଷ ମୁଣ୍ଡରେ ହାତ ଥୋଇ ପଚାରିଲେ, ‘‘କିରେ କୁଆଡ଼େ ବାହାରିଚୁ ? ମୁଁ ପରା ତୋ ପାଇଁ ଗୁଡ଼ିଏ କଦଳୀ ଆଉ ମିଠେଇ ଘେନି କରି ଆସିଛି ।’’

 

ଆଶୁତୋଷର ମୁହଁ କଠିନ ହୋଇଗଲା । ମୁଁ ତା ପିଇସୀଙ୍କୁ କହିଲି, ‘‘ତାକୁ ଅଟକା ନାହିଁ, ଛାଡ଼ିଦେ, ସେ ଯାଉ ।’’

 

ଆଶୁତୋଷ ଅଟକିବା ଉପକ୍ରମ କରୁଥିଲା; ସେ ଏଥର ଯିବାକୁ ବାହାରିଲା ପରି ଦିଶିଲା-

 

ପିଇସୀ ପଚାରିଲେ, ‘‘କଥା କ’ଣ ?’’

 

ମୁଁ କହିଲି, ‘‘କିଛି କଥା ନାହିଁ ମ, ସେ ଯାଉ ।’’

 

କିନ୍ତୁ ଆଶୁତୋଷ ମାଣ୍ଟେଇଲାଭଳି ଜଣାପଡ଼ୁଥିଲା ।

 

ମୁଁ ରୂଢ଼ ହୋଇ କହିଲି, ‘‘ପ୍ରକାଶ, ୟା’କୁ କାହିଁକି ନେଇଯାଉନାହୁଁ ?’’

 

ପିଇସୀ କହିଲେ, ‘‘ଆରେ କଥା କ’ଣ ? କ’ଣ ହେଲା ?’’

 

ମୁଁ ପାଟିକଲି, ବଂଶୀ ତୁ କାହିଁକି-ତୁ ବି ସାଥିରେ ଯା; ଯେମିତି ମଝିରେ ଲେଉଟି ଆସି ନପାରେ ।’’

 

ଦିହେଁ ମୋ ଆଦେଶ ଅନୁସାରେ ଆଶୁତୋଷକୁ ଜବରଦସ୍ତି ଉଠେଇ ମୋ ଆଗରୁ ନେଇଗଲେ ।

 

ପିଇସୀ କହିଲେ ‘‘କାହିଁକି ବିଚରାକୁ ହଇରାଣ କରୁଚ ?’’

 

ମୁଁ କହିଲି ‘‘କିଛି ନାହିଁ ମ, କିଛି ନାଇଁ-’’

 

ସେଉଠୁ ମୁଁ ତାଙ୍କ ସଙ୍ଗରେ ଏଣୁତେଣୁ ବିଷୟରେ କଥା ଆରମ୍ଭ କରିଦେଲି । ରାଜନୀତି ଖାଲି ରାଷ୍ଟ୍ରରେ ହୁଏ ଏପରି ନୁହେଁ; ଘର ଭିତରେ ବି ରାଜନୀତି ହୁଏ । ସେ ଆମ ସ୍ତ୍ରୀଲୋକମାନଙ୍କଠୁ ଆବିର୍ଭୂତ ହୁଏ । କେଉଁଠି କ’ଣ ହେଲା, କ’ଣ ହେବା ଦରକାର ଇତ୍ୟାଦି ଚର୍ଚ୍ଚା ସ୍ତ୍ରୀଲୋକମାନଙ୍କୁ ଘେନି ରଙ୍ଗ ଚହଟାଏ । ଏମିତିଆ କିଛି କଥା ହେଲା । ସେଉଠୁ ଛୋଟିଆ ବାକ୍‍ସଟିଏ ବାହାର କରି ଆଶୁତୋଷର ପିଉସୀ କହିଲେ, ‘‘ତୁମେ ଯେଉଁ କାଗଜ ମାଗୁଥିଲ ୟା’ ଭିତରେ ସେଇଟା ଅଛି । ଆଉ ଏଥିରେ-’’

 

ଏତିକି କହି ସେ ସାନବାକ୍‍ସର ଖୋଲି ଭିତରେ ହାତ ପୂରାଇ ପାଉଁଜଟାକୁ କାଢ଼ି ଆଣି ଆଗରେ ଥୋଇଲେ; ଲାଗିଲା ଯେମିତି ସାମ୍ନାରେ କଙ୍କଡ଼ାବିଛାଟାଏ । ମୁଁ ଡରରେ ଛାନିଆଁ ହୋଇ କହିପକାଇଲି କି -ଏଇଟା କ’ଣ ?

 

ସେ କହିଲେ, ‘‘ସେଦିନ ଭୁଲରେ ମୋ ସାଙ୍ଗରେ ପଟେ ପାଉଁଜ ଚାଲିଯାଇଥିଲା ।’’

Image

 

ଅନ୍ୟର ସୁଖ

(ଯଶ୍‍ପାଳ)

 

ସୂର୍ଯ୍ୟୋଦୟ ହେଲାଣି କି ନାହିଁ ଜଣାପଡ଼ୁ ନଥାଏ । ଆକାଶ ବହଳ ମେଘରେ ଢାଙ୍କିହୋଇଥାଏ । ହେମାଳିଆ ଓଦା ପବନ ଜୋର୍‍ ରେ ବହୁଥାଏ । ପଠାଣକୋଟ ଷ୍ଟେସନର ଯାତ୍ରୀଘରେ ବସିଥିବା ଯାତ୍ରୀମାନଙ୍କ ଭିତରେ ପାହାଡ଼ ଅଞ୍ଚଳକୁ ଯାଉଥିବା ଯାତ୍ରୀମାନେ ଲୁଗାପଟା ଘୋଡ଼ିଘାଡ଼ିହୋଇ ମଟର ଲରିମାନଙ୍କ ଛାଡ଼ିବା ବେଳକୁ ଅପେକ୍ଷା କରି ରହିଥିଲେ । ଲରୀ-ଡ୍ରାଇଭରମାନେ ଯାତ୍ରୀମାନଙ୍କୁ ଖୋଜିବାକୁ ଏପଟ ସେପଟ ଧାଁ-ଧପଡ଼ କରୁଥିଲେ । ଯିବାସକାଶେ ଯାତ୍ରୀମାନଙ୍କ ମୁଣ୍ଡରେ ଯେତେ ଚିନ୍ତା ଥିଲା, ତାଙ୍କୁ ନେଇ ସେମାନଙ୍କ ଘରେ ପହଞ୍ଚାଇଦେବେ ବୋଲି ଡ୍ରାଇଭରମାନଙ୍କର ତହିଁରୁ ବଳି ଚିନ୍ତା ଥିଲା ।

 

ଷ୍ଟେସନର ଶୂନ୍‍ଶାନ୍‍ ଲମ୍ୱା ପ୍ଳାଟ୍‍ଫର୍ମ ଉପରେ କେତେବେଳେ ଗୋଟିଏ ଗୋଟିଏ କୁଲି ଦିଶୁଥାନ୍ତି । ମିଷ୍ଟର ସେଠି ଗରମ୍‍ ସୁଟ୍‍ ଆଉ ଓଭର୍‍ କୋଟ୍‍ ପିନ୍ଧି ପ୍ଳାଟ୍‍ଫର୍ମର ଗୋଟାଏ ମୁଣ୍ଡରେ ପ୍ଳାଟଫର୍ମ କରପଟେ ଥିବା ପଥର ଚଟାଣ ଉପରେ ଟହଲୁଥାନ୍ତି । ତାଙ୍କ ଗରମ ପୋଷାକକୁ ଭେଦିଯାଇ ତାଙ୍କ ଶରୀରକୁ ଛୁଇଁବା ଶକ୍ତି ପାହାଡ଼ି ପବନର ନଥିଲା । ସେ ଖାଲି ତାଙ୍କ ମୁହଁକୁ ଆଉ ମୁଣ୍ଡବାଳକୁ ସାଉଁଳୁଥିଲେ । ସେ ଶୀତୁଆ ପବନଟା ସିନା ସମସ୍ତିଙ୍କ ପ୍ରାଣକୁ ଓଟାରି ନେଉଥାଏ; କିନ୍ତୁ ସେ ପବନରେ ସେଠିଙ୍କୁ ଓଲଟି ଫୁର୍ତ୍ତି ଲାଗୁଥାଏ । ତାଙ୍କୁ ଏଡ଼େ ଶାନ୍ତି ଲାଗୁଥାଏ ଯେ ସେହି ଶାନ୍ତିରେ ସେ ନିଜେ ଖାଲି ଆପଣା ଭିତରେ ଲୀନ ହୋଇଯିବାକୁ ଚେଷ୍ଟାକରୁଥାନ୍ତି ।

 

ଲରି-ଡ୍ରାଇଭରମାନେ ସେହି ଯାତ୍ରୀମାନଙ୍କ ଭିତରେ ନିଜ ନିଜ ଶିକାର ଖୋଜି ବୁଲୁଥାନ୍ତି-। କାର୍‍ ଡ୍ରାଇଭରମାନେ ଡରି ଡରି ଷ୍ଟେସନର ଓ୍ୱେଟିଂ ରୁମ୍‍ର ଜାଲିବାଟେ ନିଜ ନିଜ ଆସାମୀମାନଙ୍କୁ କଳିନେଉଥାନ୍ତି । ଜଣେ ଡ୍ରାଇଭର ଆସି କାଇଦା ଅନୁସାରେ ସେଠିଙ୍କୁ ସଲାମ ବଜେଇ କହିଲା, ‘‘ହଜୁର, ଭାରି କମ୍ଫଟେବ୍‍ଲ ଗାଡ଼ି ।’’

 

ସେଠି ତା’କଥାର ଜବାବ୍‍ ଦେଲେ ନାହିଁ । ସେତେବେଳେ ସେ କାକର ପବନର ଆନନ୍ଦ ଉପଭୋଗ କରୁଥାନ୍ତି । ଉତ୍ତର ଦେଇ ନିଜ ଶାନ୍ତିଭଙ୍ଗ କରିବାକୁ ତାଙ୍କର କୌଣସି ପ୍ରୟୋଜନ ନଥିଲା । ଗାଡ଼ିରେ ଜାଗା ନ ମିଳିବା ପ୍ରଶ୍ନ ତାଙ୍କ ଆଗରେ ନଥିଲା; ଗାଡ଼ିରେ ଜାଗା ଖୋଜିବା ପ୍ରୟୋଜନ ବି ତାଙ୍କର ନଥିଲା । ଗାଡ଼ିଗୁଡ଼ିକ ତାଙ୍କ ପଛେ ପଛେ ଗୋଡ଼ାନ୍ତି । ଡ୍ରାଇଭର ଦୂରରେ ଠିଆହୋଇ ସାହେବଙ୍କ ହୁକୁମକୁ ଅପେକ୍ଷା କରିଥାଏ; କିନ୍ତୁ ସେଠିଙ୍କ ନିଘା ତା’ଆଡ଼କୁ ନଥିଲା ।

 

ସେଠି ଦେଖିଲେ ମହିଳା ଓ୍ୱେଟିଂରୁମ୍‍ର କବାଟ ଖୋଲିଲା । ଯୁବତୀଟିଏ, ଲମ୍ୱା କଳାକୋଟ୍‍ ଆଉ ଧଳା ଶାଢ଼ି ପିନ୍ଧିଥାଏ, ତା’ଭିତରୁ ବାହାରିଲା । ତା’ହାତ ଧରି ଗୋଟିଏ ଦେଢ଼ବର୍ଷର କି ଦିବର୍ଷର ପୁଅ ତା’ସଙ୍ଗରେ ଥାଏ । ଯୁବତୀଟି ସେ ଶୂନ୍ୟ ପ୍ଳାଟ୍‍ଫର୍ମର ଆରମୁଣ୍ଡକୁ ଚାଲିଗଲା ।

 

ସେହି ଶାନ୍ତି ଭିତରେ ହଠାତ୍‍ ସେଠିଙ୍କ ମନରେ ଗୋଟାଏ ଭାବନା ଆସିଲା । ପିଲାର ହାତ ଧରି ପୂର୍ବଦିଗକୁ ମୁହଁ କରି ଚାଲିଯାଉଥିବା ସେ ଯୁବତୀଟି ତାଙ୍କୁ ସଫଳ ଜୀବନର ରୂପ ଭଳିଆ ଜଣାପଡ଼ିଲା । ନିଜ ଜୀବନ ତାଙ୍କୁ ଲାଗିଲା ନିଷ୍ପ୍ରୟୋଜନ, ଉଦ୍ଦେଶ୍ୟହୀନ-ପବନରେ ଉଡ଼ିବୁଲୁଥିବା ଖଣ୍ଡେ ବାରବୁଲା ଛିଣ୍ଡା ବଉଦଭଳି, ଆଉ ସେ ସୁନ୍ଦରୀ ଯୁବତୀର ଜୀବନ ତାଙ୍କୁ ଲାଗିଲା ଗୋଟିଏ ସଜଳ ମେଘପରି ଯେ ବରଷି ବରଷି ଫସଲଭର୍ତ୍ତି ଶ୍ୟାମଳ କ୍ଷେତ ଉପରେ ଢାଙ୍କି ରହିଛି ।

 

ସେଠି ଦେଖୁଥାନ୍ତି-ପିଲାଟିର ଟିକି ଟିକି କଅଁଳ ମାଉଁସିଆ ଗୋଡ଼, ତା’ରସେ ଟଳଟଳ ଚାଲି, ତା’ ମା’ର ଆଙ୍ଗୁଠିରୁ ଲଟକି ରହି ବାଟ ଚାଲିବ, ମା’ର ସନ୍ତୁଷ୍ଟ, ଗମ୍ଭୀର ଓ ସ୍ଥିର ଗତି, ଯେମିତି ପଣ୍ୟଦ୍ରବ୍ୟ ଲଦାହୋଇଥିବା ନାହା ସ୍ଥିର ପାଣିରେ ଗମ୍ଭୀର ଗତିରେ ଭାସିଗଲା ପରି ସେ ଚାଲିଯାଉଥାଏ ।

 

ସେଠି ବତିଖୁଣ୍ଟରେ ପିଠି ଆଉଜେଇ ଦେଇ ସେହି ମା-ଛୁଆ ଯୁବତୀ-ପିଲା ଦୁହିଁଙ୍କ ଆଡ଼କୁ ଅନେଇ ଥାଆନ୍ତି । ଷ୍ଟେସନ କୋଠାର ସେ ମୁଣ୍ଡଯାକେ ଯାଇ ଯୁବତୀଟି ବୁଲିପଡ଼ିଲା । ଫେରିଲାବେଳେ ସେ ଡାହାଣ ହାତର ଆଙ୍ଗୁଠି ଛଡ଼ାଇ ନେଇ ପିଲାକୁ ବାଁହାତର ଆଙ୍ଗୁଠି ଧରାଇଦେଲା; ଆଉ ସେ ସେଠିଙ୍କ ଆଡ଼କୁ ଆସିଲା । ଲତାରୁ ଓହଳିଥିବା ଫଳଟିଏ ପରି ପିଲାଟି ଯୁବତୀଠାରୁ ହିଁ ନିଜର ଜୀବନ ଗ୍ରହଣ କରୁଥାଏ । ପାଖକୁ ପାଖ ପ୍ରତି ପାହୁଣ୍ଡ-ପାହୁଣ୍ଡକେ ଯୁବତୀର ଚେହେରା ଓ ପିଲାଟିର ଆକୃତି ସେଠିଙ୍କ ଦୃଷ୍ଟିକୁ ସ୍ପଷ୍ଟ ହୋଇ ଦିଶୁଥାଏ । ଯୁବତୀର ଗୋରା ବର୍ଣ୍ଣ, ପାତଳ ଦେହ, ସ୍ୱାସ୍ଥ୍ୟର ଝଲକ, ବଡ଼ ବଡ଼ ଆଖି, ପିଲାର ଟିକି ନାକ, ଗୋଲ ଗୋଲ ଆଖି, ଫୁଲୁକା ଫୁଲୁକା ଗାଲ, ଚେହେରାରେ ରକ୍ତର ତେଜ-ଏସବୁ ସେଠିଙ୍କୁ ଦର୍ପଣରେ କାଚ ପରି ଦିଶୁଥାଏ । ସଜ ପବନର ଶୀତଳତାରୁ ଶାନ୍ତି ପାଇବା କଥା ସେଠି ଭୁଲିଗଲେ ।

 

କାର୍‍ର ଡ୍ରାଇଭର୍‍ ମେମ୍‍ସାହେବଙ୍କୁ ସଲାମ କରି ସଂକ୍ଷେପରେ କ’ଣ ପଚାରିଲା । ତା’ଉତ୍ତାରୁ ଜଣେ ଲରୀ-ଡ୍ରାଇଭର ସଲାମ କରିସାରି କ’ଣ କଥାଭାଷା ହେଲା ।

 

ସେଠି କାରବାରିଆ ଲୋକ । ସେ ବୁଝିନେଲେ ଯେ ମେମ୍‍-ସାହେବ ଶସ୍ତାରେ ଆଉ ଭଲରେ ଯାଇପାରିବା ଭଳି ଗୋଟିଏ ବ୍ୟବସ୍ଥା ଖୋଜୁଛି । ଲରୀ ସାତଟା ନବାଜୁଣୁ ଛାଡ଼ିପାରିବ ନାହିଁ; କିନ୍ତୁ କାର୍‍ ପାଇଁ ସେଭଳି ଧରାବନ୍ଧା ସମୟ ନାହିଁ । ଲରୀରେ ଯିବା ଯାତ୍ରୀମାନେ ଅପେକ୍ଷା କରିଥାନ୍ତି; କାରଣ ତାଙ୍କ ପାଇଁ ବାଟ ବନ୍ଦ । କାରରେ ଯିବା ଯାତ୍ରୀମାନେ ଅପେକ୍ଷା କରିଥାନ୍ତି; କାରଣ ତାଙ୍କର ତରତର ନଥାଏ । ସେଠିଙ୍କ ମୁଣ୍ଡକୁ ଗୋଟାଏ ଖିଆଲ୍‍ ଆସିଲା । ବତିଖୁଣ୍ଟର ଆଶ୍ରା ଛାଡ଼ି ସିଧା ଠିଆହୋଇ ସେ ଡ୍ରାଇଭର ଆଡ଼କୁ ଅନାଇଲେ । ଡ୍ରାଇଭର ଦୌଡ଼ି ଆସି ସାମନାରେ ଠିଆହୋଇ ଦ୍ୱିତୀୟ ଥର ସଲାମ ବଜେଇଲା । ସେଠି ପଚାରିଲେ, ‘‘ଗାଡ଼ି ଠିକ୍‍ ଅଛି ତ ?’’

 

‘‘ହଜୁର୍‍ ବିଲ୍‍କୁଲ୍‍ ନ୍ୟୁ, ଅଷ୍ଟିନ୍‍ ସେଲୁନ୍‍ ।’’

 

‘‘ହଉ ।’’

 

‘‘ହଜୁର୍‍, ଆଉ ଅନ୍ୟ ଆରୋହୀ ବସିବେ ନାହିଁ ତ ?’’

 

‘‘ନା, ମୁଁ ସିଧା ଚାଲିଯିବି.... । ତୁମକୁ ଯଦି କିଛି ପଇସା ମିଳିଯିବ ତେବେ ଅନ୍ୟ ଜଣକୁ ବି ବସେଇନିଅ ।’’

 

ଡ୍ରାଇଭର ଆହୁରି ଦୀର୍ଘ ସଲାମ୍‍ ଦେଲା ।

 

ଓ୍ୱେଟିଂରୁମ୍‍ରୁ ସେଠିଙ୍କ ଜିନିଷ କଢ଼ା ହେଲା, ତିନିଟା ବଡ଼ ବଡ଼ ସୁଟ୍‍ କେସ୍‍, ଗୋଟାଏ ବଡ଼ ହୋଲ୍‍ଡ଼୍‍-ଅଲ୍‍ ଆଉ ଗୋଟିଏ ଛୋଟିଆ ଆଟାଚି କେଶ୍‍ । ଡ୍ରାଇଭର ପୁଣି ଚଞ୍ଚଳ ମେମ୍‍ ସାହେବଙ୍କୁ ସଲାମ୍‍ କଲା, ଆଉ ଜଣେ ଶସ୍ତାରେ ଗୋଟାଏ ରଦ୍ଦି ସବାର୍‍ ଉଠେଇନେବା ଭଳି ସଉଦା କରିନେଲା ।

 

ସେଠି ଏସବୁ ଦେଖୁଥାନ୍ତି । ମେମ୍‍ ସାହେବର ଅଳ୍ପିକିଆ ଜିନିଷପତ୍ର ବି ବାହାରିଲା-ଖାଲି ଗୋଟାଏ ସୁଟ୍‍କେଶ୍‍ ଆଉ ଗୋଟାଏ ହୋଲ-ଡ଼୍-ଅଲ୍‍ । ପିଲାକୁ ଘେନି ସେ ବି ସେଠିଙ୍କ ପେ ପଛେ କାର୍‍ ଆଡ଼କୁ ଚାଲିଲା । ପଛରେ ନ ବସି ସେଠି ଡ୍ରାଇଭର ପାଖରେ ଆଗରେ ବସିପଡ଼ିଲେ-। ମେମ୍‍ ସାହେବ ଓ ତାଙ୍କ ପୁଅ ପଛରେ ବସିଲେ ।

 

ଗାଡ଼ି ଥଣ୍ଡା ପବନକୁ ଚିରି ଚିରି ଦୌଡ଼ି ଦୌଡ଼ି ଚାଲିଲା । ସେଠି ନିଜ ପଛଆଡ଼େ ଗୋଟାଏ ଉପସ୍ଥିତି ଅନୁଭବ କରି ସନ୍ତୋଷ ପାଉଥାନ୍ତି । ସମୁଦାୟ ଗାଡ଼ିର ଭଡ଼ା ନିଜେ ଦେଇଛନ୍ତି ଅଥଚ ଆଗର ସଂକୀର୍ଣ୍ଣ ସିଟ୍‍ରେ ବସିଛନ୍ତି, ଏଇଟା ତାଙ୍କୁ ଅସହ୍ୟ ଲାଗିଲା ନାହିଁ । ପୁଣି ସଡ଼କ ପାଖର ଘରଗୁଡ଼ାକୁ ଦେଖି ମେମ୍‍-ସାହେବର ପୁଅ ଆଗ ସୀଟ୍‍କୁ ଧରିପକାଇ କୁଦାମାରୁଥାଏ । ତା’ର ସେ ଉତ୍ପାତରେ କେତେବେଳେ ସେଠିଙ୍କ ଟୋପି ହଲିଯାଉଥାଏ, କେତେବେଳେ ପିଲାଟା ତାଙ୍କ ବାହାରେ ମୁଣ୍ଡ ବଜାଇଦେଉଥାଏ ।

 

ପିଲାର ଏ ଧୃଷ୍ଟତା’ଲାଗି ମା’ର ସଙ୍କୋଚ ହେଉଥାଏ । ଶାନ୍ତ ହୋଇ ରହିବାକୁ ପିଲାକୁ ସେ କେତେଥର କହିସାରିଥିଲା, ମଧୁରିଆ ଧମକ ବି ଦେଇଥିଲା; କିନ୍ତୁ ପିଲାର ଢଙ୍ଗ ଦେଖି ସେଠି ଆଉ ପିଲାର ମା ଦିହିଁଙ୍କି ହସମାଡ଼ିଲା । ଡେଇଁପଡ଼ି ଆଗ ସିଟ୍‍ରେ ବସିବ ବୋଲି ପିଲାର ମନହେଉଥାଏ । ସେଠି ପଛଆଡ଼କୁ ମୁହଁ ବୁଲେଇ ତାକୁ ଟେକିନେଇ କୋଡ଼ରେ ବସାଇଲେ । ପିଲାଟିର ମାଂସଳ, ପୁଷ୍ଟ, କୋମଳ ଦେହର ସ୍ପର୍ଶ ପାଇ ତାଙ୍କ ଦେହରେ ଗୋଟାଏ ମଧୁର ସ୍ଫୂର୍ତ୍ତି ଅନୁଭୂତ ହେଲା । ଗୋଟିଏ ନବୀନ ଅନୁଭୂତି ତାଙ୍କ ମନକୁ ଆଚ୍ଛନ୍ନ କଲା । ଏପର୍ଯ୍ୟନ୍ତ ବହୁ ଯତ୍ନ ଓ ସଂଘର୍ଷଦ୍ୱାରା ଗଢ଼ାହୋଇଥିବା ତାଙ୍କ ଜୀବନ ହଠାତ୍‍ ତାଙ୍କୁ ଲାଗିଲା ସତେ ଅବା ନିଷ୍ପ୍ରୟୋଜନ, ଅସଫଳ । ସେ ପିଲାଟିର ମୁହଁକୁ ଦେଖୁଥାନ୍ତି ଓ ନିଜ ଜୀବନରେ ତା’ର ଖୁବ୍‍ ବଡ଼ ଅଭାବ ଅନୁଭବ କରୁଥାନ୍ତି ।

 

ମଟର ଆଗରେ ଦୌଡ଼ୁଥିବା ଦୃଶ୍ୟରେ ସେଠିଙ୍କ ନିଜ ଜୀବନର କାହାଣୀ ସିନେମାର ଦୃଶ୍ୟଭଳି ଦିଶିଯାଉଥାଏ । ବାପାଙ୍କ ମୃତ୍ୟୁଲାଗି ଏଫ୍‍. ଏ. ପଢ଼ୁଥିବାବେଳେ ପାଠ ଛାଡ଼ିବାକୁ ବାଧ୍ୟ ହେବା, ଜୀବିକାର କୌଣସି ଉପାୟ ନପାଇ ଜୀବିକାକୁ ଫୁସୁଲେଇ ଫୁସୁଲେଇ ଆଖି ଠାରିବା, ଠିକାଦାର ପାଖରେ ମାସକୁ କୋଡ଼ିଏ ଟଙ୍କା ଦରମାରେ ଚବିଶିଘଣ୍ଟା ହାଡ଼ଭଙ୍ଗା ପରିଶ୍ରମ କରି ତା’ କାମ କରିବା, ଅନ୍ୟ ଠିକାଦାରଙ୍କ କାମ ଠିକାରେ କରାଇବା, ଆଉ ନିଜେ ବଡ଼ ଠିକାଦାର ହୋଇଯିବା, ଗୋଟାକ ଉତ୍ତାରୁ ଆଉ ଗୋଟାଏ ଠିକା ଧରିବା, ଯେଉଁ ଟଙ୍କା ଲାଗି ତାଙ୍କୁ ତୁଚ୍ଛାରେ ବୁଲି ବୁଲି ଲେଉଟିବାକୁ ପଡ଼ୁଥିଲା, ସେହି ଟଙ୍କା ହଜାର ହଜାର ଲକ୍ଷ ଲକ୍ଷ ସଂଖ୍ୟାରେ ତାଙ୍କରି ହାତରେ ଯିବା-ଆସିବା କରିବା । ରେଳପୋଲ ଠିକାରେ ଏକାଥରକେ ଅଢ଼େଇ ଲକ୍ଷ ଟଙ୍କା ଲାଭ...-

 

ସେଠି ତାଙ୍କ ଜୀବନରେ ଖାଲି ଗୋଟିଏ ଜିନିଷକୁ ଚିହ୍ନିଥିଲେ-ଟଙ୍କା । ତାହାରି ପ୍ରାପ୍ତି ଲାଗି ସେ ଦିନକୁ ଦିନ ରାତିକୁ ରାତି ବୋଲି ବୁଝିପାରିଲେ ନାହିଁ । ଆଜି ସେ ଲକ୍ଷପତି । ନିଜ ରୋଜଗାର ବଳରେ ତହିଁରୁ ବଢ଼ି ବଢ଼ି ବଡ଼ ବଡ଼ କମ୍ପାନୀମାନଙ୍କର ଅଂଶୀଦାର । ପକେଟରେ ପଡ଼ିଥିବା ଇମ୍ପରିଏଲ୍‍ ବ୍ୟାଙ୍କର ଚାରିଆଙ୍ଗୁଳିଆ ଚେକ୍‍ବୁକ୍‍ ରେ କିଛି ସଂଖ୍ୟା ଲେଖିଦେଇ ଦସ୍ତଖତ କରିଦେଲେ ସେ କ’ଣ କରି ନ ପାରିବେ ? କିନ୍ତୁ ଏଥିରୁ ଟଙ୍କାଠୁଁ ବଳି ଆଉ ସେ କ’ଣ ପାଇଲେ ? ...ଟଙ୍କାରେ କ’ଣ ନମିଳିପାରେ ? ...ତାଙ୍କର ସେହି ବନ୍ଧୁବାନ୍ଧବମାନେ-ଯାହାଙ୍କୁ ସେ ଚିହ୍ନନ୍ତି ନାହିଁ, ଚିହ୍ନିବା ଆବଶ୍ୟକ ବୋଲି ଭାବନ୍ତି ନାହିଁ, - ସେମାନେ ତାଙ୍କରି ନାଁ କହି ନିଜ ନିଜ ପରିଚୟ ଦିଅନ୍ତି, ସ୍ନେହରେ ପୂର୍ଣ୍ଣ ହୋଇଥିବା ହୃଦୟ ଘେନି ତାଙ୍କ ପାଖକୁ ଦୌଡ଼ନ୍ତି । ରାଜନୈତିକ ଆଉ ସାମାଜିକ ସଂସ୍ଥାମାନେ ତାଙ୍କୁ ନିଜ ନିଜ ସଂରକ୍ଷକ ଓ ସଭାପତି କରିବାକୁ ବ୍ୟାକୁଳ; କିନ୍ତୁ ସେସବୁଥିରୁ ତାଙ୍କୁ ମିଳେ କ’ଣ ?

 

ପ୍ରେମ ଓ ପ୍ରଣୟର କେତେ ଅଭିନୟ ତାଙ୍କୁ ବେଢ଼ି ଘଟିଗଲା । ସେହି ଲାଜ-ଲାଜ ମୁଗ୍‍ଧ ଆଖିଗୁଡ଼ିକରେ ସେ ଖାଲି ଦେଖିପାରିଲେ ତାଙ୍କ ଟଙ୍କା ପ୍ରତି ଲୋଭ; ତାଙ୍କୁ ପାଲରେ ପକାଇବାକୁ ଉଦ୍ୟମ । ଏସବୁ ଦେଖି ସେ ଉଡ଼ା-ମାଛିମାନେ କେମିତି ସେଠୁ ପଳାନ୍ତେ ? କେହି ତାଙ୍କୁ ଆକର୍ଷିତ କରିପାରିଲେ ନାହିଁ । ଗୁଡ଼ ଉପରେ ବେଢ଼ିଥିବା ମାଛି ଆଉ ବିରୁଡ଼ିଙ୍କୁ ହୁରୁଡ଼େଇଲା ପରି ସେ ସେମାନଙ୍କୁ ତଡ଼ିଦେଲେ । ତାଙ୍କର ଲକ୍ଷ୍ୟ ଥିଲା ଟଙ୍କା ।

 

ଆଜି ତାଙ୍କର ଟଙ୍କାର ଅଭାବ ନାହିଁ; ତଥାପି ସେ ଟଙ୍କା କମୋଉଛନ୍ତି, ଟଙ୍କାକୁ ବଢ଼ାଇବା ଖାଲି ଏତିକି ତାଙ୍କ ଜୀବନର ଉଦ୍ଦେଶ୍ୟ । ଟଙ୍କା ଆଜିକାଲି ତାଙ୍କ ଆଡ଼କୁ ଏମିତି ମାଡ଼ିଆସୁଛି ଯେମିତି ବର୍ଷାଦିନେ ସାନ ସାନ ନାଳ-ନାଳିଆମାନଙ୍କ ପାଣି ନଈକୁ ଗଡ଼ି ଆସି ଏକାଠି ହୁଏ । ତାଙ୍କ ଦ୍ୱାରା ଗଢ଼ା ହୋଇଥିବା ବ୍ୟବସ୍ଥାରେ ନାନା ସ୍ଥାନରେ ହଜାର ହଜାର ଲୋକ ଖଟୁଛନ୍ତି, ଆଉ ଟଙ୍କା କମାଉଛନ୍ତି; ଆଉ ସେ ଟଙ୍କା ସେ ବ୍ୟବସ୍ଥାର ନାଳିବାଟେ ବୋହିଆସି ସେଠିଙ୍କ ହିସାବ ଖାତାରେ ପହଞ୍ଚଯାଉଛି । ତାଙ୍କ କାମ ଧନ ଓ ଟଙ୍କା ବୁହାଇ ଆଣିବା ସକାଶେ ନାଳିମାନ ତିଆରି କରିବା । ନିଜ ଖର୍ଚ୍ଚ ପାଇଁ ତାଙ୍କର ଚିନ୍ତା ନାହିଁ, ତାଙ୍କର କୌଣସି ଅଭାବ ନାହିଁ । ଏକୁଟିଆ ମଣିଷ, କେଉଁଥିରେ ଖର୍ଚ୍ଚ କରିବେ ? ତାଙ୍କର ଯାବତୀୟ ଖର୍ଚ୍ଚ ମିଶି ମାସକୁ ହଜାର ବାରଶହରୁ ବେଶୀ କେବେ ହୋଇନାହିଁ । ସୁଖଆଡ଼କୁ କେବେ ତାଙ୍କର ଧ୍ୟାନ ଯାଇନାହିଁ । କିନ୍ତୁ ହଠାତ୍‍ ଆଜି ଥଣ୍ଡା ପବନ ସଲସଲ କରିଦେଇ ତାଙ୍କ ମସ୍ତିଷ୍କରେ ଏଇ ଗୋଟିଏ ନୂଆ ଅନୁଭୂତି, ଅଭାବର ଅନୁଭବ ଆଣିଦେଲା ।

 

ସେ ପିଲାଟି ତା’ଜୋତାମଡ଼ା ପାଦରେ ସେଠିଙ୍କ ଦାମୀ କୋଟ୍‍ ଉପରେ ମାଡ଼ି-ଦଳି ଠିଆହୋଇ ମଟରର ବରଫ ପରି ଥଣ୍ଡା କାଚରେ ହାତ ଥୋଇ କାଚରେ ନିଜ ମୁହଁ ଦେଖି ଖୁସିରେ ଚିତ୍କାର କରୁଥାଏ । ତା’ପାଦରେ ଦଳିହେବାରୁ ସେଠିଙ୍କୁ ସୁଖ ଲାଗୁଥାଏ । ତାଙ୍କ ଆଖି ଓଦା ହୋଇଗଲା । ତାଙ୍କ ମୁହଁର ଗୋଟାଏ କ’ଣ ଭିତରଆଡ଼କୁ ଓଟାରି ହୋଇଗଲା । ସେ ଏକଦୃଷ୍ଟିରେ ସେ ପିଲାର ବ୍ୟସ୍ତତାକୁ ଦେଖୁଥିଲେ । ପିଠିଆଡ଼େ ନିଜ କାନ ପାଖରେ ତାଙ୍କୁ ଅନୁଭବ ହେଉଥାଏ ଗୋଟାଏ ଉପସ୍ଥିତି, ଗୋଟାଏ ବ୍ୟଗ୍ର ବାତ୍ସଲ୍ୟମୟ ଉପସ୍ଥିତି, ଯାହା ଗଛର ଛାଇ ପରି ବ୍ୟାପକ ଓ ଗଛର ଜନ୍ମଦାତା’ଫୁଲପରି ଆକର୍ଷକ, ଯାହା ସନ୍ତାନର ମୁଣ୍ଡ ଉପରେ ରକ୍ଷା ଓ ଧୈର୍ଯ୍ୟର ହାତ ଥୁଏ, ପୁଣି ପୁରୁଷର ହୃଦୟରେ କାମନାର ଶର ମାରିଦିଏ, ଯାହାର ସ୍ମିତ ହସ ଇନ୍ଦ୍ରଧନୁ ସୃଷ୍ଟି କରିଦିଏ, ଯାହାଠି ପ୍ରଣୟର କଟାକ୍ଷ, ରକ୍ଷାର ଆଶ୍ୱାସନା, ଆଶୀର୍ବାଦର ଛାୟା’, ବାସନାର ଝିଲିମିଲି-ସବୁ ଏକାଠି ମିଶିଯାଇଛି । ସେମିତି ଗୋଟାଏ ଚୁମ୍ୱକ ତାଙ୍କୁ ଉପରଆଡ଼କୁ, ପୁଣି କୋଡ଼ରେ ଧରିଥିବା ପିଲାର ଆକର୍ଷଣ ତାଙ୍କୁ ତଳ ଆଡ଼କୁ ଓଟାରିଲାଗିଥାନ୍ତି । ଗୋଟାଏ ନୂଆ ଅନୁଭୂତି ଆସିଥିବା ଅବସ୍ଥାରେ ରହି ସେ କେମିତି କ’ଣ ଭୁଲିଥିବା ପରି, କ’ଣ ହରାଇଥିବା ପରି ଭାବରେ ବୁଡ଼ିରହିଥିଲେ । ବିଜୁଳି ପରି କ’ଣ ଗୋଟାଏ ତାଙ୍କ ଦେହକୁ ବିଚଳିତ କରୁଥିଲା ।

 

ମଟର ପାହାଡ଼ ଉପରେ ଚାଲିଥାଏ ଆଉ ଥଣ୍ଡା ବଢ଼ି ବଢ଼ି ଯାଉଥାଏ । ବାଦଲ ଆହୁରି ଘନ ହୋଇଯାଉଥାଏ । ପବନ ପାଣିବୋଝରେ ଭାରି ହୋଇଯାଇଥିଲା । ମଟର କାଚ ଉପରେ ପାଣି ଜମି ଜମି ବୁନ୍ଦା ବୁନ୍ଦା ହୋଇ ବହିଯାଉଥାଏ । କାଚ ଉପରେ ପାଣି ସଫା କରିବା ଯନ୍ତ୍ର କ୍ରମାଗତଭାବେ ଡ୍ରାଇଭର୍‍ର ସାମନା ଅଂଶକୁ ସଫା କରି ଲାଗିଥାଏ ଆଉ ପିଲାଟି ତାକୁ ଧରିପକାଇବ ବୋଲି ଉତ୍ସୁକ ହେଉଥାଏ । ସେଠି ତା’ର ପୂରିଲା ପୂରିଲା ଗୋଲ ଗୋଲ ବାହୁଯୋଡ଼ିକୁ ଅଟକାଇ ଧରିରଖିଥାନ୍ତି । ତାକୁ ଛାଡ଼ିଦେବାକୁ ତାଙ୍କ ଦେହ ଚାହୁଁ ନଥାଏ । ପିଲାଟି ବୁଲିପଡ଼ି ସେଠିଙ୍କ ଆଡ଼କୁ ଅନାଇଁଲା । ସେଠିଙ୍କ ନେକ୍‍ଟାଇରେ ମରା ହୋଇଥିବା ପିନ୍‍ ତା’ଦୃଷ୍ଟି ଆକର୍ଷଣ କଲା । ସେ ତାକୁ ଓଟାରିନେବାକୁ ଚେଷ୍ଟା କଲା । ପିନ୍‍ କାଢ଼ି ପକାଇ ସେଠି ତାକୁ ତା’କୋଟ୍‍ ରେ ମାରିଦେଲେ । ମଟରରେ ଗଲାବେଳେ ଆଖିରେ ପିନ୍ଧିଥିବା ତାଙ୍କର ହାଲୁକା ହଳଦିଆ ବର୍ଣ୍ଣର ବଡ଼ ବଡ଼ କାଚ ଲାଗିଥିବା ଚଷମାଟି ଯାଇ ସେ ପିଲା ମୁହଁରେ ପହଞ୍ଚିଗଲା, ସେଥିରେ ତା’ର ଅଧେ ମୁହଁ ଲୁଚିଗଲା । ସେ ଚଷମାର କାଚରେ ସେଠିଙ୍କୁ ପ୍ରତିବିମ୍ୱ ଦିଶିଲା । ପଛ ସିଟ୍‍ରେ ବସିଥିବା ମା’ ଓଠରେ ଆଙ୍ଗୁଠି ମାଡ଼ି ପିଲାକୁ ଖୁଜୁବୁଜୁ ନହେବାକୁ ଠାରୁଛି । ସେଠି ପଛ ଆଡ଼କୁ ମୁହଁ ବୁଲାଇ ତା’ ମା’କୁ ଚାହିଁ ସୁପାରିସ୍‍ କରି କହିଲେ ‘‘ଇଟ୍‍ ଇଜ୍‍ ଅଲ୍‍ରାଇଟ୍‍-କିଛି ଅସୁବିଧା ହେଉନାହିଁ ।’’ ସେଠିଙ୍କ ମୁରୁକିହସାରେ ପିଲାଟିପ୍ରତି ଗୋଟିଏ କରୁଣାର ଭାବ ଥାଏ । ତାକୁ ଦେଖି ବି ମା’ର ହୃଦୟ ତରଳିଗଲା ।

 

ଡ୍ରାଇଭର୍‍ ମଟରର ବେଗ ଧୀର କରି ଦେଇ କ୍ଷମା ମାଗିଲା ଭଳି ସ୍ୱରରେ କହିଲା, ‘‘ଆଜ୍ଞା, ଉପରପଟେ ଭାରି ବର୍ଷା ହେଉଛି, ଟାଣ କରି କୁହୁଡ଼ି ବି ଘୋଡ଼େଇଛି ।’’

 

ସେଠି ଉତ୍ତର ଦେଲେ, ‘‘ଠିକ୍‍ ଅଛି । ଧୀରେ ଧୀରେ ଚଲାଅ ।’’

 

ପାହାଡ଼ର ଉପରପଟେ ବର୍ଷୁଥିବା ବର୍ଷାପାଣି ଗଡ଼ିଆସି ସଡ଼କ କରରେ ଝରଣା ସୃଷ୍ଟି କରୁଥାଏ । ସେହି ପାଣିକୁ କାଟି ପବନରେ ଫୁଆର ପରି ପାଣି ପିଚ୍‍କାରି ମାରି ଉଡ଼େଇ ଉଡ଼େଇ ଘେର ବୁଲି-ବୁଲିକା ମଟର ଆହୁରି ଉପରକୁ ଉପରକୁ ଚଢ଼ି ଚଢ଼ି ଯାଉଥାଏ । ସାଇନ୍‍ସର ପ୍ରଦୀପକୁ ରଗଡ଼ି ରଗଡ଼ି ଅକ୍ତିଆର କରାହୋଇଥିବା ସେହି ମଟର-ଦୈତ୍ୟ ପାହାଡ଼ର ତୀଖ ଉଠାଣି, ମେଘର କୁହୁଡ଼ି ଓ ପାଣିମାଡ଼କୁ ଖାତିରି ନକରି ଉପରକୁ ଚଢ଼ି ଚଢ଼ି ଚାଲିଥାଏ ।

 

ଦୁଇଘଣ୍ଟା କ୍ରମାନ୍ୱୟରେ ଯାଇ ଯାଇ ଅଧବାଟରେ ସେମାନେ ଗୋଟାଏ ଡାକ-ବଙ୍ଗଳାରେ ପହଞ୍ଚିଲେ ଓ ଗାଡ଼ି ଯାଇ ଘର ଆଗରେ ଲାଗିଗଲା । ବଙ୍ଗଳା ହତା ବାହାରେ ଅନେକ ଯାତ୍ରୀ ଟିଣ ଓ ଚାଳ ଛାତ ତଳକୁ ଆସି ତିନ୍ତିତିନ୍ତି ବସିଥାନ୍ତି । ପାହାଡ଼ରେ ବୋଝ ବୋହୁଥିବା ବଳଦ ଓ ଖଚରଗୁଡ଼ିକ ପାଣିରେ ତିନ୍ତି ତିନ୍ତି ଭୟାତୁର ଦୃଷ୍ଟିରେ ମଣିଷମାନଙ୍କର ମଠୁଆ ମଠୁଆ ଓ ଉତ୍ସାହିତ ଭାବଭଙ୍ଗୀ ଓ ଚଳଣି ଆଡ଼କୁ ଅନେଇଁ ଦେଖୁଥାନ୍ତି । ଯାତ୍ରୀମାନେ ମେଘ ଓ ସରକାରୀ ହୁକୁମକୁ ପ୍ରତୀକ୍ଷା କରି ରହିଥାନ୍ତି ଓ ସେମାନଙ୍କ ପଶୁଗୁଡ଼ିକ ମୁନିବଙ୍କ ନିଷ୍ପତ୍ତିକୁ ମାନିଥାନ୍ତି । ରାତିଯାକ ବଡ଼ ବର୍ଷା ହେବାରୁ ଉପର ସଡ଼କ ଉପରେ କେତେ ଜାଗାରେ ପାହାଡ଼ ଖସି ପଡ଼ି ସଡ଼କ ବୁଜି ହୋଇଯାଇଥାଏ । ଆଗକୁ ଯିବାକୁ ଯାତ୍ରୀମାନଙ୍କ ହୁକୁମ୍‍ ନଥାଏ ।

 

ଡ୍ରାଇଭର ମଟରର କବାଟ ଖୋଲିଲା । ସେଠି ଓହ୍ଲେଇଲେ । ପିଲାଟି ସେଠିଙ୍କ ଆଙ୍ଗୁଠି ଧରିଥାଏ । ତାଙ୍କ ପଛେ ପଛେ ମେମ୍‍ସାହେବ ଓହ୍ଲେଇଲେ । ଡାକ-ବଙ୍ଗଳାର ଚପରାସି ଓ ଖାନ୍‍ସାମା କାର୍‍କୁ ଦେଖି ସଲାମ୍‍ ଦେଲେ । ଉର୍ଦ୍ଦିପିନ୍ଧା ଖାନ୍‍ସାମା ଅଭ୍ୟସ୍ତ କାଇଦାରେ ଜଳଖିଆ ବିଷୟରେ ପଚାରିଲା । ସେଠି କହିଲେ, ‘‘ହଁ ।’’

 

ମେମ୍‍ସାହେବ ପିଲାଟି ପାଇଁ ଝୁଲାରେ ପୂରାଇ ଦୁଧ ବୋତଲ ନେଇଥାଏ । ନିଜପାଇଁ ତାଙ୍କର ଜଳଖିଆ ଦରକାର ନଥାଏ । ଷାଠିଏଟଙ୍କା ଦରମା ପାଇବା ଇସ୍କୁଲ ମାଷ୍ଟ୍ରାଣୀର ଡାକବଙ୍ଗଳାରେ ଜଳଖିଆ କରିବାର ଅଭ୍ୟାସ ନଥିଲା । ପିଣ୍ଡାରେ ଗୋଟିଏ ଆରାମ ଚୌକିରେ ବସି ମେମ୍‍ସାହେବ ସେଠିଙ୍କ ଆଡ଼କୁ ଅନାଇଁ ବଲ୍ଲୁକୁ (ସେ ପିଲା) ଆସି ଦୁଧ ପିଇବାକୁ କହିଲେ ।

ସେଠି ମେମ୍‍ସାହେବ ଆଡ଼କୁ ନଚାହିଁ କହିଲେ, ‘‘ବଲ୍ଲୁ ଗରମ ଦୁଧ ପିଇବ ।’’

ଜଳଖିଆ ଟେବୁଲ୍ ଉପରେ ରଖାଯିବା ପରେ ଖାନ୍‍ସାମା ମେମ୍‍ସାହେବଙ୍କୁ ସୂଚନା ଦେଲା-ସତେ ଯେମିତି ସାହେବ, ମେମ୍‍, ପିଲା ଏକାଘରର ଲୋକ ।

ଖାନ୍‍ସାମାର ଏ ବିଚାର ମେମ୍‍ସାହେବଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗିଲା ସତ; କିନ୍ତୁ ଅସ୍ୱାଭାବିକ ଜଣାଗଲା ନାହିଁ । ସେଠିଙ୍କ ଆଡ଼କୁ ଅନାଇଁ ନମ୍ର ଓ ବିନୟ ସ୍ୱରରେ ସେ କହିଲେ, ‘‘ଆପଣ ଜଳଖିଆ କରନ୍ତୁ; ମୋର ତ ଦରକାର ନାହିଁ ।’’

ଶିଷ୍ଟତା’ଦେଖାଇ ସେଠି ଆଗ୍ରହରେ କହିଲେ, ‘‘ଏତେ ଥଣ୍ଡାରେ କପେ ଗରମ ଚା ଖାଇବା ଭଲ ।’’

ଜଳଖିଆ ଖାଇବାପାଇଁ ସେମାନେ ଯାଇ ଭିତରେ ବସିଲେ । ସେହି ଏକୁଟିଆ ବଖରାକୁ ଯିବାଆସିବା ଖାଲି ଖାନ୍‍ସାମାର ଥିଲା । କାନ୍ଥ ସେପାଖରେ ବାହାର-ଜଗତର ଦୃଷ୍ଟିରେ ସେମାନେ ପତି, ପତ୍ନୀ ଓ ପିଲା ମିଶି ଗୋଟିଏ ଛୋଟିଆ ପରିବାର । ଏହି ସଂସାରର ପ୍ରତିନିଧି ବା ସାକ୍ଷୀ ଥିଲା ଖାଲି ସେ ଖାନ୍‍ସାମା । ତା’ଆଗରେ ବୃଥା ସଂକୋଚ ନକରି ଆପଣାକୁ ଭୟଭୀତ ଓ ଅପରାଧୀ ପ୍ରମାଣିତ କରିବାକୁ ମେମ୍‍ସାହେବକୁ ବି ଉଚିତ ଲାଗିଲା ନାହିଁ । ସେ ବିଲ୍‍କୁଲ୍‍ ନିଃସଂକୋଚ ଭାବରେ ପିଆଲାରେ ଚାହା ଢାଳିବା ଆରମ୍ଭ କରିଦେଲେ । ସେଠି ଆମ୍‍ଲେଟ୍‍ର ସାନ ଖଣ୍ଡେ ନେଇ ବଲ୍ଲୁ ପାଟିକି ଦେଲେ । ସେ ପାଟିରେ ପୂରେଇ ତାକୁ ଖାଇବାକୁ ଲାଗିଲା ।

ଖାନ୍‍ସାମା ମେମ୍‍ସାହେବର ପିଠି ପଛଆଡ଼େ ଆସି ପଚାରୁଥାଏ, ‘‘ହଜୁର ଦିଖଣ୍ଡ ବିସ୍କୁଟ୍‍ ? ଆଉ ଟିକିଏ ଜାମ୍‍ ? ଆଉ କିଛି ଫ୍ରୁଟ୍‍ ?’’

ସେଠି ଉତ୍ତର ଦେଉଥାନ୍ତି, ‘‘ଆଣ ।’’

ଯେଉଁସବୁ ଜିନିଷ ସହଜେ ବିକ୍ରି ହେବ ବୋଲି ଆଶା ନଥାଏ ଖାନ୍‍ସାମା ତାକୁ ସବୁ ଖୋଲାହୋଇ ପ୍ଳେଟ୍‍ ରେ ପଶିଥିବା ଅବସ୍ଥାରେ ପୁଣି କେତେ ଅଧାକୋଲା ଡବା ରୂପରେ ଟେବୁଲ୍‍ ଉପରକୁ ଆଣିବାକୁ ଲାଗିଲା । ସେଠି ହସୁଥାନ୍ତି ଆଉ ପିଲାଟିକୁ ଗୋଟିଏ ଗୋଟିଏ ଜିନିଷ ଚଖାଉଥାନ୍ତି । ପୁଅର ଖୁସି ଦେଖି ମା ଗଦ୍‍ଗଦ ହେଉଥାଏ । ସେ ସେଠିଙ୍କୁ ମନାକରୁଥାଏ, ‘‘ଥାଉ ଥାଉ-ଦଅନ୍ତୁ ନାହିଁ, ତାକୁ ଅଇଚ୍ଛା ଭୋକ ନାହିଁ ।’’ ପିଲାର ସହାୟତାରେ ସଂକୋଚ ଦୂର କରି ସେଠି ପଚାରିଲେ, ‘‘ଖପଣ ଡାଲ୍‍ହାଉସୀରେ ରହନ୍ତି ?’’

‘‘ଆଜ୍ଞା ହଁ, ମୋ ନାଁ ମିସେସ୍‍ ମଦନ । ମିଷ୍ଟର୍‍ ମଦନ ମିଲିଟେରି ଏକାଉଣ୍ଟସ୍‍ ଅଫିସ୍‍ ରେ ଅଛନ୍ତି; ମୁଁ ସ୍କୁଲରେ ପାଠ ପଢ଼ାଏଁ । ଭଉଣୀକୁ ଦେଖିବି ବୋଲି ଅମୃତସର ଯାଇଥିଲି ।’’

ସେଠି ନିଜର କି ପରିଚୟ ଦିଅନ୍ତେ ? ସେ ଖାଲି କହିଲେ, ‘‘ଭଲ କଥା ।’’ ନିଜ ବିଷୟରେ କହିବାକୁ ଉପଯୁକ୍ତ ହେଲାଭଳି କୌଣସି କଥା ତାଙ୍କର ଧାରଣା ହେଲା ନାହିଁ । ତାଙ୍କୁ ନିଜ ଜୀବନ ନିତାନ୍ତ ଆଧାରରହିତ ଓ ରୂପରହିତ ଜଣାପଡ଼ୁଥାଏ ।

‘‘ଗରମ ଦିନ ବୋଲି କ’ଣ ଆପଣ ଡାଲ୍‍ହାଉସୀ ଯାଉଛନ୍ତି’’-ମିସେସ୍‍ ମଦନ ପଚାରିଲେ ।

 

‘‘ନା, ଏମିତିଆ ଗୋଟାଏ ବ୍ୟବସାୟ ସଂପର୍କରେ ସେଠାରେ ମୁଁ କିଛିଦିନ ରହିବି ବୋଲି ଯାଉଛି । ଡାଲ୍‍ହାଉସୀ ଜାଗା ଭଲ, ଦୃଶ୍ୟ ଭାରି ସୁନ୍ଦର ।’’

 

‘‘ଆପଣ ସଙ୍ଗରେ ଛୁଆପିଲାଙ୍କୁ ଆଣିନାହାନ୍ତି ?’’ ମିସେସ୍‍ ମଦନ ଆନ୍ତରିକତାମୟ ସ୍ୱରରେ ପଚାରିଲେ ।

 

‘‘ନା..ନାହାନ୍ତି ମୋଟେ...ବିଭା ମୁଁ ହୋଇନାହିଁ । ମୋ ନାଁ ଆର୍‍. ଏଲ୍‍. ସେଠି । ଠିକାଦାରି ବି କରେ । ଅମୃତସରରେ ନୂଆ ଗିର୍ଜାଘର ମୁଁ ଠିକା ନେଇ ତୋଳିଥିଲି ।’’ କାନ୍ଥ ଆଡ଼କୁ ଅନାଇଁ ଚା’ପିଆଲା ଭିତରେ ଚାମଚ ହଲଉ ହଲଉ ସେ କହିଲେ, ‘‘ମୁଁ ଏମିତି ଥାଏଁ ।’’

 

କରୁଣା ଓ ଦୁଃଖର ଗୋଟାଏ ବୋଝ ସେଠିଙ୍କ କଥାରୁ ଯାଇ ମିସେସ୍‍ ମଦନଙ୍କ ମନ ଉପରେ ଲଦିହୋଇଗଲା । ସେ ଭାବିଲାଗିଲେ-କେଡ଼େ ଭଲ ଆଉ କେଡ଼େ ଅମିର୍‍ ମଣିଷ ୟେ !

 

ଚମଡ଼ା ଚେନ୍‍ ରେ ବନ୍ଧାହୋଇଥିବା ସୁନା ଘଣ୍ଟାକୁ ବଲ୍ଲୁ ଟେବୁଲ୍‍ ଉପରେ ଘୋଷାରୁଥାଏ । ମିସେସ୍‍ ମଦନ ଆଙ୍ଗୁଠି ଟେକିଦେଇ କହିଲେ, ‘‘ନା ।’’ ପୁଣି ସେଠିଙ୍କ ଆଡ଼କୁ ଅନାଇଁ ହସି ହସି କହିଲେ-‘‘ଏଇଟା ଭାରି ଦୃଷ୍ଟ ।’’

 

ସେଠି ବାରମ୍ୱାର ଆପଣା ମୁଣ୍ଡବାଳ ଭିତରେ ଆଙ୍ଗୁଠି ଚଳାଉଥାନ୍ତି । ତା’ର କାରଣ ବୋଧହୁଏ ଏଇଆ ଯେ ତାଙ୍କର ଚିନ୍ତାଗୁଡ଼ାକ ଗୋଳମାଳିଆ ହୋଇ ଯାଉଥାଏ । ଅନେକ ଜିନିଷ ସେ ପାଇଥିଲେ ସୁଦ୍ଧା ତାଙ୍କ ଜୀବନ ତାଙ୍କୁ ନିରାଧାର ଲାଗୁଥାଏ; ସତେ ଯେମିତି ସେ ଗୋଟାଏ ପଙ୍ଗୁ । ତାଙ୍କ ଆଗରେ ବସିଥିବା ମିସେସ୍‍ ମଦନ ଟେବୁଲ୍‍ ରେ କହୁଣୀ ଭରାଦେଇ ନିଜ ଛୁଆ ଆଡ଼କୁ ଅନାଇଁବା, ତା’ର ସ୍ୱଚ୍ଛ ଫୁଲପରି ଫୁଟିଥିବା ଚିକ୍‍କଣ ମୁହଁ, ରସପୂର୍ଣ୍ଣ ଡବଡବ ଆଖି, ମୁଣ୍ଡ ଉପରୁ ଶାଢ଼ିର କାନି ଖସିପଡ଼ିବାରୁ ଦିଶୁଥିବା ବହଳ ବାଳଭର୍ତ୍ତି ମୁଣ୍ଡଟି, ନାଲି ନାଲି ଓଠ, କୋଟ୍‍ର କଲରରେ ତିଆରିହୋଇଥିବା ତ୍ରିକୋଣ ଭିତରେ ବେକ ତଳର ଅଂଶ-ଏଇସବୁ ତାଙ୍କୁ ଏଭଳି ଗୋଟିଏ ଜୀବନର ପ୍ରତିରୂପ ଭଳିଆ ଲାଗୁଥାଏ ଯାହା ତାଙ୍କ କଳ୍ପନା ବାହାରେ ।

 

ମିସେସ୍‍ ମଦନର ଦୃଷ୍ଟି ସେଠିଙ୍କ ଆଡ଼କୁ ଗଲା । ସେ ଅନୁଭବ କଲା ଯେ ସେଠିଙ୍କ ଦୃଷ୍ଟି ତା’ଦେହ ଗୋଟାକ ଯାକରେ ବିଛାଡ଼ି ହୋଇ ପଡ଼ିଛି । ତା’ର ଦେହରେ ଗୋଟାଏ ଶିହରଣ ଖେଳିଗଲା ଭଳି ତାକୁ ଲାଗିଲା; କିନ୍ତୁ ତାହା ଦୁଃଖଦାୟକ ନଥିଲା । ଓଲଟି ସେଥିଲାଗି ମିସେସ୍‍ ମଦନଙ୍କ ବ୍ୟବହାରରେ ଗୋଟାଏ ଅଧିକାରର ଭାବ ଦେଖାପଡିଲା । ଦୁଇହାତ ଟେବୁଲ୍‍ ଉପରେ ଥୋଇ ସିଧାସଳଖ ଓ ଝଲସିତ ଚାହାଣିରେ ସେଠିଙ୍କ ଆଡ଼କୁ ଅନାଇଁ ସେ କହିଲା, ‘‘କେଡ଼େ ଜୋର୍‍ରେ ମେଘ ବର୍ଷୁଛି । ଆମେ କେତେବେଳେ ଯାଇ ପହଞ୍ଚିବା ଯେ ?’’

 

ସେଠି ପକେଟ୍‍ରୁ ସୁନାର ସିଗାରେଟ୍‍ କେଶ କାଢ଼ିଲେ । ପାଟିରେ ସିଗାରେଟ୍‍ ଦେଇ ଲଗାଇଦେଲେ, ଆଉ ସହଜଭାବେ ଧୂଆଁ ଛାଡ଼ି ଛାଡ଼ି କହିଲେ, ‘‘ଯଦିବା ଏ ବର୍ଷା ନଛାଡ଼େ କି ଆମେ ଆଜି ନପହଞ୍ଚୁ କ୍ଷତି କ’ଣ ?’’

 

ଦି’ ହାତର ଆଙ୍ଗୁଠିମାନଙ୍କୁ ପରସ୍ପର ସହିତ ଗୁନ୍ଥୁଗୁନ୍ଥୁ ଚିନ୍ତିତ ସ୍ୱରରେ ମୁରୁକି ହସି ମିସେସ୍‍ ମଦନ କହିଲା, ‘‘ଆଜ୍ଞା, ମତେ ତ କାଲି ସ୍କୁଲରେ ଯୋଗଦେବାକୁ ପଡ଼ିବ । ଆପଣ ତ ବ୍ୟବସାୟ କାମରେ ଯାଉଛନ୍ତି । ଆପଣଙ୍କର ବି ତ କ୍ଷତି ହେବ ।’’

 

‘‘ହଁ, ଯେଉଁ କାମ ପାଇଁ ମୁଁ ଆସିଛି, ହୁଏତ ସେଇଟା ହୋଇପାରିବ ନାହିଁ ।’’ ପିଣ୍ଡାରେ ଠିଆ ହୋଇଥିବା ଖାନ୍‍ସାମା ଆଡ଼କୁ ଅନାଇଁ ସେ ଡାକିଲେ, ‘‘ଦେଖ ।’’

 

ଖାନ୍‍ସାମା ଚଞ୍ଚଳ ଥାଳିଆରେ ଥୋଇ ବିଲ୍‍ ଆଣି ପହଞ୍ଚାଇଲା । ବିଲ୍‍ ଆଡ଼କୁ ନଚାହିଁ ମିସେସ୍‍ ମଦନ କହିଲେ, ‘‘ଡ୍ରାଇଭରକୁ ପଚାର ତ କେତେବେଳେ ବାହାରିବା ?’’

 

ବିଲ୍‍କୁ ନିଜ ଆଡ଼କୁ ଟାଣୁ ଟାଣୁ ସେଠି କହିଲେ, ‘‘ଯେତେବେଳେ ମୁଁ ସ୍କୁଲରେ ପଢ଼ୁଥିଲି ସେତେବେଳେ ଚାହୁଁ ଥିଲି ଯେ ସ୍କୁଲ୍‍ ଛୁଟି ରହୁ; ନହେଲେ କୌଣସି ଗୋଟାଏ ଆଳ ଦେଖାଇ ସ୍କୁଲ ଯିବାକୁ ନପଡ଼ୁ । କିନ୍ତୁ ଦେଖୁଚି ଆପଣଙ୍କର ସ୍କୁଲ ପ୍ରତି ବହୁତ ଶରଧା ।’’

 

ମିସେସ୍‍ ମଦନ ଉତ୍ତର ଦେଲା, ‘‘ଆପଣ ଦୁଷ୍ଟ ପିଲାଟିଏ ହୋଇଥିବେ । ଆଜି ବି ହୁଏତ କାମ-କାର୍ଯ୍ୟରୁ ନିସ୍ତାର ପାଇବାପାଇଁ ଆପଣ ଲୋଡ଼ୁଥିବେ କେମିତି ବର୍ଷା ଲାଗିରହିଥାଉ ଯେ ଆପଣ ଏଠି ସେହି ଆଳରେ ବସି ମଜାରେ ସିଗାରେଟ୍‍ ପିଉଥିବେ ।’’ –ସେ ହସିପକେଇଲା ।

 

‘‘ହଁ, ସେଇଆ ତ ନିଶ୍ଚୟ ଖୋଜୁଚି ।’’

 

‘‘ଆପଣଙ୍କ ମନ ଆପଣଙ୍କ ବିଜିନେସ ରେ ଲାଗୁନାହିଁ ?’’

 

‘‘କେବେ ବି ଭାବି ନାହିଁ; ମତେ ଯେମିତି ଲାଗୁଛି, ଜୀବନର ଗାଡ଼ିକୁ ମୁଁ କାଦୁଅରେ ଓଟାରୁଛି ।

 

ଡ୍ରାଇଭର ଆସି ଖବର ଦେଲା ଯେ ସେତେବେଳଯାକେ ସଡ଼କ ଖୋଲିନାହିଁ । ସେଠି ପୋଲିସ୍‍ ଷ୍ଟେସନକୁ ଫୋନ୍‍ କରି ଖବର ନେଲେ ଯେ ଛଅଘଣ୍ଟା ଆଗରୁ ସଡ଼କ ଖୋଲିବାର କୌଣସି ଆଶା ନାହିଁ ।

 

ଏହି ଖବର ପାଇଁ ମିସେସ୍‍ ମଦନ ଘାବରାଇଯିବା ଦେଖି ସେଠି କହିଲେ, ‘‘ଆପଣଙ୍କ ସ୍କୁଲର ଲୋକେ ବୁଝିପାରିବେ ଯେ ସଡ଼କ ତିଆରି କରିପକାଇବା ଆପଣଙ୍କ ହାତରେ ନାହିଁ ।’’

 

ମିସେସ୍‍ ମଦନର ବିଛଣା ଗୋଟିଏ ବଖରାରେ ଖୋଲିଦିଆଗଲା । ସେ କୋଠରି ଭିତରକୁ ଚାଲିଗଲା । ପିଲା କେତେବେଳେ ସେ କୋଠରି ଭିତରକୁ ଯାଉଥାଏ ତ କେତେବେଳେ ସେଠିଙ୍କ ପାଖକୁ ଚାଲିଆସୁଥାଏ । ମିସେସ୍‍ ମଦନ ଉଠି ଚାଲିଯିବାରୁ ସେଠିଙ୍କୁ ଏପରି ଲାଗିଲା ଯେପରି ସେ ବେଶି ଖାଇ ବେମାର ପଡ଼ିବେ ବୋଲି ଭୟରେ ତାଙ୍କ ସାମନାରୁ ଥାଳି ଉଠାଇ ନିଆଯାଇଛି; ତଥାପି ଏ ପର୍ଯ୍ୟନ୍ତ ତାଙ୍କ ଭୋକ ମରିନାହିଁ । ସେ ଏଥର ଆରାମଚୌକିରେ ଆଉଜିପଡ଼ି ଆକାଶରେ ବେଢ଼ିଥିବା ବଉଦ ସବୁକୁ ଅନାଉଥାନ୍ତି । କେତେବେଳେ ପିଣ୍ଡାରେ ଟହଲୁଥାନ୍ତି, ପୁଣି ବସିପଡ଼ୁଥାନ୍ତି, ପୁଣି ଉଠିପଡ଼ି ଟହଲୁଥାନ୍ତି । ତାଙ୍କ ହିସାବୀ ମନରେ ସେଦିନ କଳ୍ପନା ବସା ବାନ୍ଧିଥାଏ । ତାଙ୍କ ଆଖିଆଗରେ ତାଙ୍କରି ଜୀବନର ଚିତ୍ରହିଁ ଦିଶିଯାଉଥାଏ । ସେଥିରେ ସେ ଟଙ୍କା ପଛରେ ନୁହେଁ ଅନ୍ୟ କେଉଁ ବସ୍ତୁ ପଛରେ ଦୌଡ଼ୁଥିଲେ । ତାଙ୍କୁ ଲାଗୁଥାଏ, ସେ ସାମନାର ଦୁର୍ଗମ ପାହାଡ଼ ଉପରେ ଚଢ଼ୁଛନ୍ତି । ଆଗରେ ଚାଲିଥିବା ଗୋଟିଏ ନାରୀଦେହକୁ ଧରିପକାଇବା ଲାଗି ଚାହୁଁଛନ୍ତି; ଆଉ ଯେତେବେଳେ ସେ ହାତ ବଢ଼ାଇ ତା’ଶାଢ଼ି ଧରିପକାଇବାକୁ ଲୋଡ଼ୁଛନ୍ତି, ସେ ଆଗକୁ ଚାଲିଯାଉଛି । ସେ ଦେହ ଗୋଟାଏ ପାତଳ ବଉଦରେ ଘେରିହୋଇଥିବା ମିସେସ୍‍ ମଦନ୍‍ର ।

 

ଟହଲି ଟହଲି ପୁଣି ସେ ଆରାମଚୌକିରେ ବସିପଡ଼ିଲେ । ସେତିକିବେଳେ ଓଦା ଘାସ ଓ ଗଛ ଉପରେ ସୂର୍ଯ୍ୟର କିରଣ ବିଛେଇ ହୋଇ ପଡ଼ିଲା । ହଠାତ୍‍ ସୂର୍ଯ୍ୟ ଖୋଲାପଡ଼ିଯିବାରୁ ସେଠିଙ୍କ ଆଖି ଜଳକା ହୋଇଗଲା । ସେ କେଡ଼େ ଅସମର୍ଥ, ସେହି କଥା ତାଙ୍କର ଧାରଣା ହେଲା । ସେ ଉଠିପଡ଼ି ମିସେସ୍‍ ମଦନର ବଖୁରି ଭିତରକୁ ବି ଯାଇପାରିଲେ ନାହିଁ, କାଳେ ସେ ଶୋଇଥିବ, କାଳେ ସେ ଚେଇଁଥିବ । ଯଦି ସେ ଦିହେଁ ଏକାଠି ବସିଥାନ୍ତେ ?

 

ସ୍ତ୍ରୀଲୋକର ଜୋତାଶବ୍ଦ ଶୁଣି ସେଠି ବୁଲିପଡ଼ି ଦେଖିଲେ, କୋଟ୍‍ର ଦୁଇ ପକେଟ୍‍ ରେ ହାତ ପୂରାଇ ମିସେସ୍‍ ମଦନ୍‍ ଆସି କହିଲା, ‘‘ଖରା ତ ପଡ଼ିଲାଣି, ଛ ଘଣ୍ଟା ବି ହୋଇଗଲାଣି । ଏଥରକ ଆମେ ଯାଇପାରିବା ? କେତେଟା ବାଜିଥିବ ?’’

 

ଘଣ୍ଟା ଏପର୍ଯ୍ୟନ୍ତ ବଲ୍ଲୁ ପାଖରେ ଥାଏ । ଆଉ ତା’କାଚ ଆଉ କଣ୍ଟା ଭଙ୍ଗା ସରିଥାଏ । ସମୟ ଜାଣିବାର ଏକମାତ୍ର ଉପାୟ ଥିଲା ଡ୍ରାଇଭରକୁ ପଚାରିବା । ଛ ଘଣ୍ଟା ନିଶ୍ଚୟ ହୋଇଯାଇଥାଏ; କିନ୍ତୁ ସଡ଼କ ଏପର୍ଯ୍ୟନ୍ତ ଠିକଣା ହୋଇ ନଥାଏ । ଆଉ ସେପଟରୁ ମଟରମାନ ଆସିବାକୁ ଏପର୍ଯ୍ୟନ୍ତ ଆଦେଶ ମିଳିପାରିନଥିଲା । ଖାନ୍‍ସାମା ପୁଣି ଆସି ସଲାମ କରି ପଚାରିଲା, ‘‘ଲଞ୍ଚ୍ ପାଇଁ କିଛି ଆୟୋଜନ ହେବ ?’’

 

‘‘ମେମ୍‍ ସାହେବକୁ ପଚାର’’, ଉତ୍ତର ଦେଇ ସେଠି ପିଲାଟିର ଆଙ୍ଗୁଠି ଧରି ଖରାକୁ ବାହାରିଗଲେ ।

 

ଖାନ୍‍ସାମା ମନେ ମନେ କ’ଣ ବୁଝୁଚି, ଏଇଆ ଭାବି ମିସେସ୍‍ ମଦନର ମଧୁର ସଙ୍କୋଚ ଆସୁଥିଲା; କିନ୍ତୁ ସେ ସଙ୍କୋଚକୁ ପ୍ରକଟ କଲେ ସକାଳର ବ୍ୟବହାର ଓ ଏସମୟର ସଙ୍କୋଚ ଲାଗି ସ୍ଥିତି ଆହୁରି ଖରାପ ହୁଅନ୍ତା । ମିସେସ୍‍ ମଦନ କହିଲା, ‘‘ଯାହା କିଛି ହେଲେ ଚଳିଯିବ, ଡେରି ନହେଉ ।’’

 

ସେଠି ଖୋଜୁଥିଲେ ମିସେସ୍‍ ମଦନର ପାଖରେ ବସିବାକୁ । କିନ୍ତୁ ଆଜି ମିସେସ୍‍ ମଦନର ଆପତ୍ତି ନଥାଏ ।

 

ଲଞ୍ଚ୍ ଖାଇବାକୁ ପୁଣି ଦିହେଁ ଏକାଠି ବସିଲେ । କିଛି କଥାବାର୍ତ୍ତା କରିବା ନିହାତି ଦରକାର । ସେଠି କହିଲେ ଯେ ପାହାଡ଼ରେ ସଡ଼କ ଭାଙ୍ଗିଯିବା ଅଡ଼ୁଆ ପ୍ରାୟ ହିଁ ଲାଗିଥାଏ । ଆଗଥରକ ସେ ସକାଳେ ଆସିଥିଲେ ଆଉ ତିନିଘଣ୍ଟାରେ କାମ ସାରି ସଞ୍ଜକୁ ଫେରିଗଲେ ।

 

‘‘ଆପଣ ଡାଲ୍‍ହାଉସୀରେ କୋଉଠି ରହନ୍ତି ?’’

 

ମିସେସ୍‍ ମଦନ ନିଜ ଠିକଣା ଦେଲା ଆଉ ପଚାରିଲା, ‘‘ଆପଣ କେତେ ଦିନ ରହିବେ-?’’

 

ସେଠି କେବଳ କାମ ପାଇଁ ଆସିଥିଲେ, ଦିନେ ଦିଦିନ, ତିନିଦିନ ଯାକେ ରହିପାରନ୍ତେ । ଡାଲ୍‍ହାଉସୀରେ ଚୁଡ଼େଲ୍‍-ଡଂଡ଼ା ପାହାଡ଼ ଉପରେ ପଲଟଣଙ୍କ ପାଇଁ ନୂଆ କୋଠା ତୋଳାହେବ । ସେହି ଠିକାକାମ ସକାଶେ ସେ ଡାଲ୍‍ହାଉସୀ ଯାଉଥିଲେ । ଆଗ ଥର ସେ ଯେତେବେଳେ ଡାଲ୍‍ହାଉସୀ ଯାଇଥିଲେ ସେଥର ‘ହିଲ୍‍ କ୍ରେଷ୍ଟ’ ହୋଟେଲ୍‍ ରେ ରହିଥିଲେ-ଏଥର ବି ସେଠି ରହିବେ ।

 

କଥା ପଡ଼ୁ ପଡ଼ୁ ମିସେସ୍‍ ମଦନ୍‍ ନିଜ କାହାଣୀ ଶୁଣାଇଲା । ତା’ସ୍ୱାମୀ ମାସକୁ ଶହେଟି ଟଙ୍କା ଦରମା ପାନ୍ତି, ନିଜେ ତାକୁ ସ୍କୁଲରୁ ଷାଠିଏ ଟଙ୍କା ମିଳେ । ଚାକିରି କରିବାପାଇଁ ବାଧ୍ୟ ହୋଇଛି । ତାଙ୍କର ଗୋଟିଏ ବଙ୍ଗଳା ଅଛି ଯେ ସ୍ୱାମୀ ବେମାର ପଡ଼ିଥିବାବେଳେ ବଙ୍ଗଳାଟିକୁ ଚାରିହଜାର ପାଁଶ ଟଙ୍କାରେ ରହଣବନ୍ଧକ ଦିଆହୋଇଛି । ତା’ଭଡ଼ା ସିଜନ୍‍ ହେଲେ ମାସକୁ ଦୁଇଶ ଟଙ୍କାରୁ ଦୁଇଶ ପଚାଶ ଟଙ୍କାଯାଏ ଆସୁଥିଲା; ଅଥଚ ସେଥିରୁ ସେମାନେ କିଛି ଲାଭ ପାଉନାହାନ୍ତି-। ଓଲଟି ମାସକୁ ମାସ ଦେଣାର କିସ୍ତି ବାବତକୁ ପଚାଶ ଷାଠିଏ ଟଙ୍କା ଦେବାକୁ ପଡ଼ୁଛି ।

 

ସେଠି ଭାବିଲେ, ଚାରିହଜାର ପାଁଶ’ କେତେ ଅବା ଟଙ୍କା; କିନ୍ତୁ ସେ କ’ଣ କରିପାରିବେ-? ଖାଇଲାବେଳେ ଦୁହେଁ ବଲ୍ଲୁର ଖେଳକୁ ସନ୍ତୁଷ୍ଟ ଦୃଷ୍ଟିରେ ଦେଖୁଥାନ୍ତି । ସେଠି ତାକୁ ଆହୁରି ଆହୁରି ଖୁଆଇବାକୁ ଚାହୁଁଥିଲେ; ଆଉ ମିସେସ୍‍ ମଦନ ତାକୁ ବେଶି ନଖୁଆଇବାକୁ ତାଙ୍କୁ ବୁଝାଉଥାଏ । ବଲ୍ଲୁ ସେଠିଙ୍କ ଘଣ୍ଟା ଭାଙ୍ଗି ଦେଲା ବୋଲି ସେ ଦୁଃଖ ପ୍ରକାଶ କଲା । କିନ୍ତୁ ସେଠି ସେକଥା ଶୁଣିବାକୁ ମନାକରିଦେଲେ । ଖାନା ଶେଷ ହୋଇଯାଇଥାଏ । ମିସେସ୍‍ ମଦନ ଉଠି ପଡ଼ି ପୁଣି ଭିତରକୁ ଚାଲିଯିବାକୁ ଚାହିଁଲା; କିନ୍ତୁ ସେଠି ସାହସ କରି ପଚାରିଲେ, ‘‘କ’ଣ ଫେର୍‍ ଶୋଇପଡ଼ିବ ?’’

 

‘‘ନାହିଁ ତ କ’ଣ ଆଉ କରାଯିବ ? କୌଣସିମତେ ବେଳବୁଡ଼ ସୁଦ୍ଧା କ’ଣ...ଆମେ ପହଞ୍ଚିଯାଇ ପାରନ୍ତେ ନାହିଁ ?’’

 

‘‘କୌଣସି ଭରସା ନାହିଁ । ଆପଣ ବ୍ୟସ୍ତ ହେଉଛନ୍ତି କାହିଁକି ? ଆପଣ ସ୍କୁଲକୁ ନଯିବେ ତ ଦିନକ ଦରମା ଦି’ଟା ଟଙ୍କା କଟିଯିବ । ଯଦି ମୋ କାମ ନହେବ ତେବେ ଜାଣନ୍ତି ମୋର କେତେ ଲୋକସାନ ହେବ ? ଷାଠିଏ କି ପଁଷଠି ହଜାର !’’ ମିସେସ୍‍ ମଦନକୁ ବିସ୍ମିତ କରାଇ ସେଠି ହସିପକାଇଲେ ଆଉ କହିଲାଗିଲେ, ‘‘ଆଚ୍ଛା ଆପଣଙ୍କ ଘରକୁ ମହାଜନଠୁ ମୁକୁଳେଇ ଆଣୁନାହାନ୍ତି କାହିଁକି ? ତେବେ ତ ଆପଣଙ୍କର ଚାକିରି କରିବା ଆବଶ୍ୟକତା ରହିବ ନାହିଁ ।’’

 

‘‘କେମିତି ? ଏପର୍ଯ୍ୟନ୍ତ ତ ଆମେ ଏଡ଼େ କଷ୍ଟରେ ମୋଟେ ହଜାରେ ଟଙ୍କା ଶୁଝିପାରିଛୁ-।’’

 

‘‘ସେଥିରେ କ’ଣ ଅଛି ? ଆପଣ ମୁକୁଳେଇ ଆଣନ୍ତୁ । ଟଙ୍କା ହୋଇଯିବ । ମୋର ସୁଧ ଲୋଡ଼ା ନାହିଁ । ଟଙ୍କା ପାଇଁକି ଏମିତିକା କିଛି ମୋର ଚିନ୍ତା ନାହିଁ ।

 

ମିସେସ୍‍ ମଦନର ଆଖି ଜିକିଜିକି ଦିଶିଲା, ମୁହଁ ରଙ୍ଗା ପଡ଼ିଗଲା । ନିଜେ ନିଜକୁ ସମ୍ଭାଳିବା ପାଇଁ ସେ ବଲ୍ଲୁକୁ କୋଡ଼କୁ ଟାଣିନେଲା ଆଉ ତା’ହାତରୁ ଘଣ୍ଟା ଛଡ଼ାଇ କହିଲା, ‘‘ଏହାକୁ ଆପଣ ରଖନ୍ତୁ, ନହେଲେ ଇଏ ୟାକୁ ବି କୁଆଡ଼େ ହଜେଇ ଦେବ ।’’

 

ବଲ୍ଲୁର ପାଟି ବନ୍ଦ କରିବାକୁ ମିସେସ୍‍ ମଦନ ଆଙ୍ଗୁଠି ଟେକି କହିଲା, ‘‘ଚୁପ୍‍ ଚୁପ୍‍, ମାମୁ ମାରିବେ ।’’ ତୁଣ୍ଡରେ ସେହି ଗୋଟିଏ ପଦ କହି ମିସେସ୍‍ ମଦନ ସେଠିଙ୍କ ଉପରେ ନିଜ ଅଧିକାର ପ୍ରକଟ କରିଦେଲା । ଏଥର ସେ ତାଙ୍କ ବାପଘର କଥା ଉପରେ ଶୁଣେଇବା ଆରମ୍ଭ କରିଦେଲା ଆଉ କହିଲା ଯେ ତା’ ନାଁ ଉର୍ମିଳା ।

 

ଏକାଠି ବସୁ ବସୁ ସଞ୍ଜ ବୁଡ଼ିଲା; ପୁଣି ରାତି ହେଲା । ଆକାଶରେ ଜହ୍ନ ଥିଲା । ପାଖରେ ଠିଆ ହୋଇଥିବା ଝାଉଁଗଛର ପତ୍ରସନ୍ଧିରେ ଛାଣି ହୋଇ ଚନ୍ଦ୍ରକିରଣ ସେମାନଙ୍କ ଉପରେ ପଡ଼ୁଥିଲା । ବଲ୍ଲୁ ଭିତରେ ଶୋଇପଡ଼ିଥିଲା । ଉର୍ମିଳା ଭାବୁଥାଏ ଏଭଳି ନିଛାଟିଆ ରାତିରେ ସେ ଦିହେଁ ଏକାଠି ହେବା କଥା ଆଉ ଜହ୍ନର ଏଭଳି ଝଲ୍‍ମଲ୍‍ କରିବା ଆଦୌ ଅସ୍ୱସ୍ତିକର ନୁହେଁ । ଭୟ ଓ ଆତୁରତାର ନିଆଁଝୁଲଗୁଡ଼ାକ ତା’ର ମସ୍ତିଷ୍କ ଓ ଚମଡ଼ା ଉପରେ ବିଞ୍ଚିହୋଇ ଯାଉଥାଏ ।

 

ବାହାରେ ଶୀତ ଆଉ ଶୀତୁଆ ପବନ ।

 

ପଦାରୁ ଚାଲିଆସି ଭିତରେ ରହିବାକୁ କୋଠରି ଥିଲା; କିନ୍ତୁ ଖାନ୍‍ସାମା ନିଜ ବୁଦ୍ଧ ଅନୁସାରେ ଦିଜଣଙ୍କ ଜିନିଷ ଏକ ବୋଲି ଭାବିନେଇ ଯୋଡ଼ିକଯାକ ବିଛଣା ଏକା କୋଠରିରେ ପାରିଦେଇଥାଏ । ସେପରି କର ନାହିଁ ବୋଲି ତାକୁ କେହି କହି ବି ନାହାନ୍ତି । କିନ୍ତୁ ଏକା କୋଠରି ଭିତରେ ପଲଙ୍କରେ ଶୋଇବାକୁ ପଡ଼ିବ, ଏ କଥା ଭାବିଲାବେଳକୁ ମିସେସ୍‍ ମଦନର ଆଖି ବୁଜିହୋଇଯାଉଥାଏ । ସେ ଭାବୁଥାଏ, ‘ଏ କଥା ଅସମ୍ଭବ !’

 

ବହୁତ ରାତି ହୋଇଗଲା । ସେଠି କହିଲେ, ‘‘ମିଛରେ ଥଣ୍ଡାଟାରେ ଆପଣ କଷ୍ଟ ପାଇବେ । ଆପଣ ଯାଇ ଶୋଇପଡ଼ନ୍ତୁ ।’’

 

‘‘ଆଉ ଆପଣ ?’’

 

‘‘ମତେ ନିଦ ମାଡ଼ୁ ନାହିଁ ।’’

 

ମିସେସ୍‍ ମଦନ୍‍ ବୁଝିପାରିଥାଏ ଯେ ସେଠି ପଦାରେ ପଦାରେ ରାତି ଗୋଟାକଯାକ ବିତେଇଦେବେ ଓ ଖାଲି ତା’ସୁବିଧାପାଇଁ । ସତେ, କେଡ଼େ ଭଲ ମଣିଷଟିଏ ?

 

ତା’ନିଜର ବନ୍ଧୁ ବାନ୍ଧବ ସମ୍ପର୍କର ଗୋଟିଏ ଖୁବ୍‍ ପାଠୋଈ ଝିଅର ପ୍ରସଙ୍ଗ ପକାଇ ମିସେସ୍‍ ମଦନ୍‍ କହିଲା, ‘‘ଆପଣ ବିଭାହୋଇ ପଡ଼ନ୍ତୁ।’’

 

ସେଠି କହିଲେ, ‘‘ଯେତେବେଳେ ଆଜିକୁ ଅଠଚାଳିଶି ବର୍ଷ ଏମିତି ବିତିଗଲାଣି ଶେଷଯାକେ ବି ଏମିତି ବିତିଯିବ ଯେ ! ଆଉ ବିଭାଘର କଥାଟା ଗୋଟାଏ ପ୍ରକାରେ ଜୁଆଖେଳରେ ଦାନ ପକାଇଲା ଭଳି । ଗଡ଼ିଲେ ସିଧା ପଡ଼ିପାରେ, ନହେଲେ ଓଲଟା ପଡ଼ିପାରେ-।’’

 

ଭିତରେ ଯାଇ ଶୋଇପଡ଼ିବାକୁ ସେଠି ଉର୍ମିଳାକୁ ଆହୁରି ଥରେ କହିଲେ । ଉର୍ମିଳା କହିଲା ଯେ ତାକୁ ଜହ୍ନ ଆଲୁଅ ଭାରି ଭଲଲାଗୁଛି, ତାକୁ ଥଣ୍ଡା ଧରିବ ନାହିଁ । ଦିହିଁଙ୍କ ଭିତରୁ କେହି ଭିତରକୁ ଗଲେ ନାହିଁ; ଦିହେଁ ବସିରହିଲେ । କେତେବେଳେ ସେଠି କିଛି କହନ୍ତି ଉର୍ମିଳା ଶୁଣୁଥାଏ, କେତେବେଳେ ଉର୍ମିଳା କହୁଥାଏ ଆଉ ସେଠି ଶୁଣୁଥାନ୍ତି ।

 

ନବମୀ ରାତିର ଜହ୍ନ ପାହାଡ଼ ମୁଣ୍ଡ ଉପରେ ଚଢ଼ିଲା । ସମୟ ଜାଣିବାପାଇଁ କୌଣସି ଉପାୟ ନଥିଲା । କିନ୍ତୁ ରାତି ଅଧଠୁଁ ବେଶି ବେଳ ହେଲାଣି । ଦିହେଁ ଶୀତରେ ଥରୁଥାନ୍ତି । ଉର୍ମିଳାକୁ ଏ କଥା ଅସହ୍ୟ ଲାଗୁଥାଏ ଯେ ସେଠି ତାରି ପାଇଁ ଶୀତରେ ଏତେ କଷ୍ଟ ଭୋଗିବେ । ସେ ଭାବୁଥାଏ, ଏଭଳି ବି ତ ହୋଇପାରେ ଯେ ସେଠି ଏଥିସକାଶେ ବେମାର୍‍ ପଡ଼ିଯିବେ । ଉଠିପଡ଼ି ସେ କହିଲା ।

 

‘‘ଚାଲନ୍ତୁ ଭିତରକୁ ଯିବା । ଘରେ କ’ଣ ଭାଇ-ଭଉଣୀ ଏକା ବଖୁରିରେ ଶୁଅନ୍ତି ନାହିଁ ?’’

 

ଦିହେଁ ଭିତରକୁ ଯାଉଥାନ୍ତି ଏତିକିବେଳେ ସେଠି ଉର୍ମିଳାର ପିଠି ଉପରେ ହାତ ଥୋଇଦେଲେ ।

 

ଦିହେଁ ଯାଇ ନିଜ ନିଜ ବିଛଣାରେ କମ୍ବଳ ଘୋଡ଼ିହୋଇ ଶୋଇପଡ଼ିଲେ ।

 

ସକାଳକୁ ସଡ଼କ ଖୋଲିଗଲା, କିନ୍ତୁ ଚାହା ଖାଇସାରି ସେମାନେ ବାହାରିବେ ବୋଲି ଠିକଣା ହେଲା । ସେଠି ପଚାରିଲେ, ‘‘ରାତିରେ ଭଲ ନିଦ ହେଲା ତ ?’’ ଏବଂ ହସିପକେଇଲେ ।

 

ଉର୍ମିଳା ମୁରୁକି ହସି କହିଲା, ‘‘ଆପଣଙ୍କର ତ ନିଶ୍ଚୟ ହୋଇଥିବ ।’’

 

ଦିହେଁ ବୁଝିନେଲେ ଯେ କାହାରିକି ନିଦ ହେଲା ନାହିଁ; କିନ୍ତୁ ରାତିଟା ଅନିଦ୍ରାରେ କଟେଇ ସୁଦ୍ଧା ଦିହିଁଙ୍କ ଦେହ ବହୁତ ଫୁର୍ତ୍ତିଥାଏ ।

 

ସେଠି କହିଲେ, ‘‘ଏ ବଙ୍ଗଳାଟିକୁ ଛାଡ଼ି ଯିବାକୁ ଦେହ ସହୁନାହିଁ ।’’

 

ଉର୍ମିଳା କରୁଣାମୟ ଦୃଷ୍ଟିରେ ସେଠିଙ୍କ ଆଡ଼କୁ ଅନାଇଲା, ଆଉ ଆଖି ନୁଆଇଁ-ଦେଲା; ପାଟି ଫିଟାଇଲା ନାହିଁ । ସେ ସ୍ୱାମୀ ପାଇଥିଲା; କିନ୍ତୁ ଏଭଳି ଉଦାରତା, ସଂଯମ ଓ ଅନୁରାଗ ଦେଖିନଥିଲା । ତା’ର ପ୍ରତି ରୋମ ପାଟିକରି କହିଦେବାକୁ ଲୋଡ଼ୁଥିଲା ‘ତୁମେ ବଡ଼, ତୁମେ ମହତ୍‍’; କିନ୍ତୁ ଜିଭ ଅଟକିଥାଏ । ସ୍ତ୍ରୀ ସବୁବେଳେ ହାରେ । ଯେତେବେଳେ ତା’ଉପରେ ଆକ୍ରମଣ ହୁଏ ସେତେବେଳେ; ଆଉ ଯେତେବେଳେ ତାକୁ ଆଶ୍ରୟ ଦିଆଯାଏ ସେତେବେଳେ ବି ।

 

ବାହାରିବା ଆଗରୁ ସେଠି କହିଲେ, ‘‘ତୁମର ଯଦି ଆପତ୍ତି ନାହିଁ ତେବେ ଏ ବଙ୍ଗଳାରେ ତୁମର ଗୋଟିଏ ଫଟୋ ଉଠାଇ ନିଅନ୍ତି ବୋଲି ମୁଁ ଚାହୁଁଛି ।’’

 

ଆପତ୍ତି ? ଉର୍ମିଳାର ଆଉ କି ଆପତ୍ତି ହୋଇପାରେ ? ସେ ଖାଲି କୃତଜ୍ଞତାରେ ସେଠିଙ୍କ ଆଡ଼କୁ ଅନାଇଁଦେଇ ପୂରିଉଠିଲା । ଉର୍ମିଳା ବେକକୁ ଗୋଟାଏ ପଟକୁ ନୁଆଇଁ ଖମ୍ୱକୁ ଆଉଜି ଠିଆହୋଇ ପଡ଼ିଲା; ଆଉ ସେଠି କେତୋଟି ଫଟୋ ଉଠାଇନେଲେ ।

 

ଦିମାସରେ ଖାଲି ଷାଠିଏଟି ଦିନ ହୁଏ; କିନ୍ତୁ ତାରି ଭିତରେ କେତେ ପରିବର୍ତ୍ତନ ଘଟିଗଲା । ମଦନ୍‍ ମିଲିଟେରି ଏକାଉଣ୍ଟସ୍‍ ଅଫିସରେ ଶହେଟଙ୍କିଆ ଚାକିରିଟି ଛାଡ଼ି ‘ସେଠି ଏଣ୍ଡ୍ କମ୍ପାନୀରେ ଏକାଉଣ୍ଟେଣ୍ଟ୍ ହୋଇଗଲା । ତାକୁ ମାସକୁ ତିନିଶହ ଟଙ୍କା ଦରମା ମିଳିବାକୁ ଲାଗିଲା । ଉର୍ମିଳା ଷାଠିଏ ଟଙ୍କିଆ ମାଷ୍ଟରାଣୀ ହୋଇ ରହିଲା ନାହିଁ । ସେ ତା ଛୋଟିଆ ବଙ୍ଗଳା ଆଗରେ ଖୁବ୍‍ ବଡ଼ ଛତା ପରି ମଣ୍ଡପ ତଳେ ଗୋଲାପୀ ଖରାରେ ବସି ବଲ୍ଲୁପାଇଁ ସ୍ୱେଟର ବୁଣୁଥାଏ ଆଉ ଗୌଣ୍ଡେ ଜିଲ୍ଲାର କାଳୀ ହୋଇ ଆୟାଟିଏ ବଲ୍ଲୁକୁ ସଡ଼କରେ ବୁଲେଇବାକୁ ନେଇ ଯାଉଥାଏ ।

 

ସେଠିଙ୍କର ବାରମ୍ୱାର ଡାଲ୍‍ହାଉସୀ ଆସିବା ଦରକାର ହୁଏ; କାରଣ ସୈନ୍ୟଙ୍କ ପାଇଁ ବାରାକ୍‍ ଘର ତୋଳିବା ଠିକା ସେ ନେଇଥାନ୍ତି । ଉର୍ମିଳାର ମନରେ କ୍ଷୋଭ ଥାଏ ଯେ ସେଠି ତାର ସମ୍ପର୍କୀୟା ଭଉଣୀକୁ ବିଭା ହେବାକୁ କାହିଁକି ମଙ୍ଗୁନାହାନ୍ତି । ଉର୍ମିଳା ସବୁ ବୁଝି ସୁଦ୍ଧା ସ୍ୱୀକାର କରିବାକୁ ଚାହୁଁ ନଥାଏ । ଗତଥର ସେଠି ସ୍ପଷ୍ଟ କହିଦେଲେ, ‘‘ପେଟ ଭର୍ତ୍ତିକରି ଲାଭ ଚୋବେଇବାଠୁଁ କମଳାଲେମ୍ୱୁର ଅନ୍ତତଃ ବାସ୍ନା ପାଇବା ଭଲ ।’’ ସ୍ୱେଟର ବୁଣୁ ବୁଣୁ ତାକୁ ଲାଗିଲା ଯେ ସେ ନିଜେ କମଳାଲେମ୍ବୁ । ଗୋଟି ଗୋଟି କରି ସେଠିଙ୍କ ବ୍ୟବହାର ତା ଆଖି ଆଗରେ ନାଚିଗଲା । ସେଠିଙ୍କୁ ତାଙ୍କ ନିଜ ବାଳ ଭିତରେ ଆଙ୍ଗୁଠି ଖେଳେଇବା ଭାରି ଭଲଲାଗେ । କିନ୍ତୁ ନ କହି ସେ ଖାଲି ତାକୁ ନିଜ ଆଗରେ ବସାଇ ରଖିବାକୁ ଖୋଜନ୍ତି । ସେଠି ଯଦି ଲୁଗା ଆଣି ତାକୁ ଦିଅନ୍ତି, ତେବେ ତାକୁ ତାଙ୍କରି ଆଗରେ ପିନ୍ଧିବା ଦରକାର । ସେଠିଙ୍କର କୌଣସି କଥାକୁ ଅସ୍ୱୀକାର କରିବା ତା’ପକ୍ଷରେ ଅସମ୍ଭବ । ଯେତେବେଳେ ସେଠି ଚାହିଁବେ, ସେତେବେଳେ ହାତ ନଥିବା ପିଠି ପଟ ନଥିବା ବ୍ଲାଉଜ୍‍ ତାକୁ ପିନ୍ଧିବାକୁ ପଡ଼ିବ ।

 

ନିଃସନ୍ଦେହରେ ଉର୍ମିଳା ବି ସେ ସବୁ ପିନ୍ଧିବ । ସେହିଭଳି ଚଳିବା ଭାରି ସନ୍ତୋଷ ଲାଗେ ଯାହା ସେଠିଙ୍କର ଇଚ୍ଛା । କିନ୍ତୁ ତା’ ନିଜର ଅସ୍ତିତ୍ୱ, ନିଜର ବ୍ୟକ୍ତିତ୍ୱ କୁଆଡ଼େ ରହିଗଲା ?

 

ଆଉ ପୁଣି ଗତ ବୁଧବାର ରାତିରେ ଯେତେବେଳେ ସେଠି ଅଧରାତିଯାକେ ବଙ୍ଗଳାରେ ହିଁ ଥିଲେ, ସେତେବେଳେ ସେ କି କଥା କହିଲେ ? ସେ ତା’ ଦେହରେ ହାତ ଦେଲେ ନାହିଁ, ଛୁଇଁଲେ ନାହିଁ, ଦୂରରେ ବସିରହିଲେ । କିନ୍ତୁ ପୁଣି ଶେଷରେ ସେ କ’ଣ ରହିଯାନ୍ତେ ? ସେ କହିଲେ...

 

‘‘ମୁଁ ତୁମକୁ ପ୍ରେମ କରୁଛି । ପ୍ରେମର କୌଣସି ଉଦ୍ଦେଶ୍ୟ ନାହିଁ । ତୁମେ ମତେ ଲାଗୁଚ ମୋ ହୃଦୟର ଆକାଂକ୍ଷା ପରି । ତୁମକୁ ଦେଖିବାକୁ ଚାହେଁ । ନିଜର ବୋଲି ମଣିପାରିବି କି ?’’

 

ଉର୍ମିଳାଦ୍ୱାରା ତା’ ହୋଇପାରିଲା ନାହିଁ । ସେ କାନ୍ଦିବାକୁ ଲାଗିଲା । ସେତେବେଳେ ‘‘ମତେ କ୍ଷମାକର’’ ବୋଲି କହିଦେଇ ତୁନି ହୋଇ ଚାଲିଗଲା ।

 

ଆଜି ସିଲେଇର ବୁଣା ଉପରେ ଦୃଷ୍ଟି ବୁଲାଉ ବୁଲାଉ ବିଜୁଳି ଆଲୁଅର ଉଜ୍ଜ୍ୱଳ ଆଲୁଅରେ ସେ ରାତିର ସବୁ ଦୃଶ୍ୟ ତା’ ଆଖି ଆଗକୁ ଲେଉଟିଆସିଲା । କିନ୍ତୁ ରାତିରେ ସେ କ’ଣ ଠିକଣା କଲା ? ଯେଉଁ ଲୋକ ପ୍ରତ୍ୟୁପକାର ନଖୋଜି ନିଜ ଜୀବନଯାକର ପରିଶ୍ରମର ସବୁ ଅର୍ଜନ ତାକୁ ଭେଟିଦେଇଗଲା, ନିଜ ପାଇଁ କେବେ କିଛି ଖୋଜିଲା ନାହିଁ, ତେ କଥା ଯାହା ପାରି ତା’ହୋଇଥାଉ...ତାକୁ ନିରାଶ କରିବା....

 

ସେଠି ଏକଥା କହିଦେଇଥିଲେ ସେ ନିଜର ସଂପୂର୍ଣ୍ଣ ସମ୍ପତ୍ତି ବଲ୍ଲୁକୁ ଦେଇଦେବେ; କିନ୍ତୁ ସେ ସମ୍ପତ୍ତିରେ ବଲ୍ଲୁର କେହି ଅଂଶୀଦାର ରହିବା ହେବ ନାହିଁ । ସ୍ପଷ୍ଟ ଶବ୍ଦରେ ତାର ଅର୍ଥ ଥିଲା ଉର୍ମିଳାର ଗର୍ଭରେ ତାଲା ପକାଇ ସେଠି ତା’ଉପରେ ନିଜ ଅଧିକାର ଜାରିକଲେ, ସେ ତାକୁ ଛୁଅନ୍ତୁ କି ନଛୁଅଁନ୍ତୁ, ବଲ୍ଲୁ ବି ତାଙ୍କରି, ମଦନ ବି ତାଙ୍କରି; ସମସ୍ତଙ୍କଠୁଁ ଆଗ ଉର୍ମିଳା ତାଙ୍କରି ।

 

ସେଠି କେଡ଼େ ସଂଯମୀ, କେଡ଼େ ଉଦାର, କେଡ଼େ ବିଶାଳ-ହୃଦୟ ? ସବୁଯାକ ସେ କିପରି ଦେଇଦେଲେ ? ଉର୍ମିଳା ତ କିଛି ହେଲେ ସେଠିଙ୍କୁ ଦେଇନାହିଁ ? ଦେବାକୁ ସୁଯୋଗ ବି ଆସିଲା ନାହିଁ । ସେଠି ଯେତେବେଳେ ସ୍ୱପ୍ନରେ ହିଁ ସବୁ ଜିନିଷ ଅଧିକାର କଲେ; ଆଉ କେଡ଼େ ସରଳତା ସହକାରେ ? ସତେ ଅବା ସବୁ ପଦାର୍ଥର ଗୋଟାଏ ଚାବି ଥିଲା, ତାକୁ ଉଠେଇ ନେଇ ସେ ନିଜ ପକେଟ୍‍ ରେ ପୂରାଇଦେଲେ । ସେ ଜାଲରୁ ମୁକୁଳି ପଦାକୁ ବାହାରିବାକୁ କୌଣସି ରାସ୍ତା ଉର୍ମିଳା ପାଇଁ, କି ବଲ୍ଲୁ ପାଇଁ, କି ମଦନ ପାଇଁ ରହିଲା ନାହିଁ । ସତେ ଅବା ସେମାନେ ସମସ୍ତେ ବିଦା ହୋଇଗଲେ ।

 

ଆଉ ପୁଣି ଯଦି ସେଠି କାଲି ଆସିବେ ଆଉ ଉଦାସ ମୁହଁରେ ତାଙ୍କର ସେହି କଥା ଆଉ ଥରେ କହିବେ ? ଗୋଟାଏ ଅଡ଼ି ବସି କହିବେ-‘ତମୁକୁ ମୁଁ ଚାହେଁ ।’

 

ତେବେ କ’ଣ ସେ ଏବେ ବି ନାହିଁକରିପାରିବ ?

 

କ୍ଷଣକ ପାଇଁ ‘ନା’ ବୋଲି କହି ସେ ଅପରାଧିନୀ ପରି ପଶ୍ଚାତ୍ତାପ କଲା ।

 

ଉର୍ମିଳା ଭାବିଲା, ସେଥିରେ କ’ଣ ଅଛି ? ପୁଣି ସେ ଥରେ ନାହିଁ କରିବାକୁ ଚାହୁଁଥିଲା-କିନ୍ତୁ ନାହିଁ କରିବାକୁ ଅଧିକାର ଥିଲା ତା’ର? ସେହି ଅଧିକାର ଯାହା ସମସ୍ତଙ୍କର ଥାଏ-ତା’ର ନଥିଲା, ତା ନିଜ ଆତ୍ମାର ବି ନଥିଲା । ବେଶ୍ୟାମାନଙ୍କ ଜୀବନ ଆଉ କେମିତିକା ? ଉର୍ମିଳାର ଆଖିରୁ ଥପ ଥପ ହୋଇ ଲୁହ ନିଗିଡ଼ିପଡ଼ିଲା ।

 

ପୁଣି ମନେପଡ଼ିଲା, ଦିମାସ ତଳେ ଯେତେବେଳେ ଖାଲି ସାନ ସାନ ଯୋଡ଼ିଏ ବଖରା ଥିଲା, ଉର୍ମିଳା କ୍ଳାନ୍ତ ହୋଇ ସ୍କୁଲ୍‍ରୁ ଫେରେ ଆଉ ପିଲାକୁ କୋଡ଼ରେ ପୂରାଇ ମୂର୍ଖ ଚାକର ସାଙ୍ଗରେ ମୁଣ୍ଡ ଖର୍ଚ୍ଚ କରେ । ଅନେକ ଆବଶ୍ୟକତା ପୂରଣ ହୋଇ ପାରୁନଥିଲା । ନିଜେ ନିଜ ଇଚ୍ଛାରେ ସେ ଯାହା ଚାହୁଁଥିଲା ତା’କରି ପାରୁଥିଲା । ସିଗାରେଟ୍‍ କମ୍ପାନୀବାଲା ସେ ହସହସ-ମୁହଁ ବାବୁଟି କେଡ଼େ ଭଲ ଲୋକଟିଏ ଥିଲା ? କିନ୍ତୁ ସେ ସବୁବେଳେ ତାକୁ ମନାକରିଦେଇଛି । ନିଜର ଗର୍ବ କେବେ ଛାଡ଼ିନାହିଁ ।

 

ପୁଣି ମନେପଡ଼ିଗଲା–ହୋଇପାରେ, ଆଜି ସେଠି ଆସିବେ । ସେ ଲୁହଭରା ଆଖି ଟେକି ଫାଟକ ଆଡ଼କୁ ଅନାଇଁଲା । ସେଥିରେ ଆତୁରତା ନୁହେଁ, କାତରତା ଥିଲା ।

Image

 

ଗଦଲ

(ରାଙ୍ଗେୟ ରାଘବ)

 

ବାହାରେ ଭାରି ପାଟିତୁଣ୍ଡ ଶୁଭିଲା । ଡୋଡ଼ୀ ଡାକପକାଇଲା, ‘‘କିଏସେ ?’’ କେହି ଜବାବ୍‍ ଦେଲେ ନାହିଁ । ଶୁଭିଲା, ‘‘ଅଲକ୍ଷଣି ! ତତେ ହାଣି ଦି’ଗଡ଼ କରି ଦେବି ।’’

 

ଜଣେ ସ୍ତ୍ରୀଲୋକର ପାଟି ଶୁଭିଲା, ‘‘ଏଡ଼େ ବହପ ! ମାଇଲୁ ! ମାଇଲୁ ! ଆରେ, ଡାହାଣୀ ହେଇ ତୋ ପିଲା କୁଟୁମ୍ୱଙ୍କୁ ଖାଇଦେବି ରେ । ଆଣ୍ଠୁକୁଡ଼ା, କ’ଣ କରି ପାଇଲୁ କି ?’’

 

ଡୋଡ଼ୀ ଆଉ ବସି ରହିପାରିଲାନି । ସେ ବାହାରକୁ ଆସିଲା । ବେଶ୍‍ ପାଟି କରି ଡୋଡ଼ୀ କହିଲା, ‘‘କ’ଣ କରୁଚୁ, କ’ଣ କରୁଚୁ ତୁ, ନିହାଲ୍‍ ! ଯାହାହେଉ ପଛେ ସିଏ ପରା ତୋ ମା’-?’’

 

‘‘ମା ହେଇଚି !’’ -କହି ନିହାଲ ଘୂରିଗଲା ।

 

‘‘ଆରେ ତୁ ହାତ ଉଠେଇ ଦେଖ୍‍ ।’’ -ସ୍ତ୍ରୀଲୋକଟା କହୁଥାଏ, ‘‘ରଇଜଳା, ତୋ ଡିହରେ ବିଲୁଆ ଯଦି ନହଗିଚନ୍ତି ମତେ କହିବୁ-ଜାଣିଥା । ପ୍ରାଣ ରଖିବୁ ନାଇଁ ? ହଉ, ଆରେ ମୁଁ ତୋ ପୋଇଲୀ ନୁହେଁ ରେ ।’’

 

‘‘ଭାଉଜ !’’ ଡୋଡ଼ୀ କହିଲା, ‘‘କ’ଣ ଗୁଡ଼ାଏ ବକୁଚୁ ? ମଗଜ ଠିକ୍‍ ଅଛି କି ନାହିଁ ।’’ ସେ ପାଖକୁ ଗଲା । ସେ ବୁଲିପଡ଼ି କହିଲା, ‘‘ଯିବଟି ସମସ୍ତେ । ତେମେ ସମସ୍ତେ ଏଠୁ ପଳାଅ ।’’

 

ନିହାଲ ହଟିଗଲା । ତା’ସଙ୍ଗେ ସଙ୍ଗେ ଆଉ ସମସ୍ତେ ବି ଏଣେତେଣେ ଚାଲିଗଲେ ।

 

ଡୋଡ଼ୀ ନିସ୍ତବ୍‍ଧ ହୋଇ ପିଣ୍ଡାଖୁଣ୍ଟକୁ ଧରି ଛାତତଳେ ଠିଆହୋଇ ରହିଲା । ସେଇଠି ସ୍ତ୍ରୀଲୋକଟି ଅଜାଡ଼ି ହେଲା ପରି ବସିଥାଏ, ତା ଆଖି ନିଆଁ ପରି ଜଳୁଥାଏ । ସେ କହିଲା, ‘‘ମୁଁ ଜାଣିଚି ନିହାଲର ଏଡ଼େ ସାହସ ହୁଅନ୍ତା ନାହିଁ । ଏସବୁ ତୁଇ କରିଚୁ ।’’

 

‘‘ହଁ ଗଦଲ’’ ଡୋଡ଼ୀ ଧୀରେ କହିଲା, ‘‘ମୁଁ କରିଛି ସତ ।’’

 

ଗଦଲ ସଙ୍କୁଚିତ ହୋଇଗଲା । କହିଲା, ‘‘କାହିଁକି ? ତୋର କି ଦରକାର ଥିଲା ?’’ ଡୋଡ଼ୀ କହିପାରିଲା ନାହିଁ । ତା ତାଳୁରୁ ତଳିପାଯାକେ ଝଣ୍‍ଝଣେଇ ଉଠିଲା । ଖାରୀ ଗୁଜର୍‍ ଜାତିର ଲୋକ ସେ, ବୟସ ପଚାଶ । ତା’ ନିଶ ଅଧା-ଅଧା ପାଚିଥାଏ । ଡେଙ୍ଗା ଲୋକ, ମୁଣ୍ଡ ସତେକି ଚାଳକୁ ଲାଗିଛି । ତା’ କାନ୍ଧ ଆଉ ମୁହଁର ଓସାର ହାଡ଼ ଉପରେ ଦୀପର ହାଲୁକା ଆଲୁଅ ପଡ଼ିଥାଏ, ଦେହରେ ମୋଟା ଫରୁଆଟାଏ ଗଳେଇଥାଏ । ତା’ ଲୁଗା ଆଣ୍ଠୁ ତଳକୁ ପଡ଼ିବା ଆଗରୁ କୁଞ୍ଚ ହୋଇ ଟାଣ କରି ଉପରୁ ଆଡ଼କୁ ଉଠାଯାଇଥାଏ । ତା’ ହାତ ଦିଟା ଟାଣ ଟାଣ । ସେତେବେଳେ ସେ ନିସ୍ତବ୍‍ଧ ହୋଇ ଠିଆହୋଇଥାଏ ।

 

ସ୍ତ୍ରୀଲୋକଟି ଉଠିପଡ଼ିଲା । ତା’ବୟସ ପ୍ରାୟ ପଇଁଚାଳିଶ ହେବ । ତା’ରଙ୍ଗ ଗୋରା ହେଲେ ବି ଜୀବନର ସାୟଂକାଳରେ ପହଞ୍ଚିଥିବାରୁ ଟିକିଏ ମଇଳା ଦିଶୁଥାଏ । ତାକୁ ଦେଖିଲେ ଲାଗୁଥାଏ ଯେ ସେ ଭାରି କାମିକା, ଜୀବନଯାକ କଠିନ ପରିଶ୍ରମ କରିଥିବାରୁ ତା’ ଦେହର ଗଢ଼ଣରେ ଓ ଚେହେରାରେ ବି ଏପର୍ଯ୍ୟନ୍ତ ସେ ଫୁର୍ତ୍ତି ରହିଥାଏ ।

 

ଡୋଡ଼ୀ ପଚାରିଲା, ‘‘ମତେ ଦେଖି ଲାଜ ମାଡ଼ୁନାହିଁ ଗଦଲ ?’’

 

‘‘କ’ଣ କହିଲୁ ? ଲାଜ ମାଡ଼ିବ କାହିଁକି ?’’ ଗଦଲ ପଚାରିଲା ।

 

ଡୋଡ଼ୀ କ୍ଷଣକ ପାଇଁ ଅଡ଼ୁଆରେ ପଡ଼ିଲା । ଭିତରପଟୁ ଆଟୁ ଉପରୁ ପାଟି ଶୁଭିଲା, ‘‘ତାକୁ କାହିଁକି ଲାଜ ମାଡ଼ିବ ବା ? ଯାହା ମୁହଁରେ ଲାଜପାଣି ପଡ଼ିଥିବ ତାକୁ ସିନା ଲାଜ ମାଡ଼େ ?’’

 

‘‘ନିହାଲ !’’ ଡୋଡ଼ୀ ପାଟିକଲା, ‘‘ତୁ ତୁନିହ ।’’

 

ପୁଣି ପାଟି ବନ୍ଦହୋଇଗଲା ।

 

ଗଦଲ ପଚାରିଲା, ‘‘ତୁ ମତେ କାହିଁକି ଡକେଇପଠେଇଲୁ ?’’

 

ଡୋଡ଼ୀ ସେ କଥାର ଉତ୍ତର ଦେଲା ନାହିଁ; ପଚାରିଲା, ‘‘ଖାଇଚୁ ?’’

 

‘‘ନା’’, ଗଦଲ କହିଲା, ‘‘କେତେବେଳେ ଖାଇଥାନ୍ତି ଯେ ! ମୁହଁପୋଡ଼ାକୁ ବାଟରେ ଦେଖିଲି ପରା । ଖେତକୁ ଯାଇ ଫେରିଆସୁଥିଲି । ବାଟରେ ଅଟକେଇଲା । କଣ୍ଟାଝଣ୍ଟା ଆଣିବାକୁ ଯାଉଥିଲି ।’’

 

ଡୋଡ଼ୀ ଡାକପକେଇଲା, ‘‘ଆରେ ନିହାଲ, ବୋହୂକୁ କହ, ତା ଶାଶୁକୁ ଖାଇବାକୁ ଦେଇଯାଉ ।’’

 

ଭିତରୁ ଗୋଟିଏ ସ୍ତ୍ରୀଲୋକର ରୁଢ଼ ସ୍ୱର ଶୁଭିଲା, ‘‘ୟେ କମ୍‍ହାରଘର ବୋହୂ ଆସିଛନ୍ତି ପରା ! ଆମ ଗରିବ ଖାରୀ ଜାତି ଲୋକଙ୍କ ରୁଟି କ’ଣ ୟା’ଙ୍କୁ ରୁଚିବ ?’’

 

କେତେଜଣ ସ୍ତ୍ରୀଲୋକ ହୋହୋ ହୋଇ ହସିଲେ । ନିହାଲ ପାଟିକଲା, ‘‘ଶୁଣିଲୁ ଲୋ ଗୋସାଉଣୀ, ଦୁନିଆହସା କଥା ତୁ କରୁଚୁ । ଖାରୀକୁଳର ମୁହଁରେ ତୁ ତ କାଳି ବୋଳିଦେଲୁ ଲୋ-!’’

 

ଗୁନ୍ନା ମଲାବେଳକୁ ତାକୁ ପଞ୍ଚାବନ ବର୍ଷ ହୋଇଥିଲା । ଗଦଲ ବିଧବା ହେଲା । ଗଦଲର ବଡ଼ପୁଅ ନିହାଲକୁ ସେତେବେଳେ ତିରିଶ ପାଖାପାଖି । ତା’ଭାରିଯା ଦୁଲୋର ବଡ଼ପୁଅକୁ ସାତ, ଆଉ ଗୋଟିକୁ ଚାରି, ତୃତୀୟଟି ସବାସାନ ମା’ କୋଡ଼ରେ ଥାଏ । ନିହାଲଠୁଁ ସାନ ତଳଉପର ଦିଭଉଣୀ ଚମ୍ପା ଆଉ ଚାମେଲୀ, ତାଙ୍କର ଯଥାକ୍ରମେ ଭାଜ୍‍ ଓ ବିମ୍ୱାରା ଗାଁରେ ବାହାଘର ହୋଇଯାଇଥାଏ ।

 

ଗଦଲର ସବା ସାନପୁଅ ନାରଣକୁ ବାଇଶି ବର୍ଷ ହୋଇଥାଏ, ତା ଭାରିଯାର ଆଉ ଗୋଟିଏ ଛୁଆ ହେବାର ଥାଏ । ଏମିତିଆ ସେ ଗଦଲ ଯେ ଏଡ଼େ ବଡ଼ ପରିବାର ଛାଡ଼ି ଦେଇ ଚାଲିଯାଇଥିଲା ଏବଂ ବତିଶି ବର୍ଷର ଗୋଟାଏ କମ୍‍ହାର ଗୁଜର ଘରେ ଜୁଟିଯାଇଥିଲା ।

 

ଡୋଡ଼ୀ ଥିଲା ଗୁନ୍ନାର ମା’ପେଟର ଭାଇ । ତା’ର ଭାରିଯା ଥିଲା, ପିଲା ବି ଥିଲେ । ସମସ୍ତେ ମରିଗଲେ । ସେ ନିଜ ସ୍ଥାନରେ ଏକୁଟିଆ ପଡ଼ିଗଲା । ଗୁନ୍ନା ତାକୁ ବହୁତ ବଳାଇ ବଳାଇ କହିଲା, ତଥାପି ସେ ସେମିତି ଏକୁଟିଆଟି ରହିଗଲା । ସେ ବାହା ହେଲାନାହିଁ । ଗଦଲର ରୋଷେଇରେ ଖାଉଥାଏ । ସେ ଅର୍ଜନ କରି ଯାହା ଆଣେ ତାକୁ ହିଁ ଦେଇଦିଏ, ତାହାରି ଛୁଆକୁ ନିଜର ବୋଲି ଆଦରିଥାଏ । କେବେ ତାଙ୍କୁ ପର ବୋଲି ଭାବେ ନାହିଁ । ନିହାଲ ତ ଦାଦି ପାଇଁ ଜୀବନ ଦେଇଦେବ । ଖାରୀ-ଗୁଜର ଜାତିର ଲୋକେ ନିଜକୁ କମ୍‍ହାରଜାତି ଲୋକଙ୍କଠୁଁ ବଡ଼ ଜାତି ବୋଲି ଭାବନ୍ତି ।

 

ଗଦଲ ଯାହା ଘରକୁ ଚାଲିଯାଇଥିଲା ତା ଘରେ କୁଟୁମ୍ୱ ଭର୍ତ୍ତି । ସେ ଗଦଲର ବୟସ ଆଡ଼କୁ ଅନାଇଁଲା ନାହିଁ, ଦେଖିଲା ଖାରୀ ଘର ମାଇକିନିଆ, ପଡ଼ିରହିଥିବ । ତାର ଚୁଲି ଫୁଙ୍କିବାକୁ ମାଇକିନିଆଟିଏ ବି ଦରକାର ଥିଲା ।

 

ଆଜି ଗଦଲ ସକାଳେ ଚାଲିଯାଇଥିଲା ଆଉ ଉପରଓଳି ତା ପୁଅ ତାକୁ ବାନ୍ଧି ଆଣିଥିଲା-। ତା ନୂଆ ବର ମୌନୀକୁ ଏତେବେଳଯାଏ ଏ କଥା ଜଣା ବି ପଡ଼ି ନଥିବ । ମୌନୀର ଭାରିଯା ମରିଥିଲା । ତା’ ଭାଉଜ ଯେ ଗୋଡ଼ ଲମ୍ୱେଇ ଦେଇ ଆଖି ଠାରି-ଠାରି ବସି ଦହି ଗୋଳାଏ, ସେ ଦୁଲୋ । ଶୁଣିଲେ ସେ କ’ଣ କହିବ ?

 

ଗଦଲର ମନ ବିକାରରେ ପୂରିଗଲା ।

 

 

ରାତି ଅଧ ହୋଇଯାଉଥାଏ । ଗଦଲ ସେଇଠି ପଡ଼ିଥାଏ । ଡୋଡ଼ୀ ସେଠି ବସି ଚିଲମ୍‍ ଟାଣୁଥାଏ । ସେହି ଶୂନ୍‍ଶାନ୍‍ ଭିତରେ ଡୋଡ଼ୀ ଧୀରେ କହିଲା, ‘‘ଗଦଲ !’’

 

ଗଦଲ ଆସ୍ତେ କହିଲା, ‘‘କ’ଣ ?’’

 

‘‘ତୁ ଚାଲିଗଲୁ, ନାଇଁ ?’’

 

ଗଦଲ କିଛି କହିଲା ନାହିଁ ।

 

ଡୋଡ଼ୀ ପୁଣି କହିଲା, ‘‘ସମସ୍ତେ ଚାଲିଯାଉଛନ୍ତି । ଦିନେ ତୋ ଯା’ ଗଲା, ପୁଣି ଗୋଟି ଗୋଟି ହୋଇ ତୋ ପୁତୁରାଟିମାନେ ବି ଚାଲିଗଲେ । ଭାଇ ବି ଚାଲିଗଲା । କିନ୍ତୁ ତୁ ଯେମିତି ଗଲୁ ସେମିତି ତ କେହି ଯାଇନାହାନ୍ତି ! ଦୁନିଆଁ ହସୁଛି, ଜାଣୁଛୁଟି ?’’

 

ଗଦଲ ବିଡ଼ିବିଡ଼ି ହେଲା । ‘‘ଦୁନିଆଁ ହସିବାକୁ ମୁଁ ଡରୁନାହିଁ ରେ ଦିଅର ! ଯେତେବେଳେ ଚଉଦ ବରଷର ହୋଇଥିଲି ସେତେବେଳେ ତୋ ଭାଇ ମତେ ଦେଖିବାକୁ ଆମ ଗାଁକୁ ଯାଇଥିଲା । ତେଲ ପିଇ ପାଚିଥିବା ଠେଙ୍ଗା ଧରି ତୁ ସଙ୍ଗରେ ମତେ ନେବାକୁ ଆସିଥିଲୁଟି ସେତେବେଳେ ? ସେତେବେଳେ ତୋ ସଙ୍ଗରେ ମୁଁ ଆସିଲି କି ନାହିଁ ? ତୁ ଭାବୁଥିବୁ, ଗଦଲର ତ ବୟସ ଗଲାଣି, ଅଇଛା ତା’ଉପରେ କୋପ କରିବା କି ଦରକାର । ହେଲେ କାହିଁକି ଗଲି ତୁ ଜାଣିଛୁ ନା ? ତୁ ତ ଏଇଆ ଭାବୁଥିବୁ ଯେ ଗଦଲ ତ ଗଲା, ଅଇଛା ମଜାରେ ରୁଟି ମିଳିବା ଆନନ୍ଦ ଆଉ ରହିଲା ନାହିଁ-। ବୋହୂଗୁଡ଼ାକ ତୋ ଚାକିରି କରିବେ ନାହିଁ ରେ ଦିଅର ! ତୁ ତୋ ଭାଇ ଆଡ଼କୁ ମୋ ଆଡ଼କୁ ଆଉଜିଥିଲୁ ତ ମୁଁ ବି ତତେ ଆପଣାର ବୋଲି ଭାବିଥିଲି । କହ, ମିଛ କହୁଚି ?’’

 

‘‘ନାଇଁ ଗଦଲ ! ମିଛ ବୋଲି କେବେ କହିଥିଲି ?’’

 

‘‘ହେଲେ ଏଇଆ କଥା ରେ ଦିଅର ! ଏଠି ଅଇଛା ମୋର କିଏ ଅଛି ? ମୋ ମରଦ ତ ମଲା । ସେ ବଞ୍ଚିଥିଲାବେଳେ ମୁଁ ତା’ପାଖରେ ଖଟୁଥିଲି । ତାରି ଯୋଗରୁ ତାର ସବୁ ଆପଣା ଲୋକଙ୍କ ଚାକିରି ଖଟିଲି । ତେବେ ଯେତେବେଳେ ମାଲିକ ବି ନରହିଲା କି କାରଣରୁ ମୁଁ ଏତେ ମଳମଳି ସହିବିରେ ? ଏଗୁଡ଼ାକପୁଅ, ଏଗୁଡ଼ାକବୋହୂ, ମୁଁ ତାଙ୍କ ଚାକିରି ନକରେ ।’’

 

‘‘ହଇଲୋ ବାୟାଣୀ, ଏସବୁ କ’ଣ ତୋ’ରି ନୁହନ୍ତି ? ବିଲେଇଟିଏ ହେଲେ ସେ ଆପଣା ଛୁଆଙ୍କୁ ନେଇ ସାତ ଘର ଏପଟ ସେପଟ କରୁଥାଏ, ଆଉ ତୁ ତ ମଣିଷ ! ତୋ ମାୟା-ମମତା କୁଆଡ଼େ ଗଲାଲୋ ?’’

 

‘‘ଦିଅର, ତୁ ଯେ ଆଉ ବାହା ହେଲୁନାହିଁ, ତୋ ମାୟା-ମମତା କୁଆଡ଼େ ଚାଲି ଯାଇଥିଲା ?’’

 

‘‘ମତେ ତୋରି ଭରସା ଥିଲା ଗଦଲ !’’

 

‘‘ଛେରୁ କାହିଁକା । ତୋ ଭାଇ ମଲା, ପିଲାଏ ତାଙ୍କ ଶୁଦ୍ଧିକାମ କଲେ, ଆଉ ସେଇଠୁ ସବୁ ଯେମିତି ସଇଲା ତୁ ମତେ ରଖି ଘର କରିପାରିଲୁ ନାହିଁ । ପେଟ ପାଇଁ ତୁ ମତେ ପରଘର ଦୁଆରମୁହଁ ମଡ଼େଇଲୁ । ଚୁଲି ସେତେବେଳଯାକେ ଫୁଙ୍କୁଥାନ୍ତି ଯେତେବେଳଯାକେ ମୋ ନିଜର ବୋଲି କେହି ଥାଆନ୍ତେ । ମୁଁ ଏମିତିଆ କାହା ପୋଇଲୀ ନୁହେଁ ଯେ କାମ କରି କରି ମୋ ନାକ ତଳେ ଘୁଷୁରିବ; ଅନ୍ୟମାନେ ବସି ଝୁଣ୍ଟିଆ ଝମର ଝମର କରୁଥିବେ । ମୁଁ ତ ଯାଇ ସେତିକିବେଳେ ପେଟକୁ ଖାଇବି ଯେତେବେଳେ ମୁଁ ପେଟ ପାଇଁ ଖଟି ମୂଲ ରୋଜଗାର କରିବି । ବୁଝିଲୁଟି ଦିଅର, ତୁ ତ ସେତେବେଳେ ପଦେ କହିଲୁ ନାହିଁ, ଯୋଉଠୁ ବଉଁଶଯାକଙ୍କ ମୁହଁରେ କାଳି ବୋଳି ହେଲା ସେଉଠୁ ତୁ ହେଜିହେଲୁ । ସେତେବେଳେ ଆଉ ହେଜିପାରିଲୁ ନାହିଁ, ଯେତେବେଳେ ବୋହୂଗୁଡ଼ାକ ତୋ ଗଦଲର ଆଖିରୁ ପାଣି ବାହାର କରି ଦଉଥିଲେ । ହଇରେ, କିଏ କାହାକୁ ଖାତିରି କରିଚି ବା-?’’

 

‘‘ଗଦଲ !’’ ଡୋଡ଼ୀ ନିର୍ଜୀବ ସ୍ୱରରେ କହିଲା, ‘‘ମତେ ଡର ମାଡ଼ୁଥିଲା ଲୋ ।’’

 

‘‘କି ଡର ବା ?’’

 

‘‘ଗଦଲ, ମୁଁ ବୁଢ଼ା ହେଲିଣି । ଦୁନିଆଁ ହସିବ ବୋଲି ଡରୁଥିଲି । ପିଲାଏ ଭାବନ୍ତେ ବୋଧହୁଏ ବୋଉ ପ୍ରତି ଦାଦିର ଆଗରୁ ସୋହାଗ ଥିଲା; ସେଇଥିପାଇଁ ପରା ଦାଦି ଆଉ ଥରେ ବାହା ହବାକୁ ମନାକରିଦେଲା ! ଗଦଲ, ତା’ହୋଇଥିଲେ ଭାଇର ବି ବଦ୍‍ନାମ ରଟିଥାନ୍ତା ତ !’’

 

‘‘ଆରେ ଥାଉ ଥାଉ ବା’’-ଗଦଲ ଉତ୍ତର ଦେଲା, ‘‘ଭାଇକି ଭାରି ମନେ ରଖିଥିଲୁ ପରା ତୁ ! ତା ଶୁଦ୍ଧି ବେଳକୁ ତୁ ନଥିଲୁ କି ? ମୋ ଶଶୁର ମଲେ, ସେତେବେଳେ ତୋ ଭାଇ ଭାଇବନ୍ଧୁଙ୍କୁ ଭୋଜି ଖୁଆଇ ସାରି ସେଇଠୁ ଯାଇ ତା ଓଠରେ ପାଣି ଟୋପାଏ ହେଲେ ଲଗାଇଥିଲାଟି । ଆଉ ତମେ ସବୁ ତା ଶୁଦ୍ଧି ବେଳକୁ କେଇଟା ମଣିଷଙ୍କୁ ଡାକିଲରେ ? ତୁ ପରା ତା ଭାଇ, ପୁଣି ତା’ର ଦି’ଦିଟା ପୁଅ । ଭାଇ ଯେମିତି, ପୁଅ ଦିହେଁ ବି ସେମିତି । ସମୁଦାୟ ପଚିଶି ଜଣଙ୍କୁ ପରା ଖାଇବାକୁ ଡାକିଲ ? କାହିଁକି ବା ? କହିଲା କ’ଣ ନା ଲଢ଼େଇ କଲେ ବି ସେଥିପାଇଁ ଆଇନ୍‍ ଅଛି, ପଚିଶି ଜଣରୁ ବେଶି ଡାକିଲେ ପୁଲିସି ଧରି ନେବେ । ତୁଚ୍ଛା ଡରୁଆଗୁଡ଼ାକ । ଏମିତିଆ ଲୋକଙ୍କ ପାଖେ ମୁଁ କେବେ ରହି ନଥାନ୍ତି ।’’

 

ହଠାତ୍‍ ଡୋଡ଼ୀର ସ୍ୱର ବଦଳିଗଲା । କହିଲା, ‘‘ମୁଁ ଥାଉ ଥାଉ ତୁ ପର ମର୍ଦ୍ଦ ପାଖକୁ ଚାଲିଯିବୁ ?’’

 

‘‘ହଁ ।’’

 

‘‘ଆଉଥରେ କହିଲୁ ?’’ –ସେ ଠିଆହୋଇପଡ଼ି ଆଗକୁ ମାଡ଼ିଲା ।

 

‘‘ଶହେ ଥର କହିବି ରେ ବାବୁ !’’ ଗଦଲ ସେମିତି ଆଉଜି ରହି କହିଲା । ଡୋଡ଼ୀ ଆଗକୁ ଆଗକୁ ମାଡ଼ିଆସିଲା ।

 

‘‘ଆ ତ !’’ ଗଦଲ ସୁ ସୁ ହୋଇ କହିଲା ।

 

ଡୋଡ଼ୀ ଅଟକିଗଲା । ଗଦଲ ଦେଖୁଥାଏ, ଡୋଡ଼ୀ ଯାଇ ବସିପଡ଼ିଲା । ଗଦଲ ଦେଖୁଥାଏ, ସେଇଠୁ ସେ ହସିଲା । କହିଲା, ‘‘ତୁ ମୋ ଘଇତା ହେବୁ, ଆଉ ମୁଁ ହେବି ତୋ ମାଇପ-! ତୋର ସାହସ କାହିଁ-ହଇ ରେ ଦିଅର ? ମୋର ଯେଉଁ ନୂଆ ମର୍ଦ୍ଦଟା ନା; ତାକୁ ଯେ କହିବ ମର୍ଦ୍ଦ-। ଅନ୍ତତଃ ଏତିକି ତୁ ଶୁଣିଥା, ମତେ ଲାଗୁଛି ଯେ ତୋ ଭାଇକି ପୁଣି ମୁଁ ପାଇଛି । ଆଉ ତୁ ?’’ ସେ ଅଟକିଲା । କହିଲା, ‘‘ହଇରେ, ତୁ ଗୋଟାଏ ମର୍ଦ୍ଦ ? ମାଇକିନିଆଟାକୁ କେହି ଭଲା ଡରେ ? ଚମକିଆସି ତୁ ମତେ ଯଦି ମାଡ଼ ଦେଇଥାନ୍ତୁନା, ତେବେ ମୁଁ ବୁଝିଥାନ୍ତି ଯେ ତୁ ମତେ ଆପଣାର ବୋଲି ଭାବୁଛୁ, ଆଉ ମୁଁ ଏ ଘରେ ରହିବି ।’’

 

ଡୋଡ଼ୀ ଖାଲି ଅନାଇଁ ଅନାଇଁ ଅଟକିଗଲା । ନିଶା ସାଇଁ ସାଇଁ ଡାକିଲା । ଗଦଲ ତା’ଲୁଗାକାନିକୁ ପଖିପରି ବେଢ଼େଇ ହୋଇପଡ଼ି ଦେହ ଘୋଡ଼େଇ ପଳେଇଗଲା । ଡୋଡ଼ୀ ଢୁଳୋଉଥାଏ ।

 

 

ଚାଳିଆରେ ଦୁଲୋ ହାଇଟାଏ ମାରି କହିଲା, ‘‘ଆଇଲା ଲୋ ଆମ ଯା ! ରାତିରେ କୋଉଠି ଥିଲ ?’’

 

କୁଆଁତାରା ବୁଡ଼ିଥାଏ, ଆକାଶରେ ସିନ୍ଦୁରା ଫାଟୁଥାଏ, ବଳଦମାନେ ସେତେବେଳେ ନିଦରୁ ଉଠି ଠିଆହୋଇ ପଡ଼ିଥାନ୍ତି । ପବନ ଥଣ୍ଡା ଥାଏ ।

 

ଗଦଲ ସଙ୍ଗେ ସଙ୍ଗେ ଜବାବ ଦେଲା, ‘‘ହେଲା କି ନାହିଁ ? ହଇଲୋ ମୋ ବଡ଼ଯା’ ମୋ ଉପରେ ତୋ ହୁକୁମ୍‍ ଖଟିଲା ନାହିଁ । ମୋ ଝିଅମାନେ ପରା ତୋରି ବୟସର ? ତୋ ଦିଅର ପାଇଁ ସିନା ମୁଁ ତୋ ସାନଯା, ନଇଲେ ମୁଁ ତୋ ଗୋଡ଼ ଧୋଇ ପାଣି ପିଇବା ମଣିଷ ନୁହେଁ ବା ।’’

 

ଦୁଲୋ ଅପ୍ରସ୍ତୁତ ହେଲା । ମୌନୀ ବିଛଣାରୁ ଉଠି ସାରିଥିଲା । ଗରଗର ହୋଇ ଆସି ପହଞ୍ଚିଲା । ପଚାରିଲା, ‘‘ରାତିରେ କୋଉଠି ରହିଲୁ ?’’

 

ଗଦଲ ଓଢ଼ଣା ଟାଣିଦେଲା; କିନ୍ତୁ ତା ସ୍ୱର ବଦଳିଲା ନାହିଁ । କହିଲା, ‘‘ସେଇ ମତେ ବାନ୍ଧି ପକାଇ ନେଇଯାଇଥିଲା । ଯେମିତି ସୁବିଧା ପାଇଛି ସେମିତି ଖସି ପଳେଇଆସିଲି ।’’

 

ମୌନୀ ଦବିଗଲା । ମୌନୀର ବାପ ବାହାରବାଟେ ଲଦନ ଶଗଡ଼ ହାଙ୍କି ନେଇ ଚାଲିଗଲା । ମୌନୀ ଆଗକୁ ଚାଲିଲା ।

 

‘‘କୁଆଡ଼େ ଯାଉଚୁ ?’’ -ଗଦଲ ପଚାରିଲା ।

 

‘‘ବିଲକାମକୁ ।’’

 

‘‘ଆଗ ମୋକଥା ଛିଣ୍ଡେଇଦେଇ ଯା ।’’ ଗଦଲ କହିଲା ।

 

‘‘କି କଥା ଛିଣ୍ଡେଇବି ?’’ -ମୌନୀ ପଚାରିଲା । ସେ ଏ ଖାରୀଜାତିର ସ୍ତ୍ରୀଲୋକ ପାଖରେ ଦବିଯାଇଥାଏ ।

 

‘‘ଅଇଚ୍ଛା କ’ଣ ତୋ ଘରଯାକ ସମସ୍ତିଙ୍କ ପାଇଁ ମୁଁ ବସି ଗହମ ପେଷିବି ?’’ ଗଦଲ କହିଲା, ‘‘ଆମେ ତ ଦି’ଜଣ, ଅଲଗା ହେବା, ଖାଇବା ।’’ ମୌନୀର ଉତ୍ତରକୁ ଅପେକ୍ଷା ନକରି ଗଦଲ କହିଗଲା, ‘‘ଯାହା ଯେ ରୋଜଗାର କରୁଛି ତାକୁ ଏକାଠି ମିଶାଅ ତହିଁକି ମୁଁ ବାଧା ଦେବି ନାହିଁ, କିନ୍ତୁ ଘର ଭିତରେ ଅଲଗା ଅଲଗା ଚଳିବା ଭଲହେବ ।’’

 

ମୌନୀ କ୍ଷଣକ ପାଇଁ ତୁନି ହୋଇ ଠିଆହେଲା । ଦୁଲୋ କମ୍ପମାନ ହୋଇ ବାହାରିଲା । କହିଲା, ‘‘ଅଇଚ୍ଛା ତୁନି ହୋଇ ରହିଲୁ କାହିଁକି ମ ଦିଅର ? କହୁନୁ କାହିଁକି ? ମୋ ପାଇଁ ଯା’ଟାଏ ଆଣିଚୁ ନା ଶାଶୁଟାଏ ମ ? ତୁ କ’ଣ କହିବୁ କହୁନାହୁଁ କାହିଁକି ? ମତେ ଏମିତିଆ ଭାବ ନାହିଁ ମ ? ରୁଟିକି ତାଓ୍ୱାରେ ଲେଉଟେଇଲେ ମୋ ଦେହରେ ବି ଚୁଲି ଆଞ୍ଚ ଲାଗିଯିବ ନାହିଁ ଯେ, ମୁଁ ୟା ଖାରୀ-ଜାତିର ଧିଟ୍‍ କଥାଗୁଡ଼ାକ ଶୁଣି ସହୁଥିବି । ମୋ ମା’ ବି ଆଗ ଚୁଲିର ମାଟି ଖାଇ ସେଇଠୁ ଯାଇ ମତେ ଜନମ କରିଥିଲା–ହଁ !’’

 

‘‘ଇଲୋ ଏ ସଉତୁଣି ।’’ -ଗଦଲ ଡାକଛାଡ଼ିଲା, ‘‘ତୁ ମାଟି ନଖାଇ ଆଇଚୁ ଲୋ, ୟେ ବଉଁଶ ଗୋଟାକଯାକ ତୁ ଚୋବେଇ ଖାଇବୁ ଲୋ ଡାଆଣି ! ତୋ ଭାତ ନଖାଇଲେ ମୋର କିଛି ଭାସିଯିବ ନାଇଁଲୋ ! କୋଉ ତୋଠି ଭେଲିଗୁଡ଼ ଅଛି ଯେ; ତାକୁ ମୁଁ ନ ଖାଇଲେ ମୋ ତଣ୍ଟିରେ ରୁଟି ଗଳିବ ନାଇଁ ?’’

 

ମୌନୀ କିଛି କହିପାରିଲା ନାହିଁ । ସେ ପଦାକୁ ଚାଲିଗଲା । ଦି’ପହର ଗଡ଼ି-ଯାଇଥାଏ-। ଦୁଲୋ ବସି ଅରଟରେ ସତା କାଟୁଥାଏ । ନାରଣ ଆସି ଡାକିଲା –‘‘କିଏ ଅଛ ?’’

 

ଦୁଲୋ ଓଢ଼ଣା ଟେକି ପଚାରିଲା, ‘‘କିଏ ?’’

 

ନାରଣ ରାଗରେ କହିଲା, ‘‘ମୁଁ ଗଦଲର ପୁଅ ।’’

 

ଦୁଲୋ ଓଢ଼ଣା ପକେଇ ହସିଲା । ପଚାରିଲା-‘‘ସାନ କି ବଡ଼ ?’’

 

‘‘ସାନ ।’’

 

‘‘ଆଉ କେଇ ଜଣ ଅଛନ୍ତି ?’’

 

‘‘ଯେତେ ଜଣ ଥିଲେ ମୋର କି ଯାଏ ?’’ –ଗଦଲ ବାହାରିପଡ଼ି କହିଲା ।

 

‘‘ଆରେ, ଆଇଲା ରେ’’ -କହିଦେଇ ଦୁଲୋ ଭିତରକୁ ପଳାଇଲା ।

 

ଗଦଲ ମୁଣ୍ଡ ହଲେଇ କହିଲା, ‘‘ହଉ, ଆଜି ସେ ଆସୁ । ତତେ ଦେବି ଯେ, ପାଇବୁ ହେଇଲୋ ବଡ଼ଯା -ଦେଖିବୁ ଦେଖିବୁ ।’’

 

‘‘ବୋଉ !’’ ନାରଣ କହିଲା, ‘‘ୟେ ତୋ ବଡ଼ଯା ?’’

 

ଗଦଲ ପାଟିକଲା, ‘‘ତୁ କାହିଁକି ଆସିଲୁ କହିଲୁ ?’’

 

‘‘ଭରଣା ମାଗିଆସିଲି ବୋଉ, ମତେ ପଠେଇଲେ,’’ -କହି ନାରଣ ତା’ଆଗରେ ବସିବ ବୋଲି ଆଗକୁ ଚାଲିଲା ।

 

‘‘ସେଇଠି ରହ’’ -ଗଦଲ କହିଲା । ସେତିକି ବେଳେ ଲୋଟା ଆଉ ଦଉଡ଼ି ଧରି ମୌନୀ ଲେଉଟିଆସିଲା । ସେ ଦେଖିଲା ଯେ ଗଦଲ ତା’ହାତରୁ ଖଡ଼ୁ ଆଉ ବେକରୁ ହଂସୁଲୀ କାଢ଼ିପକାଇ ନାରଣଆଡ଼କୁ ଫୋପାଡ଼ିଦେଲା । କହିଲା ‘‘ଏଥର ତମର ଭରଣା ଦାବିଟା ପାଇଗଲ-ଏଣିକି ଆଉ କେହି ଆସିବ ନାହିଁ-ବୁଝିଲୁ ? ମନେରଖ, ଯଦି ଫେର୍‍ କେହି ଆସିବ ତେବେ ମୁଁ ଚାରିଆଡ଼େ ରଟେଇବି ଯେ ମୋ ସ୍ୱାମୀର ସବୁ ଜିନିଷ ମାଡ଼ିବସି ବୋହୂମାନଙ୍କ କଥାରେ ପଡ଼ି ପୁଅମାନେ ମତେ ଘଉଡ଼ିଦେଲେ ।’’

 

ନାରଣର ମୁହଁ କଳାପଡ଼ିଗଲା । ସେ ଗହଣାକୁ ଗୋଟେଇ ନେଇ ଚାଲିଗଲା । ମୌନୀ ମନକୁ ମନ ଡରିଲା ପରି ଭିତରକୁ ଗଲା । ଦୁଲୋ ମନ୍ତ୍ରଣା ଦେଇ କହିଲା, ‘‘ତୁ ଶୁଣିଲୁଣିଟିରେ ଦିଅର ? ଯା’ ଗହଣାତକ ଦେଇଦେଲା । ଘଟନାଟା ଶେଷରେ ପେଟପୋଷିବା ଘଟନା ହୋଇଗଲା । ଏମିତିଆ ଏଠୁ ଉଠି ସେଠି ହେଇ ଚାରିଜାଗା ହବ ତ, ତା’ହେଲେ ତା’ପୁଅମାନଙ୍କ କ୍ଷେତସବୁ ସୂତାଖିଅକ ମୋଟରୁ ବଢ଼ିବଢ଼ିକା ଯାଇ ବାଉଁଶମୋଟ ହେଇଯିବ । ତା’ଘର ଆଗରେ ମୁଖୁଶିଆ ତୋଳା ହୋଇ ଝଟକିବ, ସେ ମୁଖୁଶିଆଳିକି ଲାଗି ହବ କୋଠାଘର । ମୁଁ ତତେ ବୁଝେଇ ଦଉଛି ଶୁଣ୍‍ । ତୁ ତ ସରଳିଆ ଲୋକ-ମାଇକିନିଆଙ୍କ କାରସାଦି ତତେ କାହୁଁ ଜଣାଥିବ ? ସେ ତ ଗୋଲକଧନ୍ଦା, ଅଇଛା କରିବି କହିଦବ, ସେଉଠୁ ମୋ ହାତରେ କରାଇବ-’’

 

ଗଦଲ ହସିଦେଲା । କହିଲା, ‘‘ସାବାସ୍‍ ଲୋ ମୋ ବଡ଼ଯା ! ପୁରୁଣା ଶଶୁରଘରକୁ ଖେତିପୂରଣ ବାବଦ ଭରଣା ପଇସାଟା ନୂଆ ବରର ଧନରୁ ଦେବା କାମ ତମରି ଘର ମାଇପେ ହୋଇଥିଲେ କରୁଥିବେ । ଗଦଲ ରହିଲେ ରହେ ଖାଉନ୍ଦାଣୀ ହୋଇ, କାହା ପୋଇଲୀ ହୋଇ ରହେ ନାହିଁ । ଯଦି ଚାକିରି କରିବି ତ କରିବି ଆପଣା ଗିରସ୍ତ ପାଖରେ, ତା ନହେଲେ ଆପଣା ଡିହରେ ମୁଁ ବିଧବାଟାଏ ହୋଇ ମାଟି କାମୁଡ଼ି ପଡ଼ିଥିବି, ବୁଝିଲୁ ? ତୁଟା ମଝିରେ ପଡ଼ି ଏଡ଼େ କହିଲାବାଲୀ କିଏ ବା ?’’

 

ଦୁଲୋ ରାଗରେ ଅନାଇଁଲା ଆଉ ଗୋଡ଼ କଚାଡ଼ି କଚାଡ଼ି ଚାଲିଗଲା ।

 

ମୌନୀ ଏସବୁ ଦେଖିଲା ଆଉ କହିଲା, ‘‘ବହୁତ ବଢ଼ି ବଢ଼ି କଥା କହ ନାହିଁ, ବୁଝିଲୁ, ଘରର ବୋହୂ ହୋଇ ରହ ।’’

 

‘‘ଆରେ ଗିରସ୍ତ ! ତୋର ତ ସେତେବେଳେକୁ ଜନମ ନାଇଁରେ !’’ ଗଦଲ ହସିଦେଇ କହିଲା । ‘‘ସେତେବେଳେ ମତେ ସବୁ ଜଣା । ତୁ ମତେ କ’ଣ ଶିଖେଇବୁ ବା ? ଏମିତିଆ କିଛି କାମଟାଏ ମୁଁ କରିନାହିଁ ଯେ କୁଳର ଆଚାର ଟପି ମୁଁ ଚାଲିଗଲି । ଅଇଛା ତୁ ଦେଖିବୁଟି ? ମୁଁ ଯଦି ସେମିତିଆ କିଛି କଥା କରିଚି ତେବେ ହଜାରେ ଥର ଅଟକା, କିନ୍ତୁ ସଉତୁଣୀର ହସ ମୁଁ ସହିବି ନାଇଁ ।’’

 

‘‘ତେବେ ତତେ ଠିକଣା କରିବି ।’’ –ମୌନୀ ମୁଣ୍ଡ ହଲେଇ କହିଲା ।

 

ଗଦଲ ହସିଦେଇ ପିଣ୍ଡାକୁ ଚାଲିଗଲା ଆଉ କାମରେ ଲାଗିଗଲା ।

 

 

ଥଣ୍ଡା ପବନ ବଢ଼ିଯାଇଥାଏ । ଡୋଡ଼ୀ ନୀରବରେ ବାହାରେ ଓଳିତଳେ ବସି ହୁକା ଟାଣୁଥାଏ । ଧୂଆଁ ପିଉ ପିଉ ତାକୁ ଛଟପଟ ଲାଗିଲା । ସେ ହୁକା ଚିଲମ ଓଲଟାଇ ଦେଇ ପୁଣି ବସିରହିଲା ।

 

କ୍ଷେତରୁ ଫେରି ନିହାଲ୍‍ ବଳଦଙ୍କୁ ଅଲଗା ଅଲଗା ବାନ୍ଧିଲା, ଡାକିଲା– ‘‘ଦାଦି !’’

 

ଡୋଡ଼ୀ କ’ଣ ଭାବୁଥିଲା, ଶୁଣିଲା ନାହିଁ ।

 

‘‘ଦାଦି !’’ ନିହାଲ ପୁଣି ଉଚ୍ଚକଣ୍ଠରେ ଡାକିଲା ।

 

‘‘ଏଁ ।’’ ଡୋଡ଼ୀ ଚମକିପଡ଼ି କହିଲା, ‘‘କ’ଣରେ ? ମୋତେ କିଛି କହୁଛୁ ?’’

 

‘‘ତତେ ନକହିଲେ ଆଉ କାହାକୁ କହିବି ? ଦିନଯାକ ତ ତତେ ପାଇଲି ନାହିଁ । ଚିମନ୍‍ ବଢ଼େଇ କହୁଥିଲା ଯେ ତୁ ଦିନଟାଯାକ ମନମୌଜୀ ବାବାଜୀଙ୍କ ଧୁନି ପାଖରେ କଟାଇଦେଲୁ । ଏ କଥା କ’ଣ ସତ ?’’

Unknown

 

‘‘ହଁ ପୁଅ, ଯାଇଥିଲି ବାହାରି ତ !’’

 

‘‘କାହିଁକି ଚାଲିଯାଇଥିଲୁ ?’’

 

‘‘ମନ ଡାକିଲା, ସେଇଥିପାଇଁ ଗଲି ରେ ବାବୁ !’’

 

‘‘ଫେର୍‍ ବବ୍‍ବା ଗାଁରୁ କସ୍‍ହାରର ଲୋକ ଆସିଥିଲା, ଘିଅ କରେଇ କ’ଣ ତିଆରି କରିଛି । କାହିଁ ମୁଁ ତ କହିନଥିଲି ! ସେ କହିଛି ତାକୁ ଧରିକରି ଆସିବ । ତା’ସଙ୍ଗରେ କଳି ଲାଗୁ ଲାଗୁ ଅଟକିଗଲି ।’’

 

‘‘କଜିଆ କରି ନଥାନ୍ତୁ ପୁଅ’’- ଡୋଡ଼ୀ କହିଲା, ‘‘ବୃଥାଟାରେ କିଏ କଜିଆ କରେ ?’’

 

ନିହାଲ୍‍ ଚିଲମ୍‍ ଉଠେଇଲା । କୁଣ୍ଡିରେ ତାଉ ଦେଇ ଚିଲମ ଧରି ଫୁଙ୍କି ଫୁଙ୍କି ଆସିଲା । କହିଲା, ‘‘ମୁଁ ତ ଗଲି ନାହିଁ । ମୁଣ୍ଡ ଫଟାଫଟି ହୋଇଥାନ୍ତା । ନାରଣକୁ ପଠେଇଥିଲି ।’’

 

ଡୋଡ଼ୀ ଚମକିପଡ଼ି କହିଲା, ‘‘କୋଉଠିକି ?’’

 

‘‘ସେଇ ଅଲକ୍ଷଣୀ କୁଳାଙ୍ଗାରୀ କତିକି ।’’

 

‘‘ତୋ ବୋଉ କତିକି ?’’

 

‘‘କେଜାଣି ତୋର ତା’ପ୍ରତି କ’ଣ ଅଛି ଯେ ଏପର୍ଯ୍ୟନ୍ତ ତା ଉପରେ ତୋର ରାଗ ଆସୁନାହିଁ । ମୁଁ ସେଇଟାକୁ ବୋଉ ବୋଲି କହିବି ?’’

 

‘‘ହଉ ରେ ପୁଅ, ତୁ ନକହ । ଜଗତଯାକ ତାକୁ ତୋରି ମା’ ବୋଲି କହିବେ । ସ୍ୱାମୀ ବଞ୍ଚିଥିଲା ବେଳେ ଲୋକେ ମାଇକିନିଆଙ୍କୁ ବୋହୂ ବୋଲି ଡାକନ୍ତି । ସ୍ୱାମୀ ମଲେ ଲୋକେ ତାକୁ ପୁଅର ମା’ କହି ଡାକନ୍ତି । ଏ କ’ଣ କୋଉ ନୂଆ କଥା ?’’

 

ନିହାଲ୍‍ ବିଡ଼ିବିଡ଼ି ହେଲା । କହିଲା, ‘‘ଠିକ୍‍ କଥା ଦାଦି, ଠିକ୍‍ କଥା-ତେବେ ତୁ ତ ଏପର୍ଯ୍ୟନ୍ତ ପଚାରିଲୁ ନାହିଁ ଯେ କାହିଁକି ନାରଣକୁ ପଠେଇଥିଲି ?’’ଡୋଡ଼ୀ ଚମକି ପଡ଼ି କହିଲା, ‘‘ହଁ ପୁଅ, ସେ କଥା ତ ତୁ କହିଲୁ ନାହିଁ ? କହୁନୋଉଁ ?’’

 

‘‘କ୍ଷତିପୂରଣ ଆଣିବା ପାଇଁ ପଠାଇଥିଲି । ତେବେ ପଞ୍ଚାୟତ ରୁଣ୍ଡେଇବା ଆଗରୁ ସେ ତ ଗହଣାଗୁଡ଼ାକ ଓହ୍ଲେଇ ଦେଇ ଫୋପାଡ଼ି ଦେଲା ।’’

 

ଡୋଡ଼ୀ ହସିଲା, କହିଲା, ‘‘ତେବେ ସେ କ’ଣ ଏକଥା ଜଣେଇଦଉଚି ଯେ ଘରଲୋକେ ପଞ୍ଚାୟତ ବି ଡକେଇବେ ନାହିଁ ? ନତୁବା ଆମେ ତାରିଠୁଁ କ’ଣ କ୍ଷତିପୂରଣ ମାଗିବାକୁ ଲୋଡ଼ଥିଲୁଁ-? ନାରଣ ଆଣିଲା ?’’

 

‘‘ହଁ ।’’

 

ଡୋଡ଼ୀ ଭାବୁଥାଏ ।

 

‘‘ମୁଁ ଫେର୍‍ ଯିବି ?’’ ନିହାଲ୍‍ ପଚାରିଲା ।

 

‘‘ନାଇଁ ପୁଅ’’- ଡୋଡ଼ୀ କହିଲା, ‘‘ସେ ସତରେ ରାଗିକରି ଚାଲିଯାଇଛି, ଆଉ କିଛି କଥା ନାହିଁ । ତୁ ରୁଟି ଖାଇଲୁଣି ?’’

 

‘‘ନାଇଁ ।’’

 

‘‘ତେବେ ଯା ଆଗ ଖାଇଦେ ।’’

 

ନିହାଲ ଉଠିଗଲା, କିନ୍ତୁ ଡୋଡ଼ୀ ବସିରହିଲା । ସଞ୍ଜ ପଛେ ପଛେ ରାତିର ଅନ୍ଧାର ଏମିତି ଆସିଗଲା ସତେ ଯେମିତି ଗୋଟାଏ ପର୍ଦ୍ଦା ଓଲଟିପଡ଼ିଲା ।

 

ଦୂରରୁ ‘ଡୋଲା’ ଗୀତର ଶବ୍ଦ ଶୁଭିଲା । ଡୋଡ଼ୀ ଉଠି ଚାଲିଗଲା ।

 

ନିହାଲ ଭାରିଯାକୁ ପଚାରିଲା, ‘‘ଦାଦି ଖାଇଚି ?’’

 

‘‘ନାଇଁ ତ !’’

 

ନିହାଲ ପଦାକୁ ଆସିଲା । ଦେଖିଲା, ଦାଦି ନାହିଁ ।

 

‘‘ଦାଦି !’’ ସେ ଡାକପକାଇଲା ।

 

ହନୁମାନ ଦେଉଳ କବାଟ ବନ୍ଦ କରି ବାଟରେ ଚିରଞ୍ଜୀ ପୂଝାରୀ ଯାଉଥିଲା । ସେ ପଚାରିଲା, ‘‘କ’ଣ କିରେ ?’’

 

‘‘ଓଳିକି ଗୋସେଇଁ ଆପଣେ !’’ ନିହାଲ କହିଲା,‘‘ଦାଦି ତ ଅଇଛା ବସିଥିଲା ।’’

 

ଚିରଞ୍ଜୀ କହିଲା, ‘‘ଆରେ ସେ ପରା ସେଠି ଡୋଲା ଗୀତ ଶୁଣୁଛି । ମୁଁ ଅଇଛା ଦେଖିଆଇଲି ।’’ ଚିରଞ୍ଜୀ ଚାଲିଗଲା । ନିହାଲ୍‍ ଦୋ-ଦୋପାଞ୍ଚ ହୋଇ ଠିଆହେଲା । ଭାରିଯା ଉଙ୍କି ମାରି ପଚାରିଲା, ‘‘କ’ଣ ହେଲା ?’’

 

‘‘ଦାଦି ଡୋଲା ଗୀତ ଶୁଣିଗଲା ।’’ ନିହାଲ ଅବିଶ୍ୱାସରେ କହିଲା, ‘‘ସେ ତ ଯାଉନଥିଲା-।’’

 

ଭାରିଯା କହିଲା, ‘‘ଯାଇ ଡାକି ଆଣମ, ରାତି ବେଶି ହଉଚି ।’’ କହିଦେଇ କାନ୍ଦୁ ଥିବା ପିଲାକୁ ଦୁଧ ପେଇବାକୁ ଚାଲିଗଲା ।

 

ନିହାଲ୍‍ ଯେତେବେଳେ ଦାଦିକୁ ଘେନି ଫେରିଆସିଲା ସେତେବେଳେ ଦାଦିର ଦେହ ତାତିଥାଏ । ‘‘ପବନ ଲାଗିଯାଇଚି-ଆଉ କିଛି ନୁହେଁ ।’’ ଡୋଡ଼ୀ ସାନ ଖଟିଆରେ ଶୋଇ ପଦାକୁ ବାହାରିଥିବା ତା’ଗୋଡ଼କୁ ଓଟାରି ନେଇ କହିଲା,

 

‘‘ରୁଟି ଆଉ ଆଜି ଖାଇବାକୁ ମନହେଉନାହିଁ ।’’

 

ନିହାଲ୍ ଠିଆହୋଇଥାଏ ।

 

ଡୋଡ଼ୀ କହିଲା, ‘‘ଆରେ ଜାଣିଲୁ ରେ ପୁଅ ! ମୁଁ କେତେ ଦିନ ପରେ ଡୋଲା ଗୀତ ଶୁଣିଲି । ସେଥର ଭାଇର ଚଉଠିରାତିରେ ଶୁଣିଥିଲି; ପୁଣି ଆଜି ।’’

 

ନିହାଲ ଶୁଣିଲା ଆଉ ଦେଖିଲା ଯେ ଡୋଡ଼ୀ ଆଖି ବୁଜି କ’ଣ ଗୁଣୁଗୁଣୁ ହେଉଛି ।

 

 

ଛାଇ ଲେଉଟିଥାଏ । ମୌନୀ ପଦାରେ ବସିଥାଏ । ଗଦଲ ଗରମ ଗରମ ରୁଟି ଆଉ ଆମ୍ୱ ଚଟଣି ଆଣି ଖାଇବାକୁ ବାଢ଼ିଦେଲା ।

 

ମୌନୀ ଖାଉ ଖାଉ କହିଲା, ‘‘ଭାରି ଭଲ ହେଇଚି-ଭାରି ଭଲ ।’’

 

ଗଦଲ ବସିପଡ଼ିଲା । କହିଲା, ‘‘ତୋ ବୟସ ନାଖି ତୁ ଗୋଟିଏ ବାହା ହଉନୁ କାହିଁକି-?’’

 

ମୌନୀ ଚମକିପଡ଼ିଲା । କହିଲା, ‘‘ଜଣକ ପାଇଁ ତ ରୁଟି ଅଣ୍ଟୁ ନାହିଁ ।’’

 

ଗଦଲ କହିଲା, ‘‘ନାଇଁ । ଭାବୁଥିବୁ, ମାଇକିନିଆ ସଉତୁଣୀଟାଏ ଆଣିବାକୁ କହୁଚି ତ ଗେରସ୍ତର କ’ଣ ଯାଉଚି ? ଆରେ, ମୋର ବି ତ ବୟସ ଯାଉଚି, ମୁଁ ବଞ୍ଚି ଥାଉ ଥାଉ ଦେଖିଗଲେ ଭଲ । କିଛି ନହେଲେ ହୁକୁମ୍‍ ଜାରି କରିବାକୁ ମତେ ଜଣେ ମିଳିଯାଆନ୍ତା ତ !’’

 

ମୌନୀ ହସିଲା । କହିଲା, ‘‘ଯାହା କହ, ମତେ ଲାଗୁଚି କଜିଆ କରିବାକୁ ତୋର ଆଉ ଜଣେ ଦରକାର ।’’

 

ଖାଇସାରି ଉଠିପଡ଼ିଲା ତ ଗଦଲ ହୁକା ଭର୍ତ୍ତି କରିଦେଇ ଚାଲିଗଲା ଆଉ ନିଜେ କାନ୍ଥ ଆଢ଼ୁଆଳରେ ବସି ଖାଇଲା । ଏତିକିବେଳେ ତାକୁ ଶୁଭିଲା, ‘‘ଆରେ ଏତେ-ବେଳେ କୁଆଡ଼େ ଚାଲିଲୁ ?’’

 

‘‘ଜରୁରି କାମ ଅଛି ରେ ମୌନୀ !’’ ଉତ୍ତର ଶୁଭିଲା, ‘‘ପେସ୍କାର ସାହେବ ଡକେଇଚି ।’’

 

ଗଦଲ ଚିହ୍ନିଲା । ତାରି ଗାଁର ଲୋକ, ଘୋଟ୍‍ୟାମେନା ଗାଁର ଚିଂଡା ଗିର୍ରାଜ୍‍ ଗଉଡ଼ । ନିଶ୍ଚୟ ପେସ୍କାରଙ୍କ ଗାଈକି ଚରେଇବା କଥା ହୋଇଥିବ ।

 

‘‘ଆରେ ରାତିଟାରେ ଯାଉଚୁ ?’’ -ମୌନୀ କହିଲା, ‘‘ତେବେ ଟିକିଏ ହୁକା ଟାଣି ଯାଆ-।’’

 

ଆକର୍ଷଣରେ ସେ ଅଟକିଗଲା । ଗିର୍ରାଜ୍‍ ବସିପଡ଼ିଲା । ଗଦଲ ଆଉ ପଟେ ରୁଟି ଉଠେଇଲା; ଗୁଣ୍ଡାକୁ ପାଟିରେ ଯାକିଲା ।

 

‘‘ତୁ ଶୁଣିଲୁଣି ?’’ –ଗିର୍ରାଜ କହିଲା ଆଉ ଦମ୍‍ ଟାଣିଲା ।

 

ମୌନୀ ପଚାରିଲା, ‘‘କ’ଣ ?’’

 

‘‘ଗଦଲର ଦିଅର ଡୋଡ଼ୀ ମରିଗଲା ।’’

 

ଗଦଲର ପାଟି ବନ୍ଦ ହୋଇଗଲା । ଚଞ୍ଚଳ ଲୋଟାରୁ ପାଣି ପିଇ ଗୁଣ୍ଡାଟା ଗିଳିଦେଲା ଆଉ ଶୁଣିଲା, ସତେ ଯେମିତି ତା’କଲିଜା ପାଟିକି ଉଠିଗଲା ।

 

ମୌନୀ ପଚାରିଲା, ‘‘କେମିତି ମଲା ? ସେ ତ ଭଲ ଦମ୍ଭ ଥିଲା ।’’

 

‘‘ଥଣ୍ଡା ଧରିପକାଇଲା । ରାତିରେ ପଦାରେ ଫୁଙ୍ଗା ରହିଗଲା ।’’

 

ଗଦଲ ଦୁଆରମୁହଁରେ ଦେଖାପଡ଼ିଲା, କହିଲା ‘‘ଗିର୍ରାଜ୍‍ !’’

 

‘‘ଖୁଡ଼ୀ’’ ଗିର୍ରାଜ୍‍ କହିଲା, ‘‘ସତକଥା । ମଲାବେଳେ ପାଟିରେ ତୋ ନାଁ ଧରୁଥିଲା ଖୁଡ଼ୀ-! ବିଚରା ଭାରି ଭଲ ମଣିଷ ଥିଲା ।’’

 

ଗଦଲ ସ୍ତବ୍‍ଧ ହୋଇ ଠିଆହେଲା । ଗିର୍ରାଜ୍‍ ଚାଲିଗଲା ।

 

ଗଦଲ କହିଲା, ‘‘ଶୁଣୁଚୁ ?’’

 

‘‘କ’ଣ ହେଲା ଲୋ ?’’

 

‘‘ମୁଁ ଟିକିଏ ଯିବି ।’’

 

‘‘କୋଉଠିକି ?’’ –ସେ ଆତଙ୍କିତ ହେଲା ।

 

‘‘ସେଇଠିକି ।’’

 

‘‘କାହିଁକି ?’’

 

‘‘ଦିଅର ମରିଗଲା ପରା !’’

 

‘‘ଦିଅର ! ଅଇଛା ତ ସେ ଆଉ ତୋ ଦିଅର ନୁହେଁ ।’’

 

 

ଗଦଲ ହସିଲା, ଗୋଟା ସୁଦ୍ଧା ଥରି ଥରି ହସିଲା, କହିଲା, ‘‘ଦିଅର ତ ମୋର ଆର ଜନ୍ମରେ ବି ଦିଅର ରହିବ । ସେ ମୋ ପ୍ରତି ନିର୍ଦ୍ଦୟ ବୋଲି ନିଜକୁ ଦେଖାଇ ହେଉଥିଲା ଯେ ତା’ବୋଲି କ’ଣ ତା’ପାଦ କଟି ନ ଗଲେ ସେ ମୋ କଥାକୁ ଅକୁହାର ହୋଇ ଦୁଆରମୁହଁରୁ ପଦାକୁ ଯାଇପାରୁ ନ ଥିଲା ? ତା ମନ ମୋ ପ୍ରତି ଓଲଟା ହୋଇଗଲା ତ ସେଉଠୁ ମୋ ମନ ବି ତା’ପ୍ରତି ଓଲଟା ହୋଇଗଲା । ଏମିତି ତା’ଉପରେ ମୁଁ ଦାଉ ସାଧିଲି-’’କହୁ କହୁ ସେ କଠୋର ହୋଇଗଲା ।

 

ମୌନୀ କହିଲା, ‘‘ତୁ ଯାଇପାରିବୁ ନାହିଁ ।’’

 

‘‘କାଇଁ ?’’ ଗଦଲ କହିଲା, ‘‘ତୁ ଅଟକେଇବୁ ? ଆରେ ମୋ ଆପଣା ପେଟର ଛୁଆମାନେ ମତେ ଅଟକାଇ ପାରିଲେ ନାହିଁଟି । ଅଇଛା କ’ଣ ଅଛି ? ଯାହାକୁ ହୀନିମାନ କରିବାକୁ ଖୋଜୁଥିଲି ସେ ତ ରହିଲା ନାହିଁ; ଆଉ ତୁଟା ମତେ ଅଟକେଇବାକୁ କିଏ ବା ? ମୋ ମନକୁ ମନ ଆସିଥିଲି, ରହିଲେ ରହିବି, ନରହିଲେ ନାହିଁ । କୋଉ ତୁ ମୋ ପାଇଁ ଦାମ୍‍ ଦେଇଚୁ ? ଏତେ କଥା ତ ତୁ କହିଗଲୁଣି, ମୋର ଆରଘର ହେଇଥିଲେ ତୋ ଜିଭ ଉପାଡ଼ି ଦେଇଥାନ୍ତି ।’’

 

‘‘ଆଲୋ ଚାଲ ଚାଲ ।’’ ମୌନୀ ତା’ହାତ ଧରି ତାକୁ ଭିତରକୁ ପେଲିଦେଲା; ଆଉ ଦୁଆରମୁହଁରେ ଖଟ ପାରି ଶୋଇପଡ଼ି ହୁକା ଟାଣିଲା ।

 

ଗଦଲ ଭିତରେ କାନ୍ଦୁଥାଏ; କିନ୍ତୁ ଏଡ଼େ ଧୀରେ ଧୀରେ ଯେ ତା କଇଁ କଇଁ କାନ୍ଦ ମୌନୀ ଶୁଣିପାରୁ ନଥାଏ । ଆଜି ଗଦଲର ମନ ସେଠିକି ଯାଉଥିଲା, ରାତିର ତୃତୀୟ ପହର ବିତିଯାଇଥାଏ । ମୌନୀର ଘୁଙ୍ଗୁଡ଼ି ଶୁଭୁଥାଏ । ଗଦଲ ପୂରା ବଳ ଖଟେଇ ଚାଳର କଣକୁ ଟେକିଲା ଆଉ ସାପପରି ତା’ତଳେ ଗୁରୁଣ୍ଡି ଆରପାଖକୁ ଡେଇଁପଡ଼ିଲା ।

 

ମୌନୀ ଥାଇ ଥାଇ ଚମକୁଥାଏ । ସାହସ ନ ଥାଏ ଯେ ସିଧା ଗାଁକୁ ଚାଲିଯାଇ ଗାଁରେ ଚହଳ କରିଦେବ ଆଉ ଠେଙ୍ଗା ବଳରେ ଗଦଲକୁ ଟେକି ଆଣିବ । ମନ ହେଉଥାଏ, ଶାଳୀର ଗୋଡ଼ ଭାଙ୍ଗିଦେବ । ଦୁଲୋ ଥଟ୍‍ଟା କରୁଥାଏ ଯେ ତା ମାଇକିନିଆ ପଳାଇଯାଇ ତା ନାକ କଟାହେଲା । ସେ ରାଗି ରାଗି ରହିଗଲା । ଗୁଜରମାନେ ଯେତେବେଳେ ଶୁଣିଲେ ସେମାନେ କହିଲେ–

 

‘‘ଆରେ, ବୁଢ଼ୀଟା ପାଇଁ ହାଣ କାଟ କରାଇବୁ ନା ? ତତେ ସେ କି ଖର୍ଚ୍ଚଟା ଅବା କରେଇଲା ଯେ ! ଦୁଇଓଳି ରୁଟି ତୋର ଖାଇଲା-ବାସ୍‍ ସେତିକି; ତତେ ରୁଟି ଖୁଆଇଦେଇ ସେ ଯାଇଚି ।’’

 

ମୌନୀର ରାଗ ବଢ଼ୁଥାଏ ।

 

ଘଟୁଆର ଗିର୍ରାଜ୍‍ ଶୁଣେଇ ଯାଇଥିଲା । ଗଦଲ ପହଞ୍ଚିଲାବେଳକୁ ଗାଁର ମୁଣ୍ଡିଆଳ ବସିଥାଏ । ନିହାଲ୍‍ କହିଲା, ‘‘ଖବର୍ଦାର୍‍, ଭିତରେ ପାଦ ପକାନା ।’’ ‘‘କାଇଁକି ଫେରିଆଇଲୁ ?’’

 

ମୁଣ୍ଡି ଆଳ ଚମକିପଡ଼ିଲା । କହିଲା, ‘‘ଅଇଛା କ’ଣ ନେବାକୁ ଆସିଲୁ ବୋହୂ ?’’

 

ଗଦଲ ଉଠିଗଲା । କହିଲା, ‘‘ଯେତେବେଳେ ସାନଟିଏ ହୋଇଥିଲି ସେତେବେଳେ ମୋ ଦିଅର ଠେଙ୍ଗା ଧରି ମୋ ବର ସଙ୍ଗରେ ଆସିଥିଲା । ମୁଁ ତ ତାରି ହାତକୁ ଅନାଇଁ ରହିଥିଲି । ଭାବୁଥିଲି ଏ ମର୍ଦ୍ଦ ପୁଅ । ତାରି ଆଶ୍ରାରେ ବଞ୍ଚିପାରିବି । ମତେ କହ ମୁଣ୍ଡିଆଳ, ସେ ବି ଯେତେବେଳେ ମୋ ଗିରସ୍ତ ମଲା ପରେ ମତେ ରଖି ପାରିଲା ନାହିଁ, ତେବେ ମୁଁ କ’ଣ କରିଥାନ୍ତି ? ଆଉ, ମୁଁ ନ ରହିଲି ବୋଲି କ’ଣ ହେଲା ? ଦି’ଦିନରେ ଦାଦି ଚାଲିଗଲା ତ ? ତା’ଆଶ୍ରାରେ ଥିବା ମଣିଷର କ’ଣଟା ହୋଇଥାନ୍ତା ?’’

 

‘‘ତେବେ ତୁ ପୁଅଝିଅଙ୍କ ବୟସ ଦେଖିଲୁ ନାହିଁ ଯେ ବୋହୂ ?’’

 

ଗଦଲ କହିଲା, ‘‘ଠିକ୍‍ କଥା, ତେବେ ବୟସ ଦେଖିଥାନ୍ତି ନା ମହତ ଜଗନ୍ତି ? ମୋର ଦିଅର ପ୍ରତି ଶରଧା ଥିଲା, ସେ ମରିଗଲା । ୟେ ପୁଅ, ମୁଁ କେଉଁ କୁଳପ୍ରଥା ବାହାର କାମ କଲି ତ ମତେ ଅଟକାଇ ମୋ ଉପରେ ମକଦ୍ଦମା କର-ପଞ୍ଚାଏତ୍‍ ରେ ଜବାବ୍‍ ଦେବି । କିନ୍ତୁ ପିଲାଏ ତ କୁଳାଚାର ମୁହଁରେ ଛେପ ପକାଇଲେ । ସେତେବେଳେ କୋଉଠି ଥିଲ ତୁମେ ସବୁ ?’’

 

ଆଶ୍ଚର୍ଯ୍ୟ ହୋଇ ମୁଣ୍ଡି ଆଳ ପଚାରିଲା, ‘‘ସେ କଥା କେବେ ହେଲା ?’’

 

‘‘ଗାଁ-ମୁଣ୍ଡିଆଳ ନକହିବ ତ ଆଉ କିଏ କହିବ ? ମୋ ଗିରସ୍ତ ଶୁଦ୍ଧି ଘରକୁ ମୋଟେ ପଚିଶିଟା ମଣିଷ ଖୁଆଇ କାମ ଚଳେଇଦେଲେ ।’’

 

‘‘ଆଲୋ ବାୟା’ଣୀ, ସେ ପରା ସରକାରୀ ନିୟମ ?’’

 

‘‘ଆଇନ୍ ନାଁ ?’’ ଗଦଲ ହସିଲା । ‘‘ସାରା ଦୁନିଆଁରେ ଆଇନ୍ ଚାଲୁଚି ମୁଣ୍ଡିଆଳ ? ଦିନରେ ତାତି ହେଲେ ମଇଁଷିକି ଖୋଲିଅଣାଯାଏଟି ? ଖାଲି ମୋରି ଗିରସ୍ତ ବୋଲି ଆଇନ୍ ଖଟିଲା ? ସେମିତି କହନା । ପୁଅମାନେ ଭାବିଲେ ଆଉ କି ଗରଜ ପଡ଼ିଚି ? କାହିଁକି ପଇସା ନଷ୍ଟ କରିବା ? ଡରୁଆ କାହିଁକା !’’

 

ନିହାଲ୍‍ ରଡ଼ିଛାଡ଼ିଲା, ‘‘ଡରୁଆ ! ଆମେ ଡରୁଆ ! ତୁ ସିଂହୀଟାଏ ?’’

 

ଗଦଲ ଉତ୍ତେଜିତ ହୋଇ କହିଲା, ‘‘ହଁ ମୁଁ ସିଂହୀ । କହ, ତୋଠି ସାହସ ଅଛି– କହ ।’’ ସେ ବି ରଡ଼ିଲା ।

 

‘‘କୁଳପ୍ରଥା ଅନୁସାରେ ଦାଦିର ଶୁଦ୍ଧିବାର ପାଇଁ ଭୋଜିଲାଗି ନିମନ୍ତ୍ରଣ କରିଆ-’’ ଗଦଲ କହିଲା ।

 

ନିହାଲ୍‍ ବୁଝିପାରିଲା । କହିଲା, ‘‘ପୁଲିସ ?’’

 

ଗଦଲ ଛାତି ବାଡ଼େଇ କହିଲା, ‘‘ଏଇଆ ?’’

 

ଗାଁ ମୁଣ୍ଡିଆଳ କହିଲା, ‘‘ମାଇକିନିଆ ସିନା କହୁଚି, ଗୁଳି ଚାଲିଲେ ସେଇଠୁ ?’’

 

ଗଦଲ କହିଲା, ‘‘ଧର୍ମଫର୍ମ ତ ବୁଡ଼ାଇଦେଲା । ସାରା ଗୁଜୁରାତ୍‍ ଡୁବିଗଲା ମା ଧୋ ଅଇଛା କାହାରି ଆଶ୍ରା ନାହିଁ । ଡରୁଆ ଲୋକ ଡରୁଆ ହୋଇ ରହିଛନ୍ତି ।’’

 

ହଠାତ୍‍ କହିଲା, ‘‘ମୁଁ କରିବି ଶୁଦ୍ଧିବାର ?’’

 

‘‘ତୁ ?’’ –ନିହାଲ୍‍ କହିଲା ।

 

‘‘ହଁ, ମୁଁ !’’ ତା’ଆଖି ଲୁହରେ ଭର୍ତ୍ତି ହୋଇଗଲା । କହିଲା, ‘‘ମଲାବେଳେ ମୋ ନାଁ ନଉଥିଲାଟି ! ତେବେ ତା’ଶୁଦ୍ଧି ମୁଁ କରିବି ।’’

 

ମୌନୀ ଆଶ୍ଚର୍ଯ୍ୟ ହୋଇ ଶୁଣୁଥିଲା । ଗିର୍ରାଜ୍‍ କହିଥିଲା ଯେ ଶୁଦ୍ଧିକାମ ପାଇଁ ଆୟୋଜନ ଜୋରସୋର୍‍ରେ ଚାଲିଛି । ଗଦଲ ପୁଲିସ ଦାରୋଗାକୁ ଲାଞ୍ଚ ଦେଇଚି । ସେ ସେପଟକୁ ଯିବ ବି ନାହିଁ । ଗଦଲ ବହୁତ ଆୟୋଜନ କରୁଛି । ଲୋକେ କହୁଛନ୍ତି ତାକୁ ବର୍ତ୍ତମାନ ଯେତିକି ଦୁଃଖ ଲାଗୁଛି, ତା ବର ମଲାବେଳେ ସେତେ ଦୁଃଖ ଲାଗୁନଥିଲା ।

 

ଗର୍ରାଜ୍‍ ତ ଚାଲିଗଲା । କିନ୍ତୁ ମୌନୀ ଭିତରେ ବିଷ ଚରିଗଲା । ସେ ଉଠୁ ଉଠୁ କହିଲା, ‘‘ହଉ, ତୋ ମନ ଅନୁସାରେ ସବୁ ଘଟିଯିବ ବୋଲି ଛାଡ଼ିଦବ ଏମିତିଆ ନରମ ପୁଚୁ ପୁଚୁ ୟେ ମୌନୀ ନୁହେଁ । ଦାରୋଗା ମୁହଁ ବନ୍ଦ କରିଦେଲୁ ସିନା, ତେବେ ତାଠୁ ବି ବଡ଼ ହାକିମ ଅଛନ୍ତି ଯେ । ମୁଁ ସଦର ମହକୁମାକୁ ଯାଇ ବଡ଼ ଦାରୋଗାଙ୍କୁ ଫେରାଦ୍‍ ହେବି ।

 

 

ଶୁଦ୍ଧିକାମ ଭୋଜି ଚାଲିଥାଏ । ପଙ୍ଗତ ବସିଥାନ୍ତି, ଖାଉଥାନ୍ତି, ଉଠିଯାଉଥାନ୍ତି । ପୁଣି କରେଇରୁ ପୁରି ଓହ୍ଲାହେଉଥାଏ । ବାହାରେ ପୁରୁଷମାନେ ଚର୍ଚ୍ଚାରେ ଲାଗିଥାନ୍ତି, ଖୁଆଉଥାନ୍ତି । ନିହାଲ୍‍ ଆଉ ନାରଣ ଯୁଦ୍ଧବେଳେ ମହଙ୍ଗାରେ ଫସଲ ବିକି ଯେଉଁ ବଡ଼ ବଡ଼ ନୋଟଗୁଡ଼ାକ ଚାନ୍ଦି କରି ରଖିଥିଲେ, ସେସବୁ ବାହାରିଲା, ଆଉ ଶୁଦ୍ଧିକାର୍ଯ୍ୟରେ ଲାଗିଲା । କିନ୍ତୁ ଗାଁ-ଗାଁରେ ଲୋକେ କହିଲେ, ‘‘ସବୁ ଦାୟିତ୍ୱ ଗଦଲର, ପୁଅମାନେ ତ ହାରିଯାଇ ବସିଥିଲେ । ଆଇନ୍ କ’ଣ କୁଳପ୍ରଥା ଉପରେ ?’’

ଗଦଲ ଘୋଳିହୋଇପଡ଼ିଲା । ସ୍ତ୍ରୀଲୋକମାନଙ୍କ ଭିତରେ ସେ ବସିଥାଏ ।

ହଠାତ୍‍ ଦୁଆର ମୁହଁବାଟେ ସିପେହୀ ଭଳିଆ ଦିଶିଲା । ଗଦଲ ପଦାକୁ ଆସିଲା । ନିହାଲ୍‍ ମୁଣ୍ଡ ତଳକୁ ପୋତି ଠିଆହୋଇଥାଏ ।

ଗଦଲ ଆଗକୁ ଆସି କହିଲା, ‘‘ଦିଓ୍ୱାନ୍‍ଜି, କଥା କ’ଣ ?’’

ମାଇକିନିଆଟିଏ ଆଗକୁ ଆସି ପଚାରିଲାବେଳେ ଦିଓ୍ୱାନ୍‍ ଅପ୍ରସ୍ତୁତ ହୋଇଗଲା ।

ନିହାଲ୍‍କୁ କହିଲା, ‘‘କହୁଚି ପରା, ୟେ ଶୁଦ୍ଧି ଭୋଜି ବନ୍ଦ କରିଦିଅ ।’’

ଗଦଲ ପାଟିକଲା, ‘‘ସେକଥା କେମିତି ହେବ ?’’

‘‘ଦାରୋଗା ସାହେବ କହିଛନ୍ତି ।’’ –ଦିଓ୍ୱାନ ନମ୍ର ହୋଇ ଉତ୍ତର ଦେଲା ।

‘‘କାହିଁ ? ତାଙ୍କୁ ପଚାରି ତ କରାଯାଉଛି !’’ –ତା’ର ସ୍ପଷ୍ଟ ସଙ୍କେତ ଥିଲା ଯେ ଦାରୋଗାଙ୍କୁ ଲାଞ୍ଚ ଦିଆସରିଛି ।

 

ଦିଓ୍ୱାନ କହିଲା ‘‘ମୁଁ ଜାଣେ, ଦାରୋଗା ସାହେବ ଦେଖାସାକ୍ଷାତ୍‍ କଥା ମାନନ୍ତି; କିନ୍ତୁ କିଏ ଯାଇ ବଡ଼ଦାରୋଗାଙ୍କ ପାଖରେ ଅଭିଯୋଗ କରିଛି ଯେ ଦାରୋଗାଙ୍କୁ ଆସିବାକୁହିଁ ପଡ଼ିବ । ସେଥିପାଇଁ ସେ କହିପଠାଇଛନ୍ତି ଯେ ଭିଡ଼ି କମେଇ ଦିଅନ୍ତୁ, ନହେଲେ ଆଇନ୍ ଅନୁସାରେ କାମ ତ କରିବାକୁ ପଡ଼ିବ ।’’

 

କ୍ଷଣକପାଇଁ ଗଦଲ ଭାବିଲା । କିଏ ହୋଇଥିବ ସେ ? ବୁଝିପାରିଲା ନାହିଁ । କହିଲା, ‘‘ଦାରୋଗା ସାହେବ ଆଗରୁ ଏସବୁ ଭାବିଲେ ନାହିଁ ? ଅଇଛା ବନ୍ଧୁବାନ୍ଧବଙ୍କୁ ଉଠେଇଦେବା ? ଦିଓ୍ୱାନ୍‍ବାବୁ, ଆପଣ ବି ବସି ପତ୍ରଲାଗି ହୋଇଯା’ନ୍ତୁ– ଯାହା ହେବ ଦେଖିବା । ଆମେ ଖବର ପଠେଇଦବୁ । ଦାରୋଗା ସାହେବ କାହିଁକି ଆସୁଛନ୍ତି–ସେ ତ ରାଜା !’’

 

ଦିଓ୍ୱାନ୍‍ କହିଲା, ‘‘ସରକାରି ଚାକିରି –ଚାଲିଯିବ ନାହିଁ ? ଆସିବାକୁହିଁ ପଡ଼ିବ ତାଙ୍କୁ ।’’

 

‘‘ହଉତେବେ ଆସନ୍ତୁ’’-ଗଦଲ କ୍ଷୁବ୍‍ଧ ସ୍ୱରରେ କହିଲା, ‘‘ମଣିଷର ଓଜନ ଥରେ କରାଯାଏ । ମୁଁ ବନ୍ଧୁବାନ୍ଧବଙ୍କୁ ଉଠାଇଦେଇ ପାରିବି ନାହିଁ ।’’

 

ନାରଣ ଧନ୍ଦି ହେଲା । ଦିଓ୍ୱାନ୍‍ କହିଲା, ‘‘ସମସ୍ତିଙ୍କି ଗିରଫ୍‍ କରି ନିଆଯିବ । ସରକାର ସଙ୍ଗେ ଟକ୍‍କର ଦେବାକୁ ଚେଷ୍ଟା କର ନାହିଁ ।’’

 

‘‘ଆରେ ସରକାର କ’ଣ କୁଳପ୍ରଥାଠୁଁ ବଡ଼ ?’’ ଗଦଲ୍‍ ରାଗିଯାଇ କହିଲା, ‘‘ଆଜିଯାକେ ତ ସରକାର ପଛରେ ଧାଉଁଥିଲି । ତେବେ ସରକାର ପାଇଁ ତ ଧର୍ମ ଛାଡ଼ିଦେବି ନାହିଁ ! ଶୁଣିଲେ ତ-? ତୁମେ ଯଦି ଧର୍ମ ଛଡ଼େଇନବ ତେବେ ଆମେ ବଞ୍ଚିବା ବୃଥା ।’’

 

ଗଦଲ ଗୋଡ଼ କଚାଡ଼ି କଚାଡ଼ି ଚାଲିଗଲା । ଆହୁରି ତିନିଟା ପଙ୍ଗତ ଉଠିଗଲା । ଶେଷ ପଙ୍ଗତ ଥାଏ । ନିହାଲ ଅନ୍ଧାରରେ ଅନାଇଁ କହିଲା, ‘‘ନାରଣ, ଜଲ୍‍ଦି କର୍‍, ଅଇଛା ଗୋଟାଏ ପଙ୍ଗତ ଅଛି ନା ।’’

ଗଦଲ୍‍ ଚାଳତଳ ଛାଇ ଭିତରୁ କହିଲା, ‘‘ନିହାଲ୍ ।’’

ନିହାଲ୍ ଗଲା । ‘‘ଡରୁଛୁ ?’’ -ଗଦଲ ପଚାରିଲା ।

ଶୁଖିଲା ଓଠ ଉପରେ ଜିଭ ବୁଲେଇଦେଇ ସେ କହିଲା, ‘‘ନାହିଁ ତ !’’

‘‘ମୋ ପେଟର ହୋଇ ତଳେ ଲାଜ ମାଡୁନାହିଁ ରେ !’’ ଗଦଲ କହିଲା । ‘‘ତୋ ଦାଦି ତତେ ତା ପୁଅ ବୋଲି ଭାବି ଆଉଥରେ ବାହା ହବାକୁ ମନାକରିଦେଲା । ମନେରଖିଥା, ତାର ଆଉ କେହି ନାହିଁ ।’’ ନିହାଲ୍ ମୁଣ୍ଡ ପୋତିଲା ।

ପଳେଇଥିବା ଟୋକାଟିଏ ଆସି ପାଟିକଲା, ‘‘ଆଈ !’’

ଗଦଲ ଶଙ୍କିତ ହୋଇ ପଚାରିଲା, ‘‘କ’ଣ ହେଲା ରେ ?’’

‘‘ହାତହତିଆରରେ ସଜ ହୋଇ ପୋଲିସ୍‍ ଆସୁଚନ୍ତି ।’’

ନିହାଲ୍ ଗଦଲ ଆଡ଼କୁ ରହସ୍ୟମୟ ଦୃଷ୍ଟିରେ ଚାହିଁଲା ।

ଗଦଲ କହିଲା, ‘‘ପଙ୍ଗତ ଉଠିବାକୁ ବେଶି ଡେରି ନାହିଁ ।’’

‘‘କିନ୍ତୁ ସେମାନେ ସବୁ କ’ଣ ବିଶ୍ୱାସ କରିବେ ?’’

‘‘ତାଙ୍କୁ ଅଟକାଇବାକୁ ହେବ ।’’

‘‘ତାଙ୍କ ପାଖେ ବନ୍ଧୁକ ଅଛି ।’’

‘‘ଆମ ପାଖରେ ବି ବନ୍ଧୁକ ଅଛି ନିହାଲ୍‍’’ ଗଦଲ କହିଲା, ‘‘ଡାଁଚ୍‍ ଗାଁରେ ବନ୍ଧୁକ ଊଣା ନାହିଁ ।’’

‘‘କିନ୍ତୁ ଆମେ ତେବେ ଖାଇବୁ କ’ଣ ?’’

‘‘ଯାହା ଭଗବାନ ଦେବେ !’’

ବାହାରେ ପୁଲିସ୍‍ ଗାଡ଼ିର ହର୍ଣ୍ଣ ବାଜିଲା । ନିହାଲ୍ ଗଲା । ଦାରୋଗା ଓହ୍ଲେଇ ପଡ଼ି କହିଲେ, ‘‘ଏଠି ଭୋଜିଭାତ ଚାଲିଛି ?’’

ନିହାଲ ଶଙ୍କି ରହିଗଲା ।

ଯେଉଁ ଲୋକଟା ଲାଞ୍ଚ ନେଇଥିଲା ସେ ଅଇଛା ଆଉ ଚିହ୍ନି ପାରୁନଥାଏ ।

‘‘ହଁ, ହଉଚି, ନା ?’’ ସେ କ୍ରୁଦ୍ଧ ସ୍ୱରରେ କହିଲା ।, ପଚିଶି ଜଣଠୁ ବେଶି ଅଛନ୍ତି ?’’

‘‘ଗଣିକରି ଆମେ ଖୁଆଉନାହୁଁ ଦାରୋଗା ସାହେବ୍‍ !’’

‘‘କିନ୍ତୁ ତେଣେ ତ ଆଇନ୍ ଭାଙ୍ଗି ପାରିବ ନାହିଁ ?’’

‘‘ସରକାରୀ ଆଇନ୍ ସିନା କାଲିକାର, ସମାଜର ଆଇନ୍ ତ ସବୁଦିନିଆ । ଆମର ସରକାର ସଙ୍ଗେ କିଛି କାମ ନାହିଁ; ସମାଜ ସଙ୍ଗରେ କାମ ।’’

‘‘ତାହେଲେ ମୁଁ ଗିରଫ୍‍ କରିବି ।’’

ଗଦଲ ଡାକିଲା, ‘‘ନିହାଲ୍‍ !’’

ନିହାଲ୍‍ ଭିତରକୁ ଗଲା ।

ଗଦଲ କହିଲା, ‘‘ପଙ୍ଗତ ନସରିବାଯାକେ ଏମାନଙ୍କୁ ରୋକିବାକୁ ପଡ଼ିବ ।’’

‘‘ସେଉଠୁ ?’’

‘‘ସେଉଠୁ ? ସମସ୍ତଙ୍କୁ ପଛବାଟେ ବିଦାକରିଦେବା । କେହି ଧରାପଡ଼ିଲେ ସମାଜ କ’ଣ କହିବ ?’’

‘‘କିନ୍ତୁ ସେ ତ ଅଟକିବେ ନାହିଁ, ଗୁଳି ଚଳେଇବେ ।’’

‘‘ତୁ ଡରନା । ଛାତ ଉପରେ ନାରଣ ଚାରିଜଣ ଲୋକଙ୍କ ସଙ୍ଗରେ ବନ୍ଧୁକ ଧରି ବସିଛି-।’’ ନିହାଲ ଥରିଲା । ସେ ଧନ୍ଦି ହେଲା ସ୍ୱରରେ ବୁଝେଇବାକୁ ଚେଷ୍ଟା କଲା, ‘‘ଆମର ସିନା ଟୋପିଦାର୍‍ ବନ୍ଧୁକ, ତାଙ୍କର ତ ରାଇଫଲ୍‍ !’’

 

‘‘ଯାହାହେଉ ପଙ୍ଗତ ଉଠିଯିବ ।’’

 

‘‘ସେଇଠୁ ?’’

 

‘‘ତୁମେସବୁ ପଳେଇବ ।’’

 

ହଠାତ୍‍ ଲଣ୍ଠଣ ନିଭିଗଲା । ଢାଇ ଢାଇ ବନ୍ଧୁକ ଶବ୍ଦ ଶୁଭିଲା । ଅନ୍ଧାରରେ ଗୁଳି ଚାଲିଲା-। ଗଦଲ ଚିତ୍କାର କରି କହିଲା, ‘‘ରାଣ ଅଛି, ଖାଇସାରି ଉଠିବ ।’’ କିନ୍ତୁ ସମସ୍ତେ ଜଲ୍‍ଦି ପଳେଇବାକୁ ଖୋଜୁଥିଲେ ।

 

ବାହାରେ ଢାଇ ଢାଇ ଚାଲିଥାଏ । କିଏ ଚିତ୍କାର କରି ଗଡ଼ିଗଲା । ପଙ୍ଗତର ଲୋକେ ପଛବାଟେ ବାହାରିଗଲେ । ସମସ୍ତେ ଚାଲିଗଲାରୁ ଗଦଲ ଉପରକୁ ଚଢ଼ିଲା । ନିହାଲକୁ କହିଲା, ‘‘ପୁଅ ରେ-’’

 

ତା’ସ୍ୱରରେ ଅଖଣ୍ଡ ମମତା ଶୁଣି ସେ ହାଉଯାଉ ଭିତରେ ବି ନିହାଲ୍‍ର ରୁମ ଟାଙ୍କୁରିଉଠିଲା । ସେ ଉତ୍ତର ନଦେଉଣୁ ଗଦଲ କହିଲା, ‘‘ତତେ ମୋ ପେଟର ରାଣ, ନାରଣକୁ ଆଉ ବୋହୂମାନଙ୍କୁ ପିଲାଛୁଆଙ୍କୁ ଘେନି ତୁ ପଛବାଟେ ବାହାରି ପଳା ।’’

 

‘‘ଆଉ ତୁ ?’’

 

‘‘ମୋ କଥା ଛାଡ଼ । ମୁଁ ଦେଖୁଚି ତୋ ଦାଦି ମତେ ପାଖକୁ ଡାକୁଚି ।’’

 

ନିହାଲ ଆଉ କଥା କଟାକଟି କଲା ନାହିଁ । ଜଣେ ବନ୍ଧୁକବାଲାଠୁଁ ବନ୍ଧୁକଟାଏ ନେଇ ଗଦଲ କହିଲା, ‘‘ଚାଲିଯା ସମସ୍ତେ, ବାହାରି ପଳା ।’’

 

ସନ୍ତାନର ମୋହରେ ବନ୍ଧା ହୋଇଥିବା ଯୁବକମାନଙ୍କୁ ବିପତ୍ତି ଅନ୍ଧକାରରେ ବିଲୀନ କରିଦେଲା । ଗଦଲ ଘୋଡ଼ା ଟିପିଲା । କିଏ ପାଟିକରି ପଡ଼ିଗଲା । ସେ ହସିଲା । ବିକରାଳ ହସ ସେ ଅନ୍ଧକାରରେ ପ୍ରତିଧ୍ୱନି କଲା । ଦାରୋଗା ଶୁଣିଲା, ଚମକି ପଡ଼ିଲା-‘‘ମାଇକିନିଆ ! ମର୍ଦ୍ଦ କୁଆଡ଼େ ଗଲେ ?’’ ତା ସିପେହୀମାନେ ପଛଆଡ଼ୁ ଘେରାଉ କରିପକାଇଲେ ଆଉ ଉପରକୁ ଚଢ଼ି ଗଲେ । ଗୁଳି ଚଳେଇଲେ ।

 

ଗଦଲର ପେଟରେ ଗୁଳି ବାଜିଲା ।

 

 

ଯୁଦ୍ଧ ସରିଥାଏ । ଗଦଲ ରକ୍ତରେ ଜୁଡ଼ୁ ବୁଡ଼ୁ ହୋଇ ପଡ଼ିଥାଏ । ପୁଲିସ୍‍ ଫୌଜ ଏକାଠି ହେଲେ । ଦାରୋଗା ପଚାରିଲା, ‘‘ଏଠି ତ କେହି ନାହାନ୍ତି !’’

 

‘‘ହଜୁର !’’ ଗୋଟିଏ ସିପାହୀ କହିଲା, ‘‘ୟେ ମାଇକିନିଆ ଅଛି ।’’

 

ଦାରୋଗା ଆଗକୁ ଆସିଲେ । ସେ ଦେଖିଲେ ଆଉ ପଚାରିଲେ, ‘‘ତୁ କିଏ ?’’

 

ଗଦଲ ମୁରୁକି ହସିଲା ଆଉ ଧୀରସ୍ୱରରେ କହିଲା, ‘‘ଶୁଦ୍ଧକ୍ରିୟା’ ହୋଇଗଲା ଦାରୋଗା ଆଜ୍ଞା, ଆତ୍ମାକୁ ଶାନ୍ତି ମିଳିଗଲା ।’’

 

ଦାରୋଗା ତାତିଯାଇ କହିଲା, ‘‘ହେଲେ, ତୁ କିଏ ?’’

 

ଗଦଲ ଆହୁରି କ୍ଷୀଣ ସ୍ୱରରେ କହିଲା, ‘‘ଯେ ଦିନଟିଏ ଏକୁଟିଆ ରହିପାରିଲା ନାହିଁ, ତାହାରି ।’’

 

ଆଉ ତା’ମୁଣ୍ଡ ଓହଳିପଡ଼ିଲା । ତା ମୁହଁର ସ୍ମିତ ହସ ଦିଶୁଥାଏ ସତେ ଯେମିତି ଆଗରୁ ନିଭିଯାଇଥିବା-ଗୋଟେ ଲଣ୍ଠଣ ଅବିକା ଦାଉ ଦାଉ ଜଳୁଛି ପୁରୁଣା ଅଳନ୍ଧୁଲଗା ଅନ୍ଧାର ଭିତରେ...-

Image

 

ତୃତୀୟ ରାଣ

(ଫଣୀଶ୍ୱରନାଥ ‘ରେଣୁ’)

 

ହିରାମନ୍‍ ଗାଡ଼ୁଆନ୍‍ର ପିଠିଟା ସଲ୍‍ ସଲ୍‍ ହେଉଥାଏ...

 

ଗଲା କୋଡ଼ିଏ ବର୍ଷ ହେଲା ହିରାମନ୍‍ ଗାଡ଼ି ଚଳୋଉଛି । ବଳଦଗାଡ଼ି । ସୀମା ସେପାଖେ ନେପାଳର ମୋରଂ ରାଜ୍ୟରୁ ଧାନ ଆଉ କାଠ ବୋହିଛି । କଣ୍ଟ୍ରୋଲ ବଜାରରେ ଚୋରାବଜାରୀଙ୍କ ଜିନିଷ ଏପାଖରୁ ସେପାଖକୁ ନେଇଛି; କିନ୍ତୁ କେବେ ତା’ପିଠି ଏମିତି ସଲ୍‍ ସଲ୍‍ ହୋଇନାହିଁ ।

 

କଣ୍ଟ୍ରୋଲ କାଳ । ହିରାମନ୍‍ କେବେ ସେ ସମୟକୁ ଭୁଲିପାରେ ? ଥରେ ଚାରି-ଖେପ ସିମେଣ୍ଟ-ଆଉ ଲୁଗା ଗଣ୍ଡିରା ଗାଡ଼ିରେ ବୋଝେଇ କରି ଜୋଗବନୀରୁ ବିରାଟ-ନଗର ପହଞ୍ଚାଇସାରି ହିରାମନ୍‍ର କଲିଜା ପୋଖତ ହୋଇଯାଇଥିଲା । ଫାର୍ବିସ୍‍-ଗଞ୍ଜର ସବୁ ଚୋରା-ବେପାରୀ ତାକୁ ପକ୍‍କା ଗାଡ଼ୁଆନ୍‍ ବୋଲି ସ୍ୱୀକାର କରୁଥିଲେ । ବଡ଼ ବଡ଼ ଗଦ୍ଦିର ବଡ଼ ବଡ଼ ମହାଜନମାନେ ନିଜେ ତା’ବଳଦମାନଙ୍କ ପ୍ରଶଂସା ଗାଆନ୍ତି ନିଜ ଭାଷାରେ ।

 

ପାଞ୍ଚଥର ତା’ ଗାଡ଼ି ଧରାପଡ଼ିଥିଲା ସୀମା ସେପାଖେ ।

 

ମହାଜନର ଗୁମାସ୍ତା କୁଂକିରି-କାଂକିରି ହୋଇ ତା’ରି ଗାଡ଼ିରେ ଲୁଗା ଗଣ୍ଡିରା ତଳେ ଲୁଚିଥିଲା । ଦାରୋଗା ସାହେବଙ୍କ ଦେଢ଼ହାତ ଲମ୍ୱା ଚୋରାବତି ଆଲୁଅ କେଡ଼େ ତୀବ୍ର ତା ହିରାମନ୍‍ ଜାଣିଥିଲା । ଘଣ୍ଟାଏଯାକେ ମଣିଷ ଜଳକା ହୋଇଯିବ, ଆଖି ଉପରେ ଗୋଟାଏ ପରଳ ପଡ଼ିଯିବ । ଆଲୁଅ ସଙ୍ଗେ ସଙ୍ଗେ କଡ଼ କଡ଼ ହୋଇ ଶବ୍ଦ-‘‘ହେଇ, ଗାଡ଼ି ଅଟକା । ଶଳା, ଗୁଳିକରିଦେବି ।’’

 

କୋଡ଼ିଏ ଖଣ୍ଡ ଗାଡ଼ି ଏକାସଙ୍ଗରେ ହଡ଼-ହଡ଼ ହୋଇ ଅଟକିଗଲା । ହିରାମନ୍‍ ତ ଆଗରୁ କହିଥିଲା, ‘‘ୟେ ବିଷ ଚରିଯିବ ।’’ ଦାରୋଗା ସାହେବ ଏଥର ତା’ଗାଡ଼ିରେ ଛପିଥିବା ଗୁମାସ୍ତା ଉପରେ ଆଲୁଅ ପକାଇ ପୈଶାଚିକ ହସ ହସିଲେ, ‘‘ହା-ହା-ହା-ଗୁମାସ୍ତାଏ-ଏ-ହି ହି ହି...ଆବେ ଶଳା ଗାଡ଼ିବାଲା, ମୁହଁକୁ କ’ଣ ଅନେଇଛୁ ବେ-ଏ-ଏ । ୟେ ଅଖା ମୁହଁରୁ କମଳ ଉଠା-।’’ ହାତର ସାନ ବାଡ଼ିରେ ଗୁମାସ୍ତା ପେଟରେ କେଞ୍ଚା ମାରି ମାରି କହିଲେ, ‘‘ଏଇ ଅଖା ଉପରୁ । ଶ-ଶ-ଳା...’’

 

ବହୁକାଳର ପୁରୁଣା ଅକସ-ଅଦୋଉତି ଥିବ ଦାରୋଗା ସାହେବ ଆଉ ଗୁମାସ୍ତାଙ୍କ ଭିତରେ । ନହେଲେ ଏତେ ଏତେ ଟଙ୍କା ଯାଚିଲେ ବି ତାଙ୍କ ମନ ଟଳିଲା ନାହିଁ କାହିଁକି ? ଚାରିହଜାର ଟଙ୍କା ତ ଗାଡ଼ିରେ ବସି ବସି ଦେଉଥିଲା । ଦାରୋଗା ସାହେବ ବାଡ଼ିରେ ଆରପଟକୁ କେଞ୍ଚିଲେ । ପାଞ୍ଚ ହଜାର । ପୁଣି କହିଲେ-‘‘ଓହ୍ଲା ଆଗ ।’’

 

ଗୁମାସ୍ତାକୁ ଗାଡ଼ିରୁ ତଳକୁ ଓହ୍ଲାଇଦେଇ ଦାରୋଗା ତା ଆଖି ଉପରେ ଆଲୁଅ ପକେଇଲେ । ସେଉଠୁ ଦି’ଜଣ ସିପାହୀଙ୍କ ସଙ୍ଗରେ ସଡ଼କରୁ କୋଡ଼ିଏ ପଚିଶି ଦଉଡ଼ି ଦୂରକୁ ବୁଦା ଜଙ୍ଗଲ ପାଖକୁ ନେଇଗଲେ । ଗାଡ଼ୁଆନ୍‍ ଆଉ ଗାଡ଼ିସବୁକୁ ଜଗି ରହିଲେ-ଗୋଟିକୁ ପାଞ୍ଚଜଣ ଲେଖାଏଁ ବନ୍ଧୁକଧାରୀ ସିପାହୀ ପହରା ।

 

ହିରାମନ୍‍ ବୁଝିପାରିଲା ଏଥର ଆଉ ରକ୍ଷା ନାହିଁ । ଜେଲ୍‍ । ହିରାମନ୍‍ର ଜେଲ୍‍କୁ ଡର ନଥିଲା । କିନ୍ତୁ ତା ବଳଦ ? କେଜାଣି କେତେ ଦିନ ଯାକେ ଦାନାପାଣି ନପାଇ ସରକାରୀ ଫାଟକରେ ସେଗୁଡ଼ିକ ପଡ଼ିରହିବେ-ଭୋକ ଶୋଷରେ । ସେଉଠୁ ତାଙ୍କୁ ନିଲାମ କରାଯିବ । ଭାଇଭାଉଜଙ୍କ ଆଗରେ ସେ ଆଉ ଦିନେ ମୁହଁ ଦେଖାଇପାରିବ ନାହିଁ । ନିଲାମ-ଡାକ ତା କାନପାଖେ ଶୁଭିଯାଉଥାଏ-ଏକ୍‍-ଦୁଇ-ତିନ୍‍ । ଦାରୋଗା ଆଉ ଗୁମାସ୍ତାଙ୍କ ଭିତରେ କଥା ଛିଣ୍ଡୁ ନାହିଁ ପରା !

 

ହିରାମନ୍‍ର ଗାଡ଼ି ପାଖରେ ନିଯୁକ୍ତ ହୋଇଥିବା ସିପାହୀ ନିଜ ଭାଷାରେ ଆର ସିପାହୀକୁ ଧୀର ସ୍ୱରରେ କହିଲା, ‘‘କିହୋ, ମକଦ୍ଦମା-ଫକଦ୍ଦମା ଲାଗିବ କି ?’’ ପୁଣି ଧୂଆଁ ପତ୍ର ଟିକିଏ ଦେବା ବାହାନାରେ ସେ ଆର ସିପାହୀ ପାଖକୁ ଚାଲିଗଲା ।

 

ଏକ୍‍-ଦୁଇ-ତିନ୍‍ ! ତିନି ଚାରିଟା ଗାଡ଼ି ଉଢ଼ୁଆଳ କରିଥାଏ । ହିରାମନ୍‍ ନିଷ୍ପତ୍ତି କରିନେଲା । ସେ ଆସ୍ତେ ତା ବଳଦଙ୍କ ବେକରୁ ଦଉଡ଼ି ଫିଟେଇଦେଲା । ଗାଡ଼ି ଉପରେ ବସି ବସି ଦି’ବଳଦଙ୍କୁ ଯୋଡ଼ି କରି ବାନ୍ଧିଦେଲା । ବଳଦ ବୁଝି ପାରିଲେ ତାଙ୍କୁ କଣ କରିବାକୁ ପଡ଼ିବ । ହିରାମନ୍‍ ଓହ୍ଲାଇ ପଡ଼ିଲା । ଯୋଚା ହୋଇଥିବା ଗାଡ଼ିରେ ବାଉଁଶ ଠେକ ଲଗାଇଦେଇ ବଳଦଙ୍କ କାନ୍ଧକୁ ମୁକୁଳାଇଦେଲା । ଦିହିଁଙ୍କ କାନ ପାଖେ ସଲସଲ କଲା, ଆଉ ମନକୁ ମନ କହିଲା–

 

‘‘ଚାଲରେ ଭାଇ, ଜୀବନ ବଞ୍ଚିଲେ ଏମିତି-ଏମିତି ଶଗଡ଼ ଗାଡ଼ି ବହୁତ ମିଳିବ । ଏକ୍‍-ଦୁଇ-ତିନ୍‍- ।’’ ଦେ ଚମ୍ପଟ୍‍ ଛୁ’ ।

 

ଗାଡ଼ିମାନଙ୍କ ଉଢ଼ୁଆଳରେ ସଡ଼କ କଡ଼ରେ ଦୂରଯାକେ ଘଞ୍ଚ ବୁଦା ଜଙ୍ଗଲ ବିଛେଇ ହୋଇଥାଏ । ନିଶ୍ୱାସ ବନ୍ଦ କରି ତିନୋଟିଯାକ ପ୍ରାଣୀ ଜଙ୍ଗଲ ପାରି ହେଲେ-ସୋର୍‍-ଶବଦ ନାହିଁ ।

 

ପୁଣି ‘ଏକ-ଦୁଇ-ଚମ୍ପଟ୍‍ ଛୁ ।’ ଦି’ବଳଦ ଛାତି ଫୁଲେଇ ପୁଣି ତରାଇର ଘନ ଜଙ୍ଗଲରେ ପଶିଗଲେ । ବାଟ ଶୁଙ୍ଘି ନଈ ନାଳ ପାରିହୋଇ ପଳାଇଲେ ଲାଙ୍ଗୁଡ଼ ଟେକି । ପଛେ ପଛେ ହିରାମନ୍‍ । ରାତିଯାକ ପଳୋଉଥିଲେ ତିନିକା ତିନିହେଁ ।

 

ଘରେ ପହଞ୍ଚି ଦି’ଦିନଯାକେ ଅଚେତ ହୋଇ ପଡ଼ିରହିଲା ହିରାମନ୍‍ । ଚେତା ହେଲାରୁ କାନ ଧରି ସେ ନିୟମ କଲା-‘ଆଉ କେବେ ସେମିତିଆ ଜିନିଷ ମୁଁ ଗାଡ଼ିରେ ବୋହିବି ନାହିଁ-ଚୋରା ବଜାରୀର ଜିନିଷ । ରାମ ରାମ !’

 

ଗୁମାସ୍ତାର କ’ଣ ହେଲା ଜଣାନାହିଁ । ତା’ ଶଗଡ଼ ଗାଡ଼ିର କ’ଣ ହେଲା ଭଗବାନଙ୍କୁ ଜଣା । ଅସଲ ଇସ୍ପାତ୍‍ ଲୁହାର ଅଖ ଲାଗିଥିଲା । ଦି ଚକ ତ ନୁହେଁ, ଗୋଟାଏ ଚକ ଅରଖ ନୂଆ ଥିଲା । ଗାଡ଼ିରେ ରଙ୍ଗରଙ୍ଗର ସୂତାର ଝାଲର ବଡ଼ ଯତ୍ନରେ ଗୁନ୍ଥା ହୋଇଥିଲା ।

 

ସେ ଯୋଡ଼ାଏ ନିୟମ କରିପକାଇଲା । ଗୋଟାଏ ତ ସେ ଚୋରାବଜାରୀର ଜିନିଷ ବୋହିବ ନାହିଁ; ଆରଟା-ସେ ବାଉଁଶ ବୋହିବ ନାହିଁ । ଯେ ଭଡ଼ାକୁ ଡାକେ, ଆଗ ତାକୁ ସେ ପଚାରିଦିଏ ‘‘ଚୋର-ଚମାରି ଜିନିଷ ନାହିଁ ତ ? ଆଉ ବାଉଁଶ ?’’ ବାଉଁଶ ବୋହିବାକୁ କିଏ ପଚାଶ ଟଙ୍କା ବି ଦେଉ ହିରାମନ୍‍ର ଗାଡ଼ି ମିଳିବ ନାହିଁ । ଅନ୍ୟ ଗାଡ଼ି ଦେଖ ।

 

ବାଉଁଶ-ବୋଝେଇ ଗାଡ଼ି । ଗାଡ଼ିର ଚାରିହାତ ଆଗକୁ ବାଉଁଶର ଅଗ ପଦାକୁ ବାହାରି ରହିଥାଏ; ଆଉ ପଛପଟକୁ ବି ଚାରିହାତ ବାହାରିଥାଏ । ସେମିତିଆ ବେ-ଅକ୍ତିଆର ବୋଝ ଗାଡ଼ିକୁ ଗହଳି ବାଟ । ସହରିଆ କଥା । ତହିଁରେ ପୁଣି ବାଉଁଶ ଅଗକୁ ଧରି ଚାଲିଥିବା ବେପାରିର ମହା ଓଲୁ ଚାକରଟା ଝିଅପିଲାଙ୍କ ଇସ୍କୁଲ ଆଡ଼କୁ ଅନେଇରହିଲା ।

 

ବେଶ୍‍, ମୋଡ଼ ଉପରେ ଘୋଡ଼ା ଗାଡ଼ି ସଙ୍ଗରେ ଧକ୍‍କା ଲାଗିଗଲା । ଯେତେବେଳେ ହିରାମନ୍‍ ବଳଦଙ୍କ ଦଉଡ଼ି ଟାଣିଲା ସେତେବେଳକୁ ବାଉଁଶ ଅଗରେ ଘୋଡ଼ାଗାଡ଼ିର ଛାତ ଲାଗିଗଲାଣି । ଘୋଡ଼ାଗାଡ଼ିବାଲା ସପାସପ୍‍ ଚାବୁକ୍‍ ବଜେଇ ଗାଳିଦେଇଗଲା ।

 

ଖାଲି ବାଉଁଶ-ବୋଝ ନୁହେଁ-ହିରାମନ୍‍ ଗହଳି ସହରରେ ବୋଝ ବୋହିବା ବି ଛାଡ଼ିଦେଲା । ଆଉ ଯେତେବେଳେ ଫାର୍ବିସଗଞ୍ଜରୁ ମୋରଂ ଯାଏ ଭଡ଼ା ବୋହିବା ଆରମ୍ଭକଲା ତ’ ଗାଡ଼ି ବି ଗଲା । କେତେ ବର୍ଷ ଯାକେ ହିରାମନ୍‍ ବଳଦଙ୍କୁ ଅଧା ଭାଗୁଆରିରେ ଲଗାଇଲା । ଭଡ଼ାରୁ ଅଧେ ନେବେ ଗାଡ଼ିବାଲା, ଆଉ ଅଧେ ବଳଦ-ବାଲା ନେବ । ମାହାଳିଆ ଗାଡ଼ି ଚଳେଇବା କଥା । ଭାଗୁଆରି ରୋଜଗାରରେ ବଳଦଙ୍କର ପେଟ ବି ପୋଷି ହୁଏ ନାହିଁ । ଗତବର୍ଷ ହିଁ ସେ ନିଜ ଗାଡ଼ି ତିଆରି କରିଥିଲା ।

 

ମା’ ଠାକୁରାଣୀ ଭଲ କରିଥାନ୍ତୁ ସେ ସର୍କସ କମ୍ପାନୀ ବାଘଟିର । ଗଲା ବର୍ଷ ଏଇ ମେଳାକୁ ବାଘଗାଡ଼ି ଟାଣି ଟାଣି ନଉଥିବା ଘୋଡ଼ା ଯୋଡ଼ିକଯାକ ମରିଗଲେ । ଚମ୍ପାନଗରରୁ ଫାର୍ବିସ୍‍-ଗଞ୍ଜ ମେଳାକୁ ଗଲାବେଳେ ସର୍କସ କମ୍ପାନୀ ମ୍ୟାନେଜର ଗାଡ଼ିବାଲାମାନଙ୍କ ପେଣ୍ଠରେ ଘୋଷଣା କରି କହିଥିଲା, ଶହେଟଙ୍କା ଭଡ଼ା ମିଳବ । ଜଣେ ଦିଜଣ ଗାଡ଼ିବାଲା ରାଜି ହେଲେ । କିନ୍ତୁ ତାଙ୍କ ବଳଦମାନେ ବାଘଗାଡ଼ିଠୁ ଦଶହାତ ଦୂରରେ ଡରରେ ଭିଡ଼ିକିଲେ; ଦଉଡ଼ି ଛିଣ୍ଡାଇ ପଳାଇଲେ । ହିରା‍ମନ୍‍ ତା’ବଳଦଙ୍କ ପିଠି ସାଉଁଳେଇ କହିଲା, ‘‘ଦେଖ ଭାଇ, ଏମିତି ବାଗ ଆଉ ହାତକୁ ଆସିବ ନାହିଁଟି ! ନିଜ ଗାଡ଼ି ତିଆରି କରେଇବାକୁ ଏଇ ବାଗ ପଡ଼ିଛି । ନ ହେଲେ ପୁଣି ଭାଗରେ ଗାଡ଼ି ଟାଣିବ । ଆରେ, ପିଞ୍ଜରା ଭିତରେ ବାଘଟା ବନ୍ଦ ହୋଇଛି । ତାକୁ କି ଡର ? ମୋରଂର ତରାଇ ବଣରେ ଦଉଡ଼ୁଥିଲାବେଳେ ବାଘକୁ ଦେଖିସାରିଚ । ପୁଣି ତମ ପିଠିଆଡ଼େ ମୁଁ ତ ଅଛି !’’

 

ଗାଡ଼ିବାଲାମାନେ ଏକାସଙ୍ଗରେ ତାଳି ମାରିଥିଲେ । ହିରାମନ୍‍ର ବଳଦମାନେ ସମସ୍ତିଙ୍କୁ ଲଜ୍ଜାରୁ ଉଦ୍ଧାର କଲେ । ଗାଡ଼ିବାଲାମାନେ ବଳଦ ଅଡ଼େଇ ଆଗକୁ ଚାଲିଗଲେ । ଆଉ ଗୋଟି ଗୋଟି ହୋଇ ବଳଦମାନେ ବାଘଗାଡ଼ିରେ ଲାଗିଗଲେ । ଠିକ୍‍ ଡାହାଣପଟ ବଳଦଟି ଯୋଚା ହେଲା ପରେ ବହୁତ ଗୁଡ଼ାଏ ମୁତିଲା । ଦିଦିନଯାକେ ହିରାମନ୍‍ ତା’ନାକରୁ ପଟି ଖୋଲି ନାହିଁ । ବଡ଼ଗଦ୍ଦିର ବଡ଼ ମହାଜନ ଭଳି ନାକରେ ପଟି ନବାନ୍ଧି ବାଘୁଆଗନ୍ଧ କେହି ସହିପାରିବ ନାହିଁ । ବାଘଗାଡ଼ିର ଗାଡ଼ୁଆନ୍‍ କାମ କରିଛି ହିରାମନ୍‍ । କେବେ ତା ପିଠି ଏମିତି ସଲସଲ ହୋଇନାହିଁ । ଆଜି ଥାଇ ଥାଇ ମଝିରେ ତା’ଗାଡ଼ିରେ ଚମ୍ପାଫୁଲ ମହକୁଥାଏ । ପିଠି ସଲସଲ ହେଲେ ସେ ଗାମୁଛାରେ ପିଠି ଝାଡ଼ିପକାଏ ।

 

ହିରାମନ୍‍କୁ ଲାଗୁଥାଏ ଦିବର୍ଷ ହେଲା ଚମ୍ପାନଗର ମେଳାର ମା’ ଭଗବତୀ ତାକୁ ପ୍ରସନ୍ନ ହୋଇଛନ୍ତି । ଗଲା ସନ ବାଘଗାଡ଼ି ମିଳିଗଲା; ନଗଦ ଶହେଟଙ୍କା ଭଡ଼ା । ଚାହା, ବିସ୍କୁଟ୍‍ ଆଉ ରାସ୍ତାଯାକ ମାଗଣାରେ ମାଙ୍କଡ଼, ଭାଲୁ, ଜୋକରଙ୍କ ତାମ୍‍ସା ବି ଦେଖିଲା ।

 

ଆଉ ଏଥର ୟେ ଯୁବତୀଟି ଗାଡ଼ିରେ ବସିଛି । ସେ ସ୍ତ୍ରୀଲୋକ କି ଚମ୍ପାଫୁଲ ? ଯେତେବେଳଠୁଁ ଗାଡ଼ିରେ ବସିଲାଣି ସେତେବେଳଠୁଁ ଗାଡ଼ି ମହ-ମହ ବାସୁଛି ।

 

କଚା ସଡ଼କର ଗୋଟିଏ ସାନ ଗାଡ଼ରେ ଗାଡ଼ର ଡାହାଣ ଚକ ପଡ଼ିଯାଇ ଧକଡ଼-ଚକଡ଼ ହେଲା । ହିରା‍ମନ୍‍ର ଗାଡ଼ି ଭିତରୁ ସରୁ ସିଠି ଭଳି ଶବ୍ଦ ଶୁଭିଲା । ହିରାମନ୍‍ ଡାହାଣ ବଳଦକୁ ପାଞ୍ଚଣରେ ପିଟୁ ପିଟୁ କହିଲା ‘‘ଶଳା, କ’ଣ ଭାବିଚୁ ବେ ? ଏ କଣ ଶସ୍ତା ବୋଝେଇ ହେଇଚି କି ରେ ?’’

 

‘‘ଆହା, ମାରନାହିଁ ।’’

 

ଅଦେଖା ସ୍ତ୍ରୀଲୋକର ସ୍ୱର ହିରାମନ୍‍କୁ ଆଶ୍ଚର୍ଯ୍ୟ କରିଦେଲା । ପିଲାଙ୍କ ପାଟିକରି କଅଁଳ, ଅତି ଉଚ୍ଛ୍ୱସିତ, ଗଦ୍‍ଗଦ ଆଉ କଅଁଳିଆ; ସତେ ଯେପରି ଗିଲାସ ଉପରେ ଫେଣ ।

 

ମଥୁରାମୋହନ ନୌଟଂକୀ କମ୍ପାନୀରେ ଯେଉଁ ହୀରାବାଈ ଲୈଲା ପାର୍ଟ କରେ ତା’ନା କିଏ ନଶୁଣିଥିବ ଯେ ! କିନ୍ତୁ ହିରାମନ୍‍ କଥା ସ୍ୱତନ୍ତ୍ର । ସେ ଲାଗି-ଲାଗି ସାତବର୍ଷ ହେଲା ମେଳାକୁ ବୋଝେଇ ଶଗଡ଼ ବୋହୁଛି ଯେ ନୌଟଂକୀ ଥିଏଟର କି ବାଇସ୍କୋପ୍‍ ସିନେମା କେବେ ଦେଖିନାହିଁ-। ଲୈଲା କି ହୀରାବାଈର ନାଁ ବି ସେ କେବେ ଶୁଣିନାହିଁ; ଦେଖିବା କଥା ଛାଡ଼ । ସେ ମେଳା ଭାଙ୍ଗିବା ପନ୍ଦର ଦିନ ଆଗରୁ ରାତି ଅଧବେଳେ କଳା ଓଢ଼ଣିରେ ଢାଙ୍କିହୋଇଥିବା ସ୍ତ୍ରୀଲୋକକୁ ଦେଖି ତା’ମନରେ ଛନକା ପଶିଲା । ଅବଶ୍ୟ କାବା ଲାଗିଥିଲା ଯେତେବେଳେ ବାକ୍‍ସ ବୋହିଥିବା ଚାକର ଗାଡ଼ିଭଡ଼ା ବିଷୟରେ ଦର ପଟେଇବାକୁ ଚେଷ୍ଟା କରୁଥାଏ । ସେତେବେଳେ ସେ ଓଢ଼ଣିଢଙ୍କା ସ୍ତ୍ରୀଲୋକ ମୁଣ୍ଡ ହଲାଇ ତାକୁ ମନାକରିଦେଲା ।

 

ହିରାମନ୍‍ ଗାଡ଼ି ଯୋଚୁ ଯୋଚୁ ଚାକରକୁ ପଚାରିଲା, ‘‘ଦେଖ ଭାଇ, କିଛି ଚୋରି-ଚମାରି ଜିନିଷ ନାହିଁ ତ ?’’ ହିରାମନ୍‍କୁ ପୁଣି ଆଶ୍ଚର୍ଯ୍ୟ ଲାଗିଲା । ବାକ୍‍ସ ବୋହିଥିବା ଲୋକଟା ହାତ ଠାରି ଗାଡ଼ି ଚଳେଇବାକୁ କହିଦେଇ ଅନ୍ଧାରରେ କୁଆଡ଼େ ଲୁଚିଗଲା । ମେଳାରେ ଧୂଆଁ ପତ୍ର ବିକୁଥିବା କାଳି ବୁଢ଼ୀ କଥା ହିରାମନ୍‍ର ମନେପଡ଼ିଲା ।

 

ଏମିତିରେ କ’ଣ କେହି କେବେ ଗାଡ଼ି ଚଲାଏ ! ଏକେତ ପିଠିଟା ସଲସଲ ଲାଗୁଛି; ଦ୍ୱିତୀୟରେ ପୁଣି ରହିରହିକା ତା’ଗାଡ଼ିରୁ ଚମ୍ପାଫୁଲର ମହକ ଆସୁଛି । ବଳଦଙ୍କୁ ଗାଳିଦେଲେ ତା’ସବାର ତ ‘ଇସ୍‍ ଇସ୍’ କରୁଚି...ତା’ସବାର୍.. ।

 

ମାଇକିନିଆ ଏକୁଟିଆ ଅଛି । ଧୂଆଁ ପତ୍ର ବିକାଳି ବୁଢ଼ୀ ନୁହେଁ । ଶବ୍ଦ ଶୁଣିଲା ପରେ ସେ ବାରମ୍ୱାର ମୁହଁ ବୁଲେଇ ଗାଡ଼ି ଆଡ଼କୁ ଗୋଟାଏ ନଜର ପକେଇଦିଏ । ଗାମୁଛାରେ ପିଠି ଝାଡ଼େ । ଭଗବାନ ଜାଣନ୍ତି କ’ଣ ଏଥର ତା’କପାଳରେ ଲେଖା ଅଛି ଯେ ! ଗାଡ଼ି ଏଥର ପୂର୍ବଆଡ଼କୁ ବୁଲିଲା । ଚେନାଏଁ ଜହ୍ନ ଆଲୁଅ ତା’ ଗାଡ଼ି ଭିତରେ ପଶିଲା । ଗାଡ଼ିରେ ବସିଥିବା ସ୍ତ୍ରୀଲୋକର ନାକ ଉପରେ ଗୋଟାଏ ଜୁଳୁଜୁଳିଆ ଦାଉ ଦାଉ ଦିଶିଲା । ହିରାମନ୍‍କୁ ସବୁକଥା ରହସ୍ୟମୟ, ଅଶ୍ରୁତ, ଅଦ୍‍ଭୂତ ଲାଗୁଥାଏ । ଆଗରେ ଚମ୍ପାନଗରରୁ ସିନ୍ଧିଆ ଗାଁଯାକେ ପଡ଼ିଆଟା ଲମ୍ୱି ରହିଛି.. ଡାଆଣୀ-ଡଂକୁଣୀ ନୁହେଁ ତ ?

 

ହିରାମନ୍‍ର ସବାର କର ଲେଉଟାଇଲା । ଜହ୍ନ ଆଲୁଅ ତା’ ସାରା ମୁହଁ ଉପରେ ପଡ଼ିଲା ତ ହିରାମନ୍‍ ଚିର୍ଚିରେଇ ଉଠୁ ଉଠୁ ଅଟକିଗଲା, ‘ଆରେ ବାପ୍‍ ରେ, ଏ ତ ପରୀଟାଏ !’

 

ପରୀର ଆଖି ଖୋଲିଗଲା । ହିରାମନ୍‍ ଆଗକୁ ସଡ଼କ ଆଡ଼କୁ ମୁହଁକଲା, ଆଉ ବଳଦଙ୍କୁ ଟାକରା ଫୁଟେଇଲା । ସେ ଜିଭକୁ ତାଳୁରେ ଲଗାଇ ‘ଟି-ଟି-ଟି’ ଶବ୍ଦ ବାହାର କରୁଥାଏ । ହିରାମନ୍‍ର ଜିଭ କେଜାଣି କେତେବେଳୁ ଶୁଖି କାଠ ହୋଇଯାଇଥାଏ ।

 

‘‘ଭାଇ, ତମ ନାଆଁ କ’ଣ ?’’

 

ଏକଦମ୍‍ ଗିଲାସରେ ଫେଣ ! ହିରାମନ୍‍ର ମନ ଟାଙ୍କୁରିଉଠିଲା । ପାଟିରୁ କଥା ବାହାରିଲା ନାହିଁ । ତା’ବଳଦ ଯୋଡ଼ିକ ବି କାନ ଠିଆକରି ସେ ସ୍ୱରକୁ ପରଖୁଥାନ୍ତି ।

 

‘‘ମୋ ନାଁ ? ନାଁ ମୋର ହିରାମନ୍‍ ।’’

 

ଗାଡ଼ିରେ ଚଢ଼ିଥିବା ସ୍ତ୍ରୀଲୋକ ମୁରୁକି ହସୁଛି । ତା’ହସରେ ବାସ୍ନା ଅଛି ।

 

‘‘ତାହେଲେ ତ ମିତ ବୋଲି ଡାକିବି, ଭାଇ ଡାକିବି ନାହିଁ । ମୋ ନାଁ ବି ହୀରା ।’’

 

‘‘ଇସ୍‍ !’’ ହିରାମନ୍‍ର ବିଶ୍ୱାସ ହେଲା ନାହିଁ । ମର୍ଦ୍ଦ ଆଉ ମାଇକିନିଆଙ୍କ ନାଁ ତ ଅଲଗା ଅଲଗା ହୁଏ !

 

‘‘ହଁ, ମୋ ନାଁ ବି ହୀରାବାଈ ।’’

 

କାହିଁ ହିରା‍ମନ୍‍, କାହିଁ ହୀରାବାଈ ! ବହୁତ ତଫାତ୍‍ ।

 

ହିରାମନ୍‍ ତା’ବଳଦକୁ ଧମକେଇଲା, ‘‘କାନ ଠିଆକରି ଗପ ଶୁଣିଲେ କ’ଣ ତିରିଶି କୋଶ ବାଟ କଟିଯିବ କିରେ ? ଏ ବାଁପଟ ବଳଦ ପେଟରେ ଖାଲି ସଇତାନୀ ପୂରିଛି ।’’ ହିରାମନ୍‍ ବାଁପଟ ବଳଦକୁ ପାଞ୍ଚଣରେ ଆସ୍ତେ ପାହାରେ ଦେଲା ।

 

‘‘ମାର ନାହିଁ, ଧୀରେ ଧୀରେ ଚାଲନ୍ତୁ । କୋଉ ତରତର ପଡ଼ିଛି କି ?’’

 

ହିରାମନ୍‍ ମନରେ ପ୍ରଶ୍ନ ଉଠିଲା; ସେ କ’ଣ ବୋଲି ଡାକି ହୀରାବାଈ ସଙ୍ଗରେ ଗପ କରିବ ? ‘ତୁମେ’ କି ‘ଆଜ୍ଞା’ ? ତା’ଭାଷାରେ ବଡ଼ବଡ଼ଙ୍କୁ ‘ଆଜ୍ଞା’ ଅର୍ଥାତ୍‍ ‘ଆପଣ’ କହି ସମ୍ୱୋଧନ କରାଯାଏ । ଭଦ୍ରଲୋକ ଭାଷାରେ ଦି’ ଚାରିଥର ପ୍ରଶ୍ନ ଉତ୍ତର ସିନା ଚଳିପାରିବ, କାହା ସଙ୍ଗରେ ଗପ ତ ଗାଉଁଲି ବୋଲିରେ ଚାଲେ ।

 

ଅଶିଣ କାର୍ତ୍ତିକ ପାହାନ୍ତିଆରେ ଯେଉଁ କୁହୁଡ଼ି ଘୋଟିଯାଏ, ହିରାମନ୍‍ର ତା’ପ୍ରତି ବହୁକାଳର ବିରକ୍ତି ଥାଏ । ଅନେକ ଥର ସେତେବେଳେ ସେ ରାସ୍ତା ଛାଡ଼ିଦେଇ ଭୁଆଁ ବୁଲିଛି; କିନ୍ତୁ ଆଜି ବି ପାହାନ୍ତିଆର ସେ ବହଳ କୁହୁଡ଼ିରେ ସେ ବୁଡ଼ିଯାଇଛି । ପବନରେ ଫୁଲ ଫୁଟିଥିବା ଗହଳ ଧାନକ୍ଷେତର ବାସ୍ନା ! ପର୍ବ-ପାର୍ବଣ ଦିନରେ ଗାଁରେ ଏମିତି ବାସ୍ନା ବିଛେଇ ହୋଇଥାଏ । ତା’ଗାଡ଼ିରେ ପୁଣି ଚମ୍ପା-ଫୁଲ ମହକିଲା, ପରୀ ବସିଛି....ଜୟ ଭଗବତୀ !

 

ହିରା‍ମନ୍‍ ଆଖିକଣବାଟେ ଚାହିଁ ଦେଖିଲା, ତା’ସବାର୍‍...ତା’ମିତଣୀ... ହୀରାବାଈର ଆଖି ବୁଲିବୁଲି ତାକୁ ଦେଖୁଛି । ହିରା‍ମନ୍‍ର ମନରେ କେଉଁ ଅଜଣା ରାଗିଣୀ ବାଜିଉଠିଲା । ସାରା ଦେହ ଶିର୍‍ ଶିର୍‍ ହେଲା । ସେ କହିଲା, ‘‘ବଳଦକୁ ପିଟିଲେ ଆପଣଙ୍କୁ ଭାରି ଖରାପ ଲାଗେ ?’’

 

ହୀରାବାଈ ପରଖି ନେଇଥିଲା, ହିରା‍ମନ୍‍ ପ୍ରକୃତରେ ହୀରା ।

 

ଚାଳିଶି ବର୍ଷର ତଗଡ଼ା-ତାଗଡ଼ା କଳା ମିଚିମିଚି ଗାଉଁଲି ଭେଣ୍ଡିଆ, ନିଜ ଗାଡ଼ି ଆଉ ନିଜ ବଳଦଙ୍କ ଛଡ଼ା ଦୁନିଆଁର ଆଉ କୌଣସି କଥାରେ ବିଶେଷ ମନ ଦିଏନାହିଁ । ଘରେ ବଡ଼ଭାଇ ଅଛି, ଚାଷ କରେ; ଛୁଆପିଲା ଥବା ଲୋକ । ହିରାମନ୍‍ ଭାଇଠୁଁ ବଳି ଭାଉଜକୁ ବେଶି ମାନେ । ଭାଉଜକୁ ଡରେ ବି । ହୀରାମନ୍‍ର ବି ବିଭାଘର ହୋଇଥିଲା ପିଲାଦିନେ । ଶାଶୁଘରକୁ ନଆସୁଣୁ ଭାରିଯାଟି ମରିଗଲା । ହିରାମନ୍‍ର ନିଜ ଭାରିଯା ଚେହେରା ମନେନାହିଁ । .....ଆଉ ଥରେ ବାହାଘର ? ଆଉ ଥରେ ବାହା ନହେବାକୁ ବହୁତ କାରଣ ଅଛି । ଭାଉଜ ଜିଦି ଧରିଛି କୁଆଁରୀଝିଅ ସଙ୍ଗରେ ହିରାମନ୍‍ର ବିଭାଘର କରିବ । ‘କୁଆଁରୀଝିଅ’ ମାନେ ପାଞ୍ଚ ସାତବର୍ଷର ଝିଅ । କିଏ ମାନୁଛି ତା’ଶରଧାର ଆଇନ୍‍କୁ ? ଝିଅବାଲାର ସେମିତି ଗରଜ ପଡ଼ିଲେ ଯାଇ ଦୋଭେଇ ବରକୁ ଝିଅ ବାହା କରିବ ସିନା ! ଭାଉଜ ଯେ ତାର ତ୍ରିବାର ସତ୍ୟ କରି ବସିଛି, ସେ ବସିଛି । ଭାଉଜ ଆଗରେ ଭାଇ ବି ପାଟି ଫିଟାଇ ପାରିବ ନାହିଁ । ...ସେଉଠୁ ହିରାମନ୍‍ ନିଶ୍ଚୟ କରିନେଇଛି ଯେ ସେ ବିଭା ହେବ ନାହିଁ । କିଏ ଅଡ଼ୁଆ ମୂଲୋଉଛି ? ବାହା ହେଲେ କେହି ଗାଡ଼ି ଚଳେଇବା କାମ କରିପାରିବ ଭଲା ? ଆଉ ସବୁ ପଛେ ଗଲେ ଯାଉ, ଶଗଡ଼ିଆ କାମ ହିରାମନ୍‍ ଛାଡ଼ି ପାରିବ ନାହିଁ ।

 

ହିରା‍ମନ୍‍ ଭଳି ଏପରି ଅକପଟ ଲୋକ ହୀରାବାଈ ଖୁବ୍‍ କମ୍‍ ଦେଖିଛି । ପଚାରିଲା, ‘‘ତୁମ ଘର କେଉଁ ଜିଲ୍ଲାରେ ?’’ କାନପୁର ନାଁ ଶୁଣି ତାର ହସ ଛୁଟିଲା ଯେ ବଳଦ ଭିଡ଼ିକିଲେ । ହୀରାମନ୍‍ ହସିଲାବେଳେ ମୁଣ୍ଡ ତଳକୁ ପୋତେ । ହସ ବନ୍ଦ ହେବାରୁ ସେ କହିଲା, ‘‘ବାହ-ବାହ ରେ କାନପୁର, ତେବେ ତ ନାକ୍‍ପୁର ବି ଥିବ ?’’ ଯେଉଁଠୁ ହୀରାବାଈ କହିଲା ଯେ ନାକ୍‍ପୁର ବି ଅଛି ତ’ ସେ ହସି ହସି ଗଡ଼ିଲା ।

 

‘‘ବାହା-ବାହାରେ ଦୁନିଆ । କେତେ ପ୍ରକାର ନାଁ ସବୁ ଥାଏ-କାନପୁର-ନାକ୍‍ପୁର ।’’ ହିରା‍ମନ୍‍ ହୀରାବାଈର କାନର ଫୁଲକୁ କାବା ହୋଇ ଅନାଇଲା । ନାକର ନାକମାଛିକୁ ଦେଖି ତା’ଦେହ ଶିର୍‍ଶିର୍‍ ହେଲା-ସେ ସତେ କି ରକ୍ତ ଟୋପାଏ !

 

ହିରାମନ୍‍ ହୀରାବାଈ ନାଁ କେବେ ଶୁଣି ନଥିଲା । ନୌଟଂକୀ କମ୍ପାନୀର ମାଇକିନିଆମାନଙ୍କୁ ସେ ବାବାଜୀ ବୋଲି ଭାବେ ନାହିଁ । କମ୍ପାନୀରେ କାମ କରୁଥିବା ସ୍ତ୍ରୀଲୋକମାନଙ୍କୁ ସେ ଦେଖିସାରିଛି । ସର୍କସ୍‍ କମ୍ପାନୀର ମାଲିକାଣୀ ତା ଦି’ଝିଅଙ୍କୁ ସଙ୍ଗରେ ଧରି ବାଘଗାଡ଼ି ପାଖକୁ ଆସୁଥିଲେ । ବାଘକୁ ଖାଇବା-ପିଇବାକୁ ଦେଇଯାଇଥିଲା, ଶରଧା ବି କରିଥିଲା-। ତା’ବଡ଼ଝିଅ ହିରାମନ୍‍ର ବଳଦକୁ ବି ବିସ୍କୁଟ୍‍ ଆଉ ପାଉଁରୁଟି ଖୁଆଇଥିଲା ।

 

ହିରାମନ୍‍ ହୁସିଆର ମଣିଷ । କୁହୁଡ଼ି କଟୁ କଟୁ ତା’ଚାଦରକୁ ଗାଡ଼ି ତାଟିମୁହଁରେ ପର୍ଦ୍ଦା କରିଦେଲା । ‘‘ଆଉ ଦିଘଣ୍ଟା, ତାପରେ ବାଟ ଚାଲିବା କଷ୍ଟ । କାର୍ତ୍ତିକର ସକାଳ ଖରା ଆପଣ ସହିପାରିବେ ନାହିଁ । କଜ୍ଜରୀ ନଈ କୂଳରେ ତେଗଛିଆ ପାଖରେ ଗାଡ଼ି ଲଗାଇଦେବି । ଦିପହରଟା କଟାଇ....’’

 

ସାମନାରୁ ଆସୁଥିବା ଗାଡ଼ିକୁ ଦୂରରୁ ଦେଖିପକାଇ ସେ ଶଂକିଗଲା । ମଣିଷ ଆଉ ବଳଦଙ୍କ ଉପରକୁ ଲକ୍ଷ୍ୟ ରଖି ବସିରହିଲା । ବାଟ କାଟି ଗଲାବେଳେ ଶଗଡ଼ିଆ ପଚାରିଲା ‘‘ମେଳା କ’ଣ ଭାଙ୍ଗୁଚି କିହୋ ଭାଇ ?’’

 

ହିରାମନ୍‍ ଉତ୍ତର ଦେଲା ଯେ ସେ ମେଳା ଖବର ଜାଣିନାହିଁ, ତା’ଗାଡ଼ିରେ ଶଶୁର ଘରକୁ ଯାଉଥିବା ବୋହୂ ବସିଛନ୍ତି । କ’ଣ ନାଇଁ କ’ଣ ନାଁଟାଏ ବତେଇ ଦେଲା ହିରାମନ୍‍ ।

‘‘ଛତ୍ତାପୁର-ପଚିରା ଗାଁଟା କୋଉଠି ?’’

‘‘ଯୋଉଠି ଥାଉ ସେଇଟା ଜାଣି କ’ଣ ହେବ ?’’

ହିରା‍ମନ୍‍ ନିଜ ଚତୁରପଣରେ ହସିପକାଇଲା । ପରଦା ପକାଇଦେଲେ ବି ତା’ପିଠି ସଲସଲ ଲାଗୁଥାଏ ।

ହିରାମନ୍‍ ପର୍ଦ୍ଦା କରବାଟେ ଦେଖୁଥାଏ । ଦିଆସିଲି ଖୋଳ ପରି ଗୋଟାଏ ଆଇନା ଧରି ହୀରାବାଈ ତା ଦାନ୍ତ ଦେଖୁଛି । ଥରେ ମଦନପୁର ମେଳାରୁ ତା’ବଳଦଙ୍କ ପାଇଁ ହିରାମନ୍‍ ସାନ ସାନ ଚିତ କଉଡ଼ିହାରଟିଏ କିଣିଥିଲା, ସାନ ସାନ, ଟିକି ଟିକି କଉଡ଼ି ଧାଡ଼ିଏ ।

ତେଗଛିଆର ତିନୋଟିଯାକ ଗଛ ଦୂରରୁ ଦିଶୁଥାଏ । ହିରାମନ୍‍ ପର୍ଦ୍ଦାକୁ ଟିକିଏ ଆଡ଼େଇଦେଇ କହିଲା, ‘‘ହେଇଟି ଦେଖନ୍ତୁ, ଏଇ ତେଗଛିଆ, ଜଟାମାସୀ ଗଛ ଦୋଟି ବରଗଛଟିଏ....ଆପଣଙ୍କ କୁର୍ତ୍ତାରେ ଯେମିତିଆ ଫୁଲର ଛାପା ଅଛି, ସେମିତିଆ...କ’ଣ ସେ ଫୁଲ ନାଁଟି ? ଭାରି ବାସେ, ଦିକୋଶ ଦୂରକୁ ବାସ୍ନା ଯାଏ । ସେ ଫୁଲକୁ ଖମୀରା ଧୂଆଁପତ୍ରରେ ପକାଇ ଧୂଆଁ ପିଅନ୍ତି ବି ଲୋକେ ।’’

‘‘ଆଉ ସେ ଆମ୍ୱଗଛ ଉହାଡ଼ରୁ କେତେଟା ଘର ଦିଶୁଛି ଯେ ସେଠି କେଉଁ ଗାଁ ନାଁ ଦେଉଳ ?’’

ହିରାମନ୍‍ ବିଡ଼ି ଲଗାଇବା ଆଗରୁ ପଚାରିଲା, ‘‘ବିଡ଼ି ପିଇବି ? ଆପଣଙ୍କୁ ବିଡ଼ି-ଗନ୍ଧରେ ବାଧା ହେବ ନାହିଁ ତ ? ......ସେଇଟା ମାମଲ୍‍ଗାର୍‍ ସିଂଦର୍ଜା । ଯେଉଁ ରାଜା ବସେଇଥିବା ମେଳାରୁ ଆମେସବୁ ଆସୁଛୁଁ ତାଙ୍କରି କୀର୍ତ୍ତି । ଗୀତ ଅଛି ପରା-ଯାରେ ଅମଳ ଯା ।’’

ହିରାମନ୍‍ ‘‘ଯାରେ ଅମଳ ଯା’’ କହିଦେଇ କଥାକୁ ସତେ ଯେମିତି ଚିନି ସିରାରେ ପକାଇଦେଲା । ହୀରାବାଈ ପର୍ଦ୍ଦାକୁ ତେର୍ଛା କରି ଖୋସିଦେଲା......ହୀରାବାଈର ଦାନ୍ତ ଦିଧାଡ଼ି.... ।

‘‘କୋଉ ଅମଳ ?’’ ହୀରାବାଈ ତା’ଥୋଡ଼ିରେ ହାତଦେଇ ଆଉ ଥରେ ପଚାରିଲା ।

‘‘ମାମ୍‍ଲଗାର୍‍ ସିଂଦର୍ଜାର ଅମଳ । କ’ଣ ଥିଲା, ଆଉ କେଉଁଥିରୁ କ’ଣ ହୋଇଗଲା ।’’

ହିରାମନ୍‍ କଥାକୁ ଆକର୍ଷଣୀୟ କରିବା ବାଗ ଜାଣେ । ହୀରାବାଈ କହିଲା, ‘‘ତୁମେ ସେ ଅମଳ ଦେଖିଥିଲ ?’’

‘‘ଦେଖିନାହିଁ, ଶୁଣିଛି...ରାଜ୍ୟ କେମିତି ଗଲା ସେ ବଡ଼ ଅଦ୍ଭୁତ କାହାଣୀ । ଶୁଣିଛୁଁ, ତାଙ୍କ ଘରେ ଦେବତା ଜନ୍ମହେଲେ । କହନ୍ତୁ ତ-ଦେବତା ଯେତେହେଲେ ଦେବତା ତ ! କି ନୁହନ୍ତି ? ଇନ୍ଦ୍ରାସନ ଛାଡ଼ି ମର୍ତ୍ତ୍ୟପୁରରେ ଜନ୍ମ ହୁଅନ୍ତୁ ପଛେ ତାଙ୍କ ତେଜକୁ କିଏ କେମିତି ସମ୍ଭାଳିବ ? ସୂର୍ଯ୍ୟମୁଖୀ ଫୁଲପରି ମୁଣ୍ଡ ପାଖରେ ତେଜ ଖେଳୁଥାଏ । କିନ୍ତୁ ଘଟନାଚକ୍ର ତ, କେହି ଚିହ୍ନି ପାରିଲେ ନାହିଁ । ଥରେ ଲାଟ୍‍ସାହେବ ଆଉ ତାଙ୍କ ଭାରିଯା ଉପଲୌନ୍‍ ସହରକୁ ଆସିଲେ ଗୋଟିକିଆ ଘୋଡ଼ା ଗାଡ଼ିରେ । ଲାଟ୍‍ ତ ଚିହ୍ନି ପାରିଲେ ନାହିଁ. ଚିହ୍ନିଲେ ଶେଷରେ ତାଙ୍କ ଭାରିଯା । ସୂର୍ଯ୍ୟମୁଖୀ ଫୁଲଭଳି ତେଜ ଦେଖି କହିପକାଇଲେ ‘‘ଏ ମୋନ୍‍ ରାଜାସାହେବ୍‍ ଶୁଣ, ୟେ ମଣିଷସନ୍ତାନ ନୁହେଁ, ୟେ ଦେବତା’।’’

ହିରାମନ୍‍ ଲାଟ୍‍ସାହେବଙ୍କ ଭାରିଯାଙ୍କ ବୋଲି ଅନୁକରଣ କରୁ କରୁ ‘ଡେମ୍‍’ ‘ଫେଟ୍‍’ ‘ଲେଟ’ କହିଲା । ହୀରାବାଈ ମନଖୋଲି ବହେ ହସିଲା । ହସିଲାବେଳେ ତା’ସାରା ଦେହ ଦୁଲୁକୁଥାଏ । ହୀରାବାଈ ତା’ବେଣୀ ଠିକ୍‍ କରିଦେଲା । ସେଉଠୁ ହିରାମନ୍‍ ଲାଗିଲା...ଲାଗିଲା...

 

‘‘ସେଉଠୁ ? ତାପରେ କ’ଣ ହେଲାଟି ମିତ ?

 

‘‘ଇସ୍‍ସ ! କଥା ଶୁଣିବାକୁ ଭାରି ସଉକ ଆପଣଙ୍କର-ନୁହେଁ ? କିନ୍ତୁ କାଲା ଆଦ୍‍ମୀ ରାଜା ହେଲେ କେତେ ମହାରାଜା ହେଲେ କେତେ, ରହିବ ସେହି କାଲା ଆଦ୍‍ମୀ ହିଁ ! ସାହେବଭଳି ଏତେ ଅକଲ ତାର କୋଉଠୁ ହେବ ? ହସି ହସି ସମସ୍ତେ ସେ କଥାକୁ ଉଡ଼େଇ ଦେଲେ, ସେଉଠୁ ରାଣୀଙ୍କୁ ଦେବତା ଥରକୁ ଥର ସପନେଇଲେ । କହିଲେ-ସେବା ନକରି ପାରୁଛୁ ତ ଥାଉ-ରହିବି ନାହିଁ ତୋ ଘରେ । ତା ଉତ୍ତାରୁ ଦେବତାଙ୍କ ଖେଳ ଆରମ୍ଭ ହୋଇଗଲା । ସମସ୍ତିଙ୍କ ଆଗରୁ ଦିଟାଯାକ ଦନ୍ତାହାତୀ ମଲେ, ସେଉଠୁ ଘୋଡ଼ା, ସେଉଠୁ ପଟ୍‍ପଟାଂ....’’

 

‘‘ପଟ୍‍ପଟାଂ କ’ଣ ?’’

 

ହିରା‍ମନ୍‍ର ମନ ପଲକେ ପଲକେ ବଦଳିଯାଉଥାଏ । ତାକୁ ଲାଗୁଥାଏ, ସତେ ଅବା ତା’ମନ ଭିତରେ ନାନା ବର୍ଣ୍ଣର ଛଡ଼ା ଦୋହଲିଉଠୁଛି । ...ତା’ ଗାଡ଼ିରେ ଦେବକୁଳର ସ୍ତ୍ରୀଲୋକ ବସିଛି । ଦେବତା, ଯାହାହେଉ ପଛେ ଦେବତା ।

 

‘‘ପଟ୍‍ପଟାଂ । ଧନ-ଦୌଲତ୍‍, ଜିନିଷ ସବୁକୁ ସବୁ ସଫା । ଦେବତା ଇନ୍ଦ୍ରାସନକୁ ଫେରିଗଲେ ।’’

 

ହୀରାବାଈ ଆଖିରୁ ଅନ୍ତର ହୋଇଯାଉଥିବା ମନ୍ଦିରର ଚୂଡ଼ା ଆଡ଼କୁ ଅନାଇଁ ଦୀର୍ଘଶ୍ୱାସ ପକାଇଲା ।

 

‘‘କିନ୍ତୁ ଦେବତା ଗଲାବେଳେ କହିଗଲେ ଏ ରାଜ୍ୟରେ କେବେହେଲେ ଗୋଟିକରୁ ବେଶି ପୁଅ ହେବନାହିଁ । ଧନ ତ ମୁଁ ମୋ ସଙ୍ଗରେ ନେଇଯାଉଛି; ଗୁଣ ଛାଡ଼ିଦେଇଯାଉଛି । ଦେବତାଙ୍କ ଅଭିଶାପରୁ ଦେବାଦେବୀ ଚାଲିଗଲେ, ଏକା ସରସ୍ୱତୀ ମାତା ରହିଗଲେ । ତାଙ୍କରି ମନ୍ଦିର ୟେ ।’’

 

ଦେଶୀ ଘୋଡ଼ାଙ୍କ ଉପରେ ପାଟ-ବୋଝ ଲଦି ବେପାରିମାନେ ଯାଉଥିବା ଦେଖି ହିରା‍ମନ୍‍ ତା’ଗାଡ଼ି ତାଟର ପର୍ଦ୍ଦା ପକାଇଦେଲା । ବଳଦଙ୍କୁ ଟେହିଦେଇ ବିଦେଶୀ ନାଚର ଗୀତରେ ବନ୍ଦନା ଗୀତ ଗାଇବାକୁ ଲାଗିଲା–

 

‘‘ଜୟ ମା ସରସ୍ୱତୀ, ଘେନ ମୋ ଦୟିନୀ

ଆମପ୍ରତି ହୋଇଥାଅ ସାହା ମା ଗୋ,

ଆମପ୍ରତି ହୋଇଥାଅ ସାହା ।’’

 

ଲଦ୍ଦାଘୋଡ଼ା ନେଉଥିବା ମହାଜନମାନଙ୍କୁ ହିରା‍ମନ୍‍ ଖୁସି କରିଲାଭଳି ପଚାରିଲା, ‘‘କେତେ ଭାଉରେ ପାଟ କିଣୁଛନ୍ତି ମହାଜନେ ?’’ ଛୋଟା ଘୋଡ଼ାରେ ବସିଥିବା ମହାଜନ ବାଟ ବୋଲିରେ ଜବାବ୍‍ ଦେଲା, ‘‘ତଳେ ବୟାଳିଶି ଅଠେଇଶି, ଉପରେ ତିରିଶି-ଯେମିତି ଜିନିଷକୁ ସେମିତି ଭାଉ ।’’

 

ଭେଣ୍ଡିଆ ମହାଜନ କହିଲା, ‘‘ମେଳା ଖବର କଣ ହୋ ଭାଇ, କୋଉ ନୌଟଂକୀ କଂପାନୀର ଖେଳ ଚାଲିଛି ? ରୀତା କଂପାନୀ କି ମଥୁରାମୋହନ ?’’

 

‘‘ମେଳା ଖବର ମେଳାବାଲାଙ୍କୁ ଜଣା ସିନା !’’ ହିରା‍ମନ୍‍ ପୁଣି ଛତ୍ତାପୁର-ପଚିରା ନାଁ କହିଲା ।

 

ସୂର୍ଯ୍ୟ ଦି’ଲାଠି ଉପରକୁ ଯାଇଥିଲା । ହିରା‍ମନ୍‍ ତା’ବଳଦ ସଙ୍ଗେ କଥାଭାଷା ହେଲା-‘‘କୋଶେ ବାଟ ଆଉ, ଟିକିଏ ନିଶ୍ୱାସ ରଖି ଚାଲିଥା । ଶୋଷ ବେଳ ଆସିଲା, ନୁହେଁ ରେ ? ମନେପଡ଼ୁଚି, ସେଥର ତେଗଛିଆ ପାଖରେ ସର୍କସ କଂପାନୀର ଜୋକର୍‍ ଆଉ ମାଙ୍କଡ଼ ନଚେଇବାବାଲା ସାହାବଙ୍କ ଭିତରେ କଳି ଲାଗିଗଲା । ଜୋକର୍‍ଟା ଠିକ୍‍ ମାଙ୍କଡ଼ ପରି ଦାନ୍ତ ରଗଡ଼ି ଖେଙ୍କିଲା....କେଜାଣି କେଉଁ କେଉଁ ଦେଶ ମୁଲକର ଲୋକ ଆସନ୍ତି ଯେ ?’’

 

ହିରାମନ୍‍ ପୁଣି ପର୍ଦ୍ଦା ସନ୍ଧିବାଟେ ଦେଖିଲା ହୀରାବାଈ ବସି ଖଣ୍ଡେ ଚିର୍‍କୁଟି କାଗଜ ଉପରେ ଆଖି ବୁଲେଇ ଆଣୁଛି । ହିରାମନ୍‍ର ମନ ଆଜି ହାଲୁକା ସୁରରେ ବନ୍ଧା ହୋଇଛି । ତା’ର ପ୍ରକାର ପ୍ରକାର ଗୀତ ମନେପଡ଼ୁଛି । କୋଡ଼ିଏ ପଚିଶିବର୍ଷ ତଳେ ଉଦ୍ଦାମ ତଟକା ନାଚବାଲାମାନେ ଉତ୍ସାହରେ ଗୋଟାଏ ପରେ ଗୋଟାଏ ଗଜଲ୍‍ ଖେମେଟା ଗାଉଥିଲେ, ଆଉ ଏବେ କନସର୍ଟ ଭଁପର୍‍ ଭଁପର୍‍ ଭଁପର୍‍ ଭୋଁ କଳବାଜାରେ କି ଗୀତ ଲୋକେ ଗାଉଛନ୍ତି ! ‘ଯାରେ ଅମଳ’ ଟୋକା ପୁଅ-ନାଚବାଲାଙ୍କ ଗୀତ ହୀରାମନ୍‍ର ମନେପଡ଼ିଗଲା-

 

‘‘ପ୍ରାଣ ଦୟିତ ବଇରି ହେଲେ ଗୋ ମୋର, ପ୍ରାଣ ଦୟିତ,...

ତାଙ୍କଠୁଁ ଚିଠି ଖଣ୍ଡେ ମିଳିଲେ ସମସ୍ତେ ବଞ୍ଚନ୍ତୁ ଚିଠି ମିଳିଲେ...

ହାୟରେ କରମ-କରମ ହାୟ ହାୟ ।...

କେହି ନ ବଞ୍ଚିବୁ ଆମେ, ପ୍ରାଣ ଦୟିତ, ହାୟ କରମ...’’

 

ଶଗଡ଼ଦଣ୍ଡାରେ ଆଙ୍ଗୁଠିରେ ପିଟି ତାଳ ଦେଇ ତାଳ ଭାଙ୍ଗିଲା ହିରା‍ମନ୍‍ । ଟୋକା ନାଚର ମନୁଆଁ ନାଟୁଆର ମୁହଁ ହୀରାବାଈର ମୁହଁ ପରି ଦିଶୁଥାଏ । କୁଆଡ଼େ ଗଲା ସେ ଅମଳ ? ସବୁ ମାସରେ ଗାଁକୁ ନାଚବାଲାମାନେ ଆସୁଥିଲେ । ଟୋକାନାଚ ଚାଲିଥିଲାବେଳେ ହିରାମନ୍‍ ତା ଭାଉଜଠୁଁ କେଜାଣି କେତେ ଗାଳି ଶୁଣୁଥିଲା । ଭାଇ କହିଥିଲା, ଘରୁ ବାହାରିଯା । ଆଜି ହିରା‍ମନ୍‍କୁ ମା ସରସ୍ୱତୀ ସାହା ହୋଇଛନ୍ତି ଲାଗୁଛି । ହୀରାବାଈ କହିଲା, ‘‘ବାଃ, କେଡ଼େ ବଢ଼ିଆ ଗାଉଛ ତୁମେ-।’’

 

ହିରାମନ୍‍ର ମୁହଁ ନାଲି ପଡ଼ିଗଲା । ସେ ମୁଣ୍ଡ ନୁଆଁଇ ହସିଲା । ଆଜି ତେଗଛିଆରେ ରହୁଥିବା ମହାବୀର୍‍ ମହାପୁରୁଷଙ୍କ ଦୟା ହୋଇଛି ହିରା‍ମନ୍‍ ଉପରେ । ତେଗଛିଆ ତଳେ ଗୋଟାଏ ହେଲେ ଗାଡ଼ି ନାହିଁ । ସେଠି ସବୁବେଳେ ଗାଡ଼ି ଆଉ ଗାଡ଼ୁଆନ୍‍ମାନଙ୍କ ଭିଡ଼ ଥାଏ । ମହାବୀର୍‍ ମହାପୁରୁଷଙ୍କୁ ସୁମରି ହିରାମନ୍‍ ଗାଡ଼ି ଠିଆ କଲା । ହୀରାବାଈ ପରଦା କାଢ଼ିବାକୁ ଲାଗିଲା । ହିରାମନ୍‍ ପ୍ରଥମଥର ହୀରାବାଈ ସଙ୍ଗେ ଆରବାଟେ କଥା କହିଲା-‘‘ସାଇକଲବାଲା ୟାଡ଼ୁକୁ ନିରେଖି ନିରେଖି ଅନାଉଛି ।’’ ବଳଦ ଫଟେଇବା ଆଗରୁ ସେ ବାଉଁଶ ଠେକ ଲଗାଇ ଗାଡ଼ିକୁ ଟେକି ରଖିଲା । ସେଉଠୁ ସାଇକଲବାଲା ଆଡ଼କୁ ବାରମ୍ୱାର ବୁଲିଯାଇ ସେ କହିଲା, ‘‘କୁଆଡ଼େ ଯିବାର ଅଛି ଭାଇ ? ମେଳାକୁ ? କୋଉଠୁ ଆସିବା ହଉଚି ? ବିସନ୍‍-ପୁରରୁ ? ହେଇ, ଏତିକି ବାଟକୁ ବାଟକୁ ଧଇଁସଇଁ ହୋଇ ଥକିପଡ଼ିଲ...ଚାଲିଯାଉଛି ଅମଳ ।’’

 

ସାଇକଲବାଲା ସରୁଧଡ଼ିଆ ଯୁବକଟିଏ । କ’ଣ ବିଡ଼ିବିଡ଼ି କରି କହିଦେଲା ଆଉ ବିଡ଼ି ଲଗେଇ ଠିଆହୋଇପଡ଼ିଲା ।

 

ହିରା‍ମନ୍‍ ହୀରାବାଈକୁ ଦୁନିଆଁ ଯାକର ନିଘାରୁ ବଞ୍ଚାଇ ରଖିବାକୁ ଚାହୁଥିଲା । ସେ ଚାରିଆଡ଼କୁ ଆଖି ବୁଲାଇ ଆଣି ଦେଖିନେଲା କେଉଁଠି କୌଣସି ଗାଡ଼ି-ଘୋଡ଼ା ନାହିଁ ।

 

କଜ୍ଜରୀ ନଈର ସରୁ ଧାରଟିଏ ତେଗଛିଆ ପାଖକୁ ଆସି ପୂର୍ବ ଆଡ଼କୁ ବଙ୍କେଇଯାଇଛି-। ହୀରାବାଈ ପାଣିରେ ପଡ଼ିଥିବା ମଈଁଷିମାନଙ୍କ ଆଡ଼କୁ ଆଉ ତାଙ୍କ ପିଠିରେ ବସିଥିବା ବଗମାନଙ୍କ ଆଡ଼କୁ ଅନାଇଁଥାଏ ।

 

ହିରାମନ୍‍ କହିଲା, ‘‘ଯାଆନ୍ତୁ, ଘାଟରେ ମୁହଁହାତ ଧୋଇ ଆସିବେ ।’’

 

ହୀରାବାଈ ଗାଡ଼ିରୁ ତଳକୁ ଓହ୍ଲାଇଲା । ହିରାମନ୍‍ର କଲିଜା ଥରିଉଠିଲା । ...ନା, ନା । ପାଦ ତ ସିଧା ଅଛି, ତେଢ଼ା ନାହିଁ । କିନ୍ତୁ ତଳିପା ଏତେ ନାଲି କାହିଁକି ? ହୀରାବାଈ ଘାଟ ଆଡ଼କୁ ଚାଲିଗଲା, ଗାଁର ଝିଅ-ବୋହୂଙ୍କ ପରି ମୁଣ୍ଡକୁ ତଳକୁ କରି ଧୀରେ ଧୀରେ ଗଲା । କିଏ କହିବ ୟେ କମ୍ପାନୀର ମାଇକିନିଆ ? ମାଇକିନିଆ ନୁହେଁ, ଝିଅଟିଏ । ହୁଏତ କୁଆଁରୀଟିଏ ହୋଇଥିବ ।

 

ହିରାମନ୍‍ ଠେକ ଉପରେ ଭରାଦେଇ ଠିଆହୋଇଥିବା ଗାଡ଼ିରେ ବସିପଡ଼ିଲା । ସେ ତାଟ ପଟକୁ ଉଙ୍କିମାରି ଦେଖିଲା । ଥରେ ଏପଟ ସେପଟ ଅନାଇଁ ସେଉଠୁ ହୀରାବାଈର ତକିଆ ଉପରେ ହାତ ଥୋଇଦେଲା । ସେଉଠୁ ତକିଆ ଉପରେ କହୁଣି ଭରାଦେଇ ଝୁଙ୍କିପଡ଼ିଲା, ଆହୁରି ତଳକୁ ଝୁଙ୍କୁଥାଏ । ବାସ୍ନା ତା’ଦେହରେ ପଶିଗଲା । ତକିଆର ଢାଙ୍କୁଣୀ ଉପରେ ପଡ଼ିଥିବା ଫୁଲକଢ଼ମାନଙ୍କୁ ସେ ଆଙ୍ଗୁଠି ଛୁଆଇଁ ତାକୁ ଶୁଙ୍ଘିଲା । ଆଃ । ଏତେ ବାସ୍ନା ! ହିରା‍ମନ୍‍କୁ ଲାଗୁଥାଏ ସତେ ଯେମିତି ସେ ଏକାଥରେ ପାଞ୍ଚଚିଲମ୍‍ ଗଞ୍ଜେଇ ଟାଣି ଦେଇ ବସିପଡ଼ିଛି । ହୀରାବାଈର ସାନ ଆଇନାରେ ସେ ନିଜ ମୁହଁ ଦେଖିଲା । ତା’ଆଖି ଏଡ଼େ ନାଲି ନାଲି କାହିଁକି ଦିଶୁଛି ?

 

ହୀରାବାଈ ଲେଉଟିଆସିବାରୁ ସେ ହସିଦେଇ କହିଲା, ‘‘ଏଥର ଆପଣ ଗାଡ଼ିକି ପହରା ଦିଅନ୍ତୁ; ମୁଁ ଚଞ୍ଚଳ ଆସୁଛି ।’’

 

ହିରା୍‍ମନ୍‍ ତା ଗସ୍ତମୁଣିରୁ ସଜ ସଫା ଗେଞ୍ଜି ବାହାର କଲା । କୁଣ୍ଡକୁ ଝାଡ଼ି କାନ୍ଧରେ ଥୋଇଲା ଆଉ ହାତରେ ବାଲ୍‍ଟି ଲଟ୍‍କେଇ ଚାଲିଗଲା । ତା ବଳଦମାନେ ‘ହୁଂକ୍‍ ହୁଂକ୍‍’ କରି କ’ଣ କହିଲେ । ଯାଉ ଯାଉ ଲେଉଟିପଡ଼ି ହିରାମନ୍‍ କହିଲା, ‘‘ହଁ ହଁ, ଶୋଷ ସମସ୍ତିଙ୍କୁ କରୁଛି ରେ । ମୁଁ ଆସିଲେ ଘାସ ଦେବି, ଦୁଷ୍ଟାମି କରନା ।’’

 

ବଳଦ କାନ ହଲେଇଲେ ।

 

ଗାଧୋଇ-ପାଧୋଇ ହିରାମନ୍‍ କେତେବେଳେ ଫେରିଲା ହୀରାବାଈଙ୍କୁ ଜଣା ନାହିଁ । କଜ୍ଜରୀ ନଈର ଧାରକୁ ଦେଖୁ ଦେଖୁ ତା’ ଆଖିକୁ ରାତିର ଭାଙ୍ଗି ଯାଇଥିବା ନିଦ ପୁଣି ଫେରିଆସିଲା । ହିରାମନ୍‍ ପାଖ ଗାଁରୁ ଜଳଖିଆ ପାଇଁ ଦହି ଚୁଡ଼ା ଚିନି କିଣିଆଣିଥିଲା ।

 

‘‘ଉଠନ୍ତୁ ଉଠନ୍ତୁ, ନିଦ ଭାଙ୍ଗନ୍ତୁ, ଗଣ୍ଡିଏ ଜଳଖିଆ ଖାଇଦିଅନ୍ତୁ ।’’

 

ହୀରାବାଈ ଆଖି ଖୋଲି ଆଶ୍ଚର୍ଯ୍ୟ ହୋଇଗଲା । ଗୋଟାଏ ହାତରେ ମାଟିର ନୂଆ ଠେକିରେ ଦହି କଦଳୀପତ୍ର, ଆର ହାତରେ ବାଲ୍‍ଟିଏ ପାଣି, ଆଖିରେ ଆତ୍ମିୟତାପୂର୍ଣ୍ଣ ଅନୁରୋଧ ।

‘‘ଏତେ ଜିନିଷ କୋଉଠୁ ଆଣିଲ ?’’

‘‘ଏ ଗାଁର ଦହି ନାମଜାଦା...ଚାହା ତ ଫାର୍ବିସ-ଗଞ୍ଜ ଗଲେ ପାଇବେ ।’’

ହିରା‍ମନ୍‍ ଦେହର ସଲସଲ୍‍ ଉଭେଇଗଲାଣି ।

ହୀରାବାଈ କହିଲା-‘‘ତେମେ ବି ପତର ପକା...କାହିଁକି ? ତୁମେ ନ ଖାଇବ ତ ଗୋଟେଇ ପୋଟେଇ ତୁମ ମୁଣିରେ ପୂରେଇ ଥୋଇଦିଅ, ମୁଁ ବି ଖାଇବି ନାହିଁ ।’’

‘‘ଓଃ’’-ହିରା‍ମନ୍‍ ଲାଜରା ହୋଇ କହିଲା, ‘‘ହଉ, ଆପଣ ଆଗ ଖାଉନ୍ତୁ ।’’

‘‘ଆଗ ପଛ କ’ଣ ? ତମେ ବି ବସ ।’’

ହିରାମନ୍‍ର ପ୍ରାଣ ଶୀତଳ ହୋଇଗଲା । ହୀରାବାଈ ନିଜ ହାତରେ ତା’ ପତ୍ର ପାରିଦେଲା; ପାଣି ଛିଞ୍ଚିଦେଲା, ଚୁଡ଼ା ବାହାର କରି ବାଢ଼ିଲା । ଓଃ ! ଧନ୍ୟ ଧନ୍ୟ ! ହିରା‍ମନ୍‍ ଦେଖିଲା ଭଗବତୀ ମା ଭୋଗ ବାଢ଼ୁଛନ୍ତି । ନାଲି ଓଠରେ ଦୁଧ ଛୁଆଁ-ହୋଇଛି ପାହାଡ଼ି ଶୁଆ ଦୁଧ-ଭାତ ଖାଇଲାବେଳେ ଦେଖିଛ ?

ଦିନ ଗଲା ।

ଗାଡ଼ି ତାଟ ଭିତରେ ଶୋଇଥିବା ହୀରାବାଈର ଆଉ ମାଟିରେ ସତରଞ୍ଜ ପାରି ଶୋଇଥିବା ହିରାମନ୍‍ର ନିଦ ଏକା ସାଙ୍ଗରେ ଭାଙ୍ଗିଲା ।

 

ହିରାମନ୍‍ ଧଡ଼ପଡ଼ ହୋଇ ଉଠିପଡ଼ିଲା । ତାଟି ଭିତରକୁ ଉଙ୍କିମାରି ଠାରରେ କହିଲା-ଦିନ ଢଳିଲାଣି । ଗାଡ଼ିରେ ବଳଦଙ୍କୁ ବାନ୍ଧିଲାବେଳେ ସେ ଗାଡ଼ିବାଲାମାନଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଲା ନାହିଁ । ଗାଡ଼ି ହାଙ୍କୁ-ହାଙ୍କୁ କହିଲା-ସିର୍‍ପୁର୍‍ ବଜାରର ହାସ୍‍ପାତାଲ୍‍ର ଡାକ୍ତରାଣୀ ବସିଛନ୍ତି । ରୋଗୀ ଦେଖି ଯାଉଛନ୍ତି ପାଖର କୁଡ଼ମା ଗାଁକୁ ।

 

ହୀରାବାଈ ଛତ୍ତାପୁର-ପଚୀରା ନାଁ ଭୁଲିଗଲା । ଗାଡ଼ି ଯହୁଁ ଖଣ୍ଡେ ଦୂର ଆଗକୁ ଚାଲିଗଲା ସେ ହସି ହସି ପଚାରିଲା, ‘‘ପତ୍ତାପୁର ଛପୀରା ?’’

 

ହସି ହସି ହିରା‍ମନ୍‍ର ପେଟ ଫାଟିଗଲା-ପତ୍ତାପୁର-ଛପୀରା ! ହା ହା...ସେ ଲୋକେ ପରା ଛତ୍ତାପୁର୍‍ ପଚୀରା ଗାଁ ଗାଡ଼ିବାଲା, ତାଙ୍କୁ ଆଉ କ’ଣ କହିଥାନ୍ତି ? ହା ହା.....

 

ହୀରାବାଈ ହସିହସି ଗାଁ ଆଡ଼କୁ ଅନାଇଁ ରହିଲା । ସଡ଼କ ତେଗଛିଆ ଗାଁ ମଝିବାଟେ ବାହାରିଯାଇଛି । ଗାଁର ପିଲାମାନେ ପର୍ଦ୍ଦା ପଡ଼ିଥିବା ଗାଡ଼ି ଦେଖିଲେ ଆଉ ତାଳି ମାରି ମାରି ଘୋଷା ଧରି ଗୀତ ବୋଲିଲେ–

 

‘‘ନାଲି ନାଲି ସବାରିରେ

ନାଲିଆ ଯେ କନିଆଁ

ପାନ ଖାଇ...’’

 

ହିରା୍‍ମନ୍‍ ହସିଲା...କନିଆଁ...ନାଲି ନାଲି ସବାରି ।

 

କନିଆଁ ପାନ ଖାଏ, ବରର ପଗଡ଼ିରେ ପାଟି ପୋଛେ । ଆଲୋ କନିଆଁ-ତେଗଛିଆ ଗାଁର ପିଲାଙ୍କୁ ମନେରଖିବୁଟି ! ଫେରିଲାବେଳେ ଗୁଡ଼ର ଲଡ଼ୁ ଆଣିଥିବୁ । ତୋ ବର ଲକ୍ଷେ ବର୍ଷ ବଞ୍ଚୁ... ।

 

ହିରା‍ମନ୍‍ର କେତେ ଦିନର ଆଶା ପୂରଣ ହୋଇଗଲା । ଏମିତି କେତେ ସ୍ୱପ୍ନ ସେ ଦେଖିଛି...ସେ ତା କନିଆଁକୁ ଘେନି ଫେରୁଛି । ସବୁ ଗାଁରେ ଛୁଆମାନେ ତାଳିମାରି ଗୀତ ବୋଲୁଛନ୍ତି-। ସବୁ ଦୁଆରମୁହଁରୁ ମାଇପେ ଉଙ୍କିମାରି ଦେଖୁଛନ୍ତି । ମିଣିପେ ପଚାରୁଛନ୍ତି କୋଉ ଗାଁ ଗାଡ଼ି, କୋଉଠିକି ଯିବ ? ତା କନିଆଁ ଡୋଲିର ପର୍ଦ୍ଦା ଟିକିଏ ଆଡ଼େଇଦେଇ ଦେଖୁଛି । ଆଉ ବି କେତେ ସ୍ୱପ୍ନ...

 

ଗାଁ ଭିତରୁ ପଦାକୁ ଗଲା ପରେ ସେ ଆଖି ମିଟିମିଟି କରି ତାଟ ଭିତରକୁ ଅନେଇଲା, ହୀରାବାଈ କ’ଣ ଭାବୁଛି । ହିରାମନ୍‍ ବି କ’ଣ ଚିନ୍ତାରେ ବୁଡ଼ିଗଲା । ଟିକିଏ ବେଳ ପରେ ସେ ଗୁଣୁଗୁଣୁ ହେଲା :

 

‘‘ମିତ ମୋର, ମିଛ କଥା କହ ନାହିଁ,

ଦିନେ ଦିଅଁଙ୍କ ପାଖକୁ ସମସ୍ତେ ଯିବା ।

ହାତୀ ଘୋଡ଼ା ଗାଡ଼ି-କାହିଁରେ ନୁହଁ

ତାଙ୍କ ପାଖୁ ଚରଣରେ ସିନା ଯିବା । ମିତ ମୋର.....’’

 

ହୀରାବାଈ ପଚାରିଲା, ‘‘ହଇଓ ମିତ, ତୁମ ନିଜ ବୋଲିରେ କିଛି ଗୀତ ନାହିଁ ?’’ ହିରାମନ୍‍ ଏଥର ନିଃସଙ୍କୋଚରେ ହୀରାବାଈର ଆଖିରେ ଆଖି ପକାଇ କଥାବାର୍ତ୍ତା ହେଉଥାଏ । କମ୍ପାନୀ ମାଇକିନିଆ କ’ଣ ଏମିତିଆ ହୁଅନ୍ତି ? ସର୍କସ୍‍ କମ୍ପାନୀର ମାଲିକାଣୀ ମେମ୍‍ ଥିଲା । କିନ୍ତୁ ହୀରାବାଈ ! ଗାଁ ବୋଲିରେ ଗୀତ ଶୁଣିବାକୁ ଚାହୁଁଛି । ସେ ଟହଟହ ହସି କହିଲା ‘‘ଗାଉଁଲି ଭାଷା କ’ଣ ଆପଣ ବୁଝି ପାରିବେ ?’’

 

‘‘ହଁ ।’’ -ହୀରାବାଈ ବେକ ହଲେଇଲା, କାନର ଝୁମୁକା ହଲିଗଲା ।

 

ହିରାମନ୍‍ କିଛି ସମୟ ଯାକେ ତୁନି ହୋଇ ବଳଦ ଅଡ଼ୋଉଥାଏ । ପୁଣି କହିଲା, ‘‘ଗୀତ ନିଶ୍ଚୟ ଶୁଣିବେ ? ମାନିବେ ନାହିଁ ? ଓଃ ! ଗାଉଁଲି ଗୀତ ଶୁଣିବାକୁ ଏଡ଼େ ଶରଧା ଆପଣଙ୍କର ? ତେବେ ଲୋକଙ୍କ ପାଖ ଛାଡ଼ିବାକୁ ପଡ଼ିବ । ମଣିଷ ଚାଲିଥିବା ବାଟରେ କିଏ ଆଉ କେମିତି ଗୀତ ଗାଇପାରିବ ?’’ ହିରାମନ୍‍ ବାଁ ପାଖ ବଳଦର ଦଉଡ଼ି ଓଟାରି ଦେଇ ଡାହାଣ ପଟକୁ ଗୁଳାରୁ ବାହାର କରି ନେଇ କହିଲା, ‘‘ହରିପୁର ବାଟେ ଯିବେ ନାହିଁ ତାହେଲେ ?’’

 

ଚଳନ୍ତି ଶଗଡ଼ଗାଡ଼ିକୁ ବାଟ କାଟି ନେବାର ଦେଖି ହିରାମନ୍‍ର ଗାଡି ପଛର ଶଗଡ଼ିଆ ପାଟିକରି ପଚାରିଲା, ‘‘କିହୋ ଗାଡ଼ିବାଲା ? ଗୁଳା ଛାଡ଼ି ଅବାଟରେ ସ୍ୟାଡ଼େ କୁଆଡ଼େ ?’’

 

ହିରାମନ୍‍ ଶୂନ୍ୟେ ଶୂନ୍ୟେ ପାଞ୍ଚଣ ବୁଲାଉ ବୁଲାଉ ଉତ୍ତର ଦେଲା, ‘‘ଅବାଟ କ’ଣ ହୋ-? ସେ ବାଟ ନନନପୁରକୁ ତ ପଡ଼ିନାହିଁ ।’’ ସେଉଠୁ ମନକୁ ମନ ବିଡ଼ିବିଡ଼ି ହେଲା, ‘‘ଏ ଦେଶ ଲୋକଙ୍କର ଏଇ ଗୋଟାକ ଖରାପ ଖୋଇ । ରାତିରେ ଗଲାବେଳେ ଶହେଟା କଥା ପଚାରି ଜେରା କରୁଥିବେ । ଆରେ ଭାଇ, ତେମେ ଜାଣିଛ ତ ଯାଅ... ଗାଉଁଲି ମୂର୍ଖଗୁଡ଼ାକ ।’’

 

ନନନପୁର ସଡ଼କକୁ ଗାଡ଼ି ଆଣିସାରି ହିରାମନ୍‍ ବଳଦଙ୍କ ଦଉଡ଼ି ଢିଲା କରି ଦେଲା । ବଳଦମାନେ ଧାଇଁ ଧାଇଁ ଯିବା ବନ୍ଦକରି କଦମ୍‍ ଖାଇ ଖାଇ ଚାଲିଲେ ।

 

ହୀରାବାଈ ଦେଖିଲା, ପ୍ରକୃତରେ ନନନ୍‍ପୁର ସଡ଼କ ଖୁବ୍‍ ଫାଙ୍କା । ହିରା‍ମନ୍‍ ତା ଆଖିର ଭାଷା ବୁଝୁଥାଏ । ‘‘ଛାନିଆଁ ହେବା ଦରକାର ନାହିଁ । ଏ ସଡ଼କ ବି ଫାର୍ବିସ୍‍-ଗଞ୍ଜ ଯାଇଛି, ବାଟର ଲୋକେ ଭାରି ଭଲ...ରାତି ଘଡ଼ିଏ ସରିକି ଆମେ ପହଞ୍ଚଯିବା ।’’

 

ହୀରାବାଈ ଫାର୍ବିସ୍‍-ଗଞ୍ଜ ପହଞ୍ଚିବାକୁ ତରତର ନଥିଲା । ହିରାମନ୍‍ ଉପରେ ତାର ଏତେ ଭରସା ଆସିଯାଇଥାଏ ଯେ ତା’ମନରେ ଡରଭୟର କୌଣସି କଥା ଉଠୁ ନଥାଏ । ହିରା‍ମନ୍‍ ପ୍ରଥମ ଥର ପ୍ରାଣ ଖୋଲି ହସିଦେଲା । କି ଗୀତ ଗାଇଲା ସେ ? ହୀରାବାଈର ଗୀତ ଆଉ ଗପ ଦୁଇଥିରେ ସଉକ । ଇସ୍‍ ! ମହୁଆ ଘାଟୁଆଣୀ ? ସେ କହିଲା, ‘‘ଯଦି ଆପଣଙ୍କର ଏଡ଼େ ସଉକ ହଉଚି ତ ଶୁଣନ୍ତୁ ମହୁଆ ଘାଟୁଆଣୀର ଗୀତ । ଏଥିରେ ଗୀତ ବି ଅଛି, ଗପ ବି ଅଛି-

 

କେତେ ଦିନ ପରେ ଭଗବତୀ ୟେ ଆଶା ବି ପୂରଣ କରିଦେଲେ । ଜେ’ ମା ଭଗବତୀ-! ଆଜି ହିରାମନ୍‍ ତା’ମନକୁ ଫାଙ୍କା କରିଦେଲା । ସେ ସ୍ତବ୍‍ଧ ହୋଇ ମୁରୁକି ମୁରୁକି ହସି ହୀରାବାଈକୁ ଦେଖୁଥାଏ ।

 

‘‘ଶୁଣନ୍ତୁ । ଆଜି ବି ପରମାଣ ନଈରେ ମହୁଆ ଘାଟୁଆଣୀର କେତୋଟି ପୁରୁଣା ଘାଟ ଅଛି । ଏଇ ମୁଲକର ଥିଲା ମହୁଆ । ସେ ଘାଟୁଆଣୀ ଥିଲା ସିନା, କିନ୍ତୁ ଶହେଟା ସତ୍ୟବନ୍ତଙ୍କ ଭିତରେ ଜଣେ । ତା’ବାପ ମଦ-ତାଡ଼ି ପିଇ ରାତିଦିନ ବେହୋସ୍‍ ହୋଇ ପଡ଼ିଥାଏ । ସାବତ ମା’ଟା ସାକ୍ଷାତ୍‍ ରାକ୍ଷାସୁଣୀ । ଭାରି ଦୂରକୁ ଆଖି । ଚଲାଖ । ରାତିରେ ଗଞ୍ଜେଇ ମଦ ଅଫିମ ଚୋରାରେ ବିକିବା ଲୋକଙ୍କଠୁଁ ଆରମ୍ଭ କରି ଯେ ପ୍ରକାର ପ୍ରକାର ଲୋକଙ୍କ ସାଙ୍ଗରେ ତାର ଚିହ୍ନା-ପରିଚ ଥିଲା-। ସମସ୍ତିଙ୍କ ସଙ୍ଗରେ ଭାରି ଭାବନାବ । ମହୁଆ କୁଆଁରୀଝିଅଟିଏ; କିନ୍ତୁ ସେ ରାକ୍ଷାସୁଣୀ କାମ କରେଇ କରେଇ ତା ହାଡ଼ ବାହାର କରିଦିଏ । ବଡ଼ ହୋଇଗଲା, କେଉଁଠି ବାହାଘର କଥା ବି ପକାଇଲା ନାହିଁ । ଗୋଟିଏ ରାତିର କଥା ଶୁଣନ୍ତୁ ।

 

ହିରା‍ମନ୍‍ ଧୀରେ ଧୀରେ ଗୁଣୁଗୁଣୁ ହୋଇ ତଣ୍ଟି ସଫା କଲା :

 

‘‘ହେ...ଏ...ଅ...ଅ...ଶିରାବଣ ଭୋଦୁଅରେ ଲୋ–

ଉଛୁଳିଲେ ନଈ...ଲୋ

ମୋ ବୋଉ ଲୋ...ବୋଉ...

ଲୋ-ରଜନୀ ଭୟଙ୍କର...ହେ...

ଘଡ଼ିଘଡ଼ି ଚଡ଼ଚଡ଼ି ମାରୁଛି-

ଲୋ-ଆ...

ମୁଁ କୁଆଁରୀ ଝିଅପିଲା-ଲୋ-ହେ-’’

 

ଆଲୋ ବୋଉ, ଶ୍ରାବଣ ଭୋଦୁଅର ଉଛୁଳା ନଈ, ଭୟାବହ ରାତି, ବିଜୁଳି ଚଡ୍‍ଚଡ୍‍ ମାରୁଛି, ମୁଁ କୁଆଁରୀ ଝିଅ, ସାନପିଲା, ମୋ ଛାତି ଧଡ଼ଧଡ଼ ପଡୁଛି, ଏକୁଟିଆ ଘାଟକୁ କେମିତି ଯିବି-? ସାବତ ମାତା ବଜ୍ରକବାଟ ବନ୍ଦ କରିଦେଲାଣି । ଆକାଶରେ ମେଘ ଚମକି ଉଠିଲା ଆଉ ଝରଝର ହୋଇ ବର୍ଷା ଅଜାଡ଼ିଦେଲା । ମହୁଆ ତାର ମରିଥିବା ମା’କୁ ମନେପକାଇ କାନ୍ଦିଲା । ଆଜି ତା’ବୋଉ ଥିଲେ ଏମିତିଆ ଦୁର୍ଦ୍ଦିନରେ ତା’ଝିଅ ମହୁଆକୁ ଆପଣା ଛାତିରେ ଜାକିଧରିଥାନ୍ତା । ଆଲୋ ବୋଉ, ଏଇ ଦିନପାଇଁ, ଏଇଆ ଦେଖାଇବୁ ବୋଲି ତୁ ମତେ ଗର୍ଭରେ ଧରିଥିଲୁ ଲୋ ? ମହୁଆ ତା’ବୋଉ ଉପରେ ରାଗୁଥାଏ-କାହିଁକି ସେ ଏକୁଟିଆ ମଲା । ମନ ଭର୍ତ୍ତିକରି ମହୁଆ ତାକୁ ଗାଳି ଦେଉଥାଏ

 

ହିରା‍ମନ୍‍ ଲକ୍ଷ୍ୟ କଲା ହୀରାବାଈ ତକିଆରେ କହୁଣୀ ମାଡ଼ିଦେଇ ଗୀତରେ ମଗ୍ନ ହୋଇ ଏକ ଦୃଷ୍ଟିରେ ତା’ଆଡ଼କୁ ଚାହିଁରହିଛି । ...ହଜିଯାଇଥିବା ମୁହଁଟି କେଡ଼େ ସରଳ ଲାଗୁଛି ।

 

ହିରା‍ମନ୍‍ ତଣ୍ଟି ଭିତରୁ କମ୍ପନ ବାହାର କଲା :

 

ହୁଁ...ଉଁ...ଉଁ...ଉଁ

 

ଡାହାଣୀ...ବୋଉ ମୋର...ଇଁ...ଇଁ-

 

ହିରାମନ୍‍ ନିଶ୍ୱାସ ନେଇ ପଚାରିଲା, ‘‘ଭାଷା ବି ଟିକିଏ ଟିକିଏ ବୁଝନ୍ତି ନା ଖାଲି ଗୀତ ଶୁଣୁଛନ୍ତି ?’’

 

ହୀରା କହିଲା, ‘‘ବୁଝୁଛି । ମାଲପା ମାନେ ତେଲ...ଯାହାକୁ ଦେହରେ ଲଗାନ୍ତି ।’’

 

ହିରାମନ୍‍ ବିସ୍ମିତ ହୋଇ କହିଲା, ‘‘ଇସ୍‍ ! ସେ ଯେତେ କନ୍ଦାକଟା କଲେ କଣ ହେବ-ସୌଦାଗର ତ ମହୁଆ ପାଇଁ ପୂରା ଦାମ୍‍ ତୁଟେଇ ଦେଉଥାଏ । ତା ମୁଣ୍ଡବାଳ ଧରି ଓଟାରି ଓଟାରି ତାକୁ ନାହାରେ ଚଢ଼େଇଲା ଆଉ ନାଉରିଙ୍କୁ ହୁକୁମ୍‍ ଦେଲା-ନାହା ଖୋଲ, ପାଲ ବାନ୍ଧ । ପାଲବନ୍ଧା ନାହାରେ ଝିଅଟି ଚଢ଼େଇ ପରି ଉଡ଼ିଗଲା । ରାତିଯାକ ମହୁଆ କାନ୍ଦୁଥାଏ, ଛାଟିପିଟି ହେଉଥାଏ । ସୌଦାଗରର ଚାକରମାନେ ତାକୁ ବହୁତ ଡରାହରା କଲେ; ଧମକେଇଲେ-ତୁନିହ, ନଇଲେ ଟେକି ନେଇ ପାଣିରେ ଫୋପାଡ଼ି ଦବୁଁ । ମହୁଆ କଥା ସରିଗଲା । ପାହାନ୍ତିଆ ତରା ମେଘ ଉଢ଼ୁଆଳରୁ ଟିକିଏ ବାହାରିଲା, ପୁଣି ଲୁଚିଗଲା । ଏଣେ ମହୁଆ ବି ଝପ୍‍କିନା ପାଣିକି ଡେଇଁପଡ଼ିଲା । ସୌଦାଗରର ଗୋଟିଏ ଚାକର ମହୁଆକୁ ଦେଖିଲାକ୍ଷଣି ମୋହିତ ହୋଇଯାଇଥିଲା । ମହୁଆ ପଛେ ପଛେ ସେ ବି ଡେଇଁଲା । ଉଜାଣି ସୁଅରେ ପହଁରିବା ତ ଖେଳକଥା ନୁହେଁ, ତା ବି ଭୋଦୁଅ ମାସର ଭରା ନଈରେ । ମହୁଆ ଅସଲ ଘାଟୁଆଣୀ ଝିଅ । ମାଛ କ’ଣ ଆଉ ପାଣିରେ ଘୋଳି ହୋଇ ପଡ଼ନ୍ତା ? ଦଣ୍ଡିକିରି ମାଛ ଭଳିଆ ଫୁରୁଫୁରୁ ହେଉଥାଏ, ପାଣି କାଟି କାଟି ପଳାଇ ଯାଉଥାଏ । ଆଉ ତା ପଛେ ପଛେ ସୌଦାଗରର ଚାକର ଡାକ ପକାଇ କହୁଥାଏ, ‘‘ଆଲୋ ମହୁଆ, ଟିକିଏ ଶୁଣ୍‍ ଲୋ, ତତେ ମୁଁ ଧରିବି ବୋଲି ଯାଉନାହିଁ ମ, ମୁଁ ତତେ ଶରଧା କରୁଛି, ଜୀବନଯାକ ଆମେ ଦୁହେଁ ଏକାଠି ରହିବା । କିନ୍ତୁ...’’

 

ହିରାମନ୍‍ର ବଡ଼ ପ୍ରିୟ ଗୀତ ସେଇଟି । ମହୁଆ ଘାଟୁଆଣୀ ଗାଉ ଗାଉ ତା ଆଖି ଆଗରେ ଶ୍ରାବଣ ଓ ଭାଦ୍ରବର ନଈ ଉଛୁଳି ପଡ଼େ, ଅମାବାସ୍ୟା ରାତି ଓ ବହଳ ମେଘରେ ରହିରହିକା ବିଜୁଳି ଚମକିଉଠେ । ସେହି ବିଜୁଳି ଆଲୁଅରେ ଲହଡ଼ିମାନଙ୍କ ସଙ୍ଗରେ ଲଢ଼ୁଥିବା କୁଆଁରୀଝିଅ ମହୁଆର ଝଲକ ସେ ପାଇଯାଉଥିଲା । ଦଣ୍ଡିକିରି ମାଛର ଚାଲି ଆଉ କ୍ଷିପ୍ରତା ତାଠିଁ ଆସିଯାଏ । ତାକୁ ଲାଗୁଥାଏ, ସେ ନିଜେ ସୌଦାଗରର ଚାକର । ମହୁଆ କୌଣସି କଥା ଶୁଣୁନାହିଁ-। ବିଶ୍ୱାସ କରୁନାହିଁ । ଲେଉଟିପଡ଼ି ଦେଖୁ ବି ନାହିଁ । ଆଉ ସେ ପହଁରୁ ପହଁରୁ ଥକିପଡ଼ିଲାଣି ।

 

ଏଥର ଲାଗୁଛି ମହୁଆ ନିଜେ ଧରାଦେଲା । ନିଜେ ସେ ଧରାପଡ଼ିଲାଣି । ସେ ମହୁଆକୁ ଛୁଇଁଲାଣି, ପାଇଲାଣି, ତା କ୍ଳାନ୍ତି ଦୂର ହେଲାଣି, ପନ୍ଦର କୋଡ଼ିଏବର୍ଷଯାକେ ଉଛୁଳୁଥିବା ନଈର ଉଜାଣି ସୁଅରେ ପହଁରୁ ପହଁରୁ ତା ମନକୁ କୂଳ ମିଳିଗଲାଣି । ଆନନ୍ଦର ଅଶ୍ରୁ କୌଣସି ବାଧା ମାନୁନାହିଁ ।

 

ସେ ହୀରାବାଈର ଦୃଷ୍ଟିରୁ ତାର ଓଦା ଆଖି ଲୁଚେଇବାକୁ ଚେଷ୍ଟା କଲା । କିନ୍ତୁ ହୀରାବାଈ ତ କେଜାଣି କେତେବେଳୁ ହୀରାମନ୍‍ ମନ ଭିତରେ ପଶି ସେଠି ବସି ବସି ସବୁକଥା ଦେଖୁଥିଲା । ହିରାମନ୍‍ ତା ଥରିଲା ସ୍ୱରକୁ ଆୟତ୍ତକୁ ଆଣି ବଳଦଙ୍କୁ ପାଟିକଲା-‘‘ଏ ଗୀତରେ କେଜାଣି କ’ଣ ଅଛି ଯେ ତେମେ ଦି’ଟାଯାକ ଧିମେଇ ପଡ଼ୁଚ, ଲାଗୁଛି ସତେ ଅବା କିଏ ଶହେ ମହଣ ବୋଝ ଲଦିଦେଇଛି ।’’

 

ହୀରାବାଈ ଲମ୍ୱା ଦୀର୍ଘଶ୍ୱାସ ନେଉଛି । ହିରାମନ୍‍ର ଅଙ୍ଗ-ପ୍ରତ୍ୟଙ୍ଗରେ ଆନନ୍ଦର ଉଲ୍ଲାସ ଖେଳିଯାଉଛି ।

 

‘‘ତୁମେ ତ ଓସ୍ତାଦ୍‍ଟିଏ ମିତ !’’

 

‘‘ଇସ୍‍ !’’

 

ଅଶିଣ କାର୍ତ୍ତିକର ସୂର୍ଯ୍ୟ ବୁଡ଼ିବାକୁ ଦି’ ଲାଠି ଥିଲେ କୁହୁଡ଼ି ଆସେ । ସୂର୍ଯ୍ୟ ଅସ୍ତ ହେବା ଆଗରୁ ନନନ୍‍ପୁର ପହଞ୍ଚିବାକୁ ପଡ଼ିବ । ହିରାମନ୍‍ ତା’ ବଳଦଙ୍କୁ ବୁଝେଇ ଲାଗିଥାଏ-କଦମ୍‍ ଖୋଲି ସାହସ ବାନ୍ଧି ଧାଁରେ-ଚାଲ-ଏ-ଛିଃ-ଛିଃ-ଧାଇଁ ଧାଇଁ ଭାଇ-ଲେ-ଲେ-ଲେ-ଏ-ହେ-ୟ-

 

ନନନ୍‍ପୁରଯାକେ ସେ ତା’ ବଳଦଙ୍କୁ ଟେହୁଥାଏ, ପ୍ରତିଥର ଟେହିଦେଲାବେଳେ ସେ ତା’ ବଳଦଙ୍କୁ ପୂର୍ବେ ଘଟିଥିବା ଘଟଣା ସ୍ମରଣ କରାଇଦେଉଥାଏ-‘‘ମନେ ପଡ଼ୁନାହିଁ, ଚଉଧୁରି ଘର ଝିଅ ବାହାଘରକୁ କେତେ କେତେ ଗାଡ଼ି ଥିଲା ? ସମସ୍ତିଙ୍କୁ କେମିତି ଟପି ଚାଲିଯାଇଥିଲ ! ହାଁ, ସେମିତିକା କଦମ୍‍ ଚାଲି ଦେଖାଅ-ଲେ-ଲେ-ଲେ ନନନ୍‍ପୁରରୁ ଫାର୍ବିସ୍‍-ଗଞ୍ଜ ତିନିକୋଶ-ଦିଘଣ୍ଟା ଆଉ ।’’

 

ନନନ୍‍ପୁର ହାଟରେ ଆଜିକାଲି ଚାହା ବି ବିକ୍ରି ହେଉଛି । ହିରା‍ମନ୍‍ ତା’ ଲୋଟାରେ ଚା’ ପୂରାଇ ନେଇ ଆସିଲା...କମ୍ପାନୀର ଆଉମାନଙ୍କୁ ଜାଣିଛି ସେ, ଦିନଯାକ ଘଡ଼ିକି ଘଡ଼ି ଚାହା ପିଇ ରହନ୍ତି । ଚାହା କି ଜୀବନ !

 

ହୀରା ହସି ହସି ଗଡ଼ି ଯାଉଛି, ‘‘ଆରେ, ତୁମକୁ କିଏ କହିଲା ଯେ କାମକଲା ଲୋକ ଚାହା ପିଇବା ମନା ?’’

 

ହିରା‍ମନ୍‍କୁ ଲାଜ ମାଡ଼ିଲା । କଣ ସେ କହିଲାଟି ।...

 

ଲାଜ କଥା; କିନ୍ତୁ ଥରେ ଭୋଗିସାରିଛି ସେ । ସର୍କସ କମ୍ପାନୀର ମେମ୍‍ ହାତରୁ ଚାହା ପିଇ ତାକୁ ଦେଖିଛି । ଭାରି ଗରମ ସ୍ୱଭାବ ।

 

‘‘ପିଅନ୍ତୁ ଆପଣେ ।’’ -ହୀରା ହସିଲା ।

 

‘‘ଇସ୍‍ !’’

 

ନନନ୍‍ପୁର ହାଟରେ ଦୀପ ଲାଗିବାବେଳ ହୋଇ ଦୀପ ଲାଗିଯାଇଥିଲା । ହିରା‍ମନ୍‍ ତା’ ଗସ୍ତ-ନଲ୍‍ଟନ ଜାଳି ପଛ ଦାଣ୍ଡିଆରେ ଝୁଲେଇଦେଲା ।

 

ଆଜିକାଲି ସହରରୁ ପାଞ୍ଚକୋଶ ଦୂର ଗାଁଲୋକେ ବି ନିଜକୁ ସହରିଆ ଭାବିଲେଣି । ଆଲୁଅ ନଥିଲେ ଗାଡ଼ିକୁ ଧରି ଚାଲାଣ କରିଦିଅନ୍ତି । ବାର ଅଡ଼ୁଆ ।

 

‘‘ଆପଣ ମତେ ‘ଆପଣେ’ ବୋଲି ଡାକନ୍ତୁ ନାହିଁ ।’’

 

‘‘ତୁମେ ମୋ ଓସ୍ତାଦ୍‍ । ଆମ ଶାସ୍ତ୍ରରେ ଲେଖା ହୋଇଛି ଗୋଟିଏ ଅକ୍ଷର ଶିଖାଇବା ଲୋକ ବି ଗୁରୁ-ଆପଣେ; ଆଉ ଗୋଟିଏ ରାଗ ଶିଖେଇବା ଲୋକ ବି ଓସ୍ତାଦ୍‍ ।’’

 

‘‘ଇସ ! ଶାସ୍ତ୍ର ପୁରାଣ ବି ଜାଣିଛି !...ମୁଁ କ’ଣ ଶିଖେଇଲି ? ମୁଁ କ’ଣ...’’

 

ହୀରା ହସି ହସି ଗୁଣୁଗୁଣୁ ହେଲା-ଏ-ଅ-ଅ-ଅ–ଶିରାବଣ ଭୋଦୁଅରେ-ରେ–ହିରାମନ୍‍ ଆଶ୍ଚର୍ଯ୍ୟ ହୋଇ ଘୁଙ୍ଗା ପାଲଟିଗଲା ।

 

ଇସ୍‍-ଏଡ଼େ ସୁନ୍ଦର ସ୍ୱର ! ଅବିକଳ ମହୁଆ ଘାଟୁଆଣୀ !

 

ଗାଡ଼ି ସୀତାଧାର ନଈର ଗୋଟିଏ ଶୁଖିଲା ଧାର ଭିତରକୁ ଗଡ଼ିଲାବେଳେ ଗଡ଼ଗଡ଼ ହୋଇ ତଳ ଆଡ଼କୁ ଗଡ଼ିଚାଲିଲା । ହୀରାବାଈ ହିରା‍ମନ୍‍ର କାନ୍ଧକୁ ଗୋଟାଏ ହାତରେ ଧରିପକାଇଲା । ବହୁତ ବେଳଯାକେ ହିରାମନ୍‍ର କାନ୍ଧରେ ତା’ ଆଙ୍ଗୁଠିଗୁଡ଼ିକ ରହିଥାଏ । ହିରା‍ମନ୍‍ ଆଖି ବୁଲେଇ କାନ୍ଧ ଉପରେ ଦୃଷ୍ଟିକୁ କେନ୍ଦ୍ରୀଭୂତ କରିବାକୁ କେତେଥର ଚେଷ୍ଟା କଲା । ଗାଡ଼ି ଉଠାଣିରେ ପହଞ୍ଚିଲାରୁ ହୀରାର ହୁଗୁଳା ଆଙ୍ଗୁଠିଗୁଡ଼ିକ ପୁଣି ଫରକଟିଗଲା ।

 

ଆଗରେ ଫାର୍ବିସ୍‍-ଗଞ୍ଜ ସହରର ଆଲୁଅ ଝଲ୍‍ମଲ ଦିଶୁଛି । ସହରଠୁଁ କିଛି ଦୂରରେ ମେଳାର ଆଲୁଅ । ତାଟିରୁ ଓହଳିଥିବା ନଲ୍‍ଟଣର ଆଲୁଅରେ ଆଖ-ପଖରେ ଛାଇ ନାଚୁଥାଏ । ...ଡବଡବ ଆଖିରେ, ପ୍ରତି ଆଲୁଅ ସୂର୍ଯ୍ୟମୁଖୀ ଫୁଲପରି ଦିଶୁଥାଏ ।

 

ଫାର୍ବିସ୍‍-ଗଞ୍ଜ ତ ହିରାମନ୍‍ର ଘରଦୁଆର ମୁହଁ । କେଜାଣି କେତେ ଥର ସେ ଫାର୍ବିସ୍‍-ଗଞ୍ଜ ଆସିଛି । ମେଳାର ଲଦନ ବୋହିଛି । କୌଣସି ସ୍ତ୍ରୀଲୋକ ସଂଗରେ ? ହଁ, ଥରେ-ଯେଉଁ ଥର ତା’ ଭାଉଜ ଶାଶୁଘରକୁ ଆସିଲେ । ଏମିତି କେର୍‍ପାଲ୍‍ରେ ଗାଡ଼ିର ଚାରିପଟ ଘେରାଇ ଗୋଟାଏ ବସା କରାଯାଇଥିଲା ।

 

ହିରା‍ମନ୍‍ ତା ଗାଡ଼ି ଉପରେ କେରପାଲ୍‍ ଘେରାଉଛି । ଶଗଡ଼ିଆ ପେଣ୍ଠ । ସକାଳ ହେଲେ ହିଁ ରୀତା ନୌଟଂକୀ କମ୍ପାନୀର ମ୍ୟାନେଜରଙ୍କ ସଙ୍ଗରେ କଥା ହୋଇ ଭର୍ତ୍ତି ହୋଇଯିବ ହୀରାବାଈ । ମେଳା ପହରିଦିନ ଆରମ୍ଭ ହେବ । ଏଥର ମେଳାରେ ପାଲ, ଚଟେଇ ସବୁ ଜମା ହେଲାଣି । ...ଖାଲି ଗୋଟାଏ ରାତି । ଆଜି ରାତିଯାକ ହିରାମନ୍‍ର ଗାଡ଼ିରେ ରହିବ ସେ...ହିରାମନ୍‍ର ଗାଡ଼ିରେ ନୁହେଁ, ଘରେ ।

 

‘‘କୋଉଠିକା ଗାଡ଼ି ? ...କିଏ ? ହିରାମନ୍‍ ? କୋଉ ମେଳାରୁ ? କି ଜିନିଷ ବୋଝେଇ ହୋଇଛି ?’’

 

ଗାଁ ଗାଡ଼ିବାଲାମାନେ ଜଣେ ଜଣକୁ ଖୋଜି ନେଇ ଆଖପାଖରେ ଗାଡ଼ି ଲଗାଇ ବସା କରୁଛନ୍ତି । ଆପଣା ଗାଁର ଲାଲମୋହର୍‍, ଧୁନ୍ନୀରାମ ଓ ପଲଟଦାସ୍‍ ଆଦି ଶଗଡ଼ିଆଙ୍କ ଦଳକୁ ଦେଖି ହିରାମନ୍‍ ଆବାକାବା ହୋଇଗଲା । ତେଣେ ପଲଟ୍‍ଦାସ ତାଟରେ ଉଙ୍କିମାରି ଚମକିପଡ଼ିଲା, ସତେ ଅବା ବାଘ ଉପରେ ନିଘା ପଡ଼ିଗଲା ! ହିରା‍ମନ୍‍ ଠାରିଦେଇ ସମସ୍ତିଙ୍କି ତୁନି କରିଦେଲା । ପୁଣି ଗାଡ଼ିଆଡ଼କୁ ଆଖିଠାରି ଫୁସ୍‍ଫୁସ୍‍ ହୋଇ କହିଲା...‘‘ଚୁପ୍‍-କମ୍ପାନୀର ସ୍ତ୍ରୀଲୋକ-ନୌଟଂକୀ କମ୍ପାନୀର ।’’

 

ଗୋଟାଏ ନୁହେଁ, ଏଥର ଚାରିଟା ହିରା‍ମନ୍‍ । ଚାରିହେଁ କାବା ହୋଇ ପରସ୍ପରକୁ ଅନାଇଁଲେ...କମ୍ପାନୀ ନାଁର କେଡ଼େ ପ୍ରଭାବ ! ହିରାମନ୍‍ ଲକ୍ଷ୍ୟ କଲା, ତିନିହେଁ ଏକା ସଙ୍ଗରେ ଡରରେ ଅଣନିଶ୍ୱାସୀ ହୋଇଗଲେ । ଲାଲ୍‍ମୋହର୍‍ ଟିକିଏ ଦୂରକୁ ଘୁଞ୍ଚିଯାଇ କଥାବାର୍ତ୍ତା ହେବାକୁ ଇଚ୍ଛା ପ୍ରକାଶ କଲା, ହାତ ବି ଠାରିଲା । ହିରାମନ୍‍ ତାଟ ଆଡ଼କୁ ମୁହଁ କରି କହିଲା, ‘‘କୌଣସି ହୋଟେଲ ତ ଖୋଲି ନଥିବ, ଗୁଡ଼ିଆ ଦୋକାନରେ ରନ୍ଧେଇ ନେଇଆସେଁ ।’’

 

‘‘ହିରାମନ୍‍, ଟିକିଏ ଏଠି ଶୁଣିଗଲ । ମୁଁ ତ ଅଇଛା କିଛି ଖାଇବି ନାହିଁ, ତୁମେ ଖାଇଆସ-।’’

 

‘‘କ’ଣ ? ପଇସା ? ଇସ୍‍ ।’’ ...ପଇସା ଦେଇ ହିରାମନ୍‍ କେବେ ଫାର୍ବିସ୍‍-ଗଞ୍ଜରେ ଅରନ୍ଧା କି ରନ୍ଧା କିଛି ଖାଇନାହିଁ । ତା ଗାଁର ଏତେ ଶଗଡ଼ିଆ ଅଛନ୍ତି, କେତେଟା ଦିନ ପାଇଁ ବା ? ପଇସା ସେ ଛୁଇଁ ପାରିବ ନାହିଁ । ସେ ହୀରାବାଈକୁ କହିଲା, ‘‘ବୃଥାରେ ମେଳା ବଜାରରେ ଅଡ଼ୁଆ ଲଗାନ୍ତୁ ନାହିଁ, ପଇସା ରଖନ୍ତୁ ।’’

 

ସୁବିଧା ପାଇ ଲାଲ୍‍ମୋହର ବି ଗାଡ଼ି ତାଟ ପାଖକୁ ଆସିଗଲା । ସେ ସଲାମ୍‍ କରି କହିଲା, ‘‘ଚାରିଜଣ ମଣିଷଙ୍କ ପାଇଁ ଯେଉଁ ଭାତ ହୋଇଛି ସେଥିରେ ଆଉ ଦି’ ଜଣ ମଣିଷ ଖୁସିରେ ଖାଇପାରିବେ । ବସାରେ ଭାତ ବଢ଼ାହେଲାଣି । ହେଁ-ହେଁ-ହେଁ । ଆମେ ସବୁ ଏକା ଗାଁର ମଣିଷ କି ନା-ନିଜ ଗାଁଲୋକ ଥାଉ ଥାଉ ହୋଟେଲ୍‍ ଆଉ ଗୁଡ଼ିଆଦୋକାନରେ ଖାଇବ ହୀରାମନ୍‍ ?’’

 

ହିରାମନ୍‍ ଲାଲ୍‍ମୋହରର ହାତକୁ ଚିପିଦେଲା, ତା ଅର୍ଥ...ଏମିତିଆ ବକର ବକର ହ’ନା ।

 

ଗାଡ଼ିରୁ ଚାରି ଦଉଡ଼ି ବାଟ ଯାଉ ଯାଉ ଧୁନ୍ନୀରାମ ତା’ମନ ଭିତରେ ଦୁଡ଼ୁଗୁଡ଼ୁ ହେଉଥିବା କଥା ଖୋଲି କହିଦେଲା-‘‘ଇସ୍‍-ତୁ ବି ଭାରି ଓସ୍ତାଦ୍‍ରେ ହିରା‍ମନ୍‍ ! ସେଥର କମ୍ପାନୀର ବାଘ; ଏଥର କମ୍ପାନୀର ମାଇକିନିଆ !’’

 

ହିରା‍ମନ୍‍ ପାଟି ବସେଇ ବସେଇ କହିଲା, ‘‘ଭାଇରେ, ୟେ ଆମ ଦେଶ ମାଇକିନିଆଁ ନୁହେଁ ଯେ ଲଟପଟିଆ କଥା ଶୁଣି ତୁନିପଡ଼ିଯିବ । ଏକେତ ପଶ୍ଚିମା ମାଇକିନିଆ, ତା’ ଉପରେ ପୁଣି କମ୍ପାନୀର ।’’

 

ଧୁନୀରାମ୍‍ ନିଜ ଆଶଙ୍କା ପ୍ରକଟ କଲା, ‘‘କିନ୍ତୁ କମ୍ପାନୀରେ ତ ଶୁଣିଛି ବେଶ୍ୟାମାନେ ରହନ୍ତି ।’’

 

‘‘ଧେତ୍‍ ।’’ -ସମସ୍ତେ ଏକାସଙ୍ଗରେ ତାକୁ ଦୂର୍‍ ଦୂର୍‍ କଲେ ।

 

‘‘କେମିତିଆ ଲୋକଟାଏ ବା ? ବେଶ୍ୟା ରହିବେ ନା ! ପୁଣି କମ୍ପାନୀରେ ! ଦେଖ ୟା ବୁଦ୍ଧିକୁ !’’

 

‘‘...ଶୁଣିଛି; ଦେଖି ତ ନାହିଁ କେଭେ ।’’

 

ଧୁନ୍ନୀରାମ୍‍ ତା ଦୋଷ ସ୍ୱୀକାର କଲା । ପଲଟ୍‍ଦାସର କଥା ବାହାରିଲା- ‘‘ହିରା‍ମନ୍‍ ଭାଇ, ମାଇପି ଲୋକ, ଏକୁଟିଆ ରହିବ ଗାଡ଼ିରେ ? ଯେତେ ଯାହା ହେଲେ ମାଇପି ଲୋକଟା । ମାଇପି ଲୋକ-ଯଦି କିଛି ଦରକାର ପଡ଼ିଗଲା ?’’

 

ଏକଥା ସମସ୍ତଙ୍କୁ ଭଲଲାଗିଲା । ହିରା‍ମନ୍‍ କହିଲା, ‘‘ଠିକ୍‍ କଥା । ପଲଟ୍‍ଦାସ, ତୁ ଫେରିଯା, ଗାଡ଼ି ପାଖରେ ଥିବୁ । ଆଉ ଦେଖ୍‍, ଗପସପ କଲେ ଟିକେ ହୁସିଆର ହୋଇ କରିବୁ ଟି, ହଁ ।’’

 

ହିରାମନ୍‍ର ଦେହରୁ ଗୋଲାପ ଅତରର ବାସ୍ନା ବାହାରୁଥାଏ । ହିରାମନ୍‍ଟା କପାଳିଆଟା । ସେଥର ପରା ମାସେ ଯାକେ ତା’ଦେହରୁ ବାଘଗନ୍ଧ ଗଲା ନାହିଁ । ଲାଲ୍‍ମୋହର ହିରାମନ୍‍ର ଗାମୁଛା ଶୁଙ୍ଘି ପକାଇଲା । ହିରା‍ମନ୍‍ ଯାଉ ଯାଉ ଅଟକି ଯାଇ କହିଲା, ‘‘କ’ଣ କରିବି ଲାଲ୍‍ମୋହର ଭାଇ, ଟିକିଏ କହିଲୁ । ଭାରି ଜିଦି ଧରିଛି, କହୁଚି ନୌଟଂକୀ ନିଶ୍ଚୟ ମୋତେ ଦେଖିବାକୁ ପଡ଼ିବ ।’’

 

‘‘ମାଗେଣାରେ ?’’

 

‘‘ଆଉ ଗାଁରେ ଏ ଖବର ପହଞ୍ଚିବ ନାହିଁ ତ ?’’

 

ହିରା‍ମନ୍‍ କହିଲା, ‘‘ନାଇଁହୋ, ରାତିଏ ନୌଟଂକୀ ଦେଖି ଜୀବନଯାକ ଗାଳିଫାଳି କିଏ ଶୁଣୁଥିବ ? କହନ୍ତି ନାହିଁ, ବେଙ୍ଗ ପେଟରେ ଘିଅ !’’

 

ଧୁନ୍ନୀରାମ ପଚାରିଲା, ‘‘ମାଗଣା ଦେଖିଲେ ବି କ’ଣ ତୋ ଭାଉଜ କଥା ଶୁଣେଇବ ?’’

 

ଲାଲ୍‍ମୋହର୍‍ର ବସା କରକୁ ଲାଗି କାଠ ବୋଝାଇ କରି ଆଣିଥିବା ଶଗଡ଼ିଆମାନେ ବସାକରିଥିଲେ । ବସାର ଯେ ମୁଖିଆ ଶଗଡ଼ିଆ-ଗାଡ଼ୁଆନ୍‍ ମିଆଁଜାନ୍‍ ବୁଢ଼ା ସେ ତା ଗସ୍ତ ହୁକ୍‍କା ପିଉ ପିଉ ପଚାରିଲା-‘‘କିହୋ ଭାଇ, ମୀନାବଜାର୍‍ର ବୋଝ ଶଗଡ଼ରେ ଲଦି କିଏ ଆସିଛି କି ?’’

 

ମୀନାବଜାର ? ମୀନାବଜାର ତ ବେଶ୍ୟାପଡ଼ାକୁ କହନ୍ତି ।

 

...କ’ଣ କହୁଛି ଯେ ବୁଢ଼ା ମିଆଁଟା ? ଲାଲ୍‍ମୋହର ହିରା‍ମନ୍‍ କାନରେ କ’ଣ ଫୁସଫୁସ୍‍ କରି କହିଲା, ‘‘ତୋରି ଦେହ ମହ ମହ ବାସୁଛି । ସତରେ ।’’

 

ଲହସନ୍ୱା ଲାଲ୍‍ମୋହରର ଶଗଡ଼ିଆ ଚାକର, ବୟସରେ ସବୁଠୁ ସାନ । ପହିଲି ଥର ଆସିଥିଲେ କ’ଣ ହେଲା-ବାବୁଭାୟାଙ୍କ ଘରେ ପିଲାଦିନୁଁ ଚାକିରି କରିଛି । ସେ ରହି ରହି ପବନରେ କ’ଣ ଶୁଂଘୁଛି, ନାକ ଫଣକେଇ ଫଣକେଇ । ହିରାମନ୍‍ ଦେଖିଲା, ଲହସନ୍ୱା ମୁହଁ ନାଲିଆ ପଡ଼ିଗଲାଣି...ଧଡ଼ପଡ଼ ହୋଇ କିଏ ସେଇଟା ଆସୁଛି ? ପଲଟ୍‍ଦାସ ? କ’ଣ ହେଲା ?

 

ପଲଟ୍‍ଦାସ ଆସି ତୁନି ହୋଇ ଠିଆ ହୋଇପଡ଼ିଲା । ତା ମୁହଁ ବି ନାଲି ପଡ଼ିଆସୁଥାଏ । ହିରାମନ୍‍ ପଚାରିଲା ‘‘କ’ଣ ହେଲା ? କହୁନାହୁଁ କାହିଁକି ?’’

 

କି ଜବାବ୍‍ ଦିଅନ୍ତା ପଲଟ୍‍ଦାସ । ହିରାମନ୍‍ ତାକୁ ଚେତାବନୀ ଶୁଣେଇ ଆସିଥିଲା, ଗପସପ ହୁସିଆରିରେ କରିବୁ । ସେ ତୁନି ହୋଇ ଗାଡ଼ିରେ ଶଗଡ଼ିଆ ବସିବା ଜାଗାରେ ବସିପଡ଼ିଲା, ଯେଉଁଠି ହିରାମନ୍‍ ବସେ ସେଇଠି । ହୀରାବାଈ ପଚାରିଲା, ‘‘ତୁମେ ବି କ’ଣ ହିରାମନ୍‍ର ସାଂଗ ?’’

 

ପଲ୍‍ଟଦାସ ବେକ ହଲେଇ ହଁ ବି ଭରିଲା । ହୀରାବାଈ ପୁଣି ଶୋଇ ପଡ଼ିଲା । ତା’ମୁହଁ-ଫୁହଁ ଦେଖି ଆଉ କଥା ଶୁଣି ପଲଟ୍‍ଦାସର କେଜାଣି କାହିଁକି କଲିଜା ଥରିଲା । ହଁ, ରାମଲୀଳାରେ ସୀତା ସୁକୁମାରୀ ଏଇଭଳି ଥକିପଡ଼ି ଶୋଇଥାନ୍ତି । ସୀତାପତି ରାମଚନ୍ଦ୍ରଙ୍କର ଜୟ ! ପଲଟ୍‍ଦାସର ମନ ଭିତରେ ଜୟଜୟକାର ଚାଲିଥାଏ । ସେ ଦାସ-ବୈଷ୍ଣବ, କୀର୍ତ୍ତନିଆ । ସେ ଥକିପଡ଼ିଥିବା ସୀତା ମହାରାଣୀଙ୍କ ପାଦ ଚିପିଦେବାକୁ ଇଚ୍ଛା ପ୍ରକାଶ କଲା, ତା ଆଙ୍ଗୁଠିମାନଙ୍କରେ ଠାରିଠାରି । ସତେକି ହାର୍ମୋନିଅମ୍‍ର ରିଡ଼୍‍ ଉପରେ ସେ ଆଙ୍ଗୁଠି ନଚୋଉଛି । ହୀରାବାଈ ରାଗରେ ଉତ୍ତେଜିତା ହୋଇ ଉଠି ବସିପଡ଼ିଲା-‘‘ଆରେ, ବାୟାଟାଏ ନା କ’ଣ ? ଯା, ପଳା ।’’

 

ପଲଟ୍‍ଦାସକୁ ଲାଗିଲା, ରାଗି ଯାଇଥିବା କମ୍ପାନୀ ମାଇକିନିଆର ଆଖିରୁ ନିଆଁ ଗୁଲ ଛିରିକୁଛି-ବାପ୍‍ ରେ ପଳା-ପଳା-ସେ ଧାଇଁ ପଳାଇଆସିଲା ।

 

ପଲଟ୍‍ଦାସ କି ଜବାବ ଦିଅନ୍ତା ? ସେ ମେଳାରୁ ପଳେଇବା ପାଇଁ ବି ଉପାୟ ଭାବୁଥାଏ । କହିଲା, କିଛି ନାହିଁ ଯେ, ମତେ ବେପାରୀ ମିଳିଗଲା । ଏଇ ସଙ୍ଗେ ସଙ୍ଗେ ଷ୍ଟେସନ ଯାଇ ମାଲ୍‍ ଲଦିବାର କଥା । ପଙ୍ଗତ ବସୁ ବସୁ ତ ଆହୁରି ଡେରିଅଛି, ମୁଁ ତା ଭିତରେ ଯାଇ ଚାଲିଆସେଁ ।

 

ଖାଇବସିଲାବେଳେ ଧୁନ୍ନୀରାମ୍‍ ଆଉ ଲହସନ୍‍ଓ୍ୱା ପଲଟ୍‍ଦାସକୁ ବହୁତ ନିନ୍ଦା କଲେ । ...ଛୋଟଲୋକଟାଏ । ପଇସା ବି ହିସାବ ମିଶାଏ । ଖାଇବା ପିଇବା ପରେ ଲାଲ୍‍ମୋହର ଦଳ ନିଜ ବସା ଭାଙ୍ଗିଦେଲେ ।

 

ଧୁନ୍ନୀରାମ ଓ ଲହସନ୍‍ଓ୍ୱା ଗାଡ଼ି ଯୋଚି ହିରାମନ୍‍ର ବସାକୁ ଚାଲିଲେ, ଗାଡ଼ିର ଗୁଳା ଧରି ଧରି । ହୀରା‍ମନ୍‍ ଚାଲୁ ଚାଲୁ ଲାଲ୍‍ମୋହରକୁ କହିଲା, ‘‘ଟିକିଏ ମୋର ଏ କାନ୍ଧକୁ ଶୁଙ୍ଘିଲୁ, ଶୁଙ୍ଘି ଦେଖ୍‍ ।’’

 

ଲାଲ୍‍ମୋହର ତା’ କାନ୍ଧ ଶୁଙ୍ଘି ଆଖି ବୁଜିପକାଇଲା । ତା ମୁହଁରୁ ଅସ୍ଫୁଟ ଶବ୍ଦ ବାହାରିଲା-ଏ-ହ ।

 

ହିରାମନ୍‍ କହିଲା, ‘‘ଟିକିଏ ନାଁକୁ ହାତ ଥୋଇଦେବାରୁ ଏଡ଼େ ବାସ୍ନା । ....ବୁଝିଲୁ ।’’

 

ଲାଲ୍‍ମୋହର ହିରାମନ୍‍ର ହାତ ଧରିପକେଇଲା । ‘‘କାନ୍ଧ ଉପରେ ହାତ ଥୋଇ ଥିଲା-? ସତ...ଶୁଣ୍‍ ହିରାମନ୍‍, ନୌଟଂକୀ ଦେଖିବାକୁ ଏଡ଼େ ବାଗ ଆଉ କେବେ ମିଳିବ ନାହିଁଟି ! ହଁ ।’’

‘‘ତୁ ବି ଦେଖିବୁ ?’’

ଲାଲ୍‍ମୋହରର ବତିଶିଦାନ୍ତ ଛକର ଆଲୁଅରେ ଜିକିଜିକି ଦିଶିଲା । ବସାରେ ପହଞ୍ଚି ହିରା‍ମନ୍‍ ଦେଖିଲା ତାଟ ପାଖରେ ଠିଆହୋଇ ହୀରାବାଈ ସଙ୍ଗରେ କିଏ କ’ଣ କଥାଭାଷା ହେଉଛି-। ଧୁନ୍ନୀ ଆଉ ଲହସନଓ୍ୱା ଏକାସଙ୍ଗରେ କହିଲା, ‘‘କୋଉଠି ପଛରେ ରହିଗଲ ? ବହୁତ ବେଳ ହେଲା ଖୋଜୁଛନ୍ତି ତମୁକୁ କମ୍ପାନୀ...’’

ହିରା‍ମନ୍‍ ତାଟ ପାଖୁ ଯାଇ ଦେଖିଲା, ଆରେ, ୟେ ତ ସେ ବାକ୍‍ସ ବୋହିବା ଚାକର, ଯେ ଚମ୍ପାନଗରର ମେଳାରେ ହୀରାବାଈକି ଗାଡ଼ିରେ ବସାଇ ଅନ୍ଧାରରେ କୁଆଡ଼େ ଅଦୃଶ୍ୟ ହୋଇଯାଇଥିଲା !

‘‘ଆସିଗଲ ହିରାମନ୍‍ । ଭଲ ହେଲା । ଉପରକୁ ଆସ । ...ହେଇ ନିଅ ତମ ଭଡ଼ା ଆଉ ହେଇ ତୁମ ପୁରସ୍କାର । ପଚିଶ-ପଚିଶ, ପଚାଶ ।’’

ହିରା‍ମନ୍‍କୁ ଲାଗୁଥାଏ କିଏ ତାକୁ ଧକ୍‍କା ମାରି ଆକାଶରୁ ଧରଣୀରେ ଫୋପାଡ଼ି ଦେଲା । ଆଉ କିଏ କାହିଁକି, ଏଇ ବାକ୍‍ସ ବୋହିବା ଲୋକଟା ହିଁ ତ । କୁଆଡ଼ୁ ଆସି ପହଞ୍ଚିଗଲା ? ତା’ ମୁହଁକୁ ଯେଉଁ କଥା ଆସୁଥିଲା, ସେ ତା’ମୁହଁରେ ଅଟକିଗଲା...

ଇସ୍‍...ପୁରସ୍କାର । ସେ ତୁନି ହୋଇ ଠିଆହୋଇ ରହିଲା ।

ହୀରାବାଈ କହିଲା, ‘‘ନିଅ, ଧର । ଆଉ ଶୁଣ-କାଲି ସକାଳେ ରୀତା କମ୍ପାନୀକି ଯାଇ ମୋ ସଙ୍ଗରେ ଭେଟ ହେବ । ପାସ୍‍ କରେଇଦେବି । ...କିଛି କହୁନା କାହିଁକି ?’’

ଲାଲ୍‍ମୋହର କହିଲା, ‘‘ମାଲିକାଣୀ ଇନାମ୍‍ ବକ୍‍ସିସ୍‍ ଦେଉଛନ୍ତି । ନେ ରେ ହିରା‍ମନ୍‍-!’’

ହିରା‍ମନ୍‍ କଟମଟ କରି ଲାଲ୍‍ମୋହର ଆଡ଼କୁ ଅନାଇଲା ।

...ଏ ଲାଲ୍‍ମୋହରଟାର କଥାଭାଷାରେ ଟିକିଏ ବି ବାଗ-ସାଗ ନାହିଁ ।

ଧୁନ୍ନୀରାମର ସ୍ୱଗତୋକ୍ତି ସମସ୍ତେ ଶୁଣିଲେ । ହୀରାବାଈ ବି । ମେଳାରେ ଗାଡ଼ି-ବଳଦ ଛାଡ଼ି କୋଉ ଶଗଡ଼ିଆ ନୌଟଂକୀ କେମିତି ଦେଖିପାରିବେ ?

ହିରା୍‍ମନ୍‍ ଟଙ୍କା ନେଉ ନେଉ କହିଲା, ‘‘କ’ଣ କହିବି ।’’ ସେ ହସିବାକୁ ଚେଷ୍ଟା କଲା । ...କମ୍ପାନୀ-ସ୍ତ୍ରୀଲୋକ କମ୍ପାନୀକୁ ଯାଉଛି । ହିରା‍ମନ୍‍ର କ’ଣ ଗଲା ?

ବାକ୍‍ସ ବୋହିଲାବାଲା ବାଟ ଦେଖାଉ ଦେଖାଉ ଆଗକୁ ଚାଲିଲା-‘‘ଏ ବାଟେ ।’’

ହୀରାବାଈ ଯାଉ ଯାଉ ଅଟକିଗଲା । ହିରାମନ୍‍ର ବଳଦଙ୍କୁ ସମ୍ବୋଧନ କରି କହିଲା, ‘‘ମୁଁ ଯାଉଚିରେ ଭାଇ !’’

ବଳଦମାନେ ଭାଇ ଶବ୍ଦ ଶୁଣି କାନ ହଲାଇଲେ ।

 

‘‘? ?...? ?... ।’’

 

ଭାଇମାନେ, ଆଜି ରାତିରେ ‘ଦି ରୀତା ସଙ୍ଗୀତ ନୌଟଂକୀ କମ୍ପାନୀ’ର ଷ୍ଟେଜ୍‍ ଉପରେ ଗୁଲବଦନ୍‍ ଦେଖନ୍ତୁ, ଗୁଲବଦନ୍‍ ।

 

ଆପଣଙ୍କୁ ଏ କଥା ଶୁଣି ଖୁସି ଲାଗିବ ଯେ ମଥୁରାମୋହନ କମ୍ପାନୀର ପ୍ରସିଦ୍ଧ ଅଭିନେତ୍ରୀ ମିସ୍‍ ହୀରା ଦେବୀ, ଯାହାଙ୍କର ଗୋଟିଏ ଗୋଟିଏ କଟାକ୍ଷରେ ହଜାରେ ପ୍ରାଣ ଆସକ୍ତ ହୋଇପଡ଼େ, ସେ ଏଥର ଆମ କମ୍ପାନୀକି ଆସିଯାଇଛନ୍ତି । ମନେ ରଖନ୍ତୁ । ଆଜି ରାତି ।

 

ମିସ୍‍ ହୀରା ଦେବୀ ଗୁଲବଦନ୍‍.... ।

 

ନୌଟଂକୀବାଲାଙ୍କ ୟେ ବିବୃତିରେ ମେଳାର ସବୁ ପଡ଼ାରେ ଚହଳପଡ଼ିଗଲା । ହୀରାବାଈ ! ମିସ୍‍ ହୀରା ଦେବୀ ? ଲୈଲା; ଗୁଲ୍‍ବଦନ... ? ଫିଲ୍ମ ଅଭିନେତ୍ରୀଙ୍କୁ ଟପିଯାଏ ।

 

ତାର ବଙ୍କା କଟାକ୍ଷ ପ୍ରତି ନିଜେ ମୁଁ ଆସକ୍ତ । ତୋର କାମନାର ପ୍ରିୟ ହେବାକୁ କ’ଣ ମୁଁ କରିବି ? ଏଇଆ ମୋ ମାଗୁଣି ଯେ...ସାକ୍ଷାତ୍‍ ତୁ ମତେ ଦେଖା ଦେ । ଆଉ ହୃଦୟ ଦେଇ ପ୍ରାଣ ଦେଇ ମୁଁ ତତେ ଦେଖୁଥାଏ ।

 

କିରଂ-ରଂ-ରଂ ..କଡ଼ ଡ଼ ଡ଼ ଡ଼ ଡ଼ ରଂ-ରଂ..ଧନ୍‍ ଧନ୍‍ ଧନ୍‍ ଧଡ଼ାମ୍‍ ।

 

ପ୍ରତ୍ୟେକ ଲୋକର ହୃଦୟ ଅଧୀର ହୋଇପଡ଼ିଲା ।

 

ଲାଲ୍‍ମୋହର ଧଇଁସଇଁ ହୋଇ ବସାକୁ ଆସିଲା ।

 

‘‘ଆରେ ହେ ହିରାମନ୍‍, ଏଠି କ’ଣ ବସିଛୁ ? ଦେଖିବୁ ଯା କେମିତି ଜୟ-ଜୟକାର ପଡ଼ିଛି । ବାଜାଫାଜା ବାଜୁଛି, ଛପାକା କାଗଜ ବଣ୍ଟାହେଉଛି । ତା’ସଙ୍ଗରେ ହୀରାବାଈର ଜୟ-ଜୟକାର କରାଯାଉଛି ।’’

 

ହିରାମନ୍‍ ଧଡ଼୍‍ପଡ଼୍‍ ହୋଇ ଉଠିଲା ।

 

ଲହସନ୍‍ଓ୍ୱା କହିଲା, ‘‘ଧୁନ୍ନୀ ଦାଦି, ତେମେ ବସାରେ ଥାଅ, ମୁଁ ବି ଯାଇ ଦେଖିଆସେ ।’’

 

ଧୁନ୍ନୀ କଥା କିଏ ଶୁଣୁଛି ? ତିନିଜଣଯାକ ନୌଟଂକୀ କମ୍ପାନୀର ପ୍ରଚାରକଦଳଙ୍କ ପଛେ ପଛେ ଚାଲିଲେ । ସବୁ ଗଳିମୁଣ୍ଡରେ ଅଟକି ଯାଇ ବାଜା ବନ୍ଦ କରି ବିଜ୍ଞପ୍ତି ଶୁଣାଇଦିଆଯାଏ । ବିଜ୍ଞପ୍ତିର ପ୍ରତି ଶବ୍ଦ ଶୁଣୁ ଶୁଣୁ ହିରାମନ୍‍ ପୁଲକିତ ହୋଇଯାଏ । ହୀରାବାଈର ନାଁ, ନାଁ ସଙ୍ଗରେ ବର୍ଣ୍ଣନା ଶୁଣି ସେ ଲାଲମୋହର୍‍ର ପିଠି ଥାପୁଡ଼େଇ କହେ, ‘‘ଧନ୍ୟ ଧନ୍ୟ । ସତ କି ମିଛ ?’’

 

ଲାଲ୍‍ମୋହର କହିଲା, ‘‘ଏଥର କହିଲୁ, ଏଥର ଆଉ ନୌଟଂକୀ ତୁ ଦେଖିବୁ ନାହିଁ ?’’ ସକାଳୁ ଧୁନ୍ନୀରାମ ଆଉ ଲାଲ୍‍ମୋହର ତାକୁ ବୁଝେଇଲାଗିଥିଲେ, ବୁଝେଇ ବୁଝେଇ ଥକିଯାଇସାରିଥିଲେ ।

 

‘‘କମ୍ପାନୀକି ଯାଇ ଭେଟ ହୋଇ ଆ । ଗଲାବେଳେ କହିଦେଇ ଯାଇଛି ।’’ କିନ୍ତୁ ହିରା‍ମନ୍‍ର ସେହି ଏକା କଥା-‘‘ଧେତ୍‍, କିଏ ଭେଟ ହେବାକୁ ଯାଉଛି । କମ୍ପାନୀର ସ୍ତ୍ରୀଲୋକ, କମ୍ପାନୀକି ଚାଲିଗଲା; ଆଉ ଏଣିକି ତା’ ସଙ୍ଗରେ ନେଣ-ଦେଣ କ’ଣ ? ଚିହ୍ନିବ କି ନାହିଁ ।’’

 

ମନେ ମନେ ସେ ରାଗିଯାଇଥିଲା । କିନ୍ତୁ ବିଜ୍ଞାପନ ଶୁଣିଲା ପରେ ସେ ଲାଲମୋହର୍‍କୁ କହିଲା, ‘‘ନିଶ୍ଚୟ ଦେଖିବା ଉଚିତ୍‍, ନା କ’ଣ କହୁଛୁ ଲାଲମୋହର ?’’

 

ଦିହେଁ ନିଜ ଭିତରେ ପରାମର୍ଶ କରି ରୀତା କମ୍ପାନୀ ଆଡ଼କୁ ଚାଲିଲେ । ଫାଟକ ପାଖେ ପହଞ୍ଚି ହିରାମନ୍‍ ଲାଲ୍‍ମୋହରକୁ ଠାରି ବୁଝେଇଦେଲା ଯେ ପଚରା-ଉଚରା କରିବା ଭାର ଲାଲ୍‍ମୋହର ମୁଣ୍ଡରେ ଲଦା ହେଲା । ଲାଲ୍‍ମୋହର ଭଦ୍ରଲୋକି ଭାଷାରେ କଥା କହିଜାଣେ । ସେ କଳାକୋଟ୍‍ ପିନ୍ଧିଥିବା ଜଣେ ଲୋକକୁ କହିଲା, ‘‘ବାବୁ ସାହେବ, ଟିକିଏ ଶୁଣିଲେ...’’

 

‘‘ବାବୁ ସାହେବ, ଟିକିଏ ଶୁଣିଲେ...’’

 

କଳାକୋଟ୍‍ପିନ୍ଧା ଲୋକ ନାକ ଟେକି ଭ୍ରୂକୁଟି କରି କହିଲା, ‘‘କ’ଣ କହୁଛୁ ? ୟାଡ଼େ କୁଆଡ଼େ ?’’

 

ଲାଲ୍‍ମୋହରର ଭଦ୍ରଲୋକୀ ବୋଲି ଗୋଳମାଳ ହୋଇଗଲା । ରାଗ ଗରଗର ଚାହାଣିକି ଦେଖି କହିଲା-ଗୁଲ୍‍ବୁଲ...ନାହିଁ ନାହିଁ...ବୁଲ୍‍ ବୁଲ୍‍...ନାହିଁ... ।’’

 

ହିରାମନ୍‍ ଚଞ୍ଚଳ ଅବସ୍ଥା ସମ୍ଭାଳି ନେଇ କହିଲା, ‘‘ହୀରା ଦେବୀ କେଉଁଠି ରହନ୍ତି ଆଜ୍ଞା, କହିପାରିବେ ?’’

 

ସେ ଲୋକଟାର ଆଖି ହଠାତ୍‍ ନାଲିପଡ଼ିଗଲା । ଆଗରେ ଠିଆହୋଇଥିବା ନେପାଳୀ ସିପାହୀକି ଡାକି କହିଲା, ‘‘ୟେ ଲୋକଙ୍କୁ ଏଣିକି କାହିଁକି ଆସିବାକୁ ଛାଡ଼ିଲ, ଏଁ ?’’

 

‘‘ହିରାମନ୍‍ !’’ ...ପୁଣି ସେହି ଗିଲାସରେ ଫେଣ ଉଠିଲା ପରି ନରମ ସ୍ୱର ଶୁଭିଲା । ଦୁଆରମୁହଁର ପର୍ଦ୍ଦା ଟେକି ହୀରାବାଈ ଡାକିଲା, ‘‘ଏଠିକି ଚାଲିଆସ, ଭିତରକୁ ! ଦେଖ ବାହାଦୁର, ୟା’କୁ ଚିହ୍ନିଥା । ୟେ ମୋ ହିରାମନ୍‍ । ବୁଝିଲ ।’’

 

ନେପାଳୀ ଦରଓ୍ୱାନ୍‍ ହିରାମନ୍‍ ଆଡ଼କୁ ଚାହିଁ ଟିକିଏ ହସିଦେଲା ଆଉ ଚାଲିଗଲା । କଳାକୋଟ୍‍ପିନ୍ଧା ଲୋକକୁ ଯାଇ କହିଲା, ‘‘ହୀରାବାଈଙ୍କ ଲୋକ, ଅଟକାଇବ ନାହିଁ ବୋଲି ସେ କହିଛନ୍ତି ।’’

 

ଲାଲ୍‍ମୋହର ନେପାଳୀ ଦରୁଆନ୍‍ ଲାଗି ପାନ କିଣିଆଣିଲା ।

 

-ଇସସ୍‍ ! ଖଣ୍ଡେ ନୁହେଁ, ପାଞ୍ଚଖଣ୍ଡ ପାଶ୍‍ । ଚାରିଖଣ୍ଡ ଆଠଣିଆ । କହିଲା, ‘‘ଯେତେଦିନଯାକେ ମେଳାରେ ଅଛ ପ୍ରତିଦିନ ରାତିରେ ଆସି ଦେଖିବ ।’’

 

ସମସ୍ତଙ୍କୁ ମନେ ରଖିଛି ! କହିଲା, ‘‘ତୁମର ଚାରିଜଣ ସାଙ୍ଗ ଅଛନ୍ତି, ସମସ୍ତଙ୍କ ପାଇଁ ପାଶ୍‍ ନେଇଯା । କମ୍ପାନୀ ସ୍ତ୍ରୀଲୋକଙ୍କ ଜାତି ଭିନେ-ସତ କି ନୁହେଁ ?’’

 

ଲାଲ୍‍ମୋହର ନାଲି କାଗଜ ଖଣ୍ଡମାନଙ୍କୁ ଝୁଙ୍କିପଡ଼ି ଦେଖିଲା, ‘‘ପାଶ୍‍ । ବାହା ବାହାରେ ହିରାମନ୍‍ ଭାଇ ! ......କିନ୍ତୁ ପାଞ୍ଚଖଣ୍ଡ ପାଶ୍‍ କ’ଣ ହେବ ? ପଲଟ୍‍ଦାସ୍‍ ତ ପୁଣି ପାଲଟିଆସିଲା ବ ନାହିଁ ଏପର୍ଯ୍ୟନ୍ତ !

 

ହିରା‍ମନ୍‍ କହିଲା, ‘‘ଛାଡ଼ ମ ସେ ହତଭାଗାଟା କଥା ! ତା’ କପାଳରେ ଲେଖା ହୋଇନାହିଁ । ....ହଁ ଦେଖ, ଆଗେ ସମସ୍ତିଙ୍କୁ ଶ୍ରୀଗୁରୁଙ୍କ ନାଁ ଧରି ନିୟମ କରିବାକୁ ପଡ଼ିବ ଯେ ଗାଁ-ଗୋଟାକରେ ୟେ କଥା ଯେମିତି ଚଢ଼େଇଟିଏ ବି ଜାଣି ପାରିବ ନାହିଁ ।’’

 

ଲାଲ୍‍ମୋହର ଉତ୍ତେଜିତ ହୋଇ କହିଲା, ‘‘କୋଉ ଶଳା କହିବ ? ଗାଁକୁ ଯାଇ, ଏଁ ? ପଲ୍‍ଟା ହ୍ୟାପ୍‍ ଯଦି ବଦ୍‍ମାଇସି କରିବ ତେବେ ଆର ଥରକୁ ତାକୁ ଆଉ ସାଙ୍ଗରେ ଆଣିବା ନାହିଁ-।’’

 

ହିରା‍ମନ୍‍ ତା’ ମୁଣିକୁ ଆଜି ହୀରାବାଈ ଜିମ୍ମାରେ ରଖିଦେଇଛି । ମେଳାକଥା, କ’ଣ ଠିକଣା ଅଛି ? ପ୍ରକାର ପ୍ରକାରର ପକେଟମାରୁ ପ୍ରତିବର୍ଷ ଆସନ୍ତି । ଆପଣା ସାଙ୍ଗସାଥୀଙ୍କି ବି କି ଭରସା ଅଛି ? ହୀରାବାଈ ରାଜି ହେଲା । ହିରାମନ୍‍ର କଳାକନା ମୁଣିକୁ ସେ ତା’ ଚମଡ଼ା ବାକ୍‍ସରେ ଥୋଇ ବନ୍ଦକରିଦେଲା । ସେ ବାକ୍‍ସ ଉପରେ ବି କନାର ଖୋଳ ଆଉ ଭିତରେ ଝଲ୍‍ମଲ୍‍ କରୁଛି ରେଶମ୍‍ର ଅସ୍ତର୍‍ । ମନର ମାନ-ଅଭିମାନ ଦୂର ହୋଇଗଲା ।

 

ଲାଲ୍‍ମୋହର ଓ ଧୁନ୍ନୀରାମ୍‍ ଦିହେଁ ମିଶି ହିରାମନ୍‍ର ବୁଦ୍ଧିକୁ ପ୍ରଶଂସା କଲେ; ତା’ଭାଗ୍ୟକୁ ବାରମ୍ୱାର ପ୍ରଶଂସା କଲେ । ତା’ ଭାଇ ଆଉ ଭାଉଜଙ୍କୁ ନିନ୍ଦା କଲେ, କଡ଼ା ଭାଷାରେ । ତାଙ୍କୁ ହିରା‍ମନ୍‍ ପରି ଏମିତି ହୀରା ପରି ଭାଇଟାଏ ମିଳିଛି, ସେଇଥିପାଇଁ । ଆଉ କୋଉ ଭାଇ ହୋଇଥିଲେ.... ।

 

ଲହସନ୍‍ଓ୍ୱାର ମୁହଁ ଓହଳିପଡ଼ିଛି । ବିଜ୍ଞାପନ ଶୁଣୁ ଶୁଣୁ କୁଆଡ଼େ ସେ ଚାଲିଯାଇଥିଲା ଯେ ଘଡ଼ିଏ ସଞ୍ଜ ହେଲା ଉତ୍ତାରୁ ଫେରିଆସିଛି ।

 

ଲାଲ୍‍ମୋହର ତା’ ଖାଉନ୍ଦପଣରେ ତାକୁ ଶୋଧାଟାଏ ଦେଇଛି, ଗାଳି ଦେବ କହିଛି, ‘‘ଗବା କାହିଁକା ।’’

 

ଧୂନ୍ନୀରାମ୍‍ ଚୁଲି ଉପରେ ଖେଚେଡ଼ି ବସାଉ ବସାଉ କହିଲା, ‘‘ଆଗ ଏ କଥାର ନିଷ୍ପତ୍ତି କର ଯେ ଗାଡ଼ି କତିରେ କିଏ ରହିବ ।’’ ‘‘ରହିବ ଆଉ କିଏ ? ୟେ ଲହସନ୍‍ଓ୍ୱା କୁଆଡ଼େ ଯିବ !’’

 

ଲହସନ୍‍ଓ୍ୱା କାନ୍ଦି-ପକାଇଲା–‘‘ହେ-ଏ-ଏ-ଖାଉନ୍ଦ, ହାତ ଯୋଡ଼ୁଛି, ଥରେ ଟିକିଏ ଅନେଇଁଦେବି-ଖାଲ ଥରେ ଟିକିଏ !’’

 

ହିରାମନ୍‍ ଉଦାରତା ସହକାରେ କହିଲା, ‘‘ହଉ ହଉ, ଟିକିଏ ନାଁକୁ କାହିଁକି, ଘଣ୍ଟାଟାଏ ଦେଖିବୁ, ମୁଁ ଚାଲିଆସିବି ।’’

 

ନୌଟଂକୀ ଆରମ୍ଭ ହେବାର ଦିଘଣ୍ଟା ଆଗରୁ ବଡ଼ବାଜା ବାଜିବା ଆରମ୍ଭ ହୋଇଯାଏ । ଆଉ ବଡ଼ବାଜା ବାଜିବା ଆରମ୍ଭ ସଙ୍ଗେ ସଙ୍ଗେ ଲୋକେ ପତଙ୍ଗ ପରି ଛୁଟନ୍ତି । ଟିକଟଘର ପାଖେ ଭିଡ଼ ଦେଖି ହିରାମନ୍‍କୁ ଭାରି ହସମାଡ଼ିଲା ।

 

‘‘ଲାଲ୍‍ମୋହର ତେଣିକି ଅନା, କେମିତି ଧକମ୍‍ଧକା ହେଉଛନ୍ତି ଲୋକେ ।’’

 

‘‘ହିରା‍ମନ୍‍ ଭାଇ !’’

 

‘‘କିଏ ? ପଲଟ୍‍ଦାସ୍‍ ? କୋଉଠିକା ବୋଝ ଘେନି ଆସିଲୁ ?’’ ଲାଲ୍‍ମୋହର ଭିନେ ଗାଁର ଲୋକ ପରି ପଚାରିଲା ।

 

ପଲଟ୍‍ଦାସ ହାତ ମଳି ମଳି କ୍ଷମା ମାଗିଲା-‘‘ମୁଁ ଦୋଷୀ । ତେମେ ମତେ ଯେଉଁ ଦଣ୍ଡ ଦେବ ମୁଁ ରାଜି । କିନ୍ତୁ ସତକଥା କହୁଛି ଯେ ସୀତା ସୁକୁମାରୀ.......।’’

 

ହିରାମନ୍‍ ମନର ପଦ୍ମଫୁଲ ବଡ଼ବାଜାର ତାଳେ ତାଳେ ଫୁଟିସାରିଥିଲା, ‘‘ଦେଖ୍‍ ପଲ୍‍ଟା, ଏ କଥା ବୁଝିଥା ଯେ ସେ ଗାଁର ଘରର ମାଇପି ଲୋକ । ଦେଖ୍‍, ତୋ ପାଇଁ ବି ପାଶ୍‍ ଦେଇଚିରେ, ତୋ ପାଶ୍‍ ନେ, ଖେଳ ଦେଖ୍‍... ।’’

 

ଲାଲ୍‍ମୋହର କହିଲା, ‘‘କିନ୍ତୁ ଗୋଟାଏ ସର୍ତ୍ତରେ ପାଶ୍‍ ମିଳିବ । ମଝିରେ ମଝିରେ ଲହସନ୍‍ଓ୍ୱାକୁ ବି..... ।’’

 

ପଲଟ୍‍ଦାସ୍‍କୁ କିଛି କହିବା ଦରକାର ନାହିଁ । ସେ ଲହସନ୍‍ଓ୍ୱା ସଙ୍ଗରେ ବର୍ତ୍ତମାନ କଥାଭାଷା କରି ଆସିଛି ।

 

ଲାଲ୍‍ମୋହର ଆଉ ଗୋଟାଏ ସର୍ତ୍ତ ତା’ ଆଗରେ ଥୋଇଲା, ‘‘ଗାଁରେ ଏ କଥା ଯଦି କୌଣସି ପ୍ରକାରେ ଜଣାପଡ଼ିଯିବ...’’

 

‘‘ରା୍ମ୍‍ ରା୍‍ମ୍‍ .. ।’’ –ଦାନ୍ତରେ ଜିଭକୁ କାମୁଡ଼ି ପକାଇ ପଲଟ୍‍ଦାସ କହିଲା ।

 

ପଲଟ୍‍ଦାସ କହିଲା, ‘‘ଆଠଣିଆ ଫାଟକ ଏପଟେ ଅଛି ।’’ ଫାଟକ ପାଖେ ଠିଆହୋଇଥିବା ଦରୁଆନ୍‍ ହାତରୁ ପାଶ୍‍ ନେଇ ତାଙ୍କ ଚେହେରାକୁ ବାରମ୍ୱାର ଦେଖୁଥାଏ । କହିଲା, ‘‘ଏ ତ ପାଶ୍‍ । କୋଉଠୁ ମିଳିଲା ?’’

 

ଏଥର ଲାଲ୍‍ମୋହରର ଭଦ୍ରଲୋକୀ ଭାଷା ଶୁଣାଗଲା । ତା’ରାଗ ଗରଗର ଆଖି ଦେଖି ଦରୁଆନ୍‍ ଘାବୁରେଇଗଲା । ‘‘ମିଳନ୍ତା କେଉଁଠୁ ? ଆପଣଙ୍କ କମ୍ପାନୀଙ୍କଠାରୁ ପଚାରି ବୁଝନ୍ତୁ ଯାଇ । ଚାରି ଖଣ୍ଡି ନୁହେଁ, ଦେଖିବା ହେଉନ୍ତୁ, ଆଉ ଖଣ୍ଡିଏ ବି ଅଛି ।’’ ପକେଟ୍‍ରୁ ପାଞ୍ଚଖଣ୍ଡ ପାଶ୍‍ କାଢ଼ି ଲାଲ୍‍ମୋହର ଦେଖାଇଲା ।

 

ଟଙ୍କାକିଆ ଫାଟକପାଖେ ନେପାଳୀ ଦରୁଆନ୍‍ ଠିଆ ହୋଇଥାଏ । ହିରାମନ୍‍ ଡାକ ପକାଇ କହିଲା, ‘‘ସିପାହୀ ବାବୁ, ଆଜି ସକାଳେ ପରିଚୟ ଦେଲି; ଆଉ ଅଇଛା ଭୁଲିଗଲ ?’’

 

ନେପାଳୀ ଦରୁଆନ୍‍ କହିଲା, ‘‘ଏମାନେ ସମସ୍ତେ ହୀରାବାଈଙ୍କ ଲୋକ । ଚିହ୍ନିଥା । ପାଶ୍‍ ଥାଉ ଥାଉ ପୁଣି ଅଟକାଉଛୁ କାହିଁକି ?’’

 

ଆଠଣିଆ ଦୁଆରୀମୁହଁ ।

 

ତିନିଜଣଯାକ ‘ଦର୍ଶନାଳୟ’ ଭିତରକୁ ପ୍ରଥମ ଥର ଦେଖିଲେ । ଆଗପଟେ ଚଉକି ବେଞ୍ଚ୍ ଥିବା ଦର୍ଜାମାନ । ପର୍ଦ୍ଦାରେ ରାମଗମନର ଛବି ଅଛି । ପଲଟ୍‍ଦାସ ଚିହ୍ନି ପକାଇଲା । ପର୍ଦ୍ଦାରେ ଅଙ୍କାହୋଇଥିବା ଶ୍ରୀରାମ, ସୀତା ସୁକୁମାରୀ ଆଉ ଲଇକ୍ଷଣ କୁମରଙ୍କୁ ସେ ହାତ ଯୋଡ଼ି ଦଣ୍ଡବତ ହେଲା । ‘‘ଜୟ ଜୟ ! ଜୟ, ଜୟ !’’

 

ପଲ୍‍ଟଦାସର ଆଖିରେ ଭର୍ତ୍ତି ହୋଇଗଲା । ହିରାମନ୍‍ କହିଲା, ‘‘ଲାଲ୍‍ମୋହର, ସମସ୍ତେ ଲୁଚିକରି ଠିଆହୋଇଛନ୍ତି ନା ଚାଲୁଛନ୍ତି ?’’ ଲାଲ୍‍ମୋହର ତା’ କରପଟେ ବସିଥିବା ଦର୍ଶକମାନଙ୍କ ସଙ୍ଗେ ଚିହ୍ନାପରିଚ ହୋଇସାରିଥାଏ । ସେ କହିଲା, ‘‘ଖେଳ ଅଇଛା ପର୍ଦ୍ଦା ଉଢ଼ୁଆଳରେ ଅଛି, ଅଇଛା ଖାଲି ଲୋକଙ୍କୁ ଠୁଳ କରିବାପାଇଁ ଉଦ୍ୟମ ଚାଲିଛି ।’’

 

ପଲଟ୍‍ଦାସ ଢୋଲକ ବଜାଇ ଜାଣେ, ତେଣୁ ବଡ଼ବାଜାର ତାଳ ଅନୁସାରେ ସେ ମୁଣ୍ଡ ହଲୋଉଥାଏ ଆଉ ଦିଆସିଲି ଖୋଳ ଉପରେ ତାଳ ଛିଣ୍ଡୋଉଥାଏ । ବିଡ଼ି ଆଦାନପ୍ରଦାନ କରି ହିରା‍ମନ୍‍ ମଧ୍ୟ ଜଣେଅଧେ ଲୋକଙ୍କ ସଙ୍ଗେ ଚିହ୍ନାପରିଚ ହୋଇସାରିଥାଏ । ଲାଲ୍‍ମୋହରର ପରିଚିତ ଲୋକ ଚାଦରରେ ଦେହ ଘୋଡ଼େଇ କହିଲା, ‘‘ନାଚ ହେଉ ହେଉ ତ ଆହୁରି ଡେରି ହେବ, ସେତେବେଳଯାକେ ଟିକିଏ ଆଖିବୁଜି ଶୋଇପଡ଼େଁ ତ ।’’ ସବୁ ଦରଜା ଅପେକ୍ଷା ଭଲ ଜଣାପଡ଼ୁଥିଲା ଆଠଣିଆ ଦରଜା । ସବା ପଛରେ ପୁଣି ସବୁଠୁ ଉଚ୍ଚ ଜାଗାରେ ସେ । ତଳେ ମାଟି ଉପରେ ଶୁଖିଲା କୁଟା ବିଛାହୋଇଛି, ତେଣୁ ତଳ ଉଷୁମ ଅଛି । ଚୌକି ଆଉ ବେଞ୍ଚରେ ବସି ୟେ ଥଣ୍ଡା ଜାଗାରେ ଯେଉଁ ଲୋକେ ତାମସା ଦେଖିବାକୁ ଆସିଛନ୍ତି ଅଇଛା ସେମାନେ ଚାହା ପିଇବାକୁ ଉଠିଯିବେ ।

 

ସେ ଲୋକଟି ତା’ସାଙ୍ଗକୁ କହିଲା, ‘‘ଖେଳ ଆରମ୍ଭ ହେଲେ ମତେ ଉଠେଇ ଦେବ । -ନାହିଁ ନାହିଁ, ଖେଳ ଆରମ୍ଭ ନୁହେଁ, ହୀରି ଯେତେବେଳେ ଷ୍ଟେଜ୍‍ ଉପରକୁ ଆସିବନା, ସେତେବେଳେ ।’’

 

ହିରାମନ୍‍ର ଛାତିରେ ଟିକିଏ ଆଘାତ ଲାଗିଲା.......ହୀରି ! ବଡ଼ ଖେଚେଡ଼ା ଲୋକଟାଏ ବୋଲି ଲାଗୁଛି ତ ! ସେ ଲାଲ୍‍ମୋହରକୁ ଆଖିବାଟେ ଠାରି ବୁଝେଇ ଦେଲା-ୟେ ଲୋକଟା ସଙ୍ଗରେ ଘନିଷ୍ଠତା କରିବା ଭଲ ନୁହେଁ ।

 

ଧନ୍‍-ଧନ୍‍-ଧନ୍‍-ଧଡ଼ାସ୍‍ । ପର୍ଦ୍ଦା ଉଠିଲା ।

 

ହେ-ଏ-ହେ-ଏ-ହୀରାବାଈ ଆରମ୍ଭରୁ ହିଁ ଷ୍ଟେଜ୍‍ରେ ଓହ୍ଲାଇପଡ଼ିଲା । ପ୍ରେକ୍ଷାଳୟରେ ହୁଲ୍‍ସ୍ତୁଲ ପଡ଼ିଗଲା । ହିରାମନ୍‍ କାବା ହୋଇଯାଇ ଆ କରିଦେଲା । ଲାଲ୍‍ମୋହରକୁ କେଜାଣି କାହିଁକି ଭାରି ହସ ମାଡ଼ୁଥାଏ । ହୀରାବାଈର ଗୀତର ପଦପଦକେ ସେ ହସୁଛି, ଅକାରଣରେ ।

 

ଗୁଲବଦନ୍‍ ତାର ରାଜଦରବାର ଆରମ୍ଭ କରିଦେଇ ଦରବାରରେ ବସିଛି । ସେ ଘୋଷଣା କରୁଛି-ଯେଉଁ ଲୋକ ହଜାରେଟା ସିଂହାସନ ତିଆରି କରି ଆଣିଦେବ, ସେ ଯାହା ନେବି ବୋଲି ତୁଣ୍ଡରେ କହିବ ତ’ ତାକୁ ପୁରସ୍କାର ଦିଆଯିବ ।

 

Unknown

ଅଛି କେହି ଏଭଳି କଳାକାର

ତେବେ ହେଉ ସେ ଆଗୁସାର,

ଆଣୁ ଗଢ଼ି ସିଂହାସନ ହଜାର-ଅ-ଅ-

 

କିଡ଼ି କିଡ଼ି-କିରିଂ । ଅଲ୍‍ବତ୍‍ ନାଚୁଛି । କି ଗଳା ! ‘‘ସମସ୍ତେ ଜାଣନ୍ତି’’,- ଏ ଲୋକଟି କହୁଛି, ‘‘ହୀରାବାଈ ପାନବିଡ଼ି ସିଗାରେଟ୍‍ ଜର୍ଦ୍ଦା । କିଛି ଖାଏନାହିଁ ।’’

 

‘‘ସେ ଠିକ୍‍ କହୁଛନ୍ତି । ବେଶ୍ୟାଟାର ଭାରି କାଇଦାକଟକଣା ।’’

 

‘‘କିଏ କହୁଚି ସେ ବେଶ୍ୟା ବୋଲି ? କୋଉଠି ସେ ତା’ଦାନ୍ତରେ ମିସୀ ବୋଳିଛି ?’’

 

‘‘ପାଉଡ଼ରରେ ଦାନ୍ତ ଘଷୁଥିବ ।’’

 

‘‘କଦାପି ନୁହେଁ ।’’

 

.....‘‘କୋଉ ଲୋକଟା ହୋ ସେ, ଯେ କଥାକୁ ଅକଥା କହୁଛି ?’’

 

‘‘କମ୍ପାନୀ-ମାଇକିନିଆଁକୁ ବେଶ୍ୟା କୁହାଯାଏ । ତୁମକୁ କଥାଟା କାହିଁକି କାଟିଲା ?’’

 

‘‘କିଏ ଏଠି ଅଛି କି ବେଶ୍ୟାର ଭଡ଼ୁଆ ?’’

 

‘‘ମାର୍‍ ଶଳାକୁ ।’’

 

‘‘ମାର୍‍ ।’’

 

‘‘ମାର୍‍ ।’’

 

ହୋ-ହା ଭିତରେ ହିରା‍ମନ୍‍ର ପାଟି ସତେକି ପ୍ରେକ୍ଷାଳୟକୁ ଫଟେଇ ଦେଉଛି-‘‘ଆସ, ଗୋଟି ଗୋଟି କରି ଅଇଛା ତୁମ ବେକ ମୋଡ଼ିବି ।’’ ଲାଲ୍‍ମୋହର ପାଞ୍ଚଣବାଡ଼ିରେ ଆଗରେ ବସିଥିବା ଲୋକଗୁଡ଼ାଙ୍କୁ ପଟାପଟ୍‍ ପିଟିପକାଉଛି । ପଲଟ୍‍ଦାସ ଗୋଟାଏ ଲୋକର ଛାତି ଉପରେ ମାଡ଼ିବସିଛି-‘‘ଶଳା, ସୀତା ସୁକୁମାରୀଙ୍କି ଗାଳିଦଉଚି, ଫେର୍‍ ନିଜେ ମୁସଲମାନ୍‍ ହୋଇ ?’’

 

ଧୁନ୍ନୀରାମ୍‍ ମୂଳରୁ ଚୁପ୍‍ଚାପ୍‍ ଥିଲା । ମାର୍‍ପିଟ୍‍ ଆରମ୍ଭ ହେଉ ହେଉ ସେ ପ୍ରେକ୍ଷାଳୟରୁ ବାହାରି ପଦାକୁ ପଳାଇଲା ।

 

କଳା କୋଟ୍‍ପିନ୍ଧା ନୌଟଂକୀର ମ୍ୟାନେଜର ନେପାଳୀ ସିପେହୀ ସଙ୍ଗେ ଦୌଡ଼ି ଆସିଲେ । ପୁଲିସ୍‍ ଦାରୋଗା ହଣ୍ଟର୍‍ରେ ପିଟିବା ଆରମ୍ଭ କଲେ । ହଣ୍ଟର୍‍ ମାଡ଼ଖାଇ ଲାଲ୍‍ମୋହର ଛଟପଟ ହୋଇଗଲା, ସାଧୁଭାଷାରେ ବକ୍ତୃତା ଆରମ୍ଭ କରିଦେଲା– ‘‘ଦାରୋଗା ସାହେବ, ପିଟୁଛନ୍ତି ପିଟନ୍ତୁ, କୌଣସି ଆପତ୍ତି ନାହିଁ; କିନ୍ତୁ ଏ ପାଶ୍‍କୁ ଚାହାନ୍ତି । ଗୋଟିଏ ପାଶ୍‍ ପକେଟ୍‍ରେ ବି ଅଛି । ହଜୁରେ ଦେଖିପାରନ୍ତି । ଟିକେଟ୍‍ ନୁହେଁ, ପାଶ୍‍ । ...ଯଦି ଆମମାନଙ୍କ ଆଗରେ କମ୍ପାନୀଙ୍କ ମହିଳାଙ୍କ ନାଁରେ କେହି ମନ୍ଦ କଥା କହିଦେଲା ତ ଆମେ କେଉଁ ପ୍ରକାରେ ସହିବୁଁ ହଜୁର୍‍ ?’’

 

କମ୍ପାନୀର ମ୍ୟାନେଜର ସବୁକଥା ବୁଝିପାରିଲେ । ସେ ଦାରୋଗାଙ୍କୁ ବୁଝାଇଲେ, ‘‘ହଜୁର୍‍, ମୁଁ ବୁଝିଗଲି । ଏସବୁ ବଦ୍‍ମାଇସି ମଥୁରାମୋହନ କମ୍ପାନୀ ଲୋକଙ୍କ କାରସାଦି । ଅଭିନୟ ଚାଲିଥିବାବେଳେ କଜିଆଗୋଳ ଲଗେଇଦେଇ ଆମ କମ୍ପାନୀକି ବଦ୍‍ନାମ ଦେବା ଫିକର୍‍-। ନାହିଁ ହଜୁର, ଏ ଲୋକଙ୍କୁ ଛାଡ଼ିଦିଅନ୍ତୁ, ଏ ଲୋକେ ହୀରାବାଈଙ୍କ ଲୋକ । ସେ ବିଚରାର ଜୀବନ ବିପଦରେ ପଡ଼ିଛି, ହଜୁରଙ୍କୁ ଜଣାଇଥିଲି ପରା ।’’

 

ହୀରାବାଈର ନାଁ ଶୁଣିଲାମାତ୍ରେ ଦାରୋଗା ତିନିଜଣଯାକଙ୍କୁ ଛାଡ଼ିଦେଲେ; କିନ୍ତୁ ତିନିଙ୍କ ପାଞ୍ଚଣ ଛଡ଼ାଇ ନେଲେ । ମ୍ୟାନେଜର ସେ ତିନିଜଣଯାକଙ୍କୁ ଟଙ୍କିକିଆ ଚୌକିରେ ବସାଇଲେ-‘‘ଆପଣମାନେ ଏଠି ବସନ୍ତୁ । ପାଶ୍‍ ପଠେଇ ଦେଉଛି ।’’

 

ପ୍ରେକ୍ଷାଳୟରେ ଗୋଳମାଳ ବନ୍ଦ ହେଲା, ଶାନ୍ତି ପଡ଼ିଲା, ଆଉ ହୀରାବାଈ ଷ୍ଟେଜ୍‍କୁ ପେରିଆସିଲା ।

 

ବଡ଼ ବାଜା ପୁଣି ଢାଉଁ-ଢାଉଁ ହୋଇ ବାଜିଲା । କିଛି ସମୟ ପରେ ତିନିଜଣଙ୍କର ଏକାସଙ୍ଗରେ ଧୁନ୍ନୀରାମ ମନେପଡ଼ିଲା । ‘‘ଆରେ ଧୁନ୍ନିରାମ କୁଆଡ଼େ ଗଲା ?’’

 

-‘‘ଖାଉନ୍ଦ ! ହୋ ଖାଉନ୍ଦ !’’ ଲହସନ୍‍ଓ୍ୱା ପ୍ରେକ୍ଷାଳୟ ବାହାରୁ ଚିତ୍କାର କରି ଡାକଛାଡ଼ିଛି, ‘‘ହୋ ଲାଲ୍‍ମୋହର ଖାଉନ୍ଦ !’’

 

ଲାଲ୍‍ମୋହର ବଡ଼ପାଟିରେ ଜବାବ୍‍ ଦେଲା ‘‘ଏଇ ବାଟେ-ଏଇ ବାଟେ । ଟଙ୍କିକିଆ ଫାଟକ ବାଟେ ।’’

 

ସବୁ ଦର୍ଶକ ମୁହଁ ବୁଲାଇ ଲାଲ୍‍ମୋହର ଆଡ଼କୁ ଅନାଇଁଲେ । ଲହସନ୍‍ଓ୍ୱାକୁ ନେପାଳୀ ସିପାହୀ ଲାଲ୍‍ମୋହର ପାଖକୁ ଘେନିଆସିଲା । ଲାଲ୍‍ମୋହର ପକେଟ୍‍ରୁ ପାଶ୍‍ କାଢ଼ି ଦେଖାଇଦେଲା । ଲହସନ୍‍ଓ୍ୱା ଆସୁ ଆସୁ ପଚାରିଲା ‘‘ଖାଉନ୍ଦ, କୋଉ ଲୋକଟା କ’ଣ କହୁଥିଲା ? ଡାକନ୍ତୁ ତ ଟିକିଏ ? ଥରେ ଖାଲି ତା’ମୁହଁଟା ଚିହ୍ନେଇ ଦେଲେ ମତେ-ଥରେ ଖାଲି !’’

 

ଲୋକେ ଲହସନ୍‍ଓ୍ୱାର ଚଉଡ଼ା ଆଉ ସିଧା ଛାତିକି ଦେଖିଲେ । ଶୀତଦିନେ ବି ତା’ଦେହ ନାହିଁ,....ଏ ଲୋକଙ୍କ ସଙ୍ଗରେ ତାଙ୍କର ଚେଲା-ଫେଲା ବି ଅଛନ୍ତି !

 

ଲାଲ୍‍ମୋହର ଲହସନ୍‍ଓ୍ୱାକୁ ବୋଧଶୋଧ କଲା । ତିନିଚାରି ଜଣଙ୍କୁ ନପଚାରିଲେ ନୌଟଂକୀ କୁହାଯାଉଥିବା ଯାତ୍ରାରେ କିଏ କ’ଣ କ’ଣ ଦେଖିଲା ବୋଲି ଜାଣିବ ? ନ ପଚାରିଲେ କାହାଣୀଟା କିଏ ଯେମିତି ବୁଝିପାରନ୍ତା ? ହିରାମନ୍‍କୁ ଲାଗୁଥାଏ, ହୀରାବାଈ ଆରମ୍ଭରୁ ତା’ରିଆଡ଼କୁ ନିଘାଦେଇ ଅନେଇଁ ରହିଛି, ନାଚୁଛି, ଗାଉଛି । ଲାଲ୍‍ମୋହରକୁ ଲାଗୁଥାଏ ହୀରାବାଈ ତାହାରି ଆଡ଼କୁ ଅନାଇଛି । ସେ ବୁଝିନେଲାଣି, ହିରାମନ୍‍ଠୁ ବି ବେଶି ପାଓ୍ୱାର୍‍ବାଲା ମଣିଷ ଲାଲ୍‍ମୋହର । ପଲଟ୍‍ଦାସ କାହାଣୀଟା ବୁଝୁଛି....କାହାଣୀ ଆଉ କ’ଣ ହୋଇଥିବ ? ରାମାୟଣ କଥାହିଁ । ହେଇ ସେ ରାମ, ଆଉ ସେ ସୀତା, ଆଉ ହେଇ ସେ ଲଇଖଣ କୁମର, ଆଉ ହେଇ ସେଠି ରାବଣ । ସୀତା ସୁକୁମାରୀକି ଶ୍ରୀରାମଙ୍କ ପାଖରୁ ଛଡ଼ାଇ ନେବା ପାଇଁ ରାବଣ ପ୍ରକାର ପ୍ରକାର ରୂପ ଧରି ଆସୁଛି । ରାମ ଆଉ ସୀତା ବି ରୂପ ବଦଳାଇ ପକାଉଛନ୍ତି । ଗୁଲ ବଦନ୍‍ ପ୍ରକୃତରେ ସୀତା ସୁକୁମାରୀ । ଏ ଯେଉଁ ମାଳୀପୁଅର ସାଙ୍ଗ, ସେ ଜଣକ ଲଇଖଣ କୁମର । ସୁଲତାନ୍‍ ଯେ ହୋଇଛି ସେ ରାବଣ । ଧୁନ୍ନୀରାମକୁ ଭାରି ଜର । ଲହସନ୍‍ଓ୍ୱାକୁ ସବୁଠୁ ଲାଗୁଛି ଜୋକର ପାର୍ଟଟା ।

 

ସେ ସେହି ଜୋକ୍‍ର ସଙ୍ଗରେ ବନ୍ଧୁତା କରିବାକୁ ଚାହେଁ । ....ବନ୍ଧୁତା କରିବ ନାହିଁ, ଜୋକ୍‍ର ସାହେବ ?

 

ଗୋଟାଏ ଗୀତର ଅଧେ ଧାଡ଼ିକୁ ହିରା‍ମନ୍‍ ମୁଠେଇ ପକାଇଛି, ‘‘ମରିଗଲା ମାହଳିଆ-!’’

 

କିଏ ସେ ମଲା ମାହାଳିଆ ? ହୀରାବାଈ କାନ୍ଦି କାନ୍ଦି ଗାଉଛି, ‘‘ଆରେ ହଁ, ମରିଗଲା ମାହାଳିଆ । ଟିଡିଡ଼ିଡ଼ି....ବିଚରା ଗୁଲ୍‍ଫାମ୍‍ !’’

 

ତିନିଜଣଙ୍କ ପାଞ୍ଚଣ ଫେରାଇ ଦେଉଦେଉ ପୁଲିସ୍‍ ସିପେହୀ କହିଲା, ‘‘ପାଞ୍ଚଣ ଧରି ନାଚ ଦେଖି ଆସିଛ ?’’

 

ତହିଁ ଆରଦିନ ମେଳାଯାକ ଚାରିଆଡ଼େ ଏକଥା ପ୍ରଚାର ହୋଇଗଲା- ମଥୁରାମୋହନ କମ୍ପାନୀରୁ ହୀରାବାଈ ପଳାଇ ଆସିଛି, ସେଥିପାଇଁ ଏଥର ମଥୁରାମୋହନ କମ୍ପାନୀ ଆସିଲା ନାହିଁ...ତା’ ଗୁଣ୍ଡାମାନେ ଆସିଛନ୍ତି....ହୀରାବାଈ ବି କମ୍‍ ନୁହେଁ । ଭାରି ଖେଳୁଆଡ଼୍‍ ମାଇକିନିଆ । ତେର ତେରଟା ମଫସଲି ଲାଠିଆଳ ପୋଷିଛି । ...‘ବାଃ ମୋ ପ୍ରାଣଧନ’ ବୋଲି କହିଦେଉ ତ କେହି-ଯଦି ଶକ୍ତି ଅଛି !

 

ଦଶ ଦିନ । ଦଶ ରାତି ।

 

ଦିନଯାକ ହିରାମନ୍‍ ଭଡ଼ା ବୁହେ । ଅପରାହ୍‍ଣ ହେଲାମାତ୍ରେ ନୌଟଂକୀର ବଡ଼ବାଜା ବାଜିବାକୁ ଆରମ୍ଭ କରେ । ସେ ବାଜାଶବ୍ଦ ଶୁଣିଲାମାତ୍ରେ ହୀରାବାଈର ଡାକ କାନରେ ବାଜିଯାଉଥାଏ-ଭାଇ ...ମିତ....ହିରାମନ୍‍....ଓସ୍ତାଦ୍‍....ଆପଣେ... ।

 

ସବୁବେଳେ କୌଣସି ନା କୌଣସି ବାଜା ତା’କାନରେ ବାଜୁଥାଏ, ଦିନଯାକ । କେତେବେଳେ ହାର୍ମୋନିଅମ୍‍, କେତେବେଳେ ବଡ଼ବାଜା, କେତେବେଳେ ଢୋଲକ, କେତେବେଳେ ହୀରାବାଈର ମହୁରି । ସେହି ବାଦ୍ୟମାନଙ୍କ ଗତ ଅନୁସାରେ ହିରାମନ୍‍ ଉଠେ, ବସେ, ଚାଲେ, ବୁଲେ । ନୌଟଂକୀ କମ୍ପାନୀର ମ୍ୟାନେଜରଙ୍କଠୁଁ ଯେ ପର୍ଦ୍ଦା ଟାଣିବା ଲୋକଯାକେ ସମସ୍ତେ ତାକୁ ଚିହ୍ନନ୍ତି.......ହୀରାବାଈଙ୍କ ଲୋକ ।

 

ପଲଟ୍‍ଦାସ ପ୍ରତି ରାତିରେ ନୌଟଂକୀ ଆରମ୍ଭ ହେଲାବେଳେ ଷ୍ଟେଜ୍‍କୁ ଶ୍ରଦ୍ଧାପୂର୍ବକ ହାତଯୋଡ଼ି ନମସ୍କାର କରେ । ଲାଲ୍‍ମୋହର ଦିନେ ତା’ସାଧୁଭାଷା ଶୁଣେଇବାକୁ ଯାଇଥିଲା ହୀରାବାଈକୁ । ହୀରାବାଈ ତାକୁ ଚିହ୍ନି ପାରିଲା ନାହିଁ । ସେଦିନୁଁ ତା’ମନ ଊଣା ହୋଇଯାଇଛି । ତା’ଚାକର ଲହସନ୍‍ଓ୍ୱା ତା’ହାତରୁ ଖସିଗଲା । ସେ ଯାଇ ନୌଟଂକୀ କମ୍ପାନୀରେ ଭର୍ତ୍ତି ହୋଇଗଲା-। ଜୋକର୍‍ ସଙ୍ଗରେ ତା’ର ବନ୍ଧୁତା ହୋଇଗଲାଣି । ଦିନଯାକ ପାଣି ଆଣି ଭର୍ତ୍ତି କରୁଥାଏ, ଘରଭିତର ସବୁ ଧୁଏ, କହୁଚି ‘‘ଗାଁରେ କ’ଣ ଅଛି ଯେ ଯିବି ?’’ ଲାଲ୍‍ମୋହର ଉଦାସ ହୋଇ ରହେ । ଧୁନ୍ନୀରାମ ଘରକୁ ଚାଲିଗଲାଣି, ବେମାର ହୋଇଗଲା ।

 

ହିରାମନ୍‍ ଆଜି ସକାଳୁ ତିନିଥର ଶଗଡ଼ ବୋଝେଇ କରି ଷ୍ଟେସନ ଗଲାଣି । କେଜାଣି କାହିଁକି, ଆଜି ତା’ଭାଉଜ ମନେପଡ଼ୁଛି । .....ଜରବାଉଳାରେ ଧୁନ୍ନୀରାମ କିଛି କହିଦେଇନାହିଁ ତ ? ଏଠି ତ କେତେ ଆବୁରୁ-ଯାବୁରୁ କହୁଥିଲା, -ଗୁଲ୍‍ବଦନ-ସିଂହାସନ-ହଜାରେ । ଲହସନ୍‍ଓ୍ୱା ମଉଜରେ ଅଛି । ଦିନଯାକ ହୀରାବାଈକୁ ଦେଖୁଥିବ । କହୁଥିଲା ‘‘ହୀରାମନ୍‍ ଖାଉନ୍ଦ, ତୁମରି ଦୟାରୁ ଖୁବ୍‍ ମଉଜରେ ଅଛି । ହୀରାବାଈର ଶାଢ଼ି ଧୋଇଲା ପରେ ଗାମଲାର ପାଣି ଗୋଲାପ ଅତର ବାସ୍ନା ହୋଇଯାଏ । ସେଇଥିରେ ମୋ ନିଜର ଲୁଗାପଟା ବୁଡ଼ାଇ ଧୋଇଦିଏ । ଶୁଙ୍ଘିବ ?’’

 

ପ୍ରତି ରାତିରେ କାହାରି ବା କାହାରି ମୁହଁରୁ ସେ ଶୁଣୁଛି,-ହୀରାବାଈ ବେଶ୍ୟା । କେତେ ଲୋକଙ୍କ ସଙ୍ଗରେ ସେ କଳି କଲାଣି । ‘‘ନ ଦେଖି ଲୋକେ କେମିତି କୋଉ କଥା କହିଦିଅନ୍ତି ? ରାଜାଙ୍କୁ ବି ଲୋକେ ପିଠିଆଡ଼େ ଗାଳିଦିଅନ୍ତି ।’’

 

ଆଜି ସେ ହୀରାବାଈକୁ ଦେଖା କରି କହିଦେବ, ‘‘ନୌଟଂକୀ କମ୍ପାନୀରେ ରହିଲେ ଲୋକେ ବହୁତ ବଦ୍‍ନାମ କରୁଛନ୍ତି । ସର୍କସ୍‍ କମ୍ପାନୀରେ କାହିଁକି କାମ କରୁନା ?’’ ସମସ୍ତିଙ୍କ ଆଗରେ ନାଚୁଛି, ହିରାମନ୍‍ର କଲିଜା ସେତେବେଳେ ଦପ୍‍ଦପ୍‍ ହୋଇ ଜଳୁଥାଏ । ସର୍କସ କମ୍ପାନୀରେ ବାଘ....ପାଖକୁ ଆସିବାକୁ ସାହସ କିଏ କରିବ ? ସୁରକ୍ଷିତ ରହିବ ହୀରାବାଈ । ....କୁଆଡ଼ର ଗାଡ଼ି ଆସୁଛି ?’’

 

‘‘ହିରା‍ମନ୍‍, ହେ ହିରାମନ୍‍ ଭାଇ !’’ ଲାଲ୍‍ମୋହରର ସ୍ୱର ଶୁଣି ହିରାମନ୍‍ ବେକ ଭାଙ୍ଗି ଦେଇ ଅନାଇଁଲା.....କ’ଣ ଲଦି ଆଣିଛି ଲାଲ୍‍ମୋହର ?

 

‘‘ତତେ ଖୋଜୁଛିରେ ହୀରାବାଈ ଷ୍ଟେସନରେ । ଚାଲିଯାଉଛି ।’’

 

ଏକାନିଶ୍ୱାସରେ ଶୁଣିଗଲା । ସେ ଲାଲ୍‍ମୋହର ଗାଡ଼ିରେ ବସି ମେଳାରୁ ଷ୍ଟେସନକୁ ଆସିଲା । ‘‘ଚାଲିଯାଉଛି ? କୁଆଡ଼େ ଲାଲ୍‍ମୋହର ? ରେଳଗାଡ଼ିରେ ଯାଉଛି ? ହିରା‍ମନ୍‍ ତା’ଗାଡ଼ି ଫିଟାଇ ପକାଇଲା । ମାଲଗୋଦାମ ଚୌକିଦାରକୁ କହିଲା, ‘‘ଭାଇ ଟିକିଏ ଗାଡ଼ିବଳଦକୁ ଅନାଇଥିବ, ମୁଁ ଆସେଁ ।’’

 

‘‘ଓସ୍ତାଦ୍‍ !’’ ସ୍ତ୍ରୀଲୋକଙ୍କ ମୁସାଫିର୍‍ଖାନାର ଫାଟକ ପାଖରେ ହୀରାବାଈ ଓଢ଼ଣୀରେ ମୁହଁ ଢାଙ୍କି ଠିଆହୋଇଛି । ମୁଣିଟା ବଢ଼ାଇ ଦେଉ ଦେଉ କହିଲା । ‘‘ନିଅ । ହେ ଭଗବାନ୍‍ ! ଦେଖା ହୋଇଗଲା ବୋଲି ସିନା । ମୁଁ ତ ଭାବି ସାରିଥିଲି ତୁମ ସଙ୍ଗରେ ଆଉ ଦେଖା ହୋଇ ପାରିବ ନାହିଁ....ମୁଁ ଚାଲିଯାଉଛି ଆପଣେ ।’’

 

ବାକ୍‍ସ ବୋହିବା ଲୋକ ଆଜି କୋଟ୍‍ ପ୍ୟାଣ୍ଟ୍ ପିନ୍ଧି ବାବୁସାହେବ ହୋଇଯାଇଛି । ମାଲିକ ପରି କରି କୁଲିମାନଙ୍କୁ ହୁକୁମ୍‍ ଚଳେଇଛି–‘‘ସ୍ତ୍ରୀଲୋକମାନଙ୍କ ଡବାରେ ଚଢ଼େଇଦେବଟି ? ବୁଝିଲ ?’’

 

ହୀରାମନ୍‍ ହାତରେ ମୁଣି ଧରି ତୁନି ହୋଇ ଠିଆହେଲା । ମୁଣିଟିକୁ କୁର୍ତ୍ତାତଳୁ ବାହାର କରି ହୀରାବାଈ ତାକୁ ଦେଇଥିଲା । ....ଚଢ଼େଇ ଦେହ ପରି ମୁଣିଟି ଉଷୁମ ଲାଗୁଛି ।

 

‘‘ଗାଡ଼ି ଆସୁଛି ।’’ ବାକ୍‍ସ ବୋହିବା ଲୋକଟା ମୁହଁକୁ କେମିତି କରି ହୀରାବାଈ ଆଡ଼କୁ ଅନାଇଁଲା । ତା’ମୁହଁରୁ ଭଙ୍ଗୀ ସ୍ପଷ୍ଟ-‘‘ଏତେଗୁଡ଼ାଏ କ’ଣ ?’’...

 

ହୀରାବାଈ ଚଞ୍ଚଳ ହୋଇ ପଡ଼ିଲା । କହିଲା, ‘‘ହିରାମନ୍‍ ଏଠିକି ଆସ ଏଠିକି-ମୁଁ ପୁଣି ଫେରିଯାଉଛି ମଥୁରାମୋହନ କଂପାନୀକୁ । ମୋ ନିଜ ଦେଶର କମ୍ପାନୀ... ବନୌଲିରେ ଯେଉଁ ମେଳା ହେବ ସେଠିକି ଆସିବଟି ?’’

 

ହୀରାବାଈ ହିରା‍ମନ୍‍ର କାନ୍ଧରେ ହାତପକାଇଦେଲା....ଏଥର ଡାହାଣ କାନ୍ଧ ଉପରେ । ପୁଣି ତା’ନିଜ ମୁଣିରୁ ଟଙ୍କା କାଢ଼ୁ କାଢ଼ୁ କହିଲା, ‘‘ଖଣ୍ଡେ ଗରମ ଚାଦର କିଣିନେବ ।’’

 

ହିରାମନ୍‍ର ତୁଣ୍ଡ ଫିଟିଲା ଏତେ ଡେରିରେ, ‘‘ଇସ୍‍, ସବୁବେଳେ ଟଙ୍କା ପଇସା ? ଆଉ ଟଙ୍କା ? କ’ଣ କରିବି ଚାଦର ?’’

 

ହୀରାବାଈ ହାତ ଅଟକିଗଲା । ତାକୁ ହିରା‍ମନ୍‍ର ମୁହଁଟି ଦିଶିଲା ପାଉଁଶିଆ ।

 

ପୁଣି କହିଲା, ‘‘ତୁମ ମନ ଭାରି ଊଣା ହୋଇଯାଇଛି, ନାହିଁ ମିତ ! ...ମହୁଆ ଘାଟୁଆଣୀକୁ ସୌଦାଗର କିଣିନେଇଛି ଯେ ଆପଣେ ।’’

 

ହୀରାବାଈର ସ୍ୱର ଭାଙ୍ଗି ପଡ଼ିଲା । ବାକ୍‍ସ ବୋହିବା ଲୋକ ପଦାରୁ ପାଟିକଲା ‘‘ଗାଡ଼ି ଆସିଗଲା ।’’

 

ହିରାମନ୍‍ ସେ ଘର ଭିତରୁ ପଦାକୁ ଚାଲିଆସିଲା । ବାକ୍‍ସ ବୋହିବା ଲୋକ ନୌଟଂକୀର ଜୋକର୍‍ର ମୁହଁପରି ମୁହଁ କରି କହିଲା, ‘‘ପ୍ଲାଟ୍‍ଫର୍ମ ବାହାରକୁ ଯା ପଳା, ବିନା ଟିକଟ ବୋଲି ଧରାପଡ଼ିଲେ ତିନିମାସ ମାମୁଁ ଘର ।’’

 

ହିରାମନ୍‍ ତୁନି ହୋଇ ଫାଟକ ବାହାରକୁ ଯାଇ ଠିଆହୋଇପଡ଼ିଲା ଷ୍ଟେସନ କଥା, ରେଳବାଇ ରାଜ୍ୟ । ନହେଲେ ସେ ବାକ୍‍ସବୋହିବା ଲୋକଟାର ମୁହଁକୁ ବଙ୍କା କରିଦେଇଥାନ୍ତା ହିରାମନ୍‍ ।

 

ହୀରାବଈ ଠିକ୍‍ ତା’ସାମ୍ନା ଡବାରେ ଚଢ଼ିଲା । ଇସ୍‍-ଏତେ ଶରଧା । -ଗାଡ଼ିରେ ବସିବି ହିରାମନ୍‍ ଆଡ଼କୁ ସେ ଅନାଇଁ ରହିଛି ଡବ ଡବ କରି । ....ଲାଲ୍‍ମୋହରକୁ ଦେଖି ବ୍ରହ୍ମ ଜଳିଉଠେ, -ସବୁବେଳେ ପଛେ ପଛେ ଲାଗିଛି । ବାଣ୍ଟକୁଣ୍ଟ ଖୋଜୁଛି, ଗାଡ଼ି ସିଟି ମାରିଲା ।

 

ହିରାମନ୍‍କୁ ଲାଗିଲା ତା’ଭିତରୁ କ’ଣ ଗୋଟାଏ ଶବ୍ଦ ବାହାରି ସିଟି ସଙ୍ଗରେ ଉପର ଆଡ଼କୁ ଚାଲିଗଲା-କୁ-ଉ-ଉ । ଇସ୍‍ !

 

...ଛି...ଇ...ଇ ଚ୍ଛକ୍‍ ।

 

ଗାଡ଼ି ହଲିଲା । ହିରା‍ମନ୍‍ ନିଜ ଡାହାଣଗୋଡ଼ ଆଙ୍ଗୁଠିକୁ ବାଁ ପାଦର ବୁଢ଼ା ଆଙ୍ଗୁଠିରେ ମାଡ଼ିଦେଲା । ତା’ଛାତି ଧଡ଼ଧଡ଼ ହେବା ବନ୍ଦ ହେଲା । ହୀରାବାଈ ହାତରେ ଧରିଥିବା ବାଇଗଣି ରୁମାଲ୍‍ରେ ମୁହଁ ପୋଛୁଛି । ରୁମାଲ୍‍ ହଲାଇ ଠାରୁଛି ଏଥର ଯାଅ...ଶେଷ ଡବା ବି ଗଲା, ପ୍ଳାଟ୍‍ଫର୍ମ ଖାଲି, ସବୁ ଖାଲି...ଫମ୍ପା...ମାଲ୍‍ଗାଡ଼ିର ଡବାଗୁଡ଼ାକ । ଦୁନିଆଁଟା ଯାକହିଁ ସତେ ଅବା ଖାଲି ହୋଇଗଲା ।

 

ହିରା‍ମନ୍‍ ନିଜ ଗାଡ଼ିପାଖକୁ ଫେରିଆସିଲା ।

 

ହିରାମନ୍‍ ଲାଲ୍‍ମୋହରକୁ ପଚାରିଲା, ‘‘ତୁ କେବେ ଘରକୁ ଫେରିବୁ ?’’

 

ଲାଲ୍‍ମୋହର କହିଲା, ‘‘ଅଇଛା ଗାଁକୁ ଯାଇ କ’ଣ କରିବି ? ଏଠି ତ ଭଡ଼ା କମେଇବାକୁ ସୁବିଧା ମିଳୁଛି । ହୀରାବାଈ ଚାଲିଗଲା, ମେଳା ଏଥର ଭାଙ୍ଗିଯିବ ।’’

 

-‘‘ଭଲ କଥା, ଘରକୁ କିଛି ଖବର ଦବୁ ?’’

 

ଲାଲ୍‍ମୋହର ହିରାମନ୍‍କୁ ବୁଝେଇବାକୁ ଚେଷ୍ଟାକଲା । କିନ୍ତୁ ହିରାମନ୍‍ ନିଜ ଗାଡ଼ିକୁ ଗାଁ ଆଡ଼କୁ ପଡ଼ିଥିବା ସଡ଼କମୁହାଁ ବୁଲେଇଦେଲା.....ଆଉ ମେଳାରେ କ’ଣ ଅଛଇ ? ଫମ୍ପା ମେଳା ।

 

ରେଲ୍‍ଓ୍ୱେ ଲାଇନ୍‍ କରେ କରେ ବଳଦଗାଡ଼ି ଯିବାକୁ କଚା ସଡ଼କ ପଡ଼ିଛି ବହୁତ ଦୂରଯାକେ । ହିରାମନ୍‍ କେବେହେଲେ ରେଲ୍‍ଗାଡ଼ି ଚଢ଼ି ନାହିଁ । ତା’ମନକୁ ପୁଣି ପୁରୁଣା ଲାଳସା ଝାଙ୍କିଲା, ରେଲ୍‍ଗାଡ଼ି ଚଢ଼ି ଗୀତ ଗାଇ ଗାଇ ଜଗନ୍ନାଥ ଧାମ ଯିବା ପାଇଁ ଲାଳସା । .....ଲେଉଟିପଡ଼ି ଆପଣା ଶଗଡ଼ର ଖାଲି ତାଟ ଭିତରକୁ ଅନାଇଁବାକୁ ସାହସ ହେଉନଥାଏ । ପିଠି ଆଜି ବି ସଲ୍‍ସଲ୍‍ ହେଉଛି । ଆଜି ବି ରହି ରହି ତା’ଗାଡ଼ି ଭିତରୁ ଚମ୍ପାଫୁଲର ମହକ ଚହଟୁଛି । ଗୋଟାଏ ଗୀତର ଭଙ୍ଗା ଧାଡ଼ି ଉପରେ ବଡ଼ବାଜାର ତାଳ ବାରମ୍ୱାର କଟିଯାଉଛି ।

 

ସେ ଲେଉଟିପଡ଼ି ଦେଖିଲା, ବସ୍ତା ବି ନାହିଁ, ବାଉଁଶ ବି ନାହିଁ, ବାଘ ବି ନାହିଁ, ...ପରୀ...ଦେବୀ....ମିତ... ହୀରାଦେବୀ....ମହୁଆ ଘାଟୁଆଣୀ....କେହି ନାହାନ୍ତି ।

 

ମରିଯାଇଥିବା ମୁହୂର୍ତ୍ତମାନଙ୍କରେ ଘୁଂଗା ଶବ୍ଦମୁଖର ହେବାକୁ ଲୋଡ଼ୁଛି । ହିରାମନ୍‍ର ଓଠ ଥରୁଛି । ବୋଧହୁଏ ସେ ତୃତୀୟ ଥର ରାଣ ପକାଉଛି-କମ୍ପାନୀର ମାଇକିନିଆଙ୍କୁ ବୋହିବା....-

 

ହିରା‍ମନ୍‍ ହଠାତ୍‍ ତାର ଦିବଳଦଙ୍କୁ ଗାଳିଦେଲା । ପାଞ୍ଚଣରେ ପିଟୁ ପିଟୁ କହିଲା, ‘‘ରେଲ୍‍ଓ୍ୱେ ଲାଇନ୍‍ ଆଡ଼କୁ ଲେଉଟି ଲେଉଟି କ’ଣ ଅନୋଉଚ ରେ ?

 

ଯୋଡ଼ିକଯାକ ବଳଦ କଦମ ଦୌଡ଼ିବା ଚାଲି ଧରିଲେ । ହିରାମନ୍‍ ଗୁଣୁଗୁଣୁ ହେଲା ।

 

‘‘ଆରେ ହଁ-ମରିଗଲା-ମାହଳିଆ...।’’

Image

 

ଲଣ୍ଡନରେ ଗୋଟିଏ ରାତି

(ନିର୍ମଳ ବର୍ମା)

 

ମୁଁ ଦ୍ୱିତୀୟ ଥର ସେଠିକି ଯାଇଥିଲି । ପ୍ରଥମ ରାତିରେ ଡେରିରେ ପହଞ୍ଚିଲି । ଯିବା ଆଗରୁ ସବୁ କାମ ତୁଟିଯାଇଥିଲା । ମୁଁ ପୁଣି ଇତସ୍ତତଃ ହେଲା ପରି ଗେଟ୍‍ ବାହାରେ ଠିଆହୋଇଥିଲି । ଭାବୁଥିଲି, ବୋଧହୁଏ ଶେଷ ମୁହୂର୍ତ୍ତରେ ତାଙ୍କର କିଛି ଦରକାର ପଡ଼ିବ ଆଉ ସେମାନେ ମୋତେ ଡାକିନେବେ । ବହୁତ ବେଳଯାକେ ଘଡ଼ଘଡ଼ ହେଉଥିବା ମେସିନମାନଙ୍କ ଶବ୍ଦଭିତରେ ସୋଡ଼ାବୋତଲ ଶବ୍ଦ ଶୁଭୁଥାଏ । ଆମ ଭିତରୁ ଯେଉଁମାନଙ୍କୁ କାମ ମିଳିଯାଇଥାଏ, ସେମାନେ ଚଞ୍ଚଳ ଚଞ୍ଚଳ ତାଙ୍କ ଦେହରୁ ପୋଷାକଗୁଡ଼ିକ ଓହ୍ଲାଇପକାଇ କାମ କରିବା ପୋଷାକ ପିନ୍ଧୁଥିଲେ ।

 

ପଦାରେ ପିଣ୍ଡା ଉପରେ ବୋତଲଗୁଡ଼ାକ ଫିକା ଜହ୍ନ-ଆଲୁଅରେ ଜିକିଜିକି ଦିଶୁଥାଏ । ଗୋଟାକ ଉପରେ ଗୋଟାଏ ହୋଇ ସଜାହୋଇ ଫ୍ୟାକ୍‍ଟରି କାନ୍ଥକୁ ଲାଗି ସେଗୁଡ଼ାକ ଥୁଆହୋଇଥାଏ । ଦୂରରୁ ଦେଖିଲେ ମନେ ହେଉଥିଲା, ଯେମିତି କାଚର ଗୋଟାଏ ଲମ୍ୱା ଗଦା ଉପରେ ବହୁତ ଗୁଡ଼ାଏ ବିଲେଇ ଗୋଟାଏ ଆରଟାର ବେକରୁ ଧରି ବସିରହିଛନ୍ତି ।

 

ମୁଁ ଠିଆହୋଇଥାଏଁ । କିଛି ସମୟ ପରେ ଜଣେ ଇଙ୍ଗ୍ରେଜ ଭଦ୍ରଲୋକ ମୋ ପାଖକୁ ଆସିଲେ-‘‘ତୁମେ ଏପର୍ଯ୍ୟନ୍ତ ଠିଆହୋଇଛ ଯେ ?’’

 

ମୁଁ କହିଲି, ‘‘ଆଜି କିଛି ହେଲେ କାମ ନାହିଁ ।’’ ସେ ମୋ କାନ୍ଧ ଉପରେ ହାତ ରଖିଲେ ।

 

‘‘ନାଇଁ ମୁଁ ଏମିତି ଖାଲି ଦେଖୁଚି ।’’ ମୁଁ ଆସ୍ତେ ତାଙ୍କ ହାତ ମୋ କାନ୍ଧରୁ କାଢ଼ିଦେଲି ।

 

‘‘କାଲି ପନ୍ଦର ମିନିଟ ଆଗରୁ ଚାଲି ଆସିବ, ଯଦି କେହି କାଲି ଗରହାଜର ହେବେ ତେବେ ତୁମୁକୁ ନିଆଯିବ । ଗୁଡ଼୍‍ ନାଇଟ୍‍ ।’’ ସେ ଚାଲିଗଲେ ।

 

ଦ୍ୱିତୀୟ ରାତି‍ । ଟିଉବ୍‍ ଷ୍ଟେସନର ଶିଢ଼ି ଚଢ଼ି ଉପରକୁ ଆସିଲି, ଦେଖିଲି କାଲିକା ଜହ୍ନରାତି ଆଜି ପରୀଟିଏ ପରି ନିର୍ମଳ ହୋଇ ବିଛେଇ ହୋଇ ରହିଛି । ଦୂରରେ ମିଲର ଚିହ୍ନମାନଙ୍କ ମଝିରେ ଲଣ୍ଡନର ଧୂଆଁଳିଆ ଆକାଶ ସଂକୁଚିତ ହୋଇଯାଇଛି । ମତେ ଆଉ ଥରେ ରାସ୍ତା ପାରିହେବାକୁ ପଡ଼ିଲା । ମତେ ସେହି ସଡ଼କମାନଙ୍କ ଉପରେ ଦୁଇଥର ଯିବାକୁ ପଡ଼ିଲା ଯେଉଁ ବାଟେ କାଲି ଯାଇଥିଲି । ସେ ସବୁ ତ ପରିଚିତ ଥିଲା; କିନ୍ତୁ ଜହ୍ନଆଲୁଅରେ ଅଦ୍ଭୁତ ପ୍ରକାର ଅଜଣା ଦିଶୁଥାଏ ।

 

କିନ୍ତୁ ନର୍ଥ ଆକ୍‍ଟନ୍‍ଠୁ ଟିକିଏ ଆଗକୁ ଗଲାପରେ ମୋ ପାଦ ମନକୁମନ ଥଙ୍ଗେଇ ଥଙ୍ଗେଇ ହେଲା । ଭାବିଥିଲି ଆଜି ତ ମୁଁ ଚଞ୍ଚଳ ଆସିଛି, ଗେଟ୍‍ରେ ମୋ ଛଡ଼ା ଆଉ କେହି ନଥିବେ-। କିନ୍ତୁ ମୋ ଅନୁମାନ ଠିକ୍‍ ନଥିଲା । ସେଠି ଆଗରୁ କୋଡ଼ିଏ ପଚିଶ ଜଣ ବେକାର ଯୁବକ ଭିଡ଼ କରିଦେଲେ । ଇଂଗ୍ରେଜ ଟୋକାଏ ଥୋଡ଼ାଏ ଛାତ୍ର ଯାହାଙ୍କୁ ଦେଖିଲେ କର୍ମୀ ବୋଲି ଜଣାପଡ଼ୁଥାଏ-। ଦକ୍ଷିଣ ଆଫ୍ରିକା ଓ ଓ୍ୱେଷ୍ଟ ଇଣ୍ଡିଜ୍‍ର ନିଗ୍ରୋ, ସମସ୍ତେ ଅଲଗା ଅଲଗା ଦଳରେ ଠିଆ ହୋଇଛନ୍ତି । ସମସ୍ତିଙ୍କ ଆଖି ଗେଟ୍‍ ଉପରେ ଲାଖିଥାଏ । କେତେଜଣଙ୍କ ମୁହଁ ଚିହ୍ନା ଜଣା ପଡ଼ୁଥାଏ । ତାଙ୍କୁ ବୋଧହୁଏ କାଲି ରାତିରେ ଦେଖିଥିଲି । ସମସ୍ତିଙ୍କ ଦୃଷ୍ଟି ମୋ ଉପରେ ପଡ଼ିଲା । ସବୁ ଚୁପ୍‍ଚାପ୍‍, ସ୍ତବ୍‍ଧ । ସତେ ଯେମିତି ସେ ସ୍ତବ୍‍ଧତା ଭିତରେ ଗୋଟାଏ ଅଦ୍ଭୁତ ଭୟ ପ୍ରକାଶ ପାଉଥାଏ । ମୋ ପ୍ରତି ସେତେଟା ନୁହେଁ ଯେତେ ସେହି ଅଜଣା ନିୟତି ପ୍ରତି, ଯାହାର ନିର୍ଣ୍ଣୟ ଆସନ୍ତା କେତୋଟି ମୁହୂର୍ତ୍ତ ଭିତରେ ହେବାର ଥାଏ ।

 

ମୁଁ ବି ସେମାନଙ୍କ ସଂଗରେ ଗୋଟାଏ କଣରେ ଠିଆହେଲି-ତାଙ୍କୁ ଡରି ଡରି ପୁଣି ତାଙ୍କ ସହିତ ଯୋଖିହୋଇ ।

 

ନଅଟା ବାଜିବାକୁ ପ୍ରାୟ ପନ୍ଦର ମିନିଟ ଥାଏ, ମ୍ୟାନେଜର ଆମ ପାଖକୁ ଆସିଲେ । ମତେ ଟିକିଏ ନିରାଶ ଲାଗିଲା । କାଲି ଯେଉଁ ଭଦ୍ରଲୋକ ମୋ କାନ୍ଧରେ ହାତ ଥୋଇଥଲେ, ୟେ ସେ ନୁହଁନ୍ତି । ତାଙ୍କ ହାତରେ ଗୋଟାଏ କାଗଜର ତାଲିକା ଥିଲା । ଆମେ ସବୁ ତାଙ୍କ ପାଖକୁ ଘୁଞ୍ଚିଗଲୁ, -ଚିଡ଼ିଆଖାନାର ସେହି ମୂକ ନିରୀହ ଜନ୍ତୁମାନଙ୍କ ପରି ଯେଉଁମାନେ କଣ କିଛି ପାଇବା ଲାଳସାରେ ଯନ୍ତ୍ରଚାଳିତ ହେଲାପରି ବାଡ଼ାପାଖକୁ ଲାଗିଆସନ୍ତି । ଆମର ଆବରଣହୀନ, ଭାବହୀନ ମୁହଁ ତାଙ୍କୁ ଅଦ୍ଭୁତ ଲାଗିଥିବ । କାରଣ ସେ ତାଙ୍କ ଆଖିକୁ ଚଞ୍ଚଳ କାଗଜ ଆଡ଼କୁ ବୁଲାଇଦେଲେ; ଆଉ ତରବର ହୋଇ ଗୋଟାକ ପରେ ଗୋଟାଏ ନାଁ ଡାକିଗଲେ ।

 

ସେହି ଲୋକମାନଙ୍କୁ ବାଛିନିଆଗଲା ଯେଉଁମାନେ ସେଠି ପୂର୍ବ ରାତିରେ କାମ କରିଥିଲେ । ସେମାନଙ୍କ ଛଡ଼ା ଆଉ ତିନିଜଣ ଟୋକାଙ୍କୁ ବି ବାଛିନିଆଗଲା । ତହିଁରୁ ଦିଜଣ ଲାଓ୍ୱାରସ ଭଳି ଦିଶୁଥାନ୍ତି, ଇଂଗ୍ରେଜ ଯୁବକ । ଆଉ ଜଣେ, ଯେ ଦକ୍ଷିଣ ଆଫ୍ରିକାର ଜଣେ ଛାତ୍ର, ସେ ସମସ୍ତିଙ୍କ ଆଗରେ ଠିଆହୋଇଥାଏ ଆଉ ବାରମ୍ୱାର ଆଗକୁ ମାଡ଼ିଯାଇ ମ୍ୟାନେଜରଙ୍କ କାନରେ କଣ ଫୁସ୍‍ଫୁସ୍‍ କରି କହୁଥାଏ ।

 

ଆମ ଆଡ଼କୁ ସହାନୁଭୂତିପୂର୍ଣ୍ଣ ଭାବ ଦେଖାଇ ଅନାଇଁ ସେ କହିଲେ, ‘‘ଆଜିପାଇଁ ଖାଲି ଏତିକି ଲୋକ, ଆପଣମାନେ କାଲି ଆସନ୍ତୁ । କାଲି କେତେ ଜଣ ଲୋକ ଦରକାର ପଡ଼ିବେ ।’’

 

ଭିଡ଼ ଭିତରୁ ତିନି ଚାରିଜଣ ଯୁବକ ଆଗକୁ ଚାଲିଆସି ତାଙ୍କ ସଙ୍ଗେ ଯୁକ୍ତିତର୍କ କରିବାକୁ ଚେଷ୍ଟାକଲେ; କିନ୍ତୁ ସେ ନିତାନ୍ତ ଅସହାୟ ଭାବରେ ହାତ ହଲାଇଲେ ଆଉ ହସ ହସ ଆଖିରେ ଆମ ଆଡ଼କୁ ଚାହିଁ ଚାହିଁ ଭିତରକୁ ଚାଲିଗଲେ ।

 

ଆମେ ପ୍ରତୀକ୍ଷାର ଶେଷ ସୀମାରେ ପହଞ୍ଚିସାରିଥିଲୁ । ସେ କଥା ଜାଣି ସୁଦ୍ଧା ଆମ ଭିତରୁ କେହି ତାହା ବିଶ୍ୱାସ କରିପାରିଲେ ନାହିଁ । ମ୍ୟାନେଜର ଚାଲିଗଲା ପରେ ଆମ ଭିତରୁ କେହି ହେଲେ ନିଜେ ଯେଉଁଠି ଠିଆହୋଇଥିଲା ସେଠୁ ଘୁଞ୍ଚିଲା ନାହିଁ । ଲାଗୁଥାଏ, ଗତ ତିନି ମିନିଟ ଭିତରେ ଯାହାକିଛି ଘଟିଲା ତା’ ଏପର୍ଯ୍ୟନ୍ତ ସରିନାହିଁ, -ଗୋଟାଏ ଏଭଳି ଅସ୍ୱାଭାବିକ ତଥ୍ୟ, ଯାହାର ସତେ ଅବା ଆମ ସାଙ୍ଗରେ କୌଣସି ସମ୍ପର୍କ ନାହିଁ । ...ବର୍ତ୍ତମାନ ଏମିତି ଆହୁରି କିଛି ହେବାର ଅଛି ଯାହା ଏପର୍ଯ୍ୟନ୍ତ ବାକି ଅଛି, -ଯାହା ପ୍ରତୀକ୍ଷା ପରେ ବି ତା କବାଟକୁ ମେଲା ରଖିଛି... ଆମ ଭିତରେ ଏଭଳି ବହୁତ ଲୋକ ଥିଲେ ଯେଉଁମାନେ ଟିଉବ୍‍ ଷ୍ଟେସନରେ ଚାରିସିଲିଂର ଟିକଟ କିଣି ଲଣ୍ଡନର କେଉଁ ସୁଦୂର କୋଣରୁ ଏଠିକି ଆସିଥିଲେ । ଆମ ସମସ୍ତିଙ୍କ ହାତରେ ଗୋଟିଏ ଗୋଟିଏ ମୁଣି ଥାଏ । ତହିଁରେ ଆମେ ରାତି ଡିଉଟିର ଲୁଗାପଟା ଆଉ ଖାଇବା ଜିନିଷ ବାନ୍ଧିବୁନ୍ଧି ରଖିଥାଉଁ । ଆମ ଭିତରୁ କାହାରି ପକ୍ଷରେ ଏ କଥା ବିଶ୍ୱାସ କରିବା କଷ୍ଟ ହେଉଥିଲା ଯେ ଆମକୁ ଆସନ୍ତା ଟିଉବ୍‍ ଟ୍ରେନରେ ମାହାଳିଆ ଲେଉଟିଯିବାକୁ ପଡ଼ିବ । ପାଇପରୁ ବାହାରୁଥିବା ଗଦଗଦ ହୋଇ ପାଣି, ଜହ୍ନଆଲୁଅରେ ଦିକିଦିକି ଦିଶୁଥିବା କାଦୁଅର ରୂପ...ଏପରିକି, ନାଳିରେ ପଡ଼ିଥିବା ଗୋଟାଏ ଖାଲି ବୋତଲ ଆମକୁ ବହୁତ ଅପ୍ରାସଙ୍ଗିକ ଆଉ ବେଖାପ ଜଣାପଡ଼ୁଥାଏ । ଆମେ ବୋଧହୁଏ ଏ କଥା ବି ପାସୋରି ଦେଇଥିଲୁଁ ଯେ ଆମେ ଏଠିକି ଆସିଥିଲୁ କାହିଁକି । ମୁହୂର୍ତ୍ତକ ଆଗରୁ ଚାକିରି ନ ମିଳିଲା ବୋଲି ଯେଉଁ ଦୁଃଖ ଥିଲା ବର୍ତ୍ତମାନ ସେଇଟା ଗୋଟାଏ ବେଢ଼ଙ୍ଗ ବିକୃତ ବୋଝ ପରି ଆମ ଗୋଡ଼ରେ ଗୁରେଇ ହୋଇଥାଏ, ଯାହାକୁ ପୁଣି ଆମକୁ ଆଉ ଥରେ ଘୋଷାରି ଘୋଷାରି ନେଇଯିବାକୁ ପଡ଼ିବ ।

 

କ୍ଷୁଧା ଓ ନିରାଶା ସକାଶେ ଆମ ମନରେ କେଉଁଠି ଟିକିଏ ହେଲେ କ୍ଷୋଭ କି କଟୁତା ନଥିଲା ।

 

କିନ୍ତୁ ୟେ ଅବସ୍ଥା ଖାଲି କେତୋଟି ମୁହୂର୍ତ୍ତପାଇଁ । ହଠାତ୍‍ ସେ ମାୟାବୀ ମୁହୂର୍ତ୍ତ ଉଭେଇଗଲା; ଆମେ ପୁଣି ନିଜ ନିଜ ଭିତରକୁ ଲେଉଟି ଆସିଲୁଁ । ସେହି ଅଦୃଶ୍ୟ, ଆକୃତିହୀନ ଭିଡ଼ ଉପରେ ଗୋଟାଏ ଭାରି ଓଜନ ଦୀର୍ଘ ନିଶ୍ୱାସ ଉଠିଲା ଆଉ ଜହ୍ନ ଅଶ୍ଳୀଳ ଅନର୍ଗଳ ଗାଳି ଭିତରେ ହଜିଗଲା । ପାଖକୁ ପାଖ ଠିଆହୋଇଥିଲୁ ବୋଲି ପରସ୍ପରର ଦେହର ଗନ୍ଧ ଆମେ ବାରିପାରୁଥିଲୁଁ । ସେ ଗନ୍ଧକୁ ଆମେ ସେ ଗାଳି ଗହଳି ଭିତରେ ଆପଣାର କରି ଆଦରିପାରୁଥିଲୁଁ । ତା’ପରେ ସେ ଗନ୍ଧ ଭିନ୍ନ ଭିନ୍ନ ରାସ୍ତାରେ ଛିଞ୍ଚାଡ଼ି ହେବାକୁ ଆରମ୍ଭ କରିଥିଲା । ‘‘ବ୍ଳଡ଼ି-ବାଷ୍ଟାର୍ଡ଼’’-ଆଗର ଲୋକଟି ଟିକିଏ ଦବିଲା ଦବିଲା ପାଟିରେ ମରିସରି ହୋଇ କହିଲାପରି କହିଲା । ସେ ଆଗକୁ ଚାଲିଗଲା । ଭୟଭୀତ, ଆଶଂକିତ ଆଖିରେ ଚାରିଆଡ଼କୁ ଅନାଇଲା ପୁଣି ବୋତଲ ଆଉ ଟୋକେଇଗଦାରୁ ଗୋଟାଏ ସୋଡ଼ାବୋତଲ କାଢ଼ି ପିଇବାକୁ ଲାଗିଲା, ଆଉ ଗୋଟାଏ ବୋତଲ ସେ ତୃତୀୟ ଲୋକ ହାତରେ ଜବରଦସ୍ତି ଧରେଇଦେଲା–

 

‘‘ପିଅ ସାଙ୍ଗ, ସେ ଶଳାମାନେ ଟିକିଏ ବୋଲି ପତ୍ତା ପାଇବେ ନାହିଁ ।

 

ତୃତୀୟ ବ୍ୟକ୍ତିଟି ଅଳ୍ପ ବୟସରେ ନିଗ୍ରୋ ଛାତ୍ର ଭଳି ଦିଶୁଥାଏ । ସେ ବୋତଲ ନେବାକୁ ଦ୍ୱିଧା କରୁଥାଏ । କିନ୍ତୁ କେଜାଣି କ’ଣ ଭାବି ନିଜ ମୁଣ୍ଡକୁ ହାଲୁକା ଭାବରେ ଝାଙ୍କି ଦେଇ ଗୋଟାଏ ଦୁଧପିଆ ପିଲାପରି ବୋତଲକୁ ଦି’ହାତରେ ଧରି ଓଠରେ ଲଗାଇଦେଲା । ଗୋଟାଏ ଲମ୍ୱା ଢୋକ ନେଇ ସେ ତା’ ଫୁଙ୍ଗା ବାହାରେ ପାଟିକୁ ପୋଛିଦେଲା । ଆଉ ବୋତଲକୁ ମୋ ଆଗରେ ଦେଖାଇଲା ।

 

‘‘ଏଥର ତୃତୀୟ ଥର ହେଲା ମୁଁ ଏଠିକି ଆସିବାର । କାଲି ଯେଉଁ ବାବୁ କାମ ପାଇଁ ତାରିଖ ଦେଇଥିଲେ ଆଜି ସେ ଦେଖାପଡ଼ିଲେ ନାହିଁ ।’’

 

‘‘କାଲି ବି ଏମିତିଆ ହେବ । ନୂଆ ଜଣେ କିଏ ଆସିବ ଆଉ ଆମେ ସବୁ ଆଜି ରାତିରେ ଆସିଥିଲୁଁ ବୋଲି ତାକୁ ଜଜଣାପଡ଼ିବ ନାହିଁ ।’’

 

‘‘–କାଲି କିଏ ଆସୁଛି ! ମୁଁ ତ ଏପଟ ଆଉ ମାଡ଼ିବିନାହିଁ । ଡ୍ୟାମ୍‍ ଦିଜ୍‍... ।’’

 

ପ୍ରଥମ ଲୋକ ତା’ ଓଭରକୋଟ୍‍ର ବୋତାମ ଖୋଲିଦେଲେ । ଏତେ ଗରମରେ ସେ ଓଭରକୋଟ୍‍ ପିନ୍ଧିଥାଏ । ଏଥିରେ ମତେ ବିଶେଷ ଆଶ୍ଚର୍ଯ୍ୟ ଲାଗିଲା ନାହିଁ । ଅନ୍ୟ କଥା କରିବାହିଁ ଆଶ୍ଚର୍ଯ୍ୟଜନକ ହୋଇଥାନ୍ତା । ସେ ଗୋଟିଏ ହୃଷ୍ଟପୁଷ୍ଟ ଯୁବକ, ତାର ସାନ, ଗୋଟୀ, ଦାଢ଼ିଟିଏ ଥିଲା, ତା’ର ଆଖିଯୋଡ଼ିକ ଗୋଟାଏ ଶୁଖିଲା ଚାହାଣିରେ ମିଟିମିଟି ହେଉଥାଏ । ତାଠି ଥାଏ ଗୋଟାଏ ଅଦ୍ଭୁତ ପ୍ରକାର ‘ନର୍ଭସ’ ଟଣକା ଯେ ସମୟ ସମୟରେ ଶିକାର କରାହେଉଥିବା ଜନ୍ତୁମାନଙ୍କ ଭାବଭଙ୍ଗୀରେ ଦେଖାଯାଏ । ଅନ୍ଧାରରେ କୌଣସି ଅଜଣା ଲୋକକୁ ହଲିଉଡ଼୍‍ର ଭିଲେନ ପରି ତା’ ଆକୃତିଟା ଭୟଙ୍କର ଲାଗିପାରେ ।

 

ଆମେ ଧୀରେ ଧୀରେ ପାହୁଣ୍ଡ ପକାଇ ପକାଇ ନର୍ଥ ଆକଟ୍‍ନର ପୋଲ ପାରି ହୋଇଯାଇଥିଲୁଁ । ଲଣ୍ଡନର ଡବ୍‍ଲ-ଡୋକ୍‍ର ବସ୍‍ ଆମ ପାଖଦେଇ ଚାଲିଗଲା । ଅଗଷ୍ଟ ମାସର ହଳଦିଆ ଟାଆଁସିଆ ପତ୍ରମାନଙ୍କ ବଢ଼ି କିଛି ସମୟ ପର୍ଯ୍ୟନ୍ତ ତା’ ପଛେ ପଛେ ଧାଇଁଥାଏ ।

 

ତୃତୀୟ ବ୍ୟକ୍ତି-ଜଣେ ନିଗ୍ରୋ ଯୁବକ, ସେ ବର୍ତ୍ତମାନ ଖୁବ୍‍ ଉଦାସ ହୋଇଯାଇଥାଏ ଆଉ ତୁନିହୋଇ ସଡ଼କ ଆଡ଼କୁ ଆଖି ନୁଆଇଁ ବାଟ ଚାଲୁଥାଏ ।

 

‘‘ଲଣ୍ଡନରେ କେବେଠୁଁ ଅଛ ?’’ ଦାଢ଼ିଆ ଯୁବକଟି (ପଛେ ଯେ ନିଜ ନାଁ ଓ୍ୱିଲି ବୋଲି କହିଲା) ନିଗ୍ରୋର କାନ୍ଧରେ ହାତ ଥୋଇ ପଚାରିଲା ।

 

ସେ ତୁନି ରହିଲା ।

 

‘‘କୋଉଠୁ ଆସିଛ ?’’

 

‘‘ଦକ୍ଷିଣ-ଆଫ୍ରିକାରୁ, ଏଠି ପଢ଼େ ।’’ ସେ ବୋଧହୁଏ କଥାବାର୍ତ୍ତାକୁ ସେତିକିରେ ଶେଷ କରିବାକୁ ଚାହୁଁଥିଲା । ସେ ପକେଟରୁ ସିଗାରେଟ୍‍ କାଢ଼ି ଆମ ଦିହିଁଙ୍କ ଆଗରେ ଦେଖାଇଲା । ମୁଁ ଧନ୍ୟବାଦ ଜଣାଇ ଆଖି ବୁଲାଇ ନେଲି । ସେଇଟା ତା’ର ଶେଷ ସିଗାରେଟ୍‍, ନିଜର ଭୋକିଲା ଲାଳସା ସତ୍ତ୍ୱେ ଆମଠିଁ ଏତିକି ଶିଷ୍ଟତା ବାକି ଥାଏ ଯେପରି ତାକୁ ନେବାକୁ ଆମେ ମନାକରିବୁଁ; କିନ୍ତୁ ସେ ଶିଷ୍ଟାଚାର ବେଶି ଡେରିଯାକେ ଚଳିପାରିଲାନାହିଁ । କିଛି ସମୟ ପରେ ଆମେ ତିନିହେଁ ସେଇ ସିଗାରେଟ୍‍ଟାକୁ ପାଳିକରି ଟାଣୁଥାଉଁ ।

 

ସାମନାରେ ଲଣ୍ଡନର ରାତି-ଓଜନିଆ, ଜଘନ୍ୟ ଓ ଶାନ୍ତ । ସେଇଟା ସହରର ଗୋଟାଏ ନିଛାଟିଆ କଣ, ଆଉ ସଡ଼କ ଖାଲି ଥାଏ । ଖାଲି ସତ, କିନ୍ତୁ ବିରାମ ନଥାଏ । ପତ୍ରମାନଙ୍କ ସରିସରି, ପୁରୁଣା ଘରମାନଙ୍କର ବାସି ଗନ୍ଧ-ଲାଗୁଥାଏ ସତେକି କାଦୁଅ ଭିତରେ ଆମେ ଅନେକ ନିର୍ଜୀବ ଜିନିଷକୁ ଠେଲି-ଠେଲିକା ଆଗକୁ ଯାଉଛୁଁ-ଯଦିଚ ମଝିରେ ପବନ ଆଉ ବତିଖୁଣ୍ଟର ବୃତ୍ତମାନଙ୍କ ଛଡ଼ା କିଛିନଥାଏ ।

 

‘‘ତୁମେ କୁଆଡ଼େ ଯିବ ?’’

 

‘‘ଓ୍ୱାରେନ୍‍ ଷ୍ଟ୍ରୀଟ’’ ସେ କହିଲା, ‘‘ଗତ ଦି’ଦିନ ହେଲା ଯାଉଛି । ଏପର୍ଯ୍ୟନ୍ତ ଯିବା-ଆସିବାରେ ପାଞ୍ଚପେନ୍‍ସ ଖର୍ଚ୍ଚ ହୋଇଛି, ସେତିକି ପଇସାରେ ମୁଁ ତ ଟେନିସ ଖେଳି ଯାଇପାରିଥାନ୍ତି ।’’

 

ସେତେବେଳେ ଟେନିସ୍‍ ଖେଳିବା କଥାର ଚର୍ଚ୍ଚା ବଡ଼ ବିଚିତ୍ର ଜଣାପଡ଼ୁଥାଏ । ତା’ ମୁହଁ ଦେଖିଲେ ଭ୍ରମ ହୁଅନ୍ତା ସେ କେତେ ଦିନ ହେଲା କିଛି ଖାଇନାହିଁ ।

 

‘‘ମୋ ବନ୍ଧୁକୁ କାମ ମିଳିଗଲାଣି ।’’ ନିଗ୍ରୋ ଛାତ୍ରଟି ଟିକିଏ ଉତ୍ସାହ ଦେଖାଇ କହିଲା, ‘‘ଆମେ ଦୁହେଁ ଏକାଠି ଅଛୁ । କାଲି ହୁଏତ ସେ ମତେ କେତେ ଶିଲିଂ ଉଧାର ଦେଇପାରିବ ।’’

 

ଓ୍ୱିଲି ଅଦ୍ଭୁତ ଚିଡ଼ିଚିଡ଼ା ସ୍ୱରରେ କହିଲା–

 

‘‘ଡ୍ୟାମ୍‍ ହିମ୍‍ ଇଫ୍‍ ହି ଡ଼ଜଣ୍ଟ । ମୁଁ ତ କାଲି କୌଣସିମତେ ଆସିବି ନାହିଁ । ପ୍ଳୀଜ୍‍ କମ୍‍ ଟୁମରୋ !’’ ମ୍ୟାନେଜରକୁ ଅନୁକରଣ କରି ମୁହଁକୁ ସେ ବିକୃତ କରି ଖତେଇ ହୋଇ କହିଲା ।

 

‘‘ଟୁମରୋ ବି ଡ୍ୟାମଡ୍‍ ! ତୁମେ କାଲି ଆସୁଛ ?’’ ସେ ପହିଲି ଥର ମୋ ଆଡ଼କୁ ଉନ୍ମୁଖ ହୋଇ ପଚାରିଲା ।

 

‘‘ବୋଧହୁଏ ଆସିବି ।’’ ମୁଁ ଜାଣିଶୁଣି ତାକୁ ଆହୁରି ବେଶି ଚିଡ଼ାଇବାକୁ କହିଲି । ସେ ସେତେବେଳେ ଆସନ୍ତାକାଲି ନାଁ ଧରିବାକୁ ମତେ ଭାରି ଖରାପ ଲାଗିଥିଲା ।

 

‘‘ଶଳାଏ କେତେ ଦିଅନ୍ତି ?’’

 

‘‘ଅଢ଼େଇପାଉଣ୍ଡ’’–ନିଗ୍ରୋ ଛାତ୍ର କହିଲା ।

 

‘‘ସବୁଦିନେ ସକାଳେ ?’’

 

‘‘ହଁ ସବୁଦିନେ ସକାଳେ । –ରାତି ଅଧହେଲେ ଚାହା ସ୍ୟାଣ୍ଡ୍‍ଭିଚ୍‍ ବି ଦିଅନ୍ତି, ମୋ ସାଙ୍ଗ କହୁଥିଲା । କାଲି ମୁଁ ଆଉ ସେ ଦିହେଁ ଏକାଠି ଯାଇଥିଲୁଁ; ତାକୁ ନେଲେ, ମୁଁ ରହିଗଲି ।

 

‘‘ସେ କ’ଣ ନିଗ୍ରୋ ?’’

 

‘‘ନାଇଁ ସେ କର୍ମୀ ।’’

 

‘‘ଆଉ ଆପଣ ?’’ ଓ୍ୱିଲି ସନ୍ଦିଗ୍‍ଧ ଭାବ ଦେଖାଇ ମୋ ଆଡ଼କୁ ଅନାଇଲା । ଯେପରି ତା’ଦୃଷ୍ଟିରେ ମୋ ଓଜନ ତଉଲୁଛି, ‘‘ଆପଣ କ’ଣ ଜାପାନୀ ?’’

 

ମୁଁ ମୁଣ୍ଡ ହଲେଇଲି । ଏତିକି କଥାରେ ତାକୁ ପ୍ରତିବାଦ କରିବା ମତେ ନିରର୍ଥକ ଜଣାଗଲା ।

 

କିଛି ସମୟ ଯାକେ ଆମେସବୁ ତୁନିତାନି ହୋଇ ଟିଉବ୍‍ ଷ୍ଟେସନ ଆଡ଼କୁ ଚାଲିଥାଉଁ । ବର୍ତ୍ତମାନ କେତେ କେତେବେଳେ ଗରମ ପବନ ଦମକାଏ ହେଉଥିଲେ ଆମକୁ ଶିର୍‍ଶିର୍‍ ଲାଗୁଥାଏ । ସେତେବେଳେ ଆମ ଭୋକ ସମ୍ଭଳା ପଡ଼ୁନଥାଏ । ଲାଗୁଥାଏ ସତେ ଯେମିତି ପବନ ଲ୍ୟାମ୍ପ ପୋଷ୍ଟର ମିଞ୍ଜି ମିଞ୍ଜି ହଳଦିଆ ଆଲୁଅକୁ ଚୁନା କରିଦେଉଛି ଓ ତା’ସଙ୍ଗରେ ଉଡ଼େଇନେଇ ଯାଉଛି ।

 

‘‘ଗରମ ବହୁତ ପଡ଼ିଛି....ଗଲା ପାଞ୍ଚବର୍ଷ ହେଲା ଏମିତି ଗରମ ମୁଁ ଦେଖି ନଥିଲି...’’

 

‘‘ଗଲା ପାଞ୍ଚବର୍ଷ ହେଲା ଲଣ୍ଡନରେ ଅଛ ?’’

 

‘‘ବୋଧହୁଏ ଆହୁରି ବେଶିଦିନ ହେବ...ସେତେବେଳେ ଭିତରେ କେତେ କାମ କରିସାରିଛି । ଆଉ ବେଶୀ ଦିନ ରହିବି ନାହିଁ ।’’

 

‘‘କ’ଣ ଘରକୁ ଫେରିଯିବ ?’’ ଓ୍ୱିଲି ପଚାରିଲା ।

 

‘‘ଘର ?’’ ନିଗ୍ରୋ ଛାତ୍ର ଜର୍ଜର ସ୍ୱର ଶୂନ୍‍ଶାନ୍‍ ଓ ଫମ୍ପା ଲାଗିଲା, ସତେ ଯେମିତି ଘର ଶବ୍ଦଟା ବଡ଼ ବିଚିତ୍ର । ଯେମିତି ସେ ଏଇ ପ୍ରଥମ ଥରକ ତାକୁ ଶୁଣିଲା; କହିଲା, ‘‘ମୁଁ ଚାହୁଥିଲି ଏଇଠି ରହନ୍ତି, କିନ୍ତୁ ସେମାନେ ମତେ ଚାହାନ୍ତି ନାହିଁ ।

 

‘‘ସେମାନେ...ଆଃ...’’ –ଓ୍ୱିଲି କହିଲା ।

 

‘‘ସେମାନେ’’...ଅନାୟାସରେ ଆମେ ଚାରିଆଡ଼କୁ ଅନାଇଲୁ କେହି ନଥିଲେ । ଯଦିଚ ସେମାନେ ସବୁଜାଗାରେ ସବୁ ସମୟରେ ଆମ ସଙ୍ଗରେ ଥିଲେ ଆମ ବାହାରେ ଯେତିକି ଥିଲେ ସେତିକି ଭିତରେ... ।

 

‘‘ତୁମେ ଏଇଠି ଥିଲ, ଯେତେବେଳେ ଜାରିଂହିଲରେ ଗଣ୍ଡଗୋଳ ହୋଇଥିଲା ?’’ ଓ୍ୱିଲିର ଧଳା ଧଳା ଦାନ୍ତ ଜିକିଜିକି ଦିଶିଲା ।

 

‘‘ନା, ମୁଁ ସେତେବେଳେ ଲଣ୍ଡନ ଆସି ନଥାଏଁ ।’’

 

‘‘ମୁଁ ସେଇଠି ଥାଏଁ । ତିନିଦିନଯାକେ ଗୋଟିଏ ଇଂଗ୍ରେଜ ଝିଅଘରେ ଲୁଚିରହିଥିଲି । ସେମାନେ ଯେତେବେଳେ ନିଗ୍ରୋମାନଙ୍କୁ ଗୋଟି ଗୋଟି କରି ବାଛିବାକୁ ଲିଷ୍ଟ କରୁଥାନ୍ତି ସେତେବେଳେ ମୁଁ ସେ ଧଳା ‘ହୋର’ ସଙ୍ଗରେ ଶୋଇଥାଏଁ । ସେ ଭାବୁଥିଲା, ମୁଁ ତାକୁ ଭଲପାଉଛି....କିନ୍ତୁ ତା’ପରେ ମୁଁ ତାକୁ ଆଉ ଦେଖିଲି ବି ନାହିଁ । ସେ ଜାଣି ନଥାଏ, ମୁଁ ତା’ଉପରେ ପ୍ରତିଶୋଧ ନେଉଛି...ତା’ର ଧଳା ଚମଡ଼ା ସଙ୍ଗରେ...’’ ଆଉ ସେ ହାତରେ ଠାରି ହସ୍ତକ କଲା ।

 

‘‘ଅଶ୍ଳୀଳ ସେତେ ନୁହେଁ ଯେତିକି ଜୁଗୁପ୍‍ସାମୟ ।’’

 

ଦୂରର କାରଖାନାମାନଙ୍କ ଧୂଆଁ ଉପରେ ଟିଉବ୍‍ର ଓ ଷ୍ଟେସନର ଆଲୁଅଗୁଡ଼ାକ ଦାଉ ଦାଉ ଦିଶୁଥାନ୍ତି । ଲାଗୁଥାଏ ଯେପରି ପୃଥିବୀର କୌଣସି ଅଂଶ ହଠାତ୍‍ ମଝିରୁ ଫାଟିଯାଇଛି ଓ ତଳୁ ହୀରାର ଝଲମଲ କରୁଥିବା ଝାଲରଟାଏ ଉପରକୁ ଉଠିଆସିଛି ।

 

‘‘ତୁମେ ଏଠି ପଢ଼ୁଛ ?’’

 

‘‘ହଁ, କିନ୍ତୁ ଗରମଦିନ ଛୁଟିରେ କାମ କରେ । ଆଗେ ଡାନ୍‍ସ ପାଇଁ ଯାଉଥିଲି ।’’ ଜର୍ଜ କହିଲା, ତା’ସ୍ୱର ବି ଖୁବ୍‍ ଉଦାସ ଥିଲା; ଯେମିତି କାମ ନ ଜୁଟିବାର ଦୁଃଖ ଏପର୍ଯ୍ୟନ୍ତ ଯାଇନାହିଁ ।

 

‘‘କାଣ୍ଟନମେଣ୍ଟକୁ କାହିଁକି ଆସୁନାହିଁ ବନ୍ଧୁ ?‘’’ ଓ୍ୱିଲି କହିଲା, ‘‘ମୋର ଗୋଟିଏ ସାଙ୍ଗ ଜର୍ମାନୀ ଯାଇଛି । ସେଠି ଚାକିରି ଅଭାବ ନାହିଁ । ଶୁଣିଛି ସେଠିକା ଝିଅମାନେ କଳା ଲୋକଙ୍କ ପଛରେ ଗୋଡ଼ାନ୍ତି, ଖାଲି ଠାରି ଦେବାକୁ ଯାହା ଡେରି ଲାଗେ ।’’

 

‘‘ବୋଧହୁଏ ଗଲା ଯୁଦ୍ଧଯୋଗୁଁ,’’ ଜର୍ଜ କହିଲା, ‘‘କିଛିଦିନ ତଳେ ମୋ ଫାଦର ସେଠିକି ଯାଇଥିଲେ । କହୁଥିଲେ କେଉଁଠି ମର୍ଦ୍ଦଲୋକ ଆଖିରେ ପଡ଼ିଲେ ନାହିଁ, ସବୁଆଡ଼େ ଖାଲି ସ୍ତ୍ରୀଲୋକ-

 

‘‘ଓଃ ! ହାଉ ଆଇ ଓ୍ୱିସ୍‍ ଫର୍‍ ଏନାଦର ଓ୍ୟାର...ଏନାଦର୍‍...ଦେନ ଏନାଦର୍‍, ଦେନ ଏନାଦର !’’ ଓ୍ୱିଲି କହିଲା ।

 

ଜର୍ଜ ଆଶ୍ଚର୍ଯ୍ୟ ହୋଇ ଓ୍ୱିଲି ଆଡ଼କୁ ଅନାଇଲା, ପୁଣି ମୋ ଆଡ଼କୁ । ସେ ବୋଧହୁଏ କ’ଣ କହିବାକୁ ଚାହୁଁଥିଲା, କିନ୍ତୁ ପୁଣି କ’ଣ ଭାବି ଖାଲି ମୁଣ୍ଡ ହଲାଇଦେଲା, କିନ୍ତୁ କହିଲା ନାହିଁ ।

 

ଆଉ ବୋଧହୁଏ ସେଇଟାହିଁ ଠିକ୍‍ । ଲଣ୍ଡନର ସେ ଖିଆଲି ଗରମ ରାତିରେ ‘ଓ୍ୟାର୍‍’ ବହୁତ ଦୂରର ଜିନିଷ ପରି ଲାଗୁଥାଏ । ଅର୍ଥହୀନ ଆଉ ହାସ୍ୟାସ୍ପଦ । ସେ ବିଷୟରେ ଯୁକ୍ତି କରିବାକୁ କେହି ରାଜି ହୁଅନ୍ତେ ନାହିଁ । ସେଇଆ ବି ହେଲା । ଆମେ ଖୁବ୍‍ ଚଞ୍ଚଳ ଓ୍ୱିଲି କଥାକୁ ଭୁଲିଗଲୁ । ତା’ପରେ ଆମେ ବହୁତବେଳ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦେଶର ଝିଅମାନଙ୍କ ବିଷୟରେ କଥାବାର୍ତ୍ତା ହେଲୁ । ଲାଗୁଥାଏ ସତେ ଯେମିତି ପୁରୁଣା ଭୋକ ଭିତରେ ଅଜାଣତରେ ନୂଆ ଭୋକଟାଏ ଚେଇଁଉଠୁଛି ।

 

‘‘ମୁଁ ସ୍ପେନ୍‍ ଯିବାକୁ ଚାହୁଁଥିଲି । ସେଠିକା ଝିଅମାନେ, ଆଃ ! ଛାଡ଼ । କିନ୍ତୁ ଶଳାଏ ‘ଭିସା’ ଦେଲେ ନାହିଁ । ନିଜ ଦେଶର କୁମାରୀମାନଙ୍କ ଚରିତ୍ର ପ୍ରତି ତାଙ୍କର ବହୁତ ନିଘା ।’’

 

ସ୍ପେନ୍‍...କିଏ ଯେମିତି କ’ଣ ପୁରୁଣା ପାଉଁଶକୁ ଉଖାରି ଦେଇଥିଲା ।

 

‘‘ତୁମେ ଯାଇଛ ?’’

 

‘‘ମୁଁ ଯିବାକୁ ଚାହୁଁ ଥିଲି, ବହୁତ ଆଗରୁ ।’’

 

‘‘ସିଭିଲ୍‍ ଓ୍ୱାର୍‍କୁ ?’’

 

‘‘ସେତେବେଳେ ମୁଁ ଖୁବ୍‍ ସାନ ଥିଲି ।’’

 

‘‘ସିଭିଲ୍‍ ଓ୍ୱାର ଆମ ଦେଶରେ ବି ବୋଧହୁଏ...’’ ଆଉ ଜର୍ଜ ହଠାତ୍‍ ଚୁପ୍‍ ହୋଇଗଲା । ତା’ର କୁଞ୍ଚୁକୁଞ୍ଚିଆ ବାଳରେ ବୁନ୍ଦା ବୁନ୍ଦା ଝାଳ ଜିକିଜିକି ଦିଶୁଥାଏ ।

 

‘‘ଆଇ ଡୋଣ୍ଟ ଲାଇକ୍‍ ସିଭିଲ୍‍ ଓ୍ୱାର୍‍’’ ଓ୍ୱିଲି କହିଲା । ଆମ କଥା ପୁଣି ସେଠି ଯାଇ ଅଟକିଯାଇଥିଲା, ବ୍ୟାଗାଟେଲ ଖେଳର ସେଇ ଗୁଳି ଭଳି ଯାହା ଚାରିଆଡ଼େ ବୁଲି ବୁଲି ପୁଣି ଖାଲି ଗୋଟିଏ କଣା ଭିତରେ ଯାଇ ଲାଖିଯାଏ । ଆମର ସେଥିରେ କୌଣସି ଆୟତ୍ତ ନଥିଲା । ଲଣ୍ଡନର ସେଇ ନିଶୁନ୍‍ ଗରମ ରାତିରେ ‘ଓ୍ୱାର୍‍’ ବହୁତ ଦୂରର ଗୋଟେ ଜିନିଷଭଳି ମନେହେଉଥିଲା ।

 

ରାସ୍ତାର ଡାହାଣ ପଟୁ ଗୋଟାଏ ପୁରୁଣା ଟେଭର୍ଣ୍ଣରୁ ହସ ଓ ସଙ୍ଗୀତର ମିଶାମିଶି ସ୍ୱର ଭାସିଆସୁଥିଲା । ଟେଭର୍ଣ୍ଣ ପଛରେ ଗଳି । ଗଳିର ଅନ୍ଧାର କଣରେ ଯୋଡ଼ାଏ ଛାଇ, ଗୋଟାଏ ଆରଟା ଦେହରେ ଲେପ୍‍ଟିଯାଇଛି । ବାରମ୍ୱାର ସେ ଛାଇ ହଲିଯାଉଛି । ଉପରକୁ ଟେକି ହୋଇଥିବା ସ୍କାର୍ଟ ତଳେ ଗୋଟାଏ ଗୋଲଗାଲ ଫୁଙ୍ଗାଗୋଡ଼ ରହିରହିକା ଥରିଯାଉଛି; ଆଉ ପୁଣି ଦରାଣ୍ଡି ହେଉଥିବା ଯୋଡ଼ାଏ ଧନ୍ଦିହେଲା ହାତତଳେ ବନ୍ଦି ହୋଇଯାଉଛି ।

 

‘‘ଚାଲ ଥୋଡ଼ାଏ ବିଅର ପିଆଯାଉ, କିନ୍ତୁ ନପିଇଲେ ଭଲକରି ଶୋଇପାରିବା ନାହିଁ-’’ ଓ୍ୱିଲି କହିଲା । ମୁଁ ଟିକିଏ ଦୋଦପାଞ୍ଚ ହେଲି । ମୋ ପକେଟରେ ଯୋଡ଼ିଏ ମାତ୍ର ଶିଲିଂ ପଡ଼ିଥାଏ । ଜର୍ଜର ଅବସ୍ଥା ମୋଠୁଁ ବେଶି ଭଲ ଦିଶୁନଥାଏ । ଓ୍ୱିଲିର ପ୍ରସ୍ତାବକୁ ଶୁଣିଲା ନଶୁଣିଲା ପରି ହୋଇ ସେ ଅନ୍ଧାରରେ ସିଟି ମାରୁଥାଏ ।

 

ଓ୍ୱିଲି ବୋଧହୁଏ ବୁଝିପାରିଲା । ସେ ଜର୍ଜ କାନ୍ଧରେ ହାତ ଥୋଇ ତାକୁ କହିଲା, ‘‘ଚିନ୍ତାର କୌଣସି କାରଣ ନାହିଁ । ଏଠିକା ଲୋକେ ମତେ ଜାଣନ୍ତି । ଏକସମୟରେ ମୁଁ ଏଠିକି ବରାବର ଆସୁଥିଲି ।’’

 

ଜର୍ଜର ଉପେକ୍ଷାଭାବ ହଠାତ୍‍ ଛାଡ଼ିଗଲା । ଗୋଟାଏ ଆଶ୍ଚର୍ଯ୍ୟ ପ୍ରକାର ପିଲାଳିଆ ଖୁସି-ଖୁସି ଭାବ ତା’ମୁହଁ ଉପରେ ଫୁଟିଉଠିଲା ।

 

‘‘ମୁଁ ଅଳ୍ପ ଟିକିଏ ଜିନ୍‍ ପିଇବି । ମୋର ଆଶା କାଲି ମୋ ବନ୍ଧୁ ମତେ କେତେ ଶିଲିଂ ଉଧାରଦେବ ଯେ ।’’

 

ଆମ ପାଦ ପବ୍‍ ଆଡ଼କୁ ଗତିକଲା ।

 

କବାଟ ଖୋଲିଲାକ୍ଷଣି ନାନା ଶବ୍ଦର ଗୋଟାଏ ଡହଡହ ତତଲା ବଢ଼ି ଆମୁକୁ ତା’ନିଜ ଭିତରେ ଯାକିନେଲା । ଧୂଆଁରେ ଗୁନ୍ଥି ପକାଉଛି, ଗୁରେଇ ପକାଉଛି, ଗୋଟାଏ ଆଉ ଗୋଟାକୁ ଛେଲି ଛେଲି ଦେଉଛି । ଏମିତିଆ ଶବ୍ଦଗୁଡ଼ାଏ, ଯାହା ଆଉ କେଉଁଠି ନିସ୍ତାର ନପାଇ ମଇଳା ପାଣି ପରି ଗୋଟାଏ ଗାତରେ ଏକାଠି ଜମା ହୋଇଯାଇଥାଏ । ଆଲୁଅ ମାନ୍ଦା ହେଲା, ଧୂଆଁ ଘେରରେ ଢାଙ୍କି ହୋଇଥିଲା । ସେଥିରେ କୌଣସି ଗୋଟାଏ ମୁହଁକୁ ଚିହ୍ନିବା, ଜଣକୁ ଆଉ ଜଣଙ୍କଠୁ ଅଲଗା କରି ପାରିବା ଅସମ୍ଭବ ହୋଇଥିଲା ।

 

ଶିଢ଼ିରେ କେତେ ପାହାଚ ଓହ୍ଲେଇଗଲେ ତଳେ ବେଶମେଣ୍ଟ ଥିଲା । ନାଚୁଥିବା ଯୋଡ଼ାମାନଙ୍କ ଛାଇ ଶିଢ଼ିଉପରେ ପଡ଼ୁଥାଏ, କେତେବେଳେ ଆକୃତିହୀନ ଲମ୍ୱା ତ କେତେବେଳେ ଏଡ଼େ ଛୋଟ ଯେ ଲାଗୁଥାଏ ଯେମିତି ପାଣିତଳେ ଖୁବ୍‍ ଚାଇଁ ମାଛଗୁଡ଼ିଏ ଉପରକୁ ଉଠୁଛନ୍ତି ଆଉ ଆର ମୁହୂର୍ତ୍ତରେ ବୁଡ଼ିଯାଉଛନ୍ତି ।

 

ଆମେ କଣିକିଆ ଥିବା ଟେବୁଲ୍ର ଆଖପାଖରେ ବସିପଡ଼ିଲୁ । ଟିକିଏ ପରେ ଓ୍ୱିଲି ତିନିବୋତଲ ବିଅର୍‍ ଆଉ ତିନିଟା ଗିଲାସ ଘେନି ଆସିଲା । ଆମେ ପିଇବାକୁ ଆରମ୍ଭ କଲୁ ।

 

ଓ୍ୱିଲି କହିଲା, ‘‘ଆଗ ମୁଁ ଏଠି କାମ କରୁଥିଲି । କେତେ ମାସ ଥିଲି, ପୁଣି ମନ ଅସ୍ଥିର ହେଲା । ଏ ପବ୍‍ର ମାଲିକ ଇଟାଲିଏନ୍‍ ଲୋକଟିଏ; ମନ୍ଦ ନୁହେଁ, କିନ୍ତୁ ଭାରି ଡରେ । ଏପଟକୁ ଆସିଲେ ତୁମ ସଙ୍ଗେ ଦେଖାକରାଇଦେବି ।’’

 

...ଜର୍ଜ କହିଲା, ‘‘ମତେ ଅଇଛା ଯେକୌଣସି କାମ ମିଳିଗଲେ ମୁଁ କରନ୍ତି ।’’

 

ଭିତରର ଗଣ୍ଠି ସନ୍ଧିରେ ବିଅର୍‍ ବାଟ ଫିଟାଇ ଦେଇଛି; ଯାହା ଆଗେ ବନ୍ଦଥିଲା, ସଂକୀର୍ଣ୍ଣ ଥିଲା । ସେଠି ବର୍ତ୍ତମାନ ଗୁଡ଼ାଏ ଡେଣା ଫଡ଼ଫଡ଼ ହେଲାଣି । ଉଡ଼ିବାକୁ ଆତୁର ହେଲାଣି-

 

ଓ୍ୱିଲି କହିଲା, ‘‘ମୁଁ ଆଉ ଏଠି ବେଶୀ ଦିନ ରହିବି ନାହିଁ । ମୋ ସାଙ୍ଗ ଜର୍ମାନୀରେ ଅଛି । ହବ ତ ଦିନେ ସେଠିକି ଯିବି ।’’

 

ଓ୍ୱିଲି ଗିଲାସକ ବିଅର୍‍ ଶେଷ କରିଦେଲା । ଗିଲାସକୁ ଟେବୁଲ୍ ଉପରେ ଲେଉଟାଇ ଦେଲା, ଟୋପାଏ ବି ପଡ଼ିଲା ନାଇଁ ।

 

ବିଅର୍‍ର ଫେଣ ତା’ପାଟିରେ ଲାଗିଯାଇଥାଏ, ଯେମିତି ରୁଆ ରୁଆ ବାଲି, ଓଦା ଆଉ ଧଳା ।

 

ଜର୍ଜ କହିଲା, ‘‘ମୁଁ ଜର୍ମାନୀକି ସହିପାରିବି ନାହିଁ ।’’

 

‘‘ଦେଆର୍‍ ଇଜ୍‍ ରିଏଲ୍‍ ଲାଇଫ୍‍ । ରାସ୍ତାର ପ୍ରତି କୋଣରେ ଯୁବତୀ ଝିଅମାନେ ଠିଆହୋଇଥାନ୍ତି ।’’ ଓ୍ୱିଲି କହିଲା ।

 

‘‘ମୁଁ ଜର୍ମାନିକି ସହିପାରିବି ନାହିଁ’’-ଜର୍ଜ କହିଲା ।

 

ମୁଁ ହସିଲି ।

 

ଜର୍ଜ ମୋ ଆଡ଼କୁ ଅନାଇଲା । ତା’ଆଖି ଖୁବ୍‍ ନିରୀହ ଭଳି ଦିଶୁଥାଏ ।

 

ଓ୍ୱିଲି କହିଲା, ‘‘ସବୁ ଲୋକ ଏକାପରି ।’’

 

‘‘କିନ୍ତୁ ସେ ଲୋକେ–’’ ଜର୍ଜ ଠାରିଲା, ବାହାର ଆଡ଼କୁ, କବାଟ ବାହାରକୁ; ଯେଉଁଠି କେବଳ ଅନ୍ଧାର ଥାଏ ।

 

‘‘ସେ ଲୋକେ ବି... ତୁମେ ଖାଲି ଡରୁଛ ।’’ ଓ୍ୱିଲି କହିଲା । କ୍ଷଣକପାଇଁ ଜର୍ଜର ହାତ, ଯେ ଗିଲାସ ଉପରେ ଭରାଦେଇଥିଲା, ଥରିଉଠିଲା ।

 

‘‘ୟୁ ଆର ଏ ରଟ୍‍ଟର’’–ଜର୍ଜ କହିଲା ।

 

ତା’ସ୍ୱରରେ ଏମିତି କିଛି ଥିବ ଯେଉଁଥିପାଇଁ ଓ୍ୱିଲିର ମୁହଁ ହଠାତ୍‍ ହଳଦିଆ ପଡ଼ିଗଲା ।

 

‘‘ଦେଖ, ମୁଁ ଖୁବ୍‍ ଖରାପ ଲୋକ । ସେ ଶବ୍ଦଟାକୁ ଆଉ ଥରେ ତୁଣ୍ଡରେ ଧରିବ ନାହିଁ ।’’

 

‘‘ଓଃ ! ସତେ !’’ ଜର୍ଜର ସ୍ୱର ଥରୁଥାଏ । ଯେମିତି ସେ ଶୂନ୍ୟେ ଶୂନ୍ୟେ ଟଙ୍ଗା ହୋଇଥିବା ଦଉଡ଼ି ଉପରେ ଚାଲୁଛି; ଆଉ ତଳେ ଖାଲ ଅଛି; ଯହିଁରେ ସେ କେତେବେଳେ ଖସିପଡ଼ିପାରେ, –‘‘ୟେସ୍‍, ୟୁ ଆର ଏ ରଟ୍‍ଟର ।’’

 

ଓ୍ୱିଲି ଗିଲାସ ଧରି ହଠାତ୍‍ ଠିଆହୋଇ ପଡ଼ିଲା । ଯେମିତି ୟେ କ’ଣ ଗୋଟାଏ ଖେଳ, ଆଉ ନିୟମ ଅନୁସାରେ ତାକୁ ଠିଆହେବାକୁ ପଡ଼ିବ ।

 

‘‘ଆଉ ଥରେ ପୁଣି କହ ତ । ତା ଗିଲାସ ଜର୍ଜର ମୁଣ୍ଡ ପାଖକୁ ଲାଗିଆସିଲାଣି, କାଚରେ ଲାଗିଥିବା ବିଅର୍‍ର ଫେଣ ଆଲୁଅରେ ଜିକିଜିକି କରୁଛି ।

 

ଜର୍ଜର ଅଧବୁଜା ଆଖି ତା’ଉପରେ ପଡ଼ିଲା ।

 

‘‘ୟେସ, ୟୁ ଆର ଏ ରଟ୍‍ଟର ଅଲରାଇଟ୍‍ ।’’ ଗିଲାସ ତଳେ ତା ମୁଣ୍ଡଟା ହଲୁଛି । ମଣିଷର ମୁଣ୍ଡ ପୂରା ଗଣ୍ଡିଠୁଁ ଅଲଗା କେବଳ ଛାଁକୁ ଛାଁଏଁ ଏମିତି ଥରିପାରେ । ୟେ ମତେ ଖୁବ୍‍ ହାସ୍ୟାସ୍ପଦ ଲାଗିଛି ।

 

ଓ୍ୱିଲି ଗଭୀର ବିସ୍ମୟରେ ତା’ଆଡ଼କୁ ଅନାଇଁଲା, ଆଉ ତା’ପରେ ହସିପକାଇଲା । କହିଲା, ‘‘ବୋଧହୁଏ ତୁମ କଥା ଠିକ୍‍ । ମେ ବି ଆଇ ଆମ୍‍ ।’’ ସେ ପୁଣି ତା ଚଉକିରେ ବସିପଡ଼ିଲା-

 

କିଛି ସମୟ ପରେ ‘ପବ୍‍’ର ମାଲିକ ଆମ ଟେବୁଲ୍ ପାଖରେ ଆସି ଠିଆହେଲା । ଗୋଲ୍‍ଗାଲ୍‍ ଦେହ, କିନ୍ତୁ ଖୁବ୍‍ ଭଲ ଗଢ଼ଣ, ରଙ୍ଗ ଖୁବ୍‍ ହଳଦିଆ । ସାନ ମୁଣ୍ଡ ଉପରୁ ତେଲ ଜୁଡ଼ୁବୁଡ଼ୁ କଳା ମିଶି ମିଶି କୁଞ୍ଚୁକୁଞ୍ଚିଆ ବାଳ ଓହଳିପଡ଼ିଛି ।

 

‘‘ଆଉ ଦରକାର ?’’ ସେ ହସି ଦେଇ ଓ୍ୱିଲି ଆଡ଼କୁ ଅନାଇଲା । ଓ୍ୱିଲି କହିଲା, ‘‘ଅଇଛା ଅଛି, ପଛେ–’’

 

ତା’ସ୍ୱର ଆଗ ପରି ଟାଣିଲା ଭଳି ଶୁଭୁ ନଥିଲା, ଯଦିଚ ତିରସ୍କାରର ସ୍ପର୍ଶ ଆମଠୁଁ ଲୁଚାଇ ରଖିପାରିଲା ନାହିଁ । କହିଲା, ‘‘ଏମାନେ ମୋ ବନ୍ଧୁ ।’’

 

ଇଟାଲିଆନ୍‍ ଲୋକଟି ଆମ ଆଡ଼କୁ ଅନାଇଲା । କିନ୍ତୁ ତା’ଆଖିରେ କୌଣସି ଉତ୍ସୁକତା ନଥିଲା ।

 

‘‘ଓ୍ୱିଲି ଆମର ଏଠି କାମ କରୁଥିଲା ।’’ ସେ ଗର୍ବରେ ଓ୍ୱିଲି ଆଡ଼କୁ ଅନାଇଲା, ସତେ ଯେମିତି ତା’ଆଖିରେ ଓ୍ୱିଲି ସଙ୍ଗେ ଆମକୁ ତୁଳନା କରିବା ଅତି ତୁଚ୍ଛ ଜଣାପଡ଼ୁଥାଏ । ପଚାରିଲା, ‘‘ଏଠି କ’ଣ ବେଶି ଦିନ ହେଲା ରହିଲଣି ?’’ ଜର୍ଜ ତୁନି ରହିଲା । (ଭଗବାନ ତା’ର ମଙ୍ଗଳ କରନ୍ତୁ, ତା’ମୁଣ୍ଡ ଆଉ ଥରୁନଥାଏ । ମୁଁ ଖାଲି ଗିଲାସ ସଙ୍ଗରେ ଖେଳୁଥିଲି, ମୋ ହାତ ଅଟକିଗଲା ।)

 

‘‘କିଛି ଦିନ ହେଲା-’’ ମୁଁ କହିଲି ।

 

‘‘ଇଜ ନଟ୍‍ ଇଟ୍‍ ଫାଇନ୍‍ ?’’

 

‘‘ମୁଁ କହିଲି, ‘‘ଇଟ୍‍ ଇଜ ଫାଇନ୍‍ ।’’

 

‘‘କିଛି କାମଦାମ ?’’ସେ ମୋ କାମିଜର କଲରକୁ ଦେଖୁଥାଏ, କେଜାଣି କେତେ ରାଜ୍ୟର ଧୂଳି ସେଥିରେ ଜମା ହୋଇଥାଏ ।

 

‘‘ଅଇଛା କିଛି ନାହିଁ... ।’’

 

‘‘ଓ୍ୱିଲିକୁ କାମ ମିଳନ୍ତା, କିନ୍ତୁ ସେ କୌଣସି ଗୋଟିଏ ଜାଗାରେ ରହେନାହିଁ ।’’ ସେ ଓ୍ୱିଲି ଆଡ଼କୁ ଚାହିଁଲା ସ୍ନେହରେ ପୁଣି ଅଭିମାନରେ ।

 

ଓ୍ୱିଲି କହିଲା, ‘‘ମୁଁ ତୁମର ଏଠି ରହି ପାରିଥାନ୍ତି । ଖାଲି ତୁମେ...’ ଇଟାଲିଆନ୍‍ର ମୁହଁ ହଠାତ୍‍ କ୍ଷୁବ୍‍ଧ ଦିଶିଲା । ‘‘ତୁମେ ଜାଣିଛ–’’ ସେ କହିଲା ।

 

ଓ୍ୱିଲି କହିଲା, ‘‘ଆଃ-ତୁମେ ସମସ୍ତେ ଏକାଭଳି ।’’

 

‘‘ଭାରି ଗରମ’’–ଜର୍ଜ କହିଲା ।

 

ଇଟାଲିଆନ୍‍ ଖୁବ୍‍ ଆଗ୍ରହରେ କହିଲା, ‘‘ତୁମେ ଜାଣିଛ...’’

 

‘‘ନାଇଁ ମୁଁ କିଛି ଜାଣି ନାହିଁ । ମୁଁ ଖାଲି ଏତିକି ଜାଣେ ଯେ ମୁଁ ଅଇଛା ଡ୍ୟାନ୍‍ସ କରିବି ।’’ ଓ୍ୱିଲି ତା ଚୌକିକୁ ପଛକୁ ଠେଲି ଦେଇ ଠିଆହୋଇ ପଡ଼ିଲା ।

 

କିନ୍ତୁ ଇଟାଲିଆନ୍‍ ଝପଟି ଯାଇ ତା’କାନ୍ଧକୁ ଧରିପକାଇଲା । ତା ଆଖି ହଠାତ୍‍ ଆକ୍ରାନ୍ତ ହେଲାପରି ଦିଶିଲା । ଓ୍ୱିଲିର ଡେଙ୍ଗା, ପତଳା ଦେହ ଆଗରେ ତା ଡର ଡର ପିଣ୍ଡୁଳା ପରି ଦେହଟା ହଠାତ୍‍ ଭାରି ଦୟନୀୟ ଦିଶିଲା ।

 

‘‘ଓ୍ୱିଲି ! ...ତୁମେ ଜାଣିଛ, ଏଠି... ।’’ ଓ୍ୱିଲି ତାକୁ ଧକ୍‍କା ଦେଇ ଝାଙ୍କ ମାରି ନିଜ କାନ୍ଧ ଛଡ଼େଇନେଲା । ତା ପିଠି ଆମ ଟେବୁଲ୍ରେ ଆଉଜି ଯାଇ ରହିଗଲା । ଜର୍ଜ ବିଅର୍‍ ବୋତଲକୁ ହାତରେ ଧରିପକାଇଲା । କ୍ଷଣକ ପାଇଁ ଲାଗିଲା ଯେମିତି ଆମେ ଗୋଟାଏ ଜାହାଜର ଡେକ୍‍ ଉପରେ ବସିଛୁଁ ।

 

ଅର୍କେଷ୍ଟ୍ରା ଆରମ୍ଭ ହେଉ ହେଉ ପବ୍‍ର ଭିନେ ଭିନେ କୋଣରେ ବସିଥିବା ଟୋକା-ଟୋକୀମାନଙ୍କ ଯୋଡ଼ିଗୁଡ଼ାକ ଶିଢ଼ିବାଟେ ଓହ୍ଲେଇବା ଆରମ୍ଭ ହେଲା ।

 

ଇଟାଲିଆନ୍‍ ପଛକୁ ବୁଲିପଡ଼ି ବି ଦେଖିଲା ନାହିଁ । ସେ ଖାଲି ଶୂନ୍ୟକୁ ଅନାଇଁଥାଏ ।

 

ଓ୍ୱିଲି କେଉଁଠି ହେଲେ ଦିଶୁ ନଥାଏ ।

 

ତାର ଖାଲି ଗିଲାସଟା ଆମ ଟେବୁଲ୍ ଉପରେ ସେ ଥୋଇଯାଇଥିଲା । ଜର୍ଜ ବିଅର୍‍ ବୋତଲରୁ ହାତ କାଢ଼ିନେଲା । ତା ପାପୁଲିର ପୂରା ଛାପା କାଚ ଉପରେ ଗୋଟାଏ ଧଳା ଚିହ୍ନ ବରି ଅଙ୍କା ହୋଇ ରହିଥାଏ ।

 

ଇଟାଲିଆନ୍‍ ଆମ ଆଡ଼କୁ ଚାହିଁଲା । ଲାଗୁଥାଏ ସତେ ଯେମିତି ସେ ଆମକୁ ଚିହ୍ନି ପାରୁନାହିଁ । ପୁଣି ଅବଶ ଭଙ୍ଗୀରେ ଦି’ ହାତଯାକ ଲମ୍ୱେଇଦେଲା ।

 

‘‘ପାଗଲଟାଏ....ନୁହେଁ ?’’ ଆମେ ତୁନି ରହିଲୁଁ । ସେତେବେଳେ ସେଠି କିଛି ଥିଲା ଯାହା ସଙ୍ଗରେ ଆମର କୌଣସି ସମ୍ୱନ୍ଧ ନଥିଲା, ଯାହାର ମ୍ଳାନ ଛାଇ ତୁନି ହୋଇ ଚାଲି ଆସି ଆମ ମଝିରେ ଜାକି ହୋଇ ରହିଥିଲା । ସେ କ୍ଳାନ୍ତ ଓ ଭାରୀ ପାହୁଣ୍ଡ ପକାଇ ପକାଇ କାଉଣ୍ଟର ଆଡ଼କୁ ଚାଲିଗଲା ।

 

‘‘ଭାରି ଗରମ’’ ଜର୍ଜ କହିଲା, ‘‘ତୁମ ପାଖରେ କେତେ ପଇସା ଅଛି ?’’

 

‘‘କାଇଁକି ?’’ ମତେ ହଠାତ୍‍ ସମସ୍ତଙ୍କ ଉପରକୁ ଚିଡ଼ି ମାଡ଼ିଲା ।

 

‘‘ମୋ ପାଖରେ ଦେଢ଼ ଶିଲିଂ ଅଛି । ତହିଁରେ ଲାଗର୍‍ ଆସିପାରିବ ?’’ ସେ ପଚାରିଲା ।

 

ଧିମା ଆଲୁଅ ତଳେ ଜୋତା ଆଉ ସ୍ୟାଣ୍ଡଲମାନଙ୍କ ଖଟଖଟ ଶବ୍ଦ, ଆଖପାଖରେ ଭଙ୍ଗା ଭଙ୍ଗା ଶବ୍ଦର ବଢ଼ି ମାଡ଼ିଯାଇଥାଏ । ତାରି ଗୋଟାଏ ପ୍ରାନ୍ତରେ ଆମେ ଥାଉଁ, ଗୋଟାଏ ଟେବୁଲ୍, ଜର୍ଜ, ଦି ଗିଲାସ ଲାଗର୍‍ । ସବୁ ସେମିତିଆ ଥିଲା, ଯେମିତି ଆମେ ଆଗରୁ ଦେଖିଥିଲୁଁ ।

 

କେବଳ ବର୍ତ୍ତମାନ ଗୋଟାଏ ଚୌକି ଖାଲି ପଡ଼ିଥିଲା । ଜର୍ଜ କହିଲା, ‘‘ବୋଧହୁଏ ସେ ମନ ଦୁଃଖ କଲା । ମୁଁ ନିଜକୁ ରୋକିପାରିଲି ନାହିଁ ।’’

 

‘‘ତୁମେ ତାକୁ କିଛି କହିନା ?’’

 

ଟେବୁଲ୍ ଉପରେ ପଡ଼ିଥିବା ମୋ ହାତକୁ ଟାଣ କରି ମୁଠେଇ ସେ କହିଲା, ‘‘ମୁଁ ନିଜକୁ ରୋକିପାରିଲି ନାହିଁ ।’’

 

ମୋ ଆଙ୍ଗୁଠିଗୁଡ଼ାକ ତା ପାପୁଲି ଭିତରେ ଚିପି ହୋଇ କଟକଟ ହେଲା ।

 

‘‘ତୁମେ ଜାଣିନଁ । ....ମୋର ବକ୍‍ସିଂରେ ଭାରି ସଉକ୍‍ । ଯେତେବେଳେ ପ୍ରଥମେ ପ୍ରଥମେ ମୁଁ ଲଣ୍ଡନ ଆସିଥିଲି ଆଉ ବେକାର ନ ଥିଲି, ସେତେବେଳେ ସବୁଦିନେ ବକ୍‍ସିଂ କରିବାକୁ ଯାଉଥିଲି । କିନ୍ତୁ ମୁଁ ଆଜିଯାକେ ଥରେ ବି ଜିତିପାରିନାହିଁ । ଶୁଣୁଚ, ଥରେ ବି ନୁହେଁ,...ମୋ ଭିତରଟା ଗୋଟାଏ ଯେମିତି ଅଦ୍ଭୁତ ପ୍ରକାରେ ଟାଣିଟୁଣି ହେଲାପରି ଲାଗୁଛି । ମୁଁ ପ୍ରତୀକ୍ଷା କରିଛି ସେଇ ମୁହୂର୍ତ୍ତ ପାଇଁ, ଯେତେବେଳେ ଅନ୍ୟ ଜଣେ ମତେ ‘ହିଟ୍‍’ କରନ୍ତା...ଆଉ ଯେଉଁଠୁ ତା ଘଟୁନାହିଁ ସେଉଠୁ ମୋ ରକ୍ତ ଟକ ଟକ ହୋଇ ଫୁଟିଲା ପରି ଲାଗୁଛି । ଆସୁଥିବା ବିପଦର ଚେହେରାକୁ ମୁଁ ଖୋଜି ଖୋଜି ପାଉନାହିଁ । ଠିକଣା ବାଗ ଆସିବା ଆଗରୁ ମୁଁ ଅତିଶୟ ଭାଙ୍ଗିପଡ଼ୁଛି...ଯଦିଚ ମୁଁ ଜାଣିଛି ଯେ ଲଢ଼ିବା ଏଭଳି ହୁଏ ନାହିଁ, ଏଇଟା ମିଛ । ଆଉ ଏଇ କାରଣରୁ ମୁଁ ଘରୁ ଏଠିକି ପଳାଇ ଆସିଛି-ମୁଁ ମୋ ବାପାଙ୍କ ପରି ପ୍ରତୀକ୍ଷା କରି ରହିପାରିଲି ନାହିଁ-।’’

 

‘‘ଆଉ ସେ...ତୁମ ବାପା,–ସେ କାହାକୁ ପ୍ରତୀକ୍ଷା କରିଛନ୍ତି ?’’

 

‘‘ମତେ ଜଣାନାହିଁ...ରାଜନୀତି ମତେ କୌଣସି ପ୍ରକାରେ ଚିତ୍ତାକର୍ଷକ ଲାଗେ ନାହିଁ ।’’ ତା’ମୁଣ୍ଡଟି ଲାଗର୍‍ ମଦର ଗିଲାସ ପଛଆଡ଼େ ଲୁଚିଗଲା ।

 

ମୁଁ ଆସ୍ତେ ମୋ ହାତ ଛଡ଼େଇନେଲି...ମୋ ହାତ ଝାଳରେ ବୁଡ଼ିଯାଇଥିଲା । ମୁଁ ତାକୁ ମୋ ପାଖକୁ ଘେନିଆସିଲି, ସତେକି ସେ କୌଣସି ପୋଷା ଜନ୍ତୁ କି ଘରୋଇ ଜିନିଷଟିଏ-ଆଙ୍ଗୁଠିରେ ଗୁନ୍ଥା ହୋଇଥିବା ଖଣ୍ଡେ ଧଳା ମାଉଁସମେଞ୍ଚା । ତା ଉପରଯାକ ବାଳ, ଯାହା ତା’ର ସ୍ପର୍ଶଦ୍ୱାରା ଏପର୍ଯ୍ୟନ୍ତ ଦବିରହିଥାଏ । ଆଉ ମୁଁ ଭାବିଲି, ମୁଁ କେତେଥର ମୋର ଦି ହାତକୁ ପ୍ରକୃତରେ କେତେଥର ଏଭଳି ଦେଖିଛି ଯେମିତି ସେମାନେ ପ୍ରକୃତରେ ସେଇମାନେ ଏବଂ ସେତେବେଳେ ଭ୍ରମ ହୁଏ ଯେ କୌଣସି ଜିନିଷ ତାଙ୍କ ଜାବ ଭିତରେ ପଡ଼ିଯିବ ସେ କେବେହେଲେ ମୋର ହୋଇପାରିବ ନାହିଁ ।

 

‘‘ଜାଣିଛ, ମୁଁ ଓ୍ୱିଲିକୁ କାହିଁକି ରଟର୍‍ କହିଲି ?’’

 

‘‘ଇଟ୍‍ ଇଜ୍‍ ନଥିଂ,’’ ମୁଁ ସିଧା ତା’ଆଖିକୁ ଦେଖିପାରୁ ନଥିଲି ।

 

‘‘କାହିଁକି...କାରଣ ପ୍ରକୃତରେ ମୁଁ ନିଜେ ଗୋଟାଏ ରଟ୍‍ର । ମୁଁ ବର୍ତ୍ତମାନ ତମୁକୁ କହିଥିଲି ଯେ ମୁଁ ମୋ ବାପାଙ୍କୁ ଖୁବ୍‍ ସମ୍ମାନ କରେଁ (ଯଦିଚ ସେ ମତେ ସେଭଳି କେବେ କହି ନଥିଲା), ତୁମେ ତାଙ୍କୁ ଜାଣିନା । ସେ ଜୀବିତ ଅଛନ୍ତି କି ନାହିଁ ମତେ ଜଣାନାହିଁ । ସେମାନେ ତାଙ୍କ ପଛରେ ଥିଲେ ।’’

‘‘ସେମାନେ କିଏ ?’’

‘‘ସେମାନେ...’’ ଚେକାମାରି ପଡ଼ିଥିବା ଗୋଟେ ସାପଭଳି ଏକ ହେମାଳିଆ ଆତଙ୍କ ଭରିରହିଥିଲା ତା’ଦୃଷ୍ଟିରେ ।

‘‘ତୁମେ କେବେ ଦେଖିନା...’’ ସେ ମୋ ହାତକୁ ତା ପାପୁଲିରେ ଖୁବ୍‍ ଟାଣକରି ଯାକିଧରିଲା । ତା’ର କଳା ମୁହଁ ଉପରେ ଖାଲି ଧଳା ଦାନ୍ତ ଆଖିକି ଦିଶୁଥାଏ । ଗୋଟାଏ କାନରୁ ଆଉ ଗୋଟାଏ କାନଯାକେ ଟାଣିହୋଇ ରହିଥାଏ । ମୁଁ ବୁଝିପାରିଲି ନାହିଁ ଯେ ସେ ହସୁଛି ନା କେବଳ ଗୋଟାଏ ଭୁଲ ମୁହୂର୍ତ୍ତରେ ତା’ଦାନ୍ତ ଛାଁକୁ ଛାଏଁ ଖୋଲାପଡ଼ିଯାଇଛି ।

‘‘ମୁଁ ଏଠି ସୁରକ୍ଷିତ ଅଛି....ଏଣ୍ଡ୍ ଫର୍‍ ଦ୍ୟାଟ୍‍ ଆଇ ହେଟ୍‍ ହିମ୍‍ । ଆଇ ହେଟ୍‍ ହିମ୍‍ ଲାଇକ୍‍ ହେଲ୍‍ ।’’

ମୁଁ ତୁନି ହୋଇ ମଦ ପିଉଥାଏଁ । ମୋ ଆଗରେ ଘଣ୍ଟାର ଡାଏଲ୍‍ ଥିଲା ଯାହାକୁ ମୁଁ ପ୍ରଥମ ଥର ଦେଖିଥିଲି । ମୁଁ ଭାବୁଥାଏଁ, ମୋର ଖଣ୍ଡେ ସିଗାରେଟ୍‍ ଟାଣିବା ଦରକାର । ମତେ ଲାଗୁଥାଏ ମୁଁ ବହୁକାଳୁ ସିଗାରେଟ୍‍ ଟାଣିନାହିଁ ।

‘‘ତୁମେ କ’ଣ ଭାବୁଛ ?’’ ତା କଣ୍ଠରେ ଏକ ପିଲାଳିଆ ଆଗ୍ରହ ।

‘‘କିଛି ନାହିଁ ।’’

‘‘ତୁମେ ମୋ ଜାଗାରେ ଥିଲେ କ’ଣ କରିଥାନ୍ତ ?’’

‘‘ତୁମ ଜାଗାରେ ?’’ ମୁଁ ହସିଲି, ମତେ ଏପର୍ଯ୍ୟନ୍ତ ଜଣା ନଥିଲା ଯେ ମୋ ନିଜ ଜାଗାରେ ମୋର କ’ଣ କରିବା ଦରକାର ।

‘‘କିନ୍ତୁ ତୁମେ ନିଶ୍ଚୟ ଠିକଣା କରିଥିବ-ନିଜ ଦେଶ ଛାଡ଼ିବା ଆଗରୁ ?’’

‘‘ବୋଧହୁଏ ରକ୍ଷା ପାଇବାପାଇଁ ।’’

‘‘କାହାଠୁ ରକ୍ଷା ପାଇବାପାଇଁ ?’’

‘‘ନିଜ ଦେଶର ଲୋକଙ୍କଠୁଁ...ବୋଧହୁଏ ଅନ୍ୟ ଜିନିଷଠୁଁ ବି, ଯାହା ବର୍ତ୍ତମାନ ମୋର ମନେପଡ଼ୁନାହିଁ ।’’ ଆଉ ସେତେବେଳେ ମତେ ଲାଗିଲା ଯେ ବୋଧହୁଏ ଆଉ ବେଶି ମଦ ପିଇବା ସମ୍ଭବ ହେବ ନାହିଁ । ସକାଳୁ କିଛି ଖାଇ ନଥିଲି, ଖାଲି ପେଟକୁ ଲାଗର୍‍ ମଦ ଓଦାକରି ଦେଇଥିଲା-। ଗୋଟାଏ ନେଳିଆ ଶାଗୁଆ କୁହୁଡ଼ି କୁଆଡ଼େ ରାସ୍ତାକୁ ହାତରେ ଅଣ୍ଡାଳୁ ଅଣ୍ଡାଳୁ ଆସି ସେହି ସବୁ ଝରକା ଆଗରେ ଜମା ହୋଇଯାଇଥିଲା, ଯେଉଁ ଝରକାଦେଇ ମୁଁ ପଦାକୁ ଦେଖିପାରୁଥିଲି । ସେଠି ଘଣ୍ଟାର ଡାଏଲ ଥିଲା-ଖୁବ୍‍ ଧଳା....ପବନରେ ହଲୁଥିବା ଗୋଟାଏ ପୁରୁଣା ମୁର୍ଦ୍ଦାର ଭଳିଆ ସେ ଦିଶୁଥାଏ ଯେଉଁ ମୁର୍ଦ୍ଦାରଟା କେଜାଣି କେବଠୁଁ ମୋ ସଙ୍ଗରେ ଓଟାରିହୋଇ ଆସୁଥିଲା ।

 

‘‘ତୁମେ କାହିଁକି ହସୁଛ ?’’

 

ମୁଁ ଏ କଥା ଜାଣିପାରି ଆଶ୍ଚର୍ଯ୍ୟ ହେଲି ଯେ ମୁଁ ହସୁଛି । ଆଉ ଯେମିତି ମୁଁ ଜାଣିଗଲି ଯେ ମୁଁ ହସୁଛି, ସେମିତି ନିଜକୁ ରୋକିବା ମତେ ବେଇମାନି ପରି ଲାଗିଲା ।

 

‘‘କଥା କ’ଣ ?’’

 

‘‘କିଛି ନାହିଁ । ଗୋଟେ କଥା ମନେପଡ଼ିଗଲା ।’’ ମୁଁ ପ୍ରଶ୍ନକୁ ଏଡ଼ିଦେଇ କହିଲି ।

 

‘‘କ’ଣ ମନେପଡ଼ିଗଲା ?’’ ସେ ମୋ ଉପରେ ନଇଁପଡ଼ିଲା, ସତେ ଯେମିତି ମୋ ବେକରେ ଓହଳିପଡ଼ିବ, ‘‘କହ, କ’ଣ ମନେ ପଡ଼ିଗଲା ? ଅସହାୟ ଚାପ ତଳେ କୌଣସି ଜିନିଷ ମନେପକାଯାଇପାରେ ଆଉ ପ୍ରକୃତରେ ତିନିଦିନ ତଳର ଗୋଟାଏ ଘଟନା ମୋର ମନେପଡ଼ିଗଲା-

 

‘‘ହଁ ପ୍ରକୃତରେ ମୁଁ ଅଳ୍ପକେ ରକ୍ଷା ପାଇଗଲି ।’’ (ମତେ ସେମିତିଆ ଅଭ୍ୟାସ ଭାରି ରୁଚେ ।)

 

‘‘ଜାଣିଛନା ? ଲଣ୍ଡନରେ ମୁଁ ମୋର ଜଣେ ବନ୍ଧୁର ଘରେ ରହିଛି । ଗଲା କେତେଦିନ ହେଲା ତା ଗାର୍ଲ-ଫ୍ରେଣ୍ଡ୍ ଫିନ୍‍ଲ୍ୟାଣ୍ଡରୁ ଆସିଛି ତା’ସଙ୍ଗରେ ରହିବ ବୋଲି । ଘର ତ ଗୋଟିଏ ବଖରା, ସେଥିପାଇଁ ମୁଁ ବାହାରେ ରହୁଥିଲି । ମୁଁ ଦିନଯାକ ମ୍ୟୁଜି୍ଅମ୍‍ର ଲାଇବ୍ରେରିରେ ରହୁଥିଲି ଆଉ ରାତିରେ ଶୋଇବାକୁ ଓ୍ୱେଷ୍ଟ ଏଣ୍ଡ୍ ଷ୍ଟେସନକୁ ଚାଲିଯାଉଥିଲି । ପ୍ରତିଦିନ ନିର୍ଦ୍ଧିଷ୍ଟ ସମୟରେ ମୋ ବନ୍ଧୁଟି ମତେ କେତୋଟି ଶିଲିଂ ଦେଇଯାଉଥିଲା । ସେଥର ଉପରଓଳି କୌଣସି କାରଣରୁ ସେ ଆଉ ମୋ ପାଖକୁ ଆସିପାରିଲା ନାହିଁ । ମୋ ପାଖରେ ମୋଟେ ଦଶ ପେନ୍‍ସ ଥାଏ । ଦିନଯାକ ମ୍ୟୁଜିଅମ୍‍ରେ ବସିଥିଲାବେଳେ ଭୋକ ଜଣାପଡ଼ିଲା ନାହିଁ; କିନ୍ତୁ ରାତି ହେଲା ମାତ୍ରେ ମୁଁ ଆଉ ସମ୍ଭାଳି ହୋଇ ରହିପାରିଲି ନାହିଁ । ସେତେବେଳକୁ କିଂସ୍‍କ୍ରସ୍‍ର ଶସ୍ତା ରେସ୍ତରାଁଗୁଡାକ ବନ୍ଦ ହେଇସାରିଥିଲା ଆଉ ବସରେ ବସି ମୁଁ ସହରର ଆଖପାଖରେ କିଂକର୍ତ୍ତବ୍ୟବିମୂଢ଼ ହେଲାପରି ବୁଲୁଥାଏ । ଶେଷରେ ଗୋଟାଏ ଗ୍ରୀକ୍‍ ରେସ୍ତରୋଁ ଦିଶିଲା । ଉପରୁ ସେ ଖୁବ୍‍ ଶସ୍ତା ଦିଶୁଥାଏ । ଆଳୁ ଚିପ୍‍ସ ଆଉ ଟୋଷ୍ଟ ପାଇଁ ଅର୍ଡ଼ର ଦେଇ ମୁଁ ଯାଇ ଭିତରେ ବସିପଡ଼ିଲି । ତୁମେ ତ ଜାଣିଛ, ଏ ଜିନିଷ ସବୁଠୁ ଶସ୍ତା,-ଅତି ବେଶିହେଲେ ଆଠ ପେନି ହେବ ବୋଲି ମୁଁ ନିଶ୍ଚିନ୍ତ ହେଲି । କିଛି ସମୟପରେ ମୋ ନିଘା ତା ମନକୁ ସାମନା କାନ୍ଥ ଉପରେ ପଡ଼ିଲା ପ୍ରାଇସ୍‍ ଲିଷ୍ଟ୍ ଉପରେ । ତାକୁ ମୂଳରୁ ମୁଣ୍ଡ ଗୋଳମାଳ ଭିତରେ ମୁଁ ଦେଖିପାରି ନ ଥିଲି । ଟୋଷ୍ଟ ଆଉ ଚିପ୍‍ସ୍‍ର ଦାମ୍‍ ଦେଢ଼ ଶିଲିଂ ବୋଲି ଲେଖାହୋଇଥିଲା...ଅଥଚ ମୋଠିଁ ଦଶ ପେନିରୁ ଆଉ ଅଧ ପେନି ବି ବେଶି ନଥାଏ....ସେଉଠୁ ମୁଁ କ’ଣ କଲି ଜାଣିଛ ନା ? ମୁଁ ଏକଦମ୍‍ ଠିଆହୋଇ ପଡ଼ିଲି । (ସେମିତି ମୁଁ ଜର୍ଜ ଆଗରେ ଠିଆହୋଇ ପଡ଼ିଲି) ଆଉ ଜୋରରେ ପାଟିକଲି, ‘‘ଗୁଡ଼୍‍ ଇଭ୍‍ନିଂ । ଆରେ ବାହାରେ କେମିତି ଠିଆହୋଇଛି ?’’ (ଆଉ ପ୍ରକୃତରେ ମୁଁ ଜର୍ଜର ମୁହଁ ଉପରେ ପାଟିକଲି ।) ହୋଟେଲ-ମାଲିକ ଉତ୍ସୁକ ହୋଇ ମୋ ମୁହଁକୁ ଚାହିଁଥାଏ । ‘‘ମୋର ଜଣେ ବନ୍ଧୁ ବାହାରେ ଠିଆହୋଇଛନ୍ତି...ତାଙ୍କ ସଙ୍ଗରେ ଦେଖାକରି ମୁଁ ଆସୁଛି ।’’ ଟୋଷ୍ଟ ଆଉ ଚିପ୍‍ସର ପ୍ଲେଟକୁ ଟେବୁଲ୍ ଉପରେ ଛାଡ଼ିଦେଇ ମୁଁ ଆଗକୁ ଗଲି, କବାଟ ଆଡ଼କୁ, ବିଲ୍‍କୁଲ୍‍ ଅଭ୍ୟସ୍ତ ଚାଲିରେ । (ଏମିତିଆ ମୁଁ ସତକୁ ସତ ଚାଲୁଥାଏଁ ଟେବୁଲ୍‍ମାନଙ୍କ ମଝିରେ) ଆଉ ଯେମିତି ଦୁଆରମୁହଁ ଟପିଛି.... ଜାଣିଛ, ମୁଁ ଆଉ ବୁଲିପଡ଼ି ଚାହିଁନାହିଁ । (ମୁଁ ପୁଣି ବୁଲିପଡ଼ି ଜର୍ଜ ପାଖକୁ ଚାଲି ଆସିଲି....ଲାଗର୍‍ ମଦରୁ ଖୁବ୍‍ ଟାଣେ ଶୋଷିଦେଇ ବସିପଡ଼ିଥିଲି । ମୁଁ ବହୁତ ବେଳଯାକେ ଦୌଡ଼ି ପଳାଉଥାଏଁ ।

 

‘‘ଆଉ ସେ ତୁମ ପଛେ ପଛେ ଥାଏ ?’’

 

‘‘ନାହିଁ । ସେଇ ତ ମଜାର କଥା ଯେ ସେ ମୋ ପଛରେ ନଥିଲା; ତଥାପି ମୁଁ ଗୋଟାଏ ଅନ୍ଧାରୁଆ ଗଳିରୁ ବାହାରି ଆଉ ଗୋଟାଏ ଅନ୍ଧାରୁଆ ଗଳି ଭିତରେ ପଶିଯାଉଥାଏ...ଆଉ ଜାଣିଚ । ମୋ ପକେଟ୍‍ରେ ଦଶ ପେନି ତଥାପି ଥାଏ ଯଦିଚ ମୋ ଭୋକ ମରିଯାଇଥାଏ ।’’

 

‘‘ତୁମେ ତ ଭାରି ଜଣେ ହୋ ।’’ ଜର୍ଜ୍‍ ହସି ହସି କହିଲା ।

 

ସେ ହସୁଛି ବୋଲି ମତେ ଭାରି ଖୁସି ଲାଗିଲା । ମୋର ବନ୍ଧୁ ଓ ତାଙ୍କ ପ୍ରେମିକା ବି ସେମିତି ହସୁଥାନ୍ତି-ଯେତେବେଳେ ଆରଦିନ ସେମାନଙ୍କୁ ମୁଁ ସବୁଯାକ ଘଟନା ଶୁଣେଇଲି । ଯଦିଚ ମତେ ସବୁବେଳେ ଆଶ୍ଚର୍ଯ୍ୟ ଲାଗେ ଯେ ଲୋକେ, ବିଶେଷତଃ ଯାହାଙ୍କ ଉପରେ ଏମିତି ଘଟନା ଘଟିଯାଏ–ସେଇମାନେ ଶେଷରେ କେଡ଼େ ସହଜରେ ତାକୁ ହାଲୁକା ରଙ୍ଗରେ ରଙ୍ଗେଇ ଦିଅନ୍ତି । କାରଣ ଦେଖ । ଠିକ ସେଇ ମୁହୂର୍ତ୍ତରେ, ଠିକ୍‍ ମୁହୂର୍ତ୍ତରେ, ଯେତେବେଳେ ପ୍ରକୃତରେ ଘଟନା ଘଟିଯାଉଛି । ଲୋକେ କେତେ ଅକଲଗୁଡ଼ୁମ୍‍ ହୋଇଯାଆନ୍ତି । କାଖରୁ କାକର ଝାଳ ଥପଥପ ହୋଇ ବୋହି କାମିଜଟା ଦେହରେ ଲାଖିଯାଏ ଆଉ ଭିତରଟା ଅତି ଉଦ୍‍ବିଗ୍ନ କାତରତାରେ ପୂର୍ଣ୍ଣ ହୋଇଯାଏ । ୟେ ଅବିକଳ ମୋରି ଅନୁଭବ....ମୁଁ ତ ଜାଣିଛି ଯେତେବେଳେ ସେ ରାତିରେ ପକେଟ୍‍ରେ ଦଶ ପେନି ପକାଇ ମୁଁ ଅନ୍ଧାରୁଆ ସଡ଼କରେ ପଳୋଉଥିଲି, କିଏ ମତେ କହୁଥିଲା, ‘‘ତୁ ଶଳା ଫୁଲ୍‍-ୟୁ ଇଡ଼ିଅଟ୍‍-ୟୁ.....’’

 

‘‘ତୁମେ ବି ଭାରି ଜଣେ ।’’ ଜର୍ଜ କହିଲା ।

 

ସେ ଯେମିତି ତୃତୀୟ ଥର ଏଇ କଥା କହିଲା ମୁଁ ଆଉ ବସିପାରିଲି ନାହିଁ । ମୋ ଆଖି ଆଗରେ ଘଣ୍ଟାର ଡାଏଲ ପୁଣି ଦିଶିଲା, ଆଉ ମୁଁ ଟଏଲେଟ୍‍ କୋଠରି ଆଡ଼କୁ ଚାଲିଲି । ଟଏଲେଟ୍‍ ଘର ତଳ ବେସମେଣ୍ଟ ରେ ଥାଏ । ମୁଁ ଜଲ୍‍ଦି ଜଲ୍‍ଦି ଶିଢ଼ିବାଟେ ଓହ୍ଲାଉଥାଏ । ମତେ ଡର ମାଡ଼ୁଥାଏ । କାଳେ ଶିଢ଼ି ଉପରେ କ’ଣ ହୋଇଯିବ । ମୁଁ ପାଟିରେ ହାତମାଡ଼ି ଭାରି ରହସ୍ୟପୂର୍ଣ୍ଣ ଢଙ୍ଗରେ ମୁରୁକି ମୁରୁକି ହସୁଥାଏଁ ।

 

ହେଲା ତ ନ ହିଁ କିଛି । ଶିଢ଼ି ଉପରେ କି ଓ୍ୱାସ ବେସିନ୍‍ରେ ଯେଉଁଠି ବହୁତ ବେଳଯାକେ ମୁଁ ମୁହଁଟାକୁ ଦେଖାଇଥିଲି-ଏଇ ଚେଷ୍ଟାରେ ଯେ କାଳେଗୁଡ଼ାଏ ବାନ୍ତି ହୋଇଯିବ । ମୁ ପଂପ୍‍ ଖୋଲି ଦେଇଥିଲି, ଯେମିତି ମୁଁ ନିଶ୍ଚନ୍ତ ହୋଇ ଗୋଟିଏ ଗୋଟିଏ ଜିନିଷ ମନେ ପକାଇ ପାରିବି ଆଉ ନିଜ ଶବ୍ଦ ଶୁଣି ନପାରିବି ସେଥିପାଇଁ ରାତିରେ ଏ ସମୟରେ ମୁଁ ଏଠି କ’ଣ କରୁଛି ? ନାହିଁ, ଏମିତି ଚଳି ନପାରେ । ମତେ ଗୋଟିକ ପରେ ଆଉ ଗୋଟିଏ ଟିକିନିଖି କରି ସବୁକଥା ମନେ ପକାଇବାକୁ ପଡ଼ିବ–ଯେମିତି ଏସବୁ ଭାରି ମହତ୍ତ୍ୱପୂର୍ଣ୍ଣ, ଯେମିତି କୌଣସି ବଡ଼ ସତ୍ୟ ୟା ଉପରେ ନିର୍ଭର କରୁଛି । ଟିକିନିଖିକରି...ଏ ଶବ୍ଦଟା ମୁଁ ପରୀକ୍ଷା କରିନେଇଥିଲି ଆଉ ମୁଁ ବାରମ୍ୱାର ତାକୁ ମୋ ଜିଭଉପରେ ଓଲଟପାଲଟ କରିଥିଲି । କାରଣ ମୁଁ କେତେବେଳଯାକେ ଜିନିଷଗୁଡ଼ିକ ମନେପକାଇବା ସକାଶେ ଏଇ କଥା ପୁଣି ଭାବୁଥାଏ ଯେ ପ୍ରତି ଜିନିଷ ଟିକିନିଖି କରି ମନେପକାଇବା ମୋର ଦରକାର ।

 

ଟଏଲେଟ୍‍ରୁ ପଦାକୁ ବାହାରିଲି ତ ଗୋଡ଼ ନାଠିଗଲା ପରି ଅଟକିଗଲା । ମୁଁ ନାଚୁଥିବା ଯୋଡ଼ିମାନଙ୍କ ଭଉଁରି ଘେରଭିତରେ ପଡ଼ିଯାଇଥିଲି । ଲୋକେ ମତେ ଧକ୍‍କା ମାରି ଆଗକୁ ବାହାରିଯାଉଥାନ୍ତି ଆଉ ମୁଁ କେତେବେଳେ ଡାହାଣକୁ କେତେବେଳେ ବାଁକୁ ଗୋଟାଏ କାଠ-କଣ୍ଢେଇ ପରି ଖାଲି ବୁଲିପଡ଼ୁଥାଏ । କେତେବେଳେ ଯଦି ମୋ ପାଦ ଠିକଣା ରଖିବାକୁ ଚେଷ୍ଟା କରୁଥାଏଁ ତ ଡାନସିଂ ଫ୍ଳୋର୍‍ଟା ନାନା ପାଦତଳେ ସଂକୀର୍ଣ୍ଣ ହୋଇଯାଉଥାଏ ଆଉ ଲାଗୁଥାଏ ଯେମିତି ଭାରି ଜୋରରେ ବୁଲୁଥିବା ଗୋଟାଏ ନଟୁ ଉପରେ ମୁଁ ଠିଆହୋଇଛି । ସେତିକିବେଳେ ମୋ କାନ୍ଧ ଉପରେ ଗୋଟାଏ ବିଚିତ୍ର ବୋଝ ମାଡ଼ି ଗଲାପରି ମତେ ଲାଗିଲା ।

 

‘‘ତୁମେ ଏଇଠି ଅଛ ?’’ ଓ୍ୱିଲିର ଦାଢ଼ି ମୋ ମୁଣ୍ଡ ଉପରେ ବାଜୁଥାଏ, ‘‘ଆଉ ଜର୍ଜ ?’’

 

‘‘ସେଇଠି ଅଛି ।’’ ମୁଁ ଉପରଆଡ଼କୁ ହାତ ଦେଖାଇଦେଲି । ସେ ଯେଉଁ ଝିଅ ସଙ୍ଗରେ ନାଚୁଥାଏ ତା’ମୁହଁ ତା’ଛାତିରେ ଲୁଚିଯାଇଥାଏ, ଖାଲି ତା ବ୍ଳୋଣ୍ଡ୍-ମୁଣ୍ଡବାଳ ଦିଶୁଥାଏ ।

 

‘‘ତୁମେ ଆସିବ ନାହିଁ ?.....ତୁମ ଲାଗର୍‍....’’ ମୁଁ କହିଲି ।

 

‘‘ଯିବି...ତୁମେ ନାଚିବ ନାହିଁ ?’’

 

ସେଉଠୁ ଝିଅଟି ମୁହଁକୁ ଉପରକୁ ଟେକିଲା, ତା ଲଙ୍ଗଳା କାନ୍ଧରେ ପାଉଡ଼ରର ହାଲୁକା ଚିହ୍ନ ଥିଲା, ଆଉ ସେ ଶସ୍ତା ଛିଟର ସମର-ସ୍କାର୍ଟ ପିନ୍ଧିଥାଏ । ତା’ଓଠରେ ବୁନ୍ଦା ବୁନ୍ଦା ଝାଳ ଲାଗିଥାଏ । ବହୁତବେଳୁ ନାଚୁଥିବାରୁ ବୋଧହୁଏ ସେ ଝାଳ ତା ଲିପଷ୍ଟିକ୍‍ ଉପରେ ବିଛେଇ ହୋଇଥାଏ । ଭିଡ଼ରେ ଠିଆହେବା ଅସମ୍ଭବ ହୋଇଥିଲା, ମୁଁ ମୋରି ଆଖପାଖରେ ଖୁବ୍‍ ଧୀର ପାହୁଣ୍ଡ ପକାଇ ନାଚିବାକୁ ଆରମ୍ଭ କଲି-ଗୋଟାଏ ଖୁବ୍‍ ଅସ୍ଥିର ଘେର ଭିତରେ । କେତେବେଳେ ଓ୍ୱିଲିର ମୁଣ୍ଡ ମୋ ପାଖକୁ ଘୁଞ୍ଚି ଲାଗିଯାଉଥାଏ, କେତେବେଳେ ଝିଅଟିର ‘ବ୍ଳୋଣ୍ଡ’ ମୁଣ୍ଡବାଳ ।

 

‘‘କେମିତି ଲାଗୁଛି ?’’ ଓ୍ୱିଲି ତା ବାଳକୁ ଆଉଁସିଦେଲା ।

 

ସେ ହସୁଥାଏ ।

 

‘‘ୟେ ବହୁତ ଖରାପ...ନୁହେଁ ?’’ ସେ ହସି ହସି କହିଲା । ଆଉ ପହିଲି ଥର ମତେ ଲାଗିଲା ଯେମିତି ତା ଆଖି ଶୋଇଲା–ଚେଇଁଲା କଣ୍ଢେଇ ଆଖିପରି–ଯାହା ମୁଣ୍ଡଟା ପଛକୁ କଲେ ଆଖି ବୁଜିଦେବ ଆଉ ସିଧାକଲେ ଆଖି ଖୋଲିଦେବ ।

 

‘‘ନାଚିବ ? ମେ ବି ଓ୍ୱିଥ୍‍ ହର୍‍–’’ ଓ୍ୱିଲି ପଚାରିଲା, ସେ ଦୁହେଁ ଘୂରୁଥାନ୍ତି....ବହୁତ ହାଲୁକା ଷ୍ଟେପ୍‍ସ୍‍ ପକାଇ ପକାଇ । ଯେତେବେଳେ ତାଙ୍କ ମୁହଁ ମୋ ପାଖକୁ ଆସୁଥାଏ ସେ ମୋ କାନରେ କିଛି କହିଦେଉଥାଏ ।

 

‘‘ୟା ସଙ୍ଗିନୀଟି ହେଇ ସେଠି ବସିଛି....ୟା ସଙ୍ଗରେ ମତେ ଦେଖି ସେ ମରିଯିବ ।’’ ଓ୍ୱିଲି କହିଲା ।

 

‘‘ତୁମେ ନାଚିବ ନାହିଁ ? ମେ ବି ଓ୍ୱିଥ ମି ?’’ ଝିଅଟି ମତେ କହିଲା ।

 

‘‘ସେ ଇଟାଲିଆନ୍‍ ମନା କରୁଥିଲା ଯେ–’’ ମୁଁ ଓ୍ୱିଲିକୁ କହିଲି ।

 

‘‘ମରୁ ସେଇଟା’’ ଓ୍ୱିଲି କହିଲା ।

 

ଅର୍କେଷ୍ଟ୍ରାର ସେହି ଘଷରା ସ୍ୱର ଭିତରେ କେଜାଣି କେମିତି ମୋଜାଟିକ୍‍ ‘ଲିଟଲ ନାଇଟ’ ମ୍ୟୁଜିକ୍‍ର ହାଲୁକା ଶବ୍ଦର ହାହାକାର ଉପରକୁ ଉଠୁଥାଏ, ପ୍ରାୟ ଅଧମିନିଟ୍‍ ହେବ, ଆଉ ସେଉଠୁ ମତେ ଲାଗିଲା, ଯେମିତି କିଏ ମୋ ନିଶ୍ୱାସକୁ ଆଙ୍ଗୁଠିରେ ଯାକିଧରି ଆଗକୁ ଓଟାରୁଛି ।

 

ଓ୍ୱିଲି ଧୀର ସ୍ୱରରେ ଫୁସ୍‍ଫୁସ୍‍ କରି କହିଲା, ‘‘ଜିନ୍‍ ପିଇବ ? ...ପଇସା ୟେ ଦେବ ।’’

 

ଝିଅଟି କେମିତି ଉଦାସୀ ସ୍ୱରରେ କହିଲା, ‘‘ମେ ବି ଓ୍ୱିଥ୍‍ ମିଁ ।’’

 

ମୁଁ ତାକୁ କିଛି କହିବା ଆଗରୁ ନାଚୁଥିବା ଯୋଡ଼ିମାନଙ୍କୁ ଭିଡ଼ି ସେମାନଙ୍କୁ ମୋଠୁଁ ବହୁତ ଦୂରକୁ ଟାଣିନେଇଗଲା । ସେମାନେ ହଠାତ୍‍ ଆଖିରୁ ଅନ୍ତର ହୋଇଗଲେ ।

 

ମୋ ମୁଣ୍ଡ ସେତେବେଳେ ବି ବୁଲେଇ ଦେଉଥାଏ; କିନ୍ତୁ ଟଏଲେଟ୍‍ କୋଠିରିକି ଯିବା ଆଗରୁ ଯେମିତି ମୁଣ୍ଡ ବୁଲୋଉଥିଲା, ୟେ ମୁଣ୍ଡବୁଲା ଠିକ୍‍ ସେମିତି ନୁହେଁ । ବର୍ତ୍ତମାନ ସେ ମୁଣ୍ଡଘୂରା ଭିତରେ ଗୋଟାଏ ବିଚିତ୍ର ହାଲୁକା ହାଲୁକା ଭାବ ଥାଏ । ଯେମିତି କୁହୁଡ଼ି ପରିବର୍ତ୍ତେ ସେଠି ଖାଲି ଛିଞ୍ଚାଡ଼ି ଛିଞ୍ଚାଡ଼ି ବରଷୁଥିବା ମେଘ ଥିଲା; ଆଉ ଅନନ୍ତ ମୁକ୍ତ ବିସ୍ମୃତି ଥିଲା ।

 

ଭିଡ଼ ଭିତରେ ରାସ୍ତା ଦରାଣ୍ଡିବା ସୁଗମ ନଥିଲା । ବେସମେଣ୍ଟର ଶିଢ଼ି ପାଖକୁ ଆସି ମୁଁ ଅଟକିଗଲି । ଗୋଟାଏ ଅଦମ୍ୟ ଇଚ୍ଛା ହେଲା ଶିଢ଼ି ଉପରେ ଲମ୍ବି ଯିବାକୁ, ଶୋଇପଡ଼ିବାକୁ ।

 

‘‘ହଲୋ !’’ ମୋ ହାତକୁ କିଏ ଜଣେ ଜାବୁଡ଼ି ଧରିଲା । ପଛକୁ ବୁଲିପଡ଼ି ଦେଖିଲି, ପବ୍‍ର ମାଲିକ ଇଟାଲିଆନ୍‍ ଠିଆହୋଇଛି । ବୋଧହୁଏ ସେ ଦୂରରୁ ଧାଇଁ ଧାଇଁ ମୋ ପାଖକୁ ଆସିଛି । ହାତ ଉପରୁ କାମିଜ୍‍କୁ ମୋଡ଼ି ଦେଇଥିବା ବାହୁ ଯୋଡ଼ିକ ତା’ର ଝୁଲୁଥାଏ । ସେ ଧକେଇ ହେଉଥାଏ; ସତେ ଯେମିତି ଆଖପାଖରେ ପବନ ତା ନିଶ୍ୱାସ ନେବାପକ୍ଷରେ ବିଲକୁଲ୍‍ ନିଅଣ୍ଟ ।

 

‘‘ଶୁଣ, ସେ ତୁମର ବନ୍ଧୁଟି ?’’

 

ମୁଁ ମୋ କାନ୍ଧକୁ ଟିକେ ଉପରକୁ କଲି ।

 

‘‘ତୁମେ କ’ଣ ଏଠୁ ତାକୁ ନେଇଯାଇ ପାରନ୍ତ ନାହିଁ ?-ମୁଁ କହୁଛି-ୟେ ଜାଗାରୁ ?’’

 

ମୋ ଚାରିପଟେ ନାଚୁଥିବା ଲୋକଙ୍କ ବୃତ୍ତ କେତେବେଳେ ଖୁବ୍‍ ଅସ୍ଥିର ହୋଇଯାଉଥାଏ । କେତେବେଳେ ଏକଦମ୍‍ ବିଛେଇ ହୋଇ ଯାଉଥାଏ । ବ୍ୟାଣ୍ଡ୍ ଆଗରେ କୌଣସି ଲୋକ ଲାଉଡ଼୍‍ସ୍ପିକରକୁ ଦି ହାତରେ ଧରି ଗୀତ ଗାଉଥାଏ ।

 

ଆମ ଦୁହିଁଙ୍କ ଭିତରେ ଆମ ପରସ୍ପରର ଦୃଷ୍ଟି ଛଡ଼ା ଆଉ କେହି ନଥିଲେ ।

 

‘‘ତୁମେ କାହିଁକି କହୁନା ?’’ ମୁଁ ପଚାରିଲି ।

 

‘‘ମୁଁ ତାକୁ କିଛି କହିପାରିବି ନାହିଁ । ସେ ମୋ କଥା କେବେ ମାନେ ନାହିଁ ।’’

 

‘‘କିନ୍ତୁ କାହିଁକି ?....ସେ ଏଠି କାହିଁକି ରହିପାରିବ ନାହିଁ ?’’

 

‘‘ଏ ଜାଗା ତା ପାଇଁ ଠିକ୍‍ ନୁହେଁ’’ ତା ସ୍ୱରରେ ଗୋଟାଏ ଅବଶ କାତରତା ପୂରିଉଠିଲା, ‘‘ମୁଁ ତାକୁ ଆଗରୁ ବି କେତେ ଥର ମନା କରିସାରିଛି ।

 

ମୋ ମନରେ ପୁଣି ଇଚ୍ଛା ହେଲା–ସେଇଠି ଶିଢ଼ି ଉପରେ ଶୋଇପଡ଼ିବାକୁ ।

 

‘‘ଦେଖନ୍ତୁ, ମୁଁ କିଛି କରିପାରିବି ନାହିଁ, ଆମ ଦିହିଁଙ୍କ ଚିହ୍ନାଚିହ୍ନି ଭେଟା-ଭେଟି ମୋଟେ କେତେ ଘଣ୍ଟା ହେଲା ହୋଇଥିଲା । ଆପଣ ବିଶ୍ୱାସ କରୁନାହାନ୍ତି ।’’ କ୍ଷଣକ ପାଇଁ ତାର ଦୟନୀୟ ଚେହେରା ଉପରେ ମୋର ଘୃଣା ଆସିଲା-ଯେମିତି ମୁଁ କଣ ଗୋଟାଏ ଓଦାସରସର ଜିନିଷଟାକୁ ଛୁଇଁପକାଇଛି-‘‘ମୁଁ ତାକୁ ଭଲ କରି ଚିହ୍ନି ନାହିଁ, କି ତା’ର ପୂରା ନାଁଟା ଯେ କ’ଣ ତା’ ବି ଜାଣେ ନାହିଁ ।’’ ମୁଁ ଏମିତି ଭଙ୍ଗୀ ଦେଖାଇ କଥା କହିଲି, ଯେମିତି ଜୀବନରେ କାହାରି ପୂରା ନାଁଟା ଜାଣିବା ଭାରି ମହତ୍ତ୍ୱପୂର୍ଣ୍ଣ ଏବଂ ତା’ ଛଡ଼ା ଅନ୍ୟ କିଛି ଗତି ନାହିଁ ।

 

ହଠାତ୍‍ ସେ ମୋର ଦୁଇ ହାତକୁ ଧରିପକାଇଲା । ସେ ବିଲ୍‍କୁଲ୍‍ ମୋ ପାଖକୁ ଲାଗିଆସିଲା-‘‘ତୁମେ...ତୁମେ ଏଇଠି ରହିବ ?’’

 

‘‘ହ’’ ମୁଁ ମୁଣ୍ଡ ହଲେଇଲି, ‘‘ଯେତେବେଳଯାକେ ତୁମେ ମତେ ପଦାରେ ଫୋପାଡ଼ି ନଦେଇଛ ।’’

 

ତା ଜାବ ଢିଲା ପଡ଼ିଗଲା; କିନ୍ତୁ ତା’ ଆଖି ସେତେବେଳେ ସୁଦ୍ଧା ମତେ ଦରାଣ୍ଡୁଥାଏ । ମୁଁ ଶିଢ଼ିରେ ଚଢ଼ିଲି,...ମତେ ବରାବର ଲାଗୁଥାଏ ଯେ ବର୍ତ୍ତମାନ ବି ସେ ମତେ ପଛଆଡ଼ୁ ଧରିରଖିଛି...ହେ ଭଗବାନ୍‍, ମୁଁ ଗୋଟାଏ ସିଗାରେଟ୍‍ ଭଲା ଟାଣିପାରନ୍ତି...ଲାଗୁଛି ମୁଁ ଯୁଗେ ହେବ ସିଗାରେଟ୍‍ ଟାଣିନାହିଁ ।

 

ଯେତେବେଳେ ମୁଁ ଧକ୍‍କା ଖାଇଖାଇ ଆଉ ନିଜ ସାମର୍ଥ୍ୟ ଅନୁସାରେ ଧକ୍‍କା ଦେଇ ଦେଇ ଟେବୁଲ୍‍ ପାଖେ ଯାଇ ପହଞ୍ଚିଗଲି, ସେତେବେଳେ ଜର୍ଜ ସବୁଥିରେ ତଟସ୍ଥ ହୋଇ ଶୋଇପଡ଼ିଥିଲା, ତା’ ମୁଣ୍ଡ ଟେବୁଲ୍ ଦାଢ଼ରେ ଲାଗିଥାଏ । ତା’ ଦେହ ଚୌକି ଉପରେ ଯାକି ହୋଇ ରହିଥାଏ । ତା’ର ଅଧବୁଜା ଆଖି ମଝିରେ ଧଳା ଡ଼ୋଳା ମଇଳା ତୁଳା ମେଞ୍ଚେ ପରି ବାହାରିପଡ଼ିଥାଏ । ଆଗ ମୋର ଭ୍ରମ ହେଲା ଯେ ସେ ମତେ ଦେଖୁଛି । କିନ୍ତୁ ପ୍ରକୃତରେ ତା ନୁହେଁ, ତା ଓଠକଣରୁ ଛେପ ନିଗୁଡ଼ୁଥାଏ–ଚକ୍‍ଖଡ଼ିର ସରୁ ଗାର ପରି, ଶୁଖିଲା ଆଉ ଧଳା । ସମସ୍ତିଙ୍କ ଆଢ଼ୁଆଳରେ ମୁଁ ତାକୁ ରୁମାଲରେ ପୋଛିଦେଲି । ସେହି ରାତିରେ ପ୍ରଥମ ଥର ମତେ ଲାଗିଲା ଯେ ସେ ବୟସରେ ଖୁବ୍‍ ସାନ-ହାସ୍ୟାସ୍ପଦଭାବେ ଅଳ୍ପବୟସ୍କ ଏବଂ ଅନଭିଜ୍ଞ ।

 

ମୋ ଗିଲାସ ଖାଲି ପଡ଼ିଥିଲା । ...ତା’ ଗିଲାସରୁ ମୋ ଗିଲାସକୁ ମୁଁ ଅଳ୍ପ ଟିକିଏ ଲାଗର୍‍ ମଦ ଅଜାଡ଼ିନେଲି । ମୁହୂର୍ତ୍ତକ ପାଇଁ ଲାଗିଲା ଯେମିତି ସେ ଅଧବୁଜା ଆଖି-ଯୋଡ଼ିକ ମତେ ଚାହିଁ ଚାହିଁ ହସୁଛି ଓ ତହିଁରେ ହାଲୁକା ବିଦ୍ରୂପ ଲୁଚିରହିଛି । ବୋଧହୁଏ ଚେଇଁଛି; ମୁଁ ଭାବିଲି, ଶୋଇନାହିଁ, ମତେ ଦେଖୁଛି....କିନ୍ତୁ ବୋଧହୁଏ ତା ବି ମୋ ଭ୍ରମ । ମୁଁ ଭାବୁଥାଏଁ ଆଉ ମଦ ପିଉଥାଏଁ । ପୁଣି ମତେ ଟିକିଏ ଏକୁଟିଆ ଏକୁଟିଆ ଲାଗିଲା । ଭାବିଲି, ମୋ ବନ୍ଧୁକୁ ଟେଲିଫୋନ୍‍ କରେଁ । ତା’ ଗାର୍ଲଫ୍ରେଣ୍ଡ୍ ହୁଏତ ଏବସରିକି ଚାଲିଯିବଣି ଆଉ ମୁଁ ତା ବଖୁରିରେ ଶୋଇପାରିବି । କିନ୍ତୁ ସେ ଯଦି ଥାଏ, ତେବେ ତ ତାକୁ ଖରାପ ଲାଗିବ । ...ୟାକୁ ଦିଏଁ ଉଠେଇ, ୟେ କେତେବେଳଯାଏ ଏମିତି ଶୋଇଥିବ । ମୁଁ ଭାବିଲି-ଏତିକି ବୟସରେ ମୋ ଘରକଥା ମୋର ମନେପଡ଼ିଗଲା । ୟୁରୋପ ଆସିବା ପୂର୍ବରୁ ଘରେ ମୋର ସେ ଶେଷ ରାତି । ମା’ ବାରମ୍ୱାର ଉଠୁଥାଏ ଆଉ ପାଣି ପିଇବା ବାହାନାରେ ମତେ ଦେଖୁଥାଏ । ...ଆମ ଘର ଛାତ ଉପରେ ମୋର ଶେଷ ରାତି-ସେ ଜୁଲାଇ ମାସର ରାତି, ତହିଁ ଆରଦିନ ମୋର ଚାଲିଯିବାର ଥାଏ...ଆଉ ବାପା ମୋ ବିଛଣା ପାଖେ ଠିଆହୋଇଥାନ୍ତି । ଭାବୁଥିବେ, ମୁଁ ଶୋଇଛି...ମୁଁ ସବୁକଥା ଦେଖିପାରୁଥାଏଁ... ସେହିପରି । ଆମ ସହରରେ ଜୁଲାଇ ମାସର ରାତି ଖୁବ୍‍ ଉଜ୍ଜ୍ୱଳ ହେଉଥାଏ-ଆଖି ବୁଜିଦେଲେ ସୁଦ୍ଧା ସବୁ ଦିଶୁଥାଏ । ...ପୁଣି ହଠାତ୍‍ ଇଚ୍ଛା ହେଲା ମୁଁ ବାହାରକୁ ଚାଲିଯାଏଁ । ...ସେ ତ ଭାରି ସହଜ । ଆଗ ମୁଁ ମୋ ଚୌକିରୁ ଉଠି ଠିଆହେବି । ପୁଣି, କବାଟଟା ଫିଟେଇବି, ସେଉଠୁ ପଦାକୁ ଚାଲିଯିବି...ଜଷ୍ଟ ଟୁ କମ ଆଉଟ...ଏ ତ ବଡ଼ କଥାଟାଏ । ମୁଁ ଭାବିଲି...ତା’ ମୁହଁ ଉପରେ ପୁଣି ଛେପ ନିଗିଡ଼ି ପଡ଼ିଥାଏ । ଓଠରୁ ନିଗୁଡ଼ୁଥାଏ ଥୋଡ଼ିଯାକେ ଯେଉଁ ନେଳି ନେଳି କଣ୍ଟାପରି ବାଳ ଗଜୁରିଉଠୁଛି...ରୁମାଲରେ ପୁଣି ତା’ ମୁହଁ ପୋଛିଦେଲି ।

 

ଶବ୍ଦଗୁଡ଼ାଏ....ଗୋଟାଏ ଧନ୍ଦାଳି ହେଲାଭଳି ଚିତ୍କାର ।

 

ବେସମେଣ୍ଟର କାନ୍ଥ ଉପରେ ଛାଇଗୁଡ଼ାକ ହଲି ହଲି ଯାଉଥାଏ...ଗୋଟାଏ ଭୟଙ୍କର ଦୁଃସ୍ୱପ୍ନ ପରି, ଚୌକିଗୁଡ଼ାକ ଓଟାରିବା ଶବ୍ଦ, ଠୋ ଠା ହସଶବ୍ଦ...କିନ୍ତୁ ସେସବୁ କିଛି ନୁହେଁ ।

 

ମୁଁ ଉଠୁନାହିଁ...ଗିଲାସରେ ଏବେ ବି ଲାଗର୍‍ ମଦ ଅଛି । ଅଥଚ ମୁଁ ଉଠିପାରୁ ନାହିଁ,...ଆଉ ବର୍ତ୍ତମାନ ହଠାତ୍‍ ସେହି ମୁହୂର୍ତ୍ତରେ ମୋ ଭିତରେ କ’ଣ ଆଶ୍ଚର୍ଯ୍ୟ ଶାନ୍ତି ମୁଁ ଅନୁଭବ କରିପାରୁଛି...ବହଳ । ଚିକ୍‍ ଚିକ୍‍, ନରମ ବାଲିର ବିସ୍ତୃତି ପରି ଆଉ ମୁଁ ତାକୁ ଧରିରହିଛି ।

 

ଜଷ୍ଟ ଟୁ କମ ଆଉଟ, ଜଷ୍ଟ ଟୁ....ମୁଁ ପୂରା ବଳ ଖର୍ଚ୍ଚ କରି ଜର୍ଜକୁ ଝାଙ୍କୁଛି । ସେ ଏକଦମ୍‍ ଧଡ଼ପଡ଼ ହୋଇ ଉଠିବସିଲା, ଆଉ ବିମୂଢ଼ ଭାବ ଦେଖାଇ ମୋ ଆଡ଼କୁ ଅନାଇଲା-କେତେ ପରିମାଣରେ ସେହି ଟ୍ରେନ୍‍ଡ଼୍‍ ଜନ୍ତୁ ପରି ଯେ ଆଖି ବନ୍ଦ ହୋଇଥିବାରୁ ନିଜ ‘ପାଠ’ ଭୁଲି ପାଖରେ ଠିଆହୋଇଥିବା ତାମସା ଦେଖିବା ଲୋକଙ୍କୁ ଚାହିଁଥାଏ । ତାପରେ ହଠାତ୍‍ ତା’ ଆଖି ଅଦ୍ଭୁତ ପ୍ରକାରେ ଆତଙ୍କଗ୍ରସ୍ତ ହୋଇଗଲା ।

 

‘‘କଥା କ’ଣ ?’’

 

‘‘ଚାଲ...ଏଠୁ ଯିବାକୁ ହେବ ।’’

 

‘‘କିନ୍ତୁ....କ’ଣ ଅଇଛା ?’’

 

ସେ କିଛି ଜାଣି ନଥିଲା । ମୁଁ ତରତର ହୋଇ ଠିକଣା କରିପାରିଲି ନାହିଁ ଯେ ତାକୁ କିଛି କହିବା ଉଚିତ ହେବ କି ନାହିଁ ।

 

‘‘କ’ଣ ମୁଁ ଶୋଇପଡ଼ିଥିଲି ?’’ ସେ ପଚାରିଲା । କେଜାଣି ମୋ ମୁହଁରେ କ’ଣ ଥିଲା ଯେ ସେ ହଠାତ୍‍ ଶଙ୍କିତ ହେଲାଭଳି ଦିଶିଲା ।

 

‘‘ୟେ ପାଟିତୁଣ୍ଡ କ’ଣ ହେଉଛି ?’’

 

ତା’ମୁହଁ ବିଲ୍‍କୁଲ୍‍ ସେମିତି ହୋଇଗଲା ଯେମିତି ଦିଶୁଥିଲା ମୁଁ ସୋଡ଼ା-ଫାକ୍‍ଟରୀ ବାହାରେ ଅନ୍ଧାରରେ ଠିଆହୋଇଥିବାବେଳେ....ବର୍ତ୍ତମାନ ସେ ବେଳଟା କେତେ ଦୂରରେ ରହିଲାଣି ଭଳି ଜଣାପଡ଼ୁଛି ଆଉ କେତେ ଅପ୍ରାସଙ୍ଗିକ ଲାଗୁଛି ।

‘‘ଆମୁକୁ ଯିବାକୁ ପଡ଼ିବ....ବାହାରକୁ ।’’

ବାହାରେ ଲଣ୍ଡନର ରାତି...ଆମକୁ ପ୍ରତୀକ୍ଷା କରିଛି...

ଆମେ ବାହାରି ଯାଉଁ ବୋଲି ସେ ଆତୁର ହେଉଛି !

‘‘ଓ୍ୱିଲି କୁଆଡ଼େ ଗଲା ? ...ତାକୁ ଛାଡ଼ି ଆମେ ଯାଇପାରିବା ନାହିଁ ।’’

‘‘ସେ....ସେ ଆସିପାରିବ ନାହିଁ ।’’

ପବ୍‍ର କବାଟ ଫିଟିଗଲା....ଥୋଡ଼ାଏ ଲୋକ ହଡ଼ବଡ଼ ହୋଇ ଭିତରକୁ ପଶିଆସିଲେ ।

‘‘ଦେ ଆର୍‍ ଦେ ଆର୍‍ ...ଦି ଡ୍ୟାମଡ...’’ ଗୋଟାଏ ଭାରି କୁତ୍ସିତ ଗାଳି ଆଉ ଶବ୍ଦ; ମାଛିଗୁଡ଼ାଏ ଘାଉଁ ଘାଉଁ ହେଲାପରି ଅର୍ଥହୀନ ।

ମୁଁ ତା’ ହାତଧରି ଓଟାରିଲି ।

‘‘ମୁଁ ଯିବି ନାହିଁ ।’’

‘‘ତୁମେ ପାଗଳ ନୁହଁ ତ ?’’

‘‘ସେମାନେ କାହାନ୍ତି ?’’

‘‘ସେମାନେ !’’ ମୁଁ ରାଗରେ ତାକୁ ଉଠାଇଦେଲି । ସେ ବିଲ୍‍କୁଲ୍‍ ମୋ ଆଗରେ ଠିଆହୋଇପଡ଼ିଲା ।

‘‘କହ ସେମାନେ କିଏ ?’’ ମୁଁ ତା’ କାନ୍ଧକୁ ହଲେଇଲି, ଆଉ ସେ...

‘‘କହ, ସେମାନେ କିଏ ?’’

‘‘ୟୁ ଆର ଡ୍ରଂକ’’ ସେ କହିଲା, ଆଉ ଏକାଝାଙ୍କରେ ନିଜକୁ ଛଡ଼େଇନେଲା ।

ହୁଏତ ଏ କଥା ସତ, ମୁଁ ଭାବିଲି....ହୁଏତ ମୁଁ ବହୁତ ପିଇଦେଇଛି । ଏଇ ଖିଆଲ ଆସିବାର ବହୁତ ଶାନ୍ତି ମିଳିଲା ।

‘‘ତୁମେ ଏଠି ରହିବ ?’’

‘‘ମୁଁ ମୋର ଯୋଉଠି ରହେ’’–ସେ କହିଲା ।

‘‘ଶୁଣ....’’ ମୁଁ ମଝିରେ ଥିବା ଚଉକିକୁ ଘୁଞ୍ଚେଇଦେବାକୁ ଚେଷ୍ଟା କଲି ।

‘‘ୟୁ ଆର ଡ୍ରଂକ’’–ସେ ପଛକୁ ହଟିଗଲା ।

 

ମୁଁ ଚାଲିଲି । ସେ ବି; କିନ୍ତୁ ମୋଠୁଁ ଅଲଗା । ଲାଗୁଥାଏ, ଯେମିତି ଏଇଟା ଗୋଟେ ଖେଳଣା । ଏଥିରେ ଯୋଡ଼ାଏ ଲୋକ ଆଖିରେ ପଟି ବାନ୍ଧି ଚାଲୁଛନ୍ତି ଆଉ ସେମାନେ ଭାବୁଛନ୍ତି ଯେ ସେମାନେ ଜଣେ ଆର ଜଣଙ୍କଠୁଁ ଦୂରକୁ ଚାଲିଯାଉଛନ୍ତି । କିନ୍ତୁ ପ୍ରକୃତରେ ସେମାନେ ଦିହେଁ ପରସ୍ପର ପାଖକୁ ଘୁଞ୍ଚି ଘୁଞ୍ଚି ଯାଉଛନ୍ତି ।

କବାଟ ଆଡ଼କୁ...ଆଗ ଟେବୁଲ୍‍ଗୁଡ଼ାକ ପଡ଼େ, ଅଧପୋଡ଼ା ସିଗାରେଟ୍‍ର ଲାଞ୍ଜ, ଖାଲି ଗିଲାସ ଆଉ ବୋତଲଗୁଡ଼ାକ, ଚୌକିଗୁଡ଼ାକ ଉପରେ ଥୁଆହୋଇଥିବା ଅପରାହ୍ନର ଖବରକାଗଜ, ସତରଞ୍ଜିର ଗୋଟାଏ କଣରେ ପଡ଼ିଥିବା ଲିପ୍‍ଷ୍ଟିକ ଖୋଳ ଯାହାକୁ ହଡ଼ବଡ଼ରେ କେଉଁ ସ୍ତ୍ରୀଲୋକ ଉଠେଇନେବାକୁ ଭୁଲିଯାଇଛି...ଆଉ ମତେ ଜଣାପଡ଼ିଲା ଯେମିତି କୌଣସି ଘଟଣା ହଠାତ୍‍ ଘଟିଯାଇଥିବ, ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବରେ, ଆଉ ସବୁ ମଣିଷ କୌଣସି ପ୍ରସ୍ତୁତି ନଥାଇ ଧାଇଁଥିବା ଭିଡ଼ର ଭିତରେ ପଡ଼ିଯାଇଥିବ ।

ଓ୍ୱିଲି କାହିଁ ?

ଆଉ ସେ ଇଟାଲିଆନ୍‍ ?

ଆଉ ଭାବିବା କଥା ହେଲା ନାହିଁ, କବାଟ ଭୁଷ୍‍କରି ଖୋଲିଗଲା, ଆଉ ମତେ ଲାଗିଲା ଯେମିତି ଗୋଟାଏ ଝାଂକଣ । ଜର୍ଜ ମୋଠୁଁ ଅଲଗା ହୋଇଗଲା । ଶେଷ ମୁହୂର୍ତ୍ତରେ (କିମ୍ୱା ଆରମ୍ଭ ମୁହୂର୍ତ୍ତରେ) ମୁଁ ତାକୁ ଯାବୁଡ଼ି ଧରିବାକୁ ଚେଷ୍ଟା କଲି, ଯେପରି ସେ ନିଜ ଭିତରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପଦାର୍ଥ; କିନ୍ତୁ ମୋ ମୁଣ୍ଡ ଝାଇଁମାରି ନେଇ ତଳ ଆଡ଼କୁ ବୁଲିଗଲା । ଜର୍ଜକୁ ଧରିବାକୁ ମୁଁ ଯେଉଁ ହାତ ବଢ଼ାଇଲି ସେ ହାତଟା ମୋଡ଼ି ହେଉଥାଏ । ପୀଡ଼ା-ନା ୟେ ପୀଡ଼ା ନୁହେଁ, ଖାଲି ଆଲୁଅ- ଯେମିତି ଅଦ୍ଭୁତ ଢଙ୍ଗରେ ଝୁଲୁଥିବା ବଲବ୍‍ ଆଉ ମୋ ଡେଣାଟା ମୋଡ଼ିହୋଇ ଯାଉଛି-‘‘ଡୋଣ୍ଟ ଲେଟ୍‍ ଦେମ୍‍ ଏସ୍କେପ’’ ଗୋଟାଏ ଫୁ-ଫୁ କଲାପରି ଶବ୍ଦ । ପୁଣି ତା ବି ନୁହେଁ, ଆଉ ସେ ଗୋଟାଏ ପଟା ପରି ଥରୁଛି । ଆଉ ତାକୁ ମୁଁ ଦେଖିପାରୁଛି...ଥରି ଥରି...ଯେମିତି ସେଇଟା ମୋ ହାତ ନୁହେଁ ।

କିଏ ତାକୁ ଆହୁରି ଟାଣ କରି ଟାଙ୍କି ଟାଙ୍କି କଷିଦେଉଛି ଶେଷ ବିନ୍ଦୁ ଯାକେ ଆଉ ସେଠିକି ପହଞ୍ଚୁ ପହଞ୍ଚୁ ସେଇଟା ଭାଙ୍ଗିଯିବ...ସାରା ଦେହରେ...ନା, ପୀଡ଼ା ନୁହେଁ, ପୀଡ଼ାର ତ ଗୋଟାଏ ସୀମା ଥାଏ, ତା ଉତ୍ତାରୁ ତାକୁ ଚିହ୍ନିବା ମୁସ୍କିଲ ।

‘‘ଆଇ ସେ...ଲିଭ ହିମ ଏଲୋନ୍‍...’’

ୟେ କ’ଣ ଇଟାଲିଆନ୍‍ର ସ୍ୱର ? ମତେ ଅଳ୍ପ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଲାଗିଲା । ମୋ ଉପରେ ଝୁଙ୍କିପଡ଼ିଥିବା ମୁହଁଗୁଡ଼ାକ ହଠାତ୍‍ ଉଠିପଡ଼ୁଛି । କିନ୍ତୁ ମୁଁ ସେମାନଙ୍କୁ ଦେଖିପାରୁନାହିଁ...ଖାଲି ତାଙ୍କ ଗରମ ନିଶ୍ୱାସ ଛଡ଼ା, ଯାହା ମୋ ବେକକୁ ବାରମ୍ୱାର ଛୁଇଁଯାଉଛି-ପୁଣି ତା ବି ନୁହେଁ ।

‘‘ତୁମେ ଉଠିପାରିବ ?’’

ମୁଁ ନିଜ ବାହାକୁ ଦେଖୁଛି...ସେଇଟା ବର୍ତ୍ତମାନ ତଳେ ଗାଲିଚା ଉପରେ ପଡ଼ିଛି, ଆଶ୍ଚର୍ଯ୍ୟ ଲାଗୁଛି ଏପର୍ଯ୍ୟନ୍ତ ସେଇଟା ମୋ ସଙ୍ଗରେ ଯୋଡ଼ି ହୋଇ ରହିଛି ।

ମୁଁ ବସିପଡ଼ିଲିଣି, ପୁଣି ଅନାୟାସରେ ମୋ ହାତ ମୋ ଗାଲକୁ ଚାଲିଗଲାଣି । ଗାଲ ଓଦା...ସେ ଲୁହ ହୋଇପାରେ ଏଥିରେ ମୁଁ ବିଶ୍ୱାସ କରିପାରୁନାହିଁ...ସେ ଓଦା ଜିନିଷ ବେଲଜ୍ଜ ଭାବରେ ମନକୁ ମନ ବାହାରିପଡ଼ିଛି ଅଥଚ ମୁଁ ଜାଣିପାରିଲି ନାହିଁ...କେତେକାଂଶରେ ସେମିତିଆ ମଣିଷ ପରି ଯେ ସକାଳେ ଉଠି ଦେଖୁଛି ତା’ ବିଛଣା ଓଦା ହୋଇଯାଇଛି; ଆଉ ବିଶ୍ୱାସ କରିପାରୁନାହିଁ ଯେ ସେ ନିଜେ ବିଛଣାରେ...

‘‘କିଛି ପିଅ ।’’ –ଇଟାଲିଆନ୍‍ଟି ମୋ ଆଖପାଖରେ ଏକର ସେକର ହେଉଥାଏ ।

 

‘‘ଓ୍ୱିଲି କାହିଁ ?’’ ମୁଁ ପଚାରିଲି ।

 

‘‘ସେମାନେ ତାକୁ ମାରିପକାଇବେ-ମୁଁ ତୁମୁକୁ କ’ଣ କହିଥିଲି ?’’ ତା ତଣ୍ଟି ଅଦ୍ଭୁତ ପ୍ରକାରେ ରୁନ୍ଧି ହୋଇଯାଇଥିଲା । କ’ଣ ସେ କହିଲାଟି ?-ମୋର ଅଇଛା କିଛି ମନେ ପଡ଼ୁନାହିଁ ।

 

‘‘ତୁମେ ଜାଣ, ....ତୁମେ ଯଦି ତାକୁ ତୁମ ସଙ୍ଗରେ ନେଇଯାଇଥାନ୍ତ ତେବେ କିଛି ହୋଇ ନଥାନ୍ତା । –କିଛି ହୋଇ ନଥାନ୍ତା...କିନ୍ତୁ ଯାହା ହୋଇଗଲା ତାକୁ କେହି ଅଟକାଇ ପାରିବ, ଏ କଥା କେହି ଜାଣି ନଥିଲେ ।’’

 

‘‘ଏଥର ମୁଁ ଯିବି ।’’ –ମୁଁ କହିଲି ।

 

‘‘କୁଆଡ଼େ ?’’ ଇଟାଲିଆନ୍‍ କବାଟ ଆଗରେ ଠିଆହୋଇଥାଏ ।

 

‘‘ପଦାକୁ ?’’ ଇଟାଲିଆନ୍‍ ବୋଧହୁଏ ବିଶ୍ୱାସ କଲା ନାହିଁ । ସେ ବୋଧହୁଏ ନିଶ୍ଚିତ କରି ପାରୁନଥିଲା କେଉଁ ସୀମାଯାକେ ମୁଁ ଚାଲିଯାଇଛି...କେଉଁ ସୀମାଯାକେ ମୁଁ ଯାଇଛି ବୋଲି ସେ ଗମ୍ଭୀର ହୋଇ ବିଶ୍ୱାସ କରିପାରିବ ।

 

‘‘ଏ ସମୟରେ ନୁହେଁ, ସେମାନେ ବାହାରେ ଠିଆହୋଇଛନ୍ତି ।’’

 

‘‘ଶୁଣ–’’ ମୁଁ ବଡ଼ ସହଜଭାବରେ କହିଲି, ‘‘ମୁଁ କିଛି କରିବି ନାହିଁ ମ । ମୁଁ ସିଧା ଘରକୁ ଚାଲିଯିବି ।’’

 

‘‘କେମିତିଆ କଥା କହୁଚ ?’’ ଏଥର ସେ ଚମକି ପଡ଼ିଲା, ‘‘ସେମାନେ ଜାଣନ୍ତି ତୁମେ ଓ୍ୱିଲି ସଙ୍ଗରେ ଆସିଛ...ତୁମେ ସେମାନଙ୍କଠୁଁ ବର୍ତ୍ତି ଖସିଯାଇ ପାରିବ ନାହିଁ ।’’

 

ତର୍କ କରିବା ବୃଥା, ସେ ମାନିବ ନାହିଁ ।

 

ବାହାରେ ହଠାତ୍‍ କୋଳାହଳ ବଢ଼ିଯାଇଥିଲା...କ୍ଷଣକପାଇଁ ଲାଗିଲା ଯେମିତି ମୋ ପିଠି ଉପରେ କଣ ଗୋଟାଏ ଭୟଙ୍କର ଭାବରେ ଭିଡ଼ିମୋଡ଼ି ହେଉଁ ତଳ ଆଡ଼କୁ ଖସିଯାଉଛି ଗୋଟେ ବରଫର ଢେଲାପରି । ସେ ଅନୁଭବ ମୋର ପରିଚିତ । ସେଟା ହେଲା ଭୟ...ବହୁତ ଆଦିମ ଭୟ...ଏକଦମ୍‍ ଲଙ୍ଗଳା-ଏକଦମ୍‍ ନୀରବ, ଲାଗିଲା ଯେମିତି ମୁଁ ମୁରୁକି ମୁରୁକି ହସୁଛି ।

 

‘‘ଦେଖ, ମତେ ଗୋଟାଏ ସାନ ହ୍ୱିସ୍କି ଦେଇପାରିବ ?’’ ସେ କିଛି ସମୟଯାକେ ମୋ ପାଖରେ ଏକର ସେକର ହେଉଥାଏ ।

 

ମୁଁ ଆଗକୁ ଘୁଞ୍ଚିଯାଇଥିଲି । ଆମ ଦୁହିଁଙ୍କ ମୁହଁ ଏଡ଼େ ପାଖ-ପାଖ ଥାଏ ଯେ ଗୋଳମାଳ ସତ୍ତ୍ୱେ ମୁଁ ତା ନିଶ୍ୱାସ ଶବ୍ଦ ଶୁଣିପାରୁଥିଲି ।

 

‘‘ତୁମେ ଯିବ ନାହିଁ ।’’ ସନ୍ଦେହ ଓ ଅନିଶ୍ଚିତପରେ ତା ସ୍ୱର ଟାଣି ହୋଇଯାଇଥାଏ ।

‘‘ମୁଁ ପାଗଳ ନୁହେଁ ।’’

କେତେ ସମୟଯାକେ ସେ ମୋ ଚାରପାଖେ ବୁଲୁଥାଏ ।

‘‘ତମୁକୁ ଏଠି ଛାଡ଼ିଦେଇ ମୁଁ ଚାଲିଯାଇ ପାରିବି ନାହିଁ ।’’ ସେ କହିଲା ।

ଥରେ ମନହେଲା ଯେ ତା’ର ଝାଳ ସଡ଼ସଡ଼ ଓଦା ସରସର ପାଚିଲା ମୁହଁଟାକୁ ଭାଗ ଭାଗ କରି ଖଣ୍ଡ ଖଣ୍ଡ କରି ଫଟେଇଦିଅନ୍ତି...କିନ୍ତୁ ମୁଁ କେମିତି ଖାଲି ମୁରୁକି ମୁରୁକି ହସୁଥାଏଁ ।

‘‘ମୁଁ ଏଇଠି ରହିବି...ତୁମ ପାଇଁ ନୁହେଁ ଯେ ହ୍ୱିସ୍କି ପାଇଁ । ତୁମେ ମତେ ଏତିକି ବି ବିଶ୍ୱାସ କରୁନାଁ ।’’

ଏଥର ତା ଓଠରେ ଗୋଟେଏ ଅପ୍ରତ୍ୟାଶିତ ହସ ଫୁଟିଉଠିଲା । ସେ ହସରେ ଗୋଟାଏ ବିବଶ ନିରୀହତା ଲୁଚିଥିଲା, ସତେ ଯେମିତି ସେ ହସିଦେଇ ନିଜର ବିଶ୍ୱାସ ଆଣୁଛି ଯେ ସେ ମୋ ଉପରେ ବିଶ୍ୱାସ କରିପକାଇଛି ।

ସେ କାଉଣ୍ଟର ଆଡ଼କୁ ଚାଲିଲା, ଯେଉଁଠି ବିଭିନ୍ନ ମଦ ଓ ବିଅର୍‍ ବୋତଲ ରଖାହୋଇଯାଏ । ସେ ଥରକୁ ଥର ପଛକୁ ମୁହଁ ବୁଲାଇ ମୋ ଆଡ଼କୁ ଅନାଇଁ ଦେଉଥାଏ ।

ମୁଁ ଠିଆ ହୋଇଥାଏ ।

ସ୍କଚ୍‍ ହ୍ୱିସ୍କିର ବୋତଲ ଆଣି ସେ ଟେବୁଲ୍ ଉପରେ ଥୋଇଦେଲା । ପୁଣି ମୋ ଆଡ଼କୁ ଅନାଇଲା, ଯେପରି ଆମ ଦୁହିଁଙ୍କ ଭିତରେ ଗୋଟାଏ ରହସ୍ୟମୟ ବୁଝାମଣା ଅଛି ।

ମୋର ମୌନତା ସତେ ଯେପରି ସେହି ଶବ୍ଦଗୁଡ଼ାକଠୁଁ ଅଧିକ ଥିଲା । ଯେଉଁ ଶବ୍ଦଗୁଡ଼ାକ ଲହଡ଼ି ପରି ଉଠୁଥିଲା । ଗୋଟାଏ ଆରଟା ଉପରକୁ ଉଛୁଳି ପଡ଼ୁଥିଲା, ଉଠୁଥିଲା, କବାଟରେ ପିଟିହେଉଥିଲା ଆଉ ପୁଣି ଅସରନ୍ତି ଅନ୍ଧାରରେ କୁଆଡ଼େ ବୁଣି ହୋଇ ପଡ଼ୁଥିଲା ।

ସେ ଗିଲାସ ଧୋଉଥାଏ । ପମ୍ପରୁ ବୋହୁଥିବା ପାଣି...ଆଉ ଜିକ୍‌ଜିକ୍‌ ଗିଲାସ ଉପରେ ଖସିପଡ଼ୁଥିବା ତାର ଗୋଟିଏ ବୁନ୍ଦା-ମୁଁ ବୁନ୍ଦାଗୁଡ଼ାକ ଆଡ଼କୁ ଅନାଇ ରହିଲି ଆଉ ମୋର ବରାବର ଧାରଣା ହେଉଥାଏ ଯେ ମୁଁ ବାନ୍ତି କରିବି । ଲଙ୍ଗଳା କାଚ ଉପରେ ଝରୁଥିବା ପାଣିକୁ ମୁଁ ଅନାଇ ପାରିବି ନାହିଁ...ମୋ ଭିତରେ ଗୋଟାଏ ଅଦ୍ଭୁତ କମ୍ପ ଚହଟିଯାଉଥାଏ । ମୁଁ ଆଗକୁ ଚାଲୁଛି, କବାଟ ଆଡ଼କୁ, ତା ପିଠି ସେତେବେଳେ ବି ମୋ ଆଡ଼କୁ ଥାଏ ।

ପମ୍ପରୁ ବୋହୁଥିବା ପାଣିର ଶବ୍ଦ ମୋ ଛାତିର ଧଡ଼ଧଡ଼କୁ ଢାଙ୍କି ରହିଥାଏ...ଆଉ ସେହି ମୁହୂର୍ତ୍ତରେ ହଠାତ୍‌ ମତେ ଲାଗିଲା ଯେପରିକି ମୁଁ ସେତେବେଳେ ମନକଲେ ବି ବୁଲିପଡ଼ି ପାରିବି ନାହିଁ । ଯେପରିକି ସ୍ୱୟଂ ମୋ ନିଜ ଗୋଡ଼ ଉପରେ, ମୋ ନିଜ ଉପରେ କୌଣସି ନିୟନ୍ତ୍ରଣ ରହିନାହିଁ....ଯେପରି ମୁଁ ସ୍ୱୟଂ ନିଜଠୁଁ ମୁକ୍ତ ହୋଇଛି ।

ଆଉ କବାଟ ଖୋଲିଗଲା...ଆର ମୁହୂର୍ତ୍ତରେ ମୁଁ ପଦାରେ । ବାହାରେ...ଅନ୍ଧାରରେ ।

‘‘ଜଷ୍ଟ ଟୁ ଆଉଟ୍‌...’’ ମୁଁ ନିଜକୁ କହିଲି ।

ଖରାଦିନର ଗୋଟାଏ ଖୋଲା ଆଉ ନରମ ରାତି ସେ ଥିଲା...ଗୋଟାଏ ବିରାଟ ବଣୁଆ ଜନ୍ତୁପରି ଖିଆଲି...ଯେ ଦିନଯାକର କ୍ଳାନ୍ତି ପରେ ନିଜ ବସାରେ ଦେହ ଗୋଟାଯାକ ବିଛେଇ ଦେଇ ଶୋଇପଡ଼ିଛି ।

ଝାଳ ଶୁଖୁଥାଏ । ମୁଁ ପୂରା ନିଃଶ୍ୱାସ ନେଲି, ଥରେ...ଦି’ଥର..ହାଲୁକା ହୋଇ ପଶ୍ଚାତ୍ତାପ ହେଉଥାଏ...ମୁଁ ହ୍ୱିସ୍କି ଛାଡ଼ିଦେଇ ଚାଲିଆସିଥାଏ...ଏତେବେଳକୁ ତା ଯଦି ମୋ ଦେହଭିତରେ ଥାନ୍ତା-। ...ମୁଁ ପୁଣି ନିଃଶ୍ୱାସ ଓଟାରୁଛି ....ଯାହାହେଉ, ମୁଁ ଖଣ୍ଡେ ସିଗାରେଟ୍‌ ଟାଣିପାରନ୍ତି । ...ମୁଁ ବଡ଼ ସଡ଼କ ଛାଡ଼ିଦେଇ ଗୋଟାଏ ଗେଞ୍ଜ ଗଳି ଭିତରକୁ ଚାଲିଆସିଛି । ସବୁବେଳେ ବଡ଼ ସଡ଼କର ମୁଣ୍ଡ ଉପରେ ସିଗାରେଟ୍‌ର ଅଟୋ ମେସିନ୍‌ ଖଞ୍ଜାହୋଇଥାଏ ।

‘‘ହିଅର୍‌ ହି ଇଜ୍‌...ଦି ସନ ଅଫ୍‌ ଏ ବିଚ୍‌ ।’’

ମୁଁ ଅଟକିଯାଉଛି..ନା, ୟେ ଡର ନୁହେଁ । ମୁଁ ଖୁବ୍‌ ଶାନ୍ତ ଅଛି....ଖାଲି ଗୋଟାଏ ଥଣ୍ଡା ମୋର କୌଣସି ହାଡ଼ର, ହାଡ଼ଯାକ ଝରିପଡ଼ୁଛି...ଗୋଟାଏ ଅସ୍ଫୁଟ ଉଦାସ ଭାବ ।

ମୁଁ ସେଠି ଥିଲି...କାନ୍ଥରେ ଲେପିଥିବା ଛାଇଗୁଡାକ ଆଗକୁ ଘୁଞ୍ଚୁଥାଏ ।

‘‘ହୋଲ୍‌ଡ଼ ହିମ୍‌ !’’ ଗୋଟାଏ ଫଟା ଗଳାରୁ ବାହାରିଲା ପରି ଚିତ୍କାର...ଆଉ ମୁଁ ହଠାତ୍‌ ପଛ ଆଡ଼କୁ ବୁଲିପଡ଼ିଲି । ସର୍‌ସର୍‌ ଶବ୍ଦ କଲା ପରି ଗୋଟାଏ ପବନ ମୋ କାଖତଳେ ବାହାରି ଚାଲିଗଲା ।

‘‘ଗଡ଼ ଡ୍ୟାମ୍‌ଡ଼୍‌ ନିଗର୍‌ ।’’

‘‘ଓ୍ୱେଟ୍‌, ଜଷ୍ଟ ଓ୍ୱେଟ୍‌ ।’’

ସେ ପଛଆଡ଼ୁ ଆସିଥିଲା-ମତେ ଜଣା ବି ପଡ଼ିଲା ନାହିଁ ଯେ ମୋ ମୁଣ୍ଡଟା ପଛଆଡ଼କୁ ମୋଡ଼ି ହୋଇଯାଉଛି । ....ଆଉ ମୁହୂର୍ତ୍ତରେ ତ ମୁଁ ଦି’ ଭାଗରେ ବିଭକ୍ତ ହୋଇଯିବ ।

ଅନ୍ତତଃ ମୁଁ ତା ମୁହଁଟାକୁ ଦେଖିପାରନ୍ତି ହେଲେ । ହାତ ଅଛି, ଓଦା ହୋଇ ଯାଇଛି...ମୁଁ ମୋ କାନମୁଣ୍ଡାରେ ରକ୍ତ ଝାଇଁ ଝାଇଁ ଶବ୍ଦ କରୁଥିବା ଶୁଣିପାରୁଥଲି । ମୁଁ ଅଳ୍ପ ଟିକିଏ ହଲୁଛି ଆଉ ଆଗ ଆଡ଼କୁ ଘୁଞ୍ଚିଯାଉଛି । ସେ ବି ମୋ ସଙ୍ଗେ ସଙ୍ଗେ ଘୁଞ୍ଚି ଘୁଞ୍ଚି ଆସୁଛି-ସେ କେଉଁ ଅନ୍ୟ ମଣିଷ, ସେ ଖାଲି ମୋ ହାତକୁ ଜାବୁଡ଼ି ଧରିଛି । କ୍ଷଣକପାଇଁ ମତେ ଖୁବ୍‍ ଆଶ୍ଚର୍ଯ୍ୟ ଲାଗିଲା-ଏଇ ଯେଉଁଟା ଏମିତି ଥରଥର ହେଉଛି ସେଇଟା କ’ଣ ମୋ ଦେହ ?

‘‘ୟୁ ଶିଟିଂ ସ୍ୱାଇନ୍‍’’

ମୁଁ ଗୋଟାଏ ଝାଙ୍କ ମାରି ନିଜକୁ ଓଟାରୁଛି...କିନ୍ତୁ ମୋ ମୁଣ୍ଡବାଳ ତା ମୁଠାଭିତରେ ବନ୍ଦୀ...ତା ଖୋଲା ହାତଟା ମୋ ମୁହଁ ସାମନାରେ ହଲୁଛି...ଛାଏଁ ଛାଏଁ । ମୁଁ ତହିଁରେ ମୋ ଦାନ୍ତ ଗଳାଇ ଦେଉଛି...

‘‘ଓଃ ! ଲିଭ୍‍ ଇଟ୍‍ ବଗର୍‍’’ ଗୋଟାଏ କ’ଣ ଫାଟିଗଲାପରି ଶବ୍ଦ କରି ଦୀର୍ଘ ଶ୍ୱାସଟାଏ...ସେ ମତେ ହଲୋଉଛି-ଥରେ-ଦି’ଥର-ଆଉ ଝାଙ୍କରେ ମୁଁ ଗୋଟାଏ ମାତାଲ ଭଳିଆ ତା ହାତ ଉପରେ ଆଉଜି ଟଳୁଛି ।

‘‘ଲିଭ ହିମ୍‍ ଏଲୋନ୍‍, ୟୁ ସନ୍‍ ଅଫ୍‍ ଏ ହ୍ୱାଇଟ୍‍ ହୋର୍‍ ।’’ ୟେ କ’ଣ କାହାର ସ୍ୱର ଶୁଭୁଛି ନା କ’ଣ ? ...ମୁଁ ମୋର ସମୁଦାୟ ବଳ ଖର୍ଚ୍ଚ କରି ଚିତ୍କାର କରିବାକୁ ଚେଷ୍ଟା କରୁଛି । କିନ୍ତୁ ଗୋଟାଏ ଭୟଙ୍କର ଗଁ-ଗଁ ଶବ୍ଦ ଛଡ଼ା ମୋ ପାଟିରୁ ଅନ୍ୟ ସ୍ୱର ବାହାରୁନାହିଁ ।

 

ଆଉ ହଠାତ୍‍ ମତେ ଲାଗିଲା ତା ଜାବ ହୁଗୁଳିଗଲାଣି...ମୁଁ ଏଥର ନିଜକୁ ନିଜେ ଉଠେଇ ପାରିବି । ମୋ ଆଖି ଖୋଲିଯାଉଛି । ଅନ୍ଧାରର ଗୋଟାଏ ନେଳି ସମୁଦ୍ର ମୋ ଆଖିଆଗରୁ ଅପସରିଯାଉଛି...ଆଉ ତା ସେ ପାଖେ ଶାଗୁଆ, ଗୋଲାପୀ, ଧୋବ ରଙ୍ଗ ସବୁ ଭାସି ଭାସି ଚାଲିଯାଉଛି-ମୁଁ ଏସବୁ କେବେ ଦେଖିଥିଲି ? ବୋଧହୁଏ ଆଗେ କେବେ ଦେଖିଛି । ସତେ ଅବା ମୋର ଏଇଟା ଗୋଟାଏ ସାତଚିହ୍ନା ଦୁଃସ୍ୱପ୍ନ ଆଉ ସେଇଆକୁ ପୁଣି ମୁଁ ଘେରତେଇ-ପୋରତେଇ ଦେଖୁଛି...ମୂଳରୁ ଶେଷଯାକେ ।

 

ମୋଠୁଁ ଚାରିହାତ ଛଡ଼ାରେ ସେ ଠିଆହୋଇଥିଲା-ଗଳିର ଗୋଟାଏ ପାଖେ କାନ୍ଥରେ ଲାଖିରହିଲା । କ୍ଷଣକ ପାଇଁ ବିଶ୍ୱାସ ହେଲାନାହିଁ ଯେ ସେ ଓ୍ୱିଲି, ଆଉ ସେ ସେହି ଲୋକ ଯାହା ସଂଗରେ ଟିକିଏ ଆଗରୁ ମୁଁ ଲାଗର୍‍ ମଦ ପିଉଥିଲି ।

 

କିନ୍ତୁ ସେ କ’ଣ ମତେ ଚିହ୍ନିପାରିବ ?

 

ଆଉ ସେ ଟୋକୀଟା ଯାହାର ‘ବ୍ଳୋଣ୍ଡ୍’ ମୁଣ୍ଡବାଳ...ଆଉ ଯଦି...ସେମାନେ କ’ଣ ମତେ ଏଠି ଛାଡି ଦେଇ...ସ୍ମୃତିର ପରିଧି ସେପାଖ ରାତିରେ କେଉଁଠି ବୁଡ଼ି ଯାଇଛନ୍ତି...ଯେ ଏ ମୁହୂର୍ତ୍ତରେ ସ୍ୱୟଂ ନିଜକୁ ବି ଚିହ୍ନି ପାରୁନାହାନ୍ତି ?

 

ଖାଲି ଚାରିହାତ ବ୍ୟବଧାନ....ଆଉ ମଝିରେ ଅନ୍ଧାର । ଭିଡ଼, ଅଧା ଅଧା ଦିଶୁଥିବା ମୁହଁ, ଗୋଟାଏ ଡେଙ୍ଗା ଯୁବକ ଯେ ଓ୍ୱିଲି ଉପରେ ନଇଁପଡ଼ିଛି....ଓ୍ୱିଲିର କାମିଜର କଲରକୁ ହାତରେ ଧରି ସେ ତାକୁ କାନ୍ଥ ପାଖକୁ ଘୋଷାରି ନେଉଛି–ଖଟାକ୍‍–ଖଟାକ୍‍–ସେ ସ୍କାର୍ଫ ଫୁଲିଯାଉଛି–ଯେଉଁ ସ୍କାର୍ଫକୁ ସେ ଡେଙ୍ଗା ଲୋକ ବେକରେ ବାନ୍ଧିଥିଲା...ରଙ୍ଗୀନ୍‍ ସ୍କାର୍ଫ....ତା’ ଉପରେ ଗୋଲାପ ଫୁଲର ଛାପା....

 

ଗୋଲାପ ଫୁଲ....ଆଉ ରକ୍ତଧାର ଯାହା ଓ୍ୱିଲିର ଓଠରୁ ନିଗିଡ଼ି ନିଗିଡ଼ି ତା’ ସଉକି ‘ଗୋଟୀ’ ଦାଢ଼ିଯାକେ ଲମ୍ୱିଛି...

 

କ୍ଷଣକର ଜିକିଜିକି ଭିତରେ ସବୁ ଯେମିତି ଉଛୁଳି ପଡ଼ୁଛି...ନାନା ଶବ୍ଦ, ଝାଳ, ଗଳିର ଖଟାଳିଆ ଗନ୍ଧ...ଆଉ ହସ...

 

ଆଉ ସେତିକିବେଳେ ସେ ଆସିଥିଲା...

 

...ଜଣେ ବାଙ୍ଗର ଲୋକ, ଯେ ଏପର୍ଯ୍ୟନ୍ତ ଅନ୍ଧାରରେ ଲୁଚିଥିଲା । ତା’ର ବହଳ ମୁହଁରେ ସାନ ସାନ ଆଖି ଜିକିଜିକି ଦିଶୁଥାଏ...ମୁଣ୍ଡବାଳ ଏଡ଼େ ଲମ୍ୱା ଆଉ ବହଳ ହୋଇ ଆଖି ଉପରକୁ ଓହଳିପଡ଼ିଥାଏ ଯେ ଲାଗୁଥାଏ ଯେମିତି ସେ ମୁହଁରେ ଗୋଟାଏ କୁକୁରମୁହଁ ପରି ମୁଖା ପିନ୍ଧିଛି । ସେ ଖୁବ୍‍ ଧୀରେ ଧୀରେ ପାହୁଣ୍ଡ ପକାଇ ଓ୍ୱିଲି ଆଡ଼କୁ ଯାଉଥାଏ ।

 

‘‘କୁଆଡ଼େ ଗଲା ତୋ ଡାର୍ଲିଂ ?’’ ସେ ଗୋଟାଏ ଝାଙ୍କରେ ଓ୍ୱିଲିର ଥୋଡ଼ିକୁ ଉପରକୁ ଟେକି ପଚାରିଲା ।

 

‘‘କହ, କୁଆଡ଼େ ଗଲା ?’’

 

‘‘ପ୍ରତିଥର କୁଆଡ଼େ ଗଲା’’ କହିଲାବେଳେ ସେ ଓ୍ୱିଲିର ମୁଣ୍ଡକୁ କାନ୍ଥରେ ବାଡ଼େଇ ଦେଉଥାଏ....ପ୍ରତିଥର ଓ୍ୱିଲିର ଦେହ ଗୋଟାଏ ମଦୁଆ ଦେହ ପରି ଟଳୁଥାଏ ।

 

ଆଉ ସେମାନେ ହସୁଥାନ୍ତି ।

 

‘‘ଦ୍ୟାଶ୍‍ ହିମ୍‍ ଦେଆର !’’ ଆଉ ଜଣେ ନିଜର....ଆଡ଼କୁ ହାତ ଠାରିଲା । ମୁଣ୍ଡ ଖଟଖଟ ହୋଇ କାନ୍ଥରେ ବାଡ଼େଇ ହେବା ଶବ୍ଦ । ଖଟ୍‍-ଖଟ୍‍–ମୋ ଛାତି ଭିତରେ ପାଗଳ ଜରୁଆ ଧଡ଼ଧଡ଼ । ଝାଳ ଆଉ ରକ୍ତରେ ଜୁଡ଼ୁବୁଡ଼ୁ ଓ୍ୱିଲିର କାମିଜ୍‍, ଆଉ ଗୋଟାଏ ଖଟ୍‍ ଖଟ୍‍ ଶବ୍ଦ ଯାହା ଆଦୌ ବନ୍ଦ ହେଉନାହିଁ । –ଆଉ ଭୂତ ହସିଲା ପରି ହସ...

 

‘‘କହ, କୁଆଡ଼େ ଗଲା ? ...ସ୍ପୀକ୍‍, ସ୍ପୀକ୍‍, ସ୍ପୀକ୍‍ । ୟୁ ଫିଲ୍‍ଦି... ହା ହା ହା...’’ ଖଟ୍‍–ଖଟ୍‍–ଖଟ୍‍ ।

 

ସ୍କାର୍ଫରୁ ଓହଳିଥିବା ନାଲି ଗୋଲାପ ଫୁଲ...

 

ମୋର ଆଉ କିଛି ମନେ ନଥାଏ ମତେ ତୁମେ ସମସ୍ତେ ପଛେ ପଚାର, ମୁଁ କହିବି ମୋର ଏ କଥା ବି ହେତୁ ନଥିଲା ଯେ ମୁଁ ନିଜେ ପାଟି କରିଥିଲି କି ବାହାରର କୌଣସି ଚିତ୍କାର ମତେ ହଠାତ୍‍ ଥରେଇ ଦେଇଗଲା । ନା...ଆଜି ମୁଁ ବିଶ୍ୱାସ କରିପାରୁନାହିଁ ଯେ ସେ ଭୟାବହ ଚିତ୍କାର ତଣ୍ଟିରୁ ବାହାରିଥିବ । ମତେ ଖାଲି ଏତିକି ଲାଗିଲା ଯେ ମୋ ବିଶ୍ୱାସ ଗୋଟାଏ ଅନ୍ଧ ଚେମେଣି ଚଢ଼େଇ ପରି ମୋ ଛାତିର କାନ୍ଥରେ ବାଡ଼େଇ ହୋଇ ହୋଇ ନିଃସହାୟ ହୋଇ ଫଡ଼ ଫଡ଼ ହେଉଥାଏ । ଆଉ ମୁଁ ଗୋଟାଏ ଧକ୍‍କାରେ ସେ ହାତ ଦି’ଟାକୁ ମୋ ବେକରୁ ଛଡ଼େଇଦେଲି; ସେହି ହାତ ଦି’ଟା ମତେ ଅଟକାଇ ରଖିଥିଲା ସେଇ ଦି’ଟାକୁ ।

 

ଖାଲି ଚାରିହାତ....ଆଉ ମଝିରେ ଅନ୍ଧାର ।

 

ମୁଁ ଓ୍ୱିଲି ଆଡ଼କୁ ଆଗେଇଲି । ମୁଁ ତାକୁ କ’ଣ କହିବାକୁ ଚାହେଁ । ମତେ ଲାଗୁଛି ସେ ଭାରି ମହତ୍ତ୍ୱପୂର୍ଣ୍ଣ ।

 

ମଝିରେ ଅନ୍ଧାର–ଆଉ ସେ କାକର ହାତ, ଆଉ ସେତେବେଳେ ସେ ଚିତ୍କାର...

 

ମୋ ମୁଣ୍ଡ ସେ ଅଦେଖା ଲୋକର ଥୋଡ଼ିରେ ବାଜିଥିଲା ଯେ ମତେ ଇତ୍ୟବସରେ ଧରିପକାଇଥିଲା । ଆର ହାତରେ ସେ ମୋ ମୁହଁ ବନ୍ଦ କରିଦେଲା...ମୋ ମୁହଁ ତା’ କାମିଜ୍‍ ଉପରେ ଘୋଷାରି ହୋଇଗଲା ।

 

‘‘ଆଇ ଓ୍ୱିଲ୍‍ ଟିଚ୍‍ ୟୁ ହାଉ ଟୁ ରନ୍‍...ବାଷ୍ଟାର୍ଡ଼ ।’’

 

ଜାଣିନାହିଁ, କାହିଁକି ମୁଁ ମୋ ଗୋଡ଼ ଦିଟାକୁ ଅସହାୟ ମୃଗୀରୋଗୀ ପରି ଶୂନ୍ୟେ ଶୂନ୍ୟେ ଘୂରେଇଲି...କିଛି ହେବ ନାହିଁ, ମୁଁ ଭାବିଲି....ସେ ମତେ ଛାଡ଼ିବ ନାହିଁ....ଆଉ ସେତେବେଳେ ମତେ ଲାଗିଲା ଯେମିତି ଆଉ ମୁଁ ନିଶ୍ୱାସ ନେଇପାରିବି ନାହିଁ । କିନ୍ତୁ ସେଇଟା ଭୁଲ-। ପ୍ରତି ନିଶ୍ୱାସ ପ୍ରତ୍ୟେକ ଅନ୍ୟ ନିଶ୍ୱାସର ବନ୍ଧନରୁ ନିଜକୁ ମୁକ୍ତ କରି ଉପରକୁ ଆସୁଥାଏ ଆଉ ପୁଣି ମୋ ଭିତରେ ଲାଖି ଯାଉଥାଏ । ଆଉ ମୁଁ ଭାବୁଥାଏଁ ଏଇ ଶେଷ, କିନ୍ତୁ ତୃତୀୟ ନିଶ୍ୱାସ ପୁଣି ଛଟପଟ ହୋଇ ନିଜକୁ ଦ୍ୱିତୀୟ ନିଶ୍ୱାସର ପିଞ୍ଜରା ଭିତରୁ ମୁକ୍ତ କରୁଥାଏ । ଆଉ ମତେ ଆଶ୍ଚର୍ଯ୍ୟ ଲାଗିଲା ଯେକୌଣସି ନିଶ୍ୱାସ ବି ପଛରେ ରହି ଶେଷ-ନିଶ୍ୱାସ ହେବାକୁ ଚାହୁଁ ନଥାଏ....ଆଉ ସେଉଠୁ ଏକପ୍ରକାର ଭୟଙ୍କର ଆନନ୍ଦ ମତେ ନିଜ ସହିତ ଜାବୁଡ଼ିଧରିଲା, ସତେ କି ମୁଁ ଏପର୍ଯ୍ୟନ୍ତ ସେହି ମୁହୂର୍ତ୍ତ ସକାଶେ ବଞ୍ଚିଛି ଆଉ ଏବେ ତା’ ଆସିଯାଇଛି; ଆଉ ସେ ରାତିରେ ମତେ ପହିଲିଥର ଲାଗିଲା ଯେ ଖାଲି ଏକୁଟିଆ ରହିଲେ ଯଥେଷ୍ଟ ହେବ ନାହିଁ...ଯଥେଷ୍ଟ ହେବ ନାହିଁ ଏଇଥିପାଇଁ ଯେ, ସେମାନେ ପ୍ରତି ଜାଗାରେ ଅଛନ୍ତି-ଲାଗିଲା ଯେ ସେକଥା ମୁଁ ଆଗରୁ ଜାଣିଥିଲି, କେବଳ ଏତିକି ଜାଣି ନ ଥିଲି ଯେ ଦିନେ ସେମାନେ ମତେ ଧରିପକାଇବେ–ବର୍ତ୍ତମାନ ସେ ଜିନିଷଟା ଆଗପରି ଆକାରହୀନ ନଥିଲା,–ସେ ଡର । ବର୍ତ୍ତମାନ ସେ ହୋଇଥିଲା ସ୍ପଷ୍ଟ ଆଉ ସୀମିତି । ତା’ ଆକାର ସେଡ଼ିକି ବଡ଼ ଯେଡ଼େ ମୁଁ–ଆମେ ଦିହେଁ ଅନ୍ଧାରରେ ଜନ୍ତୁପରି ନିଶ୍ୱାସ ମାରୁଛୁଁ–ଆଉ ମତେ ଲାଗିଲା, ଯେମିତି ମୁଁ ଶେଷଯାକେ ମୋ ଗୋଡ଼କୁ ସେମିତି ଘୂରୋଉଥିବି–

 

‘‘ଓ ଡିଅର ହାଉ ଫନି ଇଟ୍‍ ଇଜ୍....ହାଉ ଫନି ।’’ କିଏ ହସୁଛି । ସେ କ’ଣ ମୁଁ ? ହସ, ଯହିଁରୁ କୌଣସି ଶବ୍ଦ ବାହାରୁନାହିଁ । ଧକ୍‍କା–ଗାଳି ଆଉ ପୁଣି ସେଇ ହସ ।

 

ସେମାନେ ମତେ ଘୋଷାରି ନେଇଯାଇଛନ୍ତି–ସେ ଗଳିର କଣଯାକେ ।

 

ମୁଁ ଉଠିବାକୁ ଚେଷ୍ଟା କରୁଛି ଆଉ ବସିପଡ଼ୁଛି । ପୁଣି ଇଚ୍ଛା ହେଉଛି ମୁଁ ଲମ୍ୱ ହୋଇ ଗଡ଼ିଯାଏଁ ସେହି ସଡ଼କ ଉପରେ । କିନ୍ତୁ ଆଖି ବୁଜିଲେ ଲାଗୁଛି ଯେମିତି କ’ଣ ଗୋଟାଏ ଜୁଆର ପରି ଫୁଲିଉଠୁଛି–ମୋ ଗୋଡ଼ରେ । ଛାତିରେ, ବାହା ଯୋଡ଼ାକରେ ଉଠୁଛି ପୁଣି ସୁଅ ପରି ବୋହିଯାଉଛି...ସେ କ’ଣ ପୀଡ଼ା ? ଆଉ ମୋ ମନରେ ଟିକିଏ ଆଶ୍ଚର୍ଯ୍ୟ ଭାବ ଆସୁଛି ଯେ ମୁଁ ଜୀବନରେ ଏତେ ବର୍ଷ କଟେଇ ସାରିଲିଣି ଅଥଚ ସେଇଟାକୁ କେବେ ମୁଁ ଚିହ୍ନି ନାହିଁ । ଲାଗୁଛି ମୋ ଚେତନା ସେ ପୀଡ଼ାର ଗୋଟାଏ ପ୍ରାନ୍ତକୁ ଧରିପକାଉଛି ଆଉ ଓଟାରି ନେଇ ଚାଲିଛି, କେତେବେଳେ ଖାଲି ଚେତନା ହିଁ ରହିଯାଉଛି...ପୀଡ଼ାଠୁଁ ଅଲଗା ହୋଇ । ସେତେବେଳେ ଲାଗୁଛି ମୋର କ’ଣ ଜିନିଷ ହଜିଛି । ବର୍ଷାର ଅପରାହ୍ନ, ମୁଁ ଦ୍ୱିତୀୟଥର ଆମ ସହରର ସଡ଼କରେ ଗୋଟାଏ ମୁଣ୍ଡରୁ ଆର ମୁଣ୍ଡଯାକେ ଧାଇଁ ପଳାଉଛି...ଗୋଟାଏ ସାନ ଖୋଲ ମୋ ଆଗରେ ଖୋଲିଯାଇଛି ଆଉ ମନରେ ଗୋଟାଏ ଉତ୍କଟ ଭୟଙ୍କର ଆକାଙ୍‍କ୍ଷା ଆସୁଛି ସେ ଖୋଲ ଭିତରେ ପଶି ଲୁଚିଯିବାକୁ...ସତେ ଅବା ସେଥିରେ ଲୁଚିଗଲେ ସବୁ ସମାଧାନ ହୋଇଯିବ...କିନ୍ତୁ ସେଇଟା ଗୋଟାଏ ଖୋଲ ନୁହେଁ; ସେ ପୀଡ଼ା ଯେ ସମାନ ହୋଇ ବାଣ୍ଟି ହୋଇ ଯାଇଛି ମୋ ଦେହର ବିଭିନ୍ନ ଅଙ୍ଗ-ପ୍ରତ୍ୟଙ୍ଗରେ–ସେ ସମ୍ପୂର୍ଣ୍ଣ ନୂଆ ପ୍ରକାରର ଦରଦ, ସ୍ୱୟଂ-ସମ୍ପୂର୍ଣ୍ଣ–ଅଥଚ ସେଇଟାକୁ ଆଜିଯାକେ ମୁଁ ଚିହ୍ନିଲି ନାହିଁ...ହାଉ ଫନି ଇଟ ଇଜ୍‍ । ହାଉ ଓ୍ୱଣ୍ଡରଫୁଲି ଫନି ! ମଝିରେ ମଝିରେ ଚେତନାର ପର୍ଦ୍ଦା ଖୋଲିଯାଉଛି ଆଉ ମୁଁ କାବା ହେଉଛି ଯେ ସେଇଟା ମୁଁ ନିଜେ ! ଆଉ ମୋର ହଠାତ୍‍ ବିଶ୍ୱାସ ହେଉନାହିଁ ଯେ ମୁଁ ବାହାରକୁ ଚାଲିଆସିଲିଣି,...ନିଜ ବାହାରକୁ–ଯେଉଁଠି କେହି ମତେ ରକ୍ଷା କରିପାରିବେ ନାହିଁ । ମୁଁ ଚାଲିଆସିଛି ଅନ୍ଧାର ବାହାରକୁ–ସେହି ଯେଉଁଠି ସେମାନେ ଅଛନ୍ତି ।

 

ଅଗଷ୍ଟର ସେଇ ଗୋଟାଏ ରାତି । ସେମାନେ ମତେ ଗଳିର ଗୋଟାଏ ସଂକୀର୍ଣ୍ଣ କଣରେ ଛାଡ଼ିଦେଇ ଯାଇଥିଲେ । କେତେବେଳଯାକେ ମୁଁ ସେଠି ପଡ଼ିଥିଲି ମୋର କିଛି ମନେ ନାହିଁ-। ମଝିରେ ମଝିରେ ମୋର ଆଖି ଖୋଲିଯାଉଥାଏ । ଗୋଟାଏ ପାତଳ ପାରଙ୍ଗମ କୁହୁଡ଼ି ପଛଆଡ଼େ ଲଣ୍ଡନର ଆକାଶ ବେଢ଼େଇ ହୋଇଯାଉଥିଲା । ପୁଣି ମୋ ଆଖି ବନ୍ଦ ହୋଇଯାଉଥିଲା, ଆଉ ମତେ ଲାଗୁଥିଲା ଯେମିତି ମୁଁ ଗୋଟାଏ କୁହୁଡ଼ି ଛାଡ଼ି ଆଉ ଗୋଟାଏ କୁହୁଡ଼ିରେ ଜାକି ହୋଇଯାଇଛି ।

 

କେତେବେଳଯାକେ ଏମିତି ହେଉଥିଲା । ପୁଣି ମୁଁ ସତର୍କ ହୋଇଗଲି । ପାଦଶବ୍ଦ ମୋ ପାଖକୁ ପାଖକୁ ଆସିଲା, ଖୁବ୍‍ ମନ୍ଥର ଗତିରେ । ମୁଁ ଉଙ୍କି ମାରିଲି । ବୋଧ ହୁଏ ସେ ସ୍ୱପ୍ନ, ବହୁତ ବେଳଯାକେ ଜଣାପଡ଼ିଲା ନାହିଁ ଯେ କେହି ବାରମ୍ୱାର ମୋ କାନ୍ଧକୁ ହଲୋଉଛି ।

 

‘‘କ’ଣ ଖୁବ୍‍ ମାଡ଼ ବାଜିଛି ?’’

 

‘‘ନାହିଁ, ବେଶି ନୁହେଁ ।’’ ଆଖି ଖୋଲିଗଲା । ମୋ ଉପରେ ଜର୍ଜର ମୁହଁ ନଇଁପଡ଼ିଲା । ଲାଗର୍‍ ମଦର ହାଲୁକା ଗନ୍ଧ ମତେ ଛୁଇଁଦେଲା । ଜାଣିନାହିଁ କାହିଁକି, ସେ ଗନ୍ଧ ସଙ୍ଗେ ସଙ୍ଗେ ଅନ୍ୟ ସ୍ମୃତିଟିଏ ହସିଉଠିଲା–ମୋଜାର୍ଟଙ୍କ ସେରିନେଡର ଗୋଟିଏ ଖୁବ୍‍ ପୁରୁଣା ଟିଉବ୍‍-ଟିଉବ୍‍ ବି ନୁହେଁ, ଖାଲି ଗୋଟିଏ ସଙ୍ଗୀତର ଛିନ୍ନ ଅଂଶ–ଗୋଟାଏ ସ୍ଥିରତା ଯାହାକୁ କେତେ ମୁହୂର୍ତ୍ତକେ ମୁଁ ହଠାତ୍‍ ଚିହ୍ନିଥିଲି ।

 

‘‘ତୁମେ ଏଠି ଅଛ ?’’

 

‘‘ମତେ ଲାଗୁଥିଲା ଯେ ସେମାନେ ତମୁକୁ ଏଠିକି ଆଣିଛନ୍ତି...ମୁଁ ଦେଖୁଥିଲି...’’ ସେ କହିଲା ।

 

‘‘ଓ୍ୱିଲି କାହିଁ ?’’

 

‘‘ଲେଟ ହିମ୍‍ ଗୋ ଟୁ ହେଲ୍‍...ସେ ନଥିଲେ...କିଛି ହୋଇ ନଥାନ୍ତା ।’’

 

‘‘କ’ଣ କିଛି ହୋଇ ନଥାନ୍ତା ?’’

 

ହଠାତ୍‍ ବଡ଼ ସଡ଼କରୁ ଗୋଟାଏ କାର୍‍ ବାହାରିଆସିଲା । ମୋ ଆଖି ଝଲସି ଗଲା । ମୋ ଦୃଷ୍ଟି ପ୍ରଥମ ଥର ନିଜ ଆଡ଼କୁ ଓଟାରିହେଲା । କାମିଜ୍‍ର କାଲର୍‍ ଉପରୁ ଚିରିଯାଇଥାଏ । ପେଟଯାକ ଅସନା ଧୂଳି ଆଉ ବିଅର୍‍ର ଧଳା ଧଳା ଦାଗ ଲାଗିଥାଏ । ମତେ ଲାଗୁଥାଏ, ଦେହର ଝାଳରେ ଲାଗିରହିଥିବା ମୋ ବେନିଅନରୁ ବୋଝ ବୋଝ ଓଦା ଓଦା ବାମ୍ଫ ବାହାରୁଛି ।

 

‘‘ତୁମେ କାହିଁକି ଲେଉଟି ଆସିଲ ?’’

 

‘‘ମୁଁ ଭିତରକୁ ଯିବାକୁ ଚାହୁଁଥିଲି, ତୁମମାନଙ୍କୁ ପାଖରୁ, କିନ୍ତୁ ତୁମେ ତ ଜାଣିଛ... ।’’

 

‘‘ଇଟ୍‍ ଇଜ୍‍ ଅଲ୍‍ ରାଇଟ୍‍ ଜର୍ଜ !’’ ମୁଁ ତାକୁ କଥାମଝିରୁ ରୋକିଦେଲି । ମୋ ପାଟି କଷାଳିଆ ଲାଗୁଥାଏ, ସତେ ଅବା ମୁଁ ବହୁତ ଦିନ ହେବ ଜରରେ ପଡ଼ି ପଡ଼ି ଏବେ ଉଠୁଛି । ପାଖରେ ଲ୍ୟାମ୍ପ ପୋଷ୍ଟର ହଳଦିଆ ଆଲୁଅ ପଡ଼ିଥାଏ । ମୁଁ ଛେପ ପକାଇଲି–ବିଲ୍‍କୁଲ୍‍ ନାଲି, –ଯେମିତି ପାନପିକ । ୟେ ରକ୍ତ...ମତେ ବଡ଼ ଅଦ୍ଭୁତ ଲାଗିଲା । ମୁଁ ପୁଣି ଥରେ ଛେପ ପକାଇଲି, ଆଉ ଥରେ ମୋ ରକ୍ତକୁ ଦେଖିବାର ଲୋଭ ମୁଁ ରୋକିପାରିଲି ନାହିଁ ।

 

‘‘ତମୁକୁ ବେଶି ମାଡ଼ ବାଜିନାହିଁ ତ ?’’ ଜର୍ଜ ପଚାରିଲା । ତା’ ସ୍ୱରରେ ଗୋଟାଏ ରୁନ୍ଧିଲା ରୁନ୍ଧିଲା କୁଣ୍ଠା ଥାଏ । ମତେ ସେଇଟା ବଡ଼ ଅଦ୍ଭୁତ ଲାଗିଲା ।

 

ମୁଁ ତୁନି ହେଲି ଆଉ ପୁଣି ଠିଆହୋଇପଡ଼ିଲି । କ୍ଷଣକ ପାଇଁ ସେ ଗଳିର କାନ୍ଥରେ ମୋ ମୁଣ୍ଡଟା ବାଜିଗଲା ।

 

ଖଟ୍‍ ଖଟ୍‍ ଖଟ୍‍...

 

ଏବେ ବି ସେ ଶବ୍ଦ ମୋ ସ୍ନାୟୁଗୁଡ଼ାକ ଭିତରେ ଧଡ଼ଧଡ଼ ହୋଇ ଶୁଭୁଥାଏ । ସେ ତୁନି ହୋଇ ଟିଉବ୍‍ ଆଡ଼କୁ ଚାଲିଥାଏ । ମୋ ପକେଟରେ ସେତେବେଳେ ବି ଦି’ଶିଲିଂ ପଇସା ପଡ଼ିଥାଏ-। ବିନା ଚେଷ୍ଟାରେ ଛାଏଁ-ଛାଏଁ ମୋର ଥରଥର ଆଙ୍ଗୁଠି ସେ ଦି’ଶିଲିଂକୁ ଧରୁଥାଏ ।

 

ବାହାରେ ସଡ଼କରେ ଅଗଷ୍ଟର ପତ୍ରଗୁଡ଼ାକ ଝରିପଡ଼ୁଥାଏ ଲଣ୍ଡନର ଧୂଆଁଳିଆ ରାତି ଉପରେ ।

 

‘‘ତୁମେ ମୋ କଥା ବିଶ୍ୱାସ କରୁନଥିଲ...ଭାବୁଥିଲ...’’ ଜର୍ଜ ଜବରଦସ୍ତି ମୋ କାନ୍ଧକୁ ଧରିପକାଇଲା ।

 

‘‘ଇଟ୍‍ ଇଜ୍‍ ଅଲ୍‍ ରାଇଟ୍‍’’ ମୁଁ ତା’ ହାତକୁ କାନ୍ଧରୁ ଛଡ଼ାଇଦେଲି । ସେ ଭଲା ନଥାନ୍ତା ସେଠି ସେତେବେଳେ ମୋ ପାଖରେ ।

 

ଆମେ ଟିଉବ୍‍ ଷ୍ଟେସନର ଶିଢ଼ିରେ ଓହ୍ଲାଉଥାଉଁ ।

 

ପ୍ଳାଟ୍‍ଫର୍ମ ଖାଲି ପଡ଼ିଥାଏ । ବେଞ୍ଚ ଉପରେ ଗୋଟିଏ ଦୋ’ଟି ମଣିଷ ଆଉଜି ପଡ଼ିଥାନ୍ତି-। ଆମ କତିଟାରେ ଖମ୍ୱ ଉଢ଼ୁଆଳରେ ଟୋକାଟୋକୀ ଯୋଡ଼ିଏ କାନ୍ଥ ଦେହରେ ଲାଖିଯାଇ ରହିଥିଲେ...ଝିଅଟି ନିଜ ମୁଣ୍ଡ ବାଳକୁ ବାରମ୍ୱାର ଆଉଁସୁ ଥାଏ । ତା’ ଆଗରେ ଠିଆହୋଇଥିବା ଯୁବକଟି ବସିଲା ବସିଲା ପାଟିରେ କ’ଣ ଫୁସୁଫୁସୁ ହେଉଥାଏ । ଝିଅଟି ବାରମ୍ୱାର ହସୁଥାଏ ଆଉ ଚମକି ପଡ଼ି ଏପଟ ସେପଟ ଅନାଉଁଥାଏ । ଟିଉବ୍‍ ଟ୍ରେନ୍ ଟିକଟ କଣିସାରି ଆମେ ସେଇ ପାଖରେ ଗୋଟାଏ ଖାଲି ବେଞ୍ଚରେ ବସିପଡ଼ିଲୁଁ ।

 

‘‘ତୁମେ ଲଣ୍ଡନରେ ରହିବ ତ ?’’

 

ସେ ତୁନି ହୋଇ ରହିଲା । ବିଜୁଳିବତିଗୁଡ଼ାକ ସେପାଖେ ସୁଡ଼ଙ୍ଗ ଉପରେ ତା’ ଦୃଷ୍ଟି ସ୍ଥିର ହୋଇ ରହିଥାଏ । ଅନ୍ଧାରୁଆ, ଓଦା ଲାଗୁଥାଏ ସୁଡ଼ଙ୍ଗର ଅନ୍ଧାର; ଯେପରିକି ତା’ ଉପରେ ଥିବା ସହରର ଅନ୍ଧାର ଦେହରେ ମୋଡ଼ି ମୋଡ଼ି ହୋଇ ଗୁରେଇ ହୋଇଯାଇଛି ।

 

ସତେ ଅବା ଚାରିକଣିଆ ପାଣିକୁଣ୍ଡ ଭିତରେ ଗୁଡ଼ାଏ ମଇଳା ପାଣି ଜମା ହୋଇଛି ।

 

‘‘ଓ୍ୱିଲି କୁଆଡ଼େ ଗଲା କେଜାଣି ?’’

 

ସେ କହିଲା, ‘‘ଓ୍ୱିଲି....ମୁଁ ତାକୁ ଦେଖିନାହିଁ ।’’

 

‘‘କିନ୍ତୁ ତୁମେ ପରା ବାହାରେ ଠିଆହୋଇଥିଲ, ଅଇଛା କହିଲ ପରା ?’’

 

‘‘ମୁଁ କିଛି ଦେଖିନାହିଁ ।’’

 

ପୁଣି ମୁଁ ତୁନିହେଲି । କିନ୍ତୁ ତୁନିତାନି ଭିତରେ କେମିତି ଓଜନ ଓଜନ ହୋଇ ମାଡ଼ିପଡ଼ୁ ଥାଏ । ଯେମିତି ଆମ ଦିହିଙ୍କ ମଝିରେ କ’ଣ ଗୋଟାଏ ଜିନିଷ ଆସି ପହଞ୍ଚିଯାଇଛି ଆଉ ଆମେ ବାରମ୍ୱାର ତାକୁ କରକୁ ପେଲିଦେଉଛୁଁ ।

 

‘‘ତୁମେ ଭାବୁଛ...ମୁଁ ମିଛ କହୁଛି ?’’ ସେ କହିଲା । ମୁଁ ଅନ୍ୟଆଡ଼େ ଚାହିଁଲି ।

 

‘‘ତୁମେ ତୁମର ଯାହା ଭାବୁଥା ପଛେ, ମୋର ସେଥିକି ଖାତିରି ନାହିଁ ।’’

 

‘‘ଡୋଣ୍ଟ ବି ସିଲ୍‍ଲି ।’’ ମୁଁ କହିଲି ।

 

‘‘ତୁମେ ମତେ ବିଶ୍ୱାସ କରୁନାହଁ ।’’ ଏଥର ସେ ମୋ ଆଡ଼କୁ ଚାହିଁଲା, ‘‘ତୁମେ ଭାବୁଛ ମୁଁ ପଳେଇଥିଲି....’’ ତା’ ଓଠ ଥରୁଥାଏ ।

 

‘‘ଡ୍ୟାମ୍‍ ଇଟ୍‍, ଆଇ ସେ, ଡ୍ୟାମ୍‍ ଇଟ୍‍ ।’’

 

‘‘ସେମାନେ ମତେ ଧରିପକାଇଥିଲେ ଆଉ ମୁଁ ତୁମ ପାଖରେ–’’

 

‘‘ଇଟ୍‍ ଇଜ୍‍ ଅଲ୍‍ ରାଇଟ୍‍, ଜର୍ଜ !’’

 

‘‘ଓ ନୋ...ଇଟ୍‍ ଇଜ୍‍ ନଟ୍‍ ଅଲ୍‍ ରାଇଟ୍‍’’ ସେ ସତେକି ଚମକି ଉଠୁଥାଏ । ପାଖ ବେଞ୍ଚରେ ଆଉଜିଥିବା ଲୋକ ଉଠି ବସିଲା ଓ ଆମ ଆଡ଼କୁ ଅନାଇଁବାକୁ ଲାଗିଲା ।

 

‘‘ଜର୍ଜ, ଶୁଣ ।’’ ମୁଁ ତା’ କାନ୍ଧରେ ହାତ ଥୋଇଦେଲି । ତା’ ମୁହଁ ତା’ର ଦି’ହାତ ମଝିରେ ଯାକି ହୋଇ ବେଞ୍ଚର ହାତ ଉପରେ ମାଡ଼ିହୋଇଥାଏ ଓ ବାରମ୍ୱାର ହଲୁଥାଏ ।

 

‘‘ଆଇ ଓ୍ୱାଜ ଆଫ୍ରେଡ଼୍‍, ଟେରିବ୍‍ଲି ଆଫ୍ରେଡ଼୍‍ ।’’ ଆମେ ଦୁହେଁ ଥରୁଥାଉଁ ।

 

‘‘ଆଫ୍ରେଡ଼୍‍...’’

 

ମୁଁ ଆଗକୁ ଅନାଉଁଥାଏଁ...ଅଣ୍ଡର ଗ୍ରାଉଣ୍ଡର ଅନ୍ଧାର ସତେ ଅବା ଆସ୍ତେ ଆସ୍ତେ ଦୋହଲୁଛି-ଯେମିତି ସେ ଗୋଟାଏ ପର୍ଦ୍ଦା ପରି ବର୍ତ୍ତମାନ ଉପରକୁ ଟେକି ହୋଇଯିବ । ସେହି ମୁହୂର୍ତ୍ତରେ ଜର୍ଜକୁ ମତେ ଡର ମାଡ଼ିଲା । ମତେ ଲାଗୁଥାଏ, ଯେମିତି ମୁଁ ଆଉ କେବେହେଲେ ତା’ ଆଡ଼କୁ ଅନାଇଁ ପାରିବି ନାହିଁ । ସେହି ମୁହୂର୍ତ୍ତରେ ମୁଁ କୌଣସି ଭୟଙ୍କର କଥା କରିପକାଇଥାନ୍ତି–ତାକୁ ବହୁତ କଥା କହିବାକୁ ମୋର ମନ ହେଉଥାଏ । କିଛି ହେଲେ...କିନ୍ତୁ ବର୍ତ୍ତମାନ ଆମେ ଦୁହେଁ ଏକାଠି ଥାଇ ବି ହଠାତ୍‍ ଏକୁଟିଆ ପଡ଼ିଯାଇଥିଲୁଁ ଓ ସେ କାନ୍ଦୁଥିଲା ଓ ମୁଁ କିଛି କରି ପାରୁ ନଥିଲି...ହୁଏତ ତାଠୁଁ ବଳି ବେଶି ଭୟଙ୍କର ଆଉ କିଛି ନାହିଁ । ଯେତେବେଳେ ଦୁଇଜଣ ଲୋକ ଏକାଠି ଥାଇ ବି ଅନୁଭବ କରୁଥାନ୍ତି ଯେ ତାଙ୍କ ଭିତରୁ କେହି ହେଲେ ଆର ଜଣକୁ ରକ୍ଷା କରିପାରିବନାହିଁ, ଯେତେବେଳେ ଏଇଆ ଅନୁଭବ କରିବେ ଯେ ବିତିଯାଇଥିବା ମୁହୂର୍ତ୍ତମାନଙ୍କ ଭିତରୁ ଗୋଟାଏ ବି ସ୍ମୃତି, ଗୋଟାଏ ବି ମୁହୂର୍ତ୍ତଟି ପାଖରେ ନିଜର ଏକୁଟିଆପଣକୁ ହାତରେ ଭାଗବାଣ୍ଟ କରିହେବ ନାହିଁ; ସେଥିରୁ ଭାଗ ନେଇହେବ ନାହିଁ କି ଦେଇହେବ ନାହିଁ ।

 

ତା’ପରେ ଆମେ ଚମକି ପଡ଼ିଲୁ । ଅନ୍ୟ ପ୍ଳାଟପର୍ମରେ ଓ୍ୱାରେନ୍‍-ଷ୍ଟ୍ରିଟ୍‍ ଯିବା ଟିଉବ୍‍ ଟ୍ରେନ୍‍ ଆସୁଥାଏ । ସେହି ଟ୍ରେନରେ ଜର୍ଜର ଯିବାର ଥାଏ । ଆମ ଆଖପାଖରେ ଆଉଜିଥିବା ଲୋକେ ହଠାତ୍‍ ଉଠି ପଡ଼ି ଠିଆହେଲେ । ଟ୍ୟୁବର ତୀବ୍ର ହେଡ଼ଲାଇଟ୍‍ ଆଲୁଅରେ ନିଉ ଆକ୍‍ଟନ୍‍ର ଆଗର ସୁଡ଼ଙ୍ଗର ଅନ୍ଧାର ଟିକିଏ ପଛକୁ ଖସିଗଲା । ଶିଢ଼ିରୁ ଥୋଡ଼ାଏ ଲୋକ ଧାଇଁ ଧାଇଁ ପ୍ଳାଟ୍‍ଫର୍ମରେ ଓହ୍ଲାଉଥାନ୍ତି; କାରଣ ଓ୍ୱାରେନ୍‍-ଷ୍ଟ୍ରିଟ୍‍ ଯିବା ଲୋକେ ଶେଷର ଟିଉବ୍‍ ଟ୍ରେନ୍‍କୁ ଧରି ପାରିବେ ।

 

ଜର୍ଜ ଠିଆହୋଇପଡ଼ିଲା । ସେ ଆଉ ଥରେ ସୁଦ୍ଧା ମୋ ଆଡ଼କୁ ଅନାଇଁଲା ନାହିଁ, ଆର ମୁହୂର୍ତ୍ତରେ ଭିଡ଼ ସଙ୍ଗେ ସଙ୍ଗେ ସେ ବି ଟ୍ରେନ୍‍ ଆଡ଼କୁ ଧାଇଁଲା । ଟିଉବ୍‍ ଟ୍ରେନ୍‍ର ଅଟୋମ୍ୟାଟିକ୍‍ କବାଟ କ୍ଷଣକ ପାଇଁ ଖୋଲିଲା, ପୁଣି ଭିଡ଼କୁ ନିଜ ଭିତରୁ ପଦାକୁ କାଢ଼ି ଦେଇ ଆର ମୁହୂର୍ତ୍ତରେ ବନ୍ଦ ହୋଇଗଲା ।

 

ଚକଗୁଡ଼ାକର ଘଡ଼ଘଡ଼ ଶବ୍ଦ ଧୀରେ ଧୀରେ ବନ୍ଦ ହୋଇ ହୋଇ ଗଲା; ଆଉ ପୁଣି ସବୁ ଆଗ ପରି ଶାନ୍ତ ହୋଇଗଲା । ସୁଡ଼ଙ୍ଗର ଯେଉଁ ଅନ୍ଧାରକୁ ଟିଉବ୍‍ ଟ୍ରେନ୍‍ର ହେଡ଼୍‍ଲାଇଟ୍‍ର ଆଲୁଅ ପଛକୁ ଖସେଇଦେଇଥିଲା ସେ ପୁଣି ଲେଉଟି ଆସିଲା ।

 

ଖାଲି ପ୍ଳାଟ୍‍ଫର୍ମର ଖୋଲା ଛାତ ସେପାଖେ ନ୍ୟୁ ଆକ୍‍ଟନ୍‍ର ଆଲୁଅଗୁଡ଼ାକ ତୁନିତାନି ହୋଇ ଝିଲିମିଲି ହେଉଥାଏ ।

 

ଖମ୍ୱ ଉହାଡ଼ରୁ ଯୁବକଟି କହିଲା–‘‘ଆର ଗାଡ଼ିରେ..’’

 

ଆଉ ତାକୁ ଚୁମ୍ୱନ କଲା । ଝିଅଟିର ଆଖି ବୁଜିହୋଇଗଲା ।

 

ସେ ଅନାଇଁଲା ନାହିଁ...

 

ଆଉ ମତେ ଲାଗିଲା, ଯେମିତି ଯୁଗେ ହେଲା ମୁଁ ସିଗାରେଟ୍‍ ଟାଣିନାହିଁ ।

Image

 

Unknown

ବାସ୍ନା

(ରାଜେନ୍ଦ୍ର ଯାଦବ)

 

ସୁମେରାକୁ ରିକ୍‍ସାଟା ତା’ ଦେହର ଗୋଟାଏ ଅଙ୍ଗ ଭଳିଆ ଲାଗୁଥାଏ । ସେ କେବେ ସେଇଟାକୁ ନିଜ ଦେହରୁ ଅଲଗା ହେବାର ଦେଖିନାହିଁ । ତା’ ଘଣ୍ଟି ଠଣ-ଠଣ ମୁଣ୍ଡ ଭିତରେ ଘୁଙ୍ଗୁର ଶବ୍ଦ ପରି ଝଣ୍‍ଝଣେଇ ଉଠେ ଆଉ ଚାଲୁ ଚାଲୁ ପେଡ଼ାଲ ଅଟକାଇଲେ ପଛ ଚକ ଆଉ ଚେନରୁ ଆସୁଥିବା ଘର୍‍ଘର୍‍ ଶବ୍ଦ ତା’ର ସ୍ନାୟୁ ଭିତରେ କରତ ଟାଣିଲା ପରି ଓଟାରିପକାଏ । ପୁଣି ଗଦିରେ ବସିଲେ ସେ ନିଜକୁ ଭୁଲିଯାଏ । ଆଉ ପ୍ରକୃତରେ ସୁମେରା ୟେ ରୋଗରେ ସବୁଠୁ ବେଶି ଘାରିହୁଏ । ଏକା ସଙ୍ଗରେ ଏମିତି ଅଦ୍ଭୁତ କଥା ସବୁ ତା’ର ମନେ ପଡ଼େ ଯାହାର ପରସ୍ପର ସହିତ କୌଣସି ସମ୍ୱନ୍ଧ ନାହିଁ ।

 

ଯେତେ ବେଳୁ ସେ ସେହି ଦି’ଜଣ ସବାରଙ୍କୁ ବସାଇଲାଣି ସେତେବେଳୁ ତାକୁ ଲାଗୁଛି ଯେମିତି କ’ଣ ଗୋଟାଏ ଦୋହରେଇ ହୋଇଯାଉଛି । ଆଉ ବର୍ତ୍ତମାନ ରିକ୍‍ସାର ଗୋଡ଼ ରଖିବା ଜାଗାରେ ପଡ଼ିଥିବା ଧଳା ରୁମାଲକୁ ଦେଖି ସେ ଏମିତି ଚମକି ପଡ଼ିଲା, ଯେମିତି ସେଇଟା ବଞ୍ଚିଛି । ବୁଢ଼ୀ ମେମ୍‍ର ମୁଠାରେ ଚିପିହୋଇ ସେଇଟା ଗୋଲ ହୋଇଯାଇଥାଏ । ତାକୁ ହାତରେ ଧରି ଆଗରେ ସେ ଭାବିଲା ଦୌଡ଼ିଯାଇ ତାକୁ ଦେଇଆସିବ, ପୁଣି ଆପେ ଆପେ ହାତଟା ନାକକୁ ଚାଲିଗଲା । ଅଇଛା ଏଇଥିରେ ତ ବୁଢ଼ାଟା ବୁଢ଼ୀର ଛେପ ଖଙ୍କାର ପୋଛୁଥିଲା । ତା’ ମନ ଘୃଣାରେ ଭରିଗଲା । ଛି ଛି । ଅଙ୍ଗାର ଫୋପାଡ଼ି ଦେଲାପରି ତାକୁ ଫୋପାଡ଼ୁ ଫୋପାଡ଼ୁ ଭାବିଲା, ଥାଉ ମୋ ପାଖରେ ପଡ଼ିଥାଉ । କିଛି ନ ହେଲେ ତ ଗ୍ରୀଜ୍‍କଳା ପୋଛିବା କାମରେ ଲାଗିବ । ନଇଁପଡ଼ି ସିଟ୍‍ ତଳେ ରୁମାଲଟାକୁ ଫୋପାଡ଼ି ଦେଲାବେଳେ ତାକୁ ଲାଗୁଥାଏ ରୁମାଲରେ ହାଲୁକା ବାସ୍ନା ଅଛି ।

 

ଚଢ଼ିବାକୁ ପେଡ଼ାଲ ଉପରେ ଗୋଟାଏ ପାଦ ଥୋଇ ସେ ବିଡ଼ି ଲଗାଇଲା । ଆଉ ମନେ ପକାଇବାକୁ ଚେଷ୍ଟା କଲା କି ଏମିତିଆ ଆଉ କେବେ ଆଗରୁ ହୋଇଥିଲା ନା ନାହିଁ ଏବଂ ଗୋଟାଏ କଥା ତା’ର ବାରମ୍ୱାର ମନେ ପଡ଼ୁଥାଏ । କେତେ ବର୍ଷ ହେଲାଣି ପ୍ରତିଦିନ ସେ ପ୍ରାୟ କୋଡ଼ିଏ ଜଣ ସବାରି ବସାଉଛି....ଏଥର ଏମିତି କାହିଁକି ଲାଗୁଛି ? ଆଜି ତା’ର ସେ ଚୋରି ହାରକଥା ମନେପଡ଼ିଯାଉଛି, ନହେଲେ ମଝିରେ ମଝିରେ ତାକୁ ଲାଗୁଥିଲା ଯେମିତି ସେ କଥା ସେ ଭୁଲିଗଲାଣି । ସେ ଆଖି ମିଟିମିଟି କରି ଦିହିଁଙ୍କ ଆଡ଼କୁ ନିରିଖେଇ ଦେଖିଲା ।

 

ବୁଢ଼ା ଆଗରୁ ଯାଇ ଠିଆହୋଇଗଲାଣି ଆଉ ବୁଢ଼ୀ ଅଇଛା ପଛଆଡ଼କୁ ବୁଲିପଡ଼ି ଫାଟକ ବନ୍ଦ କରୁଛି । ଦିହିଙ୍କୁ ଷାଠିଏ, ସତୁରି ବର୍ଷ ପାଖ ହୋଇଥିବ । ନୋଚା-କୋଚା ଜାମାପଟା, ପୁରୁଣା କୋଟ ପ୍ୟାଣ୍ଟ, ଓଦା ହୋଇ ନୋଚା ହୋଇଯାଇଥିବା ଭଲ ଟୋପି, ପ୍ରତି ପାହୁଣ୍ଡରେ ବାଲିରେ ଗାର ଟାଣୁଥିବା ବେତ, ବୁଢ଼ାଟି ପଛଆଡ଼ୁ ଗୋଟାଏ ଜାପାନୀ ଘୁଡ଼ିପରି ଦିଶୁଥାଏ । ବୁଢ଼ୀ ନାଲି-ଧଳା ବଡ଼ ବଡ଼ ଫୁଲ ଥିବା ଫ୍ରକ ଖଣ୍ଡିଏ ପିନ୍ଧିଥାଏ ଆଉ ତା’ ଫୁଙ୍ଗା ଗୋଡ଼ ଦିଟା ଧନୁ ପରି ବଙ୍କା ହୋଇଥାଏ । ଫାଟକ ବନ୍ଦ କରି ବୁଢ଼ୀ ବୁଢ଼ା ପାଖକୁ ଯିବାରୁ ଦିହେଁ ବାହା ଉପରେ ବାହା ପକାଇ ଦେଇ ସେହି ହଳଦିଆ ଶସ୍ତା ଦିଶୁଥିବା କୋଠି ଆଡ଼କୁ ଚାଲିଲେ । ତାଙ୍କ ଟଳଟଳ ଦେହର ପଛଆଡ଼କୁ ଆଉ ହଲୁଥିବା ଛାଇଆଡ଼କୁ ସୁମେରା କୌତୁକରେ ଅନାଇଁଥାଏ । କେମିତିଆ ଦିହେଁ ପିଲାଙ୍କ ପରି ହଲି ଦୋହଲି ଚାଲିଯାଉଛନ୍ତି । ତା’ ଓଠରେ ହସ ଫୁଟିଲା । ତା’ ମନ ଭିତରର କୁତୁକୁତୁ ସଲସଲକୁ ପ୍ରକାଶ କରିବାକୁ ଯେତେବେଳେ ତାକୁ ଅନ୍ୟ ଉପାୟ ନ ମିଳିଲା, ସେ ସଙ୍ଗେ ସଙ୍ଗେ ଟ୍ରିଣିଣ୍‍-ଟ୍ରିଣିଣ୍‍ କରି ଘଣ୍ଟି ବଜାଇଲା; କିନ୍ତୁ ସଙ୍ଗେ ସଙ୍ଗେ ତା’ ହାତ ମଝିରେ ଆପେ ଆପେ ଅଟକିଗଲା; ଆଉ ଆଖିଆଗରେ ସେ ହାରଟା ଥରିଉଠିଲା । ସଙ୍ଗେ ସଙ୍ଗେ ଲାଗିଲା ଯେମିତି ପଛରେ କିଏ ବସିଛି ଆଉ ଘଣ୍ଟି ଶବ୍ଦ ଶୁଣି ତାକୁ କଷ୍ଟ ହେଉଛି ।

 

ଜଣାନାହିଁ କାହିଁକି; କିନ୍ତୁ ମୋଡ଼ଯାକେ ତାକୁ ଲାଗୁଥାଏ ଯେମିତି ତା’ ରିକ୍‍ସାରେ ଏପର୍ଯ୍ୟନ୍ତ ସେହି ଆରୋହୀମାନେ ବସିଛନ୍ତି ଆଉ ଏଇ ସଙ୍ଗେ ସଙ୍ଗେ ତାଙ୍କ ହାତରେ କ’ଣ ଗୋଟାଏ ଭାରି ଭଲ କାମ ହୋଇସାରିଛି । ମନକୁ ଭାରି ଭଲ ତ ଲାଗୁଛି; କିନ୍ତୁ କହିବ ସେ କାହାକୁ-? ଯେ ତ ଶୁଣିବ ସେ ହସିବ । ଆଉ ଯେ ବି କହିବସିବ ତ ସେଭଳି କିଛି ନିର୍ଦ୍ଦିଷ୍ଟ କଥା ବି ତ ନାହିଁ-। ବାବୁ ଶୁଣିଲେ ତ ନିଶ୍ଚୟ କହିବ, ‘‘ୟେ ଶଳା ଦିନେ ପାଗଳ ହୋଇଯିବ ।’’ ବ୍ୟାଙ୍କ ସାମନାରେ ବୁଢ଼ା ବୁଢ଼ୀ ଦି ଜଣ ହାବୁଡ଼ିଲେ । ଚକ ଉପରେ ଗୋଡ଼ ଥୋଇ ସେ ରିକ୍‍ସାର ଗତିକୁ କମେଇଲା । ପଚାରିଲା, ‘‘ମେମ୍‍ ସାହେବ, ରିକ୍‍ସା ?’’

 

‘‘କେଣ୍ଟ ଯିବ ? କେତେ ପଇସା ନେବ ?’’ ବୁଢ଼ୀ ତା’ର ଥରଥର ବେକକୁ ସ୍ଥିର ରଖିବାକୁ ଚେଷ୍ଟା କରି ପଚାରିଲା ।

 

ଗୋଟାଏ ଦୃଷ୍ଟି ପକାଇ ଦେଇ ସୁମେରା ତାକୁ ମାପିଦେଲା । ଇହୁଦି କି ଆଙ୍ଗ୍ଳୋ-ଇଣ୍ଡିଆନ ମଣିଷ । ବାହାରର ଲୋକ କି ଟୁରିଷ୍ଟ ନୁହନ୍ତି ?

 

ଓହ୍ଲେଇ ପଡ଼ି ସେ ନିମନ୍ତ୍ରଣ କଲା ଭଙ୍ଗୀରେ ବସିବା ସିଟ୍‍କୁ ଗାମୁଛାରେ ଝାଡ଼ି ପକାଇଲା । ‘‘ହଉ ମେମ୍‍ ସାହେବ, ଯାହା ଖୁସି ହେବ ଦେବେ । ଆପଣ କ’ଣ ନୂଆ ହୋଇଛନ୍ତି-?’’

 

ବୁଢ଼ା ଏମିତି ଠିଆ ହୋଇଥିଲା ଯେମିତି ସେଠି ସେ ନାହିଁ ! କିନ୍ତୁ ବୁଢ଼ୀ ମୁହଁରେ କ’ଣ ଥିଲା ଯେ ତାକୁ ନିଜ ଆଡ଼କୁ ଓଟାରୁଥିଲା ।

 

‘‘ନାହିଁ, ପରେ ଲୋକେ କଜିଆ କରନ୍ତି ।’’ କିନ୍ତୁ ତା’ ସ୍ୱରରୁ ବୁଢ଼ୀ ବୁଝିଲା ଯେ ସେ କଜିଆ କରିବ ନାହିଁ । ହୁଏତ ଏମାନେ କେତେବେଳୁ ଠିଆହୋଇଥିଲେ । ବୁଢ଼ାର ବାହା ଉପରେ ନିଜ ବାହାଟିକୁ ପକାଇ ଦେଇ ବୁଢ଼ୀ ତାକୁ ରିକ୍‍ସା ଆଡ଼କୁ ଘେନିଆସିଲା ।

 

‘‘ନାହିଁ ମେମ୍‍ ସାହେବ, ସେ କଜିଆକଲା ଲୋକଙ୍କ ଭିତରୁ ମୁଁ ଜଣେ ନୁହେଁ । ସେ ଲୋକଗୁଡ଼ାକ ସିନା ଗାଁମାନଙ୍କରୁ ନୂଆ ନୂଆ ହୋଇ ଆସିଥାନ୍ତି । ନିପଟ ଅଧାଡ଼ୁଆ କଞ୍ଚା ମଣିଷଗୁଡ଼ାଏ, ସେହିମାନେ ଯେ ରିକ୍‍ସାର ସବାରିମାନଙ୍କୁ ଚିଡ଼ାନ୍ତି । ମୁଁ କ’ଣ ସେମିତିଆ ?’’

 

ଏହି କଥା କହି ସେ ଟୁରିଷ୍ଟମାନଙ୍କଠୁଁ ପାଞ୍ଚ ପାଞ୍ଚ ଟଙ୍କା ବକ୍‍ସିସ୍‍ ପାଇଛି । କିନ୍ତୁ ସେ ଜାଣେ ଯେ ଏମାନଙ୍କ ପାଖେ ସେଭଳି କିଛି ପଟିବ ନାହିଁ । ଭାବିଲା, କଥା କ’ଣ ? ବୁଢ଼ାଟା ଅନ୍ଧ-ଫନ୍ଧ ନୁହେଁ ତ ? ଧନ୍ଦି ହୋଇ ଚାହିଁଲା ।

 

ଦିହିଙ୍କ ବର୍ଣ୍ଣ ଗହମବର୍ଣ୍ଣ ପରି । ବୁଢ଼ୀର ମୁହଁ ଯାକ ସାନ ସାନ ନୋଚାକୋଚା ଭାଙ୍ଗ ପଡ଼ିଛି । ବୁଢ଼ାର ଗାଲ ଉପରେ, ନାକରେ ଏଠିସେଠି, ଆଖି ତଳେ, ଓଠ କଣରେ ଯୋଡ଼ାଏ ଓସାର ଓସାର ଗାଡ଼ୁଆ ସିଆର ପଡ଼ିଯାଇଥାଏ । ତା’ ଚଷମା କାଚକୁ ଦେଖୁ ଦେଖୁ ସେ ବୁଝିପାରିଲା ଯେ ବୁଢ଼ାର ଆଖିରେ ପୁରୁଣା କ୍ୟାଟାରା‍କ୍‍ଟ ପଡ଼ିଛି । କାନରେ ଶୁଣିବାକୁ ମେସିନ୍‍ ଖଞ୍ଜାହୋଇଛି ଆଉ ମେସିନ୍‍ର ଡୋର ବୁଢ଼ାର ମଇଳା ଓ ପୁରୁଣା ସୁଟ୍‍ର କଲର୍‍ ବାଟେ ଯାଇ କାମିଜ ପକେଟ ଭିତରେ ପଶିଛି । ସେଠି ବ୍ୟାଟାରି ଥିବ । ବୁଢ଼ା କିଛି ବୁଝିପାରୁନଥିବା ଓଲୁଟାଏ ପରି ଯୁଆଡ଼କୁ ଚାହୁଁଥାଏ ସ୍ୟାଡ଼କୁ ଅନାଇଁ ରହୁଥାଏ; ଆଉ ତା’ ବେତଧରା ହାତଟା ସବୁବେଳେ ଥରୁଥାଏ । ତାକୁ ଦେଖୁ ଦେଖୁ ପ୍ରଥମ କଥା ସୁମେରା ମନରେ ଆସିଲା–ୟାଙ୍କର ଏଣିକି ଚୁଲିଚାଳ ଉଠାଯିବା ବେଳ ଆସିଲାଣି । ବ୍ୟଙ୍କ୍‍କୁ ପେନ୍‍ସନ୍‍ ପାଇଁ ଆସିଥିବେ ବିଚରାଟିମାନେ । କିନ୍ତୁ ବୁଢ଼ୀର ମୁହଁକୁ ଦେଖିଲାକ୍ଷଣି ତା’ ମନରେ ସେ କଥା ମଝିରୁ ଭାଙ୍ଗି ପଡ଼ିଲା ।

 

ଥରଥର ବେତ ଉପରେ ଭରାଦେଇ ବୁଢ଼ାଟି ଥରେ ଦି’ଥର ଚଢ଼ିବ ବୋଲି ଚେଷ୍ଟା କଲା ଯେ ରିକ୍‍ସାର ଅଧା ଉଞ୍ଚେଯାକେ ତା’ ଗୋଡ଼ ଉଠି ରହିଯାଉଥାଏ । ତାକୁ ସାହାଯ୍ୟ ଦେବାକୁ ସୁମେରା ଯେମିତି ଆଗକୁ ଗଲା ସେମିତି ‘ତାଙ୍କୁ ଛୁଅନା’ ଭଙ୍ଗୀରେ ବୁଢ଼ୀ ମଝିକି ଆସିଗଲା । ବେତକୁ ନିଜ ହାତକୁ ନେଇ ତା’ ହାତକୁ ବୁଢ଼ା କାନ୍ଧରେ ଢିରା ଦେଲା; ଆଉ ଅଣ୍ଟାରୁ ଏମିତି ଢିରାଦେଇ ତାକୁ ରିକ୍‍ସାରେ ଚଢ଼ାଇବାକୁ ଚେଷ୍ଟା କଲା ଯେମିତି ଗୋଟାଏ କାଚର କ’ଣ କଅଁଳ ଜିନିଷଟାଏ ସେ ଥୋଉଛି । ତାକୁ ବସାଇପାରିବାର ସଫଳତାରେ ତା’ ମୁହଁରେ ଏଭଳି ସ୍ନେହ ଉଛୁଳିପଡ଼ିଲା ସତେ ଯେମିତି ବୁଢ଼ା ଦି’ତିନିବର୍ଷର ପିଲାଟିଏ । ସୁମେରା ସଙ୍ଗେ ତା’ ଦୃଷ୍ଟି ମିଶିଯିବାରୁ ସେ ଏମିତି ମୁରୁକି ହସିଲା ଯେମିତି ତା’ ଆଡ଼ୁ କ୍ଷମା ମାଗୁଛି–କ’ଣ କରିବି, ବିଚରା ବୁଢ଼ାଟିଏ, ଚଢ଼ାଇ ଦେଇ ହୋଇନଥାନ୍ତା । ସୁମେରା ମୁଗ୍‍ଧ ହେଲା ପରି ବେକର ସରୁ ଜଂଜିରକୁ ଦେଖୁ ଦେଖୁ ପୁଣି ତା’ର ହାରକଥାକୁ ଧ୍ୟାନ ଗଲା । ସେ ଏମିତି ଚମକି ପଡ଼ିଲା ଯେମିତି ତାଙ୍କର କେଉଁ ଦାମୀ ଜିନିଷ ସେ ଚୋରି କରୁକରୁ ଧରାପଡ଼ିଛି ।

 

‘‘ଭାରି ଖରା, ହୁଡ଼୍‍ ପକାଇଦିଅ ।’’ ଆରପଟୁ ଆସି ବୁଢ଼ୀ ରିକ୍‍ସାରେ ଖାଲିଥିବା ଜାଗାରେ ବସିପଡ଼ିଲା ।

 

ସୁମେରା ପୁଣି ଅଟକିଲା । କାହିଁକି ତାକୁ ଲାଗୁଥାଏ ଯେମିତି କିଛି ଆହୁରି ଥରେ ଲେଉଟିଆସୁଛି । ପଛଆଡ଼ୁ ହୁଡ଼୍‍ ଟେକିଲାବେଳେ ସେ ସ୍ମରଣ କରୁଥାଏ । ଏସବୁ ଆଗରୁ ସେ କେଉଁଠି ଦେଖିଥିଲା, କେଉଁଠି ଶୁଣିଥିଲା ?

 

ଦଶରାବେଳେ ଟେସୁର କଣ୍ଢେଇନାଚ ପରି ବୁଢ଼ୀ ତାକୁ ଅତି ଯତ୍ନରେ ଜଗି ରହିଥାଏ, ଦେଖାଦେଖି କରୁଥାଏ, ଆଗକୁ ଆସି ସେ ତା’ ଲୁଗା ତଳେ ଆଣ୍ଠୁଯାକେ ତା’ ଦି’ଗୋଡ଼କୁ ବାରମ୍ୱାର ଟେକି ଗାମୁଛାରେ ଫଟ୍‍ଫଟ କରି ଝାଡ଼ିପକାଇଲା । ଦି ହାତକୁ ମଝିରେ ଠିଆହୋଇଥିବା ବେତ ଉପରେ ଭରାଦେଇ ଗୁମ୍‍ ହୋଇ ବସିଥିବା ବୁଢ଼ା ଟେସୁର କଣ୍ଢେଇ ମୂର୍ତ୍ତିଟାଏ ପରି ତ ଲାଗୁଥାଏ । ଉପରଓଳି ତା’ ବାବୁ ଆଗରେ ସେ ୟେକଥା କହିବ ।

 

ପଚାରିଲା, ‘‘ଯିବା ମେମ୍‍ ସାହେବ ?’’

 

‘‘ହଁ, କିନ୍ତୁ ରେସ୍‍ କରିବ ନାହିଁଟି ! ଧୀରେ ଧୀରେ ଯିବ ।’’ ବୁଢ଼ୀ ଥରେ ଟିକିଏ ଉଠିଲା, ବୁଢ଼ାର କୋଟ୍‍ରୁ ଗୋଟାଏ ପଟ ଟିକିଏ ଦବିଯାଇଥିଲା ତାକୁ ଟେକି ଦେଲା, ତା’ ପିଠି ପଛଆଡ଼କୁ ହାତ ବଢ଼େଇଦେଲା ।

 

ପୁଣି ତ ସେଇଆ.....ଆଚ୍ଛା, ଏସବୁ ସୁମେରା କେଉଁଠି ଶୁଣିଥିଲା ? କେଉଁଠି ଏସବୁ ନିଶ୍ଚୟ ଘଟିଛି । ସେ ବାରମ୍ୱାର ରିକ୍‍ସାକୁ ଧୀର କରି କରି ଅଟକାଇ ଦେଉଥାଏ । ତା’ ମନ ହେଉଥାଏ ପଛକୁ ବୁଲିପଡ଼ି ତାଙ୍କ ମୁହଁକୁ ଅନାନ୍ତା । ସେଠି କ’ଣ ଅଛି ଯାହା ବାରମ୍ୱାର ତାକୁ ଓଟାରୁଛି ? ବୁଲିପଡ଼ି ଦେଖିବା ଇଚ୍ଛାକୁ ସେ ଗୁଣୁଗୁଣୁ ହୋଇ ଅଟକାଉଥାଏ ।

 

‘‘ଟେସୁରା କଣ୍ଢେଇରେ, କଣ୍ଢେଇ....କଣ୍ଢେଇର ସାତବୋହୂ ନା ମହଣେ କୁଟନ୍ତି ଦଶ ମହଣ ଖାଆନ୍ତି.....ବଡ଼ ଦୀପରୁ ଯୋଡ଼ାଏ ଆସିଲା.....’’

 

ପିଲାଦିନେ ଦୀପ ଲଗେଇ ଘର ଘର ବୁଲି ଲୋକେ ‘ଟେସୁ’ ଗୀତ ଗାଉଥିଲେ, ସେହି ଦୃଶ୍ୟରୁ ଅନେକ ଚିତ୍ର ତା’ ଆଖିଆଗରେ ଜଳଜଳ ଦିଶିଲା । ଆଉ ସେ ଛାକୁ-ଛାଏଁ ମୁରୁକି ହସିଲା-। କେଜାଣି କେତେବେଳେ ସେ ବୁଲିପଡ଼ି ପଛକୁ ଅନାଇଦେଲା । ଏମିତି ପଚାରିଲା, ‘‘ବେଶି ଖରା କାଟୁପାହିଁ ତ ମେମ୍‍ ସାହେବ ?’’

 

ଲୋକଙ୍କ ମୁହଁରେ ଚମ ନୋଚା-କୋଚା ପଡ଼ିବା ଦେଖି ସୁମେରା ସବୁବେଳେ ନିଜକୁ ଗୋଟାଏ ପ୍ରଶ୍ନ ପ୍ରଚାରେ, ଧର ଗୋଟାଏ ନୋଚା-କୋଚା ଭାଙ୍ଗ ବର୍ଷକେ ପଡ଼ିଲା । ଆଉ ଯେ ଲୋକ ନିଜ ଜୀବନରେ ଏତେଗୁଡ଼ାଏ ଚମ ନୋଚାକୋଚା କଲା ତ ତା’ ବଦଳରେ କ’ଣ ସେ ପାଇଲା ? ଟଙ୍କାପଇସା ? ଘର, ମାଇକିନିଆ ଛୁଆପିଲା ? ନା ଏମିତି ଖାଲି ଜୀବନଯାକର ହା’ହୁତାଶ.....ରାତି ରାତି ଚେଇଁ ଚେଇଁ ବିଡ଼ି ଟାଣିବା, ନା ମଦନିଶାରେ ଘାରି ହୋଇ ନଇନଜୋରିରେ ଗଡ଼ିବା ? କୋଡ଼ିଏ ବର୍ଷ ପରେ ଯେତେବେଳେ ତା’ ନିଜ ମୁହଁରେ ଏମିତିଆ ସିଅରସବୁ ପଡ଼ିଯିବ, ସେତେବେଳେ କ’ଣ ସେ ଏମିତି ରିକ୍‍ସା ଚଳାଉଥିବ ? ସେତେବେଳେ ବି କ’ଣ ସେ ରାତିଅଧରେ ଧୀରମା’କୁ ପିଟୁଥିବ ? ସେତେବେଳେ ବି କ’ଣ ତା’ ସଙ୍ଗେ ଲଗେଇଥିବ ଯେମିତି ତାଠୁଁ କ’ଣ ଗୋଟାଏ ଜିନିଷ ସେ ନେବାକୁ ଚାହେଁ । ନା, ନା, ସେତେବେଳକୁ ତ ଧୀର ବଡ଼ ହୋଇଯାଇଥିବ; କିନ୍ତୁ ମୁଁ ନିଜେ ନିଜ ବାପକୁ ଭଲା କି ସୁଖଟା ଦେଲି ? ଆଜି ବି ପରା ସେ ବୁଢ଼ାଟି ତା’ ହାତରେ ରୋଷେଇ କରୁଛି ।

 

ଛ’ ସାତ ଦିନତଳ କଥା । ସେ କଳତଳେ ଗାଧୋଉଥାଏ । ପାଣି ନେବାକୁ ଆସିଥିଲା ଯେ ବୋଧାର ଭାରିଯା କହିଲା, ‘‘ତୁମର ସବୁ ପଞ୍ଜରାହାଡ଼ କ’ଣ ବାହାରି ପଡିଲାଣି !’’

 

ସାବୁନ ଲଗାଉ ଲଗାଉ ତା’ ହାତ ଅଟକିଗଲା, କେତେବେଳଯାଏ ସେ ତା’ ହାଡ଼ଗୁଡ଼ାକ ଗୋଟି ଗୋଟି କରି ଗଣୁଥାଏ । ଏବେ ତାକୁ ଖୁବ୍‍ ଦୁର୍ବଳ ଲାଗୁଛି । ତ ମୁହଁରେ ଆଗର ସେ ଝଳି ଆଉ ନାହିଁ । କିଏ ଜାଣେ, ବୋଧହୁଏ ତା’ ମୁହଁ ଉପରେ ଚମ ନୋଚା ପଡ଼ିଆସିଲାଣି । ଆଚ୍ଛା ତା’ ମୁହଁରେ ଏ ବୁଢ଼ୀ ମୁହଁ ପରି ମହମ ବୋଳାହୋଇଥିବା ସାନ ସାନ କୁଞ୍ଚୁ କୁଞ୍ଚୁ ଚମ ନା ଏ ବୁଢ଼ା ମୁହଁପରି ସେଥିରେ ମୋଟା ସିଅର ପଡ଼ିଗଲାଣି ? ସେତେବେଳେ ତା’ର ପ୍ରବଳ ଇଚ୍ଛା ହେଲା ଆର୍ସିରେ ନିଜ ମୁହଁ ଦେଖନ୍ତା । କେବେ ଅବା ରିକ୍‍ସାରେ ବି ଆଗରେ ଆର୍ସିଟାଏ ଲାଗିଥିଲା । ବେଲୁନଗୁଡ଼ାଏ ଟାଙ୍ଗିଥିଲା ଯେ ଉଡ଼ୁଥିଲା ଆଉ ଚକରେ ରଙ୍ଗ ରଙ୍ଗର ଫୁଲସବୁ ନାଚୁଥିଲା । ବର୍ତ୍ତମାନ ତ ସବୁଯାକ ଢିଲା ଧତଡ଼ି ହୋଇଆସିଲାଣି । ଚାଲୁ, ଚାଲୁ କେବେ ଭାଲ୍‍ବପିନ୍‍ ବାହାରିଯାଉଛି । ଆରୋହୀମାନଙ୍କଠୁ ଗାଳି ଖାଇ ଖାଇ ବିଚ୍‍ ରାସ୍ତାରେ ଇଟା ପଥରରେ ଭାଲ୍‍ବପିନ୍‍ ପିଟିବା କି ହାତ କଳା କରି ଚେନ୍‍ ଲଗାଇବା କେଡ଼େ ଖରାପ ଲାଗେ । ମନ ହୁଏ, ହୋଲିର ଅଗିଜଳାବେଳେ ଥୋଇଦେଇ ଜାଳିଦିଏଁ ଏମିତିଆ ରିକ୍‍ସାକୁ । ବର୍ତ୍ତମାନ ୟାକୁ ସେ ସଜାଡ଼ିବ ନା ଲଚ୍ଛୀର ଟଙ୍କା ଦେବ ? କିନ୍ତୁ ୟେ ବି ଅଦ୍‍ଭୁତ କଥା ଯେତେବେଳେ ସେ ନିଜ ଦେହକଥା ମନେ ପକାଇଲା ସେତେବେଳେ ରିକ୍‍ସା ଆଡ଼କୁ ତା’ ନିଘା ଚାଲିଯାଉଛି, ସତେ ଯେମିତି ସେ ଦି’ଟାଯାକ କୌଣସି ଗୋଟାଏ ଜିନିଷର ଯୋଡ଼ି ।

 

ଟ୍ରିନ୍‍-ଟ୍ରିନ୍‍...କଜିଆର ସେ ଦୃଶ୍ୟ ମନେ ପଡ଼ୁପଡ଼ୁ ତା’ର ବୁଢ଼ାଆଙ୍ଗୁଠିଟା ଆଉ ତା’ ଆଙ୍ଗୁଠିଗୁଡ଼ାକ ଆପେ ଆପେ ଘଣ୍ଟି ବଜାଇଲା । କିନ୍ତୁ ଝଟ୍‍କରି ସେ ନିଜେ ସତର୍କ ହୋଇ ଅଟକିଗଲା । ବୁଲିପଡ଼ି ଅନାଇଲା କାଳେ ସେ ଘଣ୍ଟିଶବ୍ଦ ପଛରେ ଥିବା ଆରୋହୀଙ୍କୁ ଖରାପ ଲାଗୁଥିବ । ପ୍ରଥମ ଥର ତାକୁ ଲାଗିଲା ଘଣ୍ଟିଶବ୍ଦଟା କେଡ଼େ କର୍ଣ୍ଣକଟୁ । ସେତେବେଳେ ବୁଢ଼ୀ ବଡ଼ ଆଦରରେ ବୁଢ଼ାର କଲର ସିଧା କରୁଥାଏ । କାନରୁ ଯାଇଥିବା ଡୋରକୁ ଦେଖି ତା’ର ଖିଆଲ ହେଲା ବୁଢ଼ା ତ କାଲ । ସେ କ’ଣ ଘଣ୍ଟିଶବ୍ଦ ଶୁଣିଥିବ ? ନା କ’ଣ ? ଆଚ୍ଛା ୟେ ବୁଢ଼ା ମଲେ ବୁଢ଼ୀ କ’ଣ କରିବ ? ସେ ବିଚରାଟିକୁ ତ ଭାରି ଖରାପ ଲାଗିବ, ଘରେ ଛୁଆପିଲା ଥିବେ ? ରାମ ଭଜ । କିଏ ଆଜିକାଲି ନିଜ ବାପ-ମା’ଙ୍କ ଚିନ୍ତା କରୁଛି ? ଆଉ ସେତିକିବେଳେ ସୁମେରାର ତା’ ନିଜ ବୁଢ଼ା ବାପ ମନେ ପଡ଼ିଗଲା । କେଜାଣି କେତେଥର ସେ ଭାବିଲାଣି, ସେ ଥରେ ଯାଇ ତା’ ଗୋଡ଼ତଳେ ପଡ଼ିଯାନ୍ତା...ଯାହା ହୋଇଯାଇଛି ସେ ସବୁ କ୍ଷମା କର । ଅଇଛା ତୁମେ ବସି ରାମ ଭଜନ କରୁଥା, ମୁଁ ତୁମ ଚାକର ପରି ସେବା କରୁଥିବି ।

...କିନ୍ତୁ ଏବେ ଯେତେବେଳେ ତା’ ବାପର ମାଡ଼ ତା’ର ମନେ ପଡ଼ିଯାଏ ସେତେବେଳେ ୟେ ସବୁ କଅଁଳ ଭାବନାଗୁଡ଼ାକ ପବନ ପାଲଟିଯାଏ । ଆଉ ଅଧରାତିରେ ଦାନ୍ତ ଠକ୍‍ଠକ୍‍ ହେଉଥିବା ଶୀତବେଳ ବାପର ବିଧା ଗୋଇଠା ସଙ୍ଗେ ସଙ୍ଗେ ସେ ଗାଳିଗୁଡ଼ାକ ପୁଣି କାନରେ ବାଜିଯାଏ–‘‘ଶଳା ହାରାମ, ଅସଲୀ ସହିଲା ନାହିଁ । କିନ୍ତୁ ସେଇଟା ତୋ ମା । ଦେହରେ ପୋକ ପଡ଼ୁ । ଯଦି ଭେଣ୍ଡିଆ ହେଇଚୁ ତ ଘରୁ ଯା ପଳା ! ଆଜିଠୁ ଆଉ କେବେ ଘରେ ପାଦ ପକେଇଚୁ ତ, ଖବର୍‍ ଦାର । ତତେ ଟିକିଟିକି କରି କାଟି ତୋ ମାଉଁସକୁ କୁକୁରଙ୍କୁ ଖୁଆଇବିଟି ଜାଣିଥା ।’’ ସେତେବେଳେ ସୁମେରାକୁ ପ୍ରଥମ ଗାଡ଼ି ମିଳିଥିଲା ଛିନ୍ଦ୍ଓ୍ୱାଡ଼ା ଯିବାକୁ । ସେଇଠି ତ ସେ ହାର ବିଷୟରେ ଘଟନାଟା ଘଟିଥିଲା ।

ରିକ୍‍ସା ଗଡ଼ିଯାଉଥାଏ ଆଉ ଚେନ୍‍ କର୍‍ର କର୍‍ର ଡାକୁଥାଏ ।

ବୁଢ଼ୀ ବେକର ଜଂଜିର ତା’ର ମନେପଡ଼ିଗଲା ଆଉ ସେ ପୁଣି ଥରେ ବୁଲିପଡ଼ି ଚାହିଁଲା-। କେଜାଣି କାହିଁକି ତା’ ମନରେ ତା’ ଅନୁପସ୍ଥିତ ବାପ ସଙ୍ଗରେ ସେ ଦୁଇଜଣଙ୍କ ପ୍ରତି ବି ତା’ର ଖୁବ୍‍ ଦୟା ଆସିଲା । ଦୁହିଁଙ୍କ ମୁହଁରେ କେମିତି ସନ୍ତୋଷ, କେମିତି ତୃପ୍ତି ଆଉ କୋମଳତା ଥାଏ; ସତେ ଅବା ତୀର୍ଥଯାତ୍ରା ସାରି ଫେରୁଛନ୍ତି । ଦେଖିଲାକ୍ଷଣି ଲାଗୁଥାଏ ତାଙ୍କ ଜୀବନ ସୁଖରେ ବିତିଆସିଛି, ଆଉ ତା’ ବାପା ଏକୁଟିଆ ୟେ ବୁଢ଼ାଦିନେ ଟାଇଁ-ଟାଇଁ ଖରାରେ ବସି ବସି ଚକଟା କାଦୁଅରେ ପାରି ପାରି ଇଟା ବି ନେଇ ଥାକ ମାରୁଛି । ଯଦିବା ବାପା ତାକୁ ମାଡ଼ ମାରିଲା ତ କ’ଣ ହେଲା ? ତା’ର ବି ତ ଭୁଲ ଥିଲା । ହଁ, ହୋଇଥିବ, ଯେତେବେଳେ ହେଲେ ଖାଲି ସେହି କଥାକୁ ସେ ଫେଣୋଉଛି, ଏଇଟା ତ ତା’ର ଭାରି ଖରାପ ଖୋଇ । ଆରେ, ବୟସ ସେତେବେଳେ ଥିଲା, ଗୋଟାଏ କଥା ହୋଇଯାଉଥିଲା । ହଁ, ହାରକଥା ନିଶ୍ଚୟ...ଏ ଯୋଡ଼ାଏ ବୋଝ କେତେ କାଳଯାଏ ତା’ ମନ ଉପରେ ଲଦା ହୋଇଥିବା ଜଣାନାହିଁ ।

ହଠାତ୍‍ ସେ ଚମକିପଡ଼ି ଅଟକିଗଲା । ୟେ ବୁଢ଼ା-ବୁଢ଼ୀ ମାଲ୍‍ବାବୁ ଆଉ ତାଙ୍କ ଭାରିଯା ନୁହନ୍ତି ତ ? ବୁଲିପଡ଼ି ଦେଖିଲା–ଧେତ୍‍, ସେମାନେ ତ ହିନ୍ଦୁ । ଏମିତିଆ, ଅସଲ କଥା ୟେ ଡରଟା ସବୁବେଳେ ତା’ଠି ଥାଏ ଯେ କାଳେ କେଉଁ ଦିନ ମାଲ୍‍ବାବୁଙ୍କ ସଙ୍ଗେ ହଠାତ୍‍ ଭେଟାଭେଟି ହୋଇଯିବ । ହଃ, ଚିହ୍ନିବେ ଛେନାଗୁଡ଼...କେଜାଣି କେତେ କୁଲି ତାଙ୍କ ହାତତଳେ ଯାଇସାରିବେଣି ।

ବଡ଼ ରାସ୍ତା ଆଉ କଚା ଗଳି ସଡ଼କ ଯେଉଁଠି ମିଳିଛି, ସେଠି ଓସ୍ତଗଛ ତଳେ ଧଳା ମୂର୍ତ୍ତିରେ ସିନ୍ଦୂର ଲାଗିଥିବା ହନୁମାନନୀ ଠାକୁରଙ୍କ ବାଟେ ଗଲାବେଳେ ପ୍ରତିଦିନ ସେ ହାରକଥା ମନେ ପଡ଼ିଯାଏ । ମୁହଁରେ ମୁଖା ବାନ୍ଧି ମାଲ୍‍ବାବୁ ଭାରିଯାକୁ କୋଠରି ଭିତରେ ଅଟକାଇ ଆଗୁଳିବା, ହାର ଛଡ଼େଇ ନେଇ ପଳାଇବା, ଦି’ମାସ ଯାକେ ପୋତିରଖିବା, ପୁଣି ମା’ ମଲା ବୋଲି ଶୁଣାହେବାରୁ ଏଠିକି ଆସି ମଙ୍ଗୀ ସଙ୍ଗରେ ମିଶି ରାତିଯାକେ ସୁନା ତରଳାଇବା...ସବୁ ଏକ ମୁହୂର୍ତ୍ତରେ ତା’ ଆଖିଆଗରେ ନାଚିଗଲା । ହାରକଥା ତ, ସେଇ ରିକ୍‍ସା ଥିବାଯାକେ ସେ ଭୁଲିପାରିବ ନାହିଁ । କିନ୍ତୁ ଆଜି ବି ସେ ସେହି ମଙ୍ଗୀ ପରି କେତେବେଳେ ରିକ୍‍ସା ମାଗିଆଣେ, କେତେବେଳେ ବାଲ୍‍ଟି ବ୍ରସ୍‍ ଧରି ସଫେଦି ଆଦି କରିବୁଲେ । ତାକୁ ଲାଗେ ଯେମିତି ରିକ୍‍ସାଟା ତା’ ନିଜର ନୁହେଁ, ଉଧାରରେ ଆଣିଛି । କାହାଠୁଁ କରଜ ଆଣି ତିଆରିକରାଇଛି ।

ବେଳେବେଳେ ଗୋଟାଏ ଉଦ୍‍ଭଟ କଥା ତା’ର ମନରେ ଉଏଁ–କୌଣସିମତେ ପଇସା ସଞ୍ଚି ସେମିତିଆ ହାରଟାଏ ତିଆରି କରନ୍ତା ଆଉ ମାଲ୍‍ବାବୁଙ୍କ ଗୋଡ଼ତଳେ ପଡ଼ି କାନ୍ଦନ୍ତା...

‘‘ହଜୁର୍‍–ମୋର ଦୋଷ ହୋଇଗଲା,...

...ମୋ ଆଖି ଫୁଟିଥିଲା...’’

ହଠାତ୍‍ ଶୁଣିଲା, ‘‘ସେ ଆଗ ଫାଟକରେ ରଖ ।’’

ଫାଟକଠିଁ ରିକ୍‍ସା ରଖି ସେ ବୁଲିପଡ଼ି ଦେଖିଲା, ବୁଢ଼ୀ ରୁମାଲରେ ବୁଢ଼ାର ପାଟିର ଦି’କରକୁ ଖୁବ୍‍ ହୁସିଆର ହୋଇ ପୋଛୁଚି, ଯେମିତି ଦୁଧ ପେଇସାରି ପିଲାଙ୍କ ମୁହଁ ପୋଛିଦିଆଯାଏ-। ବୁଢ଼ୀ ତାକୁ ଏତେ ଦେଖାଶୁଣା କରୁଛି ।

ଷ୍ଟେସନ ଆଡ଼କୁ ଯାଉ ଯାଉ ସେ ବହୁତ ବେଳଯାକେ ତା’ର ସେ ଆରୋହୀମାନଙ୍କ କଥା ଭାବୁଥାଏ । ମା’ ତ ତା’ର ମନେନାହିଁ । କିନ୍ତୁ ସାବତମା’ ଜଳନ୍ତା ନିଆଁ ଗୋଜିଣାରେ ପିଟିବା ଏବେ କେତେ କେତେ ବେଳେ ମନେପଡ଼ିଯାଏ । ଯାହାକୁ ତା’ ବାପ କିଣିଆଣି ତୃତୀୟ ହୋଇଥିଲା, ତା’ର ମିଠାସ୍ୱର ତାକୁ ବହୁତ ଦିନଯାକେ ପାଗଳ କରିଥିଲା । ତାକୁ ଲାଗୁଥିଲା ଭୁଲ୍‍ଟା ତା’ର ନୁହେଁ, ଭୁଲ୍‍ ତା’ ବାପର । ସେତେବେଳେ ସେ କେତେ ଥର ସେ ଦିନମାନଙ୍କରେ ବିଦ୍ରୋହୀ ହୋଇଉଠିଥିଲା । କବରରେ ପାଦ ଯାଇ ଲାଖିଲାଣି, କିନ୍ତୁ ତଥାପି ବୁଢ଼ାଟାର ଶୋଷ ମେଣ୍ଟି ନାହିଁ ! ଛାଡ଼, ସେ ସବୁ ଯାହା ହେବାର ହେଲା; କିନ୍ତୁ ଆଜି ସେ କ’ଣ ଦେଖିଲା ଯେ ତା’ର ସେ ସବୁକଥା ମନେପଡ଼ିଯାଉଛି । ସେ ତ ସବାରି ବସେଇଲା, ପଇସା ନେଲା, ପୁଣି ତାକୁ ଏମିତିଆ କାହିଁକି ଲାଗୁଛି ଯେମିତି ତା’ ହାତରେ କ’ଣ ଗୋଟାଏ ପୁଣ୍ୟକାର୍ଯ୍ୟ ହୋଇଯାଇଛି ? କ’ଣ ଏମିତି କିଛି ସେ ଜାଣିଲା ଯାହା ତା’ ଜୀବନଯାକରେ କେବେ ଜାଣି ନଥିଲା ?

ରିକ୍‍ସା ଷ୍ଟାଣ୍ଡ ଯେ ଠିକା ନେଇଥାଏ ତା’ ସଙ୍ଗରେ ସୁମେରାର କଳି ଲାଗିଛି । ତେଣୁ ସେଠିକି ନ ନେଇ ବାହାରେ ଗଛତଳେ ରିକ୍‍ସା ଚକକୁ ମାଡ଼ି ସେ ରିକ୍‍ସା ଠିଆକଲା । ସିଟ୍‍ ଉପରେ ଆଉଜିରହି ଗଛର ପତ୍ର ଆଡ଼କୁ ଅନାଇଥାଏ । ସବାରି ତ ଏଇଠି ମିଳିଯିବେ । ଷ୍ଟାଣ୍ଡ୍‍କୁ ଗଲେ ବୃଥାଟାରେ ଆଉ ଅଣାଏ ପଇସା ଦିଅ; ସେଉଠୁ ନମ୍ୱର ଅନୁସାରେ ତା’ ପଛକୁ ତା’ ପଛ ଠିଆହୋଇଥା । ବସ୍‍ ଚାଲିବା ଉଚିତ ନୁହଁ ବୋଲି ଲୋକେ ହରତାଳ କରାଉଛନ୍ତି, ପ୍ରସେସନ ବାହାର କରୁଛନ୍ତିଟି–ଅଥଚ ୟେ ସବୁ ଠିକାଦାର ଆଉ ସିପାହୀମାନଙ୍କ ଅନାଧୁନିଆ କାରବାରରେ କେହି ପଦେହେଲେ ମାଟି ଫିଟାଉନାହାନ୍ତି । ଲୁଣ୍ଠନ ଚାଲିଲା । ଆଜିକାଲି ଆମ ମଙ୍ଗୀବାବୁ ବି ତ ଲିଡର୍‍ ହୋଇଗଲେଣି, କୁର୍ତ୍ତା ପାଇଜାମା ଉପରେ ଜ୍ୟାକେଟ୍‍ ପିନ୍ଧି ବୁଲନ୍ତି । ସେତେବେଳେ ଚିତ୍ରକାବର ପଡ଼ିଯାଇ ଘରେ ଚୂନ ଦେଇ ଦେଇ ବୁଲୁଥିଲେ । ଲୋକେ କେଡ଼େ ଶୀଘ୍ର ବଦଳିଯା’ନ୍ତି, ୟେ ତ ପୁଣି ସେହି ମଙ୍ଗୀଆ, ଯାହାକୁ ସିନ୍ଧୀ ମାଲିକ ଅମାନତ ଟଙ୍କା ଆଗତୁରା ନଦେଲେ ରିକ୍‍ସା ବୋହିବାକୁ ଦେବନାହିଁ ବୋଲି ମନା କରିଦେଇଥିଲା । ହଁ, ଏ କଥା ସତ ଯେ ସେ ସୁମେରାର ବାହାଘର କରେଇଥିଲା, ରାମଦେଈର ବାପ ସଙ୍ଗରେ ପଇସାପତ୍ର ଦେଣନେଣ ଛିଡ଼େଇଥିଲା, ସୁନା ତରଳେଇବା ଉତ୍ତାରୁ ସେଥିରୁ ଭାଗଟା ବି ପୂରା ଦେଇଥିଲା । ଅଇଛା ତୁମେ ତୁମ ଭାଗଟାକୁ ମଦ ପିଇ ଉଡ଼େଇଦିଅ । ସିଗାରେଟ୍‍ ସିନେମାରେ ଉଡ଼େଇଦିଅ, ‘ଫୀଚର୍‍’ରେ ଲଗାଅ, ଆଉ ଗଞ୍ଜୋଡ଼ ଭାଙ୍ଗପିଆ ଲୋକଙ୍କ ପରି ନମ୍ୱର ପଚାରିଲେ ଘରୁ ଯା ଅଦୃଶ୍ୟ ହୋଇ । ତେବେ ଭାଇ, ସୁମେରା ତ ଭାଙ୍ଗ ଖାଇନାହିଁ ଯେ ତୋ ନିଶାପାଣି ପାଇଁ ବି ପଇସା ଦେବ ଆଉ ତୁନି ହୋଇ ତୋ ବଦଖୋଇ ବି ଦେଖୁଥିବ ।

ସୁମେରା ମୁହଁ ପିତାପଡ଼ିଗଲା । ଛୋଟଲୋକ, ଯେଉଁ ପତ୍ରରେ ଖାଇବ ସେହି ପତ୍ରରେ ଝାଡ଼ା ଫେରିବ । ରିକ୍‍ସାରେ ଆଉଜି ଆଉଜି ହାତମୁଠାକୁ ପୋଲା କରି ସେବାଟେ ସେ ଦୂର୍‍ବୀଣରେ ଦେଖିଲା ପରି ଉପରର ପତ୍ରଗୁଡ଼ାକୁ ଆଉ ଆକାଶକୁ ଦେଖୁଥାଏ । ପିଲାଦିନୁଁ ତାକୁ ଏ ଖେଳ ଭାରି ମଉଜ ଲାଗେ । ଦିନଯାକ ଶଙ୍ଖମଲମଲ ଖେଳେଣା କାରଖାନାରେ କାମ କରେ, ରାତିରେ ଏମିତି ସେ ଦୂର୍‍ବୀଣ୍‍ ବାଟେ ଘଣ୍ଟାଏ ଯାକେ ଜହ୍ନକୁ ଦେଖେ । କେତେବେଳେ ଦିଶେ ଜହ୍ନରେ ଗୋଟାଏ ବୁଢ଼ୀମା ଅଛି, ସେ ଚରଖାରେ ସୂତା କାଟୁଛି । କେତେବେଳେ ଦିଶେ ସେଠି ହରିଣଟାଏ ଦୌଡ଼ୁଛି । ବର୍ତ୍ତମାନ ତ ନିମ୍ୱଗଛର ଥର-ଥର ପତ୍ରମାନଙ୍କ ସେପାଖେ ଗଭୀର ନୀଳ ଆକାଶରେ ଧଳା ଧଳା ବଉଦଙ୍କ ସାନ ସାନ ଖଣ୍ଡମାନ ସେ ଦେଖୁଥାଏ, ସତେ ଯେମିତି ଧଳା ଧଳା ବଗ ଉଡ଼ିଯାଉଛନ୍ତି ।

ହୁଁ, ମଙ୍ଗୀବାବୁ ରାମଦେଈ ପାଇଁ କାନର ଝମୁକା ଆଣିଥିଲେ....ରେଳବାଇ ନିଲାମରୁ ମିଳିଯାଇଥିଲା । ପୁରସ୍କାର ପାଇବ ବୋଲି ଆଗ ତ ଉଚ୍ଚ ଉଚ୍ଚ ନିଲାମଡାକ ଡାକିଗଲେ, ସେଉଠୁ ଗୋଟାଏ ଡାକ ଡାକିଦେଇ ଜିନିଷଟାକୁ ଅଟକାଇ ଦେଲେ । ପାରିବାର ମଣିଷଟାଏ ! ‘‘ମୁଁ କ’ଣ କରିବି ଭାଉଜ ?’’ କେଜାଣି କେବଠୁଁ ଏମିତି ଷାଠିଏ ବସ୍ତା ଜିନିଷ ଚାଲିଯାଇଥିବ ଆଉ ସେଦିନ ସେ ମଝିରେ ଯଦି ଟିଉବ୍‍ଟାଏ ବଦଳାଇବାକୁ ନଯାଇଥାନ୍ତା ତେବେ ତ ଜୀବନଯାକ ଏ ନିଲାମ କଥା ତାକୁ ଜଣା ବି ପଡ଼ି ନ ଥାନ୍ତା ! ବଡ଼ ବଡ଼ ବାଳ ରଖି ଦିନସାରା ସିନେମାର ଗୀତ ଗାଇ ବୁଲୁଥିବୁ ତ ଏଇଆ ଶିଖିବୁ । ...ରିକ୍‍ସା ଚଳେଇବେ ତ ସତେ କି ସରକସରେ ଖେଳ ଦେଖାଉଛନ୍ତି, ସତେକି ରିକ୍‍ସା ନୁହେଁ–ଉଡ଼ାଜାହାଜ । ମୋଡ଼ରେ ଏମିତି ବୁଲେଇ ଦେବେ ଯେମିତି କାର୍‍ ବୁଲେଇ ନେଉଛନ୍ତି । ଆକ୍‍ସିଡେଣ୍ଟ୍ ହୋଇ ମୁଣ୍ଡ ଖପୁରିଟା ଫାଟିଯାଇ ରହିଗଲା ତେବେ ତ ସିଧା ସ୍ୱର୍ଗକୁ ଗଲାଭଳି ଦିଶିବେ, ଆଉ ଘରକୁ ବାହୁଡ଼ିଲେ ‘ମୋ ପ୍ରବାସୀ ଗୋ’ ଗୀତ ଚଳିବ ନାହିଁ । ଆଉ ସେ ହାରାମ୍‍ ଜାଦୀ ରାମଦେଈଟା, ସେ ତ ଲାଜରେ ମରିଥିଲେ ଠିକ୍‍ ହୋଇଥାନ୍ତା । କିନ୍ତୁ ସେ ଚିହିଁକି ଉଠି କ’ଣ କହିଲା ନା, ‘‘ଆଗ ନିଜକୁ ଅନାଇଁ ଦେଖ ହୋ ବାବୁ ! ମତେ କିଣିଆଣିଥିଲ ନା ମାଗିଆଣିଥିଲ ଯେ ସବୁବେଳେ ତମ ପୋଇଲୀ ପରି ଚଳୁଥିଲି ।’’ ଏତେ ମାଡ଼ ଦେଲି, ତଥାପି ସେ ଦୁଷ୍ଟଟାର ପାଟି ବନ୍ଦ ହେଲା ନାହିଁ, ବାପ ପାଇଁ ଗର୍ବ ସକାଶେ ତା’ର ଏଡ଼େ ଉଗୁରୁ । ଭାବୁଥିଲା ଯେ ତା’ ବାପ ତ ସରପଞ୍ଚ । ...ଏମିତିଆ ବାପର ଗୋଡ଼ ଛୋଟା କଲେ ଭଲ । ଶଳା ଠକ । ଯୋଡ଼ାଏ କମଳା-ଛାପା ମାରିଦିଅ ଆଉ ଯାହା ମନ ତା’ ଫଇସଲା କରେଇଦିଅ । ପଞ୍ଚାୟତଟାଏ ହେଲା ନା ଲୁଟ୍‍ ହେଲା ? ସେମାନେ ମୋଠୁଁ ଜୋରିମାନା ନେବେ । ...ଖାଲି ଧୀରାଟାକୁ ମୁଁ ଶରଧା ନକରୁଥାନ୍ତି କି ସେ ତା’ ବାପଘରେ ଜୀବନ ସାରା ପଡ଼ିଥାନ୍ତା; ମୁଁ ଆଉ ଗୋଟାକୁ... ।

ଏଗୁଡ଼ା ସବୁ କି ବାଜେକଥା ମନେପଡ଼ିଯାଉଛି । ଏଡ଼େ ସୁନ୍ଦର ଦେହଟା ଖରାପ ହୋଇଗଲା । ଓ୍ୱାକ୍‍ ଥୁଃ ! ଶୋଇ ଶୋଇ ସେ ମେଞ୍ଚାଏ କଫ ପଛଆଡ଼କୁ ଖଙ୍କାରି ଫୋପାଡ଼ିଦେଲା-। ତା’ ବାହୁରେ ଓଠ ପୋଛିଲା ଆଉ ପୁଣି ବଉଦମାନଙ୍କ ଆଡ଼କୁ ଦେଖିଲା । କେମିତି ଗୋଟାକ ପରେ ଗୋଟାଏ ଭାସି ଚାଲିଯାଉଛନ୍ତି, କେମିତି ନେଳିଆ ନେଳିଆ ପାଣିରେ ଧଳା ଧଳା ରୁମାଲ୍‍ ଭାସି ଭାସି ଚାଲିଯାଉଛି । ଓହୋ, ତାକୁ ଆଉ ଗୋଟାଏ ରୁମାଲ୍‍ ତ ମିଳିଥିଲା । ହଁ, ଅଇଛା ମନେପଡ଼ିଲା । ଏଇ କଥାକୁ ତ ସେ ଏତେବେଳୁ ଭାବୁଥିଲା । ମାଡ଼ ଖାଇ ରାମଦେଈ ଗଣ୍ଠିରି-ମଣ୍ଠିରି ଜାକି ତା’ ବାପଘରକୁ ଚାଲିଯାଇଥାଏ, ତା’ର ଦିନେ ଦି’ଦିନ ଉତ୍ତାରୁ ୟେ କଥା ।

ଦିନଯାକ ତା’ ମନ ଲାଗୁନଥିଲା । ପଡ଼ି ପଡ଼ି କୁଟୁରୁ-କୁଟୁରୁ ହେଉଥିବା ଗୁଣ୍ଡୁଚିମୂଷାଙ୍କୁ ଆଉ ପାଦରେ ପାଉଁଶ ଉଖାରୁଥିବା ମାଈକୁକୁଡ଼ା ଆଉ ତା’ ଛୁଆଙ୍କୁ ସେ ଅନାଇଁଥାଏ । ଦାନା ଖୋଜି ଖୋଜି ମୁର୍ଗୀ ବୁକ୍‍-ବୁକ୍‍ କରୁଥାଏ ଆଉ ସାନ ସାନ ଛୁଆମାନେ ତା’ ଥଣ୍ଟପାଖେ ଆସି ଜମାହୁଅନ୍ତି । ମାଟିଯାକେ ଓହଳି ପଡ଼ି, ହଲ ହଲ ଖଟରେ ପଡ଼ିରହ, ମଇଳା ଚିକିଟା ତଳୁ ‘କିସ୍‍ସା ତୋତା-ମୈନା’ ଓ ’ଦିଲ୍‍-ବହାର୍‍’ ସିନେମା-ଗୀତ ପଢ଼ୁଥାଏ ।

ସେ ଗୋଟିଏ ଭଲ ଚୌକିଟିଏ ତିଆରି କରିଥାଏ । କୁଆଡ଼େ ଯିବାକୁ ବି ତା’ ମନ ହେଉନଥାଏ । ଯାହା ସଙ୍ଗେ ଦେଖାହେଉ, ତାକୁ ଲାଗୁଥାଏ ଦୋଷଟା ରାମଦେଈର ନୁହେଁ ତା’ର । ସବୁ ଶଳାଗୁଡ଼ାକ ପାଉଆ, ଛୋଟଲୋକ ଆଉ ମତ୍‍ଲବ୍‍ୱାଲା ଲୋକ । ସେ ଆଠ ଦଶ ଘର ଲୋକଙ୍କ ନିଜର ରିକ୍‍ସା ଥିଲା ତ ତା’ ପାଖେ; ତେଣୁ ସେମାନେ ଭାବୁଥିଲେ ସତେ ଅବା କୌଣସି ଧନ-ଦରବ ତା’ ପାଖେ ପୋତିରଖିଛନ୍ତି । ଜାକି ତ ତା’ ରିକ୍‍ସା ନେଇ ପଳାଇଗଲା, ତାକୁ ବେଲନ୍‍ଗଞ୍ଜର ଲାଲା ଧରେଇଦେଲା, ଘଣ୍ଟାଏ ଯାକେ ସେ ତା’ ରିକ୍‍ସାକୁ ରଗଡ଼ି ରଗଡ଼ି ଧୋଉଥିଲା ଆଉ ଜିକିଜିକି କରୁଥିଲା । ଗୋଟାଏ ଘର ଛଡ଼ାରେ ଭୁରା ଭାରିଯା ହାତ ହଲେଇ ହଲେଇ ବିସ୍ନାର ପିଇସୀ ସଙ୍ଗରେ କଜିଆ କରୁଥିଲା । କହୁଥିଲା, ‘‘ଦାରି, ତୋ ମଲା ଘଇତାଟାର ତୋଠି ମନ ନଥିଲା । କ୍ଷତିପୂରଣ ଦେ, ନଇଲେ ତୋ ବାପର ଚଷମାଟା ଓଟାରି ଆଣିବିଟି । ରଇଜଳାମାନେ, ଚୋଠା କାହିଁକେ ?’’ କେମିତି ଚିର୍ଚ୍ଚିରେଇଲା ପରି ପାଟି ! ମନହେଉଥାଏ ଯାଇ ତଣ୍ଟିଟା ବୁଜିଦିଏଁ । ଦି’ପଇସିଆ ପିଲା ଖେଳିବା ଚଷମା ଭାଙ୍ଗିଯାଇଥିବ, ଏଥିପାଇଁ ସକାଳଟାରୁ ଏଡ଼େ ପାଟି କରୁଛି । ମଣିଷ ଦିନଯାକ ଗୋଡ଼ରେ ଜୋତା ମାଡ଼ିଥିବ, ଦଣ୍ଡେ ବି ନିସ୍ତାର ନାହିଁ । ଶଳା ମୂର୍ଖଗୁଡ଼ାକ ।

ସିକନ୍ଦରା ଆଗରେ ସେ ରିକ୍‍ସା ଆଣି ଠିଆକରିଦେଲା । ସଞ୍ଜ ହୋଇଥାଏ । ଓହ୍ଲାଇପଡ଼ି ସେ ଗୋଟାଏ ପଟେ ଠିଆହେଲା । ପାଟି ଆଁ କରି ଗଡ଼ରେ ପାଗ ହୋଇଥିବା ଭଜା ଯବ ଚାଉଳର ଲଡ଼ୁ ଚୋବାଉଥାଏ । ...ଦି ତିନିଟା କାର୍‍ ଭିତରକୁ ଗଲା ଆଉ ବାହାରିଲା । ୟେ ଗୋରୀ ଝିଅମାନେ ମୁଣ୍ଡରେ ରୁମାଲ ବାନ୍ଧି ମଟରକୁ ଏମିତି ଚଲେଇ ନେଇଯାଉଥିଲେ ଯେମିତି ମା’ ପେଟରୁ ମଟର ଚଳାଇ ଆସିଛନ୍ତି । କାର୍‍ମାନଙ୍କୁ ବୁଲିବା, ଷ୍ଟାର୍ଟ ହେବା ଓ ଦୌଡ଼ିବାକୁ ସେ ସବୁବେଳେ ଖୁବ୍‍ ମୁଗ୍‍ଧ ଦୃଷ୍ଟିରେ ଦେଖେ । ଛାଡ଼, ସେ ଯଦି ଡ୍ରାଇଭରି କରି ଶିଖିପାରିଥାନ୍ତା ତ ଏମିତି ସାଇଁକରି ଗାଡ଼ି ନେଇଯାଆନ୍ତା, ଏମିତି କଟେଇ ଦେଇ ବଞ୍ଚାନ୍ତା । ସେ ଦୁଷ୍ଟ ରାମଦେଈଟାକୁ ବି ବୁଲେଇଆଣନ୍ତା ତ ସେ ଜାଣନ୍ତା, ହଁ, ୟେ ମଣିଷପରି ମଣିଷ । ସେତେବେଳେ ସେ ଦେଖିଲା, ଗୋଟାଏପଟେ ଖୋଲା ଛାତି ଦେଖାଇଥିବା ଯାକହୋଇଥିବା ଫତୁଆ, ଆଣ୍ଠୁ ଯାକେ ଧୋତି ଆଉ ମୁଣ୍ଡରେ ଗୋଟାଏ ଓଜନ ଠେକା ବାନ୍ଧି ଗୋଟାଏ ଲୋକ ସିକନ୍ଦରାର ଗମ୍ୱୁଜମାନଙ୍କୁ ଦେଖି ଆରଜଣକୁ କହୁଛି–

‘‘ଆରେ ମେହେତାବ, ଦେଖ୍‍, ୟେ ଶୋଭା ଆକାଶରେ କେମିତି ମାନୁଛି । ମତେ ତ ମନ୍ଦିର ପରି ଲାଗୁଛି ।’’

ସେଉଠୁ ସୁମେରା ପଚାରିଲା, ‘‘କିହୋ ଭାଇ, ୟେ ଅକ୍‍ବରା (ଗୋଟାଏ ପ୍ରକାର ମିଠେଇ)ର ମକ୍‍ବରା (ସମାଧି) ନା ମକ୍‍ବରା‍ର୍‍ ଅକ୍‍ବରା ?’’

ଚୋବେଇବା ଭୁଲିଯାଇ ସୁମେରା ଆହୁରି ଜୋରରେ ହସିଲା, ପୁଣି ତାଙ୍କ ସରଳତା ଦେଖି ବୁଝେଇଦେଲା–

‘‘ୟେ ସିକନ୍ଦରା ହୋ ସାଆନ୍ତେ । ଏଠି ଆକ୍‍ବର୍‍ ବାଦ୍‍ଶା ପୋତା ହୋଇଥିଲେ । କୁଆଡ଼ୁ ଆସିଛ ?’’

ସାଆନ୍ତେ ସୁମେରା ହସିବା ଦେଖିନାହାନ୍ତି । ସେମିତି ଆଁ କରି ବିସ୍ଫାରିତ ଚକ୍ଷୁରେ ଚାହିଁ ଚାହିଁ କହିଲେ, ‘‘ବାହାରେ ଆକ୍‍ବର୍‍ ବାଦ୍‍ଶାହ, ମରିବାକୁ କେଡ଼େ ସୁନ୍ଦର ଜାଗା ବାଛିଲେ ?’’ ପୁଣି ସୁମେରା କଥାର ଉତ୍ତରରେ କ୍ଷମା ମାଗିଲା ପରି କହିଲେ, ‘‘ମୁଁ ତ ଭାଇ ଉତ୍ତେପୁରର ଲୋକ, ମୁଁ ଆଗରୁ ଏମିତି କେଉଁଠି ଦେଖନ୍ତି ? ଡିଙ୍ଗର କୋଠା ଦେଖିଛି, ସେତିକି । କାମରେ ଆସିଥିଲି ବୋଲି ଦେଖିଯାଉଛି ସିନା ।’’

ସେ ଚାଲିଯିବାରୁ ଟାଙ୍ଗାବାଲା ବୁନ୍ଦନ କହିଲା, ‘‘ସେ ବିଚରାଟି ତ ଗାଉଁଲି ଲୋକଟିଏ, ନୂଆ ଆସିଚି । ମୁଁ ତ ବଡ଼ବଡ଼ ବୁଧିଆ ବାବୁମାନଙ୍କୁଏମିତି ବେକୁବ୍‍ କରିଦେଇଛି ଯେ ଆଜିଯାକେ ସେମାନେ କାନ୍ଦୁଥିବେ । ହଁ, ଯଦି କେହି ଇଂରେଜ କି ଆମେରିକାନ୍‍ ହୋଇଥିବ ତେବେ ତାଠୁଁ ପାଞ୍ଚ ଦଶ ଟଙ୍କା ବକ୍‍ସିସ୍‍ ମିଳିବା ଆଶା ଅଛି । କିନ୍ତୁ ସେ ଶଳାଙ୍କ ପାଖରେ କ’ଣ ଅଛି ? ଘଣ୍ଟାଏ ଯାକେ ଧିକିଚିକି କରିବେ, ସେଉଠୁ ଖୁଚୁରା ପଇସା ଦେଇ ଚାଲିଯିବେ । ସେଉଠୁ କ’ଣ କରୁଥିଲି କି ଷ୍ଟେସନରୁ ଆଣି ସେଣ୍ଟଜନ୍‍ କଲେଜ ବିଲ୍‍ଡ଼ିଙ୍ଗ୍ ପାଖରେ ବୁଲେଇଆଣେ । କହେ, ଦେଖ ଏଇ ସିକନ୍ଦରା, ଆଜି ବନ୍ଦ ଅଛି...କୋଉ ଶଳା ଘୋଡ଼ାକୁ ତିକ୍‍-ତିକ୍‍ କହି ଏଯାକେ ଆଣୁଛି ? ପାଞ୍ଚଟଙ୍କା ମିଳିଗଲା ତ ହୋଇଗଲା । ଦୁନିଆଁ ଯାକର ଲୋକ ଧାଇଁଆସନ୍ତି । କ’ଣ ଏ କବରମାନଙ୍କରେ ଦେଖନ୍ତି କେଜାଣି ! ମତେ ତ କିଛି ଦିଶେ ନାହିଁ । ହଁ, ଗାଇଡ୍‍ମାନଙ୍କ ବର୍ଣ୍ଣନା ଶୁଣି ଶୁଣି ନିଶ୍ଚୟ ଖୁସି ହୁଅନ୍ତି । ଆମେ ତ ଏମିତି କାହାଣୀ ପ୍ରତିଦିନ ଗଢ଼ି ଦେଇପାରିବା ।’’

ପ୍ରକୃତରେ କହିବାକୁଗଲେ, ଏ କଥା ସୁମେରା ଏପର୍ଯ୍ୟନ୍ତ ବୁଝିପାରିନାହିଁ ।

‘‘ରିକ୍‍ସା !’’

ପାଟି ଶୁଣୁ ଶୁଣୁ ତା’ ଘଣ୍ଟି ବାଜିଉଠିଲା ଟ୍ରିନିନ୍‍...ଟ୍ରିନିନ୍‍... । ସେ ଚମକିପଡ଼ି ଧାଇଁଗଲା । ସବାରୀ ଆସିଲା । ଯାଉ ଯାଉ ତା’ର ଗର୍ବ ହେଉଥାଏ, ତାହାରି ରିକ୍‍ସା ସବୁଠୁ ନୂଆ ଆଉ ଫେସନବ୍ଳ । ସବାରୀ ଅନ୍ୟ କୁଆଡ଼େ ଯାଇ ପାରି ନାହାନ୍ତି । ଜଣେ ଯୁବକ ଓ ଜଣେ ଯୁବତୀ ଠିଆହୋଇଥାନ୍ତି । ବିନା ବଟ୍‍ନ୍‍ଲଗା ଚେଷ୍ଟର୍‍, ଆଗରେ ଗୋଟାଏ ପଛରେ ଗୋଟାଏ ପଡ଼ିଥିବା ବେଣୀ, ଖୋଲିଆସୁଥିବା ବର୍ଣ୍ଣ, ଲମ୍ୱା ମୁହଁ, ଜିକିଜିକି ଆଖି । ଝିଅ ଦି’ହାତକୁ ଚେଷ୍ଟର୍‍ର ପକେଟରେ ପୂରାଇ ବଡ଼ ବିଶ୍ୱାସରେ ପୁଅକୁ କ’ଣ କହୁଥାଏ । ପୁଅ ଉଲ୍‍ର ଜର୍କିନ୍‍ ଓ ପ୍ୟାଣ୍ଟ ପିନ୍ଧିଥାଏ । ବର୍ଣ୍ଣ ଶ୍ୟମାଳରୁ ଆହୁରି ଗାଢ଼, ପ୍ରତିଥର ମୁଣ୍ଡବାଳକୁ ସାଉଁଳିବା ବାହାନାରେ ଖାସ୍‍ ନିଘା କରି ବାଳକୁ ଅଲରା କରୁଥାଏ । ରହସ୍ୟ କିଛି ଅଛି । ତାକୁ ଖୋଳିତାଡ଼ି ଜାଣିବାକୁ ପ୍ରବୃତ୍ତି ସୁମେରାଠିଁ ବଡ଼ ବିଚିତ୍ର ଢଙ୍ଗରେ ବାହାରିଲା । ସମେରା ଭାବିନେଲା ଏମାନେ ପଦାକୁ ଯେପରି ନିଶ୍ଚିନ୍ତ ନିଡରୁଆ ଦିଶୁଛନ୍ତି, ସେଇଟା ଲୋକଦେଖାଣିଆ; ପଦାକୁ ସେମିତି ଦେଖାଇ ହୋଇ ଭିତରେ ଭିତରେ ସେମାନେ ଯେଉଁ ଛାନିଆଁ ହୋଇଛନ୍ତି ତାକୁ ଲୁଚେଇ ରଖାହୋଇଛି ।

ସୁମେରା ପଚାରିଲା, ’’ତାଜମହଲ୍‍ ଯିବେ ସାହେବ୍‍ ?’’ ଭାବିଲା ଏମାନେ ତାଜ୍‍ଗଞ୍ଜ ଗଲେ ସେ ବୁଝିନେବ ଯେ ସେ ଶାଳୀ ରାମଦେଈର ହାଲଚାଲ କ’ଣ । ପାଞ୍ଚଦିନ ହେଲାଣି ସେ ଯିବାର ।

‘‘ଦୟାଲ୍‍ ବାଗ୍‍’’–ଯୁବକ କହିଲା ।

 

‘‘ଯିବା ଆଜ୍ଞା !’’ –ସେ ଗଦିରେ ହାତ ଥାପୁଡ଼େଇ କହିଲା ।

 

‘‘ଚାଲ, ବସ’’-ଯୁବକଟି ଝିଅଟିର କହୁଣିରେ ହାତମାରି କହିଲା । ପୁଣି ଆଉ ଥରେ ସେ ଡେଙ୍ଗା ଡେଙ୍ଗା ଗଛ ଆଉ ଚାହାବାଲାଆଡ଼େ ଚାହିଁଲା ।

 

ଝିଅଟି ସୁମେରାକୁ କହିଲା, ‘‘ହୁଡ୍‍ ଟେକିଦିଅ ।’’ ତା’ ମୁହଁକୁ ଅନାଇଁବାକୁ ସୁମେରାକୁ ଭାରି ଭଲ ଲାଗୁଥାଏ । ତା’ ସ୍ୱର ଶୁଣି ଚମକିଲା । ସେ ଟୋକାକୁ କହୁଥାଏ–‘‘ୟା ସଙ୍ଗରେ ଆଗ ପଇସା କେତେ ନେବ ସେଇଟା ଠିକଣା କରିନେବା ଦରକାର । ପଛେ ସମସ୍ତଙ୍କୁ ଟୁରିଷ୍ଟ୍ ଭାବି ଏମାନେ ବଡ଼ ବିରକ୍ତ କରନ୍ତି ।’’ ଆଉ ସେ ଚେଷ୍ଟର ଜାକି ବସିପଡ଼ିଲା । ଚଢ଼ୁ ଚଢ଼ୁ ତା’ର ଯେତିକି ଗୋଡ଼ ପେଣ୍ଡା ବାହାରିଲା ତାକୁ ଦେଖି ସୁମେରାର ମନଟା ଉତ୍ତେଜିତ ହେଲା । ହୁଡ଼୍‍ ଚଢ଼େଇଲାବେଳେ ଭାବିଲା, ପଚାରେଁ, ‘‘ ଆଗ ପର୍ଦା ପକାଇଦେବି ମେମ୍‍ ସାହେବ ?’’ ଭାବିଲା ଅତି ବେଶି ହୋଇଯିବ । କହିଲା, ‘‘ପଇସା ପାଇଁ କଳି କରିବା ମଣିଷ ମୁଁ ନୁହେଁ ।’’

 

ଦିହେଁ ବସିପଡ଼ିଲାପରେ ସୁମେରା ନିଘାକଲା । ଝିଅ ତା’ ନିଘାରୁ ଲୁଚିବାକୁ ଅନ୍ୟଆଡ଼େ ମୁହଁ ବୁଲାଉଛି । ସେ କେବଳ ଦେଖିପାରୁଥିଲା ଝିଅଟିର କାନ ପାଖ ହସ ହସ ଗାଲରୁ କିଛି ଅଂଶ-। ତାକୁ ଏଡ଼େ ଭଲ ଲାଗୁଥାଏ ଯେ ତା’ର ମନହେଉଥାଏ ଧୀରେ...ଆଙ୍ଗୁଠି ଘଣ୍ଟି ବଜାଇଲା ଟ୍ରିନନ୍‍...ଟ୍ରିନନ୍‍...

 

‘‘ଟିକିଏ ଘୁଞ୍ଚ, ମୁଁ ହାତଟା ପଛରେ ରଖେଁ ।’’ –ପୁଅଟି କହିଲା ।

 

ସୁମେରା ରିକ୍‍ସାକୁ ଚିକ୍‍କଣ ସଡ଼କ ଉପରକୁ ଚାଲି ଚାଲି ଓଟାରିଆଣିଲାବେଳେ ମନେ ମନେ କହିଲା, ‘‘ଖାଲି ହାତଟା କାହିଁକି, ଏକଦମ୍‍ ତା’ ପଛଆଡ଼େ ଲମ୍ୱି ଯାଉନା ।’’ ସେ ବିନା କାରଣରେ ଘଣ୍ଟି ବଜେଇଲା ଟ୍ରିନନ୍‍-ଟ୍ରିନନ୍‍ ।

 

‘‘ଭାଇ ଟିକିଏ ଚଞ୍ଚଳ ପହଞ୍ଚିବା ଦରକାର ।’’ ଝିଅର ସ୍ୱରଟି ମିଠା ଶୁଭୁଥିଲା । ଅଇଛା ବୋଧହୁଏ ଘରକୁ ଯିବାକୁ ତରତର, ନହେଲେ ବୋଉ ବାଡ଼େଇବ । ସେତେବେଳେ ତ ଭିତରେ ବସି ବସି ମଉଜ କରୁଥିବେ ।

 

ସୁମେରା କହିଲା, ‘‘ହଉ, ଏଥର ଉଡ଼ାଜାହାଜ ପରି ଯିବି ।’’

 

ଚିକ୍‍କଣ ସଡ଼କ ଉପରେ ରିକ୍‍ସା ଗଡ଼ିଚାଲିଲା ତ ତା’ ମନ ଉତ୍ସାରେ ପୂରିଗଲା । ଦାନ୍ତରେ ଦାନ୍ତ ମାଡ଼ିଦେଇ ପୂରାଦମରେ ରିକ୍‍ସା ଦୌଡ଼ାଇ ଚାଲିଥିବାରୁ ରିକ୍‍ସା ଏପଟ ସେପଟ ହଲୁଥାଏ । ମଙ୍ଗୀକୁ ସେ ଗୋଟିଏ ଝିଅଙ୍କ ସ୍କୁଲରେ ପହଞ୍ଚିବାକୁ ମାସେଯାକେ ଲଗାଇ ଦେଇଥିଲା-। ସେ ସେ-ଝିଅକୁ ବସାଇ ଏଡ଼େ ଜୋରରେ ରିକ୍‍ସା ଦୌଡ଼ାଏ ଯେ ବିଚରା ତୃତୀୟ ଦିନରେହିଁ ତାକୁ ଆସ୍ତେ ଚଳାଇବାକୁ କହିଲା । ମଙ୍ଗୀ ତାକୁ ଉତ୍ତରଦେଲା, ‘‘ବଳଦ ଗାଡ଼ିରେ ବସିବ ତ ସୁମେରା ରିକ୍‍ସାରେ ବସ । ୟେ ତ ତୋଫାନ୍‍ ମେଲ୍‍ଠୁ କମ୍‍ ଚାଲେନାହିଁ ।’’

 

‘‘ୟେ ମୋ ବଳଦଗାଡ଼ି, ନା ? ଓଲ୍ଲୁ କାହିଁକା । ବର୍ତ୍ତମାନ ସେ ବୁଝିପାରିଲା କାହିଁକି ଲୋକଙ୍କ ମନ ନବୁଝି ନଶୁଝି ରିକ୍‍ସା ଦୌଡ଼େଇବାକୁ ଡାକେ । ତା’ କାନ ଅସାଧାରଣଭାବେ ପାତଳ ହୋଇଗଲା ।

 

ପୁଅଟି କହୁଥାଏ, ‘‘ଯାହା କହ, ରିକ୍‍ସାଟି ଭାରି ଭଲ ।’’

 

‘‘ଭଲ ନିଶ୍ଚୟ, କାରଣ ଜାକିଜୁକି ହୋଇ ବସିବାକୁ ସୁବିଧା ମିଳେ ।’’ ଝିଅ ହସିଲା । ହସିଲାବେଳେ ତା’ ଗାଲ କେମିତି ସତେ ଦିଶୁଥିବ !

 

ପୁଣି ଶୁଣିଲା, ‘‘ୟେ ସଡ଼କଟା ପରା, ହାତ କାଢ଼ । ରିକ୍‍ସାବାଲାଟା ଅଛି...’’ ସେଉଠୁ ସେ କ’ଣ ଇଂରେଜିରେ କହିଦେଲା ।

 

‘ରିକ୍‍ସାବାଲା ଅଛି ବୋଲି କାହିଁକି ଭାବୁଚ ? ଅନ୍ଧ ହୋଇ ରହିଛି । ନିଜ ମଉଜ କର, ବଦ୍‍ମାସ୍‍ । ମା ବାପଙ୍କୁ ସିନା ଫୁସୁଲେଇଦେବ...ଏଠି ସମସ୍ତେ ଜାଣନ୍ତି, କିଏ କ’ଣ କରିପକାଇବ । ଦିନରେ ଦି’ତିନିଥର ତ ତମ ଭଳି ଲୋକଙ୍କ ସଙ୍ଗେ କାମ ପଡ଼ୁଥିବ ।’’ ସୁମେରା ଭାବୁଥାଏ । ଝିଅଟାକୁ ତ ବୋଧହୁଏ କେଉଁଠି ଦେଖିଛି । କିନ୍ତୁ ଟୋକାଟା ଏଠିକାର ନୁହେଁ ବୋଲି ଲାଗୁଛି । କିମ୍ୱା ୟାକୁ ବି ମେଡ଼ିକେଲ୍‍ କଲେଜରୁ ବାହାରିବା ଦେଖିଛି ।

 

‘‘ପ୍ରକୃତରେ ଡେରି ହୋଇଗଲା’’–ଟୋକା କହିଲା ।

 

‘‘ଏଠି ଏପଟେ ସଡ଼କ କରରେ ଟିକିଏ ଖରା ଅଛି ।’’

 

‘‘ଅଇଛା ଲାଗୁଛି ଡେରି ହେଲା । ମୁଁ ସେତେବେଳୁ କହୁଥିଲି, ହେଲା ? ତେବେ ତ ‘ଭାରି ଜଲ୍‍ଦି ହେଲା’ ।

 

‘ଭାରି ଜଲ୍‍ଦି ହେଲା,’ ଟୋକୀ ଚିଡ଼ିଯାଇ କହିଲା ।

 

‘‘ହୋଇଥିବ ବାବୁ, ତୁମର ଏ ଜଲ୍‍ଦିରେ ତ ଜୀବନ ଉଡ଼ିଯାଉଛି ।’’

 

‘‘ଧୀରେ କହୁନା ।’’ ଲାଗୁଥାଏ ଝିଅଟା ପୁଅର ବାହୁରେ ଚୁମୁଟିଦେଲା ।

 

ହୁଁ । ...ଏଥର ଜଲ୍‍ଦି ଚାଲ....ଧୀରେ କହ....ତେବେ ତ ପସ୍ତେଇବଣି । ସେତେବେଳେ ରିକ୍‍ସାବାଲା ମନେପଡ଼ୁ ନଥିଲା । ...ଭଗବାନ୍‍ କରନ୍ତୁ, ଦିଲ୍ଲୀ ପାସେଞ୍ଜର ପାଇଁ ଫାଟକ ବନ୍ଦ ଥାଉ-। ପା’ନ୍ତୁ ଏମାନେ ପଟାଏ ଘରକୁ ଯାଇ ।

 

‘‘ନାଇଁ ହୋ, ଏମିତି କ’ଣ ବିପଦ ଅଛି ? ଧୀରେ ଧୀରେ ହାଓ୍ୱା ଖାଇ ଖାଇ ଚାଲ ବାବୁ, ଲମ୍ୱା ରାସ୍ତା, ଥକିପଡ଼ିବ ।’’

 

ହଁ, ତୁମର କି ତରତର । ତତେ ତ ପୁଅ ସ୍ୱର୍ଗ ଦି’ଆଙ୍ଗୁଳ । ଘରକୁ ଗଲେ ଯାହା ଯାହା ମିଳିବ ତା’ ସିନା ୟେ ଝିଅଟି କପାଳରେ ଅଛି; ତୋର କି ଯାଏ ? ତୁ ତ ଖୋଲା ପଡ଼ିଆ ପରି ମେଲା ଖୋଲା ।

 

...କେଜାଣି କାହା ବୋହୂ କି ଝିଅକୁ ଉଡ଼େଇ ଆଣିଚୁ । ତା’ର ସେ ଝିଅଟି ପ୍ରତି ଦୟା ହେଲା । କିନ୍ତୁ ସେ ରିକ୍‍ସାର ଚାଲୁକୁ ଧୀର କରିଦେଲା ।

 

ପଛଆଡ଼େ ଟିକିଏ ଧରାପରା ହେଲାଭଳି ଲାଗିବାରୁ ତା’ ମନ ଚିଡ଼ିଉଠିଲା । ମନ ହେଉଥାଏ ରିକ୍‍ସା ଅଟକାଇ ୟାଙ୍କୁ ଦିଏଁ ଓହ୍ଲେଇ । କେଜାଣି କାହିଁକି, ତାକୁ ଲାଗୁଥାଏ ଯେ ସେ କୌଣସି ଭୁଲ୍‍ କାମରେ ସାହାଯ୍ୟ କରୁଛି; ତାକୁ ରୋକିବା ଦରକାର । ୟେ ଟୋକା ନିଶ୍ଚୟ ଗୋଟାଏ ଲୁଙ୍ଗୁଡ଼ା ବଦ୍‍ମାସ୍‍ । ପ୍ରକୃତରେ ୟେ ଝିଅଗୁଡ଼ାକ ଭାରି ସରଳ । କିନ୍ତୁ ହାଲୁକା ଢାଲୁରେ ପେଡ଼ାଲ୍‍ ଅଟକାଇ, ବ୍ରେକ୍‍ ଚିପି ଥିରିହୋଇ ବସିଥାଏ, ସତେକି ସୂଚାଇଦେଉଥାଏ–ଦେଖ, ମୁଁ ତୁମର ସବୁକଥା ବୁଝିଛି, ସବୁ ଜାଣେ, ତଥାପି ମୁଁ ଚୁପ୍‍ । ତା’ ପିଠିର ଗୋଟାଏ ଗୋଟାଏ ସ୍ନାୟୁ ଓ ପେଶି ଟଣ୍‍କି ଉଠୁଥାଏ । ଭାବୁଥାଏ ଚଞ୍ଚଳ ମୁହଁ ବୁଲେଇ ମୁଁ ଦେଖେଁ, ଦେଖେଁ ତ ଥରେ ଶଳାଏ କେମିତି ବସିଛନ୍ତି । ସେ କାନରେ ଦୃଷ୍ଟିକୁ ପକାଇ ରଖିଥିଲା, ଆଉ ତାଙ୍କ ବସିବା, କଥା ହେବାର ଗୋଟାଏ ଗୋଟାଏ ଛବି ତା’ ଆଗରେ ଭାସିଯାଉଥାଏ । ବର୍ତ୍ତମାନ ଦିହେଁ ତୁନି ହୋଇଥାନ୍ତି । କାଲି ପଛ ଚକ ଆଉ ଚେନ୍‍ର କର୍‍ କର୍‍ ଶୁଭୁଥାଏ । ଏବେ ତ ଅଭ୍ୟାସ ପଡ଼ିଗଲାଣି, କିନ୍ତୁ ପୁଣି ସେ ସବୁବେଳେ ୟେ ଶବ୍ଦ ଶୁଣି ଚମକି ଉଠୁଥିଲା, ଯେମିତି ପଛରୁ ଆଉ ଗୋଟାଏ ସାଇକଲ ଚାଲିଆସୁଛି ।

 

ଆରେ, ସେମାନେ ଦୀର୍ଘଶ୍ୱାସ ପକାଇଲେ ଯେ ! କିଛି ଗୋଳମାଳ ହେଲା ନାହିଁ ତ ? ତା’ର ଚିନ୍ତା ଆସିଲା, ଟୋକାଟା ତାକୁ କିଛି ହରବର କରିଥିବ । ୟେ ଆଜିକାଲିକା ଟୋକାଙ୍କ ବୁଦ୍ଧି ତ କୁଆଡ଼େ ଚୁଲିକି ଗଲାଣି ସିନେମା ଦେଖି ଦେଖି । ୟାଙ୍କ ଢଙ୍ଗଢାଙ୍ଗ ତ କୌଣସି କାମକୁ ପାଏ ନାହିଁ । ଆରେ ଭାଇ, ଝିଅର ମନନେବା ଏଡ଼େ ସହଜ ନୁହେଁ, ଧୀରେ ଧୀରେ ପଟେଇବାକୁ ହୁଏ ।

 

ସେ ଦୂରରୁ ଦେକିଲା ଯେ ରେଳର ଫାଟକ ବନ୍ଦ ଅଛି । ବିଚରା ଝିଅର ଆହୁରି ବେଶି ଡେରି ହୋଇଯାଇଛି, ଉପରେ ଉପରେ ହସୁଥାଉ ସିନା, ମନ ଭିତର ଦୁଡ଼ୁଗୁଡ଼ୁ ହେଉଥିବ ।

 

ଏତେ ବେଳର ଚୁପ୍‍ଚାପ୍‍ ଭାଙ୍ଗି ଟୋକା କହିଲା, ‘‘ୟେ ଡାହାଣ ପଟେ ଯେଉଁ ପଥର ଘୋଡ଼ାଟା ନା, କହନ୍ତି ଅମରସିଂ ରାଠୋର୍‍ଙ୍କର । ସେଠି କିଲା ପାଖରେ ସେମିତିଆ ଆଉ ଗୋଟାଏ ଅଛି । ସେଇଠୁ ଦଉଡ଼ିଥିଲା ଯେ ଏଠି ଆସି ମରି ତଳେ ପଡ଼ିଗଲା, ପଛରେ ସୈନ୍ୟ ଆସୁଥିଲେ ।’’

 

‘‘ହଁ, ଜାଣିଛି, ମୁଁ ଇତିହାସ ନେଇଥିଲି ।’’ –ଝିଅଟି ଟିକେ ରୁକ୍ଷ ସ୍ୱରରେ କହିଲା ।

 

ଶୁଣ କଥା । ଆଗ ତ ରଗେଇଦେଲା । ଅଇଛା କହୁଚି ୟେ ଅମରସିଂ ରାଠୋର୍‍ଙ୍କ ଘୋଡ଼ା । .....ଅମରସିଂ ରାଠୋର ତୋ ବୋପା, ନୁହେଁ ? ସବୁ ମଜା ହ୍ୟାପ ମାଟି କରିଦେଲା ।

 

ଉଠାଣିରେ ଚାଲି ଚାଲି ରିକ୍‍ସା ଚଢ଼ାଉ ତା’ ଦେହଟା ଝିଅର ସ୍ୟାଣ୍ଡଲପିନ୍ଧା ପାଦକୁ ଛୁଏଁ ନଛୁଏଁ ହୋଇଗଲା । ତାକୁ ଛୁଇଁ ଦେଖିବା ଇଚ୍ଛାକୁ ସେ କେମିତି ଦମନ କରୁଥିଲା ସେଇ ଜାଣେ । ୟେ କଳାକୋଚଟ ଟୋକାଟା ପରୀ ଭଳିଆ ଝିଅଟାକୁ କୁଆଡ଼େ ନେଇ ଆଇଚି କେଜାଣି ?

 

‘‘ଆମେ କ’ଣ ଓହ୍ଲେଇବୁଁ, ରିକ୍‍ସାବାଲା ?’’ ଟୋକା ଗଦିରେ ହାତ ପକାଇ ଉଠି ଠିଆହେବାଭଳି ଭଙ୍ଗୀ ଦେଖାଇଲା ।

 

‘‘ନାଇଁ ଆଜ୍ଞା, ୟେ ତ ଟିକିଏ ନାଁକୁ ଉଠାଣି !’’ ପୁଣି ଦିହିଁଙ୍କ ମୁହଁକୁ ଦେଖିଲା । ଉଦ୍‍ବିଗ୍ନତାର ଛାପ ସେମାନଙ୍କ ମୁହଁରେ ସ୍ପଷ୍ଟ, କ’ଣ ପୁଣି ହୋଇଗଲା ?

 

‘‘ଦେଖ, ଆଜି ତ ମରଣ ଦଶା । ୟେ ଫାଟକ ଯାଇ କେତେବେଳେ ଫିଟୁଛି କେଜାଣି !’’ –ଟୋକାଟା ବଡ଼ ବ୍ୟସ୍ତ ହୋଇ କହିଲା, ‘‘ଲାଗୁଛି ସମସ୍ତେ ଆମ ପ୍ରତି ବିମୁଖ ।’’

 

ଅଇଛା ତତେ ଫାଟକଟା ଦିଶିଲା ? ନିଶ୍ଚୟ ସିଏ ବିମୁଖ ।

 

‘‘ଦେଖ ଉମୀ, ୟେ ଠିକ୍‍ ନୁହେଁ । ତୁମେ ଅଇଛା ଏମିତିଆ ହେବ ତ...ଆଚ୍ଛା, କହିଲ, ଆମେ କ’ଣ ବାଟରେ ଯାଉ ଯାଉ କଳି କରିବା ? ତୁମର ଏଇ ସ୍ୱଭାବ ମତେ ଭଲ ଲାଗେନାହିଁ ।’’

 

‘ଆଉ ଆପଣଙ୍କ ସ୍ୱଭାବଟା ଭାରି ଭଲ ।’ ସୁମେରା ରିକ୍‍ସାକୁ ହାତରେ ଅଟକାଇ ପଛଚକ ପଛରେ ଯୋଡ଼ାଏ ଇଟା ଠେକଦେଲା ।

 

ସେଉଠୁ ଝିଅର ବସିଲା ବସିଲା ସ୍ୱର ଶୁଭିଲା-‘‘ହେ ରିକ୍‍ସାବାଲା, ଟିକିଏ ପଚାରି ଆସିଲ ଭାଇ, କେତେ ଡେରି ହେବ । ଡେରି ଥିଲେ ଆର ପାଖକୁ ଚାଲିଯାଇ ଅନ୍ୟ ରିକ୍‍ସା ଧରିବୁ-।’’

 

ତା’ ମୁହଁରେ ଏଭଳି ନିରୀହ ଭାବ ଥାଏ ଯେ ପ୍ରକୃତରେ ସୁମେରାର ଝିଅଟି ପ୍ରତି ଦୟା ଆସିଲା ଓ ସେ ସବୁ ଦୋଷ ପୁଅ ଉପରେ ଲଦିଦେଲା । ଆଗ ସେ ଭାବୁଥିଲା ସେଇଠି ହ୍ୟାଣ୍ଡଲ୍‍ ପାଖରେ ଠିଆ ଠିଆ ଘଣ୍ଟି ଖୋଲି ଠିକ୍‍ କରିବାକୁ ଲାଗିଯିବ । କିନ୍ତୁ ‘‘ଅଇଛା ଗାଡ଼ି ଆସୁଥିବ ଆଜ୍ଞା-! ସିଗନେଲ ଡାଉନ୍‍ ଅଛି’’ କହି ସେ ଫାଟକବାଲା ପାଖକୁ ଗଲା । ଗୋଟାଏ ଟ୍ରକ୍‍, ଯୋଡ଼ାଏ କାର୍‍, ଗୋଟାଏ ଟାଙ୍ଗା, ଗୋଟାଏ ଯୋଡ଼ାଏ ରିକ୍‍ସା ଲାଇନ ଲଗାଇ ଠିଆହୋଇଥାନ୍ତି । ନେଳି ପୋଷାକ ପିନ୍ଧି କାଖରେ ନାଲି ଓ ଶାଗୁଆ ଝଣ୍ଡା ଚାପିଧରି ଫାଟକବାଲା କହିଲା, ‘‘ମହାରାଜ, ଖଣ୍ଡେ ବିଡ଼ି ଦେଲ ।’’

 

ଏ ବାଟେ ରୋଜ ଆସିବାକୁ ପଡ଼େ । ଫାଟକବାଲା ତା’ ବନ୍ଧୁ ।

 

‘‘ବିଡ଼ି ତୋ ବାପା ରଖିଥିବ ।’’ ଏମିତିକା ପଦେ ଦି’ପଦ ସମ୍ଭାଷଣ ପରେ ଦିହେଁ ଠିଆ ଠିଆ କଥାଭାଷା ହେଲେ । ବିଡ଼ିଧୂଆଁ ଟାଣି ଟାଣି ସେ ତା’ ଭିତରର ଉତ୍ତେଜନାକୁ ଅଟକାଉଥାଏ । କିଏ କହିବ ଯେ ସେ କିଛି ଅସାଧାରଣ କଥା । ଜାଣିଛି, ସେଥିରେ ସେ ଅଂଶୀଦାର ବୋଲି ? ଯେମିତି ଫାଟକବାଲା ପଚାରିଲା ‘‘କୋଉଠିକା ସବାରୀ ? ଭାରି ଭଲ,’’ ଧୂଆଁ ସଙ୍ଗରେ ନିଜର ହସକୁ ମିଶାଇଦେଇ ସେ କହିଲା, ‘‘ଆରେ ମହାରାଜ, ମୋ କାମ ତ ଏଇଆ, ଏ କ’ଣ ନୂଆ କଥା-? ମୁଁ ତ ଦୂରରେ ଠିଆହୋଇ ଦୁନିଆଯାକର ମଜା ଦେଖୁଥାଏଁ । ପୁଣି ଧୀରେ ଧୀରେ କହିଲା, ‘‘କହିବ ତ ସିଧା ଥାନାକୁ ନେଇଯିବି, ସ୍ୱାମୀ-ସ୍ତ୍ରୀ ୟେ ନୁହନ୍ତି ।’’

 

‘‘ଆବେ, ଜୋତାରେ ଦି’ପାହାର ପଡ଼ିଲେ ଥଣ୍ଡା ହୋଇଯିବୁ, ବୁଦ୍ଧି ବଣାହୋଇଯିବ । ଆଜିକାଲିକା ମିଆଁ-ବିବିଙ୍କି ଜାଣିନୋହୁଁ ତୁ । ଶଳେ, ଭାଇ-ଭଉଣୀ କୌଣସି ସମ୍ପର୍କ ୟାଙ୍କ ଆଖିକି ଦିଶେନାହିଁ । ତୁ ତୋ ରିକ୍‍ସା ଟାଣୁଥାରେ ବାବା, ଦୁନିଆଁ ତା’ର ଯେଉଁ ବାଟରେ ଯିବ, ଯାଉଥାଉ ।’’

 

ରେଳର ଘଡ଼ଘଡ଼ରେ କଥା ମଝିରୁ ଭାଙ୍ଗିଗଲା । ଆଉ ଯେମିତି ଛୁକ୍‍-ଛୁଁ ଶବ୍ଦ କରି ରେଳଗାଡ଼ି ଫାଟକର ଖୁଣ୍ଟକୁ ଥରେଇ ଥରେଇ ବାହାରି ଚାଲିଗଲା ସୁମେରା ସୁସ୍ଥ ଲୋକ ପରି ଫେରିଆସିଲା । ଇତ୍ୟବସରେ ବୋଧହୁଏ ମିଳାମିଶା ହୋଇଗଲାଣି । ଝିଅଟିର ମୁହଁ ପୁଣି ଉଜ୍ଜ୍ୱଳ ଦିଶିଲାଣି । ସୁମେରାକୁ ଭାରି ଭଲ ଲାଗିଲା । ତାକୁ ବାରମ୍ୱାର ଦେଖିବାକୁ ମନ ଡାକିଲା ।

 

‘‘ଆଉ ଇତ୍ୟବସରେ ତୁମ ବାପା ଯଦି ଫେରିଆସିଥିବେ ?’’

 

ସୁମେରା ହ୍ୟାଣ୍ଡଲ୍‍କୁ ସମ୍ଭାଳୁ ସମ୍ଭାଳୁ ପୁଅଟିର ଥଟାଳିଆ ଉତ୍ତର ଶୁଣିଲା : ‘‘ଆସି ମମିଠୁଁ ଶୁଣିବେ ଯେ ଝିଅ ଉମୀ ଯାଇଚି ମୀନା ଘରକୁ ।’’

‘‘କହିଦେବି ଡେରି ହେବାରୁ ତା’ ଭାଇ ଛାଡ଼ିଦେବାକୁ ଆସିଲେ ।’’

‘‘ଆଉ ସିକନ୍ଦରା ପଟେ ରହୁଥିଲ ତ ? ଏ କଥା ଜଣାନାହିଁ ଯେ ମୀନାର ଭାଇ ଓଷଦ କମ୍ପାନୀର ଏଜେଣ୍ଟ ବମ୍ୱେରେ ଥା’ନ୍ତି । ଦିଲ୍ଲୀ ଆସିଥିଲେ, ଇତ୍ୟବସରେ...’’

ଦିହେଁ ଖିଲିଖିଲି ହୋଇ ହସିଲେ, ଅନ୍ଧାର ପଡ଼ିଥିଲା ।

‘‘ମୁଁ ଯେତେବେଳେ ରିକ୍‍ସାରେ ଚଢ଼ିଥିଲି ନା, ୟେ ରିକ୍‍ସାବାଲା ୟାଡ଼କୁ ବୁଲିପଡ଼ୁଥିଲା-। ମୁଁ ଘାବରେଇଗଲି କାଳେ ଚିହ୍ନି...’’ ଏଥର ଝିଅର ସ୍ୱର ମାଡ଼ିଦେଲା ପରି ।

ସୁମେରା ସୁସ୍ଥ ହୋଇଗଲା । ସ୍‍... । ଝିଅଟାହିଁ ଚତୁରୀ । ଶାଳୀ । ସେ ମଙ୍ଗୀ ଆଉ ରାମଦେଈଙ୍କୁ ମନେପକାଇଲା । ୟେ ଲୋକ ଦେଖିବାକୁ ସାଦାସିଧା । ଏତେ ଡେରିରେ ତା’ର ଝିଅଟା ଉପରେ ଦୟା ହେଉଥାଏ ଯେ ଟୋକା ବମ୍ୱେଇ ସହରତ; ଆଉ ସେ ସିଧାସଳଖେ ଝିଅଟାକୁ ଉଡ଼େଇ ନେଉଛି । ଏମିତି ଦେଖିଲେ ବି ସେଇଟା ବମ୍ୱେଇର ଗୁଣ୍ଡା ପରି ଦିଶୁଛି । ବମ୍ୱେ ବିଷୟରେ ସିନେମାର ବହୁତ ଦୃଶ୍ୟ ତା’ ଆଖିଆଗରେ ଖେଳିଗଲା; ଆଉ ଲାଗିଲା ଯେ ଟୋକାର ମୁହଁ ସିନେମାରେ ବଦ୍‍ମାସ ସର୍ଦ୍ଦାର ହେଉଥିବା ରାମସିଂ ମୁହଁ ସଙ୍ଗରେ ବହୁତ ମିଳିଯାଉଛି । ଲମ୍ୱା ଗଡ଼ାଣିରେ ପଛ ଚକର ଚେନ୍‍ ପୁଣି କର୍‍ର-କର୍‍ର ହେଲା ଆଉ ସେ ଗୋଟାଏ ଗୋଡ଼କୁ ହ୍ୟାଣ୍ଡଲ୍‍ ଉପରେ ଥୋଇ ବିଶ୍ରାମ କରୁଥିଲା । ଶାଳୀ ରାମଦେଈ ।

‘‘ପୁଚ୍ଚ୍ ।’’

ଖଟ୍‍ କରି ତା’ ବ୍ରେକ ମନକୁମନ ଲାଗିଗଲା ।

ଅଇଛା ତ ହଇରାଣ ହୋଇଗଲା । ୟେ ରିକ୍‍ସା ନା ଏସବୁ କାମ କରିବା ଜାଗା-। ଝିଅର ଗୋରା ମୁହଁ ନାଲି ପଡ଼ି କେମିତି ଲାଗୁଥିବ ସେ ଅନୁମାନ କଲା, ସିଧା ଦେଖି ପାରିଲା ନାହିଁ-

‘‘ଆଗରେ ପୁଲିସ ଫାଣ୍ଡି ଅଛି ଆଜ୍ଞା, ଆଲୁଅଟା ଲଗାଏଁ ।’’ ଯହୁଁ ସେ ଆଉ କିଛି ପାଇଲା ନାହିଁ ତ ପେଡ଼ାଲକୁ ଓଲଟା ବୁଲାଇ କହିଲା । ପଛରୁ ରିକ୍‍ସା ଓ ମଟର ଆଗକୁ ଚାଲିଗଲେ, କିନ୍ତୁ ଖଡ଼୍‍ ଖଡ଼୍‍ କରୁଥିବା ଗୋଟାଏ ଖାଲି ରିକ୍‍ସାକୁ ଅଟକାଇ ସେ ଦିଆସିଲି ନେଲା, ବତି ଲଗାଇଲା । ମନରେ ଭାବିଲା, ଯଦି ସିଧା ଫାଣ୍ଡିକୁ ନେଇ ରିକ୍‍ସା ଠିଆ କରିଦେବି ତ ଭାରି ମଜା ହେବ, ସବୁ ମଉଜ ବାହାରିପଡ଼ିବ ।

‘‘ଆଚ୍ଛା, ମଜା ତ ଖୁବ୍‍ ହେଲାଣି, ଏଥର ଆମେ ଧୀରମତି ସ୍ଥିରବୁଦ୍ଧିରେ ସବୁକଥା ଠିକଣା କରିଦେବା ଦରକାର । ଦେଖ, ମତେ ବି ତ ସେଇଆ ହିସାବ କରି ସବୁ କାମ କରିବାକୁ ପଡ଼ିବ, ଏଥର ଯେମିତି ରିକ୍‍ସା ଚାଲିଲା ସିମିତି ଭିନ୍ନ ସ୍ୱରରେ ଟୋକା କହିଲା । କିଛି ସମୟ ଯାକେ ଉତ୍ତରକୁ ଅପେକ୍ଷା କଲା, ପୁଣି କହିଲା, ‘‘ପରୀକ୍ଷା ସରିଲାମାତ୍ରେ ମତେ ଚିଠି ଲେଖିବ । ମତେ ବି ସେତେବେଳେ ଜଣାପଡ଼ିଯିବ କେଉଁଠି ରହିବ, ବମ୍ୱେରେ କି ଦିଲ୍ଲୀରେ । ଘର-ଫର ସବୁ ସଜିଲ କରି ରଖିଥିବି, ତୁମ ବାପାଙ୍କ ଆଗରେ କହିବ ।’’

‘‘ନାଇଁ ବାବୁ, ମୋର ସାହସ ପାଉନାହିଁ, ତୁମେ ଲେଖିବ ।’’

‘‘ଦେଖ, ବୋକାପରି କଥା କହନା । ମୁଁ ମୋ କାମ କରିବି, ତୁମେ ତୁମ କାମ କରିବ ।’’ ଏଥର ଟୋକା ଯେମିତି ହୁକୁମ ଦେଲାଭଳି ସ୍ୱରରେ କଥା କହିଲା । ତାକୁ ଶୁଣି ସୁମେରାକୁ ଭଲ ଲାଗିଲା, ଯାହାହେଉ, ଏ ଯେ ମର୍ଦ୍ଦ କଥା କହିଲା ଭଳି କଥା ।

ଟୋକା ପୁଣି କହିଲା, ‘‘ମୁଁ ପୁଣି କହୁଚି, ମାର ଗୁଲି ସମସ୍ତିଙ୍କି । ତୁନିତାନି ହୋଇ ସିଭିଲ ମ୍ୟାରେଜ କରି ବିଭା ହୋଇପଡ଼ିବା, ସେଉଠୁ ପଛେ ସବୁ ଠିକ୍‍ ହୋଇଯିବ ।’’

ଓ, ୟେ ତ ସାକ୍ଷାତ୍‍ ସିନେମାର ରୁସ୍ତମ୍‍ । ଗିର୍ଜାକୁ ଯାଇ ବାହା ହେବାକୁ କହୁଚି । ‘‘ନା’’ ଝିଅଟି ଦୃଢ଼ ସ୍ୱରରେ କହିଲା ।

କିଛି ସମୟ ଦିହେଁ ତୁନି ହୋଇ ରହିଲେ; ତା’ପରେ ଯେପରିକି ତା’ କାନ୍ଧରେ ଗାଲ ଘଷି ଘଷି ଝିଅଟି କଇଁକଇଁ ହୋଇ କାନ୍ଦି କାନ୍ଦି କହିଲା, ‘‘ସେ ତ ବହୁତ ଦିନ ଅଛି, ସେ ପର୍ଯ୍ୟନ୍ତ କେମିତି ରହିବା ? ପ୍ରକୃତରେ, ମୋ ମନ ତ ଭାରି ଘାଣ୍ଟି ହେଉଚି । କେଜାଣି କ’ଣ ହେବ, ...ଶୁଣ...’’

ହା ହା, ସବୁ ଗୁଡ଼ତକ ଗୋବର ପାଲଟିଗଲା ଯେ । ଏଇଟା କ’ଣ ଝିଅଟାଏ ନା ଟେଳାଏ ମହମ ? ଅଇଛା କେମିତି ଝଳି ଫିଟିଥିଲା, ଆଉ ଅଇଛା ପୁଣି କେଁ-କେଁ ହେଲାଣି ।

‘‘ପ୍ରକୃତରେ, ମୁଁ ଆଉ ପାରୁନାହିଁ । ତୁମ ଚିଠି ପାଇଲା ଦିନୁ କିଛି କାମ ହୋଇନାହିଁ । ଖାଲି ଭାବୁଛି କେତେବେଳେ ଛାଇ ଲେଉଟିବ ଆଉ ଚାରି ବାଜିବ । ଘଣ୍ଟା ଉପରେ ଏମିତି ରାଗ ଆସୁଛି ଯେ କ’ଣ ଆଉ କହିବି । ସବୁ ଝିଅ ମଜା କରୁଛନ୍ତି । ସତରେ, ଏତେ କ୍ଷତି ହେଉଛି ଯେ । ଦେଖିବ, ମୁଁ ପରୀକ୍ଷା ବି ଦେବି ନାହିଁ । ଫେଲ୍‍ ହେଲେ କେଉଁ ସୁଖ ମିଳିବ ଯେ ମତେ ?’’

ସବୁ ନିସ୍ତେଜପଣ ଭୁଲିହୋଇ ସୁମେରା ଭିତରେ କ’ଣ ଯେମିତି ଚଞ୍ଚଳ ହୋଇ ଉଠିଲା, ଭାବିଲା ଆରେ ୟେ ତ ବମ୍ୱେର ସେ, ସିନେମା, ଆରେ, ଖାଲି ଗୀତ ଗାଇବା ବାକି ।

‘‘ଆରେ ଆରେ, ଏଇଟା କି ମୂର୍ଖତା ଉମୀ ? ଦେଖ, ସଡ଼କ ଉପରେ ଏମିତି କାନ୍ଦନା, କିଏ ଦେଖିଦେବ । ତୁନି ହ, ଠାକୁରଙ୍କ ରାଣ ।’’

ଟ୍ରିନନ୍‍-ଟ୍ରିନନ୍‍ । ଘଣ୍ଟି ବଜେଇ ପଛଆଡ଼ୁ କୌଣସି ରିକ୍‍ସା ଆସୁନାହିଁ ତ ? ସେଇଆ ଦେଖିବ ବୋଲି ସୁମେରା ବାଁପଟ ହାତଦେଇ କଣେଇଁ କଣେଇଁ ଅନାଇଁଲା, ପ୍ରକୃତରେ ଝିଅର ମୁଣ୍ଡ ତା’ କାନ୍ଧ ଉପରେ ଭରାଦେଇଥାଏ, ସେ ରୁମାଲରେ ଆଖି ପୋଛୁଥାଏ । ଅନ୍ଧାର ଆଉ ତରତରରେ କିଛି ସଫା ଦିଶୁନଥାଏ ।

କେଡ଼େ ସୁନ୍ଦର ଚାଲିଥିଲା, ଅଇଛା ଟୋକା ଫାଶରେ ପଡ଼ିବ, ଅଇଛା ୟେ ମାଇକିନିଆ ଚରିତ୍ର ଦେଖାଉଛି, କାଲିକି ଦେଖିବ ପୁଣି ଆଉ କାହା ପାଖରେ ବସି ଏମିତି କାନ୍ଦୁଥିବ....

ରାମଦେଈ କଥା ମନେପଡ଼ିଗଲା ତ ମନଟା ରୁକ୍ଷ ହୋଇଗଲା । ୟେ ଟୋକାଟା ଷୋଳଣା ଗୋବର ଗଣେଶଟାଏ, ସବୁକଥାକୁ ସତ ବୋଲି ଭାବୁଛି । ଆରେ, ଦି ଗୋଇଠା ପକା, ଆଉ ନିଜ ଘରକୁ ଯା । କେଉଁଠି ଫାନ୍ଦରେ ପଡ଼ିଛୁ ?

ରେଲ୍‍ ପୋଲ ଉପରେ ଟୋକାଟା କହିଲା, ‘‘ଟିକିଏ ଏପାଖ ସଡ଼କରେ ନିଅ ।’’

ଯେଉଁ ବାଟେ ଯା, ମୋର ତ ତୋଠୁ ଆଜି ଦିଟଙ୍କା ନବା କଥା ।

‘‘ଦେଖ ଉମୀ, ଛାନିଆ ହନା, ସବୁ ଠିକ୍‍ ହୋଇଯିବ । ଆଉ ଦେଖ, ମୁଁ ପହଞ୍ଚିବା ଆଗରୁ ଯେମିତି ତୁମ ଚିଠି ପହଞ୍ଚିବ, ବୁଝିଲ ?’’

 

ଆସ୍ତେ ଗାଲ ଥାପୁଡ଼େଇବା ଶବ୍ଦ, ‘‘ଦେଖ, ସେ ଜଙ୍ଗଲରେ ଏମିତି ସ୍ନେହ-ଶରଧାର ଚିଠି ସାହାଯ୍ୟରେ ତ ମୁଁ ବଞ୍ଚିଛି, ନ ହେଲେ ସେ ଔଷଧ...’’

 

‘‘ତୁମେ ବେଶି ଡେରି କଲ ସିନା । ଶୁଣ, ମୁଁ କହିଦଉଚି, ଯଦି ମତେ ପାସ୍‍ କରେଇବା ଇଚ୍ଛା ଅଛି ତ ଫେରନ୍ତା ଡାକରେ ଉତ୍ତର ଦେବ, ନହେଲେ ମତେ ଦୋଷ ଦେବନାହିଁ । ଏଠିକି ପ୍ରତିଦିନ ଆସି ମିରାକୁ ପଚାରେ ଆଉ ଯେତେବେଳେ ଜାଣେ ଯେ କୌଣସି ଚିଠି ଆସିନାହିଁ ଏମିତି ରାଗ ହୁଏ ଯେ ଜୀବନଯାକ ଆଉ କେବେ ଚିଠି ଦେବିନାହିଁ ମନହୁଏ ।

 

ଭଲା କେହି ତା’ ସଙ୍ଗରେ ବି ଏପରି କଥାଭାଷା ହୁଅନ୍ତା । ସୁମେରାର ଭିତର ଟିକିଏ କ୍ଷୁବ୍‍ଧ ହେଲା । ତାକୁ ବହୁତ ବେଳଯାକେ ଲାଗିଲା ଯେପରି ତା’ର କିଛି ଦରକାର...କ’ଣ ଦରକାର ସେ କଥା ତ ସେ ଜାଣିପାରିଲା ନାହିଁ, କିନ୍ତୁ ସାବତ-ମା’ ଉପରେ ଆଖି ପକାଇଥିବାର ପାପ ଆଉ ହାରଚୋରି ଅପରାଧ ଏ ଦିଟାଯାକ ଏକାସଙ୍ଗରେ କଣ୍ଟା ଫୁଟିଲା ପରି ବିନ୍ଧିଲା ।

 

‘‘ଏଠି ୟେ ଆଗ ଫାଟକରେ ରଖ’’, ଝିଅଟି କହିଲା ଆଉ ରିକ୍‍ସାକୁ ପୂରା ନ ଅଟକାଉଣୁ ସେ ଚଞ୍ଚଳ ଓହ୍ଲାଇପଡ଼ିଲା । ଚେନ୍‍ର କର୍‍ର-କର୍‍ର ବନ୍ଦହୋଇଗଲା ।

 

‘‘ହଉ, ତୁମେ ଓହ୍ଲା ନାହିଁ, ଭିତରୁ କାଳେ କେହି ପଦାକୁ ବାହାରିପଡ଼ିବେ ।’’

 

ଝିଅଟିର ଦି’ ହାତକୁ ନିଜର ଦି’ହାତରେ ଧରି ଟୋକା କହିଲା, ‘‘ହଉ’’, ଆଉ ବୋଧହୁଏ ସେ ଯୋଡ଼ା ପାପୁଲିକୁ ତା’ ଓଠଯାକେ ନେଇଗଲା ।

 

‘‘ଚାଲ ।’’

 

ଯାଉ ଯାଉ ବୁଲିପଡ଼ ରିକ୍‍ସା ଆଡ଼କୁ ଅନାଇଥିବା ଝିଅଟିର ଆଖି ସୁମେରାର ଆଖିରେ ପଡ଼ିଗଲା । ସେଥିରେ ଭୟ, ସଙ୍କୋଚ, କୁଣ୍ଠା କିଛି ନଥିଲା, ଆଉ କେଜାଣି କ’ଣ ଥିଲା ଯାହା ସୁମେରାର ମନକୁ ଛୁଇଁଲା । କୌଣସି ଗଛର ପତ୍ରକୁ ଛିଣ୍ଡାଇଦିଅ, ତଥାପି ବଡ଼ ବଡ଼ ସରୁ ସରୁ ସୂତା ଦୂରଯାକେ ଟାଣିହୋଇଯାଏ । ସେମିତି ସୂତା ସୁମେରାକୁ ଝିଅଟିର ମୁହଁ ଆଡ଼କୁ ଓଟାରୁଥାଏ-। ସେ ଝିଅ ଟହଲି ଟହଲି ରହି ରହି ସେ ଫାଟକଯାକେ ଗଲା, ପୁଣି ବୁଲିପଡ଼ି ଚାହିଁଲା, ଟୋକା ବି ପଛଆଡ଼ର ପର୍ଦ୍ଦା ଟେକି ଦେଖୁଥାଏ ।

 

ଅବଶ ହାତରୁ ଫାଟକର କୁହୁଣ୍ଡା ଖସିଯାଇ ଆରପାଖେ ଯାଇ ପଡ଼ିଲା । ସେଉଠୁ ରିକ୍‍ସା ବୁଲିପଡ଼ିଲା । କାଚର ଫଳକ ଉପରେ ଚଳନ୍ତି ଦୃଶ୍ୟର ଛାଇପରି ସୁମେରାର ମନ ଉପରେ ଉଦାସ ଭାବ ଭାସିଯାଉଥାଏ ।

 

ପଇସା ପାଇଁ ସେ ଅଡ଼ୁଆ ଲଗାଇଲା ନାହିଁ । ବିଡ଼ି କିଣିବାକୁ ସେ ଗୋଟାଏ ଦୋକାନରେ ଅଟକିବାମାତ୍ରେ ଓହ୍ଲାଉ ଓହ୍ଲାଉ ଆଗ ତା’ ନିଘା ପଡ଼ିଗଲା ରିକ୍‍ସାରେ ପାଦ ଥୋଇବା ଜାଗାରେ ପଡ଼ିଥିବା ପାରାପରି ଧଳା ରୁମାଲ ଉପରେ । ସେଉଠୁ ସେ ରିକ୍‍ସାକୁ ଗୋଟାଏ ଅନ୍ଧାରୁଆ ଜାଗାକୁ ଘେନିଯାଇ ରୁମାଲ ଟେକିନେଲା । ଖୋଲିଲା, ବଡ଼ ରୁମାଲଟାଏ, ସ୍ଥାନେ ସ୍ଥାନେ ଓଦା । ଭାବିଲା ଲେଉଟିଯାଇ ଫେରାଇ ଦେଇଆସିବ କି ? ଅଜାଣତରେ ସେ ରୁମାଲଟାକୁ ନାକରେ ଲଗାଇଲା । ସୁନ୍ଦର ସ୍ନିଗ୍‍ଧ ବାସ୍ନା ପବନରେ ଭାସି ଭାସି ଚାଲିଲା । ଲାଗିଲା ଯେପରି ସେ ହସୁଥିବା ପଦ୍ମଫୁଲ ଭର୍ତ୍ତି ପୋଖରୀକୁ ଯାଇ ତା’ ଭିତରେ ହଜିଯାଇଛି । ଜାଣି ନଥିଲା, କେତେବେଳେ ତା’ ଆଖି ତିନ୍ତିଗଲା, ଆଉ ଝିଅର ମୁହଁଟି ବିକଶିଉଠିଲା । ବାସ୍ନାରେ ଜୁଡ଼ୁବୁଡ଼ୁ ହୋଇ ସେ ପୁଣି ଖାଲି ଫେରିଆସିଲା । ତା’ ପରେ ପଛ ଚକରେ ଚେନ୍‍ କର୍‍-କର୍‍ ହେଉଥିଲା; ଯେମିତି କେହି ଧୀରେ ଧୀରେ ଇଟା ଉପରେ ଇଟା ରଗଡ଼ୁଛି ।

 

ହାତମୁଠାକୁ ଦୂରବୀଣ୍‍ କରି ସେବାଟେ ବଉଦମାନେ ରୁମାଲ ଉଡ଼ୋଉଥିବା ଫଡ଼୍‍ଫଡ଼୍‍ କରୁଥିବା ଦେଖୁ ଦେଖୁ କେଜାଣି କାହିଁକି ତା’ର ବିଶ୍ୱାସ ହୋଇଗଲା ଯେ ସେ ବୁଢ଼ୀର ରୁମାଲରୁ ବି ନିଶ୍ଚୟ ସେହି ବାସ୍ନା ଆସୁଥିବ । ସେ ସେ ରୁମାଲଟାକୁ ରଖିଦେଇଥିଲା, ଧର ଯଦି ପୁଣି ସେ ଝିଅକୁ ବସେଇବ ତେବେ ସାହସ କରି ଲେଉଟାଇଦେବ । କିନ୍ତୁ କିଛି ଦିନ ପରେ, ଜଣାନାହିଁ ସେ କୁଆଡ଼େ ଚାଲିଗଲା । ଆଜି ଏତେ ଦିନ ପରେ ସତେ ଯେମିତି ପ୍ରକୃତରେ ସେହି ବାସ୍ନା ତା’ ନାକପୁଡ଼ାରେ ଲାଖିରହିଥାଏ ।

 

ସେତେବେଳେ ପ୍ରକାର ପ୍ରକାର ଶବ୍ଦ ଶୁଣି ସେ ଧନ୍ଦିହୋଇପଡ଼ିଲା ଆଉ ସିଧା ବସିପଡ଼ିଲା । ଦେଖିଲା କିଏ ଠିଆ-ଠିଆ ହାତରେ ଜୋତା ଧରି ତା’ ନାକପାଖେ ଏମିତି ବୁଲୋଉଛି, ଯେମିତି ଅପସ୍ମାର ରୋଗୀକୁ ଶୁଙ୍ଘାଉଛି ।

 

ତାକୁ ଉଠିବାର ଦେଖି କହିଲା, ‘‘ହଇରେ, ଏ ନିଦୁଆଟା ପଡ଼ି ପଡ଼ି ଅଫିମଖୋର୍‍ ପରି ଶୋଇଛି ନା ଯାଇ ମଜୁରି କରୁଛି ? ପଞ୍ଜାବମେଲ୍‍ କେଜାଣି କେତେବେଳୁ ଠିଆହେଲାଣି ।’’

 

ଆଉ ତା’ର ହସରେ ଚମକିପଡ଼ି ଦେଖିଲା, ସେ ବାବୁ ରିକ୍‍ସାବାଲା, ତା’ ବନ୍ଧୁ । ସେ ଠିଆହୋଇ, ଟାଣକରି ଭିଡ଼ିମୋଡ଼ି ହୋଇ ହାଇଟାଏ ମାରିଲା, ଚାରିଆଡ଼କୁ ହାତ ଫରକଟେଇ ଅଳସ ଭାଙ୍ଗି କହିଲା, ‘‘ହଁରେ ଭାଇ, ଟିକିଏ ଏମିତି ଆଖିଟା ଲାଗିଯାଇଥିଲା ।’’

 

ସବାରୀଭର୍ତ୍ତି ରିକ୍‍ସା ଓ ଟାଙ୍ଗାମାନଙ୍କ ଗହଳି ଟ୍ରିନିନ୍‍-ଟ୍ରିନିନ୍‍ ଭେଁ-ଭେଁ କରି ନଈବଢ଼ି ପରି ଚାଲିଯାଉଥାଏ । କ୍ଷଣକ ପାଇଁ ତାକୁ ଲାଗିଲା ଯେମିତି ସେ ବର୍ତ୍ତମାନ ସେଇ ଗାଡ଼ିରୁ ନୂଆହୋଇ ଓହ୍ଲାଇ ଏ ଜାଗାକୁ ଆସିଛି, ଆଉ ଏଠି କୌଣସି ଜିନିଷ ସେ ଚିହ୍ନି ନାହିଁ । ଏଠିକା ସବୁ ଜିନିଷ ତାକୁ ନୂଆ, ଏଭଳି ଯେ ତା’ ଶରୀରର ଗୋଟାଏ ଅଂଶ ପରି ଯେଉଁ ରିକ୍‍ସାଟା...ସେଟା ବି ଅଚିହ୍ନା ଅଜଣା...

Image

 

 

Unknown

ତା’ ରୁଟି

(ମୋହନ ରାକେଶ)

 

ବାଲୋ ଜାଣିଥିଲା ଯେ ମଟର ବସ୍‍ ଆସୁ ଆସୁ ଖୁବ୍‍ ଡେରି ହେବ, ତଥାପି ସେ ହାତପାପୁଲିରେ ମୁହଁରୁ ଝାଳ ପୋଛୁଥାଏ ଆଉ ତା’ ଆଖି ବାରମ୍ୱାର ସଡ଼କ ଆଡ଼କୁ ଚାଲିଯାଉଥାଏ । ନକୋଦର ରୋଡ଼ର ସେହି ଖଣ୍ଡକରେ ଛାଇ କରିବାକୁ ଗଛଟିଏ ବି ନଥାଏ । ସେଠିକା ମାଟି ବି ପଥୁରିଆ ଆଉ ଆବଡ଼ା-ଖାବଡ଼ା । କ୍ଷେତ ସେଠୁ ତିରିଶ ଗଜ ଅନ୍ତରରେ ଆରମ୍ଭ-। ସେତେବେଳେ କ୍ଷେତ ବି ଖାଁ-ଖାଁ, କିଛି ନଥାଏ । ଫସଲ ଉଠିଗଲାପରେ ଖାଲି ଜମିଟାକୁ ହଳକରାହୋଇଥାଏ । ତେଣୁ ଚାରିଆଡ଼େ ଯୁଆଡ଼େ ଦେଖିଲେ ଖାଲି ମାଟିଆ-ମାଟିଆ । ବାଲୋ ଯେଉଁଠି ଠିଆହୋଇଥାଏ ସେ ଜାଗାରେ ମାଟିଆ ବର୍ଣ୍ଣ ଅପେକ୍ଷା ତାତିରେ ତରଳିଥିବା ନକୋଦର ରୋଡ଼ର୍‍ ହାଲୁକା କଜଳ-କଳା ରଙ୍ଗଟା ଟିକିଏ ଭିନେ ଦିଶୁଥିଲା । ସେଠୁ ଖଣ୍ଡେ ଦୂରରେ ଥାଏ ଖଣ୍ଡେ କାଠ ଚାଳିଆ । ସେଠି ଯୋଡ଼ାଏ ବଡ଼ ବଡ଼ ପାଣିହାଣ୍ଡି ପାଖେ ବସି ଜଣେ ଦରବୁଢ଼ା ଲୋକ ଢୁଳୋଉଥାଏ । ଢୁଳୋଉ ଢୁଳୋଉ ପଡ଼ିଗଲାଭଳି ହେଲାବେଳେ ସେ ଝାଙ୍କଖାଇ ସମ୍‍ହାଳି ନେଉଥାଏ । ପୁଣି ଆଖପାଖର ବାତାବରଣ ଉପରେ ଗୋଟାଏ ଉଦାସ ଦୃଷ୍ଟି ପକାଇଦେଇ ଆଉ ଗାମୁଛାରେ ବେକର ଝାଳ ପୋଛିଦେଇ ସେ ସେମିତି ଢୁଳୋଉଥାଏ । ଗୋଟାଏ କରରେ ଅଢ଼େଇଫୁଟ ତିନିଫୁଟ ଭିତରେ ଚାଳିଆର ଛାଇଟା ପଡ଼ିଥାଏ । ଆଉ ଗୋଟାଏ ଭିକାରି, ତା’ର ଦାଢ଼ି ଖୁବ୍‍ ବଢ଼ିଥାଏ, ଚାଳିଆରେ ଭରାଦେଇ ଲୋଭେଇଲା ଆଖିରେ ବାଲୋର ହାତ ଆଡ଼କୁ ଅନାଇଥାଏ । ତା’ ପାଖରେ କୁକୁରଟାଏ ବସିଥାଏ, ଆଉ କୁକୁରର ଲକ୍ଷ୍ୟ ବି ବାଲୋର ହାତ ଆଡ଼କୁ ଥାଏ ।

 

ବାଲୋ ହାତର ରୁଟିକୁ ମଇଳା କାନିରେ ଗୁରେଇଥାଏ । ସେ ତାକୁ ଅସୁରଦୃଷ୍ଟିରୁ ରକ୍ଷା କରିବାକୁ ଚାହିଁଥିଲା । ସେ ରୁଟି ସେ ଆଣିଥିଲା ତା’ ସ୍ୱାମୀ ସୁଚାସିଂ ମଟର ଡ୍ରାଇଭର ପାଇଁ, କିନ୍ତୁ ଡେରି ହୋଇଯିବାରୁ ସୁଚାସିଂର ବସ୍‍ ଚାଲିଯାଇଥିଲା । ଆଉ ସେ ଅଇଛା ଏଇ ଉଦ୍ୟମରେ ଠିଆହୋଇଥିଲା ଯେ ବସ୍‍ ନକୋଦର ପହଞ୍ଚି ଫେରିଆସିଲେ ସେ ରୁଟି ଦେଇଦେବ । ସେ ଜାଣିଥିଲା ଯେ ତା’ ସମୟ ଜଗି ରୁଟି ନପହଞ୍ଚିଲେ ସୁଚାସିଂ ଭାରୀ ରାଗିବ । ଏମିତିରେ ତ ତା’ ବସ୍‍ଟା ଜଳନ୍ଧରରୁ ବାହାରି ଦି’ଟାବେଳେ ଏଠିକି ଆସେ, ଆଉ ନକୋଦର ପହଞ୍ଚି ରୁଟି ଖାଉ ଖାଉ ତାକୁ ତିନି ସାଢ଼େ-ତିନି ବାଜେ । ବାଲୋ ତା’ପାଇଁ ରାତିରେ ଖାଇବାକୁ ରୁଟି ସେହି ଏକାସଙ୍ଗରେ ଦେଇଦିଏ । ତାକୁ ସୁଚାସିଂ ଶେଷ ଖେପାରେ ନକୋଦର ପହଞ୍ଚିଲାପରେ ଖାଏ । ସାତଦିନ ଭିତରୁ ସୁଚାସିଂହ ଡିଉଟି ଥାଏ ଛ’ଦିନ; ଆଉ ଛ’ଦିନଯାକ ଏହି କ୍ରମରେ କଟେ । ବାଲୋ ଗୋଟାଏବେଳେ କି ଗୋଟାଏ ବାଜିବାକୁ ପନ୍ଦର ମିନିଟ୍‍ ଥାଇ ରୁଟି ଘେନି ଗାଁରୁ ବାହାରେ; ଆଉ ଖରାରେ ଅଧକୋଶ ବାଟ କଟେଇ ଦୁଇଟା ନ ବାଜୁଣୁ ସଡ଼କ କରରେ ପହଞ୍ଚିଯାଇଥାଏ । କେବେ ତା’ର ଦି’ଚାରି ମିନିଟ୍‍ ଡେରି ହୋଇଗଲେ ସୁଚାସିଂ କୌଣସି ଗୋଟାଏ ଆଳ ଦେଖାଇ ବସ୍‍କୁ ସେଠି ଟିକିଏ ଅଟକାଇଥାଏ; କିନ୍ତୁ ବାଲୋ ଆସୁ ଆସୁ ସେ ଗାଳିଦେଇ କହେ ସେ ସରକାରୀ ଚାକର, ବାଲୋର ବାପର ଚାକର ନୁହେଁ ଯେ ତା’ପାଇଁ ଅପେକ୍ଷା କରି କରି ବସ୍‍କୁ ଠିଆକରାଇ ରଖିହେବ-। ସେ ତୁନି ହୋଇ ତା’ ଗାଳି ଶୁଣାଯାଏ ଆଉ ତାକୁ ରୁଟି ଦେଇଦିଏ ।

 

କିନ୍ତୁ ଆଜି ସେ ଡେରିରେ ଆସିଲା ଯେ ଦି’ଚାରି ମିନିଟ୍‍ ଡେରି ନୁହେଁ, ଦି’ଘଣ୍ଟା ଅଢ଼େଇ ଘଣ୍ଟା ଡେରି । ସେ ଜାଣିଥିଲା ଯେ ସେତେବେଳେ ସେଠି ପହଞ୍ଚିବାର ଆଉ କିଛି ଅର୍ଥ ନାହିଁ । ବଡ଼ ବିଚଳିତ ମନରେ ସେ ଘରୁ ବାହାରିଥିଲା–ତାକୁ ଯେମିତି ଲାଗୁଥାଏ ଯେ ସେ ଯେତେ ବେଶୀ ବେଳ ସଡ଼କକରରେ ଅପେକ୍ଷା କରି କଟାଇବ ସୁଚାସିଂର ବିରକ୍ତି ସେତିକି କମିଯିବ । ସୁଚାସିଂ ନକୋଦରରେ କୌଣସି ହୋଟେଲରେ ଦିନର ରୁଟି ଯେ ଖାଇଦେଇଥିବ ଏ କଥା ନିଶ୍ଚିତ । କିନ୍ତୁ ଜରୁରୀ ଦରକାର ଥିଲା ତାକୁ ରାତିର ରୁଟି ଦେବା ଆଉ ସଙ୍ଗେ ସଙ୍ଗେ ଏ କଥା ବି ବୁଝେଇବା ଯେ କେଉଁ କାରଣରୁ ତା’ର ଆଜି ଏତେ ଡେରିହେଲା । ସେ ସମୁଦାୟ ଘଟନାକୁ ତା’ ମନ ଭିତରେ ଘୋରତେଇ ପୋରତେଇ ହୋଇ ହେତୁ କରୁଥାଏ, ଆଉ ଭାବୁଥାଏ କିଭଳି ବାଗରେ ସୁଚାସିଂକୁ କଥାଟା କୁହାଗଲେ ସେ ସବୁକଥା ବୁଝିପାରିବ ଅଥଚ ହଠାତ୍‍ ରାଗରେ ନିଆଁ ବାଣ ହେବନାହିଁ । ସେ ଜାଣିଥିଲା ଯେ ସୁଚାସିଂର ରାଗଟା ଭାରି ଖରାପ, ଆଉ ସେ ଏକଥା ବି ଜାଣିଥିଲା ଯେ ଜଙ୍ଗୀ ବିଷୟରେ ଯଦି ତାକୁ ଅଖାଡ଼ୁଆ କରି କିଛି କହିଦେବ ତେବେ ସୁଚାସିଂ ଫାର୍ସା ନଉଠେଇଲେ କଥା କହିବ ନାହିଁ ।

 

ଜଙ୍ଗୀ ବିଷୟରେ ବହୁତ କଥା ଶୁଣାହେଉଥିଲା । ଗଲା ବର୍ଷ ସେ ଗାଁର ଗୋଟିଏ ବିଭାହେଲା ମାଇକିନିଆକୁ ସଙ୍ଗରେ ଘେନି ଚାଲିଯାଇଥିଲା । ମାଇକିନିଆଟି ଗାଁରୁ ପଳେଇଲା । ଆଉ ଜଙ୍ଗୀ ତାକୁ କେଜାଣି କୁଆଡ଼େ ନେଇଯାଇ ବିକିଦେଲା । ପୁଣି ନକୋଦରର ପଣ୍ଡିତ ଜୀବରାମଙ୍କ ସଙ୍ଗରେ ତା’ର କଜିଆ ଲାଗିଲା ଯେ ଜଙ୍ଗୀ ତାକୁ ହଣେଇପକାଇ ପ୍ରାଣରୁ ଶେଷକରିଦେଲା । ଗାଁଲୋକେ ତାଠୁଁ ଦୂରଛଡ଼ା ଦେଇ ରହୁଥିଲେ; କିନ୍ତୁ ତା’ ସଙ୍ଗରେ ଛିଣ୍ଡୁ ନଥିଲେ-। କିନ୍ତୁ ସେ ଲୋକଟାର ଲକ୍ଷେ ଅପକର୍ମ କଥା ଶୁଣି ସୁଦ୍ଧା କେବେ ଭାବି ନଥିଲା ଯେ ଚଉଦ ବର୍ଷର ଝିଅ ଜିନ୍ଦାକୁ ଏକୁଟିଆ ପାଇ ସେ ତାକୁ ଭିଡ଼ା-ଓଟରା କରିବାକୁ ଚେଷ୍ଟା କରିବ । ସହଜେ ତ ବୟସରେ ସେ ଜିନ୍ଦାର ତିନିଗୁଣ ହେବ, ପୁଣି ବର୍ଷେ ହେଲା ସେ ଜିନ୍ଦାକୁ ‘ଝିଅ’ ବୋଲି ଡାକୁଛି, ଅଥଚ ଆଜି ତା’ର ଏଡ଼େ ଉଗୁରୁ ହେଲା ଯେ ଜିନ୍ଦା କ୍ଷେତରୁ ଫେରି ଆସୁ-ଆସୁ ସେ ତା’ ହାତକୁ ଧରିପକାଇଲା ।

 

ବାଲୋ ଜିନ୍ଦାକୁ ନନ୍ତୀ ପାଖକୁ ଯାଇ ଥୋଡ଼ାଏ ଶୁଖିଲା ଘଷି ମାଗି ଆଣିବାକୁ ପଠାଇଥିଲା । ଗାଁରେ ଚାଷଜମିମାନଙ୍କର ଗୋଟାଏ ପଟେ ଏକା ସୁଚାସିଂର ଘର; କ୍ଷେତର ଆରପଟେ ଗାଁର ଅନ୍ୟାନ୍ୟ ଲୋକଙ୍କ ଘର । ବାଲୋ ଅପେକ୍ଷା କରି ବସିଥାଏ କେତେବେଳେ ଜିନ୍ଦା ଘଷି ଆଣିବ, ତା’ହେଲେ ବାଲୋ ରୁଟି ତିଆରି କରି ଚଞ୍ଚଳ ଚଞ୍ଚଳ ରୁଟିତକ ଚୁଲିରେ ସେକିଦେଲେ ତାକୁ ନେଇ ସୁଚାସିଂର ବସ୍‍ ନଆସୁଣୁ ସଡ଼କ କରରେ ପହଞ୍ଚିଯାଇଥିବ । କିନ୍ତୁ ଜିନ୍ଦା ଯେତେବେଳେ ଆସିଲା, ସେ ଖାଲିହାତରେ ଆସିଲା, ଘଷି ଆଣିନାହିଁ । ତା’ ମୁହଁ ଶେଥା ଆଉ ହଳଦିଆ ପଡ଼ିଯାଇଥାଏ । କାହିଁକି ସେ ଡେରି କରୁଛି ବୋଲି ବାଲୋ ତା’ ଉପରେ ରାଗିଥିଲା ସିନା; କିନ୍ତୁ ତା’ ମୁହଁକୁ ଚାହିଁଦେଇ ବାଲୋର ଛାତି ଗୋଟାଏ ଅଜଣା ଭୟରେ ଥରିଉଠିଲା ।

 

ସେ ଏକାଧ୍ୟାନରେ ତା’ ମୁହଁକୁ ଅନାଇଁ କହିଲା, ‘‘କିଲୋ କ’ଣ ହେଲା ? କିଲୋ ଜିନ୍ଦୀ, ତୁ ସେମିତି କାହିଁକି ହଉଛୁ ?’’

 

ଜିନ୍ଦା ତୁନି ହୋଇ ତା’ ପାଖରେ ଯାଇ ବସିପଡ଼ିଲା, ଆଉ କାନ୍ଧ ଉପରେ ମୁଣ୍ଡ ଥୋଇ କାନ୍ଦିଲା ।

 

‘‘ତତେ ମୋ ରାଣଟି, କ’ଣ ହେଲା କହ ?’’

 

ଜିନ୍ଦା କିଛି କହିଲା ନାହିଁ, ଖାଲି ଆହୁରି ବାଡ଼ପାଟିରେ କାନ୍ଦିଲା !

 

ତା’ ମୁଣ୍ଡକୁ ହାତରେ ଆଉଁସୁ ଆଉଁସୁ ବାଲୋ ପଚାରିଲା, ‘‘କିଏ ତତେ କ’ଣ କହିଲା କିଲୋ ?’’

 

କାନ୍ଦୁ କାନ୍ଦୁ ରୁକ୍ଷସ୍ୱରରେ ଜିନ୍ଦା କହିଲା, ‘‘ତୁ ମତେ ଆଉ ଘସି-ଫସି ଆଣିବାକୁ ପଦାକୁ ପଠେଇବୁ ନାଇଁ ଜାଣିଥା । ଆଜିଠୁଁ ମୁଁ ଘର ବାହାରକୁ ଯିବି ନାହିଁ । ଜଙ୍ଗୀ–ସେ ମୁଆ ଜାତିର ଲୋକଟା ଆଜି ମତେ କହୁଥିଲା କଣନା...’’ ତା’ ତଣ୍ଟି ରୁନ୍ଧି ହୋଇଗଲା, ସେ ଆଉ କିଛି କହିପାରିଲା ନାହିଁ ।

 

‘‘ଜଙ୍ଗୀ ତତେ କ’ଣ କହୁଥିଲା ଲୋ ? କହିବୁଟି ?’’ ସତେ ଯେମିତି ଗୋଟାଏ ବୋଝ ତଳେ ଚାପି ହୋଇ ସେ କଥା କହୁଛି ସେମିତି ସେ କହିଲା, ‘‘ତତେ ମୋ ରାଣଟି, ଇଲୋ କହୁନୁ କାହିଁକି ଲୋ ?’’

 

ଜିନ୍ଦା କଇଁକଇଁ ହୋଇ କାନ୍ଦି କାନ୍ଦି କହିଲା, ‘‘ସେ କହୁଥିଲା, ଚାଲ ଜିନ୍ଦା ଘର ଭିତରକୁ ଯିବୁ, ସରବତ୍‍ ପିଇବୁ । ଆଜି ତୁ କେଡ଼େ ସୁନ୍ଦର ଦିଶୁଛୁ ଲୋ... ।’’

 

‘‘ଛୋଟ ଜାତି ମୁଆଁ କାହିଁକା !’’ ବାଲୋ ହଠାତ୍‍ ରାଗରେ ନିଆ ହୋଇଗଲା, ‘‘ସେଇଟା ଆଖିକି ତା’ ନିଜ ମା ବେଶ୍ୟାଟା ସୁନ୍ଦର ଦିଶୁନାହିଁ ? ସେ ଜଙ୍ଗୀ ମୁଆ ଆଖିରେ ପୋକପଡ଼ୁ । ହାରେ ଆଣ୍ଠୁକୁଡ଼ା, ତୋର ଝିଅଟାଏ ଥିଲେ ତ ଏଡ଼ିକିଟାଏ ହୁଅନ୍ତାଣିରେ ! ତୋ କୁଳ-ବଉଁଶ ବୁଡ଼ୁ । ...ସେଇଠୁ ତୁ କ’ଣ କହିଲୁ ?’’

 

‘‘ମୁଁ କହିଲି ଦାଦି, ମତେ ଶୋଷ କରୁନାହିଁ ।’’ ଜିନ୍ଦା ଟିକିଏ ସମ୍ଭାଳି ନେଇ କହିଲା ।

 

‘‘ସେଉଠୁ ?’’

 

‘‘କହିଲା, ଶୋଷ ନକଲେ ନାହିଁ, ମନ୍ଦିଏ ପିଇଦେଲୋ । ୟେ ଦାଦିର ସରବତ୍‍, ଥରେ ପିଇଲେ ତୁ ମନେରଖିଥିବୁଲୋ । ସେଇଠୁ ମୋ ଡେଣା ଧରି ଓଟାରିଲା ।’’

 

‘‘ହା’ରେ ବାଡ଼ିପଶା । ସର୍ବନାଶ ହୋଇଯା । ତୋ ଘର ଜଳିଯାଉ । ରଇଥା ଆସନ୍ତୁ ସୁଚାସିଂ । ଚୁଲିପଶା ଜଂଗୀ ମୁଆ, ମୁଁ ତତେ ଟିକି ଟିକି କରି ନହଣେଇଛି ତ ମତେ କହିବୁ । ତୁ ମରିଯା, ଜଳିଯା, ତୁ ଶୋଇବାଠୁଁ ଆଉ ନଉଠ୍‍ । ହଁ, ସେଉଠୁ କ’ଣ ହେଲାଲୋ ?’’

 

‘‘ମୁଁ ମୋ ବାହାଟା ଛଡ଼େଇ ନେବାକୁ ଚେଷ୍ଟାକଲି ତ ମତେ ମିଠେଇ ଦେବି କହି ଭୁଲେଇବାକୁ ଚେଷ୍ଟା କଲା । ମୋ ହାତରୁ ଘସିଗୁଡ଼ାକ ସେଇଠି ପଡ଼ିଗଲା । ମୁଁ ତାକୁ ସେଇଠି ଛାଡ଼ିଦେଇ ହାତ ଛଡ଼େଇ ନେଇ ପଳାଇଆସିଲି ।’’

 

ସେ ନିଘା ଦେଇ ଜିନ୍ଦାର ମୁଣ୍ଡରୁ ଗୋଡ଼ଯାକେ ଦେଖିଗଲା; ସେଉଠୁ ତାକୁ କୁଣ୍ଢେଇ ପକାଇଲା ।

 

‘‘ତତେ ଆଉ କିଛି କହିନାହିଁ ତ ସେ ?’’

 

‘‘ମୁଁ ଯେମିତି ଖଣ୍ଡେଦୂର ଚାଲିଆସିଛି ସେଉଠୁ ପଛରୁ ହି ହି ହସି କହିଲା, ଝିଅଲୋ, ତୁ ଖରାପ ଭାବିଲୁ ନାହିଁ ତ ? ତୋ ଘସିତକ ଗୋଟେଇ ନେଇଯାଲୋ । ମୁଁ ତୋ ସଙ୍ଗରେ ଗେଲ ଲଗେଇଥିଲି ନା, ତୁ ଏତିକି ବୁଝି ପାରିଲୁ ନାହିଁ ! ଚାଲିଆ ଏଠିକି । ନ ଆସିଲେ ମୁଁ ଆଜି ଯାଇ ତୋ ଭଉଣୀ ଆଗରେ ଫେରାଦ୍‍ ହେବି, କହିବି ଯେ ଜିନ୍ଦା ଭାରି ଅବାଧ୍ୟ ହେଲାଣି, କଥା ମାନୁନାହିଁ-।’ କିନ୍ତୁ ମୁଁ ତା’ କଥାକୁ ଉତ୍ତର ଦେଲିନାହିଁ କି ମୁହଁ ବୁଲେଇ ତା’ ଆଡ଼କୁ ଅନେଇଁଲି ବି ନାହିଁ, ସିଧା ଘରକୁ ଚାଲିଆସିଲି ।’’

 

‘‘ଭଲକଲୁ । ମୁଁ ତା’ ହାଡ଼ ତା’ ପଞ୍ଜରା ସବୁ ଭାଙ୍ଗି ଚୂରି ଏକାକାର କରିଦେଇ ତେବେ ଛାଡ଼ିବି । ତୁ ରଇଥା ତ, ତୋ ଭିଣୋଇ ଆସନ୍ତୁ । ମୁଁ ଅଇଛା ଯାଇ ତାଙ୍କୁ ସବୁ କଥା କହେଁ । ଲୋକଟାକୁ ଏ କଥା ମାଲୁମ୍‍ ନାହିଁ କି ଜିନ୍ଦା ସୁଚାସିଂ ଡ୍ରାଇଭରଙ୍କ ଶାଳୀ; ଟିକିଏ ବୁଝିଶୁଝି ହାତ ଦିଏଁ ।’’

 

ସେଉଠୁ ଟିକିଏ କ’ଣ ଭାବି ପଚାରିଲା, ‘‘ସେଠି ତତେ ଆଉ କେହି ଦେଖି ନାହିଁ ତ ?’’

 

‘‘ନାହିଁ । କ୍ଷେତ ଏପଟେ ଆମ୍ୱଗଛତଳେ ରାଧି ଦାଦି ବସିଥିଲେ । ସେ ଦେଖି ପଚାରିଲେ, ‘ଝିଅ ଏତେବେଳଟାରେ ଖରାରେ କୁଆଡ଼ୁ ଆସୁଛୁ’ । ମୁଁ କହିଲି, ଅପା ପେଟ ଟାଣିଲା ଯେ ବଇଦ ପାଖକୁ ଚୂର୍ଣ୍ଣ ଆଣିବାକୁ ଯାଇଥିଲି ।’’

 

‘‘ଭଲ କଲୁ । ସେ ଜଙ୍ଗୀ ମୁଆ ଲୋକଟା ତ ବଜ୍ଜାତ୍‍ଟାଏ । ଯଦି ତା’ ନାଁ ସଙ୍ଗରେ ତୋ ନାଁ କିଏ ଯୋଡ଼ିଦେବ ତ ତୁଛାକୁ ତୋ ମହତ ସରିଯିବ । ସେଇଟା ତ ରଇଜଳାଟାଏ, ତା’ର କ’ଣ ବୁଦ୍ଧି ସୁଧି ଅଛି । ଲୋକଙ୍କ କଥା କ’ଣ ? କେମିତି ଡେଙ୍ଗୁରା ପିଟି ସଜଫୁଲରେ ପୋକ ପକେଇବେ ସେଇଥିପାଇଁ ଓର ଉଣ୍ଡି ଥାନ୍ତି ।’’

 

ତା’ ଉତ୍ତାରୁ ପୁଣି ଘସି ଯୋଗାଡ଼ କରି ରନ୍ଧା ସାରୁ ସାରୁ ଭାରି ଡେରି ହୋଇଗଲା । ଯେତେବେଳେ ସେ ତାଟିଆରେ ଆଳୁ ତରକାରି ଆଉ ଆମ୍ୱ ଆଚାର ପୂରାଇ ତାଟିଆ ଆଉ ରୁଟିକୁ ଏକାଠି ଥୋଇ ଖଦଡ଼ କନାରେ ବୁଜୁଳା କଲା, ସେତେବେଳକୁ ସେ ଜାଣିଥିଲା ଯେ କେତେବେଳୁ ତ ଦି’ଟା ବାଜିଭଲାଣି, ସୁଚାସିଂର ଦ୍ୱିପ୍ରହର ବେଳର ଖାଇବା ପାଇଁ ରୁଟିତକ ସେ ଆଉ ତା’ କତିରେ ପହଞ୍ଚାଇ ଦେଇ ପାରିବ ନାହିଁ । ତେଣୁ ସେ ରୁଟିକୁ ରଖିଦେଇ ଅନ୍ୟାନ୍ୟ କାମ କରୁଥାଏ । କିନ୍ତୁ ଯେଉଁଠୁ ତା’ର ସବୁକାମ ସରିଲା, ହାତରେ ଆଉ କାମ ନାହିଁ, ସେତେବେଳେ ବି ସେ ବସ୍‍କୁ ଅନିଷା କରିବାକୁ ଘରୁ ବାହାରିପଡ଼ନ୍ତା, ଏ କଥା ବି ତା’ଦ୍ୱାରା ହେଲା ନାହିଁ । ତା’ପରେ, ଯେଉଁଠୁ ଯେଉଁଠୁ ସାଢ଼େ ତିନି କି ଚାରି ବାଜିଗଲା, ବାଲୋ ରୁଟି ଘେନି ଯିବ ବୋଲି ଅତି କଷ୍ଟରେ ସଜହେଲା ।

 

ଜିନ୍ଦା ପଚାରିଲା, ‘‘ଅପା, ତୁ ଯାଉଛୁ ଯେ, କେତେବେଳେ ଆସିବୁ ?’’

 

‘‘ଛାଇ ଲେଉଟି ନଥିବ ଫେରିଆସିବି ଯେ ।’’

 

‘‘ଝଅଟି ଆସିବୁଟି, ଏକୁଟିଆ ମତେ ଡରମାଡ଼ିବ ।’’

 

‘‘ଇଲୋ ଡରିବୁ କାହିଁକି ବା ।’’ ସେ ଆଖିଦୁରୁଶିଆ ସାହସ ଦେଖାଇ କହିଲା, ‘‘କିଲୋ, କାହାର ଏଡ଼େ ସାହସ ଯେ ତୋ ଆଡ଼କୁ ଆଖି ଟେକି ତତେ ଅନାଇଁ ଦେବ ? ତୋ ଭିଣୋଇ ଜାଣିଲେ ତାକୁ କଞ୍ଚା ଖାଇଦେବ ନାହିଁ ? ମୁଁ ସେତେ ଡେରି କରିବି ନାହିଁ ଯେ ! ସଞ୍ଜ ନହେଉଣୁ ମୁଁ ଆସି ଘରେ ପହଞ୍ଚିଥିବି । ତୁ କ’ଣ କରିବୁ ନା ଭିତରପଟୁ ଶିଙ୍କୁଳି ଲଗାଇଦେଇଥିବୁ, ବୁଝିଲୁ ? କିଏ ଯଦି କବାଟ ଧଡ଼ଧଡ଼ କରିବ ନା, ତୁ ଆଗ ତା’ ନାଁ ପଚାରିବୁ ।’’ ପୁଣି ସେ ଟିକିଏ ଧୀର ସ୍ୱରରେ କହିଲା, ‘‘ଆଉ ଧର ଯଦି ଜଂଗୀ ଆସେ, ଆଉ ପଚାରେ ଯେ ମୁଁ କୁଆଡ଼େ ଗଲି, ତେବେ ତାକୁ କହିଦେବୁ ମୁଁ ଯାଇଛି ସୁଚାସିଂକୁ ଡାକି ଆଣିବି ବୋଲି । ବୁଝିଲୁ ? ନାଇଁ ନାଇଁ, ଥାଉ ଥାଉ, ତୁ ତାକୁ ଜମା ପାଟି ଫିଟେଇବୁ ନାହିଁ । ଭିତରୁ ଜବାବ୍‍ ବି ଦେବୁ ନାହିଁ । ବୁଝିଲୁ ?’’

 

ସେ ଫାଟକ ଦୁଆରମୁହଁରେ ହେଲାମାତ୍ରେ ଜିନ୍ଦା ତା’ ପଛରେ ଥାଇ କହିଲା, ‘‘ଅପା, ମୋ ଛାତି ଧଡ଼ଧଡ଼ ହଉଚି ।’’

 

‘‘କିଲୋ, ବାଇଆ ହେଲୁ ?’’ ଭଉଣୀକୁ ଶରଧାରେ ଟିକେ ଝାଂକି ଦେଇ ବାଲୋ କହିଲା, ‘‘କତିରେ ତ ଗାଁ ଗୋଟାକଯାକ, ଆଉ ଛାନିଆଁ କେଉଁଥିପାଇଁ ? ତୁ ନିଜେ ବି ଏଡ଼େ ହୁସିଆର, ଏମିତି କାହିଁକି ଆବାକାବା ହେଉଛୁ ?’’

 

କିନ୍ତୁ ଜିନ୍ଦାଙ୍କୁ ସାହସ ଦେଇ ସୁଦ୍ଧା ତା’ର ମନ ସନ୍ତୋଷ ହେଲାନାହିଁ । ସଡ଼କକରରେ ପହଞ୍ଚିଲା ବେଳଠୁଁ ସେ ଅନାଇଁଥାଏ । କାଳେ କୌଣସି ପ୍ରକାରେ ସୁଚାସିଂ ଚଞ୍ଚଳ ଆସି ପହଞ୍ଚନ୍ତା କି, ତା’ହେଲେ ତାକୁ ସେ ରୁଟିତକ ଦେଇ ଚଞ୍ଚଳ ଜିନ୍ଦା ପାଖକୁ ଲେଉଟିଯାଆନ୍ତା ।

 

‘‘ବାବୁ, ଦିଟା ବେଳ ବସ୍‍ଟା ଏ ବାଟେ ଯାଇ କେତେ ସମୟ ହେଲାଣି କି ?’’ –ସେ ସେହି ଭିକାରିକି ପଚାରିଲା, ଯାହାର ଆଖି ଏପର୍ଯ୍ୟନ୍ତ ତା’ ହାତର ରୁଟିରେ ଲାଖିଥାଏ । ଖରାତେଜ କମି ନଥାଏ, ଯଦିଚ ଚାଳିଆର ଛାଇଟା ଆଗଠୁଁ ଖୁବ୍‍ ଲମ୍ୱା ହୋଇଯାଇଥାଏ । କୁକୁରଟା ଜଳଛତ୍ରତଳର ପଟାତଳେ ପାଣିରେ ପାଟିକୁ ମାଡ଼ିସାରି ତା’ପରେ ତା’ ଆଖପାଖରେ ବୁଲୁଥାଏ ।

 

ଭିକାରି କହିଲା, ‘‘ମତେ ଜଣାନାହିଁ । କେତେ ବସ୍‍ ତ ଆସୁଛି କେତେ ଯାଉଛି, ଏଠି କେଉଁ ଘଣ୍ଟା ଅଛି ଯେ କିଏ ହିସାବ ରଖିଛି ?’’

 

ବାଲୋ ତୁନି ହେଲା । ଗୋଟାଏ ବସ୍‍ ଏଇ ଅଳ୍ପ ସମୟ ହେଲା ନକୋଦର ଆଡ଼କୁ ଚାଲିଯାଇଥାଏ । ତାକୁ ଲାଗୁଥାଏ, ଯେଉଁ ଅରାକରେ ଧୂଳି ବ୍ୟାପିରହିଛି ତା’ ଦିପାଖେ ଯୋଡ଼ାଏ ଭିନେ ଭିନେ ଦୁନିଆଁ ଅଛି । ବସ୍‍ଗୁଡ଼ାକ ଗୋଟାଏ ଦୁନିଆଁରୁ ଆସୁଛନ୍ତି ଆଉ ଆର ଦୁନିଆଁ ଆଡ଼କୁ ଚାଲିଯାଉଛନ୍ତି । ସେଇ ସବୁ ଦୁନିଆଁ, ଯେଉଁଠି ବଡ଼ ବଡ଼ ବଜାର ଅଛି, ଦୋକାନ ଅଛି, ଯେଉଁଠି ଜଣେ ଡ୍ରାଇଭରର ଆୟର ଚାରିଭାଗରୁ ତିନିଭାଗ ପ୍ରତି ମାସରେ ଖର୍ଚ୍ଚ ହୋଇଯାଉଛି,–କେମିତି ହୋଇଥିବଟି ସେ ? ଗଣକ ତାକୁ ସବୁବେଳେ କହେ ଯେ ସୁଚାସିଂ ନକୋଦରରେ ଗୋଟାଏ ରଖୁଣୀ ମାଇକିନିଆ ରଖିଛି । ଥରେ ହେଲେ ସେ ମାଇକିନିଆକୁ ଦେଖନ୍ତି ବୋଲି ତା’ର ମନ ହୁଏ-। ତାକୁ ଟିକିଏ ନକୋଦର ନେଇ ଦେଖାଇଆଣ ବୋଲି ସେ ଥରେ ସୁଚାସିଂକୁ କହିଥିଲା ଯେ ଓଲଟି ସୁଚାସିଂ ତାକୁ ଗାଳି ଦେଇ କହିଲା, ‘‘କାହିଁକି ? ତତେ କ’ଣ ଘୋଟିଲାଣି କିଲୋ ? ଘରେ ଆଉ ମନ ଲାଗୁନାହିଁ । ‘ସୁଚାସିଂ’ ସେମିତିଆ ମର୍ଦ୍ଦ ନୁହେଁ ଯେ ମାଇକିନିଆର ହାତ ଧରି ରାସ୍ତାରେ ବୁଲିଯିବ । ବୁଲିବାକୁ ଯଦି ଏଡ଼େ ସଉକ ତେବେ ଆଉ ଗୋଟେ ଘଇତା କର । ମୋ ଆଡ଼ୁ ମୁଁ ତତେ ପୂରା ଛୁଟି ଦେଇଦେଲି, ଯା ।’’

 

ତହିଁ ଆର ଦିନଠୁଁ ବାଲୋ ଆଉ ନକୋଦର ଯିବା କଥା କେବେ ଜିଭରେ ଧରିନାହିଁ । ସୁଚାସିଂ ଯାହା ପଛେ ହୋଇଥାଉ, ତା’ର ତ ସେ ସବୁ । ସେ ତାକୁ ଗାଳି ଦିଏ, ମାଡ଼ ଦିଏ, ପୁଣି ତାକୁ ଏଡ଼େ ଗେହ୍ଲା କରେ ଯେ ମାସକୁ ମାସ ଦରମା ପାଇଲେ ତାକୁ ଆଣି କୋଡ଼ିଏ ଟଙ୍କା ଲେଖାଁ ଦେଇଯାଏ । ତାକୁ ଲକ୍ଷେ ଖରାପ କଥା କହୁ ପଛେ ଯେତେହେଲେ ସେ ତାକୁ ନିଜ ଘରଣୀ ବୋଲି ଭାବେ । ତା’ ପାଟିଟା ସିନା ଖର, କିନ୍ତୁ ତା’ ହୃଦୟଟା କଦାପି ମନ୍ଦ ନୁହେଁ । ବାଲୋ ଜିନ୍ଦାକୁ ଘରେ ରଖିଛି ବୋଲି ତା’ ଉପରେ ସବୁବେଳେ ଚିଡ଼େ ସିନା, କିନ୍ତୁ ଗଲା ମାସରେ ସୁଚାସିଂ ନିଜେ ଆଣି ଜିନ୍ଦା ପାଇଁ କାଚ ଆଉ ଅଢ଼େଇ ଗଜ ମଲମଲ କନା ଦେଇଯାଇଥିଲା ।

 

ଗୋଟାଏ ବସ୍‍ ଧୂଳି ଉଡ଼ାଇ ଉଡ଼ାଇ ଦିଗ୍‍ବଳୟର ଆରପାଖରୁ ଆସୁଛି । ବାଲୋ ଦୂରରୁ ଚିହ୍ନିଲା ଯେ ସେଇଟା ସୁଚାସିଂର ବସ୍‍ ନୁହେଁ । ତଥାପି ଯେତେବେଳଯାକେ ବସ୍‍ଟା ତା’ ପାଖକୁ ନ ଆସିଛି ସେତେବେଳଯାକେ ସେ ଉତ୍ସୁକ ଆଖିରେ ତା’ ଆଡ଼କୁ ଅନାଇଁ ରହିଥାଏ । ବସ୍‍ ଆସି ଜଳଛତ୍ର ଆଗରେ ରହିଲା । ଜଣେ ଲୋକ ପିଆଜ ଓ ଶାଲ୍‍ଗମ୍‍ର ବୁଜୁଳି ଧରି ବସ୍‍ରୁ ଓହ୍ଲେଇଲା । ପୁଣି କଣ୍ଡକ୍‍ଟର୍‍ ଜୋରରେ କବାଟ ବନ୍ଦକଲା ଆଉ ବସ୍‍ ଚାଲିଗଲା । ଯେଉଁ ଲୋକ ବସ୍‍ରୁ ଓହ୍ଲେଇଥିଲା ସେ ଜଳଛତ୍ର ପାଖକୁ ଆସି ଜଳଛତ୍ରର ଲୋକକୁ ନିଦରୁ ଉଠାଇଲା ଆଉ ହାଣ୍ଡିରୁ ଦି’ ଲୋଟା ପାଣି ପିଇ ନିଶ ପୋଛି ପୋଛି ନିଜ ବୁଜୁଳି ପାଖକୁ ଲେଉଟିଗଲା ।

 

‘‘ବାବୁ, ନକୋଦର୍‍ରୁ ୟା ଉତ୍ତାରୁ ବସ୍‍ଟା ଆସୁ ଆସୁ କେତେ ବେଳ ହେବ ?’’ ବାଲୋ ଦି’ ପାହୁଣ୍ଡ ଆଗକୁ ଯାଇ ସେ ଲୋକକୁ ପଚାରିଲା ।

 

‘‘ଘଣ୍ଟା-ଘଣ୍ଟାକେ ତ ବସ୍‍ ଯାଏ ଭଉଣୀ !’’ ସେ କହିଲା, ‘‘ତୁମର କୁଆଡ଼େ ଯିବାର ଅଛି କି ?’’

 

‘‘ଜାଣିନାହିଁ ବାବୁ ! ବସ୍‍କୁ ଅପେକ୍ଷା କରିଛି । ସୁଚାସିଂ ଡ୍ରାଇଭର୍‍ ମୋ ବର । ତା’ ଖାଇବା ରୁଟି ଆଣିଛି ଯେ...’’

 

‘‘ଓ ସୁଚାସିଂ ।’’ –ସେ ଲୋକର ଓଠ ଉପରେ କେମିତି ଗୋଟାଏ ପ୍ରକାର ମୁରୁକିହସ ଖେଳିଗଲା ।

 

‘‘ତୁମେ ତାଙ୍କୁ ଚିହ୍ନିଛ ?’’

 

‘‘ତାକୁ ନକୋଦରରେ କିଏ ନ ଚିହ୍ନିଛି ଯେ ।’’ ବାଲୋକୁ ତା’ କହିବା ଢଙ୍ଗ ଭଲ ଲାଗିଲା ନାହିଁ, ତେଣୁ ସେ ତୁନିହେଲା । ସୁଚାସିଂ ବିଷୟରେ ଯେଉଁ କଥାଗୁଡ଼ାକ ନିଜେ ଜାଣିଥିଲା ସେଗୁଡ଼ାକ ଅନ୍ୟ ଲୋକ ତୁଣ୍ଡରୁ ଶୁଣିବାକୁ ତାକୁ ଭଲ ଲାଗିଲା ନାହିଁ । ତା’ ସ୍ୱାମୀ ବିଷୟରେ ଏଭଳି କଥାଗୁଡ଼ାଏ କହିଦେବ ବୋଲି ଅନ୍ୟ କାହାର କି ଅଧିକାର, ସେ ତା’ ବୁଝି ପାରୁନଥାଏ ।

 

‘‘ସୁଚାସିଂ ବୋଧହୁଏ ଆର ବସ୍‍ ଧରି ଆସିବ ।’’ –ସେ ଲୋକ ଜଣକ କହିଲା ।

 

‘‘ହଁ, ୟା ପରେ ତାଙ୍କ ବସ୍‍ ଆସିବ ।’’

 

‘‘ତମୁକୁ ଏମିତି ଅପେକ୍ଷା କରେଇ ରଖିଛି ସେଇଟା; କେଡ଼େ ହରକତିଆ ଲୋକଟାଏ ବା ।’’

 

‘‘ହଉ ବାବୁ, ତମ ବାଟରେ ତମେ ଯାଅ ।’’ ବାଲୋ ଚିଡ଼ିଉଠି କହିଲା, ‘‘ସେ କାହିଁକି ମତେ ଅପେକ୍ଷା କରେଇ ରଖନ୍ତେ କି ? ରୁଟି ଆଣି ପହଞ୍ଚାଇ ଦେଉ ଦେଉ ମୋରି ଡେରି ହେଲା ବୋଲି ତାଙ୍କ ବସ୍‍ଟା ଚାଲିଗଲା । ସେ ବିଚରା ସକାଳୁ ଉପାସ ଥିବେ ।’’

 

‘‘ଉପାସ ଥିବ ? କିଏ ସୁଚାସିଂ ?’’ ସେ ଲୋକଟା ଦାନ୍ତ ଦେଖାଇ ହସିଲା । ବାଲୋ ଆରପଟକୁ ମୁହଁ ବୁଲେଇଦେଲା । ‘‘ହରିବୋଲ’’ ବୋଲି କହି ସେ ଲୋକ ନିଜ ବୁଜୁଳିକୁ ମୁଣ୍ଡ ଉପରେ ଥୋଇଦେଲା ଆଉ କ୍ଷେତର ହିଡ଼େ ହିଡ଼େ ଚାଲିଲା । ବାଲୋର ଡାହାଣ ଗୋଡ଼ଟା ନଇଁଯାଉଥାଏ । ସେ ତା’ ଦେହର ଭାରାକୁ ବାଁ ଗୋଡ଼ ଉପରକୁ ଖସେଇ ଦେଇ ଦୀର୍ଘଶ୍ୱାସ ପକାଇଲା ଆଉ ଦୂରର ଶୂନ୍ୟତା ଆଡ଼କୁ ଅନେଇଁରହିଲା ।

 

କେଜାଣି କେତେ ଡେରି ହେଲା ଉତ୍ତାରୁ ଦିଗ୍‍ବଳୟର ସେହି କୋଣରୁ ଆଉ ଗୋଟାଏ ବସ୍‍ ତା’ ଆଡ଼କୁ ଆସୁଥିବାର ତାକୁ ଦେଖାଗଲା । ସେତେବେଳଯାକେ ଠିଆ ହୋଇ ହୋଇ ତା’ ପାଦ ନିସେଇ ପଡ଼ୁଥାଏ । ବସ୍‍ ଦେଖି ସେ ତା’ ବୁଜୁଳିର କନାକୁ ସଜାଡ଼ିଲା । ତା’ ମନ ହନ୍ତସନ୍ତ ହେଉଥାଏ, କାହିଁକି ରୁଟିତକ ସେ ଆହୁରି ଡେରି କରି ତିଆରି କରି ନଆଣିଲା । ତା’ହେଲେ ତ ସେଗୁଡ଼ିକ ରାତିଯାକେ ଆହୁରି ତାଜା ରହିଥାନ୍ତା । ଭାବୁଥାଏ, ସୁଚାସିଂକୁ ତ ‘କଡ଼ାଇ ପ୍ରଶାଦ୍‍’ ଏଡ଼େ ଭଲଲାଗେ, ତେବେ କାହିଁକି ସେ ନଭାବିଲା ଯେ ଆଜି ଥୋଡ଼ାଏ ‘କଡ଼ାଇ ପ୍ରଶାଦ୍‍’ ତିଆରି କରି ନିଏଁ ? ଛାଡ଼, କାଲି ତ ଗୁରୁପର୍ବ; କାଲି ନିଶ୍ଚୟ ତିଆରି କରି ଆଣିବ ।

 

ପଛଆଡ଼େ ଧୂଳିର ଗୋଟେ ଲମ୍ୱା ପଟଳ ସୃଷ୍ଟି କରି ବସ୍‍ଟା ପାଖକୁ ପାଖ ଆସିଯାଉଛି-। ବାଲୋ କୋଡ଼ିଏ ଗଜ ଦୂରରୁ ସୁଚାସିଂର ମୁହଁ ଦେଖି ବୁଝିନେଲା ଯେ ସେ ତା’ ଉପରେ ଖୁବ୍‍ ବିରକ୍ତ । ତାକୁ ଦେଖି ସୁଚାସିଂର ମୁହଁ ଫଣଫଣ ହେଲା, ତା’ ଓଠ ହଲୁନଥାଏ । ଓଠର କଣ ଉପରେ ଦାନ୍ତର ଜାବ ପଡ଼ିଗଲା । ବାଲୋର ଛାତି ଧଡ଼ଧଡ଼ ହେଉଥାଏ । ସେ ରୁଟି ଧରିଥିବା ହାତଟାକୁ ଉପରକୁ ଟେକିଲା, କିନ୍ତୁ ବସ୍‍ ତା’ ପାଖରେ ଅଟକିଲା ନାହିଁ, ଜଳଛତ୍ରଠୁଁ ଖଣ୍ଡେ ଦୂର ଆଗରେ ରହିଲା ।

 

ସେଠି ଜଣେଅଧେ ଲୋକ ଓହ୍ଲାଇବାର ଥାଏ । କଣ୍ଡକ୍‍ଟର୍‍ ବସ୍‍ର ଛାତ ଉପରେ ଚଢ଼ି ଜଣେ ଲୋକର ସାଇକଲ ଓହ୍ଲାଇ ଦେଉଥାଏ । ବାଲୋ ତରତର ହୋଇ ଯାଇ ଡ୍ରାଇଭର-ସିଟ୍‍ ସଳଖେ ପହଞ୍ଚିଗଲା ।

 

‘‘ସୁଚାସିଂ’’ ସେ ତା’ ହାତକୁ ଉଞ୍ଚ କରି ରୁଟିକୁ ଭିତରେ ଦେଇଦେବାକୁ ଚେଷ୍ଟା କରୁ କରୁ କହିଲା, ‘‘ରୁଟି ନିଅ ।’’

 

‘‘ଉଠି ଯା’’–ସୁଚାସିଂହ ତା’ ହାତକୁ ଝାଙ୍କି ଦେଇ ପଛକୁ ପେଲିଦେଲା ।

 

‘‘ସୁଚାସିଂ ମିନିଟିଏ ତଳକୁ ଓହ୍ଲେଇ ପଡ଼ି ମୋ କଥା ଶୁଣି ଯା । ଆଜି ଗୋଟାଏ ଖାସ୍‍ କାରଣ ଘଟିଯାଇଛି, ନ ହେଲେ ମୁଁ...’’

 

‘‘ବକ୍‍ବକ୍‍ ହ ନା, ଉଠ୍‍ ଏଠୁ’’ କହି ସୁଚାସିଂ କଣ୍ଡକ୍‍ଟର୍‍କୁ ପଚାରିଲା ଯେ ଏଠିକାର ସବୁ ଜିନିଷ ଓହ୍ଲାହେଲାଣି କି ନାହିଁ ।

 

‘‘ଖାଲି ଗୋଟାଏ ବାକ୍‍ସ ଅଛି, ଓହ୍ଲେଇଦେଉଛି’’–କଣ୍ଡକ୍‍ଟର୍‍ ଛାତ ଉପରୁ ଜବାବ୍‍ ଦେଲା ।

 

‘‘ସୁଚାସିଂ, ମୁଁ ଦିଘଣ୍ଟା ହେଲା ଅପେକ୍ଷା କରି ଠିଆହୋଇଛି ।’’ ବାଲୋ ନେହୁରା ହେଲା ପରି କହିଲା, ‘‘ତୁମେ ଟିକିଏ ତଳକୁ ଓହ୍ଲେଇ ମୋ କଥାଟା ଶୁଣିଯା ।’’

 

‘‘ବାକ୍‍ସ ଓହ୍ଲାହେଲା ?’’ ସୁଚାସିଂ କଣ୍ଡକ୍‍ଟର୍‍କୁ ପୁଣି ପଚାରିଲା ।

 

‘‘ହଁ ଛାଡ଼ ।’’ ପଛରୁ କଣ୍ଡକ୍‍ଟର୍‍ର ପାଟି ଶୁଭିଲା ।

 

‘‘ସୁଚାସିଂ, ତୁମେ ମୋ ଉପରେ ରାଗିଛ ତ, ହଉ, କିନ୍ତୁ ରୁଟିତକ ନିଅ । ତୁମେ ମଙ୍ଗଳବାର ଦିନ ଘରକୁ ଆସିଲେ ମୁଁ ତୁମୁକୁ ସବୁକଥା ବୁଝେଇଦେବି ।’’ ବାଲୋ ହାତକୁ ଆହୁରି ଉଞ୍ଚ କଲା ।

 

‘‘ମଙ୍ଗଳବାର ଦିନ ଘରକୁ ଆସିବ ତୋ...’’ ଆଉ ଗୋଟାଏ ଅଶ୍ଳୀଳ ଗାଳି ଦେଇ ସୁଚାସିଂ ଷ୍ଟାର୍ଟ କଲା ।

 

ଦିନ ଢଳୁଢଳୁ ଆକାଶର ରଙ୍ଗ ବଦଳୁଥାଏ । ମଝିରେ ମଝିରେ ଗୋଟାଏ ଗୋଟାଏ ଚଢ଼େଇ ଉଡ଼ି ଉଡ଼ି ଆକାଶକୁ ପାରିହୋଇ ଯାଉଥାନ୍ତି । କ୍ଷେତରେ ଠାଏ ଠାଏ ରଙ୍ଗ-ରଙ୍ଗର ପଗଡ଼ିମାନ ଦେଖାଯିବା ଆରମ୍ଭ ହୋଇଥାଏ । ବାଲୋ ଜଳଛତ୍ରରୁ ପାଣି ପିଇଲା ଆଉ ଆଖିରେ ପାଣି ଛିଟା ମାରି କାନିରେ ମୁହଁ ପୋଛିଲା । ପୁଣି ଜଳଛତ୍ରଠୁଁ ଖଣ୍ଡେ ଦୂରରେ ଯାଇ ଠିଆହୋଇପଡ଼ିଲା । ସେ ଜାଣିଥିଲା ଯେ ଏଥର ସୁଚାସିଂର ବସ୍‍ ଜଳନ୍ଧରରୁ ରାତି ଆଠଟା ନଅଟା ବେଳେ ଫେରିବ । କ’ଣ ସେତେବେଳଯାଏ ତାକୁ ଅପେକ୍ଷା କରି ସେ ଏଠି ଥିବା ଦରକାର ?’’ ସୁଚାସିଂର ଅନ୍ତତଃ ଏତକ ତ କରିବା ଦରକାର ଥିଲା ଯେ ଓହ୍ଲେଇ ପଡ଼ି ତା’ କଥା ଶୁଣିଥାନ୍ତା । ତେଣେ ଘରେ ଜିନ୍ଦା ବିଚରା ଏକୁଟିଆଟା ଡରୁଥିବ । ଜଙ୍ଗୀ ମୁଆଟା ଯଦି କୌଣସି ଗୋଟାଏ ଦେଖେଇ-ଦେଖାଇ ପଛେ ଆସି ପହଞ୍ଚିଯିବ ? ସୁଚାସିଂ ତା’ଠୁଁ ରୁଟିତକ ନେଇଥିଲେ ସେ ଲେଉଟିଯାଇ ଅଧଘଣ୍ଟାରେ ଘରେ ପହଞ୍ଚିଯାଇଥାନ୍ତା । ବର୍ତ୍ତମାନ ରୁଟି ତ ସେ ପଦାରେ କେଉଁଠି ହେଲେ ଖାଇଥିବ, କିନ୍ତୁ ତା’ ରାଗ ଯିବ କୁଆଡ଼େ ? ସୁଚାସିଂର ରାଗ ଅକାରଣ ବି ତ ନୁହେଁ । ତା’ର ପରିଶ୍ରମୀ ଦେହ, ଆଉ ତାକୁ ଭୋକ ବି କରେ ଖୁବ୍‍ । ସେ ଯଦି ଆହୁରି ଥୋଡ଼ାଏ ନେହୁରା ହୋଇଥାନ୍ତା ତେବେ ସେ ନିଶ୍ଚୟ ରାଜି ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ?

 

ଜଳଛତ୍ରବାଲା ଜଳଛତ୍ର ବନ୍ଦ କରୁଥାଏ । ଭିକାରିଟି କେଜାଣି କେତେବେଳୁ ଉଠି ଚାଲିଗଲାଣି । ହଁ, କୁକୁରଟା ସେତେବେଳେ ବି ଆଖପାଖରେ ବୁଲୁଥାଏ । ଖରା ନଇଁଯାଇଥାଏ, ଆଉ ଆକାଶରେ ଉଡ଼ନ୍ତା ଚଢ଼େଇପଲ ସୁନେଲି ଦିଶୁଥାନ୍ତି । ବାଲୋକୁ ସଡ଼କର ସେପାଖ ଯାକେ ବିଛେଇ ହୋଇ ପଡ଼ିଥିବା ନିଜ ଛାଇଟା ବଡ଼ ଅଦ୍‍ଭୁତ ଲାଗୁଥାଏ । ପାଖରେ କେଉଁ କ୍ଷେତରେ କେଉଁ ଭେଣ୍ଡିଆ ଟୋକା କଣ୍ଠ ଲମ୍ୱେଇ ଦେଇ ମାହିୟା ଗୀତ ଗାଉଥାଏ ।

 

‘‘କିଛି କହିବାକୁ ଇଚ୍ଛା ନାହିଁ,

ଧରିଲାଣି ଯେଉଁ ରୋଗ ଆରେ ମତେ

ତା’ର କିଛି ନାଁ ନାହିଁ ।’’

 

ମାହିୟା ଗୀତର ସେ ଲହର ବାଲୋର ସାରା ଅସ୍ତିତ୍ୱରେ ଭେଦିଯାଉଥାଏ । ପିଲାଦିନେ ସେ ଖରାଦିନେ ଉପରଓଳି ଅନ୍ୟ ପିଲାଙ୍କ ସଙ୍ଗରେ ମିଶି ନାଳର ପାଣିଧାର ତଳେ ନାଚି ନାଚି ଗାଧୋଉଥାଏ । ସେତେବେଳେ ବି ମାହିୟାର ଲହର ଏମିତି ପବନରେ ମିଶିଯାଇଥାଏ । ମୁହଁସଞ୍ଜ ସଙ୍ଗେ ସେ ଲହରର ଗୋଟାଏ ବିଶିଷ୍ଟ ସମ୍ୱନ୍ଧ ଥିଲା । ଯହିଁ ଯହିଁ ସେ ବଡ଼ ହେଲା, ଜୀବନ ସଙ୍ଗେ ସେ ଲହରର ସମ୍ୱନ୍ଧ ଆହୁରି ଗଭୀର ହୋଇ ହୋଇ ଚାଲିଲା ।

 

ତା’ ଗାଁରେ ଯୁବକ ଜଣେ ଥିଲା । ତା’ ନାଁ ଲାଲି । ସେ ଖୁବ୍‍ ଉତ୍ସାହରେ ମାହିୟା ଗୀତ ଗାଉଥିଲା । ସେ କେତେ ଥର ଦେଖିଛି ଗାଁ ବାହାରେ ଲାଲି ଓସ୍ତଗଛ ତଳେ କାନରେ ହାତ ଦେଇ ସେ ଗୀତ ଗାଉଥାଏ । ବାଲୋ ଶୁଣିଛି । ପୁଷ୍ପା ଓ ପାରୋଙ୍କ ସଙ୍ଗରେ ସେ ବହୁତ ଡେରିଯାକେ ସେ ଓସ୍ତଗଛ କତିରେ ଠିଆହୋଇଥାଏ । ପୁଣି ଗୋଟାଏ ଦିନ ଆସିଲା ଯେତେବେଳେ ତା’ ମା କହିବାକୁ ଲାଗିଲା କି ଏଣିକି ସେ ବଡ଼ଟିଏ ହେଲାଣି; ତେଣୁ ଏମିତି ଡେରିଯାକେ ଓସ୍ତଗଛ ପାଖରେ ଠିଆ ହୋଇ ରହିବା ଦରକାର ନାହିଁ । ସେତେବେଳେ ତା’ ବିଭାଗର କଥା ବି ଚର୍ଚ୍ଚା ହେବା ଆରମ୍ଭ ହୋଇଥାଏ । ଯେଉଁ ଦିନ ସୁଚାସିଂ ସଙ୍ଗରେ ତା’ର ବିଭାଘର ହେଲା ସେଦିନ ପାରୋ ଅଧରାତି ଯାକେ ଢୋଲକ ବଜାର ଗୀତ ଗାଉଥାଏ । ଗାଉ ଗାଉ ପାରୋର ସ୍ୱର ଅଟକିଯାଇଥିଲା । ପୁଣି ସେ ଢୋଲକ ଛାଡ଼ି ଦେଇ ତାକୁ କୁଣ୍ଢେଇ ପକାଇ ଗୀତ ଗାଉଥାଏ–

 

‘‘ଆଲୋ କନିଆ, ଜହ୍ନ ଛାଇରେ,

କାହିଁକି ହୋଇଛୁ ଠିଆ ।

ଶରଧାର କନିଆଁ ଲୋ,

କାହିଁକି ହୋଇଛୁ ଠିଆ ।’’

 

‘‘ଠିଆ ମୁଁ ହୋଇଛି ମୋର ପ୍ରାଣପ୍ରିୟ ପାଇଁ,

ମୁଁ ଏବେ ବି କୁମାରୀ ଝିଅ,

ପ୍ରାଣପ୍ରିୟ ମୋର ମତେ ବରିବେ ଆସି ।’’

‘‘କି ଭଳି ବର ତୁ ଲୋଡ଼ୁ କହ ଲୋ–’’

‘‘ତାରାଗଣ ମଝିରେ ଯେ ଚାନ୍ଦ,

ଚାନ୍ଦ ମଝିରେ ଯେ ନନ୍ଦ,

ନନ୍ଦକୋଳରେ ଯେ କହ୍ନା,

ସେହି ମୋର ପ୍ରାଣପ୍ରିୟ

ସେହି ମୋର ଲୋଡ଼ା... ।’’

 

ସେ ଜାଣି ନଥିଲା ତା’ ବର କିଏ, କେମିତିଆ, ପୁଣି ତା’ ମନ କହୁଥିଲା ଯେ ତା’ ବରର ଚେହେରା ଆଦି ଠିକ୍‍ ସେମିତିଆ ହୋଇଥିବ ଯେମିତି ଗୀତର ଧାଡ଼ିଗୁଡ଼ିକ ଶୁଣି ତା’ ଆଗରେ ଉଭା ହୋଇଯାଉଥିଲା । ଚଉଠି ରାତିରେ ସୁଚାସିଂ ଯେତେବେଳେ ତା’ ମୁହଁରୁ ଓଢ଼ଣା ଟେକିଦେଲା, ତାକୁ ଦେଖି ଲାଗିଲା ଯେ ସେ ପ୍ରକୃତରେ ସେମିତିଆ ‘କାନ୍ତ କହ୍ନେଇଁ’ ବରହିଁ ଆସିଯାଇଛି । ସୁଚାସିଂ ତା’ ଚିବୁକକୁ ଟେକିଲାମାତ୍ରେ କେଜାଣି କେତେ ଲହଡ଼ି ତା’ ମୁହଁରୁ ବାହାରି ଦେହଯାକ ବୋହିଯାଇ ପାଦର ନଖରେ ଯାଇ ମିଶିଗଲା । ତାକୁ ଲାଗୁଥାଏ, ଜୀବନ କେଜାଣି କେତେ ଏମିତି ଶିହରଣପୂର୍ଣ୍ଣ ହୋଇଯିବ, ଯାହାକୁ ଯେ ପ୍ରତିଦିନ ଅନୁଭବ କରିବ ଆଉ ନିଜ ସ୍ମୃତିରେ ସଂଚି ରଖିବ ।

 

‘‘ତୁ ହୀରାର କଣିକା, ହୀରାର କଣିକା’’ ସୁଚାସିଂ ତାକୁ ବାହୁରେ ଘେରେଇ ନେଇ କହିଥିଲା ।

 

ତା’ ମନ ହେଉଥାଏ କହିଦିଅନ୍ତା ଯେ ୟେ ହୀରାର କଣିକା ତୋ ପାଦଧ୍ୱନି ସଙ୍ଗେ ବି ସମାନ ହେବ ନାହିଁ । କିନ୍ତୁ ସେ ଲାଜରେ ତୁନି ହୋଇ ରହିଲା ।

 

‘‘ମା, ଅନ୍ଧାର ହେଲାଣି, ଏଥର ଘରକୁ ଯାଅ, ଏଠି ଠିଆହୋଇ କ’ଣ ଆଉ କରିବ ?’’–ଜଳଛତ୍ରବାଲା ଦୟନୀୟ ଭାବରେ ତାକୁ କହିଲା । ‘‘କେଜାଣି କେତେବେଳେ ସେ ଆସିବ ଯେ ? ସେତେ ଡେରିଯାକେ ଏଠି ଠିଆହେଇ ରହିଥିବ ନା ?’’

 

‘‘ବାବୁ, ତାଙ୍କ ରୁଟି ତାଙ୍କୁ ଦେବାକୁ ଅଛି ଯେ ।’’

 

‘‘ସେ ରୁଟି ନେବାକୁ ମନ କରିଥିଲେ କ’ଣ ନେଇନଥାନ୍ତା ? ତା’ ଦିମାକ୍‍ ତ ଆକାଶରେ ଚଢ଼ିରହିଥାଏ ।’’

 

‘‘ବାବୁ, ମରଦମାନେ ବେଳେବେଳେ ଚିଡ଼ିଯାଆନ୍ତି, ସେଇଟା ଆଉ ବଡ଼ କଥା କ’ଣ ?’’

 

‘‘ହଉ, ଠିଆହୋଇଥା, ତୁମ ଇଚ୍ଛା । ବସ୍‍ ନଅଟା ଆଗରୁ ଆଉ କ’ଣ ଆସିବ ?’’

 

‘‘ହଉ, ଯେତେବେଳେ ଆସୁ ।’’

 

ଜଳଛତ୍ରବାଲା ସଙ୍ଗେ କଥାଭାଷା ହୋଇ ସେଇଟା ନିଶ୍ଚିତ ଭାବେ ଠିକ୍‍ କରିନେଲା, ଯାହା ସେ ଏପର୍ଯ୍ୟନ୍ତ କରି ପାରି ନଥିଲା–ଯେ ଜଳନ୍ଧରରୁ ବସ୍‍ ଫେରିବାଯାକେ ତାକୁ ଏଠି ଅଟକି ରହିବାକୁ ପଡ଼ିବ । ଜିନ୍ଦା ଟିକିଏ ଡରିବ–ଏତିକି ତ ? ଜଙ୍ଗୀର ଏଥର ଆଉ ଦ୍ୱିତୀୟଥର ତାକୁ କିଛି କହିବାକୁ ସାହସ ହେବ ନାହିଁ । ଶେଷରେ ଗାଁ ପଞ୍ଚାୟତ ବୋଲି ତ ଜିନିଷଟାଏ ଅଛି ? ସୁଚାସିଂକୁ ଜଣାପଡ଼ିଗଲେ ସେ ତା’ ମୁଣ୍ଡବାଳ ଧରି ଗାଁସାରା ଘୋଷାରିବ ନାହିଁ ? କିଂତୁ ସୁଚାସିଂକୁ ଏ କଥା ନ କହିବା ବି ବୋଧହୁଏ ଭଲ ହେବ । କେଜାଣି ଏତିକି କଥାରେ ଦିହିଁଙ୍କ ଭିତରେ ମୁଣ୍ଡ ଫୁଟ୍‍ବଲ୍‍ ହୋଇଯାଇପାରେ ? ସୁଚାସିଂ ଆଗରୁ ହିଁ ଘରର ଝିଂଝଟ୍‍ ଦେଖି ଘାବରା ହେଉଥିଲା । ତାକୁ ଆହୁରି ଝିଂଝଟରେ ପକାଇବା ଠିକ୍‍ ନୁହେଁ । ସୁଚାସିଂ ସେତେବେଳେ କଥା ଶୁଣିଲାନାହିଁ, ଭଲ ହେଲା । ସେ ତ ଅଇଛା କହିଗଲା ଯେ ମଙ୍ଗଳବାର ଦିନ ସେ ଘରକୁ ଫେରିବ ନାହିଁ । ଯଦି ପ୍ରକୃତରେ ନ ଫେରେ ତେବେ ? ଆଉ ଯଦି ସେ ରାଗିଯାଇ ଘରକୁ ଆସିବା ବିଲ୍‍କୁଲ୍‍ ବନ୍ଦକରିଦେବ, ତେବେ ? ନା, ବାଲୋ ତାକୁ କେବେ କୌଣସି ହଇରାଣ କଲାଭଳିଆ କଥା କହିବ ନାହିଁ । ସୁଚାସିଂ ଖୁସି ଥାଉ, ଘରର ଜଞ୍ଜାଳକୁ ବାଲୋ ନିଜେ ସଂଭାଳି ପାରିବ ।

 

ସେ ଟିକିଏ ଥରିଗଲା । ଗାଁର ଲେଟୁସିଂ ତା’ ଭାରିଯାକୁ ଛାଡ଼ି ପଳେଇଛି । ତା’ ପରେ ପରେ ସେ ଫଟାଫଟି କଥାକୁ ଡରିଯାଇଥାଏ । ଶେଷରେ ଲେଟୁସିଂର ଭାରିଯା କୂଅକୁ ଡେଇଁପଡ଼ି ଆତ୍ମହତ୍ୟା କଲା । ପାଣିରେ ଫୁଲି ତା’ ଦେହ କେଡ଼େ ଭୟଙ୍କର ହୋଇଯାଇଥାଏ ।

 

ସେ କ୍ଳାନ୍ତି ଅନୁଭବ କରୁଥାଏ । ତେଣୁ ସେ ଯାଇ ଜଳଛତ୍ରର ପଟା ଉପରେ ବସିପଡ଼ିଲା । ଅନ୍ଧାର ହେବା ସଙ୍ଗେ ସଙ୍ଗେ ପୁଣି କ୍ଷେତରେ ହଲଚଲ ଶାନ୍ତ ପଡ଼ିଆସିଲା । ମାହିୟା ଗୀତର ସ୍ଥାନ ବର୍ତ୍ତମାନ ଝିଙ୍କାରିଙ୍କ ସଙ୍ଗୀତ ପୂର୍ଣ୍ଣକଲା । ଗୋଟିଏ ବସ ଜଳନ୍ଧରଆଡ଼ୁ ଆଉ ଗୋଟାଏ ନକୋଦର ଆଡ଼ୁ ଆସି ଚାଲିଗଲା । ସୁଚାସିଂ ଜଳନ୍ଧରକୁ ଶେଷ ବସ୍‍ ନେଇ ଆସୁଥାଏ । ସେ ପଛ ବସ୍‍ର ଡ୍ରାଇଭରଠୁଁ ଖବର ପାଇଲା ଯେ ଏଥର ଜଳନ୍ଧରର ଖାଲି ଗୋଟିଏ ବସ୍‍ ଆସିବାର ଅଛି । ଏଥର ଯେଉଁ ବସ୍‍ର ଆଲୁଅ ଦିଶିବ ସେଇଟା ସୁଚାସିଂର ବସ୍‍ ହୋଇଥିବ । କ୍ଳାନ୍ତି ଲାଗି ତା’ ଆଖି ବୁଜି ହୋଇପଡ଼ୁଥାଏ । ସେ ବାରମ୍ୱାର ଚେଷ୍ଟାକରି ଆଖି ଖୋଲି ଦୃଷ୍ଟିକୁ ଦୂରଯାକେ ଅନ୍ଧାର ଓ ସେହି କଳା ଛାଇମାନଙ୍କ ଉପରେ କେନ୍ଦ୍ରିତ କରୁଥାଏ, ଯାହା ଧୀରେ ଧୀରେ ଗଭୀର ହୋଇଯାଉଥାନ୍ତି । ଟିକିଏ ଶବ୍ଦ ହେଲେ ତାକୁ ଲାଗୁଥାଏ ଯେ ବସ୍‍ ଆସୁଛି, ଆଉ ସେ ସତର୍କ ହୋଇଯାଉଥାଏ । କିନ୍ତୁ ଲାଇଟ୍‍ମାନଙ୍କ ଆଲୁଅ ଦେଖା ନ ପଡ଼ିବାରୁ ଗୋଟାଏ କାକର ନିଶ୍ୱାସ ଓଟାରି ନେଇ ପୁଣି ଅନେଇଥାଏ । ଥରେ ଦି’ଥର ବୁଜି ହୋଇ ପଡ଼ୁଥିବା ଆଖିରେ ସତେକି ବସ୍‍ର ଲାଇଟ୍‍ ତା’ ଆଡ଼କୁ ଆସିବା ଦେଖି ସେ ଚମକିପଡ଼ିଲା; କିନ୍ତୁ ବସ୍‍ ଆସୁ ନଥିଲା । ପୁଣି ତାକୁ ଲାଗିଲା ଯେ ସେ ଘରେ ଅଛି, ଆଉ କିଏ ଜଣେ ଜୋରରେ କବାଟ ଖଡ଼ଖଡ଼ କରୁଛି । ଜିଂଦା ଭିତରେ କୁଙ୍କୁରି-କାଙ୍କରି ହୋଇ ବସିଛି । ତା’ ମୁହଁର ରଙ୍ଗ ହଳଦୀ ପରି ହୋଇଗଲାଣି...ଘଣାର ବଳଦ ଲଗାତାର ବୁଲୁଛି । ତା’ର ଘଣ୍ଟିମାନଙ୍କ ତାଳ ସଙ୍ଗେ ସଙ୍ଗେ ଓସ୍ତଗଛ ତଳେ ବସିଥିବା ଭେଣ୍ଡିଆଟିଏ କାନରେ ହାତ ଦେଇ ମାହିୟା ଗୀତ ଗାଉଛି...ଜୋରରେ ଧୂଳି ଉଡ଼ୁଛି, ସେଥିରେ ଧରିତ୍ରୀ ଓ ଆକାଶର ପ୍ରତି ଜିନିଷ ଢାଙ୍କି ହୋଇଯାଉଛି । ସେ ନିଜ ରୁଟି-ବୁଜୁଳାକୁ ସମ୍ଭାଳିବାକୁ ଚେଷ୍ଟା କରୁଛି; କିନ୍ତୁ ସେ ତା’ ହାତରୁ ଖସି ଯାଉଛି । ଜଳଛତ୍ରରେ ଶୁଖିଲା ହାଣ୍ଡି ଥୁଆହୋଇଛି ଯହିଁରେ ବୁନ୍ଦାଏ ବି ପାଣି ନାହିଁ । ବାରମ୍ୱାର ସେ ଲୋଟାକୁ ହାଣ୍ଡିରେ ପୂରାଉଛି, କିନ୍ତୁ ହାଣ୍ଡି ଖାଲି ଦେଖି ନିରାଶ ହୋଇଯାଉଛି । ...ତା’ ଗୋଡ଼ରେ ଫୋଟକା ପଡ଼ିଯାଉଛି । ସେ ହାତରେ ଆଙ୍ଗୁଠିରେ ସେଥିରେ ତେଲ ବୋଳୁଛି, କିନ୍ତୁ ବୋଳୁ ବୋଳୁ ତେଲ ଶୁଖିଯାଉଛି...ଜିଂଦା ତା’ ମୁକୁଳା ବାଳକୁ ଆଣ୍ଠୁ ଉପରେ ବିଛେଇ ଦେଇ କାନ୍ଦୁଛି । କହୁଛି ‘ତୁ ମତେ କାହିଁକି ଛାଡ଼ିକରି ଗଲୁ ? କାଇଁକି ଗଲୁ ମତେ ଛାଡ଼ି ? ହାୟ, ମୋର କୁମାରୀପଣ କୁଆଡ଼େ ଗଲା ? ମୋର କୁମାରୀପଣ କିଏ ନେଇଗଲା ?’

 

ହଠାତ୍‍ ତା’ କାନ୍ଧକୁ କିଏ ହାତରେ ଛୁଇଁବାରୁ ସେ ଚମକି ପଡ଼ି ଉଠିଲା ।

 

‘‘ସୁଚାସିଂ’’–ସେ ଜଲ୍‍ଦି ଆଖି ମଳିପକାଇଲା ।

 

‘‘ତୁ ଏପର୍ଯ୍ୟନ୍ତ ଘରକୁ ଫେରିନାହୁଁ ?’’ ସୁଚାସିଂ ପଟା ଉପରେ ତା’ ପାଖରେ ବସିପଡ଼ିଲା । ବସ୍‍ ଠିକ୍‍ ଜଳଛତ୍ର ସାମନାରେ ଠିଆହୋଇଥାଏ । ସେତେବେଳେ ବସରେ ଗୋଟିଏ ବୋଲି ଆରୋହୀ ନଥିଲେ । କଣ୍ଡକ୍‍ଟର୍‍ ପଛ ସିଟରେ ଢୁଳୋଉଥାଏ ।

 

‘‘ମୁଁ ଭାବିଲି ରୁଟି ଦେଲେ ଯାଇ ଯିବି । ବସୁ ବସୁ ଟିକିଏ ନିଦ ଆସିଗଲା । ତୁମେ ଆସିବାର ବେଳ ଡେରି ହୋଇନାହିଁ ତ ?’’

 

‘‘ନା, ବର୍ତ୍ତମାନ ବସ୍‍ ଠିଆହେଲା । ମୁଁ ତତେ ଦୂରରୁ ଦେଖିପକାଇଲି । ତୁ ଏଡ଼ିକି ପାଗଳୀଟାଏ ଯେ ସେତେବେଳୁ ଏତେବେଳ ପର୍ଯ୍ୟନ୍ତ ରୁଟି ଦେବୁ ବୋଲି ଏଠିଟାରେ ବସିଛୁ ?’’

 

‘‘କ’ଣ କରିଥାନ୍ତି ? ତୁମେ ଯେ କହିଗଲ ଆଉ ଘରକୁ ଆସିବ ନାହିଁ ।’’ ଆଉ ସେ ପାପୁଲି ମାଡ଼ଦେଇ ତା’ର ବାହାରି ଆସୁଥିବା ଲୁହକୁ ଶୁଖେଇବାକୁ ଚେଷ୍ଟା କଲା ।

 

‘‘ହଉ, ଆଣ୍‍ ଦେ ରୁଟି, ଆଉ ଘରକୁ ଯା । ଜିଂଦା ସେଠି ଏକୁଟିଆ ଡରୁଥିବ । ସୁଚାସିଂ ତା’ ବାହାକୁ ସାଉଁଳେଇଦେଲା ଆଉ ଉଠି ଠିଆହେଲା । ରୁଟିଥିବା ତାଟିଆ ତା’ଠୁ ନେଇ ସୁଚାସିଂ ତା’ ପିଠିରେ ହାତ ଥୋଇ ତାକୁ ବସ୍‍ ପାଖଯାକେ ନେଇଗଲା । ପୁଣି ସେ ଉହୁଙ୍କି ଯାଇ ନିଜ ସିଟରେ ବସିପଡ଼ିଲା । ବସ୍‍ ଷ୍ଟାର୍ଟ କରିବାକୁ ଆରମ୍ଭ କଲା । ସେ ସତେ ଅବା ଡରି ଡରି ପଚାରିଲା, ‘‘ତୁମେ ମଙ୍ଗଳବାର ଦିନ ଘରକୁ ଆସିବଟି ?’’

 

‘‘ହଁ ଆସିବି । ସହରରୁ ତୋ ପାଇଁ କ’ଣ କିଛି କିଣିଆଣିବି ? ମତେ କହିଥା...’’

 

‘‘ନାହିଁ, ମୋର କିଛି ଦରକାର ନାହିଁ ।’’ ବସ୍‍ ଘର୍‍ଘର୍‍ ହେବାକୁ ଲାଗିଲା ତ ବାଲୋ ଦିପାହୁଣ୍ଡ ପଛକୁ ଘୁଞ୍ଚିଗଲା । ସୁଚାସିଂ ତା’ ନିଶ ଦାଢ଼ି ଉପରେ ହାତ ବୁଲେଇ ଆଣିଲା, ଗୋଟାଏ ହାକୁଟି ମାରିଲା ଆଉ ତା’ ଆଡ଼କୁ ଚାହିଁ ଚାହିଁ ପଚାରିଲା–‘‘ତୁ ସେତେବେଳେ ମତେ କେଉଁ କଥା କହିବୁ ବୋଲି ଲୋଡ଼ୁଥିଲୁ ପରା ?’’

 

‘‘ନାହିଁ ସେମିତିକା କୌଣସି ବିଶେଷ କଥା ନାହିଁ । ତୁମେ ମଙ୍ଗଳବାର ଦିନ ତ ଘରକୁ ଆସୁଛ ?’’

 

‘‘ହଉ, ବର୍ତ୍ତମାନ ଚଞ୍ଚଳ ଯା ବାହାରି, ମାଇଲିଏ ବାଟ ହେବ ।’’

 

‘‘ସୁଚାସିଂ, କାଲି ଗୁରୁ-ପର୍ବ, କାଲି ମୁଁ ତୁମ ପାଇଁ କଡ଼ାଇପ୍ରଶାଦ ତିଆରି କରି ଆଣିବି ।’’

 

‘‘ଆଚ୍ଛା, ଆଚ୍ଛା.... ।’’

 

ବସ୍‍ ଚାଲିଗଲା, ବାଲୋ ମଟର ଚକର ଧୂଳିରେ ବୁଡ଼ିଗଲା । ଧୂଳି ଉଡ଼ି ସଫାହେଲା ପରେ ସେ ପାପୁଲିରେ ଆଖି ପୋଛିଲା । ଆଖିରୁ ଅନ୍ତର ନହେଲା ପର୍ଯ୍ୟନ୍ତ ସେ ଏକଧ୍ୟାନରେ ଅନେଇଁଥାଏ ବସ୍‍ ପଛଆଡ଼ର ନାଲି ଆଲୁଅଟାକୁ...

Image

 

Unknown

ଗରମଦିନ

(କମଳେଶ୍ୱର)

 

‘ଚୁଂଗୀ କାର୍ଯ୍ୟାଳୟ’ ଖୁବ୍‍ ରଙ୍ଗଢଙ୍ଗିଆ । ତା’ ଫାଟକରେ ଇନ୍ଦ୍ରଧନୁ ଭଳି ଗୋଟିଏ ସାଇନବୋର୍ଡ଼ ମରାଯାଇଛି । ପେଣ୍ଟର୍‍ ସୟଦ ଅଲି ଖୁବ୍‍ କାରିଗରି ଦେଖାଇ ସେ ବୋର୍ଡ଼କୁ ତିଆରି କରିଛି । ଦେଖୁ ଦେଖୁ ସହରଯାକ ବହୁତ ଦୋକାନରେ ସାଇନବୋର୍ଡ଼ ଓହଳିଲାଣି । ସାଇନବୋର୍ଡ଼ ଲଗାଇବା ଅର୍ଥ ବେଉସା ବଢ଼ାଇବା । ବହୁତ ଦିନ ତଳେ ଯେତେବେଳେ ଦୀନନାଥ ଗୁଡ଼ିଆ ଦୋକାନରେ ପ୍ରଥମେ ସାଇନବୋର୍ଡ଼ଟିଏ ମରାହେଲା ସେଠି ଦୁଧ ପିଇବା ଲୋକଙ୍କ ସଂଖ୍ୟା ହଠାତ୍‍ ବଢ଼ିଗଲା । ସେଉଠୁ ସାଇନବୋର୍ଡ଼ର ସତେକି ନଈବଢ଼ି ଆସିଗଲା, ନୂଆ ନୂଆ ପ୍ରକାରର ହେଲା । ସେଥିରେ ନାନା ଫୁଲପତ୍ର ଡିଜାଇନ୍‍ ଆଦି । ‘ଓଁ’ ବା ‘ଜୟ ହିନ୍ଦ୍’ଠୁଁ ଆରମ୍ଭ କରି ‘ଥରେ ନିଶ୍ଚୟ ପରୀକ୍ଷା କରନ୍ତୁ’ କିମ୍ୱା ‘ମିଶା ଜିନିଷ ବୋଲି ପ୍ରମାଣ କରିବା ଲୋକଙ୍କୁ ଶହେ ଟଙ୍କା ନଗଦ ପୁରସ୍କାର’ର ମର୍ଯ୍ୟାଦା ବା ଆହ୍ୱାନ ସବୁ ଲେଖି ସାଇନବୋର୍ଡ଼ ସବୁ ତିଆରି ହେବାକୁ ଲାଗିଲା ।

 

‘ଚୁଂଗୀ କାର୍ଯ୍ୟାଳୟ’ର ନାଁ ତିନୋଟି ଭାଷାରେ ଲେଖା ହୋଇଛି । ତା’ ଚେଆରମ୍ୟାନ୍‍ ବାବୁ ବୁଦ୍ଧିଆ ମଣିଷ । ତାଙ୍କ ବୁଧିଶୁଧି ବିଷୟରେ ନାଗରା ବାଜୁଛି । ତେଣୁ ପ୍ରତି ସାଇନବୋର୍ଡ଼ ହିନ୍ଦୀ, ଉର୍ଦ୍ଦୁ, ଇଂରେଜୀରେ ଲେଖାହୁଏ । ଦୂରରୁ ଦୂରରୁ ଭାଷଣ ଦେବାକୁ ନେତାମାନେ ଆସନ୍ତି । ଦେଶବିଦେଶରୁ ଲୋକେ ଆଗ୍ରାର ତାଜ୍‍ମହଲ୍‍ ଦେଖିସାରି ପୂର୍ବ ଆଡ଼କୁ ଗଲାବେଳେ ଏ ବାଟେ ଯାଆନ୍ତି । ସମସ୍ତିଙ୍କ ଉପରେ ସାଇନବୋର୍ଡ଼ର ପ୍ରଭାବ ପଡ଼େ । ଆଉ ପୁଣି ପାଗଯୋଗର କଥା ତ ଅଛି ।

 

ମେଳା କି ଯାତ୍ରା ଲାଗିଲେ ଗୁଡ଼ିଆ, ଜୁଲାଇ-ଅଗଷ୍ଟ ମାସରେ ବହି ଆଉ କାଗଜ-ବିକାଳି, ବିଭାତିଥିବେଳେ ଲୁଗା ବେପାର, ଦିନ ଖରାପ ପଡ଼ିଲେ ବୈଦ୍ୟ ଓ ହକୀମଙ୍କ ସାଇନବୋର୍ଡ଼ରେ ନୂଆ ରଙ୍ଗ ଚଢ଼େ । ଶୁଦ୍ଧ ଦେଶୀ ଘିଅବାଲାମାନେ ସବୁଠୁଁ ଭଲ । ସେମାନେ ଚାଳ ତଳେ, କାନ୍ଥ ଉପରେ ଗେରୁଆ କି ହଳଦିଆ ରଙ୍ଗରେ ଲେଖିଦେଇ କାମ ଚଳାଇଦିଅନ୍ତି । ସେତକ ନ ହେଲେ କାମ ଚଳେ ନାହିଁ । ହାଲ୍‍ ଚଳଣି କଥା ବୁଝାଉ ବୁଝାଉ ବୈଦ୍ୟ କହିଲେ, ‘‘ଆରେ ବାବୁ, ପୋଷ୍ଟର ନ ମାରିଲେ ସିନେମାବାଲାଙ୍କ କାମ ଚଳେନାହିଁ । ବଡ଼ ବଡ଼ ସହରରେ ଦେଖିବ ଯାଅ, ଯେ କିରାସିନି ତେଲ ବିକୁଛି ତା’ ଦୋକାନରେ ବି ସାଇନବୋର୍ଡ଼ ପାଇବ । ଭାରି ଜରୁରୀ ଜିନିଷ ସେ । ପିଲାଛୁଆଙ୍କ ନାଁରେ ସାଇନବୋର୍ଡ଼ ଅଛି; ନଇଲେ ନାଁ ରଖିବା ଦରକାର କ’ଣ-? ସାଇନବୋର୍ଡ଼ ଲଗାଇ ଦେଇ ସୁଖଦେବ୍‍ବାବୁ ପରା କମ୍ପାଉଣ୍ଡରରୁ ଡାକ୍ତର ହୋଇଗଲେ । ଆଜିକାଲି ବ୍ୟାଗ୍‍ ଧରି ବୁଲୁଛନ୍ତି ।’’

 

ରାମଚରଣ ତାଙ୍କ ପାଖରେ ବସିଥିଲା । ଆହୁରି ଗୋଟିଏ ନୂଆ ଚମତ୍କାର ଖବର ତାଙ୍କୁ ଦେଲା । କହିଲା–

 

‘‘ସେ ପରା କାଲି ଗୋଟେ ଘୋଡ଼ାଗାଡ଼ି କିଣିଛନ୍ତି... ।’’

 

ପଣ୍ଡିତ ଟିଣ ଚୌକିରେ ବସିଥିଲେ । ସତେ ଯେମିତି ଯୋଗାସନ କରୁଥିବା ଭଙ୍ଗୀରେ କହିଲେ, ‘‘କିନ୍ତୁ ଚଳେଇବ କିଏ ?’’

 

ବୈଦ୍ୟଙ୍କ ନିଘା ରୋଗୀଙ୍କ ଆଡ଼କୁ ବେଶି । କହିଲେ, ‘‘ଏଗୁଡ଼ା ସବୁ ପକେଟ୍‍ ମାରିବା ଉପାୟ । ରୋଗୀଙ୍କଠୁଁ, ଗାଡ଼ିଭଡ଼ାଟା ଅସୁଲ କରିବେ । ସହିସକୁ ବକ୍‍ସିସ୍‍ ଦିଆଇବେ, ବଡ଼ ବଡ଼ ଡାକ୍ତରମାନେ ଯେମିତି କରନ୍ତି । ୟାଦ୍ୱାରା ବୃତ୍ତିର ବଦନାମ୍‍ ହୁଏ । ଆରେ ବାବୁ, ରୋଗୀଙ୍କୁ ଚିକିତ୍ସା କରିବ ନା ଛଟକ ଦେଖାଇବ ହୋ ? ଇଂରେଜୀ ଆଡ୍‍ଡା ଲଗେଇ ଦେଇ ଆଗ ରୋଗୀର ଅଧେ ପ୍ରାଣ ଶୁଖେଇଦେବେ ହୋ । ଆୟୁର୍ବେଦୀ ନାଡ଼ି ଦେଖିବା ତ ଦୂର, ମୁହଁ ଦେଖି ରୋଗ କହିଦେବେ-। ଘୋଡ଼ାଗାଡ଼ି ଏଥିରେ କ’ଣ କରିବ ? କିଛି ଦିନ ପରେ ଦେଖିବ, ତାଙ୍କ ଘୋଡ଼ା ସହିସ କମ୍ପାଉଣ୍ଡର ହୋଇଗଲାଣି...’’

 

କହୁ-କହୁ ବୈଦ୍ୟ ମହାଶୟ ନଟରା ହସରେ ଫାଟିପଡ଼ିଲେ । ସେଉଠୁ କହିଲେ–

 

‘‘କିଏ କ’ଣ କହିବ ହୋ ଭାଇ, ଡାକ୍ତରୀ ତ ତାମସା ହେଲାଣି । ଓକିଲ ମୁକ୍ତିଆରଙ୍କ ପିଲାଏ ହେଉଛନ୍ତି ଡାକ୍ତର । ରକ୍ତର ଗୁଣ ଆଉ ସଂସ୍କାରରେ ସିନା କାମ ହୁଏ, ହାତ-ଯଶ ଆସେ । ବୈଦ୍ୟପୁଅ ଯେ ହୁଏ ବୈଦ୍ୟ । ପିଲାଦିନେ ଜଡ଼ିବୁଟି କୁଟୁ-କୁଟୁ ବାଟୁ-ବାଟୁ ଅଧେ ବିଦ୍ୟା ହାସଲ । ତୋଳା, ମଶା, ରତି, ଏସବୁ ବିଷୟରେ ମୂଳରୁ ଏମିତି ଅନ୍ଦାଜ ହୋଇଯାଏ ଯେ ଔଷଧ ଅଶୁଦ୍ଧ ହେବା ଅସମ୍ଭବ । ଔଷଧର ଗୁଣ ବାହାରେ ତାକୁ ତିଆରି କରିବା ବିଧି ଘେନି.....ଧନ୍ୱନ୍ତରି...’’

 

ସେ ଆଉ କ’ଣ କହିଥାନ୍ତେ, ଦେଖିଲେ ଯେ ଜଣେ ଲୋକ ଦୋକାନ ଆଡ଼କୁ ଆସୁଛି । ସେଉଠୁ ତୁନିହେଲେ, ଆଉ ପାଖରେ ଯେ ବସିଥାନ୍ତି ତାଙ୍କ ଆଡ଼କୁ ଏପରି ଦୃଷ୍ଟିରେ ଅନାଇଲେ ଯେପରି ସେମାନେ ଗପ କରିବାକୁ ଆସିଥିବା ବାଜେ ଲୋକ ନୁହଁନ୍ତି । ସେମାନେ ସତେକି ତାଙ୍କ ରୋଗୀ ।

 

ଲୋକଟି ଦୋକାନ ଉପରକୁ ଚଢ଼ିଆସିଲାମାତ୍ରେ ବୈଦ୍ୟ ତାକୁ ତଉଲିନେଲେ । ସେ କୁଣ୍ଠିତ ହୋଇ ତା’ ଆଡ଼କୁ ଅନାଇଲେ ଆଉ ଉଦାସୀନ ହୋଇଗଲେ; କିନ୍ତୁ ପଦାକୁ ଗୋଟାଏ ପ୍ରକାର ଦେଖାଇବାକୁ ତ ହେବ । କିଏ ଜାଣିଛି କାଲି ଏହି ଲୋକଟି ବେମାର ପଡ଼ିଯିବ, ନହେଲେ ତା’ ଘରେ କାହାକୁ କି ରୋଗ ହେବ । ସେଇଆ ଭାବି ତାଙ୍କ ନିଜ ବ୍ୟବହାରକୁ ଆଉ ପଇସାର ଗାରିମାକୁ ଦମ୍ଭ ରଖିବାକୁ ପଡ଼ିବ । ନିଜକୁ ସମ୍ଭାଳି ସଜାଡ଼ି ସେ ପଚାରିଲେ, ‘‘କହ ବାବୁ, ସବୁ ଭଲ ତ ?’’

 

ଲୋକଟି ଜବାବ ଦେଉ ଦେଉ ଗୋଟାଏ ଚିନିସିରା ହାଣ୍ଡି ତାଙ୍କ ଆଗରେ ଦେଖାଇ କହିଲା, ‘‘ଠାକୁର ସାହେବ ୟାକୁ ରଖେଇ ଯାଇଛନ୍ତି, ବଜାରରୁ ଫେରିଲାବେଳେ ନେବେ, ଗୋଟାଏ ସାଢ଼େ-ଗୋଟାଏ ବେଳ ହେବ ।’’

 

ବୃଥା କାମଟା ପ୍ରତି ବିରକ୍ତ ହୋଇ ବୈଦ୍ୟ କହିଲେ, ‘‘ସେତେବେଳେ ତ ଦୋକାନ ବନ୍ଦ ଥିବ । ବେପାରୀ କାହାନ୍ତି ଯେ, ବୁଝୁନ ?’’ କିନ୍ତୁ ପୁଣି ଭବିଷ୍ୟତରେ ଅନ୍ୟ କେଉଁ ଦିନ କି ସୁଯୋଗର ଆଶା ତାଙ୍କ ତୁଣ୍ଡବାଟେ ଜବରଦସ୍ତ କୁହାଇଲା, ‘‘ଛାଡ଼, ତାଙ୍କର କିଛି ଅସୁବିଧା ହେବ ନାହିଁ ଯେ, ମୁଁ ନଥିଲେ ପାଖର ଦୋକାନରୁ ନେଇଯିବ । ସେଇଠି ରଖିଦେଇ ଯିବି ।’’

 

ଲୋକଟି ଚାଲିଯିବାପରେ ବୈଦ୍ୟ କହିଲେ, ‘‘ମଦ ବନ୍ଦ ହେଲେ କ’ଣ ହେବ ? ଯେଉଁ ଦିନଠୁଁ ହେଲାଣି ସେ ଦିନୁଁ ମାଠିଆ ମାଠିଆ ଦେଶୀ ମଦ ଘରେ ଘରେ ଚାଲୁହେଲାଣି; ବିଶୁଦ୍ଧ ଘିଅ ଦାମରେ ବିକ୍ରି ହେଲାଣି । ଆଉ ୟେ ଡାକ୍ତରମାନଙ୍କୁ କ’ଣ କହିବ-ତାଙ୍କ ଦୋକାନ ତ ମଦଖଟି ହେଲାଣି, ଲାଇସେନ୍‍ସ ମିଳେ ଔଷଧଭଳି ବ୍ୟବହାର କରିବାକୁ । ଅଥଚ ଖୋଲାଖୋଲି ଭାବେ ଜିଞ୍ଜର ବିକ୍ରି ହେଉଛି, କେଉଁଠି କିଛି ହେଉନାହିଁ । ଆମେ ଭାଙ୍ଗ ଅଫିମର ପୁଡ଼ିଆଟିଏ ଲୋଡ଼ିଲେ ତଫସିଲ ଦେଖାଇବାକୁ ପଡ଼ୁଛି ।’’

 

‘‘ଏଇଟା ଦାୟିତ୍ୱର କଥା,’’ ପଣ୍ଡିତେ କହିଲେ ।

 

‘‘ଅଇଛା ଦାୟିତ୍ୱଟା କାଲି ବୈଦ୍ୟମାନଙ୍କର । ସମସ୍ତିଙ୍କର ରେଜିଷ୍ଟ୍ରି ହେଲାଣିରେ ଭାଇ । ଯେତେ ବିଦେଶୀ ଅଗଡ଼ମ୍‍ ବଗଡ଼ମ୍‍ ପଶିଆସିଲା, ସବୁ ସଫା ହୋଇଗଲା । ଅଇଛା ଯେ ରେଜିଷ୍ଟ୍ରି ହେଲା ସେ ବୈଦ୍ୟଗିରି କରି ପାରିବ । ଯେ ଚୁନା କୁଟୁଥିଲା, ସେ ବୈଦ୍ୟ ହୋଇଯାଇ ବସିପଡ଼ିଲା-। ସବୁ ଖତମ୍‍ ହୋଇଗଲା । ଲକ୍ଷ୍ମୌରେ ଯାଁଚ୍‍ ଇନ୍‍କ୍ୱାଇରି ହେଲା ପରେ ଠିକ୍‍ ବୋଲି ସ୍ୱୀକୃତି ମିଳିଗଲା ।’’

 

ବୈଦ୍ୟଙ୍କ କଥାରୁ ରସ ନଘେନି ପଣ୍ଡିତେ ଉଠିଗଲେ । ବୈଦ୍ୟ ଭିତର ଆଡ଼କୁ ଗଲେ । ଚନ୍ଦ୍ର ଔଷଧାଳୟର ସାଇନବୋର୍ଡ଼ ଲେଖୁଥିଲା । ତାକୁ କହିଲେ, ‘‘ଧଳା ରଙ୍ଗଟା ଗାଢ଼ ହୋଇଗଲା ବାବୁ, ତାରପିନ ତେଲ ମିଶା ।’’ ଆଉ ସେ ଗୋଟାଏ ବୋତଲ ଟେକିନେଲେ । ତା’ ଉପରେ ଅଶୋକାରିଷ୍ଟର ଲେବଲ ଲାଗିଥିଲା ।

 

ଏମିତି କେଜାଣି କେତେ କେତେ ଔଷଧଙ୍କ ଶରୀରରୂପୀ ବୋତଲ ଭିତରେ କି କି ଆତ୍ମା ପଶିରହିଛି । ସାମ୍ନାର ଗୋଟିକିଆ ଆଲମାରିରେ ବଡ଼ ବଡ଼ ବୋତଲ ଥୁଆହୋଇଥାଏ, ତା’ ଉପରେ ପ୍ରକାର ପ୍ରକାର ଅରିଷ୍ଟ ଆଉ ଆସବମାନଙ୍କ ନାଁ ମରାହୋଇଥିଲା । ଏକଦମ୍‍ ଆଗ ଧାଡ଼ିରେ ବୋତଲଗୁଡ଼ାକ ଠିଆହୋଇଥାଏ । ତା’ ପଛକୁ ଅନ୍ୟାନ୍ୟ ପ୍ରୟୋଜନୀୟ ଜିନିଷ । ସାମ୍ନା ଟେବୁଲ୍‍ ଉପରେ ଧାଡ଼ିଏ ଧଳା ଧଳା ବୋତଲ ଥାଏ । ତହିଁରେ କିଛି ସୁଆଦିଆ ଚୂର୍ଣ୍ଣ ଥାଏ । ଲବଣ ଭାସ୍କର ଆଦି ଥାଏ । ଆଉଗୁଡ଼ାକରେ କ’ଣ ଥାଏ ତା’ ସେହି ବୈଦ୍ୟ ଜାଣନ୍ତି ।

 

ଚନ୍ଦ୍ର ତାରପିନ୍‍ ତେଲ ମିଶାଇବା ପରେ ଲେଖିଲା–‘ପ୍ରୋ-କବିରାଜ ନିତ୍ୟାନନ୍ଦ ତିଓ୍ୱାରୀ-।’ ତା’ ଉପର ଧାଡ଼ି ‘ଶ୍ରୀ ଧନ୍ୱନ୍ତରି ଔଷଧାଳୟ’ ନିଜେ ବୈଦ୍ୟ ଲେଖି ସାରିଥିଲେ । ସେ ଧଳା ଧଳା ଅକ୍ଷରଗୁଡ଼ିକ ଦିଶୁଥାଏ, ସତେ ଯେମିତି ମେଞ୍ଚା ମେଞ୍ଚା ତୁଳା ମାରିଦିଆଯାଇଛି । ଉପରେ ଜାଗା ଖାଲି ଅଛି ଦେଖି ବୈଦ୍ୟ କହିଲେ, ‘‘ବାବୁ, ଉପରେ ‘ଜୟହିନ୍ଦ୍’ ଲେଖିଦେବ । ଆଉ ଏତକ ଜାଗା ଯେ ବଳିଲା ସେଠି ଗୋଟାଏ ପାଖେ ଦ୍ରାକ୍ଷାସବ ବୋତଲ, ଆରପାଖେ ଔଷଧ ବାଟିବା ଖଲର ଛବି...ମୁଁ ମାଇନର ପଢ଼ିବାଯାକେ ଆର୍ଟ ଆଙ୍କିବା କରୁଥିଲି; କିନ୍ତୁ ସେ ତ ହାତ ପାକଳେଇବା କଥା-।’’

 

ଚନ୍ଦ୍ରକୁ ଚିଡ଼ି ମାଡ଼ୁଥାଏ । ବାଜେ କାମ ଧରିପକାଇଲା, ଲେଖା ଭଲ ହେଲା ବୋଲି ତା’ ପୁରସ୍କାର ୟେ, ଏ କଥା ସେ ବୁଝିପାରିଲା ନାହିଁ । କହିଲା, ‘‘କୌଣସି ପେଣ୍ଟର୍‍ଦ୍ୱାରା ଲେଖାଇଥାନ୍ତେ ସିନା, ତେବେ ସେ ଭଲକରି ଲେଖିଥାନ୍ତା । ଛବିଅଙ୍କା ମତେ ଆସିବ ନାହିଁ ।’’ ତା’ ଝାଳ ପୋଛୁପୋଛୁ ଚନ୍ଦ୍ର ତା’ ଚୌକିକୁ ତଳେ ରଖିଦେଲା । ‘‘ଆରେ ବାବୁ ପାଞ୍ଚଟଙ୍କା ମାଗୁଥିଲା...ପାଞ୍ଚଟଙ୍କା । ଅଇଛା ନିଜେ ପରିଶ୍ରମ କରିବାରୁ ଦଶ ବାରଣାରେ ୟେ ସାଇନବୋର୍ଡ଼ ହେଉଛି । ଏ ରଙ୍ଗକୁ ଜଣେ ରୋଗୀ ଦେଇଯାଇଥିଲା । ବିଜୁଳି କମ୍ପାନୀର ପେଣ୍ଟରଟିଏ, ଅଜୀର୍ଣ୍ଣ ରୋଗରେ ହଇରାଣ ହେଉଥାଏ । ଦି ପାନ ତିଆରି କରି ଦେଇଦେଲି, ପଇସା ନେଲି ନାହିଁ । ସେଉଠୁ ସେ ୟେ ଦି’ ତିନିଟା ରଙ୍ଗ ଆଉ ଅଳ୍ପ କିଛି ବାର୍ଣ୍ଣିସ୍‍ ଆଣି ଦେଇଗଲା । ଯୋଡ଼ାଏ ବାକ୍‍ସ ରଙ୍ଗ କରାଗଲା, ଏ ପଟା ଖଣ୍ଡକ ସରିଲେ ଆଉ ଖଣ୍ଡେଅଧେ ଚୌକି ରଙ୍ଗ ହୋଇଯିବ...ତୁମେ ଖାଲି ଏତିକି ଲେଖିଦିଅ–ନାଲି ରଙ୍ଗର ଶେଡ଼୍‍ଟା ମୁଁ ଦେବି ପରେ...ହସିଲା ପରି ତିରଙ୍ଗା ଫୁଟିଉଠିବ ନାହିଁ ?’’ ବୈଦ୍ୟ ପଚାରିଲେ ଆଉ ନିଜେ ସ୍ୱୀକୃତି ବି ଦେଲେ ।

 

ଚନ୍ଦ୍ର ଗରମରେ ହଟହଟା ହେଉଥିଲା । ଦି’ପହର ଯହୁଁ ଯହୁଁ ପାଖ ହେଉଥାଏ ସଡ଼କ ଉପରେ ଧୂଳି ଆଉ ଧୂଳିମିଶା ଝାଂଜି ସେତିକି ବଢ଼ି ବଢ଼ି ଯାଉଥାଏ । ମୋହମତରେ ପଡ଼ି ଚନ୍ଦ୍ର ମନା କରିପାରିଲା ନାହିଁ । ବୈଦ୍ୟ ବିଞ୍ଚଣାରେ ପିଠି କୁଣ୍ଡେଇ ହେଉ ହେଉ ବୁହାବୋହି ଟେକାଟେକି ଦରକାର କରୁଥିବା ପଟୁଆରିମାନଙ୍କ ବଡ଼ ବଡ଼ ରେଜିଷ୍ଟର କାଢ଼ି ତାକୁ ବିଛେଇଦେବା ଆରମ୍ଭ କଲେ ।

ଖରାଧାସରୁ ରକ୍ଷା ପାଇବାକୁ ଦୋକାନର ଗୋଟାଏ ଫାଳ କବାଟ ବୁଜିଦେଇ ବୈଦ୍ୟ ରେଜିଷ୍ଟରମାନଙ୍କ ଉପରେ ଖସଡ଼ା ଖତିଆନ୍‍ ଦି ନକଲ କରିବାକୁ ଲାଗିଲେ । ଚନ୍ଦ୍ର ଟିକେ ଆରାମ କରିବା ଉଦ୍ଦେଶ୍ୟରେ କଥା ଆରମ୍ଭ କରି ପଚାରିଲା, ‘‘ବୈଦ୍ୟ ଆଜ୍ଞା, ଏସବୁ କ’ଣ ?’’

ବୈଦ୍ୟଙ୍କ ମୁହଁ ଶୁଖିଗଲା । କହିଲେ, ‘‘ଆରେ ବାବୁ, ଖାଲି ବସିବାଠୁଁ କିଛି କାମ କରିବା ଭଲ । ନୂଆ ଲେଖାଳିଗୁଡ଼ାଙ୍କୁ କାମଦାମ ଆସେ ନାହିଁ, ପ୍ରତିଦିନ କାନୁଗୋଇ କି ନାଏବବାବୁ ଏ ହରକତ ଭୋଗନ୍ତି । ବାଧ୍ୟରେ ପଡ଼ି ଉଠା-ଟେକାରେ ଏ କାମ ତାଙ୍କୁ କରାଇବାକୁ ପଡ଼େ । ଆଉ ଆଗପରି ପୁରୁଣା ପଟୁଆରି କାହାନ୍ତି ? ତାଙ୍କୁ ସିନା ସବୁ ଆଇନ-ଫାଇନ ଜଣାଥିଲା, କାମରେ ସେ ଦୁରସ୍ତ ଥିଲେ । ସେ ବିଚରାଟିମାନଙ୍କର ଦାନାପାଣି ଛଡ଼ାଇ ନିଆଗଲା । ତଥାପି, ପ୍ରକୃତରେ ଏସବୁ କାମ ସେହି ପୁରୁଣା ପଟୁଆରିମାନଙ୍କୁ ଉଠାଇବାକୁ ପଡ଼ୁଛି । ନୂଆ ନକଲନବିସ୍‍ ଯାହା ଦରମା ପାଆନ୍ତି ସେତକ ଏଇ ଠିକା କାମରେ ଖରଚ ହୋଇଯାଏ । ତାଙ୍କର ବି ପେଟପାଟଣା ଅଛି ତ ? ....ଫେର୍‍-ଫାର୍‍ କରି ଚାଷୀମାନଙ୍କଠୁଁ ପଇସା ଉଠେଇ ନିଅନ୍ତି । ନ ଆଣିଲେ ଖାଇବେ କ’ଣ ? ଦି’ତିନି ଜଣ ନକଲନବିସ୍‍ ମୋର ବି ଅଛନ୍ତି । ତାଙ୍କରିଠୁଁ ଅଳ୍ପେ ବହୁତେ ହାଲୁକା ହେଉ କି ଭାରୀ ହେଉ କାମ ମିଳିଯାଏ, ନକଲ ଉତାରିନେବା କଥା, ରେଜିଷ୍ଟର ପୂରଣ କରିବା କାମ ।’’

ପଦାରେ ଶୂନଶାନ୍‍ ପଡ଼ିଆସୁଛି, କାର୍ଯ୍ୟାଳୟରୁ ବାବୁମାନେ ଗଲେଣି, ଆଗରେ ‘ଚୁଙ୍ଗି’ରେ ଖସ୍‍ ତାଟି ଉପରେ ପାଣିଛିଞ୍ଚା ଆରମ୍ଭ ହୋଇଗଲା । ଦୂରରେ ଶାଗୁଆ ଦିଶୁଥିବା ଓସ୍ତଗଛର ସାଇଁ ସାଇଁ ଶବ୍ଦ ପବନରେ ଭାସିଆସୁଛି ।

ସେତିକିବେଳେ ଜଣେ ଲୋକ କବାଟ ଭିତରକୁ ଉଙ୍କିମାରିଲା । ଅଳ୍ପ ସମୟ ପରେ ହୁଏତ ବୈଦ୍ୟଙ୍କ କଣ୍ଠ ଦୁଃଖରେ ରୁଦ୍ଧ ହୋଇ ଆସିଥାଆନ୍ତା । ହଠାତ୍‍ ତାଙ୍କ କଥା ବନ୍ଦ ହୋଇଗଲା-। ତାଙ୍କ ଦୃଷ୍ଟି ସେ ଲୋକକୁ ଚିହ୍ନିଲା । ସେ ସତର୍କ ହୋଇଗଲେ । ସଙ୍ଗେ ସଙ୍ଗେ କହିଲେ–

‘‘ଗୋଟାଏ ପଟା ଆଗ୍ରାରେ ତିଆରି କରେଇଲି, ଏପର୍ଯ୍ୟନ୍ତ ଆସିଲା ନାହିଁ । ଏଥିରେ କାମ ଚଳିଯିବ । ଏଗୁଡ଼ାକରେ ମୁଣ୍ଡ ଖେଳାଇବାକୁ ମତେ ଫୁରୁସତ କେଉଁଠି ମିଳୁଛି ?’’ ଆଉ ଖୁବ୍‍ ବ୍ୟସ୍ତ ହେଲା ଭଳି ସେ ଲୋକକୁ ପଚାରିଲେ–

‘‘କହ ଭାଇ, କ’ଣ କଥା ?’’

‘‘ଡାକ୍ତର-ସାର୍ଟିଫିକେଟ୍‍ ଖଣ୍ଡେ ଦରକାର, କୌସମା ଷ୍ଟେସନରେ ମୁଁ ଖଲାସୀ କାମ କରେଁ ଆଜ୍ଞା !’’ ରେଳବାଇର ନେଳିଆ ଉର୍ଦ୍ଦି ପିନ୍ଧିଥିବା ସେ ଖଲାସୀଟି କହିଲା ।

ତା’ ଆବଶ୍ୟକ କେତେ ତାକୁ ସଂପୂର୍ଣ୍ଣଭାବେ ଅନ୍ଦାଜ୍‍ କରିନେଇ ବୈଦ୍ୟ କହିଲେ, ‘‘ଓ, କେତେ ତାରିଖରୁ କେତେ ତାରିଖଯାକେ ଦରକାର ?’’

‘‘ପନ୍ଦର ଦିନ ତଳେ ଆସିଥିଲି ଆଜ୍ଞା, ଆହୁରି ସାତଦିନ ପାଇଁ ଦରକାର ।’’

କ’ଣ ହିସାବ କଷି ଦେଇ ବୈଦ୍ୟ କହିଲେ, ‘‘ଦେଖ ବାବୁ, ସାର୍ଟିଫିକେଟ୍‍ ପକ୍‍କା କରିଦେବି, ସରକାରଙ୍କ ରେଜିଷ୍ଟର ନମ୍ୱର ଦେବି, ଚାରିଟଙ୍କା ପଡ଼ିବ ।’’ ଚାରିଟଙ୍କା ନାଁ ଶୁଣି ସେ ଭିଡ଼ିକିଯିବ ଭାବି ଆଶ୍ୱାସନା ଦେଲାପରି ସେ ପୁଣି କହିଲେ, ‘‘ଯଦି ପିଛିଲା ତାରିଖ ନ ଦେବ ତେବେ ଦି’ଟଙ୍କାରେ କାମ ଚଳିଯିବ ।’’

ଖଲାସୀଟି ନିରାଶ ହେଲା, କିନ୍ତୁ ତା’ ନୈରାଶ୍ୟଠୁଁ ବଳି ହତାଶା ବୈଦ୍ୟଙ୍କ ଝାଳ ଜୁଡ଼ୁବୁଡ଼ୁ ମୁହଁ ଉପରେ ବ୍ୟାପିଗଲା । ଖୁବ୍‍ ନିରପେକ୍ଷ ଭାବରେ ଖଲାସୀ କହିଲା, ‘‘ସୌବର୍ଣ୍ଣସିଂ ଆପଣଙ୍କ ପାଖକୁ ମତେ ପଠାଇଥିଲେ ।’’ ତା’ କଥା ଏମିତିଆ ଲାଗୁଥାଏ ଯେପରି କାମଟା ତା’ର ନୁହେଁ ଯେ ସୌବର୍ଣ୍ଣସିଂର । କିନ୍ତୁ ବୈଦ୍ୟଙ୍କ ହାତରେ ଉପାୟ ପଡ଼ିଗଲା । ସେ କହିଲେ, ‘‘ସେ କଥା ତ, ମୁଁ ଆଗରୁ ଭାବୁଥିଲି । ଜଣାଶୁଣା ନଥିଲେ ତ ମୁଁ ଦିଏ ନାହିଁ, ଇଜ୍ଜତ୍‍ କଥା କିନା ! ମତେ କି ଜଣା ତୁମେ କେଉଁଠି ଥିଲ, କ’ଣ କରୁଛ ? ବର୍ତ୍ତମାନ ବିଚାର କରିବା କଥା...ବିଶ୍ୱାସରେ କାମଟା ତୁଲେଇଦେବି । ପନ୍ଦର ଦିନ ଆଗରୁ ତୁମ ନାଁ ରେଜିଷ୍ଟରରେ ଚଢ଼ାଇବି, ରୋଗ ଲେଖିବି....ପ୍ରତି ତାରିଖରେ ନାଁ ଲେଖିବି, ତେବେ ଯାଇ କାମ ହେବ । ଏମିତିଆ ସେମିତିଆ ଘରଖାତା ତ ନୁହେଁ...’’ କହୁ କହୁ ସେ ଚନ୍ଦ୍ର ଆଡ଼କୁ ସାହାଯ୍ୟ ପାଇଁ ଅନାଇଲେ । ଚନ୍ଦ୍ର ବି ସା’ ଦେଲା–‘‘ୟାଙ୍କୁ କ’ଣ ଜଣା ତୁମେ ବେମାର ପଡ଼ିଥିଲ କି ଡକେଇତି କରୁଥିଲ ? ...ସରକାରୀ କଥା...’’

‘‘ପାଞ୍ଚ ଟଙ୍କାରୁ କମ୍‍ ହେଲେ ଦୁନିଆଁ ଯାକର ଡାକ୍ତର ଦେଇପାରନ୍ତେ ନାହିଁ...’’ କହୁ କହୁ ବୈଦ୍ୟ ତାଙ୍କ ଆଗରେ ରଖାହୋଇଥିବା ରେଜିଷ୍ଟର ଓଲଟାଇ ଓଲଟାଇ ଉତ୍ତେଜିତ ହୋଇ କହିଲେ-

‘‘ଆରେ ନିଶ୍ୱାସ ମାରିବାକୁ ଫୁରୁସତ୍‍ କାହିଁ ହୋ ? ହେଇଟି ଦେଖ, ଦେଖୁଚ ନା ? ରୋଗୀଙ୍କି ଛାଡ଼ି ସରକାରଙ୍କୁ ଦେଖାଇବାକୁ ୟେ ତଫସିଲ ଥିବା ରେଜିଷ୍ଟର ତିଆରି କରିବାକୁ ପଡ଼େ । ଗୋଟିଏ ଗୋଟିଏ ରୋଗୀର ନାଁ, ରୋଗ, ଆୟ... । ଏଇଥିରେ ତୁମ ନାଁ ଚଢ଼େଇବାକୁ ପଡ଼ିବ । ଅଇଛା କହ, ରୋଗୀକି ଦେଖିବା ବେଶି ଜରୁରୀ, ନା ଦି’ ଚାରି ଟଙ୍କା ଲାଗି ସାର୍ଟିଫିକେଟ୍‍ ଦେଇ ୟେ ସରକାରୀ ଅଡ଼ୁଆରେ ପଡ଼ିବା ବେଶି ଜରୁରୀ ?’’

କହିଦେଇ ସେ ତଫସିଲ ଥିବା ରେଜିଷ୍ଟର ଏକଦମ୍‍ ବନ୍ଦ କରି ଆଗରୁ ଘୁଞ୍ଚାଇଦେଲେ ଆଉ ଖାଲି ଉପକାର କରିବା ଭଳି ମୁଦ୍ରା ଦେଖାଇ କଲମରେ କାନ କୁଣ୍ଡେଇହେଲେ ।

 

ରେଲଓ୍ୱେ ଖଲାସୀଟି ମିନିଟିଏ ବସି କ’ଣ ଭାବିଲା । ବୈଦ୍ୟ ମୁଣ୍ଡ ପୋତି ନିଜ କାମରେ ବ୍ୟସ୍ତ ଅଛନ୍ତି ଦେଖି ସେ ଦୋକାନରୁ ବାହାରି ତଳକୁ ଓହ୍ଲାଇପଡ଼ିଲା ।

 

ବୈଦ୍ୟଙ୍କୁ ହଠାତ୍‍ ନିଜର ଭୁଲ ଜଣାପଡ଼ିଗଲା; ଲାଗିଲା ସେ କଥାକୁ ଅଥାନରେ ପକାଇଦେଇଛନ୍ତି ଯହିଁରେ କଥାବାର୍ତ୍ତା ଭାଙ୍ଗିଗଲା ।

 

ହଠାତ୍‍ ଆଉ କିଛି ସେ ବୁଝିପାରିଲେ ନାହିଁ; ତେଣୁ ତାକୁ ଡାକପକାଇ କହିଲେ–

 

‘‘ହୋ ଶୁଣ, ଠାକୁର ସୌବର୍ଣ୍ଣସିଂଙ୍କୁ ମୋର ଦଣ୍ଡବତ କହିଦେବ...ତାଙ୍କ ଛୁଆପିଲା ଭଲ ଅଛନ୍ତି ତ ?’’

 

ରହିଯାଇ ଖଲାସୀ କହିଲା, ‘‘ହଁ, ସମସ୍ତେ ଭଲ ଅଛନ୍ତି ।’’

 

ତାକୁ ଶୁଣାଇ ଶୁଣାଇ ବୈଦ୍ୟ ଚନ୍ଦ୍ରକୁ କହିଲେ, ‘‘ଦଶଖଣ୍ଡ ଗାଁ ଆଉ ସହର ଛାଡ଼ି ଠାକୁର ସୌବର୍ଣ୍ଣସିଂ ଔଷଧ ପାଇଁ ଏଇଠିକି ଆସନ୍ତି । ଭାଇ, ତାଙ୍କ ପାଇଁ ମୁଁ ବି ସବୁବେଳେ ପ୍ରସ୍ତୁତ...’’

ଚନ୍ଦ୍ର ବୋର୍ଡ଼ ଉପରେ ଶେଷ ଅକ୍ଷର ଲେଖିବା ସାରିଦେଇ କହିଲା, ‘‘ଚାଲିଗଲାଣି ?’’

‘‘ପୁଣି ଲେଉଟି ଆସିବ ଯେ...’’

ବୈଦ୍ୟ ଯେପରିକି ନିଜକୁ ବୁଝାଉଥାନ୍ତି ସେ ଫେରିଆସିବାର ଅନିବାର୍ଯ୍ୟତା ଉପରେ ନିର୍ଭର ବିଶ୍ୱାସ ଗଢ଼ୁ ଗଢ଼ୁ କହିଲେ, ‘‘ଗାଉଁଲି ଗାଁର ବଇଦ ଓ ଓକିଲ ଏକାପରି । ସୌବର୍ଣ୍ଣସିଂ ଯଦି ମୋ ନାଁ ତାକୁ କହିଛି ତ ସେ ନିଶ୍ଚୟ ଲେଉଟି ଆସିବ । ଗାଁଲୋକଙ୍କ ଗଣ୍ଠି ଟିକିଏ କଷ୍ଟରେ ଖୋଲେ । କେଉଁଠି ବସି ଭାବିବ ଚିନ୍ତିବ, ସେଉଠୁ ଆସିବ...’’

‘‘ଆଉ କେଉଁଠୁ ଯଦି ନେଇଯିବ ?’’ –ଚନ୍ଦ୍ର କହିଲା ।

ବୈଦ୍ୟ ତା’ କଥା କାଟିଦେଇ କହିଲେ, ‘‘ନାହିଁ ନାହିଁ ବାବୁ !’’

କହୁ କହୁ ସେ ବୋର୍ଡ଼ ଆଡ଼କୁ ଅନାଇଲେ । ପ୍ରଶଂସାରେ ଉଛୁଳି ଉଠି କହିଲେ, ‘‘ବାଃ ଭାଇ, ଚନ୍ଦ୍ରବାବୁ, ସାଇନବୋର୍ଡ଼ ଭାରି ବଢ଼ିଆ ହେଲା...କାମ ଚଳିବ । ପାଞ୍ଚଟଙ୍କା ପେଣ୍ଟରକୁ ଦେଇ ରୋଗୀଙ୍କଠୁଁ ଅସୁଲ କରିବାକୁ ପଡ଼ିଥାନ୍ତା । ଘୋଡ଼ାଗାଡ଼ି, ଘୋଡ଼ା ଆଉ ଏ ଖର୍ଚ୍ଚ ଏକା କଥା । ନାକକୁ ସାମ୍ନାରୁ ଛୁଅଁ କି ହାତକୁ ପଛରୁ ବୁଲାଇ ଆଣି ଛୁଅଁ, ଏକା କଥା । ସୟଦ୍‍ ଅଲି ହାତରେ ଲେଖା ହୋଇଥିବା ସାଇନବୋର୍ଡ଼ ତ ଆଉ ରୋଗୀଙ୍କି ଭଲ କରିପାରିବ ନାହିଁ । ନିଜେ ଯେ ଯାହା ବୁଝିଲା ସେଇଆ ।’’ କହୁ କହୁ ସେ ଧୀରେ ହସିଦେଲେ । ସେ ନିଜ କଥା ବୁଝି ନିଜକୁ ହସିଲେ କି ଆଉ କାହାକୁ ହସିଲେ ଜଣାନାହିଁ ।

ସେଉଠୁ ଜଣେ ଲୋକ ଆସିଲା । ହଠାତ୍‍ ଲାଗିଲା ଯେମିତି ଖଲାସୀଟି ଫେରିଆସିଲା; କିନ୍ତୁ ଏ କାମଳ ରୋଗର ରୋଗୀ । ତାକୁ ଦେଖୁ ଦେଖୁ ବୈଦ୍ୟଙ୍କ ମୁହଁ ଉପରେ ସନ୍ତୋଷର ଝଳି ଖେଳିଗଲା । ସେ ଭିତରକୁ ଗଲେ । ଗୋଟିଏ ଡେଉଁରିଆ ଆଣି କହିଲେ, ‘‘ଅଇଛା ୟା ପ୍ରଭାବ ଦେଖିବ । କୋଡ଼ିଏ ପଚିଶ ଦିନରେ ୟା ଚମତ୍କାର ଗୁଣ ଦେଖାଯିବ ।’’ କାମଳ ରୋଗୀର ବାହୁରେ ଡଉଁରିଆ ବାନ୍ଧି ଆଉ ତାଠୁଁ କେତେ ଅଣା ପଇସା ନେଇ ପକେଟରେ ପକାଇ ସେ ଗମ୍ଭୀର ହୋଇ ବସିପଡ଼ିଲେ ।

ରୋଗୀ ଚାଲିଯିବା ପରେ କହିଲେ, ‘‘ୟେ ବିଦ୍ୟା ବି ମୋ ବାପାଙ୍କଠି ଥିଲା, ସେ ଯେଉଁ ବହିସବୁ ଲେଖିଯାଇଛନ୍ତି ସେସବୁ ପଡ଼ିଛି । ବହୁତ ଭାବିଲିଣି, ସାସବୁ ପୁଣି ଥରେ ଉତାରି ପକାଏଁ...ସେଥିରେ ବହୁତ ଅନୁଭବ କଥାମାନ ଅଛି । ବିଶ୍ୱାସର କଥା ବାବୁ, ଟିପେ ଧୂଳିରେ ଲୋକର ରୋଗ ଭଲ ହୋଇଯାଇ ପାରିବ । ହୋମିଓପ୍ୟାଥିକ୍‍ ଆଉ କ’ଣ କି ? ଟିପେ ଚିନିଗୁଣ୍ଡା; ଯହିଁରେ ବିଶ୍ୱାସ ହେଲା ଫଳ ଫଳିଲା ।’’

ଚନ୍ଦ୍ର ଯାଉ ଯାଉ କହିଲା, ‘‘ଏଥର ତ ଔଷଧାଳୟ ବନ୍ଦ କରିବା ବେଳ ହେଲା, ଖାଇବାକୁ ଯିବେ ନାହିଁ...’’

‘‘ତୁମେ ଯାଅ, ମୁଁ ପାଞ୍ଚମିନିଟ ପରେ ଯାଉଛି ।’’ ବୈଦ୍ୟ ସେ ଖାତା ଉତରା କାମ ନିଜ ଆଡ଼କୁ ଓଟାରି ଆଣିଲେ । ଦୋକାନ କବାଟ ଅଧ-ଆଉଜା କରି ବସିପଡ଼ିଲେ । ପଦାକୁ ଖରାକୁ ଅନାଇଁଲେ ଆଖି ଝଲସି ଯାଉଥିଲା । ପାଖର ଦୋକାନୀ ବଚ୍ଚନଲାଲ ଦୋକାନ ବନ୍ଦକରି ଘରକୁ ଯାଉ ଯାଉ ବୈଦ୍ୟଙ୍କ ଦୋକାନ ଖୋଲା ଅଛି ଦେଖି ପଚାରିଲା–

‘‘ଆପଣ ଖାଇବାକୁ ଯିବେ ନାହିଁ...’’

 

ହଁ, ଏମିତି ଗୋଟାଏ ଜରୁରୀ କାମ ପଡ଼ିଲା, ଟିକିଏ ପରେ ଚାଲିଯିବି’’ କହିଦେଇ ବୈଦ୍ୟ ତଳେ ସପ ପାରିଦେଲେ, ଟେବୁଲ୍‍ ଉପରୁ କାଗଜ, ରେଜିଷ୍ଟର ଆଦି ଆଣି ତଳେ ବିଛେଇଦେଲେ । କିନ୍ତୁ ଗରମ ତ ଛାଡ଼, ଝାଳ ତ ଅଟକୁନାହିଁ । ରହି ରହି ବିଞ୍ଚି ହେଉଥାନ୍ତି, ପୁଣି ନକଲ ତିଆରି କରୁଥାନ୍ତି । କେତେ ସମୟ ମନ ମାରିଦେଇ କାମରେ ଲାଗିଲେ, କିନ୍ତୁ ଗଲା ସାହସ ଭାଙ୍ଗି । ଉଠିପଡ଼ି ପୁରୁଣା ଧୂଳି ଜମିଥିବା ଶିଶିଗୁଡ଼ାକ ଝାଡ଼ୁଥାନ୍ତି । ତାକୁ ଧାଡ଼ି ଧାଡ଼ି କରି ରଖିଲେ; କିନ୍ତୁ ଖରାଦିନ ଦିପହର...ସମୟ ସ୍ଥିର ରହିଲା ପରି ଲାଗୁଥାଏ । ଥରେ ସେ କବାଟସନ୍ଧିବାଟେ ମୁହଁ କାଢ଼ି ସଡ଼କ ଆଡ଼କୁ ଅନାଇଲେ । ଜଣେଅଧେ କେହି ନିଘାରେ ପଡ଼ିଲେ, ସେହି ଯା’-ଆସ କରୁଥିବା ଲୋକଙ୍କୁ ଦେଖି ସାହା ମିଳିଗଲା ପରି ଲାଗିଲା । ଭିତରକୁ ଆସି ବୋର୍ଡ଼ର ତାରକୁ ସିଧା କଲେ । ‘ଧନ୍ୱନ୍ତରି ଔଷଧାଳୟ’ର ସାଇନବୋର୍ଡ଼ ଦୋକାନର ବେକରେ ଡଉଁରିଆ ପରି ଓହଳିଲା ।

 

ଆହୁରି କିଛି ସମୟ ଗଲା, ଶେଷରେ ସେ ସାହସ କଲେ, ଲୋଟାଏ ପାଣି ପିଇଲେ ଆଉ ଲୁଗାକୁ ଅଧାଯାକେ ଟେକିଦେଇ ଉତ୍ସାହରେ କାମରେ ଲାଗିଗଲେ । ବାହାରେ କ’ଣ ଶବ୍ଦ ଶୁଭିଲା । ସେ ଚିନ୍ତିତ ହୋଇ ଦେଖିଲେ ।

 

ଘରକୁ ଯାଉଥିବା ଚିହ୍ନା ଜଣେ ପଚାରିଲା, ‘‘ଆଜି ବିଶ୍ରାମ ନେବାକୁ ଗଲେନାହିଁ ଆଜ୍ଞା ?

 

‘‘ଯିବି ବୋଲି ଭାବୁଛି...କିଛି କାମ ମିଳିଯାଇଥିଲା ଯେ, ଭାବିଲି କରିଦିଏଁ...’’ କହିଦେଇ ବୈଦ୍ୟ କାନ୍ଥରେ ପିଠି ଭରାଦେଇ ବସିପଡ଼ିଲେ । କାମିଜ ଖୋଲି ଗୋଟାଏପଟେ ଥୋଇଦେଲେ । ଟିଣ ଛାତର ଦୋକାନ, ନିଆଁ ଆଞ୍ଚପରି ତାତିଥାଏ । ବୈଦ୍ୟଙ୍କ ଆଖି ନିଦରେ ଭାରି ଭାରି ଲାଗୁଥାଏ । ଟିକିଏ ଝାଙ୍କି ହୋଇପଡ଼ିଲେ... ନିଶ୍ଚୟ କେତେ ବେଳ ଗଲା, ସମ୍ଭାଳି ନହେବାରୁ ସେ ରେଜିଷ୍ଟରଗୁଡ଼ାକ ତକିଆ କରି ପିଠିକୁ ସିଧାକଲେ, କିନ୍ତୁ ନିଦ...ଆସୁଥାଏ...ଭାଙ୍ଗି ଯାଇଥାଏ...କେଜାଣି କ’ଣ ହୋଇଥିଲା ।

 

ହଠାତ୍‍ ଗୋଟାଏ ଶବ୍ଦ ଶୁଣି ଚମକି ପଡ଼ିଲେ । ଆଖି ଖୋଲୁ ଖୋଲୁ ସେ ଉଠିପଡ଼ି ବସିପଡ଼ିଲେ । ବଚ୍ଚନଲାଲ ଦିପହର ବିତାଇ ଫେରିଆସିଥାନ୍ତି । ପଚାରିଲେ ‘‘ଆରେ, ଆଜି ଆପଣ ଏପର୍ଯ୍ୟନ୍ତ ଯାଇନାହାନ୍ତି ଯେ...’’

 

ବୈଦ୍ୟ ତରତର କରି ବିଞ୍ଚଣା ହଲାଇଲେ । ବଚ୍ଚନଲାଲ ଦୋକାନରୁ ଓହ୍ଲାଉ ଓହ୍ଲାଉ ପଚାରିଲେ, ‘‘କ’ଣ କାହାକୁ ଅପେକ୍ଷା କରିଛନ୍ତି କି ?’’

 

‘‘ହଁ, ଗୋଟିଏ ରୋଗୀ ଆସିବ ବୋଲି କହିଥିଲା....ଏପର୍ଯ୍ୟନ୍ତ ତ କାହିଁ ଆସିଲା...’’ ବୈଦ୍ୟ ବଚ୍ଚନଲାଲଙ୍କୁ ଯିବାର ଦେଖି କଥା ମଝିରେ ଅଟକିଯାଇ ତୁନି ହେଲେ ଆଉ ନିଜ ଦେହରୁ ଝାଳ ପୋଛିଲେ ।

Image

 

ଶବଯାତ୍ରା

(ଶ୍ରୀକାନ୍ତ ବର୍ମା)

 

ଖାଲି ଗୋଟାଏ ଖଟ ଥୋଇଲା ଭଳି ଜାଗା ଥିଲା । ବଖୁରୀ ବାହାରକୁ ଆସି ସିପାହିଟି ସଡ଼କରେ ଏକାଠି ହୋଇଥିବା ଥୋଡ଼ାଏ ଲୋକଙ୍କୁ ପଚାରିଲା, ‘‘ୟାର କେହି ଓ୍ୱାରସ୍‍ ଆସିଚି ?’’

 

ଯେଉଁଠୁ କିଛି ଜବାବ ନପାଇଲା ମନକୁ ମନ କହିଲା, ‘‘ତେବେ କିଛି ବନ୍ଦୋବସ୍ତ ତ କରିବାକୁ ପଡ଼ିବ ।’’

 

‘‘ହିନ୍ଦୁ ଥିଲା ନା ମୁସଲମାନ ?’’ ସାଇକଲ୍‍ ସିଟରେ ପିଠି ଆଉଜେଇ ଜଣେ ଅଳ୍ପ ବୟସର ଟୋକା କହିଲା, ‘‘ବେଶ୍ୟାଟାଏ ।’’

 

କନେଷ୍ଟବଳ ଧମକେଇଲା ପରି କହିଲା, ‘‘ଜଣାଅଛି ।’’

 

ଆଉ ଜଣେ ଲୋକ କନେଷ୍ଟବଳ ଆଡ଼କୁ ବିଡ଼ି ବଣ୍ଡଲଟାଏ ବଢ଼େଇ ଦେଉ ଦେଉ କହିଲା, ‘‘ସିପେଇବାବୁ, ସେବାଶ୍ରମ ଲୋକଙ୍କୁ ଦେଇଦିଅ ।’’

 

‘‘ମୁର୍ଦାରଟା କାଲିଠୁଁ ଥୁଆହୋଇଛି । କିଛି ଜାଣିଛ ? ବେଶି ଡେରି କଲେ ସଢ଼ିଯିବ । କନେଷ୍ଟବଳବାବୁ, ଶୀଘ୍ର ୟାର କିଛି ବନ୍ଦୋବସ୍ତ କର ।’’

 

ନାକବାଟେ ଧୂଆଁ ଛାଡ଼ୁ ଛାଡ଼ୁ କନେଷ୍ଟବଳ କହିଲା, ‘‘ଆଗ ଜଣାପଡ଼ୁ କିଏ ୟା ଓ୍ୱାରସ, ମାର୍ଫତ୍‍ଦାର, ଭାଇ, ପୁତୁରା କିଏ ଅଛନ୍ତି । ଆଗ ତ ରିପୋର୍ଟ ଲେଖେଇବାକୁ ପଡ଼ିବ; ନହେଲେ ସତେକି ଥାନାଟାଯାକ ଉପରେ ବୋମା ପଡ଼ିଯିବ । ହାରାମ୍‍ଜାଦାମାନେ ମତେ କହିବେ । ଆଗ କିଛି ଜଣା ଭଲା ପଡ଼ନ୍ତା ।’’ ବିଡ଼ିଧୂଆଁ ଓଟାରି ସେ ମହାଚିନ୍ତାରେ ବୁଡ଼ିଗଲା । ଥୋଡ଼ାଏ ଲୋକ ସିପାହି ପାଖରେ ତୁନି ହୋଇ ଠିଆହୋଇଥାନ୍ତି, ଆଉ ଥୋଡ଼ାଏ ଖଣ୍ଡେ ଦୂରରେ କଥାଭାଷା ହେଉଥାନ୍ତି ।

 

ପାଖରେ ଥୋଡ଼ାଏ ସାନ ସାନ ଘର, ବଖରା ଆଉ କୁଡ଼ିଆ । ସଡ଼କଟା ପକ୍‍କା ସଡ଼କ ନୁହେଁ । ଖାଲି ମୋରମ୍‍ ପଡ଼ିଥିବାରୁ ନାଲି ଦିଶୁଥାଏ । ଦିନଯାକ ପବନରେ ସେ ମୋରମ୍‍ର ଧୂଳି ଉଠୁଥାଏ । ଆଉସବୁ ନିର୍ଜନ ପଡ଼ିଥାଏ ।

 

ସେଇ କିସମର ସ୍ତ୍ରୀଲୋକମାନଙ୍କ ଭିତରେ ଇମରତୀ ହିଁ ଶେଷ ଜଣକ, ଯିଏ ଏ ଅଞ୍ଚଳରେ ଦି ତିନିବର୍ଷ ହେଲା ରହିଥିଲା । ଝଟାପଟା କଳି ଲାଗିଲା ପରେ ବି ସେ ଏଠୁ ଗଲାନାହିଁ-। ବସ୍ତି ଲୋକେ ବି ତାକୁ ସ୍ୱୀକାର କରିନେଇଥିଲେ । ଜାଣିଥିଲେ ଯେ ସେମାନେ କଳିରେ ତାକୁ ପାରିବେ ନାହିଁ । ସେମାନେ ତା’ ସଙ୍ଗରେ ବଢ଼ି ବଢ଼ି କଥା କହିପାରନ୍ତି ନାହିଁ । କଥା କହିବାର କୌଣସି ପ୍ରସଙ୍ଗ ବି ନଥିଲା, ଖାଲି ସେତିକିବେଳ ଛଡ଼ା ଯେତେବେଳେ ସେ ସାଜସଜା ହୋଇ ପାନଦୋକାନରେ ଯାଇ ଠିଆହୋଇଥାଏ ।

 

ସକାଳୁ ସଞ୍ଜଯାକେ ଫିଲ୍ମ-ଗୀତ ବଜାଉଥିବା ‘ଦି ସିନ୍ଧୁ ହିନ୍ଦୁ ହୋଟେଲ’ରେ ସଞ୍ଜବେଳେ ନିଜ ଲାଗି ମାଂସ ସୋରୁଆ କିଣିବାକୁ ଆସୁଥିଲାବେଳେ ସେ ବେଶି ସମୟ ସେଠି ରହୁନଥିଲା । ବୋଧହୁଏ ନିଜ ଅନୁଭବରୁ ସେ ଚିହ୍ନି ନେଇଥିଲା ଯେ ଏଠି ବସିଥିବା ଲୋକେ ମାଗେଣାଖିଆ; ଆଉ ମାଗେଣାଖିଆଙ୍କ ସଙ୍ଗରେ ତା’ର ଜନ୍ମଗତ ବିରୋଧ । ସେ ଗୋଟାଏ ଟୋକାକୁ ପଇସା ଦେଇ ରଙ୍ଗ ରଙ୍ଗ ଗୋଲ ଗୋଲ ଅକ୍ଷରରେ ନିଜ ବସା କାନ୍ଥରେ ଲେଖାଇ ରଖିଥିଲା–‘ଉଧାର ଶରଧାର କତୁରି ।’

 

‘‘ଇମରତୀ ବାଈ ଦୁନିଆଁ-ବାହାର ବେଶ୍ୟାଟାଏ ।’’ –ସେ ଚାଲିଗଲା ପରେ ପାନବାଲା କହୁଥିଲା, ‘‘ସେ ବେଶୀ କଥା କହେନାହିଁ ।’’

 

ତା’ କତିକି ଗ୍ରାହକ ବି ଅଳ୍ପ ଯାଉଥିଲେ, ଆଉ ଶେଷବେଳକୁ ତ କାହିଁ ଜଣେଅଧେ କିଏ-। କିଏ ବା ତା’ ପାଖକୁ ଆସନ୍ତା ? ସେ କହେ, ସେ ଗୀତ ବି ଗାଏନାହିଁ, ନିତମ୍ୱ ବି ହଲାଏ ନାହିଁ । ଲୋକ ତ କେବଳ ଶରୀର ଟିକିଏ ଚାହେଁ, ଖାଲି ବେଳ-ବେଳକର କଥା । ଏଇଆ କହି ବାଧା ଦେଲା ପରେ ବି ଲୋକେ ତା’ ପାଖକୁ ନାଚ ଗୀତ ଲାଗି ନୁହେଁ, ଶରୀର ପାଇଁ ଆସନ୍ତି । ସେ ଜବାବ ଦେଉଥିଲା, ତଥାପି ଶରୀରରେ ବି ତ ଝଳି ଦରକାର, ତାଠି ତା’ ବି ଆଦୌ ନାହିଁ । ଇମରତୀ ବାଈ ସଫା ସଫା କହିଲାବାଲୀ ବେଶ୍ୟା ଥିଲା ।

 

ସେତେବେଳେ ବି ସେ ଦୋକାନରେ ପାନ ଭାଙ୍ଗୁ ଭାଙ୍ଗୁ ସେହି କଥା ପୁଣି କହୁଥିଲା । ଆଉ କହୁଥିଲା, ‘‘ମୁଁ ଜାଣିଥିଲି ଏଇଆ ଅବସ୍ଥା ହେବ । ମୁଁ କହିଥିଲି ବି, ଇମରତୀ ବାଈ, ଚିକିତ୍ସା କରେଇନିଅ । ଏବେ ବି ବଞ୍ଚିଯିବ । କିନ୍ତୁ ହତଭାଗିନୀଟା ଜୀବନସାରା ଦୁନିଆଯାକ ଲୋକଙ୍କୁ ବେମାରି ବାଣ୍ଟି ବାଣ୍ଟି ବୁଲିଛି । ଅଇଛା ମଲା ଯେ କେହି ଉଠେଇବା ଲୋକ ବି ନାହିଁ । କିନ୍ତୁ ଯାହା କହ, ଇମରତୀ ବାଈ ସଫା ସଫା ବତେଇବା ବେଶ୍ୟା ଥିଲା, ତା’ର ସବୁକଥା ମତେ ଜଣା ।’’

 

ସେଉଠୁ ସେଇଠି ବସି ବସି ପାନରେ ଖଇର ଲଗାଇ ଲଗାଇ ସେ କହିଲା, ‘‘ହାବିଲ୍‍ଦାରେ, ଚଞ୍ଚଳ ମୁର୍ଦାରକୁ ଉଠେଇନିଅ, ବେମାରିରେ ମରିଛି ।’’

 

ହାବିଲଦାର ସେତେବେଳେ କାଚ ଗିଲାସରେ ପଶିଥିବା ଗରମାଗରମ ଚାହା ଫୁଙ୍କି-ଫୁଙ୍କିକା ପିଉଥିଲା । ତା’ କଥା ଶୁଣି ତା’ ଆଡ଼କୁ ବୁଲିପଡ଼ି କହିବ ବୋଲି ହେଲା; କିନ୍ତୁ ସେତିକିବେଳେ ମ୍ୟୁନିସ୍‍ପାଲିଟିର ମଇଳାବୁହା ମଇଁଷିଗାଡ଼ି ଗଳି ଭିତରକୁ ଆସିବାର ଦିଶିଲା ।

 

ଚାହାକୁ ଢୋକେ ପିଇ ଗିଲାସକୁ ହୋଟେଲର ଟୋକାକୁ ଧରାଇ ସେହି ଗାଡ଼ି ଆଡ଼କୁ ଧାଉଁ ଧାଉଁ ହାବିଲଦାର କହିଲା, ‘‘ତୋ ନାଁ କ’ଣ ବେ ?’’

 

ଗାଡ଼ିରୁ ଓହ୍ଲାଉଥିବା ଶଗଡ଼ିଆ ଜବାବ୍‍ ଦେଲା–‘‘ବଇଁଶୀ ଲାଲ୍‍ ।’’

 

‘‘କୁଆଡ଼େ ଯାଉଚୁ ?’’

 

‘‘ଡ୍ୟୁଟିକୁ ଯାଉଛି ।’’ ସେ ନ ଡରି କହିଲା । ସେ ପୁଲିସ କନେଷ୍ଟବଳକୁ ଭୟ କରୁ ନ ଥିଲା । ସେଠି ତାକୁ ଭିଡ଼ ଥିବାର ନ ଦିଶିଲେ ସେ ଗାଡ଼ି ରୋକି ନଥାନ୍ତା, ଗୀତ ଗାଇ ଗାଇ ଚାଲିଯାଇଥାନ୍ତା । ଇମରତୀ ବାଈ ବାହାରକୁ ଆସୁ କି ନଆସୁ, ଏପଟେ ଯେବେ ତା’ ଡ୍ୟୁଟି ପଡ଼େ, ଗଲାବେଳେ ସେ ନିଶ୍ଚୟ ଥରେ ଗୀତ ଗାଇଦେଇ ଯିବ ।

 

ସେ ଚାଲିଯାଉଥାଏ । ସିପାହି ତାକୁ କହିଲା, ‘‘ଶୁଣ୍‍ ବଂଶୀଲାଲ, ଡ୍ୟୁଟି କ୍ୟାନସଲ୍‍ କର, ମଶାଣି ଯିବାକୁ ପଡ଼ିବ ।’’

 

ବଂଶୀଲାଲ ତା’ ପାଞ୍ଚଣବାଡ଼ି ଗାଡ଼ିରେ ଥୋଉ ଥୋଉ ପଚାରିଲା, ‘‘କିଏ ମଲା ?’’

 

ଭିତରୁ ଜଣେ କହିଲା, ‘‘ଇମରତୀ ବାଈ ।’’

 

‘‘କ’ଣ କହିଲ ?’’ ସେ ବିଶ୍ୱାସ କଲା ନାହିଁ; ପୁଣି ପଚାରିଲା, ‘‘କ’ଣ କହିଲ ?’’

 

‘‘ମୁର୍ଦାର ଏଠୁ ଚଞ୍ଚଳ ଉଠା, ଆଉ ଠିକଣାଠିଁ ପହଞ୍ଚ୍, ବୁଝିଲୁ ? ମୁଁ ଚାଲିଲି ଥାନାକୁ, ରିପୋର୍ଟ ଦେବି ।’’ ସିପାହି ତା’ କାନ୍ଧ ଥାପୁଡ଼େଇଲା, ପୁଣି ପକେଟରୁ ଗୋଟାଏ ମଇଳା ନୋଚାକୋଚା ନୋଟ୍‍ବୁକ୍‍ କାଢ଼ି ପେନ୍‍ସିଲରେ କ’ଣ ଲେଖି ଆଗକୁ ଚାଲିଲା ।

 

ସଡ଼କ ଦାଢ଼ରେ ସେ ଗାଡ଼ିକି ଅଟକେଇଥାଏ । ‘‘ଟିକିଏ ଦେଖେ’’ କହି ସେ ଭିତର ଆଡ଼କୁ ଗଲା । ଏପର୍ଯ୍ୟନ୍ତ ସେଠି ଏକାଠି ଠିଆହୋଇଥିବା ଲୋକଙ୍କ ଭିତରୁ କେହି ଭିତରକୁ ଯାଇ ନଥିଲେ । ସେ ଗଲା ତ ତା’ପରେ କେହି କେହି ଗଲେ ।

 

ମୁର୍ଦାର ଗୋଟାଏ ଖଟ ଉପରେ ଥୁଆ ହୋଇଥାଏ । କେହି ତା’ ଉପରେ ଚାଦର ବି ଘୋରାଇ ଦେଇ ନଥାନ୍ତି ।

 

ବଂଶୀ ସେ ବଖରା ଭିତରକୁ ପ୍ରଥମ ଥର ପଶିଥାଏ, ଆଉ ଭିତରକୁ ପଶୁ ପଶୁ ତାକୁ ଟିକିଏ ଅଡ଼ୁଆ ଅଡ଼ୁଆ ବି ଲାଗିଲା ।

 

ଇମରତୀକୁ ସେ ଅନେକ ଥର ଦେଖିଲା; ଆଉ ସେ ମନେ ମନେ ଭାବିଥିଲା ଦିନେ-ନା-ଦିନେ ସେ ସେଠିକି ଯିବ । ଗୋରା ଗୋଲାପୀ ଦେହଟା ଏତେ ହଲଚଲ ପରେ ବି ଟାଙ୍କିହୋଇ ରହିଥାଏ ।

 

କିନ୍ତୁ ସେ କେବେ ଯାଇପାରି ନଥିଲା । ଏତେ ପଇସା ତାଠି ହୋଇନାହିଁ । ସେ ଜାଣିଥିଲା ଇମରତୀର ଗ୍ରାହକ ଅଳ୍ପ ସିନା, ତା’ ରେଟ୍‍ ବେଶି, ତହିଁରୁ ତଳକୁ ସେ ଖସିବ ନାହିଁ । ଆଉ ଖସିଲେ ସୁଦ୍ଧା ତାକୁ କାହିଁକି ପସନ୍ଦ କରନ୍ତା ଯେ ? ତା’ ନିଜ ରୂପ-ରଙ୍ଗ ତାକୁ ଜଣା । ସେ ଜାଣିଥିଲା ତା’ ଚେହେରା ଅସୁନ୍ଦର, ଆଉ ଆକାର ତା’ର ସାନ ହୋଇଥିବାରୁ ସେ ଅନ୍ୟମାନଙ୍କର ଦୟା ଓ ହସର ପାତ୍ର । ସେ ଦୟା ଓ ହସ ମୁହଁରେ ପଡ଼ିଲେ ସେ ଆପଣା ରାଗକୁ ସମ୍ଭାଳି ଆଗକୁ ଚାଲିଯାଏ ।

 

ଡ୍ୟୁଟି ବଜାଇ ସାରି ଉପରଓଳି ସଫା କୁର୍ତ୍ତା ଆଉ ପାତଳା ଲୁଗା ପିନ୍ଧି ସିନେମା ଘରଆଡ଼େ ଟହଲି ଟହଲି ବୁଲିଯିବାକୁ ବାହାରିପଡ଼େ; ଆଉ ବଇଁଶୀରେ ଫିଲ୍ମ-ଗୀତ ଗାଇ ଟୋକାଙ୍କୁ ଭେଳାଇନିଏ । ବଇଁଶୀ ବଜାଇବା ଲାଗି ତା’ର ମଜଲିସ୍‍ ଜମିଯାଏ ।

 

ଇମରତୀର ମୁହଁ ବିଲକୁଲ ବିକୃତ ହୋଇଯାଇଥିଲା, ଆଉ ତା’ ଓଠ ଟିକିଏ ଖୋଲିଯାଇଥିଲା । ତା’ ଛାତିରୁ ଲୁଗା ଖସିଯାଇଥିଲା ଆଉ ଜଙ୍ଘ ବି ବହୁ ଭାଗ ଖୋଲା ପଡ଼ିଥିଲା । ତା’ର ସେ ରୂପେ ବଇଁଶୀକୁ ଟିକିଏ ଦୁଃଖ ଲାଗିଲା । ଆଉ ଡେରି କରିହେବ ନାହିଁ । ଏଇଆ ଭାବି ସେ ଆଗକୁ ଗଲା ଆଉ ତା’ ଦେହ ଉପରେ ଲୁଗା ଘୋରେଇଦେଲା ।

 

‘ଖଟକୁ ପଦାକୁ ନେବା ଦରକାର ନାହିଁ’–ସେ ମନକୁ ମନ କହିଲା । ସେଉଠୁ ମୁର୍ଦାରର ନଳିଗୋଡ଼କୁ ଧରି ସେ କହିଲା, ‘‘ଟିକିଏ ସାହାଯ୍ୟ କରନ୍ତୁ ।’’ ଜଣେ ଲୋକ ବେକରୁ ଆଉ ଜଣେ ପିଠିରୁ ଧରିଲେ, ଆଉ ମୁର୍ଦାର ପଦାକୁ କଢ଼ାଗଲା । ‘‘ଟିକିଏ ରହିଲେ’’, ସେ ଚଞ୍ଚଳ କହିଲା, ‘‘ଗାଡ଼ିଟାକୁ ଟିକିଏ ଧୋଇପକାଏଁ ।’’ ମୁର୍ଦାର ବୋହିବା ତା’ର ଅଭ୍ୟାସ ଥିଲା; କିନ୍ତୁ ଏହି ପ୍ରଥମ ଥର ଅନୁଭବ କଲା ଯେ ମୁର୍ଦାରକୁ ଏମିତିଆ ଅସନା ଗାଡ଼ିରେ ନେବା କଥା ନୁହେଁ ।

 

ମଇଁଷି ପିଠିରେ ବାଡ଼ି ଠେକ ଦେଇ ସେ ଗାଡ଼ିକୁ କଳପାଖକୁ ନେଲା, ନଳ ଚଳାଇଲା, ଆଉ ସୁବିଧାରେ ଗାଡ଼ିଟାକୁ ଧୋଇଲାଗିଲା । ହାତପାପୁଲିରେ ଗାଡ଼ି ଭିତରକୁ ଗାଡ଼ି ଉପରକୁ ପାଣି ଛାଟୁଥାଏ, ପୁଣି ଗୋଟାଏ ମଇଳା କନାରେ ଗାଡ଼ିକୁ ରଗଡ଼ି ରଗଡ଼ି ସଫା କଲା । ଥରେ କୁଦାମାରି ମଇଁଷିଙ୍କ ପିଠି ଉପରେ ବସିପଡ଼ିଲା ଆଉ ସଫାସୁତୁରା ଗାଡ଼ିକୁ ଖୁସି ହୋଇ ଦେଖିଲା । ପୁଣି ନିଜେ ‘ଆଉ ଟିକିଏ ଧୁଏଁ’ କହି ଓହ୍ଲାଇଲା ଏବଂ ଧୋଇବାକୁ ଲାଗିଗଲା ।

 

ମୁର୍ଦାର ପାଖରେ ଦଶ କୋଡ଼ିଏ ଜଣ ମଣିଷ ଜମା ହୋଇଯାଇଥିଲେ । ଗାଡ଼ିକୁ ଜୋରରେ ଚଳାଇ ସେ ସେମାନଙ୍କ ପାଖକୁ ଆସିଲା । ‘‘ଟିକିଏ ଉଠନ୍ତୁ, ଟିକିଏ ବାଟ ଛାଡ଼ନ୍ତୁ ।’’ ପୁଣି ଟିକିଏ ଧଇଁସଇଁ ହୋଇ ଓହ୍ଲାଇଲା ଆଉ ପୁଣି ସତେକି ନିଜକୁ ସଂଯତ କରି ପାଟିକଲା–‘‘ଟିକିଏ ସାହାଯ୍ୟ କରନ୍ତୁ, ମୁର୍ଦାରକୁ ଟିକିଏ ଧରି ଟେକନ୍ତୁ ।’’ କେତେ ଜଣ ଆଗକୁ ଆସିଲେ ଆଉ ମୁର୍ଦାରକୁ ଆଗ ପରି ଉଠାଗଲା ।

 

‘‘ଟିକିଏ ସମ୍ଭାଳି ।’’

 

ସେ ଗାଡ଼ି ଉପରେ ଚଢ଼ିଥିଲା, ଆଉ ମୁର୍ଦାର ଥୋଇବାକୁ ଜାଗା କରିଥିଲା, କିନ୍ତୁ ଜାଗା ଏତେ ନଥିଲା ଯେ ମୁର୍ଦାରକୁ ଶୁଆଯାଆନ୍ତା । ସେ ଟିକିଏ ଧନ୍ଦିହେଲା ଆଉ ମ୍ୟୁନିସିପାଲିଟି ଉପରେ ତା’ର ରାଗ ଆସିଲା । ଏଡ଼େ ସାନ ଗାଡ଼ିରେ ତ ପିଲାମୁର୍ଦାର ବି ଯାଇପାରିବ ନାହିଁ ।

 

‘‘ଏମିତି ନାହିଁ, ସେମିତି’’–ସେ ଆଉ ଦିଜଣଙ୍କ ସାହାଯ୍ୟ ନେଇ ମୁର୍ଦାରକୁ ଗାଡ଼ିରେ ଅଧାଶୁଆ କରିଦେଲା । କାନ୍ଧରୁ ଗାମୁଛା କାଢ଼ି ମୁର୍ଦାରର ମୁଣ୍ଡ ତଳେ ତକିଆ ପରି ଠେକ ଦେଲା । ଏତେ କଷ୍ଟ କଲା ତା’ର ମନରେ ଟିକିଏ ସନ୍ତୋଷ ହେଲା ।

 

ଗାଡ଼ିରେ ଠିଆହୋଇ ସେ ଥରେ ସେହି ସମସ୍ତଙ୍କ ଉପରେ ଉଛୁଳା ଦୃଷ୍ଟି ବୁଲାଇଆଣିଲା, ଆଉ ନିଜକୁ ସେମାନଙ୍କଠୁଁ ଟିକିଏ ଉଚ୍ଚ ବୋଲି ଅନୁଭବ କଲା । ତା’ପରେ ତାଙ୍କ ଭିତରୁ ତାକୁ କେହି କିଛି ନକହୁଣୁ ସେ ଗାଡ଼ି ଅଡ଼େଇଲା ଆଉ ନିଜେ ଟିକିଏ ଆତ୍ମବିଶ୍ୱାସ ସହକାରେ ବସିପଡ଼ିଲା ।

 

କିଛି ବାଟ ଯାଇ ବୁଲିପଡ଼ି ସେ ପଛକୁ ଚାହିଁଲା । ଦେଖିଲା ଯେ ଭିଡ଼ ଛିନ୍‍ଛତର ହୋଇଯାଉଛି । ଜଣେ ଲୋକ ମାଡ଼ିଯାଇ ଇମରତୀ ବାଈ ଘରେ ଶିଂକୁଳି ଲଗାଇ ଦେଇଛି ।

 

ସେ ଗାଡ଼ିକୁ ଆହୁରି ଜୋରରେ ନେଲା ଆଉ ଠିକ୍‍ ମୋଡ଼କୁ ଯାଇ ଅଟକିଲା । ଓହ୍ଲେଇ ଦେଖିଲା ସେ ଠିକ୍‍ ଅଛି ତ । ମୁର୍ଦାର ସେମିତି ଅଧାଶୁଆ ହୋଇ ପଡ଼ିଥାଏ । ଖାଲି ଧଡ଼ଧଡ଼ରେ ତା’ ଦେହରୁ ଲୁଗା ଖୋଲିଯାଇଥାଏ, ଆଉ ଦେହଗୋଟାକ ଲଙ୍ଗଳାମୁକୁଳା ହୋଇଯାଇଥାଏ । ଥରେ ତା’ ନିଘା ତା’ ଉପରେ ପଡ଼ିଲା । ପୁଣି ତାକୁ ଲାଜ ବି ମାଡ଼ିଲା, ଆଉ ସେ ଚଞ୍ଚଳ ମୁର୍ଦାର ଦେହରେ ଲୁଗା ଘୋଡ଼ାଇଦେଲା ପୁଣି ପାନଦୋକାନ ଆଡ଼କୁ ଗଲା ।

 

ତା ପକେଟରେ ସାତ ଟଙ୍କା ଥାଏ । ଦରମାରୁ ବଞ୍ଚେଇ ସେତକ ସେ ରଖିଥାଏ । ତହିଁରେ କି କି ଜିନିଷ କିଣିବ ତା’ ତାଲିକା ତା’ ମନ ଭିତରେ ବହୁଦିନୁ ଥିଲା । ଟଙ୍କାଟାକୁ କାଢ଼ି ହାତରେ ଧରି ଦୋକାନ ଆଡ଼କୁ ଯାଉ ଯାଉ ସେ କହିଲା, ‘‘ଏତକର ରେଜା ଦିଅ ।’’

 

ପାନବାଲା ତା’ ଆଡ଼କୁ ଅନାଇ ହସି କହିଲା, ‘‘ଏତେ ରେଜା ନାହିଁ ।’’ କିନ୍ତୁ ସେ ନ ଶୁଣିଲା ପରି କହିଲା, ‘‘ଟିକିଏ ଝଟ୍‍ ଦିଅ, ଡେରି ହୋଇଯାଉଛି ।’’

 

ସେ ଦେଖିଲା ପାନବାଲା ଗୋଟାଏ କନାମୁଣିରୁ ସବୁଯାକ ପଇସା କାଢ଼ି ଗଣିଲା । ଥଳି ହାତକୁ ଆସିଲାରୁ ତା’ ଦମ୍ଭ ବଢ଼ି ଗଲା ଓ ସେ ଧାଇଁଯାଇ ବସିପଡ଼ିଲା ।

 

ଗାଡ଼ି ଅଡ଼ାଉ ଅଡ଼ାଉ ସେ ଦେଖିଲା ପାନବାଲା ଓ ଆଉ ଦି’ ତିନିଜଣ ତାକୁ ଅନାଇଁ ମୁରୁକି ମୁରୁକି ହସୁଛନ୍ତି ଆଉ ପାନବାଲା ଖଇ-ବାଡ଼ିଟାଏ ହଲେଇ ହଲେଇ ତା’ ଆଡ଼କୁ ଅଶ୍ଳୀଳ ଇଂଗିତ କରୁଛି ।

 

ସେ ମନେ ମନେ ତାକୁ ଗାଳିଦେଲା ଆଉ କଷିକରି ମଇଁଷି ପିଠିରେ ପାହାରେ ଦେଲା-

 

ବସ୍ତିରୁ ବାହାରକୁ ଆସି ତାକୁ କ୍ଳାନ୍ତ ଲାଗିଲା । ଖରା ଟାଣ ଥାଏ ଆଉ ଏତେ ପରିଶ୍ରମ ପରେ ତା’ ଦେହରୁ ଝାଳ ବୋହୁଥାଏ । ସଡ଼କ କର ଚଲାବାଟରେ ଲୋକେ ଯା-ଆସ କରୁଥାନ୍ତି ଓ ଦୋକାନଗୁଡ଼ିକ ପ୍ରାୟ ଖୋଲିଯାଇଥାଏ ।

 

ସେ ଥରେ ପଛକୁ ବୁଲିପଡ଼ି ଚାହିଁଲା, ଦେଖିଲା ମୁର୍ଦାର କି ଅବସ୍ଥାରେ ଅଛି । ସବୁ ଠିକ୍‍ ଥାଏ; ଖାଲି ତକିଆଟା ଟିକିଏ ପଛକୁ ଖସିଯାଇଥାଏ । ଗାଡ଼ି ଅଟକାଇ ସେ ଓହ୍ଲାଇଲା ଆଉ ପୁଣି ତାକୁ ଠିକ୍‍ କରିଦେଲା ।

 

ଏପଟ ସେପଟ କରୁ କରୁ ମୁର୍ଦାରଟା ଯେମେତି ଟିକିଏ ହଲିଲା ସେମିତି ସେ ନିଜେ ଥରିଗଲା । ତା’ ଜିଅନ୍ତା ଦେହଟାକୁ ଛୁଇଁଛି ବୋଲି ବିଚାର ମନରେ ଆସି ତା’ ଦେହ ଥରିଉଠିଲା ପରି ଲାଗିଲା ଆଉ ତା’ ନାଡ଼ି ତରତର ହୋଇ ଚାଲିଲା । ସେ ପୁଣି ନିଜ ଜାଗାରେ ବସିପଡ଼ିଥିଲା, ଆଉ ଭାବୁଥିଲା, ଯଦି ୟା ଦେହରେ ଭଲ ଶାଢ଼ି ଥାନ୍ତା, କେଡ଼େ ବଢ଼ିଆ ହୋଇଥାନ୍ତା । କେତେଥର ରଙ୍ଗରଙ୍ଗର ଶାଢ଼ି ପିନ୍ଧି ଦୁଆରମୁହଁରେ ଠିଆହୋଇଥିବାର ସେ ତାକୁ ଦେଖିଛି । ସତେ କି ରାଣୀ ରୂପବତୀ । ପ୍ରତିଥର ତାକୁ ଲାଗୁଥାଏ ସେ ଯେମିତି କାହାକୁ ପ୍ରତୀକ୍ଷା କରି ଠିଆହୋଇଛି । ସେ ଗଳିରେ ଚାଲି ଚାଲି ବୁଲିଲେ ହିଁ ତା’ ଛାତି ଧଡ଼-ଧଡ଼ ପଡ଼େ; ଆଉ ଦୁଆରମୁହଁବାଟେ ଚାଲିଗଲାବେଳେ ତ ଆହୁରି ଜୋରରେ ଧଡ଼-ଧଡ଼ ହୁଏ । ସେ ବହୁତ ମନ କଲେ ବି ତା’ ଚାହାଣୀରେ ନିଜ ଆଖି ମିଶାଇପାରିନାହିଁ । ଲାଜରେ ବେକ ଭାଙ୍ଗି ସେ ଆଗକୁ ଚାଲିଯାଏ । ଖଣ୍ଡେ ବାଟ ଗଲା ପରେ ନିଶ୍ଚୟ ତାକୁ ବୁଲିପଡ଼ି ଦେଖିବ, ଆଉ ଦେଖେ ସେତେବେଳେ ବି ସେ ସେଇଠି ଠିଆହୋଇଛି । ରାଣୀ ରୂପବତୀ । ତା’ର ସେଠି ଠିଆହେବା ଆଉ ତା’ ନିଜର ସେ ବାଟଦେଇ ଯିବା ଏ ଦୁଇଟା ଭିତରେ ସେ ଗୋଟାଏ ସମ୍ୱନ୍ଧ ଯୋଡ଼ିଦେଇଥିଲା–‘ଦିନେ ନା ଦିନେ ମୁଁ ନିଶ୍ଚେ ତା’ ପାଖକୁ ଯିବି ।’

 

ସେ ତା’ କୋଡ଼ରେ ଥୁଆହୋଇଥିବା ଥଳିକୁ ଦରାଣ୍ଡିଲା; ତା’ ଉପରେ ସ୍ନେହରେ ହାତ ବୁଲେଇଲା । ପୁଣି ମୁଠାଏ ଖୁଚୁରା କାଢ଼ି ଏଣିକି ତେଣିକି ଅନାଇଁ ଉପର ଆଡ଼କୁ ଛାଟିଦେଲା । କ୍ଷଣକ ପରେ ସଡ଼କ ଉପରେ ବର୍ଷୁଥିବା ପଇସାଗୁଡ଼ାକର ଝଣ୍‍ଝଣ୍‍ ଶବ୍ଦରେ ଦୋକାନରେ ବସିଥିବା ଲୋକେ ଆଉ ବାଟରେ ଚାଲୁଥିବା ଲୋକେ ଚମକି ପଡ଼ିଲେ । ଥୋଡ଼ାଏ ସାନ ସାନ ପିଲା ଆଉ ଥୋଡ଼ାଏ ଭିକାରିଙ୍କ ଦଳ ତେଣିକି ଛୁଟିଲେ । ସେ ଗାଡ଼ି ଅଟକାଇ ଦେଲା ଆଉ ସେମାନେ ସମସ୍ତେ ଖୁଚୁରା ଗୋଟାଉ ଥିବା ଆଉ ଝାଳୋଉଥିବା ଦେଖିଲା । ଯେତେବେଳେ ସଡ଼କଯାକ ପଇସାରେ ଛାଇ ହୋଇଗଲା ସେତେବେଳେ ସେ ଥଳିରେ ହାତ ପୂରାଇ ଆହୁରି ମୁଠିଏ ଖୁରୁରା କାଢ଼ିଲା, ଆଉ ପୁଣି ଉପର ଆଡ଼କୁ ଫୋପାଡ଼ିଲା, ଆଉ ପ୍ରାଣପଣେ ଚିତ୍କାର କଲା, ‘‘ରାମ୍‍ନାମ୍‍ ସତ୍ୟ ହୈ ।’’

 

ସମସ୍ତିଙ୍କର ସେହି ଏକାମତ । ପଇସା ଉପରେ ଝାଂପି ପଡ଼ୁ ପଡ଼ୁ ସମସ୍ତେ ମେସିନ ପରି ସେଇଆ ପାଳି ଧରିଲେ ।

 

ସେ ଆରାମରେ ଗାଡ଼ି ହାଂକି ଚାଲିଲା । ମଇଁଷିଙ୍କ ପିଠିରେ ଠାଇ ଠାଇ ଦଶ କୋଡ଼ିଏ ପାହାର ପକାଇଲା, ଗାଡ଼ି ଧାଇଁଲା । ତା’ ପଛେ ପଛେ ପଇସା ଲୁଟିବାବାଲା ମଣିଷ ।

 

ଆଗ ମୋଡ଼ରେ ସେ ଧାଉଁଥିବା ଗାଡ଼ିକୁ ପୁଣି ଅଟକାଇ ପାଟିକଲା–‘‘ରାମ୍‍ନାମ୍‍ ସତ୍ୟ ହୈ ।’’

 

ସମସ୍ତେ ସେହି ଗତ ଧରିଲେ ।

 

ଏତେବେଳକୁ ଗାଡ଼ିର ଆଗରେ ପଛରେ ଆଚ୍ଛା ଭିଡ଼ ହୋଇଯାଇଥାଏ । ତାକୁ ସେ ଅଡ଼ାଉଥାଏ । ଥୋଡ଼ାଏ ଲୋକେ ଗାଡ଼ିକୁ ଧରିପକାଇଲେ, ଆଉ ଗାଡ଼ି ସତେକି କୋକେଇରେ ପରିଣତ ହୋଇଯାଇଥିଲା । ତା’ ପାଖେ ପାଖେ ଚାଲୁଥିବା ଜଣେ ଭିକାରି ରାମ୍‍ନାମ୍‍ ଚିତ୍କାର ଭିତରେ ଫୁସ୍‍ଫୁସ କରି କହିଲା, ‘‘ଶେଠ୍‍ଜୀ, ବାଜା କରିନିଅ ।’’

 

ଭିତରର ବିହ୍ୱଳତାରେ ତା’ ଆଖି ପ୍ରାୟ ବନ୍ଦ ଥିଲା । ତା’ କଥା ଆହୁରି ଥରେ କହୁ କହୁ ଭିକାରିଟି କହିଲା, ‘‘ନେଇଆସିବି ଶେଠ୍‍ଜୀ ?’’

 

‘‘ନେଇଆସ ।’’ ମୁଠାଏ ପଇସା ସେ ଏଥର ସେ ସଡ଼କର ବାଁ ପାଖେ ଫୋପାଡ଼ି ଦେଲା ଆଉ ପାଣିସୁଅ ପରି ଭିଡ଼ ସେ ପଟକୁ ବୁଲି ଧାଇଁଗଲା ।

 

ଇତ୍ୟବସରେ ଜଣେ ଭିକାରି ଥୋଡ଼ାଏ ଫୁଲ ଆଉ ହାର ଘେନି ଆସିଥାଏ । ଗାଡ଼ି ଅଟକିଲା । ସେ ଓହ୍ଲେଇ ପଡ଼ିଲା ଆଉ ସବୁ ଫୁଲହାର ମୁର୍ଦାର ଉପରେ ବିଛେଇଦେଲା ।

 

‘‘କିଏ ସେ ଯାଉଛନ୍ତି ?’’ –ସେ ଶୁଣିଲା ସଡ଼କରେ ଠିଆ ହୋଇ ଥୋଡ଼ାଏ ଲୋକ କଥାଭାଷା ହେଉଛନ୍ତି ।

 

‘‘ଇମରତୀ ବାଈ ।’’ ହାର ଫୋପାଡ଼ିଲାବେଳେ ଖୁସିରେ ତା’ ହାତ ଥରିଲା ।

 

‘‘ଇମରତୀ ବାଈ କିଏ ?’’

 

‘‘ବେଶ୍ୟା ଥିଲା ।’’ ରାଗରେ ଜଣକର ଆଖି ଟେକିହେଲା ।

 

‘‘ପ୍ରସିଦ୍ଧ ବେଶ୍ୟା’’ –ସେ ଗର୍ବରେ ସେମାନଙ୍କୁ କହିଲା । ବାଜା ଆସିଯାଇଥିଲା ।

 

‘‘ବଜେଇବା ଶେଠ୍‍ଜୀ ?’’

 

‘‘ବଜାଅ ।’’

 

ସେ ପୁଣି ଉହୁଁକି ପଡ଼ି ନିଜ ଗାଡ଼ିରେ ବସିପଡ଼ିଲା । ବାଜା ବାଜିଲା । ବାଜା ବାଜିବାରୁ ଭିଡ଼ ଆହୁରି ବଢ଼ିଗଲା । ସେ ଥଳି ଭିତରୁ ପଇସା କାଢ଼ିଲା ଆଉ ସଡ଼କଯାକ ବିଞ୍ଚିଲା ।

 

‘‘ରାମ୍‍ନାମ୍‍ ସତ୍ୟ ହୈ ।’’

 

ସମସ୍ତିଙ୍କର ସେହି ଏକାମତ । ଏତେବଡ଼ ଗହଳି ଦେଖି ସେ ବୁଝିପାରିଲା ନାହିଁ ଯେ ସେ ୟାକୁ ସମ୍ଭାଳିବ କେମିତି । ତଥାପି ତା’ର ବିଶ୍ୱାସ ଥିଲା ସେ ସମ୍ଭାଳିନେବ । ଥରେ ତା’ର ଇଚ୍ଛା ହେଲା ସେ ୟେ କୋକେଇର ମଙ୍ଗ ବୁଲେଇଦିଅନ୍ତା ଆଉ ଗାଡ଼ି ଅଡ଼େଇ ନେଇ ଠିକ୍‍ ଇମରତୀ ବାଈ ଦୁଆରମୁହଁରେ ଅଟକାଇ ଦିଅନ୍ତା । କିନ୍ତୁ ସେ ତା’ ମନର ଉତ୍ତେଜନାକୁ ଲୁଚାଇ ରଖି ଯାତ୍ରାର ବେଗକୁ ଆହୁରି ବଢ଼ାଇଦେଲା । ଖରା ବଢ଼ିଯାଇଥାଏ । ସବୁ କ୍ରିୟା-କର୍ମ ଚଞ୍ଚଳ ଶେଷ କରିବାକୁ ପଡ଼ିବ । ସବୁ ଚଞ୍ଚଳ ତୁଟିଯିବ, ସରିଯିବ ଭାବି ତାକୁ କଷ୍ଟ ବି ଲାଗୁଥାଏ । ଏମିତି ସବୁ ହୁଏ !

 

ସେ ମୁଣ୍ଡ ଟେକିଲା ଆଉ ଦେଖିଲା ଯୁବକମାନେ ଆଉ ଯୁବତୀମାନେ ଛାତ ଉପରକୁ ଚାଲିଆସିଲେ, ଭିଡ଼ ଆଉ ବାଜା ଅପେକ୍ଷା ସେମାନେ ଆହୁରି ବେଶି ତାକୁ ଦେଖୁଥାନ୍ତି । ସେ ଅନାଇଲା, ପରିଷ୍କାର ସେମାନଙ୍କୁ ଦେଖିଲା ଆଉ ଜାଣିବାକୁ ଚାହିଁଲା ସେମାନେ କ’ଣ କହୁଛନ୍ତି ।

 

ସେ ବାଦ୍ୟଶବ୍ଦ ଭିତରେ ପଦେ ଦି’ପଦ କଥା ଶୁଣିଲା, ‘‘ଆରେ କିଛି ନାହିଁ, ବଇଁଶୀ ମେହେନ୍ତର ମ ।’’

 

ମେହେନ୍ତର ଶବ୍ଦ ଶୁଣୁ ଶୁଣୁ ସବୁ ଅମର୍ଯ୍ୟାଦା ହୋଇଗଲା, ଆଉ ସେ ଉପରେ ଓ ଖୋଲା ଦୁଆରମୁହଁରେ ଠିଆହୋଇଥିବା ସ୍ତ୍ରୀଲୋକ ଓ ଛୁଆଙ୍କୁ ରାଗରେ ଅନାଇଲା । ତାକୁ ମେହେନ୍ତର କହିଲେ ସେ କେବେହେଲେ ସହିପାରେ ନାହିଁ । ସେ ଅନ୍ୟମାନଙ୍କଠୁ ସଫାସୁତୁରା ରହୁଥିଲା ଓ ସେ ତା’ ଜାତିର ସବୁ ଯୁବକମାନଙ୍କୁ କହିଦେଇଥିଲା ଯଦି ତମୁକୁ କେହି ମେହେନ୍ତର ବୋଲି କହିଦେବ, ତେବେ ମଇଳା ସଫା କରିବ ନାହିଁ ।

 

ତାକୁ ମେହେନ୍ତର କୁହାହେବା ଶୁଣି ତା’ ମନରେ ତିକ୍ତତା ଆସିଗଲା । ସେ ତା’ ପାଖରେ ଚାଲୁଥିବା ଭିକାରିଙ୍କି ପାଟିକରି କହିଲା, ‘‘ବାଜା ଆହୁରି ଜୋରରେ ବଜାଅ ।’’

 

ଥଳି ଦରାଣ୍ଡି ସେ ଜାଣିଲା ଯେ ଖୁବ୍‍ ଅଳ୍ପ ପଇସା ଆଉ ଅଛି । ତାକୁ ସଇ-ସମ୍ଭାଳି ଖରଚ କରିବାକୁ ପଡ଼ିବ । ପଇସା ଫୋପାଡ଼ିବା ବାହାନାରେ ସେ ତା’ ଗାଡ଼ିର ଟିଣ ପଟା ଉପରେ ଠିଆହୋଇପଡ଼ିଲା ।

 

‘‘ରାମ୍‍ନାମ୍‍ ସତ୍ୟ ହୈ ।’’

 

‘‘ରାମ୍‍ନାମ୍‍ ସତ୍ୟ ହୈ ।’’

 

ସହର ବାହାରେ ନଈ । ନଈ ଆରପାରି ମଶାଣି । ଦୂରରୁ ପୋଲ ଦିଶୁଥାଏ ।

 

ସେ ଥୋଡ଼ାଏ ପଇସା ଧରି ପୂରା ଜୋରରେ ଫୋପାଡ଼ିଲା ଯେମିତି ସେଗୁଡ଼ାକ ଖୁବ୍‍ ଦୂରରେ ଦୂରରେ ପଡ଼ିବ । ଛିନ୍‍ଛତର ହୋଇ ଧାଇଁଥିବା ଭିଡ଼କୁ ସେ ଖୁସି ହୋଇ ଦେଖିଲା ।

 

ଗାଡ଼ି ପୋଲରେ ପହଞ୍ଚିବାରୁ ସେ ଅଟକିଲା । ଭିକାରିକୁ ପଇସା ମୁଣି ସମର୍ପଣ କରିଦେଇ ସେ କହିଲା, ‘‘ଫେରିଯାଅ ।’’ ବାଜା ବନ୍ଦହୋଇଗଲା । ପିଲାଙ୍କର ଆଉ ଭିକାରିଙ୍କର ଭିଡ଼ ପେରିଯିବାକୁ ଲାଗିଲା । ଖାଲି ତିନିଚାରିଜଣ ବାଟୋଇ ସେଠି ଠିଆହୋଇଥାନ୍ତି । ସେ ଶୁଣିଲା ତହିଁରୁ ଜଣେ କହୁଛି, ‘‘ମୁଁ କହୁଚି, ସେ ହଲିଲା ।’’

 

‘‘କ’ଣ ହଲିଲା ?’’ ତା’ ଆଡ଼କୁ ଉହୁଁକିପଡ଼ି ସେ ପଚାରିଲା ।

 

‘‘ତୁମ ମୁର୍ଦାର ।’’

 

କ’ଣ ପ୍ରକୃତରେ ହଲିଲା ? ମୁର୍ଦାର ବଞ୍ଚିବା କାହାଣୀ ସେ ଶୁଣିଥିଲା । ସେ ଶୁଣିଥିଲା ଯେ କେତେଥର ଚିତା ଉପରେ ବି ମୁର୍ଦାର ଉଠି ବସନ୍ତି । ମଲା ମଣିଷର ଜୀବନ ପୁଣି ଲେଉଟି ଆସେ । ତା’ କେମିତି ହୁଏ କେଜାଣି ! କିନ୍ତୁ ଡାକ୍ତର ବି ସ୍ୱୀକାର କରନ୍ତି ଯେ ପୋତିବା ପୂର୍ବରୁ ଥରେ ପୂରା ପରୀକ୍ଷା କରିନେବା ଦରକାର ।

 

ସେ ଧାଇଁଯାଇ ତା’ ଉପରେ ଝୁଂକି ପଡ଼ିଲା । ସେ ଦେଖିଲା ସେ ମୁର୍ଦାରଟା ବାସ୍ତବିକ ଟିକିଏ ଖସିଯାଇଥିଲା । ତା’ ହାତ ଖୁସି, ଆଉ ଅବିଶ୍ୱାସରେ ଥରୁଥାଏ । ସେ ଚାଦରତଳୁ ମୁର୍ଦାରର ହାତ ଟାଣି ପଦାକୁ କାଢ଼ିଲା ଆଉ ନାଡ଼ି ଉପରେ ଆଙ୍ଗୁଠି ଥୋଇଲା । ଟିକିଏ ଧକ୍‍ଧକ୍‍ ତ ହେଉଥିଲା–ବଡ଼ ଚଞ୍ଚଳ ଚଞ୍ଚଳ । କିନ୍ତୁ ଦେହଟା ଥଣ୍ଡା । ଆଉ ନାକ ପାଖକୁ ହାତ ନେବାରୁ ଜାଣିଲା ଯେ ନିଶ୍ୱାସ ନାହିଁ । ତେବେ ପୁଣି ଧଡ଼ଧଡ଼ ହେଉଛି କ’ଣ ?

 

ନିଜ ଛାତିରେ ସେ ହାତ ଥୋଇଲା ଯେ ହୃତ୍‍ପିଣ୍ଡ ଚାଲିଥିବାରୁ ତା’ ଛାତି ରୋଗୀ ଛାତି ପରି ତରତର ହୋଇ ଧଡ଼ଧଡ଼ କରୁଛି । ଖୁବ୍‍ ତରତର ହୋଇ ପୁଣି ସେ ଗାଡ଼ି ଅଡ଼େଇଲା ଆଉ ପୋଲ ଉପରୁ ଚାଲିଯାଉଥିଲା । ଦିପଟେ ପାଣିର ବିସ୍ତୃତି ଥାଏ ଆଉ କୂଳରେ ଥାଏ ବାଲି ଢିପ ଯେଉଁଠି ଖରା ଜିକ୍‍ଜିକ୍‍ ହେଉଛି ।

 

ଭିଡ଼ରୁ ଚାଲିଯାଇ ସେ ଏକଦମ୍‍ ଏକୁଟିଆ ପଡ଼ିଗଲା । ଆଉ କେଉଁଠି କେହି ନଥିଲେ । ଖାଲି ତା’ ଗାଡ଼ିର ଚକ ଶବ୍ଦ କରୁଥାଏ ।

 

ପୋଲ ପାରିହୋଇ ସେ ଗାଡ଼ିକୁ ଢିପ ଉପରେ ଚଢ଼ାଇଲା ଆଉ ମଶାଣିରେ ପଶୁ-ପଶୁ ତାକୁ ଭୟପ୍ରଦ ଶୁନ୍‍ଶାନ ଲାଗିଲା ।

 

ନଈକୂଳରେ ଗୋଟାଏ ମୁର୍ଦାର ଜଳୁଥାଏ ଯେ ତା’ ଦୁର୍ଗନ୍ଧ ତା’ ନାକରେ ପଶିଗଲା ।

 

ଗାଡ଼ିକୁ ସେ ମଶାଣିର ଚୌକିଦାରଙ୍କ ଘର ଆଗରେ ଥୋଇଦେଲା, ଆସ୍ତେ, ଆସ୍ତେ, ଖୁବ୍‍ ସମ୍ଭାଳି । ଚୌକିଦାର ତା’ ରେଜିଷ୍ଟର ଖୋଲି ପଚାରିଲା–‘‘କିଏ ଅଇଲେ ?’’

 

‘‘ପୋତାହେବ ।’’

 

‘‘ନାଆଁ ?’’

 

‘‘ଇମରତୀ ବାଈ ।’’

 

‘‘ବୟସ ?’’

 

‘‘ବତିଶି ବର୍ଷ ।’’ –ସେ ନ ଭାବି କହିଦେଲା ।

 

‘‘ସ୍ୱାମୀ ନାଁ ?’’ –ଚୌକିଦାର ଆଖି ଟେକି ପଚାରିଲା ।

 

ସେ ଟିକିଏ ଅଟକିଲା । ଏପଟ ସେପଟ ହୋଇ ଚାହିଁଲା ଯେମିତି କେହି ଶୁଣୁନାହିଁ ତ ? କହିଲା, ‘‘ବଂଶୀଧର ବାଲ୍ମୀକି ।’’ ଆଉ ସେ ହାତ ବଢ଼ାଇ ଦସ୍ତଖତ କଲା ।

 

ପଦାକୁ ଆସି ସମ୍ଭାଳି ସମ୍ଭାଳି ସେ ଶବଟା ଓହ୍ଲାଇଦେଲା । ତା’ ଉପରେ ଏମୁଣ୍ଡୁ ସେମୁଣ୍ଡ ଲୁଗା ଘୋଡ଼ାଇଦେଲା । ଫାଉଡ଼ା ଟେକିଲା ଆଉ ଗାତ ଖୋଳିବାକୁ ଆରମ୍ଭକଲା ।

Image

 

Unknown

ଦି’ପହରର ଭୋଜନ

(ଅମରକାନ୍ତ)

 

ସିଦ୍ଧେଶ୍ୱରୀ ରୋଷେଇ ସାରି ଚୁଲି ନିଭେଇଦେଲେ, ଆଉ ଦି’ ଆଣ୍ଠୁ ମଝିରେ ମୁଣ୍ଡ ମାଡ଼ି ବୋଧହୁଏ ଗୋଡ଼ ଆଙ୍ଗୁଠିକୁ ନହେଲେ ମାଟିରେ ଚାଲୁଥିବା ଜନ୍ଦାପିମ୍ପୁଡ଼ିଙ୍କୁ ଦେଖୁଥିଲେ । ହଠାତ୍‍ ତାଙ୍କୁ ଲାଗିଲା, ବହୁତ ବେଳୁ ତାଙ୍କୁ ଶୋଷ କଲାଣି । ସେ ନିଶାରେ ମାତିଲା ପରି ଟଳିଟଳିକା ଉଠିପଡ଼ି ଗରାରୁ ଲୋଟାରେ ପାଣି ଅଜାଡ଼ି ନେଇ ଢକଢକ କରି ପିଇଗଲେ । ଖାଲି ପାଣି ତାଙ୍କ ଛାତିରେ ଲାଗିଗଲା । ‘‘ହାୟ ରାମ’’ ବୋଲି କହିଦେଇ ସେ ସେଠି ଭୂଇଁ ଉପରେ ଗଡ଼ିପଡ଼ିଲେ ।

 

ଅଧଘଣ୍ଟାଏ ହେବ ସେଠି ସେମିତି ଗଡ଼ିସାରି ତାଙ୍କୁ ଲାଗିଲା ସତେ ଯେମିତି ତାଙ୍କ ପିଣ୍ଡରେ ପ୍ରାଣ ପଶିଲା । ସେ ଉଠି ବସିପଡ଼ିଲେ, ଆଖି ମଳି ମଳି ଏଣିକି ତେଣିକି ଅନାଇଁଲେ । ସେଉଠୁ ତାଙ୍କ ନିଘା ପଡ଼ିଗଲା ପିଣ୍ଡାରେ ଛୋଟିଆ ଅଧଭଙ୍ଗା ଖଟ ଉପରେ ଶୋଇଥିବା ତାଙ୍କ ଛଅ ବର୍ଷର ପୁଅ ପ୍ରମୋଦ ଉପରେ । ପିଲାଟା ଲଙ୍ଗଳା-ମୁକୁଳା ହୋଇ ପଡ଼ିଛି । ତା’ ବେକହାଡ଼ ଆଉ ଛାତିହାଡ଼ଗୁଡ଼ାକ ଶେଥା ଦିଶୁଛି, ଗୋଡ଼ ବାସି କାକୁଡ଼ି ପରି ଶୁଖିଲା ନିର୍ଜୀବ, ପେଟଟା ହାଣ୍ଡି ପରି ଟୁମୁକା । ତା’ ପାଟିଟା ମେଲା ହୋଇ ରହିଛି ଆଉ ତା’ ଉପରେ ରାଜ୍ୟଯାକର ମାଛି ବେଢ଼ିଛନ୍ତି ।

 

ସେ ଉଠିପଡ଼ି ପିଲାଟିର ମୁହଁ ଉପରେ ତାଙ୍କର ଗୋଟାଏ ଫଟା ମଇଳା ବ୍ଳାଉଜ୍‍ ଘୋଡ଼ାଇଦେଲେ, ଅଧମିନିଟିଏ ଖାଲିଟାରେ ଠିଆ ହୋଇ ରହିଲେ, ସେଉଠୁ ବାହାର ଦୁଆରମୁହଁକୁ ଯାଇ କବାଟ ଆଢ଼ୁଆଳରୁ ଗଳିକୁ ଅନାଇଁ ରହିଲେ । ଦିନ ବାରଟା ବାଜିଗଲାଣି, ଭାରି ଟାଣ ଖରା, କଦବା କେମିତି ଗୋଟାଏ ଦି’ଟା ଲୋକ ମୁଣ୍ଡରେ ତଉଲିଆ କି ଗାମୁଛା ପକାଇ ଟାଣକରି ଛତା ଖୋଲିଧରି ଫୂର୍ତ୍ତି ଫୂର୍ତ୍ତି ଧପାଲି ଧପାଲି ତାଙ୍କର ସାମ୍ନା ପଟୁ ଚାଲିଯାଉଥାଆନ୍ତି ।

 

ଦଶ ପନ୍ଦର ମିନିଟ ଯାକେ ସେ ସେମିତି ଠିଆହୋଇ ରହିଲେ, ପୁଣି ତାଙ୍କ ମୁହଁ ଉପରେ ଗୋଟାଏ ବ୍ୟସ୍ତତା ଫୁଟିଉଠିଲା ଓ ସେ ଆକାଶ ଆଡ଼କୁ ଓ ଟାଣ ଖରା ଆଡ଼କୁ ଚିନ୍ତିତା ହୋଇ ଅନାଇଁ ରହିଲେ । ଟିକିଏ ପରେ ସେ ମୁଣ୍ଡକୁ କବାଟ ସେପାଖକୁ ଆହୁରି ପଦାକୁ କାଢ଼ି ଗଳିର ସେ ମୁଣ୍ଡଯାଏଁ ଅନାଇଁଲେ, ସେଉଠୁ ଦେଖିଲେ ଯେ ତାଙ୍କ ବଡ଼ପୁଅ ରାମଚନ୍ଦ୍ର ଧୀରେ ଧୀରେ ଘର ଆଡ଼କୁ ଆସୁଛି ।

 

ସେ ଚଞ୍ଚଳ ଲୋଟାଏ ପାଣିଆଣି ପିଣ୍ଡାର ବେଞ୍ଚ୍ ପାଖେ ତଳେ ଥୋଇଦେଲେ ଓ ଅଗଣାକୁ ଯାଇ ଖାଇବସିବା ଜାଗାଟିକୁ ଜଲ୍‍ଦି ଜଲ୍‍ଦି ପାଣିରେ ଲିପିପୋଛି ଦେଲେ । ସେଠି ପିଢ଼ାଟା ପକାଇ ସେ କବାଟ ଆଡ଼କୁ ମୁହଁ ବୁଲାଇ ଅନାଇଁଲା ବେଳକୁ ରାମଚନ୍ଦ୍ର ଘରେ ପାଦ ପକାଇଲା ।

 

ରାମଚନ୍ଦ୍ର ଧଇଁସଇଁ ହୋଇ ଆସି ବେଞ୍ଚରେ ବସିପଡ଼ି ସେମିତି ନିର୍ଜୀବା ପରି ସେଇଠି ଶୋଇପଡ଼ିଲା । ତା’ ମୁହଁ ଦିଶୁଥାଏ ନାଲି ଆଉ ଥମଥମ । ତା’ ମୁଣ୍ଡବାଳ ଅଲରା-ବଲରା ହୋଇଯାଇଥାଏ । ତା’ର ପୁରୁଣା ଫଟା ଜୋତାରେ ମଇଳା ଲାଗିଯାଇଥାଏ ।

 

ଆଗ ତା’ କତିକି ଯିବାକୁ ସିଦ୍ଧେଶ୍ୱରୀଙ୍କର ସାହସ ହେଲା ନାହିଁ । ସେ ସେଇଠି ଥାଇ ଭୟଭୀତା ହରିଣୀଟିଏ ପରି ମୁହଁ ବୁଲାଇ ପୁଅର ବ୍ୟସ୍ତ ଅବସ୍ଥାକୁ ଚାହିଁ ରହିଥାନ୍ତି । କିନ୍ତୁ ପ୍ରାୟ ଦଶମିନିଟ ଗଲା, ତଥାପି ରାମଚନ୍ଦ୍ର ଉଠିଲା ନାହିଁ । ସେ ଧନ୍ଦି ହେଲେ । ପାଖକୁ ଯାଇ ଡାକିଲେ–

 

‘‘ବଡ଼୍‍କୁରେ, ବଡ଼୍‍କୁ ।’’

 

କିଛି ଉତ୍ତର ପାଇଲେ ନାହିଁ । ଡରିଯାଇ ପୁଅର ନାକ ପାଖରେ ହାତ ବଢ଼ାଇଲେ । ବୁଝିଲେ, ନିଃଶ୍ୱାସ ଠିକ୍‍ ଚାଲିଛି । ପୁଣି ତା’ ମୁଣ୍ଡରେ ହାତ ଥୋଇ ଦେଖିଲେ, ଜର ନାହିଁ । ଦେହରେ ହାତ ଛୁଆଁଇବାରୁ ରାମଚନ୍ଦ୍ର ଆଖି ଖୋଲିଲା । ଆଗ ସେ ମା’ ଆଡ଼କୁ ସୁସ୍ଥ ହୋଇ ଚାହିଁଲା, ସେଉଠୁ ଝଟ୍‍ ଉଠି ବସିଲା । ଜୋତା ଖୋଲିଦେଇ ତଳେ ଥୋଇ ଲୋଟାର ପାଣିରେ ହାତ ଗୋଡ଼ ଧୋଇଲା, ସେଉଠୁ ଯନ୍ତ୍ର ପରି ଯାଇ ବେଞ୍ଚ୍ ଉପରେ ବସିପଡ଼ିଲା ।

 

ସିଦ୍ଧେଶ୍ୱରୀ ଡରି ଡରି ପଚାରିଲେ ‘‘ରୋଷେଇ ସରିଲାଣି, ଏଇଠିକି ଆଣିଦେବି ତୋ ପାଇଁ ?’’

 

ରାମଚନ୍ଦ୍ର ଉଠୁ ଉଠୁ ପଚାରିଲା, ‘‘ବାପା ଖାଇସାରିଲେଣି ?’’ ସିଦ୍ଧେଶ୍ୱରୀ ବେଞ୍ଚ୍ ଆଡ଼କୁ ଆସୁ ଆସୁ କହିଲେ, ‘‘ଆସୁଥିବେ ଯେ ।’’

 

ରାମଚନ୍ଦ୍ର ପିଢ଼ା ଉପରେ ବସିଲା । ତା’ ବୟସ ପ୍ରାୟ ଏକୋଇଶି ହେବ । ସେ ଗୋଟିଏ ସ୍ଥାନୀୟ ଦୈନିକ ଖରବକାଗଜରେ ପ୍ରୁଫ୍‍ରିଡ଼ର୍‍ କାମ ଶିଖୁଥାଏ, ନିଜ ମନକୁ । ଗତ ବର୍ଷ ସେ ଇଣ୍ଟରମିଡିଏଟ୍‍ ପାଶ୍‍ କରିଛି ।

 

ସିଦ୍ଧେଶ୍ୱରୀ ବଢ଼ାହୋଇଥିବା ଥାଳି ଆଣି ତା’ ଆଗରେ ଥୋଇଦେଲେ ଓ ତା’ ପାଖରେ ବସି ବିଞ୍ଚିଲେ । ରାମଚନ୍ଦ୍ର ଖାଇବା ପଦାର୍ଥ ଆଡ଼କୁ ଜଣେ ଦାର୍ଶନିକ ପରି ଚାହିଁଲା । ସବୁ ମିଶି ଦିପଟ ରୁଟି, ତାଟିଆଏ ପାଣିଚିଆ ଡାଲି, ଆଉ ତରକାରି ହିସାବରେ ବୁଟତଲା, ଏତିକି ।

 

ରାମଚନ୍ଦ୍ର ରୁଟିରୁ ଛିଣ୍ଡାଇ ଆଗ ଖଣ୍ଡେ ଗିଳୁ ଗିଳୁ କହିଲା, ‘‘ମୋହନ କାହିଁ ? ଭାରି ଟାଣ ଖରା ହୋଇଛି ।’’ ମୋହନ ସିଦ୍ଧେଶ୍ୱରୀଙ୍କ ମଝିଆଁ ପୁଅ । ତା’ ବୟସ ଅଠର ବର୍ଷ । ସେ ସେଇ ବର୍ଷ ହାଇସ୍କୁଲ୍‍ ପରୀକ୍ଷା ପ୍ରାଇଭେଟ୍‍ଭାବେ ଦେବାକୁ ପ୍ରସ୍ତୁତ ହେଉଥାଏ । ସେ କେଜାଣି କେତେବେଳୁ ଘରୁ କୁଆଡ଼େ ଯାଇଥାଏ ଯେ ସିଦ୍ଧେଶ୍ୱରୀ ନିଜେ ବି ଜାଣିନଥାନ୍ତି ସେ କୁଆଡ଼େ ଯାଇଛି ।

 

କିନ୍ତୁ ସତ କଥାଟା କହିଦେବାକୁ ତାଙ୍କ ମନ ବଳିଲା ନାହିଁ । ସେ ମିଛରେ କହିଲେ, ‘‘କେଉଁ ପିଲା ପାଖରେ ପରା ପଢ଼ିବ ବୋଲି ଯାଇଛି, ଆସୁଥିବ । ଚବିଶି ଘଣ୍ଟା ପରା ତା’ ନିଘା ଖାଲି ଲାଗିରହିଛି ପାଠପଢ଼ାରେ; ସବୁବେଳେ ଖାଲି ପଢ଼ାକଥା କହୁଛି ।’’

 

ରାମଚନ୍ଦ୍ର କିଛି କହିଲା ନାହିଁ । ପାଟିରେ ରୁଟି ଖଣ୍ଡେ ରଖି ଗିଲାସରୁ ପାଣି ପିଇ ପୁଣି ଖାଇଲା । ସେ ଖୁବ୍‍ ସାନ ସାନ ଖଣ୍ଡ ଛିଡ଼େଇ ତାକୁ ଧୀରେ ଧୀରେ ଚୋବୋଉଥାଏ ।

 

ସିଦ୍ଧେଶ୍ୱରୀ ଭୟ ଓ ଆଶଙ୍କାରେ ପୁଅକୁ ଏକଦୃଷ୍ଟିରେ ଅନାଇଥାନ୍ତି । କିଛି ସମୟ ଗଲା ପରେ ଡରି ଡରି ପଚାରିଲେ, ‘‘ସେଠି କିଛି ହେଲା କି ?’’

 

ରାମଚନ୍ଦ୍ର ବଡ଼ ବଡ଼ ଭାବହୀନ ଆଖିରେ ତା’ ମା’ ଆଡ଼କୁ ଅନାଇଁଲା ପୁଣି ମୁଣ୍ଡ ନୁଆଁଇ ଟିକିଏ କ୍ଷୁଣ୍ଣ ହେଲାପରି କହିଲା, ‘‘ବେଳ ଆସିଲେ ସବୁ ଠିକ୍‍ ହୋଇଯିବ ।’’

 

ସିଦ୍ଧେଶ୍ୱରୀ ତୁନି ହେଲେ । ଖରା ଆହୁରି ଟାଣ ହୋଇଯାଇଥିଲା । ଛୋଟିଆ ଅଗଣା ଉପରେ ବଉଦରୁ ଖଣ୍ଡେ ଦିଖଣ୍ଡ ପାଲବନ୍ଧା ନାହା ପରି ଭାସୁଥାଏ । ପଦାରୁ ଗଳିରେ ଚାଲିଥିବା ଧଡ଼ର-ଧଡ଼ର ଏକ୍‍କା ଗାଡ଼ିର ଶବ୍ଦ ଆସୁଥାଏ । ସାନ ଖଟ ଉପରେ ଶୋଇଥିବା ପିଲାଟିର ନିଃଶ୍ୱାସର ଖର-ଶବ୍ଦ ବି ଶୁଭୁଥାଏ । ରାମଚନ୍ଦ୍ର ହଠାତ୍‍ ସେଠି ତୁନିତାନିକୁ ଭାଙ୍ଗି ଦେଇ ପଚାରିଲା, ‘‘ପ୍ରମୋଦ ଖାଇସାରିଲାଣି ?’’

 

ସିଦ୍ଧେଶ୍ୱରୀ ପ୍ରମୋଦ ଆଡ଼କୁ ଅନାଇଁ ଅନାଇଁ ଉଦାସ ସ୍ୱରରେ ଉତ୍ତର ଦେଲେ, ‘‘ହଁ, ଖାଇସାରିଲାଣି ।’’

 

‘‘କାନ୍ଦିନାହିଁ ତ ?’’

 

ସିଦ୍ଧେଶ୍ୱରୀ ପୁଣ ମିଛ କହିଲେ, ‘‘ସତରେ ମ, ଆଜି ସେ କାନ୍ଦିନାହିଁ । ତା’ର ଭାରି ବୁଦ୍ଧି ହେଲାଣି ମ । କହୁଥିଲା ବଡ଼ଭାଇ ପାଖକୁ ଯିବି । ଏମିତିଆ ପିଲା...’’

 

କିନ୍ତୁ ସେ ଆଉ କିଛି କହିପାରିଲେ ନାହିଁ । ସତେକି ତଣ୍ଟିରେ କ’ଣ ଅଟକିଗଲା । କାଲି ପ୍ରମୋଦ ରାବିଡ଼ି ଖାଇବ ବୋଲି ଜିଦ୍‍ ଧରିଥିଲା ଓ ତେଣୁ ଦେଢ଼ ଘଣ୍ଟା କାନ୍ଦିଲା ପରେ ଯାଇ ଶୋଇଥିଲା ।

 

ରାମଚନ୍ଦ୍ର ଟିକିଏ ଆଶ୍ଚର୍ଯ୍ୟ ହୋଇ ତା’ ମା’କୁ ଅନାଁଇଲା, ଆଉ ପୁଣି ମୁହଁ ତଳକୁ ପୋତି ତରତର ହୋଇ ଖାଇଲା ।

 

ଥାଳିରେ ଯେତେବେଳେ ରୁଟିରୁ ଛିଣ୍ଡା ଖଣ୍ଡେ ଥାଏ ସେ ଉଠିବାକୁ ବାହାରିବାର ଦେଖି ସିଦ୍ଧେଶ୍ୱରୀ ପଚାରିଲେ, ‘‘ଆଉ ଖଣ୍ଡେ ରୁଟି ଦିଏଁ ?’’ ରାମଚନ୍ଦ୍ର ହାତରେ ମନା କରୁ କରୁ ଉଚ୍ଛନ୍ନ ହୋଇ କହିଲା, ‘‘ନା-ନା, ଆଉ ଟିକିଏ ବି ନୁହେଁ । ମୋ ପେଟ ଆଗରୁ ତ ପୂରିଥିଲା । ମୁଁ ତ ୟାକୁ ବି ଛାଡ଼ିଦେଇ ଯିବି ବୋଲି ବସିଛି । ଥାଉ, ଆଉ ନାହିଁ ।’’ ସିଦ୍ଧେଶ୍ୱରୀ ଜିଦି ଧରିଲେ, ‘‘ହଉ, ଅଧେ ନେ ।’’

 

ରାମଚନ୍ଦ୍ର ଚିଡ଼ିଗଲା, ‘‘ମତେ ବେଶି ଗୁଡ଼ାଏ ଗିଳେଇ ବେମାରି କରେଇବାକୁ ମନ ହେଉଛି କି ? ତୁମେସବୁ ଟିକିଏ ବି ଭାବିବ ନାହିଁ ପରା, ଖାଲି ନିଜ ଜିଦି । ଭୋକ ଥିଲେ ମୁଁ ନିଜେ ନେଇନଥାନ୍ତି ?’’

 

ସିଦ୍ଧେଶ୍ୱରୀ ଯେଉଁଠି ବସିଥିଲେ ସେଇଠି ବସିରହିଲେ । ଥାଳିରେ ପଡ଼ିଥିବା ଛିଣ୍ଡା ରୁଟିରୁ ରାମଚନ୍ଦ୍ର ହାତ ଓଟାରି ନେଇ ଲୋଟା ଆଡ଼କୁ ଅନାଇଁ ଅନାଇଁ କହିଲା ‘‘ମା, ପାଣି ଆଣ ।’’

 

ସିଦ୍ଧେଶ୍ୱରୀ ଲୋଟା ଧରି ପାଣି ଆଣିବାକୁ ଗଲେ ।

 

ରାମଚନ୍ଦ୍ର ତାଟିଆରେ ଆଙ୍ଗୁଠି ପିଟି ପିଟି ବଜାଇଲା । ପୁଣି ହାତକୁ ଥାଳିରେ ଥୋଇଲା-। ମୁହୂର୍ତ୍ତେ ପରେ ଛିଣ୍ଡା ରୁଟିଟିକକ ହାତରେ ଟେକି ନେଇ ଆଖିରେ ନିରେଖି ଦେଖିଲା, ଶେଷରେ ୟାଡ଼ୁକୁ ସ୍ୟାଡ଼ୁକୁ ଅନାଇଁ ତାକୁ ପାଟିରେ ଏମିତି ସରଳ ଭାବେ ପକାଇଦେଲା ଯେମିତି ସେ ତା’ ଖୋରାକି ଗୁଣ୍ଡା ନୁହେଁ, ପାନ କି ବିଡ଼ି ।
 

ମଝିଆଁ ପୁଅ ମୋହନ ଆସିଲାକ୍ଷଣି ଗୋଡ଼ହାତ ଧୋଇ ପିଣ୍ଡାରେ ବସିପଡ଼ିଲା । ବର୍ଣ୍ଣରେ ସେ ଟିକିଏ ଶ୍ୟାମଳ, ତା’ ଆଖି ସାନ ସାନ । ତା’ ମୁହଁରେ ବସନ୍ତ-ଚିହ୍ନ ଥାଏ । ସେ ତା’ ଭାଇପରି ପାତଳ, କିନ୍ତୁ ସେତେ ଡେଙ୍ଗା ନୁହେଁ । ସେ ତା’ ବୟସ ତୁଳନାରେ ବେଶି ଗମ୍ଭୀର ଓ ଉଦାସ ଦିଶୁଥାଏ । ସିଦ୍ଧେଶ୍ୱରୀ ତା’ ଆଗରେ ଥାଳି ଥୋଉ ଥୋଉ ପଚାରିଲେ, ‘‘କୁଆଡ଼େ ଥିଲୁ ରେ ପୁଅ ? ତୋ ଭାଇ ପଚାରୁଥିଲା ।’’ ମୋହନ ରୁଟିର ଗୋଟାଏ ବଡ଼ ଗୁଣ୍ଡା ଗିଳିବାକୁ ଚେଷ୍ଟା କରୁ କରୁ ଅସ୍ୱାଭାବିକ ଘାଗଡ଼ା-ପାଟିରେ ଜବାବ ଦେଲା, ‘‘କୁଆଡ଼େ ଯାଇନାହିଁ ତ, ଏଇଠି ଥିଲି ।’’

 

ସିଦ୍ଧେଶ୍ୱରୀ ସେଇଠି ବସି ବିଞ୍ଚଣା ହଲାଉ ହଲାଉ ଏମିତି ଭାବରେ କହିଲେ ଯେମିତି ସ୍ୱପ୍ନରେ ବିଳିବିଳୋଉଛନ୍ତି, ‘‘ବଡ଼୍‍କା ତତେ ଭାରି ପ୍ରଶଂସା କରୁଥିଲା । କହୁଥିଲା ମୋହନର ବହୁତ ବୁଦ୍ଧି, ତା’ ମନ ଚବିଶି ଘଣ୍ଟା ପାଠପଢ଼ାରେ ଲାଗିରହିଛି ।’’ କହିଦେଇ ସେ ମଝିଆଁ ପୁଅ ଆଡ଼କୁ ଏମିତି ଅନାଇଁଦେଲେ ସତେ ଯେମିତି ସେ କେଉଁଠି କ’ଣ ଚୋରିକରିଛନ୍ତି ।

 

ମୋହନ ତା’ ମା ଆଡ଼କୁ ଅନାଇଁ ଫିକା ହସ ହସିଦେଲା ଆଉ ପୁଣି ଖାଇଲା । ବଢ଼ାହୋଇଥିବା ଦି’ପଟ ରୁଟିରୁ ପଟେ ରୁଟି, ତାଟିଆକ ଡାଲିରୁ ଚାରି ଭାଗରୁ ତିନିଭାଗ ଓ ତରକାରିରୁ ବେଶି ଭାଗକ ସେ ସଫା କରିଦେଲା ।

 

ସିଦ୍ଧେଶ୍ୱରୀ ବୁଝିପାରିଲେ ନାହିଁ ଯେ ସେ କ’ଣ କରିବେ । ସେ ପିଲା ଦିହିଙ୍କି ତାଙ୍କର ଭାରି ଡର । ଅକସ୍ମାତ୍‍ ତାଙ୍କ ଆଖିରେ ଲୁହ ଭର୍ତ୍ତି ହୋଇଗଲା । ସେ ଅନ୍ୟ ଆଡ଼କୁ ଅନାଇଁଲେ । କିଛି ସମୟ ପରେ ସେ ମୋହନ ଆଡ଼କୁ ମୁହଁ ବୁଲାଇଲେ । ପୁଅ ସେତେବେଳକୁ ପ୍ରାୟ ତା’ ଖିଆ ଶେଷକଲାଣି ।

 

ସିଦ୍ଧେଶ୍ୱରୀ ଚମକି ପଡ଼ି କହିଲେ, ‘‘ଖଣ୍ଡେ ରୁଟି ଦିଏଁ ?’’ ମୋହନ ରୋଷେଇ ଜିନିଷ ଆଡ଼କୁ ରହସ୍ୟମୟ ଦୃଷ୍ଟିରେ ଦେଖିଲା, ପୁଣି ସୁସ୍ଥ ସ୍ୱରରେ କହିଲା, ‘‘ନା ।’’

 

ସିଦ୍ଧେଶ୍ୱରୀ ବିଡ଼ି ବିଡ଼ି ହୋଇ କହିଲେ, ‘‘ନାଇଁରେ ପୁଅ, ମୋ ରାଣ, ଆଉ ଟିକିଏ ଦିଏଁ, ଖା, ତୋ ଭାଇ ଖଣ୍ଡେ ରୁଟି ନେଲା ।’’

 

ମୋହନ ତା’ ମା’କୁ ନିକୁଟି ନିକୁଟି ଦେଖିଲା, ତା’ପରେ ଆସ୍ତେ ଆସ୍ତେ ଏମିତି ଢଙ୍ଗରେ ଜବାବ ଦେଲା ଯେମିତି ଜଣେ ମାଷ୍ଟର ଛାତ୍ରକୁ ବୁଝାଉଛି, କହିଲା, ‘‘ନାଇଁ ଲୋ, ଥାଉ । ଆଦୌ ଭୋକ ନାହିଁ ପରା । ତହିଁରେ ପୁଣି ରୁଟିଗୁଡ଼ାକ ତ ଏମିତି କରିଛୁ ଯେ ଖାଇ ହେଉନାହିଁ । ଏଗୁଡ଼ା କେମିତିଆଟା ଲାଗୁଛି ଜାଣିପାରୁ ନାହିଁ । ଛାଡ଼, ତୁ ଯଦି ନିତାନ୍ତ ଚାହୁଁଛୁ ତେବେ ତାଟିଆରେ ଥୋଡ଼ାଏ ଡାଲି ଦେ । ଡାଲି ଭାରି ଭଲହେଇଚି ।’’

 

ସିଦ୍ଧେଶ୍ୱରୀ କିଛି ନକହି ତାଟିଆଟା ଡାଲିରେ ଭର୍ତ୍ତି କରିଦେଲେ । ମୋହନ ତାଟିଆକୁ ପାଟିରେ ଲଗାଇ ସୁଡ଼ୁ ସୁଡ଼ୁ କରି ଡାଲି ପିଉଥାଏ । ମୁନ୍‍ସି ଚନ୍ଦ୍ରିକା ପ୍ରସାଦ ପାଦ ଘୋଷାରି ଘୋଷାରି ଜୋତା ଘସ୍‍ ଘସ୍‍ କରି ଆସିଗଲେ ଆଉ ‘ରାମ୍‍’ ବୋଲି କହି ବେଞ୍ଚରେ ବସିପଡ଼ିଲେ । ସିଦ୍ଧେଶ୍ୱରୀ ମୁଣ୍ଡ ଉପରୁ ଶାଢ଼ିକୁ ଟିକିଏ ତଳ ଆଡ଼କୁ ଓଟାରିଦେଲେ ଆଉ ମୋହନ ଡାଲିତକ ଏକା ନିଶ୍ୱାସରେ ପିଇ ଦେଇ ପାଣିଲୋଟା ଧରି ତରତର ହୋଇ ପଦାକୁ ଚାଲିଗଲା । ଦିପଟ ରୁଟି, ତାଟିଆଏ ଡାଲି, ଚଣା ତରକାରି । ମୁନ୍‍ସି ଚନ୍ଦ୍ରିକା ପ୍ରସାଦ ପିଢ଼ା ଉପରେ ଚେକା ମାଡ଼ି ବସି ରୁଟିକୁ ଗୋଟାଏ ଗୋଟାଏ ଗ୍ରାସରେ ଏମିତି ଏକଳରୁ ସେକଳ କରି ଚୋବାଉଥାନ୍ତି ଯେମିତି ବୁଢ଼ୀ ଗାଈଟାଏ ପାକୁଳି କରୁଛି । ତାଙ୍କ ବୟସ ପଇଁଚାଳିଶି ଆଖପାଖ ହେବ, କିନ୍ତୁ ଲାଗୁଥାଏ ପଚାଶ ପଞ୍ଚାବନ ହେଲାଭଳି । ବେକର ଚମଡା ଓହଳିପଡ଼ିଥାଏ, ଚନ୍ଦାମୁଣ୍ଡ ଦର୍ପଣପରି ଜିକିଜିକି ଦିଶୁଥାଏ-। ମଇଳା ଲୁଗା ଉପରେ ତାଠୁଁ ଟିକିଏ ସଫା ବେନିଆନ୍‍, ଦୁହିଁ ହୋଇଯାଇ ତା’ ସୂତା ଓହଳିଲାଣି ।

 

ମୁନ୍‍ସିଏ ଡାଲି ତାଟିଆକୁ ହାତରେ ଧରି ଟିକିଏ ଡାଲି ହାପୁଡ଼ି ହାପୁଡ଼ି କହିଲେ, ‘‘ବଡ଼୍‍କା କାହିଁକି ଦିଶୁନାହିଁ ?’’

 

ସିଦ୍ଧେଶ୍ୱରୀ ବୁଝିପାରୁନଥାନ୍ତି ଯେ ତାଙ୍କ ଛାତି ଭିତର କ’ଣ ହୋଇଯାଉଛି, ସତେ ଯେମିତି କ’ଣ ଗୋଟାଏ ସେଠି କ’ଣ ସବୁ କାଟିପକାଉଛି । ବିଛଣାକୁ ଆହୁରି ଜୋରରେ ବୁଲେଇ ବୁଲେଇ ସେ କହିଲେ, ‘‘ଅଇଛା ଖାଇ ସାରି କାମ ଉପରକୁ ଚାଲିଗଲାଣି । କହୁଥିଲା ଆଉ ଦିନାକେତେ ଗଲେ ସେ ସେଠି ଚାକିରି ପାଇଯିବ । ସବୁବେଳେ ବାପା ବାପା ହେଉଛି । କହିଲା, ‘ବାପା ପରା ସାକ୍ଷାତ୍‍ ଦେବତା’ ।’’

 

ମୁନ୍‍ସିଜୀଙ୍କ ମୁହଁ ଉପରେ ଟିକିଏ ଝଳି ଫିଟିଲା । ଲାଜରା ଲାଜରା ହୋଇ କହିଲେ, ‘‘ଏଁ, କହୁଥିଲା ନା ବାପା ସାକ୍ଷାତ୍‍ ଦେବତା ! ବାୟାଟାଏ ।’’ ସିଦ୍ଧେଶ୍ୱରୀଙ୍କୁ ସତେ ଯେମିତି ନିଶା ଧରିଥାଏ । ଉନ୍ମାଦ ରୋଗ ଧରିଥିବା ମାଇକିନିଆଟିଏ ଭଳିଆ ଭୁଟୁରୁ ଭୁଟୁରୁ ହେଲେ, ‘‘ବାୟା ନୁହେଁ, ଭାରି ବୁଦ୍ଧି ଶୁଧି ତା’ର, ତା’ ବୟସର ସେ କେଉଁ ଜଣେ ମହାତ୍ମା । ମୋହନ ପରା ତାକୁ ଭାରି ଖାତିରି କରେ । ଆଜି କହୁଥିଲା, ଭାଇଙ୍କର ସହରରେ ବହୁତ ମାନ୍ୟ, ପାଠପଢ଼ା ଲୋକଙ୍କ ଭିତରେ ବହୁତ ଆଦର । ବଡ଼୍‍କା ତ ସାନ ଭାଇମାନଙ୍କ ପାଇଁ ଜୀବନ ଦେଇଦେବ । ଦୁନିଆଁରେ ସେ ସବୁ ସହିପାରିବ, କିନ୍ତୁ ତା’ ପ୍ରମୋଦର ଟିକିଏ କିଛି ହୋଇଗଲେ ସେ ତା’ ସହିପାରିବ ନାହିଁ ।’’

 

ମୁନ୍‍ସିଏ ଡାଲିସାଲୁବାଲୁ ହାତପାପୁଲିକି ଚାଟୁଥାନ୍ତି । ସେ ସାମ୍ନାକୁ ନିଘା ପକାଇଲେ ଆଉ ଅନାଇଁ ଅନାଇଁ ଟିକିଏ ହସିଦେଇ କହିଲେ–

 

‘‘ବଡ଼୍‍କାର ବୁଦ୍ଧି ଯାହାହେଉ ଖୁବ୍‍ ସରସ, ଯଦିଚ ପିଲାଦିନେ ସେ ଖୁବ୍‍ ନଟଖଟିଆଟାଏ ହୋଇଥିଲା । ସବୁବେଳେ ତା’ର ଖେଳିବା ଡେଇଁବା ଲାଗିରହିଥାଏ, ଆଉ ଏ କଥା ବି ଥିଲା ଯେ ଯେଉଁ ପାଠ ତାକୁ ପଢ଼ି ମନେରଖିବାକୁ କୁହାହେଉଥିଲା ତାଠୁଁ ସେ ଦୂରରେ ରହୁଥିଲା । ଅସଲ କଥା ଏତିକି, ତିନିକି ତିନିହେଁ ଖୁବ୍‍ ବୁଦ୍ଧିଆ । ପ୍ରମୋଦକୁ ସାମାନ୍ୟ ବୋଲି ଭାବିଚ କି ?’’ ଏତିକି କହି ସେ ହଠାତ୍‍ ବଡ଼ପାଟିରେ ହସିଲେ ।

 

ମୁନ୍‍ସିଜୀ ଦେଢ଼ପଟ ରୁଟି ଖାଇସାରିଲା ପରେ ଆଉ କଳେ ରୁଟି ସଙ୍ଗରେ ଯୁଦ୍ଧ କରୁଥିଲେ । ଟିକିଏ କଠିନ ଜଣାପଡ଼ିବାରୁ ପାଣି ଗିଲାସେ ବି ତେଣ୍ଡି ଦେଲେ । ପୁଣି କିରିକିରି ହୋଇ ହସି ହସି ଖାଉଥାନ୍ତି ।

 

କ’ଣ ୟେ କଥା ସିଦ୍ଧେଶ୍ୱରୀ କିଛି ବୁଝିପାରୁନଥାନ୍ତି । ତାଙ୍କର ମନ ହେଉଥାଏ ସବୁକଥା ଠିକ୍‍ ଠିକ୍‍ କରି ସେ ପଚାରି ବୁଝନ୍ତେ, ସବୁକଥା ଠିକ୍‍ କରି ଜାଣିନିଅନ୍ତେ ଆଉ ଦୁନିଆର ପ୍ରତ୍ୟେକ କଥା ବିଷୟରେ ଆଗପରି ସତର୍କ ହୋଇ କଥା କହନ୍ତେ । କିନ୍ତୁ ତାଙ୍କର ସାହସ ପାଉନଥାଏ । ତାଙ୍କ ମନରେ କେଜାଣି କେମିତିଆ ଭୟ ପଶିଯାଇଥିଲା ।

 

ତା’ପରେ ମୁନ୍‍ସିଜୀ ଏମିତି ତୁନି ହୋଇ ବସି ଖାଉଥାନ୍ତି ସତେ ଯେମିତି ଗଲା ଦୁଇଦିନ ହେଲା ସେ ମୌନବ୍ରତ ପାଳୁଛନ୍ତି, ଆଉ ଆଜି ଉପରଓଳି ସେ ବ୍ରତ ସେ କେଉଁଠିକି ଯାଇ ଉଜେଇଁବାର ଅଛି ।

 

ସିଦ୍ଧେଶ୍ୱରୀ ଆଉ ତୁନି ହୋଇ ରହିପାରିଲେ ନାହିଁ । କହିଲେ ‘‘ଲାଗୁଛି ଆଉ ବର୍ଷା ହେବ ନାହିଁ ।’’

 

ମୁନ୍‍ସିଜୀ କ୍ଷଣକ ପାଇଁ ଏପାଖ ସେପାଖ ଅନାଇଲେ, ପୁଣି ନିର୍ବିକାର ସ୍ୱରରେ ରାୟ ଦେଲେ, ‘‘ମାଛିଗୁଡ଼ାକ ବହୁତ ହୋଇଗଲେଣି ।’’

 

ସିଦ୍ଧେଶ୍ୱରୀ ଉତ୍ସୁକତା ପ୍ରକଟ କଲେ, ‘‘ପିଇସା ବେମାର ପଡ଼ିଛନ୍ତି, କିଛି ଖବର ଆସିଲା-?’’

 

ମୁନ୍‍ସିଜୀ ଚଣାର ଦାନାଗୁଡ଼ାକ ଆଡ଼କୁ ଏମିତି ମନ କିଣିନେଲା ଭଙ୍ଗୀରେ ଅନାଇଁଲେ ସତେକି ସେଗୁଡ଼ାକ ସଙ୍ଗରେ କଥାଭାଷା ହେବାକୁ ବସିଛନ୍ତି । ପୁଣି ସୂଚନା ଦେଲେ, ‘‘ଗଙ୍ଗାଶରଣବାବୁଙ୍କ ଝିଅ ବାହାଘର ଠିକ୍‍ ହୋଇଗଲା । ପୁଅ ଏମ୍‍.ଏ. ପାଶ୍‍ କରିଛି ।

 

ସିଦ୍ଧେଶ୍ୱରୀ ହଠାତ୍‍ ତୁନି ପଡ଼ିଗଲେ । ମୁନ୍‍ସିଜୀ ବି ଆଉ କିଛି କହିଲେ ନାହିଁ । ତାଙ୍କ ଖିଆ ସରିଥିଲା ଆଉ ସେ ଥାଳିରେ ରହିଯାଇଥିବା ଚଣାତକ ମାଙ୍କଡ଼ ଖୁଣ୍ଟିଲା ପରି ଖୁଣ୍ଟି ନେଉଥିଲେ ।

 

ସିଦ୍ଧେଶ୍ୱରୀ ବଳେଇଲେ । ‘‘ତମୁକୁ ବଡ଼୍‍କା ରାଣ, ପଟେ ରୁଟି ନିଅ, ଆହୁରି ବହୁତ ଅଛି ମ ।’’

 

ମୁନ୍‍ସିଜୀ ଅପରାଧୀ ପରି ଭାରିଯା ଆଡ଼କୁ ଅନାଇଁଲେ ଆଉ ରନ୍ଧା ଜିନିଷଆଡ଼କୁ କଣେଇଁ କଣେଇଁ ଅନାଁଇଲେ । ସେଉଠୁ ଜଣେ ଓସ୍ତାଦ୍‍ ଭଳିଆ କହିଲେ ‘‘ରୁଟି... ଥାଉ, ପେଟରେ ଆଉ ଜାଗା ନାହିଁ । ରୁଟି ଆଉ ଲୁଣି ଜିନିଷ ଖାଇ ଦେହ ଖରାପ ହେଲାଣି । ତୁମେ ଆଚ୍ଛା ରାଣ ପକେଇ ଦେଇ ମଣିଷକୁ ହରବର କଲ । ଛାଡ଼ । ରାଣ ପକେଇଲେ ବୋଲି ଖଣ୍ଡେ ନିଏଁ । ଗୁଡ଼ ଅଛି ?’’

 

ସିଦ୍ଧେଶ୍ୱରୀ କହିଲେ, ‘‘ହାଣ୍ଡିରେ ଅଛି କିଛି ଗୁଡ଼ ।’’

 

ମୁନ୍‍ସିଜୀ ଉତ୍ସାହରେ କହିଲେ, ‘‘ତେବେ ଅଳ୍ପ ଗୁଡ଼ ଦେଇ ଥଣ୍ଡା ସରବତ କର; ପିଇବି-। ତମ ରାଣ ବି ରଖାହେବ ପାଟିର ସୁଆଦ ବି ବଦଳିଯିବ, ସଙ୍ଗେ ସଙ୍ଗେ ଭଲ ହଜମ ବି ହେବ । ହଁ, ରୁଟି ଖାଉ ଖାଉ ନାକବାଟେ ପ୍ରାଣ ଚାଲିଯାଉଛି ହୋ ।’’ ୟା କହି ବଡ଼ଫାଟିରେ ହସିଲେ ।

 

ମୁନ୍‍ସିଜୀ ଉଠିଗଲା ପରେ ସିଦ୍ଧେଶ୍ୱରୀ ତାଙ୍କ ରୁଟିଥାଳି ନେଇ ଅଗଣାରେ ଥୋଇଲେ । ବଳିଥିବା ଡାଲିକୁ ତାଟିଆରେ ଅଜାଡ଼ିଦେଲେ, କିନ୍ତୁ ତାଟିଆ ପୂରିଲା ନାହିଁ । କରେଇରେ ସାମାନ୍ୟ ଚଣା ତରକାରି ବଳିଥାଏ, ତାକୁ ପାଖକୁ ଓଟାରି ନେଲେ, ରୁଟି ଥାଳିକୁ ବି ପାଖକୁ ଓଟାରିନେଲେ । ସେଥିରେ ଖାଲି ପଟେ ରୁଟି ବଳିଥାଏ । ମୋଟା, ଟାଣୁଆ, ଦରପୋଡ଼ା ରୁଟିଟାକୁ ସେ ଅଇଁଠା ଥାଳିରେ ରଖିବାକୁ ଯାଉଛନ୍ତି, ହଠାତ୍‍ ନିଘାପଡ଼ିଗଲା ପିଣ୍ଡାରେ ଶୋଇଥିବା ପ୍ରମୋଦ । ସେ ପୁଅକୁ କିଛି ସମୟଯାକେ ଏକଦୃଷ୍ଟିରେ ଅନାଇଁ ରହିଲେ, ପୁଣି ରୁଟିକୁ ସମାନ କରି ଦିଖଣ୍ଡ କରି ଖଣ୍ଡେ ଅଲଗା ଥୋଇଦେଲେ, ଆର ଖଣ୍ଡକ ଅଇଁଠା ଥାଳିରେ ଆଣି ରଖିଲେ । ସେଇଠୁ ଲୋଟାଏ ପାଣି ଆଣି ବସିପଡ଼ିଲେ । ସେ ପ୍ରଥମ ଗୁଣ୍ଡାଟା ପାଟିରେ ପୂରାଇଲେ, ସେଇଠୁ କେଜାଣି କାହିଁକି ତାଙ୍କ ଆଖିରୁ ଟପ ଟପ ହୋଇ ଲୁହ ନିଗିଡ଼ିପଡ଼ିଲା । ଦିନଯାକ ମାଛିଗୁଡ଼ାକ ଭଣଭଣ ହେଉଥାନ୍ତି । ଦୁଆର ଅଲୁଗୁଣି ଉପରେ ଖଣ୍ଡେ ମଇଳା ଶାଢ଼ି ଓହଳିଥାଏ ।

 

ଦୁଇ ବଡ଼ପୁଅଙ୍କର କେଉଁଠି ହେଲେ ପତ୍ତା ନଥାଏ । ବାହାର ପାଖରେ ମୁନ୍‍ସିଜୀ ମୁହଁମାଡ଼ି ନିଶ୍ଚିନ୍ତ ହୋଇ ଶୋଇଥାନ୍ତି, ଯେମିତି ଦେଢ଼ମାସ ତଳେ ଘରଭଡ଼ା ନିୟନ୍ତ୍ରଣ ବିଭାଗରେ କିରାନି କାମରୁ ତାଙ୍କର ଛଟେଇ ହୋଇନାହିଁ ଏବଂ ଉପରଓଳି ଉଠି କାମ ଖୋଜିବାକୁ କୁଆଡ଼େ ହେଲେ ଯିବାକୁ ପଡ଼ିବନି... ।

Image

 

ବାଡ଼ର ଏପାଖ ସେପାଖ

(ଜ୍ଞାନରଞ୍ଜନ)

 

ମୁଖର୍ଜି ଆଉ ଆମ ପଡ଼ିଶା ହୋଇ ରହୁନାହିଁ । ତା’ର ବଦଳି ହୋଇଗଲାଣି । ଏବେ ଯିଏ ନୂଆ ଆସିଚନ୍ତି, ଆମ ସଙ୍ଗରେ ସେ କୌଣସି ସମ୍ପର୍କ ରଖନ୍ତି ନାହିଁ । ସେମାନେ ବୋଧହୁଏ ପଞ୍ଜାବୀ, କିମ୍ୱା ହୁଏତ ପଞ୍ଜାବୀ ମଧ୍ୟ ନୁହନ୍ତି । ତାଙ୍କ ବିଷୟରେ କିଛି ବୁଝାପଡ଼େ ନାହିଁ । ଜାଣେ ନାହିଁ କାହିଁକି, କିନ୍ତୁ ମୁଁ ଅନାସକ୍ତ ହୋଇ ରହିପାରେ ନାହିଁ । ଯାତ୍ରାରେ ବି ସହଯାତ୍ରୀଙ୍କ ସଙ୍ଗେ ଅପରିଚିତ ରହିପାରେ ନାହିଁ । ଏଇଟା ବୋଧହୁଏ ମୋର ସ୍ୱଭାବ । କିନ୍ତୁ ଆମ ଘରର କୌଣସି ଲୋକ ସେମାନଙ୍କ ବିଷୟରେ ଅନାସକ୍ତ ନୁହେଁ । ଆମେ ଇଜ୍ଜତ୍‍ଦାର ଲୋକ । ଝିଅବୋହୂ ନେଇ ଘର କରିଛୁଁ । ସବୁ ବୁଝିବାକୁ ପଡ଼େ । ତେଣୁ ଆମେ ସବୁ ସବୁବେଳେ ବୁଝିବାରେ ଲାଗିଥାଉଁ, ଉତ୍ସୁକ ରହିଥାଉଁ ଓ ନୂଆ ପଡ଼ୋଶୀମାନଙ୍କ ଗତିବିଧିର ‘ଇମ୍ପ୍ରେସନ’ ତିଆରି କରିଥାଉଁ । ମୁଁ ସେମାନଙ୍କୁ ସପରିବାର ଆମ ଘରକୁ ଡାକିବାକୁ ଚାହୁଁଥିଲି; ତାଙ୍କ ଘରକୁ ଯିବାଆସିବା କରିବାକୁ ବି-। କିନ୍ତୁ ମୋ ଭାବନାଗୁଡ଼ାକ ସେମାନେ ବୋଧହୁଏ ଅନୁଭବ କରିବା ସମ୍ଭାବନା ନଥିଲା । ତାଙ୍କ ଜୀବନ ସାମାନ୍ୟ ଧରଣର ନୁହେଁ । ସେମାନେ ପିଣ୍ଡା ବାହାରେ ଟାଣୁଆ ଜାଗାରେ ଚୌକିମାନ ପକାଇ ଦିନର ବେଶି ସମୟ ବସିରହୁଥିଲେ । ତାଙ୍କର ସେ ଚୌକିଗୁଡ଼ାକ ସବୁବେଳେ ସେଠି ପଡ଼ିଥାଏ, ରାତିରେ ବି । ସେମାନେ ସବୁ ବେପରୁଆ; କିନ୍ତୁ ତାଙ୍କ ଚୌକି କେବେ ଚୋରି ହୋଇନାହିଁ ।

 

ଆମ ଘରପଟେ ସରକାରୀ ଅଫିସ ଅଛି, ଆଉ ଉଚ୍ଚ ଇଟାର କାନ୍ଥ ବି । ପଛରେ ଦୋମହଲା କୋଠାର ପିଠି, ସାମ୍ନାରେ ବଡ଼ ରାସ୍ତା । ଏହି ପ୍ରକାରେ ଆମ ପରିବାରର କୌଣସି ଅନ୍ୟ ପରିବାର ସଙ୍ଗେ ପ୍ରତି ମୁହୂର୍ତ୍ତରେ ନିକଟତା ସମ୍ଭବ ନୁହେଁ । ବଡ଼ ସହରରେ ଜଣେ ଅପର ଉପରେ ନିର୍ଭର ନକରି ନିଜ ଭିତରେ ବଞ୍ଚିବାର ଯେଉଁ ବିଶେଷତ୍ୱ ଦେଖିବାକୁ ମିଳେ, ଆମ ନୂଆ ପଡ଼ୋଶୀମାନେ ସେମିତି ବିଶେଷତ୍ୱ ଓ ସଂସ୍କାର ଥିବା ଲୋକପରି ଜଣାପଡ଼ୁଛନ୍ତି । ଏ ସହର ଆଉ ପଡ଼ା ଉଭୟ ଶାନ୍ତ । ଲୋକେ ମନ୍ଥରଗତିରେ ଯା-ଆସ କରନ୍ତି ଆଉ ଅପେକ୍ଷାକୃତ ଅସତର୍କ ହୋଇ ଚଲାବୁଲା କରନ୍ତି; କାରଣ ଜୀବନରେ ତୀବ୍ରତା ଏଠି ନାହିଁ । ତେଣୁ ଆମୁକୁ ଆମ ପଡ଼ିଶା ବିଚିତ୍ର ଜଣାପଡ଼ୁଥାନ୍ତି ।

 

ମୁଁ ପଦାକୁ ବାହାରୁଛି, ସେମାନେ ସକାଳର ଚା’ ପିଉଛନ୍ତି । ନ’ଟା ବାଜିଛି, ପତି-ପତ୍ନୀଙ୍କ ଛଡ଼ା ଝିଅଟିଏ ଅଛି । ସେ ତିନିଜଣ ସବୁବେଳେ ଦେଖାପଡ଼ନ୍ତି, ଚତୁର୍ଥ କେହି ନାହିଁ । ହୁଏତ ଝିଅ ସୁନ୍ଦର ନୁହେଁ, ତଥାପି ସହରିଆ ଝିଅ, ଭଲକରି ମେକ୍‍ଅପ୍‍ କଲେ ସୁନ୍ଦର ବି ଦିଶିବ । ମୁଁ ଦେଖୁଥାଏଁ ସେ ଆଜିକାଲି ସବୁବେଳେ ଖୁବ୍‍ ହସୁଥାଏ, ତା’ ବାପ-ମା ବି ହସୁଥାନ୍ତି । ସେମାନେ ସବୁବେଳେ ଖୁସି ଥିବାର ଦିଶନ୍ତି । କାହିଁକି ହସନ୍ତି, କି କଥା ଅଛି ତାଙ୍କଠିଁ ? ସେମାନେ କ’ଣ ଜୀବନର କଠିନ ଓ ବାସ୍ତବ ପରିସ୍ଥିତି ପ୍ରତି ଅଚେତନ ? ମତେ ଆଶ୍ଚର୍ଯ୍ୟ ଲାଗୁଥାଏ । ମୁଁ ନିଜ ଘରକୁ ଆଉ ପଡ଼ୋଶୀ ପରିବାରକୁ ତୁଳନା କରୁଥାଏ ।

 

ଆଜିକାଲି ସେମାନେ ମୋ ଆଡ଼କୁ ଅନାଇଁ ଅନାଇଁ ହସି ହସି ଫାଟିପଡ଼ୁଥାନ୍ତି । ମୋ ନିଘା ଧାଏଁ ଗୋଲାପ ବଗିଚା ଆଡ଼କୁ, ମୋ ଖୁରୁପି ଅଟକିଗଲା, ତାଙ୍କ ହସ ବନ୍ଦ ହେଲା ନାହିଁ । ଝିଅ ଚଉକିରୁ ଉଠିପଡ଼ିଥିଲା, ଚାହା ଢାଳିଯିବ ବୋଲି ସେ ତାକୁ ତା’ ମା’କୁ ଧରାଇଦେଇ ଯାଇଥିଲା । ସେ ସିଧା ଠିଆହୋଇ ନଥିଲା, ହସି ହସି ବଙ୍କାହୋଇ ନଇଁପଡ଼ୁଥାଏ । କୌଣସି ହସକଥା ପଡ଼ିଥିବ, ଯେଉଁଥିରେ ତା’ ହସର ବିସ୍ଫୋରଣ ବାହାରିଛି । ଝିଅଟା ହସି ହସି କ୍ଳାନ୍ତ ହୋଇପଡ଼ିଲା, ତା’ର ଖିଆଲ ନଥାଏ ଯେ ତା’ର ‘‘ଦୋପଟ୍ଟା’’ ଖାଲି କାନ୍ଧ ଉପରେ ରହିଥାଏ । ତା’ ଛାତିକୁ ମୁଁ ପରିଷ୍କାର ପୂରା ଆଉ ଖୋଲା ପଡ଼ିଥିବା ଅବସ୍ଥାରେ ଦେଖିପାରୁଛି । ବହୁତ ହୋଇଗଲା-। ଏଥର ତା’ ମା’ର ଦରକାର ତା’ର ୟେ ବେ-ଅକଲପଣ ପାଇଁ ତାକୁ ଝିଙ୍ଗାସିବା । ଜାଣେ ନାହିଁ ତା’ ମା’ ମନ କେମିତି ଯେ ତାକୁ ଖରାପ ଲାଗୁ ନ ଥାଏ । ହୁଏତ ମୋ ଛଡ଼ା ତାଙ୍କ ଭିତରୁ କାହାରି ନିଘା ସେ ଝିଅ ଉପରେ ନଥାଏ ।

 

ମୁଁ ପ୍ରତିଦିନ ବିବଶ ହୋଇପଡ଼ୁଛି । ମୋର ନୂଆ ପଡ଼ିଶା ପ୍ରତି ମୋ ମନରେ ଗୋଟାଏ ବିବଶ ଓଟରା ମୁଁ ଅନୁଭବ କରୁଛି । ଖାଲି ମୁଁ କାହିଁକି, ପପ୍‍ପୀ ବି ସବୁବେଳେ କୌତୂହଳପୂର୍ଣ୍ଣ ହୋଇ ସେ ଝିଅର ଲୁଗାର ପ୍ରଶଂସା କରି କହୁଛି । ରୋଷେଇ ଘରୁ ଭାଉଜ ବି ବେଳେ ବେଳେ ତାଙ୍କ ଘରଆଡ଼କୁ ଉଁଙ୍କିମାରି ଅନାଇଁଥାନ୍ତି, ଆଉ ଆଈ ବି ଏତେ ଖବର ରଖେ ଯେ କେତେବେଳେ ପଡ଼ିଶାଘରେ ସିଙ୍ଗଡ଼ା ମିଠେଇ କିଣାହେଲା, କେତେବେଳେ ତାଙ୍କ ଘରେ ଚୁଲି ଲାଗିଲା ତା’ ବି ସେ ଜାଣେ । ୟା ସତ୍ତ୍ୱେ ସେମାନଙ୍କର ଆମ ପ୍ରତି ତିଳେହେଲେ ଆଗ୍ରହ ନ ଥାଏ ।

 

ସେ ଝିଅ ଆମ ଆଡ଼କୁ କେବେ ଚାହେଁ ନାହିଁ, ତା’ ବାପ-ମା ବି ଅନାନ୍ତି ନାହିଁ । ସେମାନେ ଯେ ଜାଣିଶୁଣି ଇଚ୍ଛା କରି ଆମ ଆଡ଼େ ଅନଉ ନାହାନ୍ତି ଏ କଥା ବି ଜଣାପଡ଼େ ନାହିଁ । କଥାଭାଷା ହେବା ସମ୍ଭାବନା ତ ସୁଦୂର, କଳ୍ପନାତୀତ । ଲାଗୁଥାଏ ସେମାନେ ଆମକୁ ସେମାନଙ୍କଠୁଁ ସାନ ବୋଲି ଭାବୁଛନ୍ତି ନତୁବା ଆମର ନିକଟତା ଲାଗି ସେମାନଙ୍କର କୌଣସି ଭୟ କି ଅଶାନ୍ତି ଘଟୁଛି । ଏ କଥା କେତେଦୂର ସତ ଜଣାନାହିଁ । କିନ୍ତୁ ସେ ଝିଅର ବାପମା’ଙ୍କ ଆଖିରେ ଆପଣା ଘରକୁ ଲାଗିରହିଥିବା ଗୋଟାଏ ଭେଣ୍ଡାଟୋକାକୁ ଦେଖି ଏଭଳି ଭୟ ପୂରିଯାଇଥିବ ଯେପରି ମୋ ବନ୍ଧୁମାନଙ୍କୁ ଦେଖି ମୋ ବାପାଙ୍କ ମନରେ ପପ୍‍ପୀ ସକାଶେ ଖେଳିଯାଏ ।

 

ତାଙ୍କ ଘରେ ରେଡ଼ିଓ ବାଜେ ନାହିଁ, ଆମ ଘରେ ସବୁବେଳେ ବାଜେ । ତାଙ୍କ ଘର ଆଗରେ ଟାଙ୍ଗର ଭୂଇଁ, କେଉଁଠି ଦୁବଘାସଟିଏ ବି ନାହିଁ, ଆମ ଘର ଆଗରେ ଲନ୍‍ ଅଛି, କରରେ ପରିବା ବଗିଚା ଆଉ ଖୁବ୍‍ ବାସ୍ନା ଫୁଲଗଛଗୁଡ଼ିକ । ସେ ଝିଅଟା ମୋ ଭଉଣୀ ଆଉ ଭାଉଜଙ୍କ ସାଙ୍ଗରେ ସାଙ୍ଗ ହେଉନାହିଁ କାହିଁକି ? ତା’ ବାପା-ବୋଉ ମୋ ବାପା-ବୋଉଙ୍କ ସଙ୍ଗରେ କାହିଁକି ଚିହ୍ନାପରିଚ ନହେଉଛନ୍ତି ? ସେ ଯେଉଁ ପିଆଲାରେ ଚାହା ପିଏ ଆମେ ତାଠୁଁ କେଡ଼େ ସୁନ୍ଦର ଚାହାପିଆଲାରେ ଚାହା ପିଉ, ସେ ନଦେଖୁଛି କାହିଁକି ? ସେମାନଙ୍କର ଦରକାର ଆମକୁ ସମ୍ପର୍କର ଛୁଞ୍ଚିରେ ନିଜ ସଙ୍ଗେ ଗୁନ୍ଥି ଦେବା । ଆମର ସବୁ ଜିନିଷ ସଙ୍ଗେ ସେମାନେ ଚିହ୍ନା ରଖିବା ଦରକାର-। ଫେନ୍‍ସ ଉପରେ ଆମପଟେ ଘନ ଉଚ୍ଚ ତେନ୍ତୁଳି ଗଛ ଅଛି । ସେଥିରେ ଛ ଛ ଇଞ୍ଚ ଲମ୍ୱା ଫଳ ଓହଳିଥାଏ । ଝିଅମାନେ ତ କୟାଁ ଦେଖି ବାଇ ହୁଅନ୍ତି; ଅଥଚ ସେ ପଡ଼ିଶାଘର ଝିଅଟା କୟାଁ ଦେଖି କେବେ ଲୋଭାଏ ନାହିଁ । ଆମ ଗଛରୁ କୟାଁ ଛିଣ୍ଡାଇ ସେ ଆମକୁ କେବେ ଆନନ୍ଦ ଦେଇନାହିଁ । ମୁଁ ପ୍ରତୀକ୍ଷା କରିଛି ।

 

ଆମ ପଡ଼ିଶାଘର ଲୋକଙ୍କର କୌଣସି ପ୍ରୟୋଜନ ପଡ଼ିନାହିଁ ଯେଉଁଥିପାଇଁ ସେମାନେ କେବେ ଆମ ସହଯୋଗ ପାଇବା ଜରୁର ଦରକାର ବୋଲି ଭାବିଛନ୍ତି । ଯେମିତି ଆମ ଘରେ କି ଅନ୍ୟମାନଙ୍କ ଘରେ ଅନେକ ଭିତିରି କଥା ଥାଏ, ବ୍ୟସ୍ତତା ଥାଏ, ବୋଧହୁଏ ତାଙ୍କ ଘରେ ସେଭଳି ନାହିଁ । ନଥିବା ବଡ଼ ଆଶ୍ଚର୍ଯ୍ୟ କଥା । ସେ ତିନିଙ୍କ ଭିତରୁ କେବେ କାହାକୁ ଚିନ୍ତାରେ ଘାରିହେବା ମୁଁ ଦେଖିନାହିଁ । ଝିଅର ବାପର କପାଳରେ ହୁଏତ ଚିନ୍ତା ଖେଳୁଥିବ, ଆଉ ତା’ ବୋଉ କେତେବେଳେ ନିଜ ଉପରେ ଦୁଃଖ କରୁଥିବ; କିନ୍ତୁ ସେଠୁ ତ ଆଦୌ କିଛି ଦିଶେନାହିଁ କି ଶୁଭେନାହିଁ । ଏଭଳି ସମ୍ଭବ ଯେ ଝିଅର ମନ ଭିତରେ ଠାଏ କେଉଁଠି ନିଜର ହୋଇ କୋଣଟିଏ ଅଛି । ଠିକଣା କରି କିଛି ବୁଝିହେଉ ନଥାଏ । ବେଶି ରାତିଯାକେ ତାଙ୍କ ମଝିଘରର ଆଲୁଅ ଜଳୁଥାଏ । ସେ ଘରେ ମୁଖର୍ଜି ଏକୁଟିଆ ଶୋଉଥିଲା । ଲାଗୁଥାଏ ଏମାନେ ଭିତରେ ଥିଲେ ବି ଏକାଠି ବସି ଗପସପ କରୁଥାନ୍ତି । ତାଙ୍କ ପାଖରେ ଅଶେଷ କଥାସବୁ ଥିବ ଓ ସେଭଳି ବାର୍ତ୍ତାଳାପ ଲାଗି ଅକ୍ଷୟ ତୃପ୍ତିମୟ ବିଷୟ ଥିବ । ମୋର ଛାଁକୁ-ଛାଏଁ ଗୋଟାଏ କାକର ଦୀର୍ଘଶ୍ୱାସ ବାହାରିଯାଏ । ଆମ ଘରେ ତ ଋତୁ, ମଶା, ପିଲାଜନ୍ମ, ଦାୟିତ୍ୱଧାରିଣୀ ବୋହୂମାନେ ଚୁଲି ହାଣ୍ଡି ସମେତ ବର୍ତ୍ତମାନକୁ ପ୍ରକଟ କରୁଥିବା ଭବ୍ୟ ଅତୀତର ଦିବ୍ୟପୁରୁଷମାନଙ୍କ ବାଣୀହିଁ ଥାଏ ।

 

ତାଙ୍କ ଘର ଆମ ଘର ମଝିରେ ବାଡ଼ଟା ଖାଲି ଗୋଟାଏ ନାମମାତ୍ର ନିଷେଧ । ମାଟିର ଫୁଟେ ଉଞ୍ଚ ହିଡ଼ଟାଏ, ତା’ ଉପରେ ସିଜୁ, ଭଇଁଚ କୋଳି, ଆଉ ଲମ୍ୱା ହୋଇ ଖଣ୍ଡେଦୂରଯାକେ ଗୋଜିଆ ଗୋଜିଆ ବଙ୍କାଢଙ୍କା ଜଙ୍ଗଲି ନାଗଫେଣୀ ଗଛର ଧାଉଡ଼ିଏ । ଥୋଡ଼ାଏ ଅଜଣା ବୁଦା, ତା’ ଦେହରେ ସବୁବେଳେ ଉଇ ଲାଗିଥାଏ । ତା’ ପତ୍ରଗୁଡ଼ାକ ଟାଆଁସିଆ ଆଉ ଶାଗୁଆ । ଗଛମାନଙ୍କ ମଝିରେ ମଝିରେ କେତେ ଜାଗାରେ ଗଛ ହଣାହୋଇ ବାଟ ହୋଇଥାଏ । ସେ ବାଟେ ପରିବାବାଲାମାନେ, ଫଳବାଲାମାନେ ଯାଆସ କରନ୍ତି, ମେହେନ୍ତ୍ରାଣୀ ଆସେ, ଖବର କାଗଜବାଲା ଆସେ । ଡାକବାଲା ଆଉ ଦୁଧବାଲା ବର୍ଷଯାକ ସେ ବାଟଗୁଡ଼ାକୁ ବ୍ୟବହାର କରନ୍ତି । ବିଲେଇ କୁକୁର ନିର୍ଭୟରେ ଯିବା-ଆସିବା କରନ୍ତି । ଆଉ ଘାସ, ଫୁଲ ଓ ସାନ ସାନ ଗଛ ଖାଇବାକୁ ଗୋରୁ ଛେଳି ପଶନ୍ତି । ଏତେ କ୍ଷତି ସହିବା ସତ୍ତ୍ୱେ ସେ ବାଡ଼ ସେମିତିଆ ପଡ଼ିଛି । କିଛିଦିନ ତଳେ ମୁଖର୍ଜିର ଟିକି ଝିଅ ଶୈଲା ମୋ ପାଖରୁ ବହି ମାଗିବାକୁ ସେହି ବାଟରେ ଆସୁଥିଲା । ସେଇଟା ଏଡ଼େ ସୁବିଧାଜନକ ଆଉ ସହଜ ବାଡ଼ ଯେ ମୁଁ ସାଇକେଲରୁ ନ ଓହ୍ଲାଇ ଯେଉଁ ପଟେ ବାଡ଼ଟା ହଣାହୋଇଯାଇଥିଲା ସେ ପଟେ ଖେଳି ଖେଳି ଏ ପାଖରୁ ସେ ପାଖକୁ ଯାଇପାରନ୍ତି । ଆଗେ ଯାଉଥିଲି, ଏବେ ନାହିଁ; କାରଣ ଆମ ପଡ଼ିଶାଙ୍କ ଢଙ୍ଗଢାଙ୍ଗରୁ ବାଡ଼ ଟପିବ ନାହିଁ, ଏହି ଅର୍ଥହିଁ ଜଣାପଡ଼ୁଥାଏ । ସେମାନେ ଆସିବାର ତିନି ମାସ ହୋଇଯାଇଥାଏ ।

 

ଅନେକ ସମୟରେ ପଢ଼ିବି ବୋଲି ଡେକ୍‍ସକୁ ପଦାକୁ ବାହାରକରେଁ । ଆଜିକାଲି ପଦାରେ ଭାରି ଭଲଲାଗେ, ସେମିତି ଯେମିତି ଖରାଦିନେ ବେଶି ଶୋଷ କଲେ ବରଫପାଣି । କିନ୍ତୁ ବାହାରେ ପଢ଼ିବା ଦୃଷ୍ଟି କଟୁ ହୁଏ । ଆଖି ବାଡ଼ ଟପି ଚାଲିଯାଏ । ମନଟା ପଡ଼ିଶା ଘରେ ଘୂରିବୁଲୁଥାଏ । ଅସମ୍ପୃକ୍ତା ଯୁବତୀ । ଖୁସି ମନ ଆଉ ନିର୍ଭୀକ ତା’ର ବାପ-ମା । ମୁଁ ତାଙ୍କରି ଘରେ ଜନ୍ମ ହୋଇଥାନ୍ତି କି ! ମନ ସେମିତି ଉଡ଼ୁଥାଏ ।

 

କେବେ କେବେ ସେ ପଡ଼ିଶାଘର ଝିଅ ଏକୁଟିଆ ବସିଥାଏ । କିଛି କରୁଥାଏ ନହେଲେ ଖାଲି ସେମିତି । ଚାଲୁ ଚାଲୁ ତାଙ୍କ ଘରର ଆରପାଖ ଅଗଣାଯାକେ ଚାଲିଯାଏ । କହୁଣି ଭରାଦେଇ ସଡ଼କ ଆଡ଼କୁ ଅନାଏଁ, ପୁଣି ଫେରିଆସେ । ଆମ ବସ୍ତିକୁ ଅନ୍ୟ ବସ୍ତିର ବୁଲାଟୋକାଏ ବି ଖୁବ୍‍ ଆସନ୍ତି । ସେମିତିଆ ଛତରା ଆମ ବସ୍ତିରେ ବି କମ୍‍ ନାହାନ୍ତି । କିନ୍ତୁ ସେ ଝିଅଟି ସବୁବେଳେ ଅବୋଧ ଓ ମୁକ୍ତ ହୋଇଥାଏ । ତା’ ଆକାର ସାନ ଆଉ ଡଉଲଡାଉଲ । ଆମ ଭାଉଜ ତା’ର ଓଲଟା, ପୂଜା ପାଇଁ ଫୁଲ ତୋଳିବାକୁ ହେଲେ ସେ ମୋ ଭଉଣୀ ପପ୍‍ପୀକୁ ସଙ୍ଗରେ ଘେନି ବାହାରନ୍ତି । ସେ ବାହାରେ ବି ଡରନ୍ତି, ଘରେ ବି । ତାଙ୍କୁ ଡରେଇ ରଖାହୁଏ । ପପ୍‍ପୀ ଉପରେ ବି କଡ଼ା ନଜର ରଖାହୁଏ । ଥରେ ପଡ଼ିଶାଘର ଝିଅର ବାପ ତା’ ବୋଉ କାନ୍ଧରେ ହାତ ଥୋଇ କଥାବାର୍ତ୍ତା କରୁଥିଲା ଯେ ସଙ୍ଗେ ସଙ୍ଗେ ପପ୍‍ପୀକୁ କୌଣସି ଆଳ ଦେଖାଇ ଭିତରକୁ ଡାକିନିଆହେଲା । ଆହୁରି ପୁଣି ସେ ଦୃଶ୍ୟ ତ ଆମ ଘରେ ଗୋଟାଏ ହାଉଯାଉ ଲଗାଇଦେଲା । କେଡ଼େ ନିର୍ଲଜ୍ଜପଣ ! ଧୀରେ ଧୀରେ ଆମ ଘର ଲୋକେ ପଡ଼ିଶାଘର ପରିବାରକୁ ଖୁବ୍‍ ବିପଜ୍ଜନକ ବୋଲି ଭାବିଲେ ।

 

ଦିନ ବିତିବାକୁ ଲାଗିଲା । ଏଣିକି ଆମ ଘରେ ପଡ଼ିଶା ପ୍ରତି ବାଧ୍ୟତଃ ପଡ଼ିଶାଘରର ପ୍ରତ୍ୟେକ ରୁଚି ଘେନି ଅରୁଚି ବଢ଼ିଉଠିବାକୁ ଲାଗିଲା । ଏପରିକି ଆମ ପକ୍ଷରେ ସେମାନଙ୍କର ସେଠି ଥିବାଟା ନଥିବା ଭଳି ହେଲା । ଧୀରେ ଧୀରେ ଆମ ଘରେ ପଡ଼ିଶାଙ୍କୁ ଦୁନିଆଯାକର ଖରାପ ଗୁଣର ‘ରେଫରେନସ୍‍’ ବୋଲି ଧରିନିଆଗଲା । ଆମ ଆଖି ହଜାରେ ଥର ବାଡ଼ ସେପାଖକୁ ଯାଉଥାଏ । ଜରୁରି ଅଜରୁରି ରୋଜିନା ସବୁ କାମ ଭିତରେ ସେ ବି ଗୋଟାଏ ରୁଟିନ୍‍ ହୋଇଗଲାଣି-। ଅନ୍ୟାନ୍ୟ ନାନା ଚିନ୍ତା ଭିତରେ ମନରେ ଗୋଟାଏ ନୂଆ ଉଦ୍‍ବିଗ୍ନତା ଖେଳଥାଏ, ମୁଁ ନିଜେ ମୋର ବହୁତ ସମୟ ବିତାଉଛି ସିନା, କିନ୍ତୁ ସେପଟୁ କୌଣସି ନଜର ଏପଟକୁ ଆସୁନାହିଁ-

 

ପାଖରେ କେଉଁଠି ‘ଆଉଟର’ ନପାଇ ଡିଜେଲ ଇଞ୍ଜିନ୍‍ଟାଏ ଠିଆହୋଇ ଚିତ୍କାର କରୁଛି, ତା’ ଶବ୍ଦର ନୂତନତ୍ୱରେ ମଣିଷ ଚମକି ପଡ଼ିବ । ଆମେ ସବୁ ଏଥର କିଛି ସମୟ ପାଇଁ ଡିଜେଲ ଇଞ୍ଜିନ୍‍ ବିଷୟରେ କଥାବାର୍ତ୍ତା ହେବୁ ।

 

ଆଜି ସେ ପଡ଼ିଶା ଦ୍ୱି ପ୍ରହରବେଳୁ ଘରେ ନାହିଁ । ତାଙ୍କ ଘରେ ଦି’ ତିନିଜଣ କୁଣିଆ ଭଳିଆ ଲୋକ ଆସି ରହିଛନ୍ତି । କୌଣସି ହଲଚଲ ନାହିଁ । ସବୁଦିନ ପରି ନିଶ୍ଚିନ୍ତତା । ମୁଁ ଉଠିପଡ଼ି ଭିତରକୁ ଗଲି । ଭାଉଜ ମୁଣ୍ଡବାଳ ଶୁଖାଉଥିଲେ । ତଥାପି ଜଣାନାହିଁ କାହିଁକି ସେ ପଡିଶାଘର ଝିଅ ସଙ୍ଗେ ମୋ ସମ୍ୱନ୍ଧ ଯୋଡ଼ିଦେଇ ପଦେ ଚୁପିଚୁପିଆ ଥଟ୍ଟା କରିଦେଲେ । ମୁଁ ମନେ ମନେ ହସି ପଦାକୁ ଆସିଲି । ସେତେବେଳେ ସେ ଝିଅ ଆଉ ତା’ ବୋଉ ବି ବୋଧହୁଏ ବଜାରରୁ କ’ଣ ପ୍ୟାକ୍‍ କରାହୋଇଥିବା ଜିନିଷ ଘେନି ଫେରିଆସିଲେ । ବାପ ପଛରେ ରହିଯାଇଥିବେ । ଉପରଓଳି ଆଉ ଆରଦିନ ସକାଳେ ବି ସେଠିକି ଲୋକେ ଯା-ଆସ କରୁଥାନ୍ତି; କିନ୍ତୁ ତାଙ୍କୁ ବେଶି ଲୋକ ବୋଲି କୁହାଯାଇ ପାରନ୍ତା ନାହିଁ । ତାଙ୍କ ଘରେ ଗୋଟାଏ ସାଧାରଣ ପୁଣ୍ୟ-ପର୍ବ ହେଉଥିବା ଭଳିଆ ଦିଶୁଥାଏ । କିନ୍ତୁ ଆମ ସମସ୍ତିଙ୍କୁ ଚକିତ କରିଦେଲାଭଳି ସମାଚାର ହେଲା ଯେତେବେଳେ ଦୁଧବାଲା କହିଲା ଯେ ଗଲା ରାତିରେ ସେ ଝିଅଟିର ବିଭାଘର ହୋଇଗଲା, ଏଇଠି ପ୍ୟାରେଡ଼୍‍ର କେଉଁ ବାବୁ ସଙ୍ଗରେ । ଆର୍ଯ୍ୟ-ସମାଜରେ ବିଭାଘର ହେଲା । ଭାଉଜ ମୋ ଆଡ଼କୁ ଥଟ୍ଟାଳିଆ ଦୁଃଖରେ ଅନାଇଲେ ଆଉ ମତେ ହସମାଡ଼ିଲା, ଭାରି ମନଖୋଲି ହସିବାକୁ ମନହେଲା, ଏଇଆ ଭାବି ଯେ ଆମେ ସମସ୍ତେ କେଡ଼େ ପବନା ।

 

ମଝିରେ ମଝିରେ ତାଙ୍କ ଘରକୁ ଦି’ଚାରି ଜଣ ଲୋକ ଆସିଲେଣି । ସେମାନେ ଘର ଭିତରକୁ ଆସନ୍ତି ଆଉ ପୁଣି କେତେ ସମୟ ପରେ ବାହାରକୁ ବାହାରିପଡ଼ି ଚାଲିଯାଆନ୍ତି । ବେଶୀ ଗମ୍ଭୀର ଆଉ ଅନୁଶାସନପ୍ରିୟ ଲୋକ ସେମାନେ । କେତେ କେତେବେଳେ ଥୋଡ଼ାଏ ପିଲା ଏକାଠି ହୋଇ ପାଟି କରନ୍ତି, ଦଉଡ଼ନ୍ତି, ଆଉ କେହି ବୁଲନ୍ତି । ସତେକି ସବୁ ସୁବିଧାରେ ସହଜରେ ହୋଇଗଲା; ଜଣାନାହିଁ କ’ଣ ହେଲା କେମିତି ହେଲା । ଆମ ଘରେ ସେଇଟା ଖୁବ୍‍ ଅଶାନ୍ତିର ଦିନ-। ଘଣ୍ଟାଏ ପରେ ସେ ଝିଅ ପଦାକୁ ଆସିଲା । ବୋଧହୁଏ ସେ ପ୍ରଥମ ଥର ଶାଢ଼ି ପିନ୍ଧିଥାଏ । ଶାଢ଼ି ସମ୍ଭାଳି ଓ ହାତରେ ନଡ଼ିଆ ଧରି ସେ ପିଣ୍ଡାକୁ ଚାଲିଲା । ସେ ଚେତା ଅଛି କିନ୍ତୁ ତା’ର ପରିପୁଷ୍ଟ ଦେହ ଶାଢ଼ିରେ ଢାଙ୍କି ହୋଇ ସଂକ୍ଷିପ୍ତ ହୋଇଯାଇଛି । ସେ ଆଗ ପାହୁଣ୍ଡକୁ ଦେଖି ଦେଖି ଚାଲୁଥାଏ । ତାକୁ କେହି ଆଡ଼ କଲେନାହିଁ କିମ୍ୱା ବର ସଙ୍ଗେ ଲାଗିକରି ଚାଲିବାକୁ ତାଠିଁ ପରମ୍ପରାଗତ ନବବଧୂ ଭଳି ଲଜ୍ଜା-ସଙ୍କୋଚ ଉତ୍ପନ୍ନ ହେଲାନାହିଁ । ତା’ ବରର ଚେହେରା ମତେ ମୋର ଜଣେ ବନ୍ଧୁ ଚେହେରାପରି ଦିଶୁଥାଏ । କୌଣସି ହୋ-ହା ନଥାଏ । ଝିଅର ମା ଝିଅର ଗାଲରେ କେତେଥର ଗାଢ଼ ଚୁମ୍ୱନ କଲେ । ତା’ ବାପ ତା’ ମୁଣ୍ଡ ଉପରେ ହାତ ବୁଲାଉଥାନ୍ତି । ବର୍ତ୍ତମାନ ଝିଅ ଆଖିରୁ ହାଲୁକା ହୋଇ ପାଣି ନିଗିଡ଼ିବାର ଜିକିଜିକି ଆଉ ତା’ ଆଖିରେ ଝଟକୁଥିବା ନୂଆ ଜୀବନର ଉତ୍ସାହ ଲୁଚିପାରିଲା ନାହିଁ ।

 

ବାଡ଼ର ଗୋଟାଏ କଣରୁ ଆରପାଖକୁ ଗୁଣ୍ଡୁଚିମୂଷାମାନେ ଦୌଡ଼ୁଛନ୍ତି । ଝିଅଟା କାନ୍ଦିଲା ନାହିଁ ବୋଲି ମୋ ବୋଉ ଆଶ୍ଚର୍ଯ୍ୟ ହୋଇ ମୋ ଆଗରେ କହୁଛି । ତା’ ମତରେ, ସେ ଲେଖାପଢ଼ା ଜାଣିଥିବାରୁ ଗୋଟାଏ କଠୋରମନା ଝିଅଟାଏ ହୋଇଯାଇଛି; ଯାହାଠି ତା’ ମା-ବାପାଙ୍କ ପ୍ରତି ପ୍ରକୃତ ମୋହ-ମମତା ନାହିଁ । ‘‘ଆଜିକାଲି ସମସ୍ତେ ଏପରି ହେଉଛନ୍ତି । ପେଟରୁ ଫାଡ଼ି ଯାହାଙ୍କୁ ଜନ୍ମ କରିବ, ପୋଷିବ, ପାଳିବ, ତାଙ୍କ ଆଖିରେ ଟୋପାଏ ଲୁହ ନାହିଁ !’’

 

ଏସବୁ ଶୁଣିବା ପାଇଁ ମୋର ଆଗ୍ରହ ନାହିଁ । ମୁଁ ଦେଖୁଛି ଯେ ବୋଉକୁ ଖରା ଭଲ ଲାଗୁଛି । ଖରାରୁ ଟିକିଏ ଯୁଆଡ଼େ ଛିରିକିପଡ଼ୁଛି ବୋଉ ବି ସେଠିକି ଧାଇଁଯାଉଛି । କିନ୍ତୁ ସେତେବେଳେ ବାପା ଗୋଟିଏ ପ୍ରଶସ୍ତି ଉପସ୍ଥାପିତ କରୁଛନ୍ତି ।

 

‘‘ଆଗକାଳେ ଝିଅମାନେ ଗାଁର ସୀମାଯାକେ କାନ୍ଦି କାନ୍ଦି ଯାଉଥିଲେ, ଯେ କାନ୍ଦୁ ନଥିଲା ତାକୁ ପିଟି ପିଟି କନ୍ଦାଯାଉଥିଲା; ନହେଲେ ତା’ ଜୀବନ ଶଶୁରଘରେ କେବେ ସୁଖର ହେବନାହିଁ ।’’ ଏ କାଳରେ ସେପରି ହେଉନାହିଁ ବୋଲି ବାପାଙ୍କର ଭାରି ଦୁଃଖ । ‘‘ପୁରୁଣା ଅମଳ ଚାଲିଯାଇଛି ଆଉ ମଣିଷର ମନ ମେସିନ୍‍ ପାଲଟିଯାଉଛି; ମେସିନ୍‍ ।’’ ଏପରି ସମୟରେ ବାପାଙ୍କ ସ୍ୱର ଖୁବ୍‍ ତେଜୀ ହୋଇଥାଏ ଆଉ ଆଖିରେ କଳିଯୁଗର ପ୍ରଳୟ ନାଚୁଥାଏ ।

 

ଆମ ଘର ଉପରେ ଆକାଶରେ କେତେଖଣ୍ଡ ଛିଣ୍ଡା ଛିଣ୍ଡା ନିଛାଟିଆ ବଉଦ ଆସି ଆଗକୁ ଚାଲିଗଲେଣି । ପଡ଼ିଶାଘର ଝିଅକୁ ଏଥର ତା’ ବାପା-ମା’ ବନ୍ଧୁ କୁଟୁମ୍ୱ ସମ୍ପୂର୍ଣ୍ଣଭାବେ ବିଦାକରିଦେବା ସକାଶେ ଫାଟକଯାକେ ଯାଇ ଠିଆହୋଇଥାନ୍ତି । ପୁଅବାଲା ତା’ ବୋହୂପାଇଁ ‘ହେରାଲ୍‍ଡ଼’ ମଟରକାର୍‍ଟିଏ ଆଣିଥାଏ । ଗୋଟାଏ ନାଲି ବଖରା ପରି ସେଇଟା ଦିଶୁଥାଏ । ସେହି ନାଲି ଘରଟି ଧୀରେ ଧୀରେ ଖସି ଗଲା, ତା’ପରେ ଚାଲିଗଲା । ସୁବୁଠୁ ବେଶି ଛି-ଛି ଲାଗିଲା ଆଈକୁ । ସେ ତା’ର ଏକୁଟିଆ ବିଡ଼ି ବିଡ଼ି ହେଉଥାଏ, ତାକୁ ଏ ବାହାସାହା ଆଦୌ ବୁଝାପଡ଼ୁନଥାଏ-। ‘‘ନା’ ରୋଶଣି-ଝାଡ଼, ନା ଧୁମ୍‍ଧାମ୍‍, ନା ଭୋଜିଭାତ ! ମଣିଷ ଏଡ଼େ କାମ୍ପି ହେବ କେଉଁ ସକାଶେ-! ପୁଣି ଏଭଳି ସମୟରେ ପଡ଼ିଶାକୁ ନ ପଚାରିବା ! ବାହାରେ ମଣିଷପଣିଆ-। ରାମ୍‍ ରାମ୍‍ !’’

 

ସେମାନେ ଝିଅ ବିଦାକରି ଫେରିଆସିଲେଣି । ସେମାନେ ନିଜ ନିଜ ପାଇଁ ଚଉକି ଆଣି ପଦାରେ ବସିଗଲେଣି । ଝିଅ ଚାଲିଗଲା ପରେ ତା’ ମା ଟିକିଏ ଦୁଃଖିତ ଆଉ ବିମର୍ଷ ହୋଇଯାଇଛି-। କେତେଜଣ ମିଳିମିଶି ତା’ ମନକୁ କୁତୁକୁତୁ କରି ତାକୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି ବୋଧହୁଏ-। ମୋ ବନ୍ଧୁ ରାଧୁ ଦାଭେ ସଙ୍ଗରେ ମୁଁ ଏ କଥା ସିଦ୍ଧାନ୍ତ କରିବାକୁ ଚେଷ୍ଟା କରୁଛି କି ସେ ଝିଅ ଦୁନିଆଁକୁ ଦେଖିସାରିଥିଲା । ଗୋଟାଏ ଗଭୀର ଅଭାବରୁ ଉତ୍ପନ୍ନ ଉଦାସପଣ ଛଡ଼ା ମୁଁ ଆଉ କିଛି ଅନୁଭବ କରୁ ନଥାଏଁ । ସେ ଗୋଟାଏ ଆଶ୍ଚର୍ଯ୍ୟ ପ୍ରକାର ଶୂନ୍ୟତା; ପଛକୁ ହଟି ରହିବାର ଶୂନ୍ୟତା-। ସମ୍ପୂର୍ଣ୍ଣ ଅଜ୍ଞାତ । ଝିଅଟାର ଚାଲିଚଳଣ ଖରାପ ହୋଇଥିବ ବୋଲି ଓ କେବେ କେବେ ସେ ପତିତା ହୋଇଥିବ ବୋଲି ବିଶ୍ୱାସ ହେଉଥାଏ । ହୁଏତ ମୁଁ ବି ମନର କେଉଁ କୋଣରେ ଆମ ଘରର ଅନ୍ୟମାନଙ୍କ ପରି ପଡ଼ିଶାମାନଙ୍କୁ ସହିପାରୁନାହିଁ ।

 

ରାତି ଅପରାହ୍‍ଣର ଖୋଳ ଓହ୍ଲାଇ ପକାଇଛି । ବାଡ଼ ସେପାଖେ ଟେବୁଲ ଆଖପାଖରେ ଲୋକେ ଠିଆହୋଇ ଏଣେତେଣେ ହେଉଛନ୍ତି । ସବୁଦିନପରି ମଝି ବଖରାରେ ବିଜୁଳି ଆଲୁଅ ଜଳିଲାଣି । ଦୁଆରମୁହଁରେ ଚଂଛା ହୋଇଥିବା ଅଞ୍ଚଳ ଉପରେ ମାଟିଆ ଆଲୁଅ ପିଲାଙ୍କପରି ଲାଖିଯାଇଛି । ସେମାନଙ୍କ ରାତି ଶାନ୍ତିରେ ନିୟମାନୁସାରେ ଚାଲିଛି । ତାଙ୍କ ଘରେ ଜଣେ ଲୋକ ଊଣା ଅଛି ଏ କଥା ସେମାନଙ୍କୁ କେମିତି ଲାଗୁଛି କେଜାଣି ? ଆମ ଘରେ ତ ପଡ଼ୋଶୀ-ନିନ୍ଦାର ହାଟ ଏବେ ବି ଗରମ ଅଛି ।

Image

 

ସୁଖ

(କାଶୀନାଥ ସିଂହ)

 

ଭୋଳାବାବୁ ଚାକିରିରୁ ଫେରିଆସିବାର ହପ୍ତାଏ ହୋଇ ନଥାଏ କି ଗୋଟାଏ ଘଟଣା ଘଟିଗଲା ।

 

ସେ କୋଠରି ଭିତରେ ପଡ଼ି ପଡ଼ି ଖବରକାଗଜ ପଢ଼ୁଥିଲେ । ଅପରାହ୍‍ଣରେ ଝରକାବାଟେ ସୂର୍ଯ୍ୟକିରଣଟିଏ ପଶିଆସିଲା ଆଉ ତାଙ୍କ ଚନ୍ଦାମୁଣ୍ଡ ଉପରେ ପଡ଼ିରହିଲା–ସତେ ଯେମିତି ସେଇଟା ଗୋଟିଏ କଅଁଳ ଛୁଆର ହାତପାପୁଲି, ଉଷୁମ ଆଉ ନରମ ପୁଚୁ-ପୁଚୁ । ଭୋଳାବାବୁ ଶୋଇବା ଅବସ୍ଥାରୁ ଉଠି ବସିଲେ । ଦେଖିଲେ ସୂର୍ଯ୍ୟ ପାହାଡ଼ ପଛଆଡ଼େ କୁଆଡ଼େ ଚାଲିଗଲାଣି; ଅଥଚ ସେ କିରଣ ତାଙ୍କ ମୁଣ୍ଡ ଉପରେ ଯେପରି ଥିଲା ସେପରି ଲାଗିରହିଛି ।

 

ସେ ଉଠିପଡ଼ିଲେ, ସାମ୍ନା କାନ୍ଥ ଉପରେ ହାତ ଥୋଇଲେ । ଟିକିଏ ଆଗରୁ ସେଠି ବି ନାଲିଆ ଦିଶୁଥିଲା । ପାପୁଲିକୁ ଉଷୁମ ଲାଗିଲା । ହାତକୁ ସେଠି ନେଇ ଗାଲରେ ଲଗାଇଲେ । ଗାଲର ଚମ ପାପୁଲିରୁ କେତେ ଇଞ୍ଚ ତଳେ ଭିତର ଆଡ଼କୁ ଥାଏ । ତାଙ୍କ ମନରେ ଦୁଃଖ ହେଲା । ସେ ଚଞ୍ଚଳ ପଦାକୁ ବାହାରିପଡ଼ିଲେ । ପଦାରେ ଶାଗୁଆ ଘାସ ନାଲିଆ ଦିଶୁଛି, ଅଗଣା ନାଲି...ସେ ତରତର ପାଦ ପକାଇ ଆଗକୁ ଗଲେ, ସେହି ଅଗଣାକୁ, ପୁଣି ଅଟକିଗଲେ । ସେଠୁ ସୂର୍ଯ୍ୟ ଦିଶୁଥାଏ ପାହାଡ଼ମାନଙ୍କର ଟିକିଏ ଉପରକୁ, ବଉଦମାନଙ୍କ ଆଖପାଖରେ, ତାଳ ଆଉ ବାବୁଲ ଗଛମାନଙ୍କ ମଝିରେ । ସେ ନିଜ ଉପରେ ଦୃଷ୍ଟି ପକାଇଲେ । ମାରକିନ୍‍ କନାର ଧଳା କାମିଜ୍‍ ଗୋଲାପୀ ହୋଇଯାଇଥାଏ । ସେ ମୁରୁକି ମୁରୁକି ହସିଲେ ।

 

‘‘ଦେଖ, ସଂସାରରେ କି କି ଜିନିଷ ଅଛି । କେଡ଼େ ସୁନ୍ଦର ସୁନ୍ଦର ଜିନିଷ ।’’

 

ପୁଣି ସେ ଅଗଣା ବାହାରକୁ ଦୃଷ୍ଟି ପକାଇଲେ ଏଣେତେଣେ, ଦୂରରୁ ଦିଶୁଥିବା ହରିଜନ ବସ୍ତି ଉପରେ । ଦେଖିଲେ କୁଡ଼ିଆଗୁଡ଼ିକ ଭଙ୍ଗା ହୋଇଯାଇଛି । ସୁକାଲୂ ହରିଜନର ସାନ କୁଡ଼ିଆଟି ଡେଙ୍ଗା ହୋଇଯାଇ ମନ୍ଦିରକୁ ଛୁଉଁଛି । ମନ୍ଦିର କତିରେ ଗାଈଟିଏ ଠିଆହୋଇ ଲାଙ୍ଗୁଡ଼ ହଲାଉଛି । ଗାଈଟିକୁ ସେ ଖୁବ୍‍ ନିଘା ଦେଇ ଦେଖିଲେ-ସେଇଟି ନାଲିଆ ନା ଧଳା ଗାଈଟିଏ ?

 

ସେ ଠିକଣା କରିପାରିଲେ ନାହିଁ । ଆରେ ! ଭାରି ମଜା ତ ! ସେ ମୁରୁକି ମୁରୁକି ହସିଲେ । ହଠାତ୍‍ ଭୋଳାବାବୁଙ୍କ ନିଘା ସୂର୍ଯ୍ୟ ଉପରେ ପଡ଼ିଲା । ସୂର୍ଯ୍ୟ ପିଣ୍ଡୁଳାଟି ସାନ-ବଡ଼ ହେଉଥାଏ, ଥରୁଥାଏ ।

 

‘‘ବିଟ୍ଟୀବୋଉ ?’’ –ସେ ପାଟିକଲେ ।

 

କୌଣସି ଜବାବ୍‍ ଆସିଲା ନାହିଁ ।

 

‘‘ବିଟ୍ଟୀବୋଉ !’’ –ସେ ପୁଣି ପାଟିକଲେ ।

 

‘‘କ’ଣ ହେଲା କି ?’’ କାନିରେ ହାତ ପୋଛି ପୋଛି ବିଟ୍ଟୀବୋଉ ବାହାରିପଡ଼ିଲେ ।

 

‘‘ଆରେ ଏଠିକି ଆସ ତ !’’

 

ବିଟ୍ଟୀବୋଉ ଦଉଡ଼ି ଆସିଲେ । ଆସି ଭୋଳାବାବୁଙ୍କ ପାରେ ଠିଆ ହୋଇଗଲେ ।

 

‘‘ସାମ୍ନାକୁ, ହେଇ ସେଠିକି ଅନା ।’’

 

ସେ ସଡ଼କ ସେପାଖକୁ ଅନାଇଲେ ।

 

‘‘ଆରେ ସଡ଼କ ନୁହେଁ ହେ, ଦେଖ ଦୂରକୁ, ତାଳଗଛଗୁଡ଼ିକର ପଛପଟେ ।’’

 

ସେ ତେଣିକି ଦେଖୁଥାନ୍ତି । ପୁଣି ଭୋଳାବାବୁଙ୍କ ଆଡ଼କୁ ବୁଲିପଡ଼ିଲେ ଆଉ ଖୁସି ହୋଇଗଲେ । ଭୋଳାବାବୁ ଗଦ୍‍ଗଦ ହୋଇ କହିଲେ, ‘‘କେଡ଼େ ସୁନ୍ଦର !’’

 

‘‘କ’ଣ କେଡ଼େ ସୁନ୍ଦର ?’’

 

‘‘ଇଟା ବୋଝେଇ ହୋଇଥିବା ଖଚ୍ଚର (ଗଧ-ଘୋଡ଼ା ମିଶା ଜନ୍ତୁ) ଗୁଡ଼ିକଙ୍କ ଧାଡ଼ି । ଆଉ ତାଙ୍କ ପଛରେ ଚାଲୁଥିବା ଲୋକଟି ?’’ ଭୋଳାବାବୁ ହସି ହସି ଗଡ଼ିଲେ ।

 

‘‘ମାଇକିନିଆଙ୍କ କଥା ତ, ଖଚ୍ଚର ଆଉ ଗଧଙ୍କ ଛଡ଼ା କ’ଣ ଆଉ ଦେଖିପାରିବେ ?’’

 

‘‘ତେବେ କ’ଣ ଦେଖିବାକୁ କହୁଥିଲ ?’’

 

‘‘କିଛି ନାହିଁ । ହାଣ୍ଡିରୁ ପାଣି ଢାଳିବ, ଅଟା ଦଳିବ ଯାଅ ।’’

 

‘‘ନାଇଁ ନାଇଁ, ମତେ ଟିକିଏ ଦେଖେଇ ଦିଅ ହେ ।’’ ସେ ଅଳି କଲେ ।

 

‘‘କ’ଣ ଆଉ ଦେଖାଇବି ? ଧୂଳି ? ଏତେ ଡେରି ପାଇଁ ଉଦ୍‍ବିଗ୍ନ ହୋଇ ପଡ଼ିଥିବା ଖଚ୍ଚରଗୁଡ଼ାଙ୍କୁ ଦେଖେଇବାକୁ ମୁଁ ଅଛି, ନା ?’’

 

‘‘ତେବେ କ’ଣ ଆଉ ?’’ ବିଟ୍ଟୀବୋଉ ବଳେଇଲେ ।

 

‘‘ତାଳଗଛଗୁଡ଼ାକର ସନ୍ଧିବାଟେ ଅନାଅ । ଧୂଆଁଳିଆ-ଧୂଆଁଳିଆ ପାହାଡ଼ଗୁଡ଼ାକ ଦିଶୁଛି ନା ?’’

 

‘‘ହଁ ।’’

 

‘‘ନାଲିଆ ସୂର୍ଯ୍ୟ ଅଛି, ଦିଶୁଛି !’’

 

‘‘ହଁ ।’’

 

‘‘ତା’ ଗୋଲେଇ ଉପରେ ପାତଳା ଖଇରିଆ ବଉଦମାନଙ୍କ ଗାର ଗାର ଅଛି ନା ?’’

 

‘‘ହଁ ।’’

 

‘‘ଦେଖୁଥା, ଭଲ କରି ଦେଖୁଥା ।’’

 

‘‘ତାକୁ କ’ଣ ଦେଖିବି ? ତୁମେ ସିନା ଆଜି ଦେଖୁଛ-ମୁଁ ତ ଜୀବନଯାକ ଦେଖିଆସୁଛି ।’’

 

‘‘ହୁଁ’’ –ଭୋଳାବାବୁ ବେକ ହଲେଇଲେ, ‘‘ଜୀବନଯାକ ଦେଖୁଛ, ନୁହେଁ ?’’

 

‘‘ହଁ ।’’

 

‘‘ହଉ, ଭାରି ଭଲ କଥା କରୁଛ । ଅଇଛା ଗୋଟାଏ କାମ କର, ସେଉଠୁ ଯିବ । ଚୁଲି ଫୁଙ୍କ ।’’

 

ବିଟ୍ଟୀବୋଉ ଠିଆହୋଇ ରହିଥାନ୍ତି । ଭୋଳାବାବୁ ଅନାଇଥାନ୍ତି ।

 

‘‘ଆରେ, ଯାଅ !’’ ଭୋଳାବାବୁ ଚିତ୍କାର କରି ଉଠିଲେ ।

 

ବିଟ୍ଟୀବୋଉ ଡରି ଡରି ଚାଲିଗଲେ ।

 

ଭୋଳାବାବୁ ଦେଖୁଥାନ୍ତି– ସୂର୍ଯ୍ୟ, ବଉଦ, ବଉଦମାନଙ୍କ ଉପରେ ଚହଟି ଯାଉଥିବା ରଙ୍ଗ, ରଙ୍ଗମାନଙ୍କ ସେପାଖେ ଟଣାହୋଇଥିବା ଗାରଗୁଡ଼ିକ, ପାହାଡ଼ମାନଙ୍କ ଆଗପଟରେ ଧୂଆଁଳିଆ ବିସ୍ତୃତି ଏବଂ ତା’ ଉପରେ–ପାହାଡ଼ ଶିଖ ଉପରେ କ୍ଷୀଣରୁ କ୍ଷୀଣତର ହେଉଥିବା ମେଞ୍ଚାଏ ନାଲି କୁହୁଡ଼ି ।

 

ସେ ଜୀବନଯାକ ଡାକ-ତାର ବିଭାଗର ତାରବାବୁ ଥିଲେ । ସେ ଭାବିଲେ, –ସେହି ପାହାଡ଼ମାନଙ୍କ ଜିଲାରେ ହିଁ ଥିଲେ । ସେ କୌଣସି ଗାଁକୁ ଭୁଲି ନଥିଲେ, ସହରକୁ ଭୁଲି ନଥିଲେ; କିନ୍ତୁ ଏଇ ସୂର୍ଯ୍ୟ ? ଏପର୍ଯ୍ୟନ୍ତ ଥିଲା କେଉଁଠି ? ଏ ଉପରଓଳି ବି ପ୍ରକୃତରେ ସେ କେଉଁଠି ଥିଲା ? ...ଆଜି ସେ କ’ଣ ଦେଖୁଛନ୍ତି ?

 

ତାଙ୍କ ପଛଆଡ଼ୁ ଗୋଟିଏ ଛୁଆର କୁହାଟ ତାଙ୍କୁ ଶୁଭିଲା ।

 

‘‘କିଏ ? ନୀଲୁ ?’’

 

ନୀଲୁ ଧାଇଁଧାଇଁ ଆସିଲା ।

 

‘‘ଆଉମାନେ କାହାନ୍ତି ?’’

 

‘‘ଖେଳୁଛନ୍ତି ।’’

 

‘‘କୋଉଠି ?’’

 

ଘର ପଛଆଡ଼ ପଡ଼ିଆ ଆଡ଼କୁ ନୀଲୁ ହାତ ଦେଖାଇଲା ।

 

‘‘ହଉ ଯା । ଦଉଡ଼ି ଯା । ସମସ୍ତିଙ୍କୁ ଡାକିଆଣ ।’’

 

ନୀଲୁ ଦଉଡ଼ିଗଲା ।

 

ଭୋଳାବାବୁ ସୂର୍ଯ୍ୟକୁ ଦେଖୁଥାନ୍ତି, କେତେବେଳେ ଏ ପାଖରୁ, କେତେବେଳେ ସେ ପାଖରୁ; କେତେବେଳେ ଅଗ-ଗୋଡ଼ରେ ଠିଆହୋଇ ଉହୁଙ୍କି ପଡ଼ି, କେତେବେଳେ ନଇଁପଡ଼ି । ସେ ଖୁସିହୋଇ ତାଳି ମାରିଲେ । ତାଙ୍କୁ ଲାଗିଲା ପିଣ୍ଡୁଳାର ଉପର ମୁଣ୍ଡ, ଯାହାର ଗୋଟିଏ ଧଡ଼ିରେ କଳା ବଉଦର ପାତଳ ଗାରଟିଏ ଅଛି,–ସେ ମୁଣ୍ଡ ବୁଡ଼ିଯାଉଛି । ସୂର୍ଯ୍ୟର କିରଣ ଏବେ ଏଣେ ଆଉ ନାହିଁ, ପଡ଼ିଆରେ ନାହିଁ କି ଶାଗୁଆ କ୍ଷେତମାନଙ୍କରେ ନାହିଁ, କି ବୁଦାମାନଙ୍କ ଉପରେ ନାହିଁ । କିରଣଗୁଡ଼ିକ ଏଥର ବଉଦମାନଙ୍କ ପିଠିଆଡ଼େ ଉପରକୁ ଆକାଶ ଆଡ଼କୁ ଚାଲିଛି, ପ୍ରକାଶର କେତୋଟି ଧାରାରେ, କେତୋଟି ରଙ୍ଗରେ ।

 

‘‘ନୀଲୁ’’ –ସେ ପଛଆଡ଼କୁ ବୁଲିପଡ଼ି ପାଟିକଲେ ।

 

କେହି ଦିଶିଲା ନାହିଁ ।

 

‘‘ସବୁଗୁଡ଼ାକ କୁଆଡ଼େ ଲୁଚିଗଲ ରେ ?’’-ସେ ବିଡ଼ିବିଡ଼ି ହେଲେ ।

 

‘‘ଆରେ ହୋ, କିଏସେ ଯାଉଚ ?’’

 

ଆଗପଟେ ସଡ଼କରେ ଗୋଟାଏ ଓଟ ଯାଉଥାଏ । ତା’ ପିଠିରେ ମଇଳା କାମିଜ ପିନ୍ଧି ଜଣେ ଲୋକ ବସିଥାଏ । ସେ ନିଶ୍ଚିନ୍ତ ହୋଇ ବିଡ଼ି ଟାଣୁଥାଏ ।

 

‘‘ଆରେ, ମୁଁ ତମୁକୁ କହୁଚି ହୋ ।’’

 

ସେ ମୁଣ୍ଡ-ବୁଲେଇ ତାଙ୍କ ଆଡ଼କୁ ଅନାଇଲା ।

 

‘‘ଟିକିଏ ତାଳଗଛ ମଝିକି ଅନାଇଲ, ସେଠି କ’ଣ ଅଛି ?’’

 

ଓଟବାଲା ତେଣିକି ଅନାଇ ଅନାଇ ଆଗକୁ ଚାଲିଗଲା ।

 

‘‘ଶଳା’’ –ଭୋଳାବାବୁଙ୍କ ପାଟିରୁ ବାହାରିଗଲା ।

 

ସୂର୍ଯ୍ୟ ବୁଡ଼ିଗଲା । ସେ ସେଠୁ ଘୁଞ୍ଚିଆସିଲେ । ଆରାମ ଚୌକିରେ ତୁନି ହୋଇ ବସିପଡ଼ିଲେ । ତାଙ୍କ ମନ ଉଦାସ ହେବାକୁ ଲାଗିଲା ।

 

ଚାହା ଆସିଲା । ସାମ୍ନା ଟେବୁଲ ଉପରେ ଥୁଆହେଲା । ସେ ଆଖି ଖୋଲିଲେ । ସାମ୍ନାରେ ବିଟ୍ଟୀବୋଉ ।

 

‘‘ଟିକିଏ ମୋ ଲୁଗାଟା ବାଡ଼ିଟା ଆଣିଦେଲ ।’’

 

‘‘କାହିଁକି ? କୁଆଡ଼େ ଯିବ କି ?’’

 

ଭୋଳାବାବୁ କିଛି କହିଲେ ନାହିଁ, ଲୁଗା ଆଉ ବାଡ଼ି ଅଣାହେଲା । ଲୁଗା ପିନ୍ଧିଲେ, ବାଡ଼ି ଧରିଲେ, ଚାଲିଲେ ।

 

ଏଇଟା ଏମିତିକା କଥା ନୁହେଁ ଯେ ତାକୁ ସେମିତି ସେମିତି ଛାଡ଼ିଦିଆଯିବ ।–ସେ ଭାବିଲେ,–ସେ ଆଜି ଯିବେ ଆଉ କହିବେ । ସମସ୍ତିଙ୍କୁ କହିବେ । କିନ୍ତୁ ସବା ଆଗରୁ ମାଧବ ଘରକୁ ଯିବେ, ସେ ଯେଉଁ ମାଧବ ମୁକ୍ତିଆର ଅଛି, ସବୁ ବୁଝେ । ପୁଣି ତାକୁ ସଙ୍ଗରେ ଘେନି ଆଉ କେଉଁ ଜାଗାକୁ ।

 

ଭୋଳାବାବୁ ଚଲାବାଟ ପାଖଦେଇ ବୁଲିପଡ଼ୁଥିଲେ । ସାମ୍ନାରେ ଦେଖିଲେ ମଞ୍ଜିଗୋଦାମ । କୁଆଡ଼ୁ ଜିଲାଦାର ସାହେବ ବି ଆସିଗଲେଣି । ଆମ ଲୋକମାନେ ବି ଅଛନ୍ତି । ସେମାନେ ଭିତରକୁ ଗଲେ ।

 

‘‘ଆସନ୍ତୁ ଆସନ୍ତୁ ତାରବାବୁ, ବସନ୍ତୁ ।’’–ଜିଲାଦାରବାବୁ କହିଲେ । ଭୋଳାବାବୁ ଗୋଟାଏ ଚୌକି ଓଟାରିନେଇ ବସିପଡ଼ିଲେ । ସେମାନଙ୍କୁ ପ୍ରବୀଣ ଆଖି ବୁଲେଇ ଦେଖିନେଲେ, କେତେ ମୁହଁ ନୂଆ । ସେ ଆସିବାରୁ କଥାବାର୍ତ୍ତାରେ ଟିକିଏ ବାଧା ପଡ଼ିଲା ।

 

‘‘କହନ୍ତୁ, କ’ଣ କେଉଁଥିପାଇଁ ବ୍ୟସ୍ତ ହେଉଛନ୍ତି କି ?’’

 

‘‘ବ୍ୟସ୍ତ କ’ଣ ? ତେବେ ବ୍ୟସ୍ତ ହେଉଛି ସତ ।’’ ଭୋଳାବାବୁ ହସିବାକୁ ଚେଷ୍ଟା କଲେ ।

 

ପୁଣି କଥା ପଡ଼ିଲା । ଜିଲାଦାରବାବୁ କହିଲେ ଯେ ଏ ବର୍ଷ ନାଳ ଆନିକଟରେ ବହୁତ ମାଛ ଆସିଛନ୍ତି ।

 

‘‘ଜିଲଦାରବାବୁ, ଆପଣଙ୍କର ଯଦି ମାଛରେ ସଉକ ଅଛି ତେବେ ଗୋଟିଏ କାମ କରନ୍ତୁ’’–ଜଣେ ଲୋକ କହିଲା ।

 

‘‘କ’ଣ ?’’

 

‘‘ଯେଉଁଠି ପାଣି ଡେଇଁ ଡେଇଁ ପଡ଼ୁଛି, ରାତିରେ ଆପଣ ସେଇଠି ଜାଲ ଲଗାଇ ଦିଅନ୍ତୁ-।’’

 

‘‘ହଁ ଆଜ୍ଞା, ମାଛମାନେ ରାତି ହେଲେ ଚଢ଼ନ୍ତି ।’’ –ଆଉ ଜଣେ କହିଲା ।

 

ଭୋଳାବାବୁଙ୍କ ଲାଗି ୟେ ଭଲ ସୁଯୋଗ ମିଳିଲା । ସେ ଟିକିଏ ଆଗକୁ ଚମକି ଯାଇ କହିଲେ, ‘‘ତେବେ ଜାଲକୁ ବେଳବୁଡ଼େ ଲଗାଇଦେଲେ ତ ହେବ ?’’

 

‘‘ହଁ, ସେପରି ବି କରିପାରନ୍ତି ।’’–ଜିଲଦାର କହିଲେ ।

 

‘‘ଆଉ ବେଳବୁଡ଼ କାହା ନା କି ?’’ ଭୋଳାବାବୁ କହିଲେ, ‘‘ଅଇଛା ତ ସୂର୍ଯ୍ୟ ବୁଡ଼ିଯାଉଛି ।’’

 

‘‘ଆରେ ବାବୁ, ବେଳବୁଡ଼ ଫେଳବୁଡ଼ କିଛି କାମର ନୁହଁ ।’’ ଆରଜଣକ କହିଲା, ‘‘ମାଛମାନେ ଚଢ଼ିବା ବେଳ ରାତି ଅଧ ଆଉ ପାହାନ୍ତା ।’’

 

‘‘କିନ୍ତୁ ପାହାନ୍ତିଆ ବେଳ ସବୁଠୁଁ ଭଲ ବେଳ ।’’

 

ଭୋଳାବାବୁ ପୁଣି ଚୌକି ପିଠିକି ଆଉଜି ବସିଲେ । କଥାଟା ହାତକୁ ଆସି ଖସିଗଲା । ତାଙ୍କ ମନରେ ଦୁଃଖ ହେଲା । ସେ ତୁନି ହୋଇଗଲେ । ଭାବିଲେ, ଏତେ ଲୋକଙ୍କ ଆଗରେ କହିବା ଠିକ୍‍ ହେବ ନାହିଁ, ଏକୁଟିଆ ଥିଲେ ସିନା କହନ୍ତେ । ସେ ଧୈର୍ଯ୍ୟ ଧରି ଅପେକ୍ଷା କରିଥାନ୍ତି । କିନ୍ତୁ କେହି ସେଠୁ ଚଂକିବା ନାଁ ବି ଧରିଲେ ନାହିଁ ।

 

‘‘ଜିଲାଦାରବାବୁ’’–ଭୋଳାବାବୁ ଛଟପଟ ହୋଇ କହିଲେ । ଜିଲାଦାରବାବୁ ମୁହଁ ବୁଲାଇଲେ ।

 

‘‘ଆପଣଙ୍କ ସଙ୍ଗରେ ଗୋଟାଏ ଜରୁରୀ କଥା ଅଛି ।’’

 

‘‘ମୋ ସଙ୍ଗରେ ?’’ –ଜିଲାଦାରବାବୁ ଗମ୍ଭୀର ହୋଇ କହିଲେ, ‘‘ହଉ ।’’ ଭୋଳାବାବୁ ଉଠିଲେ, ସେ ସଙ୍କେତ ଦେଲେ । ଜିଲଦାରବାବୁ ବି ଉଠିଲେ, ଭୋଳାବାବୁ ତାଙ୍କ ମାଲଗୋଦାମ ତଳକୁ ନେଇଗଲେ; ନିର୍ଜନ ସ୍ଥାନକୁ ।

 

‘‘ଜିଲାଦାରବାବୁ’’–ଭୋଳାବାବୁ କହିଲେ । ‘‘ଏବେ ଆପଣଙ୍କୁ କ’ଣ ଲୁଚେଇବି ? ଆଉ ଆପଣ ତ ନିଜେ ବୁଝିବା ଲୋକ ।’’

 

‘‘ଆରେ ତାରବାବୁ, ୟେ କି କଥା କହୁଛନ୍ତି !’’

 

ଭୋଳାବାବୁ କ୍ଷଣକ ପାଇଁ ଅଟକିଗଲେ । ପୁଣି କହିଲେ, ‘‘ଆପଣ ତ ପ୍ରତିଦିନ ବେଳବୁଡ଼େ ବୁଲିଯାଆନ୍ତି ।’’

 

‘‘ହଁ ।’’

 

‘‘ରାତିହେଲେ ଫେରନ୍ତି ।’’

 

‘‘ହଁ ।’’

 

‘‘ଆଜି ଆପଣ ସୂର୍ଯ୍ୟକୁ ଦେଖିଥିବେ ?’’

 

‘‘ହଁ ଦେଖିଛି ।’’

 

ଭୋଳାବାବୁ କେତେବେଳଯାକେ ଜିଲାଦାରଙ୍କ ଆଡ଼କୁ ଆଗ୍ରହରେ ଅନାଇ ରହିଲେ । ତାଙ୍କୁ ତୁନିତାନି ଥିବାର ଦେଖି କହିଲେ, ‘‘ଆଜିର ସୂର୍ଯ୍ୟ ଏଡ଼େ ନାଲି.....ଏଡ଼େ ସୁନ୍ଦର, ଆପଣଙ୍କୁ କ’ଣ ଆଉ କହିବି ! ସାରା ପୃଥିବୀ ନାଲିଆ ହୋଇଯାଇଥିଲା ଜିଲଦାରବାବୁ, ଆପଣ ଦେଖିନାହାନ୍ତି-?’’

 

‘‘ଏ ତ କିଛି ନୂଆ କଥା ନୁହେଁ । ସବୁଦିନେ ଏମିତି ହୁଏ । ଋତୁଟା ଏମିତିଆ କି ନା ।’’ ଜିଲଦାର କହିଲେ ।

 

‘‘ନାହିଁ ଆଜ୍ଞା, ସବୁଦିନେ କାହୁଁ ହେବ ?’’ ଭୋଳବାବୁ ବିସ୍ମିତ ହେଲେ ।

 

ଜିଲାଦାରବାବୁ ଅସାବଧାନ ହୋଇ କହିଲେ, ‘‘ଛାଡ଼ନ୍ତୁ, କଥା କ’ଣ ? ସେଇଟା କହନ୍ତୁ,

 

ଭୋଳାବାବୁ ତୁନି ହେଲେ । ତାଙ୍କ ଉତ୍ସାହରେ ଧକ୍‍କା ଲାଗିଲା । ସେ ମୁଣ୍ଡ ନୁଆଇଁନେଲେ ଆଉ ଚାଲିଲେ ।

 

‘‘ଆଚ୍ଛା, କଥାଟା କ’ଣ ?’’–ଜିଲାଦାର ପଚାରିଲେ । ଭୋଳାବାବୁ ଆସ୍ତେ ଆସ୍ତେ କହିଲେ, ‘‘ଆଉ ଆପଣଙ୍କୁ କ’ଣ କହିବି ଆଜ୍ଞା ?’’ ସେ ସିଧା ବଜାରକୁ ଗଲେ । ବଜାରର ସେହି ଅଂଶ ଖୋଲାଥାଏ, ସଡ଼କରେ ଆଲୁଅଥାଏ । ଲୋକ ଥାନ୍ତି, ଚିହ୍ନା, ଅଚିହ୍ନା, କିନ୍ତୁ ଭୋଳାବାବୁ ନିଜ ବାଟରେ ଚାଲିଯାଉଥାନ୍ତି । ସେ ସୂର୍ଯ୍ୟ ବିଷୟରେ କାହାରିକୁ କହିଲେ ନାହିଁ; ଯଦିଚ ବହୁତ ଲୋକଙ୍କୁ କହିବାର ଥିଲା । ତାଙ୍କ ମନରେ ଦୁଃଖ ଥାଏ । ଦୁଃଖ ଏଇଥିପାଇଁ ଯେ ସେ ଜିଲାଦାର ପାଖକୁ ବୃଥାଟାରେ ଗଲେ । ଜିଲାଦାରଙ୍କୁ ଲୋକେ ବହୁତ ଯୋଗ୍ୟ ଲୋକ ଆଉ ବୁଦ୍ଧିମାନ ଲୋକ ବୋଲି କହନ୍ତି । ସେ ବି ସେଇଆ ମାନିନେଇଥିଲେ; କିନ୍ତୁ ଆଜି ତାଙ୍କ ଡଂଫାମି ଜଣାପଡ଼ିଲା । ସେ ନିଜେ ସୂର୍ଯ୍ୟ ନ ଦେଖିଥିଲେ ହେଲେ ଗୋଟାଏ କଥା ଥିଲା; କିନ୍ତୁ ସେ ତ ଦେଖିଛନ୍ତି ଆଉ ସୁବିଧାରେ ଦେଖିଛନ୍ତି ।

 

ପୁଣି ଭୋଳାବାବୁ ଏ ବିଷୟରେ ନୂଆ ଭାବରେ ଭାବିବାକୁ ବାଧ୍ୟ ହୋଇଥିଲେ । ଆଉ ଭାବିଲେ ବି–ୟେ ସେଭଳି କଥା ନୁହେଁ ଯାହାକୁ ସମସ୍ତେ ବୁଝିପାରିବେ ।’’ ଏଇଆ ବିଚାରି ସେ ଆହୁରି ପୀଡ଼ିତ ହେଲେ । କିନ୍ତୁ ସେ ଧୀରେ ଧୀରେ ଏଇ କଥା ଭାବି ସନ୍ତୁଷ୍ଟ ହେଲେ ଯେ ଜିଲାଦାରବାବୁ ବହୁତ ଲେଖାପଢ଼ା ମଣିଷ ହେଲେ ସୁଦ୍ଧା–ପାଠପଢ଼ାରେ କ’ଣ ଥାଏ ? ପ୍ରକୃତରେ ଦେଖିଲେ ତ ପଢ଼ିବା ଆଉ ବୁଝିବା ଦି’ଟା ଭିନ୍ନେ କଥା...ଆଉ ଆମ ଏଭଳି ବିଷୟକୁ ବୁଝିବା ସକାଶେ ବୟସ ଆଉ ସ୍ୱାସ୍ଥ୍ୟ ଦରକାର ।

 

ଭୋଳାବାବୁ ମାଧବ ଘର ପାଖ ଗଳିରେ ବୁଲିପଡ଼ି ପଶୁଥାନ୍ତି, ଦେଖିଲେ ଜଣେ ଲୋକ-। ହାତରେ ବାଲ୍‍ଟିଟାଏ ଧରି ଆରଗଳିରେ ମାଧବ ବାହାରି ଯାଉଛି । ସେଠି ଟିକିଏ ଅନ୍ଧାରୁଆ ହୋଇଥାଏ । ଡାକିଲେ, ‘‘ମାଧବ !’’

 

‘‘ଆଜ୍ଞା, ମୁଁ ମୋହନ ।’’

 

‘‘ହଉ ହେଲା’’–ସେ ମୋହନକୁ ଡାକିଲେ ।

 

‘‘ମୁକ୍ତ୍ୟାରବାବୁ ତ ଦିପହର ବେଳଠୁଁ ପଦାରେ’’, ମୋହନ କହିଲା ।

 

‘‘କୁଆଡେ ଗଲେ ?’’

 

‘‘କେଉଁ ଗାଁକୁ; କ’ଣ କାମ ଦେଖି ।’’

 

‘‘ହଉ, ଦି’ପହରବେଳୁ ନାହାନ୍ତି ?’’

 

‘‘ହଁ ।’’

 

ତେବେ ସେ ସୂର୍ଯ୍ୟକୁ କେଉଁ ଜାଗାରୁ ଦେଖିଥିବେ–ଭୋଳାବାବୁ ଭାବିଲେ, ଆଉ ସେ ସ୍ନେହରେ ମୋହନର ବୟସ ଓ ଅଭିଜ୍ଞତାକୁ ନିଘା ଦେଇ ଦେଖିଲେ ।

 

‘‘ତୁମେ ଉପରଓଳି କ’ଣ କର ?’’–ସେ ପଚାରିଲେ ।

 

‘‘ଛଣ ଆଣି ଯାଏ, ପିଡ଼ିଆ ଗୁଣ୍ଡା କରେ, ଗୋରୁଙ୍କ ଖାଦ୍ୟ ଗୋଳେ, ଦୁଧ ଦୁହେଁ ।’’

 

‘‘ସୂର୍ଯ୍ୟକୁ ଦେଖ କି ନାହିଁ ।’’

 

‘‘ସୂର୍ଯ୍ୟ ?’’ ମୋହନ କାବା ହୋଇ ପଚାରିଲା ।

 

‘‘ତୁମେ ଆଜି ସୂର୍ଯ୍ୟକୁ ଦେଖିନା ?’’

 

‘‘କୋଉ ସୂର୍ଯ୍ୟ ? ସୂର୍ଯ୍ୟ...ତେଲି ?’’

 

‘‘ନାଇଁ ଘଣା । ଓଲୁ କାହିଁକା ।’’ ଭୋଳାବାବୁ ରାଗିଗଲେ ।

 

ମୋହନ ହସିଲା, କହିଲା, ‘‘ବାବୁ ମୁଁ ମୂରୁଖ ଲୋକ । କାହୁଁ ଜାଣିବି କାହା କଥା ପଚାରୁଛନ୍ତି ?’’

 

‘‘ମୁଁ ଆକାଶର ସୂର୍ଯ୍ୟ କଥା କହୁଥିଲି ।’’

 

‘‘ହଁ ବାବୁ, ଦେଖିଥିଲି ।’’

 

‘‘ତମୁକୁ ବିଶେଷ କିଛି ଜଣାପଡ଼ିଲା ?’’

 

‘‘ବୁଝିପାରୁନାହିଁ ।’’ –ମୋହନ ଦୀନତା ପ୍ରକାଶ କଲା ।

 

‘‘କିଛି ଗୋଲ ଗୋଲ, କିଛି ନାଲି ନାଲି…’’ ଭୋଳାବାବୁ ମୋହନକୁ ସାହାଯ୍ୟ କଲେ ।

 

‘‘ସେଉଠୁ ?’’

 

‘‘ସେଉଠୁ ତୋ ମୁଣ୍ଡ, ଆହୁରି କିଛି ଦିନ ମଇଁଷି ଚରା ।’’ –ସେ ରାଗିଯାଇ କହିଲେ ।

 

ସେ ଲେଉଟି ଚାଲିଲେ । ଏଥର ଭୋଳାବାବୁଙ୍କର ଶେଷ ଆଶା ବି ପାଣି ଫାଟିଗଲା । ସେ ବିରକ୍ତ ହୋଇ ଭାବିଲେ, ‘‘ଲୋକେ ସତରେ କ’ଣ ହୋଇଯାଉଛନ୍ତି !’’

 

ଘରକୁ ଫେରି ସେ କବାଟ ଖୋଲିଲେ । ଭିତରକୁ ଗଲେ । ବାଡ଼ି ଥୋଇଦେଲେ, ଆଉ ବିଛଣା ଉପରେ ପଡ଼ିଗଲେ । ‘‘ହାୟରେ ! ଦୁନିଆଁଟା କେଡ଼େ ବଦଳିଗଲା !’’ ସେ ବାରମ୍ୱାର ଭାବିଲେ । ଭାବୁଥାନ୍ତି–କାଲି ବେଳବୁଡ଼ ହେବ । ଏସମସ୍ତିଙ୍କୁ ଡାକିବି । ସୂର୍ଯ୍ୟ ଦେଖାଇବି । ଆଉ ବୁଝାଇବି ଯେ–ଦେଖ, ଦୁନିଆଁରେ ଚୁଲି, ଯୋଜନା, କଚିରି, ଓଟ ଆଉ ଦୁଧ ଏତିକି ସବୁଯାକ ନୁହେଁ, ସୂର୍ଯ୍ୟ ବି ଅଛି । ପାହାଡ଼ ଉପରକୁ ସେ ଉଠେ । ତାଳଗଛମାନଙ୍କ ସନ୍ଧିକୁ ସେ ଯାଏ; ପୁଣି ଥରୁଥାଏ । ଆଉ ସେ ବେଳ ବି ଆସେ ଯେତେବେଳେ ସେ ପାହାଡ଼ମାନଙ୍କ ପଛଆଡ଼କୁ ଚାଲିଯାଏ, ଆଉ ବୁଡ଼ିବା ଆଗରୁ ତୁମର ଚନ୍ଦା ମୁଣ୍ଡ ଉପରେ ଗୋଟିଏ କଅଁଳ କିରଣ ଛାଡ଼ିଦେଇଯାଏ ।

 

ହଠାତ୍‍ ତାଙ୍କର ମନେପଡ଼ିଗଲା । ସେ ନିଜ ହାତକୁ ମୁଣ୍ଡ ଉପରକୁ ନେଲେ । ଚନ୍ଦା ଅରାକ । ସେ ଅଞ୍ଚଳ ବିଲ୍‍କୁଲ୍‍ ଥଣ୍ଡା ଲାଗୁଥାଏ । ତାଙ୍କ ମନରେ ଦୁଃଖ ହେଲା–କିନ୍ତୁ କାଲି ବି ଏ କଥା ବୁଝିପାରିବେ ଏମିତି କେତେ ଲୋକ ଅଛନ୍ତି ? ସେ ବ୍ୟସ୍ତ ହୋଇପଡ଼ିଲେ ।

 

କିଏ ଜଣେ ଭିତରକୁ ପଶିଲା ପରି ଶବ୍ଦ ହେଲା । ଦେଖିଲେ, ଟେବୁଲ ଉପରେ ଭୋଜନ ଥାଳି ଥୁଆହୋଇଛି ଓ ଖଟର ଗୋଟାଏ ମୁଣ୍ଡରେ ବିଟ୍ଟୀବୋଉ ବସିପଡ଼ିଛନ୍ତି ।

 

‘‘ବେଳବୁଡ଼େ କୁଆଡ଼େ ଚାଲିଗଲ ?’’

 

‘‘କୁଆଡ଼େ ନାହିଁ’’ –ଭୋଳାବାବୁ ଅନ୍ୟମନସ୍କ ଥିଲା ପରି ଜବାବ ଦେଲେ ।

 

‘‘ଦେହ ଭଲ ଅଛି ତ ?’’

 

ଭୋଳାବାବୁ ଉତ୍ତର ଦେଲେ ନାହିଁ ।

 

ବିଟ୍ଟୀର ବୋଉ ଚାଦର ଭିତରେ ତାଙ୍କ ପାଦକୁ ଛୁଇଁଲେ । ‘‘ଭଲ ଅଛି ଟି ?’’ ସେ କେତେ ବେଳ ଯାକେ ତୁନିରହିଲେ । ସେତେବେଳକୁ ବିଟ୍ଟୀ, ନୀଲୁ ଓ ଅନ୍ୟ ପିଲାଏ ବି ଆସିଯାଇଥିଲେ ।

 

‘‘ହଉ ଉଠ, ଖାଇନିଅ ।’’

 

‘‘ଆଜି ଖାଇବି ନାହିଁ ।’’

 

‘‘କାହିଁକି ?’’ –ବିଟ୍ଟୀବୋଉ ଚମକିପଡ଼ିଲେ ।

 

ଭୋଳାବାବୁ ବହୁତ ବେଳଯାକେ ନିରୁତ୍ତର ହୋଇ ପଡ଼ିରହିଲେ–ଉଦାସ ଆଉ ଚିନ୍ତିତ । ପୁଣି ସଂଯତ ସ୍ୱରରେ କହିଲେ, ‘‘ଦେଖ, କହୁଚ ୟେ ଭାରିଯା, ୟେ ପୁଅ, ୟେ ଝିଅ, ୟେ ଘର, ୟେ ବନ୍ଧୁ, ୟେ ସମ୍ପର୍କ; କିନ୍ତୁ ଏଇଟା ସତ କଥା ଯେ କେହି କାହାରି ନୁହେଁ ।’’

 

‘‘ତୁମେ କାହିଁକି ଏମିତି କହୁଚ ?’’–ବିଟ୍ଟୀବୋଉଙ୍କ ଆଖିରୁ ଲୁହ ବୋହିଲା ।

 

‘‘ଯଦି କେହି ମୋ ଦୁଃଖ ବୁଝିପାରିଲେ ନାହିଁ ତେବେ କିଏ ମୋର ଭାରିଯା ଆଉ କିଏ ମୋର ପୁଅ ?’’

 

ବିଟ୍ଟୀବୋଉ କାନ୍ଦିଲେ ।

 

‘‘ମୋର କେହି ନାହିଁ ।’’ ଭୋଳାବାବୁଙ୍କ ସ୍ୱର ବି ଭାରିହୋଇଗଲା ।’’

 

‘‘ନାଇଁ ନାଇଁ, ତୁମେ ଏଗୁଡ଼ା କ’ଣ କହୁଚ ? ତମର କ’ଣ ହେଇଚି ?’’ ବିଟ୍ଟୀବୋଉ କାନ୍ଦିଲେ । ତାଙ୍କୁ ଦେଖି ପିଲାଏ ବି କାନ୍ଦିଲେ ।

 

‘‘କିନ୍ତୁ ଏଥିରେ କାନ୍ଦିବାର କାରଣ କ’ଣ ? ତୁମେ ସମସ୍ତେ ଯାଅ, ଖାଅ ପିଅ, ମୁଁ ଖାଇବି ନାହିଁ ।’’ ଭୋଳାବାବୁ ଓଦା ସ୍ୱରରେ କହିଲେ, ଆଉ ଆର କର ମାଡ଼ି ଶୋଇରହିଲେ । ବିଟ୍ଟୀବୋଉ ପିଲାଙ୍କ ମୁହଁକୁ ଅନାଇଲେ ଆଉ ବଡ଼ପାଟିରେ କାନ୍ଦିଲେ । ପିଲାଏ ବି ପାଟିକରି କାନ୍ଦିଲେ । ଭୋଳାବାବୁ ବି ତକିଆରେ ମୁହଁ ମାଡ଼ି କାନ୍ଦିଲେ । ସେଉଠୁ ସେ କହୁଣି ଭରାଦେଇ ଉଠିଲେ ।

 

‘‘ବିଟ୍ଟୀବୋଉ ? କଥା କ’ଣ ? ଏ ସବୁ କାହିଁକି ?’’ ସେ ବିଟ୍ଟୀବୋଉକୁ ପାଟିକଲେ ।

 

ବିଟ୍ଟୀବୋଉ ଆହୁରି ଜୋରରେ କାନ୍ଦିଲେ । ଭୋଳାବାବୁ ଅନାଇଥାନ୍ତି; ଆଉ ହଠାତ୍‍ ବଡ଼ପାଟିରେ କାନ୍ଦିଲେ ।

 

କାନ୍ଦିବା ଲୋକଙ୍କ ପାଟି ଭିତରେ ଭୋଳାବାବୁଙ୍କ ପାଟି ସବୁଠୁ ଦୁଃଖୀ ଓ ସବୁଠୁ ବଡ଼ ଶୁଭୁଥାଏ ।

Image

 

ଲେଖକ ପରିଚୟ

 

ଚନ୍ଦ୍ରଧର ଶର୍ମା ଗୁଲେରୀ :

 

(୧୮୮୩-୧୯୨୦), ଜନ୍ମସ୍ଥାନ ଗୁଲେର (ପଞ୍ଜାବ) । ପ୍ରଥମେ ମେୟୋ କଲେଜ, ଆଜମୀରରେ ଶିକ୍ଷକ, ତାପରେ କାଶୀ ହିନ୍ଦୁ ବିଶ୍ୱାବିଦ୍ୟାଳୟର ସଂସ୍କୃତ ମହାବିଦ୍ୟାଳୟର ପ୍ରିନ୍‍ସିପାଲ୍‍ । ପୁରାତତ୍ତ୍ୱବିତ୍‍ ଓ ଭାଷାବିତ୍‍ । ହିନ୍ଦୀରେ ‘କଛୁଓ୍ୱା ଧର୍ମ’ ଓ ‘ମାରେସି ମୋହ କୁଠାଉ’ ଭଳି କିଛି ଲଳିତ ନିବନ୍ଧ ଓ ତିନୋଟି ଗଳ୍ପ ଲେଖିଛନ୍ତି । ‘ଉସନେ କହାଥା’ ୧୯୧୫ରେ ‘ସରସ୍ୱତୀ’ରେ ପ୍ରକାଶିତ ହୋଇଥିଲା ।

 

ପ୍ରେମଚନ୍ଦ୍ର :

 

(୧୮୮୦-୧୯୩୬) ଜନ୍ମସ୍ଥାନ ଲମହୀ, ବନାରସ (ଉ:ପ୍ର:) । ପ୍ରଥମେ ଉର୍ଦ୍ଦୁରେ ଲେଖା ଆରମ୍ଭ କଲେ, ପରେ ହିନ୍ଦୀରେ । ସାପ୍ତାହିକ ‘ଜାଗରଣ’ ଓ ମାସିକ ‘ହଂସ’ର ସମ୍ପାଦନା କଲେ । ପ୍ରାୟ ୧୮ ଖଣ୍ଡ ଉପନ୍ୟାସ ଓ ୧୭୫ଟି ଗଳ୍ପର ଲେଖକ । ପ୍ରଧାନ ଉପନ୍ୟାସ : ‘ସେବାସଦନ’, ‘ପ୍ରେମାଶ୍ରମ’, ‘ରଙ୍ଗଭୂମି’, ‘କର୍ମଭୂମି’, ‘ଗବନ’ ଓ ‘ଗୋଦାନ’ । ‘ମାନସରୋବର’ ଶିରୋନମାରେ ଆଠଟି ଗ୍ରନ୍ଥରେ ତାଙ୍କର ଅଧିକାଂଶ ଗଳ୍ପ ପ୍ରକାଶିତ । ‘କଫନ୍‍’ର ପ୍ରକାଶନ ବର୍ଷ ୧୯୩୬ ମସିହା ।

 

ଜୟଶଙ୍କର ପ୍ରସାଦ :

 

(୧୮୮୯) ଜନ୍ମସ୍ଥାନ ବନାରସ (ଉ:ପ୍ର:) । ମୁଖ୍ୟତଃ କବି ଓ ନାଟ୍ୟକାର । ଉପନ୍ୟାସ ଓ ଗଳ୍ପ ବି ଲେଖିଛନ୍ତି । ପ୍ରସିଦ୍ଧ କାବ୍ୟ-ଗ୍ରନ୍ଥ ‘କାମାୟନୀ’ । ପ୍ରଧାନ ନାଟକ : ‘ସ୍କନ୍ଦଗୁପ୍ତ’ ଓ ‘ଚନ୍ଦ୍ରଗୁପ୍ତ’ । ପ୍ରଧାନ ଉପନ୍ୟାସ : ‘ତିତ୍‍ଲୀ’ ଓ ‘କଙ୍କାଳ’ । ଗଳ୍ପ-ସଂଗ୍ରହ : ‘ଛାୟା’, ‘ପ୍ରତିଧ୍ୱନି’, ‘ଇନ୍ଦ୍ରଜାଲ’, ‘ଅଂଧୀ’ ଓ ‘ଆକାଶଦୀପ’ ।

 

ଜୈନେନ୍ଦ୍ର କୁମାର :

 

ଜନ୍ମ ୧୯୦୫, କୋଡ଼ିଆଗଞ୍ଜ, ଜିଲ୍ଲା ଆଲିଗଡ଼ (ଉ:ପ୍ରା:) । ସ୍ଥାୟୀ ନିବାସ ଦିଲ୍ଲୀ । ଉପନ୍ୟାସକାର, ଗଳ୍ପଲେଖକ ଓ ଭାବୁକ । ପ୍ରଧାନ ଉପନ୍ୟାସ : ‘ପରସ ସୁନୀତା’, ‘ତ୍ୟାଗପତ୍ର’ ଓ ‘ଜୟବର୍ଦ୍ଧନ’ । ଅଧିକାଂଶ ଗଳ୍ପ ‘ଜୈନେନ୍ଦ୍ରକୀ କହାନିୟାଁ ନାମକ ଗ୍ରନ୍ଥମାଳାର ୧୦ ଖଣ୍ଡରେ ପ୍ରକାଶିତ ।

 

ଯଶ୍‍ପାଲ୍‍ :

 

ଜନ୍ମ ୧୯୦୩, ଫିରୋଜ୍‍ପୁର ଛାଓ୍ୱନୀ (ପଞ୍ଜାବ) । ପୂର୍ବଜମାନେ କାଙ୍ଗଡ଼ାର ଅଧିବାସୀ-। ସ୍ଥାୟୀ ନିବାସ ଲକ୍ଷ୍ନୌ । ବହୁତଦିନ ପର୍ଯ୍ୟନ୍ତ ବିପ୍ଳବୀ ସଙ୍ଗଠନରେ କାର୍ଯ୍ୟ କରି ଜେଲ ଭୋଗିଛନ୍ତି-। ୧୯୩୮ରେ ଲକ୍ଷ୍ନୌରେ ନିବାସ ଆରମ୍ଭ । ଉପନ୍ୟାସକାର, ଗଳ୍ପଲେଖନ ଓ ବିଚାରକ । ପ୍ରଧାନ ଉପନ୍ୟାସ : ‘ଦାଦା କମ୍‍ ରେଡ଼୍‍’, ‘ପାର୍ଟି କମ୍‍ ରେଡ଼୍‍’, ‘ଦେଶଦ୍ରୋହୀ’, ‘ମୁନଷ୍ୟ କେ ରୂପ’, ‘ଦିବ୍ୟା’ ଓ ‘ଝୁଠା ସଚ୍‍’ । ମୁଖ୍ୟ ଗଳ୍ପ-ସଂଗ୍ରହ : ‘ପିଞ୍ଜରେ କି ଉଡାନ୍‍’, ‘ଜ୍ଞାନ ଦାନ୍‍’, ‘ଓ୍ୱ ଦୁନିୟା’, ‘ଧର୍ମଯୁଦ୍ଧ’, ‘ଚିତ୍ର କା ଶୀର୍ଷକ’, ‘ତୁମନେ କ୍ୟୋଁ କହାଥା ମୈଁ ସୁନ୍ଦର ହୁଁ’ ଇତ୍ୟାଦି ।

 

ରାଂଗେୟ ରାଘବ :

 

(୧୯୨୩-୧୯୬୩) ଦାକ୍ଷିଣାତ୍ୟ । ମାତା କନ୍ନଡ଼ଭାଷୀ ଓ ପିତା ତାମିଲଭାଷୀ । ସାଧାରଣତଃ ଆଗ୍ରା ଓ ଭରତପୁରରେ ରହୁଥିଲେ । ମୁଖ୍ୟତଃ ଉପନ୍ୟାସକାର ଓ ସମାଲୋଚକ । କହିତା ବି ଲେଖିଛନ୍ତି । ପ୍ରଧାନ ଉପନ୍ୟାସ : ‘ଘରୋଦେ’, ‘ମୁର୍ଦ୍ଧୋ କା ଟୀଲା’, ‘ବିଷାଦମଠ’ ‘କବ୍‍ତକ୍‍ ପୁକାରୁଂ’ ଆଦି । ପ୍ରଧାନ ଗଳ୍ପ ସଂଗ୍ରହ : ‘ମେରୀ ପ୍ରିୟ କହାନିୟାଁ’ ।

 

ଫଣୀଶ୍ୱର ନାଥ ରେଣୁ :

 

ଜନ୍ମ ୧୯୨୧, ପୂର୍ଣ୍ଣିଆ (ବିହାର) । ଉପନ୍ୟାସକାର ଓ ଗଳ୍ପଲେଖକ । ପ୍ରଧାନ ଉପନ୍ୟାସ ‘ମୈଲା ଆଞ୍ଚଲ’, ‘ପରତୀ ପରିକଥା’, ‘ଦୀର୍ଘତପା’ ଆଦି । ଗଳ୍ପ ସଂଗ୍ରହ ‘ଠୁମ୍‍ରୀ’ ଓ ‘ଆଦିମ ରାତ୍ରି କୀ ଗନ୍ଧ’ ।

 

ନିର୍ମଳ ବର୍ମା :

 

ଜନ୍ମ ୧୯୨୯, ସିମ୍‍ଲା (ହିମାଚଳ ପ୍ରଦେଶ) । ସ୍ଥାୟୀ ନିବାସ ଦିଲ୍ଲୀ । ଗତ କେତେ ବର୍ଷ ହେଲା ୟୁରୋପ ପ୍ରବାସ । ମୁଖ୍ୟତଃ ଗଳ୍ପଲେଖକ । ‘ଓ୍ୱେ ଦିନ’ନାଁରେ ଗୋଟିଏ ଉପନ୍ୟାସ ବି ପ୍ରକାଶିତ । ଗଳ୍ପ ସଂଗ୍ରହ ‘ପରିଂଜେ’, ‘ଜଲ୍‍ଦୀ ଝାଡ଼ୀ’ ଓ ‘ପିଚ୍ଛଲୀ ଗର୍ମିୟୋଁ ମେଁ’ ।

 

ଅମରକାନ୍ତ :

 

ଜନ୍ମ ୧୯୨୪, ବଲିୟା (ଉ:ପ୍ର:) । ସ୍ଥାୟୀ ନିବାସ ଆଲାହାବାଦ୍‍ । ମୁଖ୍ୟତଃ ଗଳ୍ପଲେଖକ । ଉପନ୍ୟାସ ବି ଲେଖିଛନ୍ତି । ପ୍ରଧାନ ଗଳ୍ପ ସଂଗ୍ରହ ‘ଜିନ୍ଦଗୀ ଓ୍ୟୌର ଜୋଂକ୍‍’ ।

 

ଜ୍ଞାନରଞ୍ଜନ :

 

ଜନ୍ମ ୧୯୩୬, ଆଲାହାବାଦ୍‍ (ଉ:ପ୍ର:) । ମୁଖ୍ୟତଃ ଗଳ୍ପଲେଖକ । ପ୍ରକାଶିତ ଗଳ୍ପ ସଂଗ୍ରହ ‘ଫେନ୍‍ସ୍‍ କେ ଇଧର୍‍ ଔର୍‍ ଉଧର୍‍ ।’

 

କାଶୀନାଥ ସିଂହ :

 

ଜନ୍ମ ୧୯୩୭, ବନାରସ (ଉ:ପ୍ର:) । ମୁଖ୍ୟତଃ ଗଳ୍ପଲେଖକ । ପ୍ରକାଶିତ ଗଳ୍ପ ସଂଗ୍ରହ ‘ଲୋଗ୍‍ ବିସ୍ତରୋଁ ପର୍‍’ ।

 

ମୋହନ ରାକେଶ :

 

ଜନ୍ମ ୧୯୨୫, ଅମୃତସର (ପଞ୍ଜାବ୍‍) । ଡିସେମ୍ୱର ୩, ୧୯୭୨ରେ ତିରୋଧାନ । ନାଟ୍ୟକାର ଓ ଗଳ୍ପଲେଖକ । ନାଟକ : ‘ଆଷାଢ଼ କା ଏକ ଦିନ୍‍’ ‘ଲହରୋଂ କେ ରାଜହଂସ’ ଓ ‘ଆଧେ-ଅଧୂରେ’ । ଉପନ୍ୟାସ’ : ‘ଅନ୍ଧେରେ ବନ୍ଦ୍ କମରେ’ । ଗଳ୍ପ ସଂଗ୍ରହ : ‘ନୟେ ବାଦଲ’, ‘ଜାନ୍‍ଓ୍ୱର୍‍ ଔର୍‍ ଜାନ୍‍ଓ୍ୱର୍‍’, ‘ଏକ୍‍ ଔର୍‍ ଜିନ୍ଦ୍‍ଗୀ’ ଓ ‘ଫୌଲାଦ୍‍ କା ଆକାଶ’ ।

 

ରାଜେନ୍ଦ୍ର ଯାଦବ :

 

ଜନ୍ମ ୧୯୨୯, ଆଗ୍ରା (ଉ:ପ୍ର:) । ଏବେ ଦିଲ୍ଲୀରେ ନିବାସ । ଉପନ୍ୟାସକାର ଓ ଗଳ୍ପଲେଖକ । ଗୋଟିଏ କବିତା ସଂଗ୍ରହ ବି ପ୍ରକାଶିତ । ଉପନ୍ୟାସ : ‘ସାରା ଆକାଶ’, ‘ଉଖଡ଼େ ହୁଏ ଲୋଗ୍‍’, ‘ସାହ ଔର୍‍ ମାତ୍‍’, ‘କୁଲଟା’ ଓ ‘ମନ୍ତ୍ରସିଦ୍ଧା’ । ଗଳ୍ପସଂଗ୍ରହ : ‘ଖେଲ୍‍-ଖିଲୋନେ’, ‘ଜହାଂ ଲକ୍ଷ୍ମୀ କୈଦ୍‍ ହୈ’, ‘ଛୋଟେ ଛୋଟେ ତାଜ୍‍ମହଲ୍‍’, ‘କିନାରେ ସେ କିନାରେ ତକ୍‍’, ‘ପ୍ରତୀକ୍ଷା’, ‘ଟୁଟ୍‍ନା’ ଆଦି ।

 

କମଳେଶ୍ୱର :

 

ଜନ୍ମ ୧୯୩୨, ମୈନ୍‍ପୁରୀ । ଦିନାକେତେ ଆଲାହାବାଦ୍‍ ଓ ଦିଲ୍ଲୀରେ ଥିଲେ, ଏବେ ବମ୍ୱେରେ । ଗଳ୍ପଲେଖକ ଓ ଉପନ୍ୟାସକାର । ଗଳ୍ପ-ସଂଗ୍ରହ : ‘ରାଜା ନିର୍‍ ବଂସିୟା’, ‘କସ୍ୱେ କା ଆଦ୍‍ମୀ’, ‘ଖୋଇ ହୁଈ ଦିଶାଏଁ’ ଓ ‘ମାଂସ କା ଦରିୟା’ । ଉପନ୍ୟାସ : ‘ଏକ ସଡ଼କ ସତାବନ ଗଲିୟାଂ’, ଡାକ ବଂଗ୍‍ଲା’ ଓ ‘ତୀସରା ଆଦ୍‍ମୀ’ ।

 

ଶ୍ରୀକାନ୍ତ ବର୍ମା :

 

ଜନ୍ମ ୧୯୩୧, ବିଳାସପୁର (ମଧ୍ୟପ୍ରଦେଶ) । ଏବେ ଦିଲ୍ଲୀରେ ନିବାସ । ମୁଖ୍ୟତଃ କବି-। ଉପନ୍ୟାସ ଓ ଗଳ୍ପ ବି ଲେଖିଛନ୍ତି । କବିତା-ସଂଗ୍ରହ : ‘ମଟକା ମେଘ’, ‘ମାୟା ଦର୍ପଣ’ ଓ ‘ଦିନାରମ୍ଭ’ । ଉପନ୍ୟାସ : ‘ଦୁସରୀ ବାର’ । ଗଳ୍ପ ସଂଗ୍ରହ : ‘ଝାଡୀ ଔର୍‍ ସଂବାଦ’ ।

ନ୍ୟାସନାଲ୍‍ ବୁକ୍‍ ଟ୍ରଷ୍ଟ, ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦୦ରୁ ଅଧିକ ପୁସ୍ତକ ଇଂରାଜୀ ଓ ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶ କରିସାରିଲାଣି । ଟ୍ରଷ୍ଟର ବର୍ତ୍ତମାନ ପ୍ରକାଶନ କାର୍ଯ୍ୟକ୍ରମ ମଧ୍ୟରେ ନିମ୍ନଲିଖିତ ପୁସ୍ତକାମାଳା ଅନ୍ତର୍ଭୁକ୍ତ ।

୧. ଭାରତବର୍ଷ : ଦେଶ ଓ ଦେଶବାସୀ

 

ଆମର ସାଧାରଣ ଶିକ୍ଷିତ ବ୍ୟକ୍ତିମାନଙ୍କୁ ଦେଶର ଭୂଗୋଳ, କୃଷି, ଭାଷା, ସାହିତ୍ୟ, ସଂସ୍କୃତି ଓ ଜନ-ଜୀବନ ପ୍ରଭୃତି ବିଭିନ୍ନ ବିଷୟରେ ସମ୍ୟକ୍‍ ଧାରଣା ଦେବାହିଁ ଏହି ପୁସ୍ତକମାଳାର ଉଦ୍ଦେଶ୍ୟ । ସଂକ୍ଷେପରେ କହିବାକୁ ଗଲେ, ସରଳ-ସୁବୋଧ୍ୟ ଶୈଳୀରେ ଲିଖିତ ଏହି ପୁସ୍ତକମାଳା ଯେପରି ଏକ ବିଶ୍ୱକୋଷରେ ପରିଶତ ହେବ, ସେଥିଲାଗି ଆମେ ଆଶା ରଖୁଛୁ ।

 

୨. ଜାତୀୟ ଜୀବନଚରିତମାଳା

 

ଏହି ପୁସ୍ତକମାଳାର ପ୍ରାୟ ଏକ ଶତ ପୁସ୍ତକରେ ଭାରତର ମହାନ୍‍ ସ୍ତ୍ରୀ-ପୁରୁଷମାନଙ୍କର ସଂକ୍ଷିପ୍ତ ଜୀବନୀ ଦେବାର ପ୍ରଚେଷ୍ଟା କରାଯାଇଛି ।

 

୩. ଲୋକପ୍ରିୟ ବିଜ୍ଞାନମାଳା

 

ଆଧୁନିକ ବିଜ୍ଞାନର ବିକାଶ ଓ ପ୍ରଗତି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇ ତଥା ଆଜିର ଜୀବନରେ ବିଜ୍ଞାନର ଉପଯୋଗିତା ଓ ଗୁରୁତ୍ୱ ବିଷୟରେ ସମ୍ୟକ୍‍ ଧାରଣା ଦେବାହିଁ ଏହି ପୁସ୍ତକମାଳାର ଉଦ୍ଦେଶ୍ୟ ।

 

୪. ବିଶ୍ୱବିଖ୍ୟାତ ଗ୍ରନ୍ଥମାଳା

 

ବିଭିନ୍ନ ରାଷ୍ଟ୍ରର ଉନ୍ନତ ଚିନ୍ତାଧାରା ବହନ କରି ପ୍ରକାଶିତ ହୋଇଥିବା ପୁସ୍ତକାବଳୀକୁ ବିଭିନ୍ନ ଭାରତୀୟ ଭାଷାରେ ସରଳ ଅନୁବାଦ କରିବା ଏହି ଯୋଜନାର ଅନ୍ତର୍ଭୁକ୍ତ ।

 

୫. ଭାରତୀୟ ଲୋକସଂସ୍କୃତି

 

ଦେଶର ବିଭିନ୍ନ ପ୍ରାନ୍ତର ଲୋକସଂସ୍କୃତି ଉପରେ ଆଧାରିତ ଏହି ପୁସ୍ତକମାଳା ଜାତୀୟ ଏକତା ବୃଦ୍ଧିରେ ସାହାଯ୍ୟ କରିବ ବୋଲି ଆଶା ।

୬. ଆଜିର ଦୁନିଆ

 

ବିଭିନ୍ନ ଦେଶର ଇତିହାସ ବା ତଥ୍ୟମୂଳକ ବିଷୟବସ୍ତୁସମ୍ୱଳିତ ଏହି ପୁସ୍ତକାବଳୀ ସୁବୋଧ୍ୟ ଭାଷାରେ ଲେଖାଯିବ ଓ ସାଧାରଣ ପାଠକମାନଙ୍କୁ ଯୋଗାଇଦିଆଯିବ ।

 

୭. ତରୁଣ-ଭାରତୀ

 

ଭାରତର ତରୁଣଗୋଷ୍ଠୀର ଆବଶ୍ୟକତାକୁ ଆଖିଆଗରେ ରଖି ଏହି ପୁସ୍ତକମାଳା ଆରମ୍ଭ କରାଯାଇଛି । ଦେଶର ଗରିମାମୟ ଅତୀତ ଓ ପ୍ରେରଣାଦାୟକ ଘଟଣାବଳୀରେ ଏହି ପୁସ୍ତକଗୁଡ଼ିକ ସମୃଦ୍ଧ କରିବାର ଚେଷ୍ଟା କରାଯାଉଛି ।

 

ଜାତୀୟ ଏକତାରେ ସହଯୋଗ

 

୮. ନେହେରୁ ବାଳପୁସ୍ତକାଳୟ

 

ଶିଶୁର ହୃଦୟରେ ଜାତୀୟ ଏକତାର ଭାବନା ଉଦ୍ରେକ କରିବା ଲକ୍ଷ୍ୟ ନେଇ ଏହି ସଚିତ୍ର ପୁସ୍ତକଗୁଡ଼ିକ ସହାୟକ ପାଠ୍ୟପୁସ୍ତକରୂପେ ପ୍ରସ୍ତୁତ କରାଯିବ । ଇଂରାଜୀ ଓ ସମସ୍ତ ଭାରତୀୟ ଭାଷାରେ ପୁସ୍ତକଗୁଡ଼ିକ ପ୍ରକାଶିତ ହେବ ।

 

୯. ଆଦାନ-ପ୍ରଦାନ

 

ପ୍ରତ୍ୟେକ ଭାରତୀୟ ଭାଷାର ଦଶଟି ବିଖ୍ୟାତ ପୁସ୍ତକ ଅନ୍ୟ ସମସ୍ତ ଭାରତୀୟ ଭାଷାରେ ଅନୁବାଦ କରିବା ଏହି ଯୋଜନାର ଅନ୍ତର୍ଭୁକ୍ତ ।

 

ବର୍ତ୍ତମାନ ଉପଲବ୍‍ଧ ହେଉନଥିବା ମହତ୍ତ୍ୱପୂର୍ଣ୍ଣ ପୁରାତନ ପୁସ୍ତକ ଓ ଉପାଦେୟ ନୂତନ ପାଣ୍ଡୁଲିପିର ପ୍ରକାଶନ ଦାୟିତ୍ୱ ମଧ୍ୟ ଟ୍ରଷ୍ଟ ବହନ କରିଥାଏ ।

 

ଉପରୋକ୍ତ ପୁସ୍ତକମାଳାର ପୁସ୍ତକାବଳୀ ସଂପୃକ୍ତ କ୍ଷେତ୍ରରେ ଗବେଷଣା କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ଲେଖାଯାଏ । ସୁନ୍ଦର ଓ ସୁଦୃଶ୍ୟ ମୁଦ୍ରଣ ସଙ୍ଗେ ସଙ୍ଗେ ଉଚିତ ମୂଲ୍ୟରେ ଯେପରି ପୁସ୍ତକ ଯୋଗାଇ ଦିଆଯାଇ ପାରିବ, ସେଥିପ୍ରତି ଲକ୍ଷ୍ୟ ରଖାଯାଏ ।

 

ଫଣୀଶ୍ୱର ନାଥ ରେଣୁ : repeated

 

ଜନ୍ମ ୧୯୨୧, ପୂର୍ଣ୍ଣିଆ (ବିହାର) । ଉପନ୍ୟାସକାର ଓ ଗଳ୍ପଲେଖକ । ପ୍ରଧାନ ଉପନ୍ୟାସ ‘ମୈଲା ଆଞ୍ଚଲ’, ‘ପରତୀ ପରିକଥା’, ‘ଦୀର୍ଘତପା’ ଆଦି । ଗଳ୍ପ ସଂଗ୍ରହ ‘ଠୁମ୍‍ରୀ’ ଓ ‘ଆଦିମ ରାତ୍ରି କୀ ଗନ୍ଧ’ ।

 

ନିର୍ମଳ ବର୍ମା :

 

ଜନ୍ମ ୧୯୨୯, ସିମ୍‍ଲା (ହିମାଚଳ ପ୍ରଦେଶ) । ସ୍ଥାୟୀ ନିବାସ ଦିଲ୍ଲୀ । ଗତ କେତେ ବର୍ଷ ହେଲା ୟୂରୋପ ପ୍ରବାସ । ମୁଖ୍ୟତଃ ଗଳ୍ପଲେଖକ । ‘ଓ୍ୱେ ଦିନ’ ନାଁରେ ଗୋଟିଏ ଉପନ୍ୟାସ ବି ପ୍ରକାଶିତ । ଗଳ୍ପ ସଂଗ୍ରହ ‘ପରିଂଜେ’, ‘ଜଲ୍‍ଦୀ ଝାଡ଼ୀ’ ଓ ‘ପିଚ୍ଛଲୀ ଗର୍ମିୟୋଁ ମେଁ’ ।

 

ଅମରକାନ୍ତ :

 

ଜନ୍ମ ୧୯୨୪, ବଲିୟା (ଉ: ପ୍ର:) । ସ୍ଥାୟୀ ନିବାସ ଆଲହାବାଦ୍‍ । ମୁଖ୍ୟତଃ ଗଳ୍ପଲେଖକ । ଉପନ୍ୟାସ ବି ଲେଖିଛନ୍ତି । ପ୍ରଧାନ ଗଳ୍ପ ସଂଗ୍ରହ ‘ଜିନ୍ଦଗୀ ଓ୍ୟୌର ଜୋଂକ୍‍ ।

 

ଜ୍ଞାନରଞ୍ଜନ :

 

ଜନ୍ମ ୧୯୩୬, ଆଲାହାବାଦ୍‍ (ଉ: ପ୍ର:) । ମୁଖ୍ୟତଃ ଗଳ୍ପଲେଖକ । ପ୍ରକାଶିତ ଗଳ୍ପ ସଂଗ୍ରହ ‘ଫେନ୍‍ସ୍‍ କେ ଇଧର୍‍ ଓ୍ୟୌର୍‍ ଉଧର୍‍ ।’

 

କାଶୀନାଥ ସିଂହ :

 

ଜନ୍ମ ୧୯୩୭, ବନାରସ (ଉ: ପ୍ର:) । ମୁଖ୍ୟତଃ ଗଳ୍ପଲେଖକ । ପ୍ରକାଶିତ ଗଳ୍ପ ସଂଗ୍ରହ ‘ଲୋଗ୍‍ ବିସ୍ତରୋଁ ପର୍‍’ ।

 

ମୋହନ ରାକେଶ :

 

ଜନ୍ମ ୧୯୨୫, ଅମୃତସର (ପଞ୍ଜାବ୍‍) । ଡିସେମ୍ୱର ୩, ୧୯୭୨ରେ ତିରୋଧାନ । ନାଟ୍ୟକାର ଓ ଗଳ୍ପଲେଖକ । ନାଟକ : ‘ଆଷାଢ଼ କା ଏକ ଦିନ୍‍’ ‘ଲହରୋଂ କେ ରାଜହଂସ’ ଓ ‘ଆଧେ-ଅଧୂରେ’ । ଉପନ୍ୟାସ’ : ‘ଅନ୍ଧେରେ ବନ୍ଦ୍ କମ୍‍ ରେ’ । ଗଲା ସଂଗ୍ରହ : ନୟେ ବାଦଲ’, ‘ଜାନ୍‍ଓ୍ୱର୍‍ ଔର୍‍ ଜାନ୍‍ଓ୍ୱର୍‍’, ‘ଏକ୍‍ ଓର୍‍ ଜିନ୍ଦ୍ ଗୀ’ ଓ ‘ଫୌଲାଦ୍‍ କା ଆକାଶ’ ।

 

ରାଜେନ୍ଦ୍ର ଯାଦବ :

 

ଜନ୍ମ ୧୯୨୯, ଆଗ୍ରା (ଉ: ପ୍ର:) । ଏବେ ଦିଲ୍ଲୀରେ ନିବାସ । ଉପନ୍ୟାସକାର ଓ ଗଳ୍ପଲେଖକ । ଗୋଟିଏ କବିତା ସଂଗ୍ରହ ବି ପ୍ରକାଶିତ । ଉପନ୍ୟାସ : ‘ସାରା ଆକାଶ’, ‘ଉଖଡ଼େ ହୁଏ ଲୋଗ୍‍’, ‘ସାହ ଔର ମାତ୍‍’, ‘କୁଲଟା’ ଓ ‘ମନ୍ତ୍ରସିଦ୍ଧା’ । ଗଳ୍ପସଂଗ୍ରହ : ‘ଖେଲ୍-ଖିଲୋନେ’, ‘ଜହାଂ ଲକ୍ଷ୍ମୀ କୈଦ୍‍ ହୈ’, ‘ଛୋଟେ ଛୋଟେ ତାଜ୍‍ମହଲ୍‍’, ‘କିନାରେ ସେ କିନାରେ ତକ୍‍’, ‘ପ୍ରତୀକ୍ଷା’, ‘ଟୁଟ୍‍ନା’ ଆଦି ।

 

କମଳେଶ୍ୱର :

 

ଜନ୍ମ ୧୯୩୨, ମୈନ୍‍ପୁରୀ । ଦିନାକେତେ ଆଲାହାବାଦ୍‍ ଓ ଦିଲ୍ଲୀରେ ଥିଲେ, ଏବେ ବମ୍ୱେରେ । ଗଳ୍ପଲେଖକ ଓ ଉପନ୍ୟାସକାର । ଗଳ୍ପ-ସଂଗ୍ରହ : ‘ରାଜା ନିର୍‍ ବଂସିୟା’, ‘କସ୍ୱେ କା ଆଦ୍‍ମୀ’, ‘ଖୋଇ ହୁଈ ଦିଶାଏଁ’ ଓ ‘ମାଂସ କା ଦରିୟା’ । ଉପନ୍ୟାସ : ‘ଏକ ସଡ଼କ ସତାବନ ଗଲିୟାଂ’, ଡାକ ବଂଗ୍‍ଲା’ ଓ ‘ତୀସରା ଆଦ୍‍ମୀ’ ।
 

ଶ୍ରୀକାନ୍ତ ବର୍ମା :

 

ଜନ୍ମ ୧୯୩୧, ବିଳାସପୁର (ମଧ୍ୟପ୍ରଦେଶ) । ଏବେ ଦିଲ୍ଲୀରେ ନିବାସ । ମୁଖ୍ୟତଃ କବି-। ଉପନ୍ୟାସ ଓ ଗଳ୍ପ ବି ଲେଖିଛନ୍ତି । କବିତା-ସଂଗ୍ରହ : ‘ମଟକା ମେଘ’, ‘ମାୟ ଦର୍ପଣ’ ଓ ‘ଦିନାରମ୍ଭ’ । ଉପନ୍ୟାସ : ‘ଦୁସରୀ ବାର’ । ଗଳ୍ପ ସଂଗ୍ରହ : ‘ଝାଡୀ ଓ୍ୟୈର୍‍ ସଂବାଦ’ ।

Image